କେନ୍ଦ୍ରୀୟ ଲୋକ ସେବା ଆୟୋଗ

କୋଭିଡ୍‌ ପରିସ୍ଥିତି ସତ୍ତ୍ୱେ ସିଭିଲ ସର୍ଭିସ ସାକ୍ଷାତକାର ପରୀକ୍ଷା ଆୟୋଜନ ପାଇଁ ୟୁପିଏସ୍‌ସିର ଉଦ୍ୟମ

Posted On: 20 JUL 2020 3:11PM by PIB Bhubaneshwar

କରୋନା ମହାମାରୀ ସତ୍ତ୍ୱେ କେନ୍ଦ୍ରୀୟ ଲୋକସେବା ଆୟୋଗ (ୟୁପିଏସ୍‌ସି) 2019 ବର୍ଷ ପାଇଁ ଅନୁଷ୍ଠିତ ସିଭିଲ ସର୍ଭିସ ଲିଖିତ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀମାନଙ୍କ ବ୍ୟକ୍ତିତ୍ୱ ପରୀକ୍ଷା ବା ସାକ୍ଷାତକାର କାର୍ଯ୍ୟକ୍ରମ ଶେଷ କରିବାକୁ ପଦକ୍ଷେପ ଗ୍ରହଣ କରିଛି । ଏହି ସାକ୍ଷାତକାର ପାଇଁ 2304 ପରୀକ୍ଷାର୍ଥୀ ମନୋନୀତ ହୋଇଥିଲେ । ସେମାନଙ୍କ ମଧ୍ୟରୁ 1681 ଜଣଙ୍କର ସାକ୍ଷାତକାର ସରିଥିବାବେଳେ ଅବଶିଷ୍ଟ 623 ଜଣଙ୍କର ବ୍ୟକ୍ତିତ୍ୱ ପରୀକ୍ଷା ମାର୍ଚ୍ଚ ମାସରୁ ଲାଗୁ ହୋଇଥିବା ଲକ୍‌ଡାଉନ ଯୋଗୁଁ ସଂପୂର୍ଣ୍ଣ ହୋଇପାରିନଥିଲା । ଏହି ଅବଶିଷ୍ଟ ପରୀକ୍ଷାର୍ଥୀଙ୍କ ସାକ୍ଷାତକାର ଶେଷ କରିବାକୁ ୟୁପିଏସ୍‌ସି ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି । ଜୁଲାଇ 20ରୁ ଆରମ୍ଭ ହୋଇଥିବା ଏହି ସାକ୍ଷାତକାର 30 ତାରିଖରେ ଶେଷ ହେବ । ଏଥିପାଇଁ ସଂପୃକ୍ତ ପରୀକ୍ଷାର୍ଥୀମାନଙ୍କୁ ଆଗୁଆ ଅବଗତ କରାଯାଇଛି । ପରୀକ୍ଷାର୍ଥୀ, ବିଶେଷଜ୍ଞ, ଆୟୋଗର କର୍ମଚାରୀମାନଙ୍କ ନିମନ୍ତେ ସଂକ୍ରମଣ ରୋକିବାକୁ ସ୍ୱତନ୍ତ୍ର ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଲକ୍‌ଡାଉନ କୋହଳ ସତ୍ତ୍ୱେ ଏବେ ମଧ୍ୟ ସମଗ୍ର ଦେଶରେ ରେଳସେବା ସଂପୂର୍ଣ୍ଣ ସ୍ୱାଭାବିକ ହୋଇନାହିଁ । ଏହାକୁ ଦୃଷ୍ଟିରେ ରଖି ୟୁପିଏସ୍‌ସି କେବଳ ଚଳିତବର୍ଷ ପାଇଁ ଏହି ପରୀକ୍ଷାର୍ଥୀଙ୍କ ନିମନ୍ତେ ବିମାନରେ ଯାତାୟାତ ବାବଦ ଖର୍ଚ୍ଚ ଭରଣା କରିବାକୁ ନିଷ୍ପତ୍ତି ନେଇଛି । ସେମାନେ ସର୍ବନିମ୍ନ ଯିବାଆସିବା ବିମାନ ଭଡା ପାଇବେ । ଆହୁରି ମଧ୍ୟ ରାଜ୍ୟ ସରକାରମାନଙ୍କୁ ଏସବୁ ପରୀକ୍ଷାର୍ଥୀମାନଙ୍କ ସାକ୍ଷାତକାର ନିମନ୍ତେ ଯିବାଆସିବାର ସୁବିଧା ନିଶ୍ଚିତ କରିବାକୁ କୁହାଯାଇଛି । ସେମାନଙ୍କୁ ଇ-ସମନ୍‌ ଲେଟର ମାଧ୍ୟମରେ ନିୟନ୍ତ୍ରିତ କିମ୍ବା କଟକଣା ଲାଗୁ ହୋଇଥିବା ଅଞ୍ଚଳରୁ ଯିବାଆସିବାର ସୁବିଧା ମିଳିବ । ଆହୁରି ମଧ୍ୟ ଏହିସବୁ ପରୀକ୍ଷାର୍ଥୀଙ୍କ ରହଣି ଏବଂ ଦିଲ୍ଲୀରେ ୟୁପିଏସ୍‌ସି ଅଫିସକୁ ଯିବା ଆସିବାର ବନ୍ଦୋବସ୍ତ କରାଯାଇଛି ।

ୟୁପିଏସ୍‌ସି କାର୍ଯ୍ୟାଳୟରେ ପହଞ୍ଚିବା ପରେ ସେମାନଙ୍କୁ ଏକ ସିଲ୍‌ଡ କିଟ୍‌ ଦିଆଯିବ । ଏଥିରେ ଫେସ୍‌ ମାସ୍କ, ଫେସ୍‌ ସିଲ୍ଡ, ଗୋଟିଏ ସାନିଟାଇଜର ବୋତଲ ଓ ହ୍ୟାଣ୍ଡ ଗ୍ଲୋଭ୍‌ସ ରହିଛି । ଇଣ୍ଟରଭ୍ୟୁ ବୋର୍ଡରେ ବରିଷ୍ଠ ବିଶେଷଜ୍ଞମାନେ ରହୁଥିବାରୁ ସେମାନଙ୍କ ନିରାପତ୍ତା ଓ ସୁରକ୍ଷା ପାଇଁ ୟୁପିଏସ୍‌ସି ସବୁ ସମ୍ଭାବ୍ୟ ବ୍ୟବସ୍ଥା ଗ୍ରହଣ କରିଛି । ସେମାନେ ଯେପରି କାହାରି ସଂସ୍ପର୍ଶରେ ନ ଆସନ୍ତି ସେଥିପାଇଁ ସେମାନଙ୍କୁ ବ୍ୟକ୍ତିଗତ ସୁରକ୍ଷା ଉପକରଣମାନ ଯୋଗାଇ ଦିଆଯାଇଛି । ୟୁପିଏସ୍‌ସିର ସମସ୍ତ ଅଧିକାରୀ ଏବଂ କର୍ମଚାରୀମାନେ ଆବଶ୍ୟକ ସୁରକ୍ଷା ପୋଷାକ ଓ ଉପକରଣ ବ୍ୟବହାର କରିବାର ବ୍ୟବସ୍ଥା ହୋଇଛି । ଦପ୍ତରର ସମସ୍ତ କୋଠରୀ, ହଲ୍‌, ଆସବାବପତ୍ର, ଉପକରଣ ଆଦିକୁ ନିୟମିତ ବିଶୋଧନ କରାଯାଉଛି । ଯେଉଁଠି ପରୀକ୍ଷାର୍ଥୀମାନେ ବସିବେ ସେଠାରେ ଶାରୀରିକ ଦୂରତା ରକ୍ଷା ଏବଂ ଅନ୍ୟାନ୍ୟ ସୁରକ୍ଷା ବ୍ୟବସ୍ଥା ହୋଇଛି । ସାକ୍ଷାତ୍‌କାର ସମୟରେ କି ପ୍ରକାର ସୁରକ୍ଷା ବିଧି ପାଳନ କରାଯିବ ସେ ବିଷୟରେ ସଂପୃକ୍ତ ପରୀକ୍ଷାର୍ଥୀଙ୍କୁ ଅବଗତ କରାଯାଇଛି ।

ସୁଚାରୁରୂପେ ପରୀକ୍ଷା ପରିଚାଳନା କରି ଉପଯୁକ୍ତ ଓ ଯୋଗ୍ୟ ପ୍ରାର୍ଥୀଙ୍କ ବାଛିବା ପାଇଁ ୟୁପିଏସସି ଉପରେ ଯେଉଁ ସାମ୍ବିଧାନିକ ଦାୟିତ୍ୱ ରହିଛି କରୋନା ସଂକ୍ରମଣ ସମୟରେ ଉପଯୁକ୍ତ ନିରାପତ୍ତା ମଧ୍ୟରେ ତାହା ସଂପନ୍ନ କରିବା ପାଇଁ ଏହି ଅନୁଷ୍ଠାନ ସବୁମନ୍ତେ ଉଦ୍ୟମ ଚଳାଇଛି ।

 

**********



(Release ID: 1640026) Visitor Counter : 195