ରେଳ ମନ୍ତ୍ରଣାଳୟ

ଅକ୍ଟୋବର 31 ପର୍ଯ୍ୟନ୍ତ 125 ଦିନ ପାଇଁ ପ୍ରବାସୀ ଶ୍ରମିକଙ୍କୁ ଭିତ୍ତିଭୂମି ପ୍ରକଳ୍ପରେ କର୍ମନିଯୁକ୍ତି ଦେବାକୁ ରେଳବାଇ ସୃଷ୍ଟି କରିବ 8 ଲକ୍ଷ କର୍ମଦିବସ

• ଦେଶର 6 ରାଜ୍ୟର 116 ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ଗରିବ କଲ୍ୟାଣ ରୋଜଗାର ଅଭିଯାନର ସମୀକ୍ଷା କରୁଛି ରେଳ ମନ୍ତ୍ରଣାଳୟ
• ସମୀକ୍ଷା ବୈଠକରେ ଯୋଗଦେଲେ ରେଳ ଜୋନ ଓ ପିଏସୟୁ
• ରାଜ୍ୟ ସ୍ତରରେ ସମସ୍ତ 116 ଜିଲ୍ଲାରେ ରେଳବାଇ ନିଯୁକ୍ତି କରିବ ନୋଡାଲ ଅଧିକାରୀ
• ମିଶନ ମୋଡରେ ଚାଲିବ ଅଭିଯାନ, 116 ଜିଲ୍ଲାରେ ହେବ ବିଭିନ୍ନ କିସମର କାମ; ସର୍ବାଧିକ ପ୍ରବାସୀ ଶ୍ରମିକ ଥିବା ରାଜ୍ୟ ବିହାର, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, ଝାଡଖଣ୍ଡ ଏବଂ ଓଡିଶାରେ ହେବ କାମ
• ପ୍ରାୟ 160 ପ୍ରକାରର ବିଭିନ୍ନ କାର୍ଯ୍ୟକ୍ରମ ଚିହ୍ନଟ

Posted On: 24 JUN 2020 5:59PM by PIB Bhubaneshwar

ରେଳ ମନ୍ତ୍ରଣାଳୟ ଆଜି (24.06.2020)ଏହାର ରେଳ ମଣ୍ଡଳ ଓ ପିଏସୟୁ ଦ୍ଵାରା ଭିଡିଓ କନଫରେନ୍ସ ଜରିଆରେ ଗରିବ କଲ୍ୟାଣ ରୋଜଗାର ଅଭିଯାନର ସମୀକ୍ଷା କରିଛି । ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଗତ 20 ତାରିଖ ଦିନ ଗରିବ କଲ୍ୟାଣ ରୋଜଗାର ଅଭିଯାନ 6ଟି ରାଜ୍ୟର 116ଟି ଚିହ୍ନିତ ଜିଲ୍ଲାରେ ଆରମ୍ଭ କରାଯାଇଛି । ଏହି ରାଜ୍ୟଗୁଡିକ ହେଲା ଉତ୍ତରପ୍ରଦେଶ, ବିହାର, ରାଜସ୍ଥାନ, ମଧ୍ୟପ୍ରଦେଶ, ଓଡିଶା ଓ ଝାଡଖଣ୍ଡ ।

ରେଳବାଇ ବୋର୍ଡ ଅଧ୍ୟକ୍ଷ ଶ୍ରୀ ବିନୋଦ କୁମାର ଯାଦବ ଆଜି ଏସମ୍ପର୍କରେ ସାଧାରଣ ପରିଚାଳକ ଏବଂ ମଣ୍ଡଳ ପରିଚାଳକ ଓ ପିଏସୟୁର ପରିଚାଳନା ନିର୍ଦ୍ଦେଶକଙ୍କ ସହ ଭିଡିଓ କନଫରେନ୍ସ ଜରିଆରେ ଆଲୋଚନା କରିଛନ୍ତି । ବୈଠକରେ ଶ୍ରୀ ଯାଦବ ଆଞ୍ଚଳିକ ରେଳବାଇଗୁଡ଼ିକୁ ଏହି ଅଭିଯାନ କାର୍ଯ୍ୟକାରୀ ହେଉଥିବା ଜିଲ୍ଲାଗୁଡିକ ପାଇଁ ନୋଡାଲ ଅଧିକାରୀ ନିଯୁକ୍ତ କରିବାକୁ ପରାମର୍ଶ ଦେଇଛନ୍ତି । ନିଯୁକ୍ତ ଅଧିକାରୀମାନେ ଅଭିଯାନ ସମ୍ପର୍କରେ ରାଜ୍ୟ ସରକାରଙ୍କ ସହ ସମନ୍ଵୟ ରକ୍ଷା କରିବେ । ଏହାଛଡା ପ୍ରବାସୀ ଶ୍ରମିକମାନେ ଯେପରି ବ୍ନିଭିନ୍ନ ପ୍ରକଳ୍ପରେ କାର୍ଯ୍ୟ ପାଇବା ସହ ନିୟମିତ ଭାବେ ସେମାନଙ୍କ ଦେୟ ପାଇବେ, ତାହା ଦେଖିବାକୁ ଶ୍ରୀ ଯାଦବ ଆଞ୍ଚଳିକ ରେଳବାଇ ପ୍ରଶାସନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଅଭିଯାନ ପାଇଁ ଚିହ୍ନଟ ଜିଲ୍ଲାଗୁଡିକରେ ଭିତ୍ତିଭୂମି କାର୍ଯ୍ୟ ଯେପରି ଆଗେଇ ଚାଲିବ ତାହା ଦେଖିବାକୁ ଆଞ୍ଚଳିକ ରେଳବାଇ କର୍ତ୍ତୃପକ୍ଷଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଏହି କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ପ୍ରାୟ 160ଟି ଭିତ୍ତିଭୂମି ଭିତ୍ତିକ କାର୍ଯ୍ୟ ଚିହ୍ନଟ କରାଯାଇଛି । ଆଗାମୀ ଅକ୍ଟୋବର ମାସ ସୁଦ୍ଧା ସହସ୍ରାଧିକ ପ୍ରବାସୀ ଶ୍ରମିକ ଏଥିରେ ନିଯୁକ୍ତି ପାଇବା ଫଳରେ ପ୍ରାୟ 8 ଲକ୍ଷ ଶ୍ରମ ଦିବସ ସୃଷ୍ଟି ହେବ । ଏହିସବୁ ଜିଲ୍ଲାରେ ପ୍ରାୟ 1800 କୋଟି ଟଙ୍କା ଖର୍ଚ୍ଚ ହେବ ।

ମନରେଗା ଜରିଆରେ କରାଯିବାକୁ ଥିବା ରେଳବାଇ କାର୍ଯ୍ୟ ବିଭାଗ ପକ୍ଷରୁ ଚିହ୍ନଟ କରାଯାଇଛି । ଏହି କାର୍ଯ୍ୟଗୁଡିକ ହେଲା – (1) ରେଳ ଫାଟକ ପର୍ଯ୍ୟନ୍ତ ଯାଇଥିବା ରାସ୍ତାର ନିର୍ମାଣ ଓ ରକ୍ଷଣାବେକ୍ଷଣ, (2) ଜଳ ପରିବେଷ୍ଟିତ ରାସ୍ତା, ନାଳ ଓ ଟ୍ରାକଗୁଡିକର ମରାମତି ଓ ବିକାଶ, (3) ରେଳ ଷ୍ଟେସନ ପର୍ଯ୍ୟନ୍ତ ଯାଇଥିବା ରାସ୍ତାର ନିର୍ମାଣ ଓ ରକ୍ଷଣାବେକ୍ଷଣ, (4) ବର୍ତ୍ତମାନ ଥିବା ରେଳବାଇ କଟିଂସ ଗୁଡିକର ମରାମତି ଓ ପ୍ରଶସ୍ତିକରଣ, (5) ରେଳବାଇ ଜମିରେ ବୃକ୍ଷ ରୋପଣ, (6) ବିଭିନ୍ନ ପୋଲ, କଟିଂ, ଖାଲି ପଡିଥିବା ଜାଗା ଗୁଡିକର ସୁରକ୍ଷା ଇତ୍ୟାଦି ।

ମନରେଗା ଅଧୀନରେ ପ୍ରସ୍ତାବିତ କାର୍ଯ୍ୟ ପାଇଁ ମଞ୍ଜୁରି ପ୍ରାପ୍ତ କରିବାକୁ ଆଞ୍ଚଳିକ ରେଳବାଇ ସଂସ୍ଥାଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରତିଦିନ ଆଞ୍ଚଳିକ ରେଳବାଇ ପକ୍ଷରୁ କାର୍ଯ୍ୟର ତଦାରଖ କରାଯାଇ ଅକ୍ଟୋବର ମାସ ଶେଷ ପର୍ଯ୍ୟନ୍ତ ପ୍ରତି ଶୁକ୍ରବାର ମନ୍ତ୍ରଣାଳୟକୁ ତଥ୍ୟ ଦେବାକୁ ପଡିବ । ଏଠାରେ ସୂଚନାଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବୃହତ କର୍ମ ନିଯୁକ୍ତି ଅଭିଯାନ ଆରମ୍ଭ କରିଛନ୍ତି । ଗରିବ କଲ୍ୟାଣ ରୋଜଗାର ଅଭିଯାନ ଭାବେ ନାମିତ ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ବିଭିନ୍ନ ରାଜ୍ୟକୁ ଫେରିଥିବା ପ୍ରବାସୀ ଶ୍ରମିକମାନଙ୍କୁ କର୍ମନିଯୁକ୍ତି ସୁଯୋଗ ମିଳିବ । କୋଭିଡ ବୈଶ୍ଵିକ ମହାମାରୀର ମୁକାବିଲା ତଥା ପ୍ରବାସୀ ଶ୍ରମିକଙ୍କୁ ସଶକ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀ ଗତ 20 ତାରିଖ ଦିନ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି । ଗରିବ କଲ୍ୟାଣ ରୋଜଗାର ଅଭିଯାନ ଅଧିନରେ ଗ୍ରାମାଞ୍ଚଳରେ ସ୍ଥାୟୀ ଭିତ୍ତିଭୂମିର ବିକାଶ ପାଇଁ ପ୍ରଧାନମନ୍ତ୍ରୀ 50 ହଜାର କୋଟି ଟଙ୍କା ଖର୍ଚ୍ଚ ପାଇଁ ଘୋଷଣା କରିଛନ୍ତି । 125 ଦିନିଆ ଏହି ଅଭିଯାନ ମିଶନ ମୋଡରେ ଚାଲିବ । ଦେଶର ବଛା ବଛା 116ଟି ଜିଲ୍ଲାରେ 25 ପ୍ରକାରର ବିଭିନ୍ନ କାର୍ଯ୍ୟ କାର୍ଯ୍ୟକାରୀ ହେବ । ସର୍ବାଧିକ ପ୍ରବାସୀ ଶ୍ରମିକ ଫେରିଥିବା ଏହି 6ଟି ରାଜ୍ୟ ଯଥା – ଉତ୍ତରପ୍ରଦେଶ, ବିହାର, ମଧ୍ୟପ୍ରଦେଶ, ରାଜସ୍ଥାନ, ଓଡିଶା ଏବଂ ଝାଡଖଣ୍ଡରେ ଏହି କାର୍ଯ୍ୟଗୁଡିକ କରାଯିବ । ଏହି ଅଭିଯାନକୁ 12ଟି ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗ ଯଥା ଗ୍ରାମ୍ୟ ବିକାଶ, ପଞ୍ଚାୟତିରାଜ, ସଡକ ପରିବହନ ଓ ରାଜମାର୍ଗ, ଖଣି, ପାନୀୟ ଜଳ ଓ ପରିମଲ, ପରିବେଶ, ରାଳବାଇ, ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ, ନୂତନ ଓ ଅକ୍ଷୟ ଶକ୍ତି, ସୀମା ସଡକ, ଦୂରସଞ୍ଚାର ଓ କୃଷି ଇତ୍ୟାଦି ଏହି କାର୍ଯ୍ୟକ୍ରମଗୁଡିକୁ ସହଯୋଗ କରିବେ ।

 

**********



(Release ID: 1634092) Visitor Counter : 230