ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 2020 ଅଗଷ୍ଟ 13ରେ ‘ସ୍ୱଚ୍ଛ ଟିକସବ୍ୟବସ୍ଥା-ସଚ୍ଚୋଟଙ୍କୁ ସମ୍ମାନ’ ପ୍ଲାଟଫର୍ମର ଉଦ୍‌ଘାଟନ କରିବେ

Posted On: 12 AUG 2020 9:15AM by PIB Bhubaneshwar

ଅଗଷ୍ଟ 13, 2020ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ୱଚ୍ଛ ଟିକସ ବ୍ୟବସ୍ଥା-ସଚ୍ଚୋଟଙ୍କୁ ସମ୍ମାନ’ (ଟ୍ରାନ୍ସପାରେଣ୍ଟ ଟାକ୍ସେସନ-ଅନରିଂ ଦି ଅନେଷ୍ଟ) ପ୍ଲାଟଫର୍ମର ଉଦ୍‌ଘାଟନ କରିବେ ।

କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ ବା ସିବିଡିଟି ନିକଟ ଅତୀତରେ ପ୍ରତ୍ୟକ୍ଷ ଟିକସ କ୍ଷେତ୍ରରେ ଏକ ବଡ଼ ଧରଣର ସଂସ୍କାର କାର୍ଯ୍ୟକାରୀ କରିଛି । ଗତବର୍ଷ କର୍ପୋରେଟ ଟିକସ ହାରକୁ 30 ଶତାଂଶରୁ 22 ଶତାଂଶକୁ ହ୍ରାସ କରାଯାଇଛି । ନୂଆ ମ୍ୟାନୁଫ୍ୟାକ୍‌ଚରିଂ ୟୁନିଟଗୁଡିକ ପାଇଁ ଟିକସ ହାରକୁ କମାଯାଇ 15 ଶତାଂଶ ଧାର୍ଯ୍ୟ ହୋଇଛି । ଲାଭାଂଶ ବଣ୍ଟନ ଟିକସ ବ୍ୟବସ୍ଥାକୁ ମଧ୍ୟ ଉଚ୍ଛେଦ କରାଯାଇଛି ।

ଟିକସ ସଂସ୍କାରର କେନ୍ଦ୍ରରେ ରହିଛି ଟିକସ ଦର ହ୍ରାସ କରିବା ଏବଂ ପ୍ରତ୍ୟକ୍ଷ ଟିକସ ଆଇନକୁ ସରଳ କରିବା । ଆୟକର ବିଭାଗର କାର୍ଯ୍ୟକୁ ଅଧିକ ଦକ୍ଷ ଏବଂ ସ୍ୱଚ୍ଛ କରିବା ପାଇଁ ସିବିଡିଟି ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ଏହା ସହିତ ମଧ୍ୟ ନବପ୍ରବର୍ତ୍ତିତ ଡକ୍ୟୁମେଣ୍ଟେ ଆଇଡେଣ୍ଟିଫିକେସନ ନମ୍ବର ବା ଡିନ୍‌ ମାଧ୍ୟମରେ ଯେଉଁସବୁ ସରକାରୀ ଯୋଗାଯୋଗ ବା କମ୍ୟୁନିକେସନ କରାଯାଉଛି ତାହାକୁ ଅଧିକ ସ୍ୱଚ୍ଛ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛିସରକାରଙ୍କ ପକ୍ଷରୁ ଏ ସଂପର୍କରେ କୌଣସି ଯୋଗାଯୋଗ ବା ତଥ୍ୟ ପ୍ରେରଣ କ୍ଷେତ୍ରରେ ସଂପୃକ୍ତ ସୂଚନାରେ ଏକ କମ୍ପ୍ୟୁଟର ଜେନେରେଟେଡ ୟୁନିକ ଡକ୍ୟୁମେଣ୍ଟ ଆଇଡେଣ୍ଟିଫିକେସନ ନମ୍ବର ରହୁଛି । ସେହିଭଳି ଟିକସଦାତାଙ୍କ ଟିକସ ପୈଠ ବ୍ୟବସ୍ଥାକୁ ଅଧିକ ସହଜ  ଓ ସରଳ କରିବା ପାଇଁ ଆୟକର ବିଭାଗ ଏକ ପ୍ରି-ଫାଇଲିଂ ବ୍ୟବସ୍ଥା କରିଛି । ଏହାଦ୍ୱାରା ଟିକସଦାତା ଆଗୁଆ ସେମାନଙ୍କର ଆୟକର ରିଟର୍ଣ୍ଣ ଦାଖଲ କରିପାରିବେ । ଏହାଦ୍ୱାରା ବ୍ୟକ୍ତିଗତ ଆୟକରଦାତା ବିଶେଷ ଉପକୃତ ହେବେ । ଏହାଛଡା ଷ୍ଟାର୍ଟଅପ୍‌ଗୁଡିକ ପାଇଁ ଉଦ୍ଦିଷ୍ଟ ଟିକସ ପ୍ରଦାନ ବ୍ୟବସ୍ଥାକୁ ମଧ୍ୟ ସରଳ କରାଯାଇଛି ।

ପ୍ରତ୍ୟକ୍ଷ ଟିକସ ପୈଠଜନିତ ବିବାଦ ସମାଧାନ ପାଇଁ ଆୟକର ବିଭାଗ ମଧ୍ୟ ବିବାଦ ସେ ବିଶ୍ୱାସ2020 ଆଇନ କାର୍ଯ୍ୟକାରୀ କରିଛି । ଏଥିରେ ବିଚାରାଧୀନ ବିବାଦୀୟ ଆୟକର ମାମଲାଗୁଡିକରେ ଟିକସଦାତା ଘୋଷଣାପତ୍ର ପ୍ରଦାନ କରି ଏହାର ସମାଧାନ ପାଇଁ ଆବେଦନ କରିପାରିବେ । ଏହି କାର୍ଯ୍ୟ ଆରମ୍ଭ ହୋଇଯାଇଛି । ସେହିଭଳି ଟିକସଦାତାଙ୍କ ଆପତ୍ତି ଅଭିଯୋଗ ବା ଟିକସଜନିତ ବିବାଦର ସଂଖ୍ୟା ଯଥାସମ୍ଭବ ହ୍ରାସ ପାଇଁ ବିଭିନ୍ନ ଆପିଲେଟ କୋର୍ଟରେ ବିଭାଗୀୟ ଆବେଦନ ନିମନ୍ତେ ମାମଲାର ଆର୍ଥିକ ସୀମାକୁ ବଢାଇ ଦିଆଯାଇଛି । ଏହାଦ୍ୱାରା ଏକ ନିର୍ଦ୍ଦିଷ୍ଟ ପରିମାଣର ଟିକସଗତ ବିବାଦ ଆପିଲେଟ ଟ୍ରିବ୍ୟୁନାଲକୁ ଯିବ ଏବଂ ତାଠାରୁ କମ୍‌ ମାମଲା ଟ୍ରିବ୍ୟୁନାଲକୁ ଯିବ ନାହିଁ । ଫଳରେ ଛୋଟ ଛୋଟ ମାମଲାର ବିଚାର ଶୀଘ୍ର ଓ ସହଜରେ ହୋଇପାରିବ । ଡିଜିଟାଲ ଟ୍ରାଞ୍ଜାକସନ ଏବଂ ଇଲେକ୍‌ଟ୍ରୋନିକ ପେମେଣ୍ଟ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । କରୋନା ମହାମାରୀ ସମୟରେ ମଧ୍ୟ ଟିକସଦାତାଙ୍କ ସୁବିଧା ପାଇଁ ଆୟକର ବିଭାଗ ବିଭିନ୍ନ ପ୍ରକାର ପଦକ୍ଷେପ ନେଇଛି । ଏହା ଫଳରେ ଟିକସଦାତାମାନେ ସହଜରେ ଏବଂ ସୁବିଧାରେ ସେମାନଙ୍କର ଟିକସ ପୈଠ କରିପାରୁଛନ୍ତି । ଆୟକର ରିଟର୍ଣ୍ଣ ଫାଇଲ କରିବାକୁ ଆଗରୁ ଯେଉଁ ନିର୍ଦ୍ଧାରିତ ସମୟସୀମା ଥିଲା ତାହାକୁ ବଢାଇ ଦିଆଯାଇଛି । ଟିକସଦାତାଙ୍କ ଆବେଦନଗୁଡିକୁ ତୁରନ୍ତ ବିଚାର କରି ସେମାନଙ୍କୁ ଫେରି ପାଇବାକୁ ଥିବା ଅର୍ଥ ବା ରିଫଣ୍ଡ ଯଥାସମ୍ଭବ ଶୀଘ୍ର ଯୋଗାଇ ଦିଆଯାଉଛି । ଫଳରେ ଅଗ୍ରୀମ ଟିକସ ଦେଇଥିବା ଟିକସଦାତାଙ୍କ ହାତକୁ ନଗଦ ଅର୍ଥ ଫେରୁଛି ।

ପ୍ରଧାନମନ୍ତ୍ରୀ ଅଗଷ୍ଟ 13 ବା ଆସନ୍ତାକାଲି ଯେଉଁ ଟ୍ରାନ୍ସପରେଣ୍ଟ ଟାକ୍ସେସନ-ଅନରିଂ ଦି ଅନେଷ୍ଟ ପ୍ଲାଟଫର୍ମଉଦ୍‌ଘାଟନ କରିବେ ତାହା ପ୍ରତ୍ୟକ୍ଷ ଟିକସ ସଂସ୍କାର କାର୍ଯ୍ୟକ୍ରମକୁ ଆହୁରି ଆଗକୁ ବଢାଇବ । ଏହି କାର୍ଯ୍ୟକ୍ରମକୁ ବିଭିନ୍ନ ଶିଳ୍ପ ବଣିକ ସଂଘ, ବ୍ୟବସାୟ ପ୍ରତିଷ୍ଠାନ, ଚାଟାର୍ଡ ଆକାଉଣ୍ଟାଣ୍ଟ ଆସୋସିଏସନ, ବିଶିଷ୍ଟ ଟିକସଦାତା ଦେଖିପାରିବେ । ଏହାଛଡା ଏହି କାର୍ଯ୍ୟକ୍ରମରେ ଆୟକର ବିଭାଗର ଅଧିକାରୀମାନେ ଯୋଗଦେବେ । କେନ୍ଦ୍ର ଅର୍ଥ ଓ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଏବଂ ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅନୁରାଗ ସିଂହ ଠାକୁର ମଧ୍ୟ ଏଥିରେ ଉପସ୍ଥିତ ରହିବେ ।    

 

**********



(Release ID: 1645412) Visitor Counter : 222