ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କୋଭିଡ-19 ସ୍ଥିତିର ବିସ୍ତୃତ ସମୀକ୍ଷା କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ

• ବିଭିନ୍ନ ମନ୍ତ୍ରଣାଳୟ ଏବଂ ବିଭାଗର ଉତ୍ତମ କାର୍ଯ୍ୟକୁ ପ୍ରଶଂସା
• ସତର୍କତା ସହିତ ଅନଲକ ଏବଂ ପ୍ରସ୍ତୁତି ଉପରେ ଗୁରୁତ୍ୱାରୋପ
• ଟିକା ବିକାଶ ପ୍ରସଙ୍ଗରେ ଆଲୋଚନା
• ନିର୍ଦ୍ଦିଷ୍ଟ କ୍ଷେତ୍ର ଓ ଜିଲ୍ଲା ପାଇଁ ବିଶେଷ ରଣନୀତି

Posted On: 12 SEP 2020 8:34PM by PIB Bhubaneshwar

କୋଭିଡ-19 ମୁକାବିଲା ଏବଂ ପ୍ରସ୍ତୁତି ସମୀକ୍ଷା ଲାଗି ଆଜି ଆୟୋଜିତ ଏକ ଉଚ୍ଚସ୍ତରୀୟ ବୈଠକରେ ଅଂଶଗ୍ରହଣ କରି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡ. ପି.କେ. ମିଶ୍ର ସ୍ଥିତିର ବିସ୍ତୃତ ସମୀକ୍ଷା କରିଛନ୍ତି। ବିଭିନ୍ନ ଜିଲ୍ଲା ଓ ରାଜ୍ୟରେ କୋଭିଡ ମାମଲାଗୁଡ଼ିକର ପରିଚାଳନା ଲାଗି ପ୍ରମାଣ ଆଧାରିତ ଅଧ୍ୟୟନ ଉପରେ ଏହି ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା। ଟିକା ବିକାଶର ସ୍ଥିତି ଏବଂ ବିତରଣ ଯୋଜନା ସମ୍ପର୍କରେ ମଧ୍ୟ ବୈଠକରେ ଜୋର ଦିଆଯାଇଥିଲା। କୋଭିଡର ବିଭିନ୍ନ ଦିଗକୁ ଦୀର୍ଘକାଳିନ ଭିତ୍ତିରେ ପରିଚାଳନା ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ କାର୍ଯ୍ୟ ଯୋଜନାର ଆବଶ୍ୟକତା ସମ୍ପର୍କରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା।

ଏହି ବୈଠକରେ କ୍ୟାବିନେଟ ସଚିବ, ନୀତି ଆୟୋଗର ସଦସ୍ୟ ଡ. ବିନୋଦ ପଲ, ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତା ଏବଂ ବିଭିନ୍ନ କ୍ଷମତାପ୍ରାପ୍ତ କାର୍ଯ୍ୟ ଗୋଷ୍ଠୀର ଆବାହକ ଓ ସମ୍ପୃକ୍ତ ବିଭାଗର ସଚିବମାନେ ଅଂଶଗ୍ରହଣ କରିଥିଲେ। କୋଭିଡ ପରିଚାଳନାରେ ସଫଳତା ହାସଲ ଲାଗି ସମସ୍ତ କ୍ଷମତାପ୍ରାପ୍ତ ଗୋଷ୍ଠୀ କଠିନ ପରିଶ୍ରମ କରିଥିବାରୁ ବୈଠକରେ ସନ୍ତୋଷ ବ୍ୟକ୍ତ କରାଯାଇଥିଲା। ଜିଲ୍ଲା ଓ ରାଜ୍ୟଗୁଡ଼ିକର ସକ୍ରିୟ ଅଂଶଗ୍ରହଣ ସହିତ କୋଭିଡ-19ର ସମସ୍ତ ଦିଗର ମୁକାବିଲା ନିମନ୍ତେ ଏକ ପ୍ରମାଣ ଆଧାରିତ ପ୍ରସ୍ତୁତି ଲାଗି ସମସ୍ତ ବିଭାଗଗୁଡ଼ିକୁ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ନିର୍ଦ୍ଦେଶ ଦେଇଥିଲେ।

ଏହି ଅବସରରେ ଦେଶରେ କୋଭିଡ ସ୍ଥିତି, ବର୍ତ୍ତମାନ ଜାରି ରହିଥିବା ରଣନୈତିକ ହସ୍ତକ୍ଷେପ ଏବଂ ଭବିଷ୍ୟତର ଆହ୍ୱାନ ସମ୍ପର୍କରେ ସ୍ୱାସ୍ଥ୍ୟ ସଚିବ ଏକ ଉପସ୍ଥାପନା ଦେଇଥିଲେ। ମାମଲା ସଂଖ୍ୟା ଦୃଷ୍ଟିରୁ ରାଜ୍ୟଗୁଡ଼ିକର ସ୍ଥିତି ଏହି ଉପସ୍ଥାପନାରେ ଦର୍ଶାଯାଇଥିଲା। ନମୁନା ପରୀକ୍ଷା, ମୃତ୍ୟୁହାର ଏବଂ ପଜିଟିଭ ହାର ଆଦିର ଜିଲ୍ଲାୱାରୀ ତଥ୍ୟ ଉପସ୍ଥାପନ କରାଯାଇଥିଲା। ଟିକା ଉପଲବ୍ଧ ହେବା ପରେ ଟିକା ଯୋଗାଣ ଶୃଙ୍ଖଳ, ହିତାଧିକାରୀଙ୍କ ପଞ୍ଜିକରଣ ବ୍ୟବସ୍ଥା ଏବଂ ବିତରଣ ବ୍ୟବସ୍ଥା ଉପରେ ଗୁରୁତ୍ୱାରୋପ କରୁଥିବା ଇଭିଆଇଏନ ପ୍ଲାଟଫର୍ମ ସମ୍ପର୍କରେ ମଧ୍ୟ ସ୍ୱାସ୍ଥ୍ୟ ସଚିବ ଆଲୋଚନା କରିଥିଲେ।

ବିଭିନ୍ନ ମଡେଲକୁ ଆଧାର କରି ମାମଲାଗୁଡ଼ିକର ବୃଦ୍ଧି ସମ୍ପର୍କରେ ଏକ ବିସ୍ତୃତ ଉପସ୍ଥାପନା ରଖିଥିଲେ ନୀତି ଆୟୋଗ ସଦସ୍ୟ। କୋଭିଡ-19 ପାଇଁ ଟିକା ପରିଚାଳନା ଉପରେ ଜାତୀୟ ବିଶେଷଜ୍ଞ ଗୋଷ୍ଠୀର ପ୍ରୟାସ ସମ୍ପର୍କରେ ମଧ୍ୟ ସେ ସୂଚନା ଦେଇଥିଲେ। ଟିକା ଗବେଷଣା (ଉଭୟ ବିଶ୍ୱ ଓ ଭାରତରେ)ର ସାମଗ୍ରିକ ସ୍ଥିତି ଉପରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା।

ବିଭିନ୍ନ ଆକଳନ ସ୍ଥିତିକୁ ଆଧାର କରି, ଆଗାମୀ ମାସଗୁଡ଼ିକ ନିମନ୍ତେ ଜ୍ଞାନ ଓ ବିଶ୍ଳେଷଣ ମାଧ୍ୟମରେ ବିସ୍ତୃତ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବା ଲାଗି ସମସ୍ତ କର୍ତ୍ତୃପକ୍ଷଙ୍କୁ ପ୍ରମୁଖ ସଚିବ ନିର୍ଦ୍ଦେଶ ଦେଇଥିଲେ। ନିରନ୍ତର ଭାବେ ମାନବ ସମ୍ବଳ ବଢ଼ାଇବା, ମାମଲା ପରିଚାଳନା ପାଇଁ ପରୀକ୍ଷାର ସଠିକ ମିଶ୍ରଣ ହାସଲ କରିବା, ସଂକ୍ରମିତଙ୍କ ଚିହ୍ନଟ ଓ ପୃଥକବାସ, ନିରନ୍ତର ଅକ୍ସିଜେନ ଏବଂ ଅନ୍ୟାନ୍ୟ ଚିକିତ୍ସା ସରଞ୍ଜାମ ଯୋଗାଣ ଆଦିର ଆବଶ୍ୟକତା ବିଷୟରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। ପ୍ରତିଷେଧକ ଉପଚାର ଏବଂ ରୋଗର ଲକ୍ଷଣକୁ ପ୍ରଶମିତ କରିବା ଲାଗି ଆୟୁଷର ଏକୀକରଣ ନେଇ ମଧ୍ୟ ଆଲୋଚନା ହେହାଇଥିଲା। ମାନସିକ ସାମାଜିକ ଯତ୍ନ ସୁବିଧା, ପ୍ରଭାବୀ ଅଭ୍ୟାସଗତ ପରିବର୍ତ୍ତନ ଯୋଗାଯୋଗ ବ୍ୟବସ୍ଥା, ନିରୀକ୍ଷଣ ନିମନ୍ତେ ଦୃଢ଼ ଜିଲ୍ଲାସ୍ତରୀୟ ଜନ ସ୍ୱାସ୍ଥ୍ୟ ଦଳ, ଏକ ଡାଟା ଟିମ, ପ୍ରଭାବୀ ଯୋଗାଣ ଶୃଙ୍ଖଳ, ଜୀବିକା ଓ ସାମାଜିକ ସୁରକ୍ଷା ଆଦି ବିଷୟରେ ବୈଠକରେ ଆଲୋଚନା ହୋଇଥିଲା।

ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଦୁଇ ଗଜ ଦୂରତା ରକ୍ଷା କରିବା, ମାସ୍କ ବ୍ୟବହାର କରିବା ଏବଂ ହାତ ସଫା କରିବା ଆଦି ସତର୍କତା ଅବଲମ୍ବନ ଉପରେ ଜୋର ଦେଇଥିଲେ। ବୟସ୍କଙ୍କ ଯତ୍ନ ନେବା ଏବଂ ଶାରୀରିକ ଦୂରତା ନିୟମକୁ କଡ଼ାକଡ଼ି ପାଳନ କରିବା ସହିତ ପ୍ରତିଷେଧକ ପଦକ୍ଷେପ ଉପରେ ସେ ଜୋର ଦେଇଥିଲେ। ଅନଲକର ଅର୍ଥ ନୁହେଁ ସଂକ୍ରମଣ ବିରୋଧୀ ସୁରକ୍ଷାକୁ କୋହଳ କରିବା। ତେଣୁ ଅଭ୍ୟାସଗତ ପରିବର୍ତ୍ତନ ଅଭିଯାନକୁ ଆଉ ଥରେ ଆଗେଇ ନେବା ଉପରେ ବିଶେଷ ଜୋର ଦିଆଯାଇଥିଲା। ଅନଲକ ଓ କାମ କରିବା ଲାଗି ଅନୁମତି ସହିତ ଚିକିତ୍ସା ସମ୍ବନ୍ଧୀୟ ସତର୍କତାମୂଳକ ପଦକ୍ଷେପ ପାଳନ କରିବା ଲାଗି ବୈଠକରେ ଦୃଢ଼ ଭାବେ ସୁପାରିସ କରାଯାଇଥିଲା।

 

********

 



(Release ID: 1653710) Visitor Counter : 219