Infrastructure
ଆବର୍ଜନାରୁ ଶକ୍ତି ଉତ୍ପାଦନ
ଭିତରେ ଅଛି ସ୍ବଚ୍ଛ ଭାରତ ମିଶନର ଆବର୍ଜନାରୁ ବିଜୁଳି ଶକ୍ତି ଉତ୍ପାଦନର କଥା
Posted On:
27 SEP 2026 11:49AM
ସାରା ଭାରତର ଜୈବ ବର୍ଜ୍ୟବସ୍ତୁ ଏବେ ଇନ୍ଧନ, ବିଦ୍ୟୁତ୍ ଓ ମୂଲ୍ୟବାନ ଜୈବିକ ସାର ଭାବେ ଦ୍ବିତୀୟ ଜୀବନ ପାଉଛି। ଅକ୍ଟୋବର ୨୦୧୪ରେ ଆରମ୍ଭ ହୋଇଥିବା ସ୍ୱଚ୍ଛ ଭାରତ ମିଶନର ଏକ ପ୍ରମୁଖ ଲକ୍ଷ୍ୟ ହେଉଛି ପୌରାଞ୍ଚଳରୁ ସଂଗ୍ରହ ହେଉଥିବା କଠିନ ବର୍ଜ୍ୟବସ୍ତୁର ବୈଜ୍ଞାନିକ ପରିଚାଳନା। ଏହି ମିଶନର ଦିନକୁ ଦିନ ଆହୁରି ବ୍ୟାପକ ହେବା ସହିତ ସ୍ୱଚ୍ଛ ଶକ୍ତି ଉତ୍ପାଦନର ଏକ ମୂଲ୍ୟବାନ ସମ୍ପଦ ଭାବେ ଜୈବ ବର୍ଜ୍ୟର ଗୁରୁତ୍ୱ ବଢ଼ିଛି। ଜୈବ ବର୍ଜ୍ୟ ସାମଗ୍ରୀର ଅମ୍ଳଜାନବିହୀନ ବିଘଟନ ପ୍ରକ୍ରିୟାରୁ ପ୍ରସ୍ତୁତ ହେଉଥିବା ବାୟୋଗ୍ୟାସ୍ ହେଉଛି ରୋଷେଇ କରିବା ପାଇଁ ଏକ ଅତ୍ୟନ୍ତ ବ୍ୟାବହାରିକ, ଅର୍ଥନୈତିକ ଓ ପରିବେଶ ଅନୁକୂଳ ସ୍ବଚ୍ଛ ଇନ୍ଧନ। ଏହି ପ୍ରକ୍ରିୟାରେ ଅବଶେଷ ଭାବେ ରହୁଥିବା ଗୋବର ଖତରେ ଯଥେଷ୍ଟ ପରିମାଣର ଯବକ୍ଷାରଜାନ ଥାଏ ଓ ଏହା ଏକ ବହୁତ ବଢିଆ ଜୈବିକ ସାର ଭାବେ ବ୍ୟବହାର କରାଯାଇପାରେ । ଏହା ରାସାୟନିକ ସାର ଉପରେ ନିର୍ଭରଶୀଳତା କମାଇବା ସହିତ ଚାଷ ଖର୍ଚ୍ଚ ହ୍ରାସ କରେ ଏବଂ ମାଟିର ଉର୍ବରତା ବଜାୟ ରଖିବାରେ ସହାୟକ ହୁଏ। ଅର୍ଥାତ୍, ଗୋଟିଏ ପଦକ୍ଷେପରୁ ଏକାସାଙ୍ଗରେ ସ୍ୱଚ୍ଛ ଶକ୍ତି ଓ ଜୈବ ସାର- ଏପରି ଦୁଇଟି ଲାଭ ମିଳିଥାଏ।
ଦେଶର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ଉପାୟରେ ସ୍ୱଚ୍ଛ ଭାରତ ମିଶନ-ସହରାଞ୍ଚଳ ୨.୦ ଯୋଜନାରେ ବର୍ଜ୍ୟବସ୍ତୁରୁ ଶକ୍ତି ଉତ୍ପାଦନ କରାଯାଉଛି। ଯେଉଁ ପ୍ରକାର ବର୍ଜ୍ୟବସ୍ତୁ ମିଳୁଛି ଓ ସ୍ଥାନୀୟ ଲୋକଙ୍କ ଆବଶ୍ୟକତା ଅନୁଯାୟୀ ଏହି ଶକ୍ତି ଉତ୍ପାଦନ କରାଯାଉଛି। ହାଇଦ୍ରାବାଦର ଏକ ପନିପରିବା ବଜାରରେ ନଷ୍ଟ ହୋଇଯାଇଥିବା ପନିପରିବାରୁ ଶକ୍ତି ଉତ୍ପାଦନ କରି ବଜାରର ନିଜସ୍ୱ ଷ୍ଟ୍ରିଟ୍ ଲାଇଟ୍ ଜଳାଯାଉଛି। ପ୍ରୟାଗରାଜରେ ଏକ ମଲ୍ଟି-ଫିଡ୍ଷ୍ଟକ୍ ବାୟୋ-ସିଏନ୍ଜି ପ୍ଲାଣ୍ଟ ବିଭିନ୍ନ ପ୍ରକାରର ଜୈବ ବର୍ଜ୍ୟକୁ ସ୍ବଚ୍ଛ ଇନ୍ଧନ ଓ କମ୍ପୋଷ୍ଟରେ ପରିଣତ କରୁଛି। ଗାନ୍ଧୀନଗରର ଏକ ଶିକ୍ଷାନୁଷ୍ଠାନ ପ୍ରତିଦିନ ୫୦୦ରୁ ଅଧିକ ଲୋକଙ୍କ ପାଇଁ ଏଲ୍ପିଜି ସିଲିଣ୍ଡର ଉପରେ ନିର୍ଭର ନ କରି ରୋଷେଇ କରୁଛି। ସେହିପରି ଗ୍ୱାଲିଅରର ଏକ ଗୋଶାଳା ଗୋବରରୁ କମ୍ପ୍ରେସ୍ଡ ବାୟୋଗ୍ୟାସ୍ (CBG) ପ୍ରସ୍ତୁତ କରୁଛି। ବର୍ଜ୍ୟବସ୍ତୁର ଉତ୍ସ ଭିନ୍ନ, କେଉଁଠି କମ୍ ତ କେଉଁଠି ବେଶି, କିନ୍ତୁ ଏସବୁର ମୂଳ ଉଦ୍ଦେଶ୍ୟ ଗୋଟିଏ -ସ୍ଥାୟୀ ବିକାଶ ଦିଗରେ ଏକ ନୂଆ ପରିବର୍ତ୍ତନ। ଏହି ସବୁ ଅଭିଯାନ ଦର୍ଶାଉଛି ଯେ, ସ୍ଥାୟୀତ୍ୱ ଦିଗରେ ଆଗକୁ ବଢ଼ିବା ଯାତ୍ରାରେ ସହର ଓ ବିଭିନ୍ନ ଅନୁଷ୍ଠାନ କିପରି ଅଗ୍ରଣୀ ଭୂମିକା ନେଉଛନ୍ତି। ବର୍ଜ୍ୟ ପରିଚାଳନାରେ ଅଭିନବ ଓ ଚକ୍ରାକାର ପଦ୍ଧତି ଆପଣାଇ ସେମାନେ ପରିବେଶ ଉପରେ ପଡ଼ୁଥିବା ପ୍ରଭାବକୁ କମାଇବା ସହିତ ବର୍ଜ୍ୟବସ୍ତୁକୁ ଏକ ମୂଲ୍ୟବାନ ସମ୍ପଦ ଭାବେ ବ୍ୟବହାର କରିବାର ସମ୍ଭାବନାର ବାଟ ଦେଖାଇଛନ୍ତି।
ଗାନ୍ଧିନଗର: ଏଲପିଜି ଉପରେ ନିର୍ଭରଶୀଳତାରୁ ମୁକ୍ତ ହୋଇଛି ଗୋଟିଏ ଶିକ୍ଷାନୁଷ୍ଠାନ
ଗୁଜରାଟର ଗାନ୍ଧୀନଗର ନିକଟସ୍ଥ ଅଡାଲଜରେ ଥିବା ଶ୍ରୀମତୀ ମାନେକବା ବିନୟ ବିହାର ଏଜୁକେସନାଲ କମ୍ପ୍ଲେକ୍ସରେ ପ୍ରତିଦିନ ୫୦୦ରୁ ଅଧିକ ଲୋକଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରାଯାଏ। ଏଠାରେ ରହୁଥିବା ପ୍ରାୟ ୨୫୦ ଜଣ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରତିଦିନ ଦୁଇ ବେଳା ଖାଦ୍ୟ ପ୍ରସ୍ତୁତ ହୁଏ। ଏଥିସହ ୧୫ ଜଣ କର୍ମଚାରୀଙ୍କ ପରିବାର ମଧ୍ଯ କ୍ୟାମ୍ପସରେ ରହନ୍ତି। ଏତେ ଲୋକଙ୍କ ପାଇଁ ଯେଉଁ ରୋଷେଇ ହୁଏ, ସେଥିରେ ଏଲପିଜି ବ୍ୟବହାର କରାଯାଏନି।
ତେବେ ଏହି ରୋଷେଇ ଘରର ବିଶେଷତ୍ୱ ହେଉଛି, ଏଠାରେ ଏଲ୍ପିଜି ଉପରେ ନିର୍ଭରଶୀଳତା ସମ୍ପୂର୍ଣ୍ଣ ଭାବେ ଦୂର କରାଯାଇଛି। ଏହା ବଦଳରେ ବାୟୋଗ୍ୟାସ୍ ଆଧାରିତ ରୋଷେଇ ବ୍ୟବସ୍ଥା ଆପଣାଯାଇଛି। ଫଳରେ ଜୈବ ବର୍ଜ୍ୟରୁ ଉତ୍ପାଦିତ ବାୟୋଗ୍ୟାସ୍କୁ ରୋଷେଇ ପାଇଁ ଇନ୍ଧନ ଭାବେ ବ୍ୟବହାର କରାଯାଉଛି। ସମସ୍ତଙ୍କ ପାଇଁ ରୋଷେଇରେ ବାୟୋଗ୍ଯାସ ବ୍ୟବହାର ହୋଇଥାଏ।
ଏହି କ୍ୟାମ୍ପସ୍ ଦାୟିତ୍ବ ନେଇଥିବା ବସୁମତୀ ଚାରିଟେବଲ୍ ଟ୍ରଷ୍ଟ ପକ୍ଷରୁ ଦୁଇଟି ବାୟୋଗ୍ୟାସ୍ ପ୍ଲାଣ୍ଟ ପରିଚାଳିତ ହେଉଛି। ଏହି ଦୁଇଟି ପ୍ଲାଣ୍ଟର ମିଳିତ ଦୈନିକ କ୍ଷମତା ହେଉଛି ୯୦ ଘନମିଟର। ପ୍ରତିଦିନ ଏତିକି ପରିମାଣର ବାୟୋଗ୍ଯାସ ଉତ୍ପାଦନ ହୋଇଥାଏ। ଏଥିପାଇଁ ଆବଶ୍ୟକ କଞ୍ଚାମାଲ ଭାବେ ଟ୍ରଷ୍ଟର ଗୋଶାଳାର ୨୨୨ ଟି ଗାଈର ଗୋବର ବ୍ୟବହାର କରାଯାଉଛି। ଏହା ସହିତ ରୋଷେଇ ଘରରୁ ବାହାରୁଥିବା ଜୈବ ବର୍ଜ୍ୟ ଏବଂ ନିକଟସ୍ଥ ଚାଷ ଜମିର ନଡ଼ାକୁଟା ଅଗାଡ଼ି ଆଦି ବ୍ୟବହାର କରାଯାଉଛି। ଏହି ବାୟୋଗ୍ୟାସ୍ ଦ୍ୱାରା କ୍ୟାମ୍ପସ୍ର ରୋଷେଇ ପାଇଁ ଆବଶ୍ୟକ ସମ୍ପୂର୍ଣ୍ଣ ଇନ୍ଧନ ମିଳିଯାଉଛି। ଯଦି ବାୟୋଗ୍ୟାସ୍ ବ୍ୟବସ୍ଥା ନଥାନ୍ତା, ତେବେ ପ୍ରତି ମାସରେ ପ୍ରାୟ ୩୦ଟି ଏଲ୍ପିଜି ସିଲିଣ୍ଡର ଆବଶ୍ୟକ ହୋଇଥାନ୍ତା।
କେମିତି ଅଭିନବ ଓ ବୈଜ୍ଞାନିକ ବର୍ଜ୍ୟ ପରିଚାଳନା ପଦ୍ଧତି ଶକ୍ତି କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ସହିତ ସ୍ଥାୟୀ ବିକାଶକୁ ଆଗେଇ ନେଇପାରେ, ତାହା ଏହି ଅନୁଷ୍ଠାନ ଦର୍ଶାଇଛି। ଏଥିରେ ଗୁଜରାଟ ସରକାରଙ୍କ ଇନ୍ଷ୍ଟିଚ୍ୟୁସନାଲ୍ ବାୟୋଗ୍ୟାସ୍ ପ୍ଲାଣ୍ଟ ସ୍କିମ୍ ଏବଂ ଗୁଜରାଟ ଏନର୍ଜି ଡେଭଲପମେଣ୍ଟ ଏଜେନ୍ସି (GEDA) ପରି ସଂସ୍ଥା ନୀତିଗତ ଓ ଆର୍ଥିକ ସହାୟତା ଯୋଗାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛନ୍ତି।

ପ୍ରଥମ ଚିତ୍ର : ଶ୍ରୀମତୀ ମାନେକାବା ବିନୟ ନିହାର ଏଜୁକେସନାଲ କଂପ୍ଲେକ୍ସ, ଅଦାଲାଜ, ଗୁଜରାଟର ବାୟୋଗ୍ୟାସ ପ୍ଲାଣ୍ଟ
ପ୍ରଦୂଷଣ ହ୍ରାସ କରି ଓ ଶକ୍ତି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ପାଇଁ ବିକଳ୍ପ ଶକ୍ତି ଓ ସ୍ଥାୟୀ ବିକାଶ ଦିଗରେ ଗୁଜରାଟ ଆଗେଇ ଚାଲିଛି । ଏହା ଦ୍ବାରା ଗୋଶାଳା ଓ ବିଭିନ୍ନ ଶିକ୍ଷାନୁଷ୍ଠାନରୁ ବାହାରୁଥିବା ଗୋବର ପରି ଜୈବିକ ବର୍ଜ୍ୟବସ୍ତୁକୁ ବୈଜ୍ଞାନିକ ଉପାୟରେ ଉପଯୋଗ ବି କରାଯାଇପାରୁଛି।
ପ୍ରୟାଗରାଜ:ଗୋଟିଏ ପ୍ରକଳ୍ପ, ୪ଟି ଯୋଗାଣ
ପ୍ରୟାଗରାଜର ବାୟୋ-ସିଏନ୍ଜି ପ୍ରକଳ୍ପ ହେଉଛି ଏମତି ଏକ ପ୍ରକଳ୍ପ ଯେଉଁଠି ଆବର୍ଜନାରୁ ପ୍ରସ୍ତୁତ ହେଉଛି ଶକ୍ତି । ଏହାକୁ ଏମିତି ଡିଜାଇନ କରାଯାଇଛି ଯେମିତିକି ଏହା ବିଭିନ୍ନ ପ୍ରକାରର ଜୈବିକ ଆବର୍ଜନାକୁ ପ୍ରକ୍ରିୟାକରଣ କରି ଶକ୍ତି ଉତ୍ପାଦନ କରିପାରିବ।

ଚିତ୍ର ୨ : ଉତ୍ତର ପ୍ରଦେଶ ପ୍ରୟାଗରାଜର ବାୟୋ-ସିଏନ୍ଜି ପ୍ରକଳ୍ପ
ଏହି ପ୍ରକଳ୍ପର ଶୁଭାରମ୍ଭ ସହିତ ସବୁଜ ଶକ୍ତି ଓ ବର୍ଜ୍ୟ ପରିଚାଳନା କ୍ଷେତ୍ରରେ ଉତ୍ତରପ୍ରଦେଶ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସ୍ଥାପନ କରିଛି। ପରିବେଶ ସଂରକ୍ଷଣ ଦିଗରେ ଏହି ପ୍ରକଳ୍ପ ଏକ ଦୂରଦର୍ଶୀ ପଦକ୍ଷେପ ହୋଇଥିବା ବେଳେ, ବର୍ଜ୍ୟ ସାମଗ୍ରୀକୁ ଏକ ମୂଲ୍ୟବାନ ସମ୍ପଦରେ ପରିଣତ କରିବାର ଲକ୍ଷ୍ୟକୁ ମଧ୍ୟ ଆଗକୁ ବଢ଼ାଉଛି।
ଏହି ପ୍ରକଳ୍ପରେ ପ୍ରତିଦିନ ୩୪୩ ଟନ୍ ଜୈବ ବର୍ଜ୍ୟବସ୍ତୁକୁ ପ୍ରକ୍ରିୟାକରଣ କରାଯାଇପାରିବ ଏବଂ ସେଥିରୁ ପ୍ରାୟ ୨୧ ଟନ୍ ବାୟୋ-ସିଏନ୍ଜି ଉତ୍ପାଦନ ହୋଇପାରିବ। ଏହାର ବହୁମୁଖୀ କଞ୍ଚାମାଲ (ମଲ୍ଟି-ଫିଡ୍ଷ୍ଟକ୍) ମଡେଲ୍ରେ ଓଦା ବର୍ଜ୍ୟ, ଧାନ ନଡ଼ା, ଗୋବର ଏବଂ କୁକୁଡ଼ା ଖତ ବ୍ୟବହାର କରାଯାଉଛି।ଏହି ପଦକ୍ଷେପ ଦ୍ୱାରା କୃଷି ଅବଶିଷ୍ଟକୁ ଉତ୍ପାଦନମୂଳକ କାର୍ଯ୍ୟରେ ବ୍ୟବହାର କରିବାର ସୁଯୋଗ ସୃଷ୍ଟି ହୋଇଛି। ତା ସହିତ ନଡ଼ା ପୋଡ଼ିବା ସମସ୍ୟାର ସମାଧାନ ବି ହୋଇପାରିଛି।
ଏହି ପ୍ରକଳ୍ପ ପବ୍ଲିକ-ପ୍ରାଇଭେଟ୍ ପାର୍ଟନରସିପ୍ (PPP) ମଡେଲ୍ରେ ପରିଚାଳିତ ହେଉଛି। ହୋଟେଲ୍, ରେଷ୍ଟୁରାଣ୍ଟ ଏବଂ ଆପାର୍ଟମେଣ୍ଟ କମ୍ପ୍ଲେକ୍ସରୁ ବହୁ ପରିମାଣର ଜୈବ ବର୍ଜ୍ୟ ସଂଗ୍ରହ କରାଯାଇ ଏହି ପ୍ରକଳ୍ପରେ ଉପଯୋଗ କରାଯାଉଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ପ୍ରତିଦିନ ମାତ୍ର ୭–୮ ଟନ୍ ଓଦା ବର୍ଜ୍ୟ ମିଳୁଥିବା ବେଳେ ଏବେ ଏହା ବୃଦ୍ଧି ପାଇ ପ୍ରାୟ ୧୨୫ ଟନ୍ରେ ପହଞ୍ଚିଛି। ଏହା ଫଳରେ ସହରରେ ଜୈବ ବର୍ଜ୍ୟ ସାମଗ୍ରୀର ସର୍ବାଧିକ ଉପଯୋଗ ହୋଇପାରିଛି।
ଏହି ପ୍ଲାଣ୍ଟରୁ ଉତ୍ପାଦିତ ହେଉଥିବା ବାୟୋ-ସିଏନ୍ଜି, କମ୍ପ୍ରେସ୍ଡ ବାୟୋଗ୍ୟାସ୍ (CBG)–ସିଟି ଗ୍ୟାସ୍ ଡିଷ୍ଟ୍ରିବ୍ୟୁସନ୍ (CGD) ସିଙ୍କ୍ରୋନାଇଜେସନ୍ ସ୍କିମ୍ ଅଧୀନରେ ବିକ୍ରି କରାଯାଉଛି। ଏହା ଫୁଏଲ୍ କାସ୍କେଡ୍ ରୁଟ୍ ମାଧ୍ୟମରେ ଲୋକଙ୍କ ପାଖରେ ପହଞ୍ଚୁଛି। ବର୍ତ୍ତମାନ ଏହା ସିଟି ପରିବହନ ବ୍ୟବସ୍ଥାରେ ବି ଇନ୍ଧନ ଭାବେ ବ୍ୟବହୃତ ହେଉଛି।
ଏହି ପ୍ରକ୍ରିୟାରୁ ପ୍ରତିଦିନ ପ୍ରାୟ ୨୮ ଟନ୍ ଉଚ୍ଚମାନର କମ୍ପୋଷ୍ଟ ମଧ୍ୟ ଉତ୍ପାଦିତ ହେଉଛି। ଏହି କମ୍ପୋଷ୍ଟକୁ ସ୍ଥାନୀୟ ଚାଷୀମାନଙ୍କ ପାଇଁ ଉପଲବ୍ଧ କରାଯାଉଛି, ଯାହା ପୁନର୍ଜୀବନମୂଳକ କୃଷିକୁ ପ୍ରୋତ୍ସାହନ ଦେଉଛି। ଆଗାମୀ ଦିନରେ ଏହି ପ୍ରକଳ୍ପ ମାଧ୍ୟମରେ ପାଇପ୍ ଯୋଗେ ଗ୍ୟାସ୍ ଯୋଗାଣ ଦ୍ୱାରା ପ୍ରାୟ ୪୫,୦୦୦ ପରିବାରକୁ ସ୍ୱଚ୍ଛ ଇନ୍ଧନର ସୁବିଧା ମିଳିବାର ଆଶା ରହିଛି। ଏଥି ସହ ପ୍ରତିବର୍ଷ ପ୍ରାୟ ୫୭,୦୦୦ ଟନ୍ କାର୍ବନ୍ ନିର୍ଗମନ ହ୍ରାସ କରିବାରେ ଏହି ପ୍ରକଳ୍ପ ସହାୟକ ହେବ ବୋଲି ଆଶା କରାଯାଉଛି।
ଗ୍ବାଲିୟର: ଗୋଟିଏ ଗୋଶାଳା ପାଲଟିଛି ଶକ୍ତି ଉତ୍ପାଦନ କେନ୍ଦ୍ର
ଗ୍ୱାଲିଅରର ଲାଲ୍ଟିପଡ଼ାରେ ଥିବା ଆଦର୍ଶ ଗୋଶାଳା ହେଉଛି ସହରର ସବୁଠାରୁ ବଡ଼ ଗୋଶାଳା। ଏଠାରେ ୧୦,୦୦୦ରୁ ଅଧିକ ଗୋରୁ ରହୁଛନ୍ତି। ଗୋଶାଳାରେ ପ୍ରତିଦିନ ସଂଗ୍ରହ ହେଉଥିବା ଗୋବରକୁ ଉପଯୋଗ କରିବା ପାଇଁ ୨୦୨୪ ଅକ୍ଟୋବରରେ ଦୈନିକ ୧୦୦ ଟନ୍ କ୍ଷମତାସମ୍ପନ୍ନ (TPD) କମ୍ପ୍ରେସ୍ଡ ବାୟୋଗ୍ୟାସ୍ (CBG) ପ୍ଲାଣ୍ଟର ଉଦ୍ଘାଟନ କରାଯାଇଥିଲା।ଏହି ଅତ୍ୟାଧୁନିକ CBG ପ୍ଲାଣ୍ଟ ଜରିଆରେ ଆଦର୍ଶ ଗୋଶାଳା ହୋଇପାରିଛି ଭାରତର ପ୍ରଥମ ଆଧୁନିକ ଓ ଆତ୍ମନିର୍ଭର ଗୋଶାଳା। ଏଠାରେ ଗୋବରକୁ କେବଳ ବର୍ଜ୍ୟ ନ ଭାବି ତାକୁ ସ୍ୱଚ୍ଛ ଶକ୍ତି ଉତ୍ପାଦନର ଏକ ମୂଲ୍ୟବାନ ସମ୍ପଦରେ ପରିଣତ କରାଯାଉଛି।

ଚିତ୍ର ୩:ମଧ୍ୟପ୍ରଦେଶ ଗ୍ବାଲିୟର ଲାଲଟିପଡ଼ାରେ ଥିବା ଗୋବର ଆଧାରିତ କଂପ୍ରେସ୍ଡ ବାୟୋ-ଗ୍ୟାସ (ସିବିଜି) ପ୍ରକଳ୍ପ
ଏହି ପ୍ଲାଣ୍ଟର ଡିଜାଇନ୍ କେବଳ ଗୋବର ପ୍ରକ୍ରିୟାକରଣରେ ସୀମିତ ନୁହେଁ। ଏହା ମଧ୍ୟପ୍ରଦେଶର ପ୍ରଥମ ଏଭଳି କମ୍ପ୍ରେସ୍ଡ ବାୟୋଗ୍ୟାସ୍ (CBG) ପ୍ଲାଣ୍ଟ, ଯେଉଁଠି ବଜାର ଓ ଲୋକଙ୍କ ଘରୁ ସଂଗ୍ରହ କରାଯାଉଥିବା ପନିପରିବା ଓ ଫଳ ବର୍ଜ୍ୟ ମଧ୍ୟ ପ୍ରକ୍ରିୟାକରଣ କରାଯାଉଛି। ୫ ଏକର ଜମିରେ ପ୍ରତିଷ୍ଠିତ ଏହି ୩୧ କୋଟି ଟଙ୍କାର ପ୍ରକଳ୍ପ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ର ସହଯୋଗରେ ବିକଶିତ ହୋଇଛି। ପ୍ରତିଦିନ ଏହି ପ୍ଲାଣ୍ଟରେ ୧୦୦ ଟନ୍ ଗୋବରକୁ ପ୍ରକ୍ରିୟାକରଣ କରି ପ୍ରାୟ ୨ ଟନ୍ କମ୍ପ୍ରେସ୍ଡ ବାୟୋଗ୍ୟାସ୍ ଉତ୍ପାଦନ କରାଯାଉଛି। ଏଥିସହ ପ୍ରତିଦିନ ୧୦ରୁ ୧୫ ଟନ୍ ଶୁଖିଲା ଜୈବିକ ଖତ (ବାୟୋ-ମ୍ୟାନ୍ୟୁର) ମଧ୍ୟ ଉତ୍ପାଦିତ ହେଉଛି। ଏହି ଖତକୁ ନିକଟସ୍ଥ ଜିଲ୍ଲାର ଚାଷୀମାନଙ୍କ ପାଇଁ ସୁଲଭ ମୂଲ୍ୟରେ ଉପଲବ୍ଧ କରାଯାଉଛି। ଫଳରେ ଚାଷୀମାନେ କମ୍ ଖର୍ଚ୍ଚରେ ଜୈବିକ ଖତ ପାଇବା ସହିତ ଜୈବିକ କୃଷିକୁ ମଧ୍ୟ ପ୍ରୋତ୍ସାହନ ମିଳୁଛି।
ଏହି ପ୍ରକଳ୍ପର ଲାଭ କେବଳ ଗୋଶାଳା ମଧ୍ୟରେ ସୀମିତ ନୁହେଁ। ଜୀବାଶ୍ମ ଇନ୍ଧନର ଏକ ଅଧିକ ସ୍ୱଚ୍ଛ ଓ ପରିବେଶ ଅନୁକୂଳ ବିକଳ୍ପ ଭାବେ କମ୍ପ୍ରେସ୍ଡ ବାୟୋଗ୍ୟାସ୍ (CBG) କାର୍ଯ୍ୟ କରୁଛି। ଗୋବରକୁ ଶକ୍ତିରେ ପରିଣତ କରିବା ଦ୍ୱାରା କାର୍ବନ୍ ନିର୍ଗମନ ହ୍ରାସ ପାଉଛି ଏବଂ ଜଳବାୟୁ ପରିବର୍ତ୍ତନର ପ୍ରଭାବ ହ୍ରାସ କରୁଛି। ଏହି ପ୍ରକଳ୍ପ ଦ୍ୱାରା ସ୍ଥାନୀୟ ସ୍ତରରେ ରୋଜଗାରର ସୁଯୋଗ ମଧ୍ୟ ସୃଷ୍ଟି ହୋଇଛି। ଏହା ମାଧ୍ୟମରେ ସବୁଜ ଶକ୍ତି ଓ ସ୍ଥାୟୀ ପଦ୍ଧତି ସମ୍ପର୍କିତ ଦକ୍ଷତାର ବିକାଶକୁ ପ୍ରୋତ୍ସାହନ ମିଳୁଥିବା ବେଳେ ସ୍ଥାନୀୟ ଅର୍ଥନୀତିକୁ ମଧ୍ୟ ଏହା ସୁଦୃଢ଼ କରୁଛି।
ଏହି CBG ପ୍ଲାଣ୍ଟ କେବଳ ଏକ ଶିଳ୍ପଭିତ୍ତିକ ପ୍ରତିଷ୍ଠାନ ନୁହେଁ। ଏହା ସମାଜ ଓ ସରକାର ମଧ୍ୟରେ ସହଯୋଗର ଏକ ଉଦାହରଣ। ବର୍ଜ୍ଯବସ୍ତୁକୁ କିପରି ଉପଯୋଗୀ ସମ୍ପଦରେ ପରିଣତ କରାଯାଇପାରେ, ତାହା ମଧ୍ୟ ଏହି ପ୍ରକଳ୍ପ ପ୍ରଦର୍ଶନ କରୁଛି।
ବୋୱେନପାଲ୍ଲୀ:ଗୋଟିଏ ପରିବା ମାର୍କେଟ କଣ କରିପାରିବ
ଚାରିଟି କାହାଣୀ ମଧ୍ୟରୁ ବୋୱେନପଲ୍ଲୀ ପନିପରିବା ବଜାରର କାହାଣୀ ଏକ ଅତ୍ୟନ୍ତ ଅଭିନବ ବର୍ଜ୍ୟ ପରିଚାଳନା ବ୍ୟବସ୍ଥାର ଉଦାହରଣ। ହାଇଦ୍ରାବାଦର ବୋୱେନପଲ୍ଲୀ ପନିପରିବା ବଜାରରୁ ପ୍ରତିଦିନ ପ୍ରାୟ ୧୦ ଟନ୍ ପଚାସଢ଼ା ଓ ନଷ୍ଟ ହୋଇଥିବା ପନିପରିବା ଓ ଫଳ ବର୍ଜ୍ୟ ସଂଗ୍ରହ କରାଯାଉଛି। ପୂର୍ବରୁ ଏହି ବର୍ଜ୍ୟକୁ ଲ୍ୟାଣ୍ଡଫିଲ୍କୁ ପଠାଯାଉଥିଲା। କିନ୍ତୁ ବଜାର ପରିସରରେ ଏକ ବାୟୋଗ୍ୟାସ୍ ପ୍ଲାଣ୍ଟ ସ୍ଥାପନ ହେବା ପରେ, ଏଠାରୁ ସଂଗ୍ରହ ହେଉଥିବା ପ୍ରାୟ ସମସ୍ତ ବର୍ଜ୍ୟକୁ ଉପଯୋଗ କରାଯାଉଛି। ଏହି ବର୍ଜ୍ୟରୁ ପ୍ରତିଦିନ ପ୍ରାୟ ୪୦୦ରୁ ୫୦୦ ୟୁନିଟ୍ ବିଦ୍ୟୁତ୍ ଏବଂ ୩୦ କିଲୋଗ୍ରାମ୍ ବାୟୋଫୁଏଲ୍ ଉତ୍ପାଦନ ହେଉଛି। ଏହି ବିଦ୍ୟୁତ୍କୁ ବଜାରର ଷ୍ଟ୍ରିଟ୍ ଲାଇଟ୍, ବିଭିନ୍ନ ଦୋକାନ ଓ ଷ୍ଟଲ୍, ପ୍ରଶାସନିକ କୋଠା ଏବଂ ଜଳ ଯୋଗାଣ ବ୍ୟବସ୍ଥା ଚଳାଇବାରେ ବ୍ୟବହାର କରାଯାଉଛି। ସେହିପରି ଉତ୍ପାଦିତ ଜୈବଇନ୍ଧନକୁ ବଜାରର ବାଣିଜ୍ୟିକ ରୋଷେଇ ଘରକୁ ଯୋଗାଇ ଦିଆଯାଉଛି। ଫଳରେ ଏହି ବ୍ୟବସ୍ଥା କେବଳ ବର୍ଜ୍ୟକୁ ଉପଯୋଗୀ ସମ୍ପଦରେ ପରିଣତ କରୁନାହିଁ, ବରଂ ବଜାର ପରିସରକୁ ପରିଷ୍କାର ରଖିବା ସହିତ ପ୍ରଦୂଷଣମୁକ୍ତ ପରିବେଶ ସୃଷ୍ଟିରେ ମଧ୍ୟ ସହାୟକ ହେଉଛି।

ଚିତ୍ର ୪: ବୋୱେନପଲ୍ଲୀ ପରିବା ମାର୍କେଟ ଓ ବୋୱେନପଲ୍ଲୀ ବାୟୋଗ୍ୟାସ ପ୍ରକଳ୍ପ, ହାଇଦ୍ରାବାଦ
ବାୟୋଗ୍ୟାସ୍ ପ୍ରକଳ୍ପ ଭିତରେ ପଚାସଢ଼ା ପନିପରିବାକୁ ପ୍ରଥମେ କାଟି, ଖଣ୍ଡ ଖଣ୍ଡ କରି ଏବଂ ପେଷି ଅର୍ଦ୍ଧତରଳ ପଦାର୍ଥରେ ପରିଣତ କରାଯାଏ। ଏହାକୁ ଅମ୍ଲଜାନହୀନ ବିଘଟନକୁ ପଠାଯାଏ। ସେଠାରେ ଅମ୍ଳଜାନର ଅନୁପସ୍ଥିତିରେ ଜୈବ ବର୍ଜ୍ୟର ବିଘଟନ ମାଧ୍ୟମରେ ବାୟୋଗ୍ୟାସ୍ ଉତ୍ପାଦିତ ହୁଏ। ଉତ୍ପାଦିତ ଗ୍ୟାସ୍କୁ ପରବର୍ତ୍ତୀ ବ୍ୟବହାର ପର୍ଯ୍ୟନ୍ତ ସ୍ବତନ୍ତ୍ର ବେଲୁନରେ ସଂରକ୍ଷଣ କରି ରଖାଯାଏ। ଏହି ପ୍ରକ୍ରିୟା ପରେ ବଳକା ରହିଯାଇଥିବା ସାମଗ୍ରୀରୁ ତରଳ ଜୈବ ଖତ ପ୍ରସ୍ତୁତ ହୁଏ। ଏହାକୁ ଚାଷୀମାନେ ଜମିରେ ସାର ଭାବେ ବ୍ୟବହାର କରୁଛନ୍ତି। ଏଥିସହ ବାୟୋଗ୍ୟାସ୍କୁ ଏକ ସ୍ୱତନ୍ତ୍ର ଟ୍ୟାଙ୍କରେ ସଂଗ୍ରହ କରି ପାଇପ୍ଲାଇନ୍ ବ୍ୟବସ୍ଥା ମାଧ୍ୟମରେ ରୋଷେଇ ପାଇଁ ଯୋଗାଇ ଦିଆଯାଉଛି। ଉତ୍ପାଦିତ ବାୟୋଫ୍ୟୁଏଲ୍କୁ ୧୦୦ ପ୍ରତିଶତ ବାୟୋଗ୍ୟାସ୍ରେ ଚାଲୁଥିବା ଜେନେରେଟରରେ ବ୍ୟବହାର କରାଯାଉଛି। ଏହି ଜେନେରେଟର ମାଧ୍ୟମରେ ଶୀତଳ ଭଣ୍ଡାର, ପାଣି ପମ୍ପ, ଦୋକାନ ଏବଂ ଷ୍ଟ୍ରିଟ୍ ଲାଇଟ୍ ପାଇଁ ଆବଶ୍ୟକ ବିଦ୍ୟୁତ୍ ଯୋଗାଣ କରାଯାଉଛି।
ଏହି ପ୍ଲାଣ୍ଟ ଦ୍ୱାରା ବଜାରର ବିଦ୍ୟୁତ୍ ବିଲ୍ ପ୍ରାୟ ଅଧାକୁ ହ୍ରାସ ପାଇଛି। ପୂର୍ବରୁ ବଜାରର ମାସିକ ହାରାହାରି ବିଦ୍ୟୁତ୍ ଖର୍ଚ୍ଚ ପ୍ରାୟ ୩ ଲକ୍ଷ ଟଙ୍କା ଥିଲା। ଏହି ପ୍ରକଳ୍ପର ସଫଳ ପ୍ରଭାବ ପରେ ଅନ୍ୟ ବଜାର ପରିସରରେ ଏଭଳି ଆଉ ପାଞ୍ଚଟି ବାୟୋଗ୍ୟାସ୍ ପ୍ଲାଣ୍ଟ ସ୍ଥାପନ ପାଇଁ ଅର୍ଥ ଯୋଗାଣ କରାଯାଇଛି। ଗୁଡିମାଲକାପୁର, ଗଡିଆନ୍ନାରାମ, ଏର୍ରାଗଡ୍ଡା, ଅଲୱାଲ ଏବଂ ସରୁରନଗରରେ ଏପରି ବାୟୋ ଗ୍ୟାସ୍ ପ୍ରକଳ୍ପ ସ୍ଥାପନ କରାଯିବ। ପ୍ରତ୍ୟେକ ବଜାରରେ ଉତ୍ପାଦିତ ହେଉଥିବା ବର୍ଜ୍ୟର ପରିମାଣକୁ ଆଧାର କରି ଏହି ପ୍ଲାଣ୍ଟଗୁଡ଼ିକର କ୍ଷମତା ନିର୍ଦ୍ଧାରଣ କରାଯାଇଛି।

ଚିତ୍ର ୫: ବୋୱେନପଲ୍ଲୀର ବାୟୋଗ୍ୟାସ ପ୍ରକଳ୍ପ
ଏହି ପ୍ରକଳ୍ପ ମାଧ୍ୟମରେ ବଜାରରେ ମହିଳାମାନଙ୍କ ପାଇଁ ନିୟମିତ ରୋଜଗାରର ସୁଯୋଗ ସୃଷ୍ଟି ହୋଇଛି। ସେମାନେ ବର୍ଜ୍ୟବସ୍ତୁକୁ ବିଭିନ୍ନ ପ୍ରକାରରେ ବଛାବଛି ଓ ପୃଥକୀକରଣ କରିବା, ଯନ୍ତ୍ରପାତି ପରିଚାଳନା କରିବା ସହିତ ପ୍ରଶାସନିକ ଦାୟିତ୍ୱ ମଧ୍ୟ ତୁଲାଉଛନ୍ତି। ଏହି ପ୍ରକଳ୍ପ ମହିଳା କର୍ମଚାରୀମାନଙ୍କୁ ନିୟମିତ ଆୟ ସହିତ ନୂଆ ଦକ୍ଷତା ବିକାଶର ସୁଯୋଗ ପ୍ରଦାନ କରୁଛି। ଫଳରେ ମହିଳାମାନେ ଆର୍ଥିକ ଭାବେ ଅଧିକ ସଶକ୍ତ ହେବା ସହିତ ବର୍ଜ୍ୟ ପରିଚାଳନା ଓ ସବୁଜ ଶକ୍ତି କ୍ଷେତ୍ରରେ ନୂଆ ଦକ୍ଷତା ହାସଲ କରୁଛନ୍ତି।
ଚିତ୍ର ୬ : ଋକ୍ମିଣୀ ଦେବାମ୍ମା, ବୋୱେନପଲ୍ଲୀ ପରିବା ବଜାରରେ କାମ କରୁଥିବା ଜଣେ ମହିଳା
ଋକ୍ମିଣୀ ଦେବାମ୍ମା ଏହି ବାୟୋଗ୍ୟାସ ପ୍ରକଳ୍ପ ସଂପର୍କରେ ଯାହା କହନ୍ତି: “ଯାହା ବାୟୋଗ୍ୟାସା ପ୍ରକଳ୍ପ ସ୍ଥାପନ ହେବା ଦିନରୁ ଆମ କାମ ପାଇଁ ଆମକୁ ଭଲ ପାରିଶ୍ରମିକ ମିଳୁଛି। କାମ କରିବା ବେଳେ ଯେଉଁ ସବୁ ସୁରକ୍ଷା ଉପକରଣ ଦରକାର ଯେମିତିକି ମାସ୍କ, ଜୋତା, ଗ୍ଲୋଭସ୍ ସବୁ କିଛି ଆମକୁ ଦିଆଯାଉଛି। କାମ କରିବାର ସୁରକ୍ଷିତ ପରିବେଶ ଯୋଗୁଁ ଆମ ସହିତ କାମ କରିବା ପାଇଁ ଅନ୍ୟମାନଙ୍କୁ ମଧ୍ୟ ଆମେ କହୁଛୁ ଓ ସେମାନଙ୍କୁ ପ୍ରୋତ୍ସାହିତ କରୁଛୁ। ”
ଏସବୁ କାହାଣୀକୁ କଣ ଏକାଠି ବାନ୍ଧି ରଖିଛି
ଏହି ଚାରିଟି ଯାକ କାହାଣୀରେ ବର୍ଜ୍ୟର ଉତ୍ସ ଭିନ୍ନ, କିନ୍ତୁ ଆଧାର ଏକ— ଅଳିଆ ଆବର୍ଜନା ଆଉ ଅଦରକାରୀ ନୁହେଁ କି କୌଣସି ସାମଗ୍ରୀ ଆଉ କିଛି କାମରେ ଲାଗିବ ନାହିଁ। ବର୍ଜ୍ୟ ପରିଚାଳନାକୁ ସମ୍ପଦ ପୁନରୁଦ୍ଧାର କେନ୍ଦ୍ର କରି ଯୋଜନାବଦ୍ଧ ଭାବେ କାର୍ଯ୍ୟକାରୀ କଲେ କ’ଣ ପରିବର୍ତ୍ତନ ଆସିପାରେ, ଏହି ସବୁ ଉଦାହରଣ ତାହା ଦର୍ଶାଉଛି।ସ୍ୱଚ୍ଛ ଭାରତ ମିଶନ ଅଧୀନରେ ଏହି ଆଭିମୁଖ୍ୟ ସହରୀ ବର୍ଜ୍ୟ ପରିଚାଳନା ଭିତ୍ତିଭୂମିର ଭୂମିକାକୁ କେବଳ ବର୍ଜ୍ୟ ସଂଗ୍ରହ ଓ ନିଷ୍କାସନ ମଧ୍ୟରେ ସୀମିତ ନରଖି, ବର୍ଜ୍ୟ ପ୍ରକ୍ରିୟାକରଣ, ଶକ୍ତି ଉତ୍ପାଦନ ଏବଂ ଉପ-ଉତ୍ପାଦର ଉପଯୋଗ ଦିଗରେ କାମ କରୁଛି। ଗୋବର, ରୋଷେଇ ଘରର ଜୈବ ବର୍ଜ୍ୟ, ଚାଷ କାମରୁ ବାହାରୁଥିବା ନଡ଼ାକୁଟା, ନଷ୍ଟ ହୋଇଥିବା ପଚାସଢ଼ା ଓ ଫିଙ୍ଗି ଦିଆଯାଉଥିବା ପନିପରିବାକୁ ଏବେ ଇନ୍ଧନ, ବିଦ୍ୟୁତ୍ ଏବଂ ଜୈବ ସାରରେ ପରିଣତ କରାଯାଉଛି। ଭାରତର ବିଭିନ୍ନ ସହର, କ୍ୟାମ୍ପସ୍, ଗୋଶାଳା ଏବଂ ବଜାରରେ ଏଭଳି ପଦକ୍ଷେପ ବ୍ୟାପକ ଭାବେ କାର୍ଯ୍ୟକାରୀ ହେଲେ, ଏହା କେବଳ ଗୋଟିଏ ଦୁଇଟି ପ୍ରକଳ୍ପ ମଧ୍ୟରେ ସୀମିତ ରହିବ ନାହିଁ।ସ୍ୱଚ୍ଛ ଶକ୍ତି ଉତ୍ପାଦନଠାରୁ ଆରମ୍ଭ କରି ଜୈବିକ ପଦ୍ଧତିର ପ୍ରୋତ୍ସାହନ ପର୍ଯ୍ୟନ୍ତ, ଏହି ସବୁ ପଦକ୍ଷେପ ସହରୀ ଭାରତ ପାଇଁ ଏକ ବ୍ୟାପକ ଓ ବିସ୍ତାରଯୋଗ୍ୟ ଉପାୟର ସମ୍ଭାବନା ପ୍ରଦର୍ଶିତ କରୁଛି ଯେଉଁଠି ବୈଜ୍ଞାନିକ ପଦ୍ଧତିରେ ବର୍ଜ୍ୟ ପରିଚାଳନା, ସ୍ଥାନୀୟ ଲୋକଙ୍କ ଅଂଶଗ୍ରହଣ ଏବଂ ଦୂରଦର୍ଶୀ ନୀତି ମିଳିତ ଭାବେ ଅଧିକ ପରିଷ୍କାର, ସବୁଜ ଓ ଆତ୍ମନିର୍ଭର ସହର ଗଠନର ପଥ ପ୍ରଦର୍ଶନ କରିପାରିବ।
ସନ୍ଦର୍ଭ
ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ
ପତ୍ରସୂଚନା ଗବେଷଣା
BSP
(Features ID: 160379)
आगंतुक पटल : 67
Provide suggestions / comments