• Skip to Content
  • Sitemap
  • Advance Search
Infrastructure

ଭାରତର ପୋଲ : କଠିନ ପରିସ୍ଥିତି ଉପରେ ସ୍ଥାପତ୍ୟର ବିଜୟ

Posted On: 20 DEC 2025 1:10PM

ଅଙ୍କାବଙ୍କା ହୋଇ ବହିଯାଇଥିବା ନଦୀ, ଗଭୀର ଖାତ ଓ ଗୁରୁ ଗର୍ଜନ କରୁଥିବା ସମୁଦ୍ର ଉପରେ ନିର୍ମିତ ହୋଇଥିବା ପୋଲଗୁଡ଼ିକ ହେଉଛନ୍ତି ଇଂଜିନିୟରିଂ କ୍ଷେତ୍ରରେ ଭାରତର ବିଶାଳ ଲକ୍ଷ୍ୟର ମୂକସାକ୍ଷୀ। ଭୌଗୋଳିକ ସ୍ଥିତି ଯୋଗୁଁ ଯେତେବେଳେ ଦୂରତା ରହେ, ଏହି ସବୁ ପୋଲ କେବଳ ସହର ଓ ବିଭିନ୍ନ ଅଞ୍ଚଳକୁ ସଂଯୋଗ କରନ୍ତି ନାହିଁ, ବରଂ ଲୋକଙ୍କ ସହିତ ଲୋକଙ୍କୁ, ସଂସ୍କୃତିକୁ ଓ ଅର୍ଥନୀତିକୁ ଯୋଡ଼ିଥାନ୍ତି। ସାରା ଭାରତରେ ଏହି ସବୁ ପୋଲ ଯେପରି ଭାବେ ଆମର ଦୈନନ୍ଦିନ ଜୀବନକୁ ସମ୍ଭାଳିଥାନ୍ତି, ସେସବୁ ପ୍ରତି ଆମମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ ଧ୍ୟାନ ଦିଅନ୍ତି ନାହିଁ। ଆଗରୁ ଯେଉଁ ସବୁ ଜାଗାକୁ ଯିବା ପାଇଁ ଦିନ ଦିନ ଲାଗି ଯାଉଥିଲା, ସେସବୁ ଜାଗାକୁ ଏବେ ଅତି ସହଜରେ ଯାଇ ହେଉଛି। ଦୂରଦୂରାନ୍ତରରେ ରହୁଥିବା ସଂପର୍କୀୟମାନଙ୍କ ପାଖରେ ପହଞ୍ଚିବାରେ ଓ ପ୍ରକୃତିର ସବୁଠୁ ଉଗ୍ର ରୂପକୁ ସାମନା କରିଥାଏ ଏହି ସବୁ ପୋଲ। ସାରା ଦେଶରେ ଥିବା ଅସଂଖ୍ୟ ପୋଲ ମଧ୍ୟରୁ ନିଜର ଆକାର, ବିଶାଳତା ଓ ଭିତ୍ତିଭୂମି ଦୃଷ୍ଟିରୁ କେତେକ ପୋଲର ସ୍ୱତନ୍ତ୍ର ପରିଚିତି ଅଛି। ଏହି ସବୁ ପୋଲ ମଧ୍ୟରୁ କେତେକ ପୋଲ ବଖାଣଥାନ୍ତି ନିଜର ଦୁଃସାହସିକ ଡିଜାଇନ ତଥା ପ୍ରତିକୂଳ ପାଣିପାଗ ଓ କଠିନ ଭୌଗୋଳିକ ସ୍ଥିତି ଉପରେ ବିଜୟୀ ହୋଇଥବା ମାନବିକ ସଂକଳ୍ପର କାହାଣୀ।  

ଭାରତର ଗମନାଗମନକୁ ବ୍ୟାଖ୍ୟା କରୁଥିବା କେତେକ ପୋଲ

ଅଟଳ ବିହାରୀ ବାଜପେୟୀ ସେବରି-ନହାଓ୍ୱା ସେବା ଅଟଳ ସେତୁ

ଆରବ ସାଗର ଉପରେ ନିର୍ମିତ ହୋଇଥିବା ଅଟଳ ସେତୁ ମୁମ୍ୱାଇ ମହାନଗରର କାନଭାସ୍‌ ଉପରେ ଅଙ୍କା ଯାଇଥିବା ଏକ ଗାଢ଼ ରେଖା ପରି ଶୋଭା ପାଉଛି। ଏହାକୁ ମୁମ୍ୱାଇ ଟ୍ରାନ୍ସ ହାର୍ବର୍ ଲିଙ୍କ୍ (ଏମ୍‌ଟିଏଚ୍‌ଏଲ୍‌) ମଧ୍ୟ କୁହାଯାଏ। ମୁମ୍ୱାଇରେ ଭିଡ଼ ହ୍ରାସ କରିବା ପାଇଁ ଓ ଯିବା ଆସିବା ସମୟକୁ କମ୍ କରିବାର ଏକ ପ୍ରମୁଖ ପଦକ୍ଷେପ ହେଉଛି ଏହି ଅଟଳ ସେତୁ।  ମୁମ୍ୱାଇର ଦ୍ୱୀପ ପରି ସହରରେ ଟ୍ରାଫିକ୍ ଜାମ୍ କୁ ହ୍ରାସ କରିବା ପାଇଁ ଏହି ସେତୁ ନିର୍ମାଣ କରାଯାଇଛି। ଆଧୁନିକ ନିର୍ମାଣ ଓ ସୁରକ୍ଷା ପଦ୍ଧତି ବ୍ୟବହାର ନିର୍ମିତ ହୋଇଥିବା ଏହି ସେତୁ ଉପସାଗରର ଏପଟରୁ ସେପଟକୁ ଦ୍ରୁତ ଗତିରେ ଗମନାଗମନ କରିବାର ସୁରକ୍ଷିତ ଉପାୟ ପ୍ରଦାନ କରିଥାଏ। ଏହା ଦ୍ୱାରା ଦୁର୍ଘଟଣା ହେବାର ଆଶଙ୍କା ହ୍ରାସ ପାଇବା ସହିତ ନିତି ଦିନିଆ ଯାତ୍ରାରେ ସୁଖଦ ଅନୁଭୂତି ପ୍ରଦାନ କରିଥାଏ। କିନ୍ତୁ ଏହାର ପ୍ରଭାବ କେବଳ ପରିବହନରେ ସୀମିତ ରହିନାହିଁ। ଏମ୍‌ଟିଏଚ୍‌ଏଲ୍‌ ମୁମ୍ୱାଇ ଓ ଏହାର ଆଖପାଖ ଅଞ୍ଚଳର ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବାରେ ମଧ୍ୟ ବେଶ୍ ସହାୟକ ହୋଇଛି।  ବାଣିଜ୍ୟ ବ୍ୟବସାୟ ଓ ଉଦ୍ୟୋଗ ପାଇଁ ପରିବହନ ଓ ଗମନାଗମନ ବୃଦ୍ଧି କରି ସ୍ଥାନୀୟ ଅର୍ଥନୀତିର ବିକାଶରେ ମଧ୍ୟ ଏହାର ବହୁତ ଅବଦାନ ରହିଛି। ଏହି ସେତୁ ସମୁଦ୍ର ଉପରେ ୧୬.୫ କିଲୋମିଟର ଓ ମାଟିରେ ୫.୫ କିମି ପରିବ୍ୟାପ୍ତ ରହିଛି। ଏହି ପ୍ରକଳ୍ପ ପାଇଁ ୧୭୮୪୩ କୋଟି ଟଙ୍କା ମଂଜୁର କରାଯାଇଥିଲା।  ଏହି ଅଟଳ ସେତୁ ହେଉଛି ସମୁଦ୍ର ଉପରେ ଭାରତର ସବୁଠୁ ଦୀର୍ଘତମ ସେତୁ। କୋଭିଡ ୧୯ ମହାମାରୀ ଯୋଗୁଁ ଅନେକ ବଡ଼ ବଡ଼ ସମସ୍ୟାର ସମ୍ମୁଖୀନ ହେବା ସତ୍ତ୍ୱେ ଏହି ପ୍ରକଳ୍ପର କାମ ଠିକ୍ ଭାବେ ଚାଲିଥିଲା ଏବଂ ନିର୍ଦ୍ଧାରିତ ସମୟରେ ସଂପୂର୍ଣ୍ଣ ହୋଇଥିଲା।

 

ଚେନାବ ସେତୁ

ଚେନାବ ସେତୁ ହେଉଛି ଭାରତର ଇଂଜିନିୟରିଂ ଦକ୍ଷତା ଏକ ନୂଆ ଶୀର୍ଷ ମାନକ। ଏହା ହେଉଛି ବିଶ୍ୱର ସବୁଠୁ ଉଚ୍ଚତମ ଅର୍ଦ୍ଧଗୋଲାକାର ରେଳ ସେତୁ। ଏହି ପ୍ରକଳ୍ପ ନିର୍ମାଣ ସମୟରେ ଅନେକ ବାଧାବିଘ୍ନର ସାମନା କରିବାକୁ ପଡ଼ିଥିଲା। ଦୁର୍ଗମ ଅଞ୍ଚଳ, ଅତ୍ୟନ୍ତ ପ୍ରତିକୂଳ ପାଣିପାଗ ଓ ଚାରିଆଡ଼େ ଥିବା ପର୍ବତମାଳାରୁ ଖସୁଥିବା ପଥର ନିର୍ମାଣ କାମକୁ ବହୁତ କଠିନ  କରିଦେଇଥିଲା। ଲକ୍ଷ ଲକ୍ଷ ଲୋକ ଆଇଫିଲ୍ ଟାଓ୍ୱାର ଦେଖିବାକୁ ପ୍ୟାରିସ ଯାଆନ୍ତି। କିନ୍ତୁ ଚେନାବ ସେତୁ ସେହି ଆଇଫିଲ୍ ଟାଓ୍ୱାରଠାରୁ ମଧ୍ୟ ୩୫ ମିଟର ଉଚ୍ଚ ଅଟେ। ଏହା କେବଳ ଗମନାଗମନର ଏକ ଭିତ୍ତିଭୂମି ନୁହେଁ, ବରଂ ଏହା ଏକ ଉଦୀୟମାନ ପର୍ଯ୍ୟଟନସ୍ଥଳୀ ହେବାକୁ ଯାଉଛି। ଚେନାବ ନଦୀର ୩୫୯ ମିଟର ଉପରେ ନିର୍ମିତ ହୋଇଥିବା ଏହି ସେତୁ ଉଦ୍ଧମପୁର-ଶ୍ରୀନଗର-ବାରାମୁଲା ରେଲଓ୍ୱେ ଲିଙ୍କ୍ (ୟୁଏସ୍‌ବିଆର୍‌ଏସଏଲ୍‌)ର ଏକ ବହୁତ ଗୁରୁତ୍ୱପୂର୍ଣ୍ଣ ଅଂଶ ଅଟେ। ଏହି ରେଳ ପଥ ଉପରେ ବନ୍ଦେ ଭାରତ ଟ୍ରେନ ଚଳାଚଳ ଆରମ୍ଭ ହେବାର ଅଛି। ଏହା ଦ୍ୱାରା ଶ୍ରୀନଗର ଓ କଟାରା ମଧ୍ୟରେ ଯାତ୍ରା ସମୟ ହ୍ରାସ ପାଇ ଏହା ମାତ୍ର ୩ ଘଣ୍ଟା ହୋଇଯିବ। ୧୩୧୫ ମିଟର ଦୈଘ୍ୟ ବିଶିଷ୍ଟ ଇସ୍ପାତର ଏହି ଅର୍ଦ୍ଧଗୋଲାକାର ଢାଞ୍ଚା ଘଣ୍ଟା ପ୍ରତି ୨୬୦ କିମି ବେଗରେ ବହୁଥିବା ପବନକୁ ସମ୍ଭାଳି ପାରିବ। ଏହି ସେତୁର ଅବଧି ୧୨୦ ବର୍ଷ । ମୋଟ ୧୪୮୬ କୋଟି ଟଙ୍କାରେ ନିର୍ମିତ ହୋଇଥିବା ଏହି ସେତୁ ହେଉଛି ଭାରତର ଉଚ୍ଚାଭିଳାଷ, ବୈଷୟିକ ନିପୁଣତା ଓ ଉନ୍ନତ ଭିତ୍ତିଭୂମି କ୍ଷମତାର ପ୍ରତୀକ।     

ନୂଆ ପମ୍ୱନ ସେତୁ

ରାମେଶ୍ୱରମ୍‌କୁ ଦେଶର ମୂଳ ଭୂଖଣ୍ଡ ସହିତ ଯୋଡୁଥିବା  ନୂଆ ପମ୍ୱନ ସେତୁ ହେଉଛି ଭାରତର ପ୍ରଥମ ଭର୍ଟିକାଲ ଲିଫ୍‌ଟ ରେଳଓ୍ୱେ ସାମୁଦ୍ରିକ ସେତୁ। ଏହା ହେଉଛି ବିଶ୍ୱ ମାନଚିତ୍ରରେ ଆଧୁନିକ ଭାରତୀୟ ଭିତ୍ତିଭୂମିର ଏକ ପ୍ରମୁଖ ଉଦାହରଣ। ୭୦୦ କୋଟିରୁ ଅଧିକ ଟଙ୍କାରେ ନିର୍ମିତ ହୋଇଥିବା ଏହି ୨.୦୭ କିମିର ସେତୁରେ ୭୨.୫ ମିଟରର ଏକ ଭର୍ଟିକାଲ ଲିଫ୍‌ଟ ସେକ୍ସନ ରହିଛି। ଏହା ଲିଫ୍‌ଟ ୧୭ ମିଟର ପର୍ଯ୍ୟନ୍ତ ଉପରକୁ ଉଠିପାରେ। ଫଳରେ ଟ୍ରେନର ଚଳାଚଳ ବାଧାପ୍ରାପ୍ତ ନ ହୋଇ ସୁରକ୍ଷିତ ଭାବେ ଜାହାଜ ଚଳାଚଳ କରିପାରିବ। ନୂଆ ପମ୍ୱନ ସେତୁ ନିର୍ମାଣ ସମୟରେ ପାଣିପାଗ ସଂପର୍କିତ ଓ ଲଜିଷ୍ଟିକ୍‌ ସଂପର୍କିତ ଅନେକ ବଡ଼ ବଡ଼ ପ୍ରତିବନ୍ଧକର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଦ୍ରୁତ ଗତିରେ ଆସୁଥିବା ବଡ଼ ବଡ଼ ସାମୁଦ୍ରିକ ଜୁଆର, ଜୋର୍ ପବନ, ବାତ୍ୟା ଓ ଭୂମିକମ୍ପ ପରି ପ୍ରତିବନ୍ଧକ ଥିଲା। ଏହା ସହିତ ଜୁଆର ଭଟ୍ଟାର ସୀମିତ  ସମୟ ମଧ୍ୟରେ ନିର୍ମାଣ ପର୍ଯ୍ୟନ୍ତ ବଡ଼ ବଡ଼ ଓଜନିଆ ସାମଗ୍ରୀ ନେବା ଆଣିବା ମଧ୍ୟ ବହୁତ ମୁସ୍କିଲ ଥିଲା। ଅଭିନବ ଇଂଜିନିୟରିଂ ଓ ଉନ୍ନତ ବୈଷୟିକ ଜ୍ଞାନ କୌଶଳ ଜରିରେ ୧୪୦୦ ଟନରୁ ଅଧିକ ଫେବ୍ରିକେସନ, ଲିଫ୍‌ଟ-ପେନ୍ ଲଞ୍ଚ, ୯୯ ଗର୍ଡର୍ସ ଓ ସମୁଦ୍ରରେ ବ୍ୟାପକ ଟ୍ରାକ ଓ ବିଦ୍ୟୁତକରଣର କାମ କାହାକୁ ଆଘାତ ନ ଦେଇ କରାଯାଇଛି। ଏଥିରେ କଳଙ୍କିବିହୀନ, ଉଚ୍ଚ ମାନର ସୁରକ୍ଷାତ୍ମକ ପ୍ରଳେପ ଦେଇ ଓ ପୁରା ଢାଞ୍ଜାକୁ ଓ୍ୱେଲଡିଂ କରି ନିର୍ମିତ କରାଯାଇଛି। ଏହି ସେତୁର ରକ୍ଷଣାବେକ୍ଷଣରେ ବିଶେଷ ଖର୍ଚ୍ଚ ହେବ ନାହିଁ ଏବଂ ଏହା ଦୀର୍ଘସ୍ଥାୟୀ ଅଟେ। ଏହା ବହୁତ ଦିନ ଧରି ଚାଲିବ। ଭବିଷ୍ୟତକୁ ଆଖି ଆଗରେ ରଖି ଏଥିରେ ଯେମିତି ଆଉ ଏକ ଟ୍ରେନ୍ ଲାଇନ ପଡ଼ି ପାରିବ, ସେଥିପାଇଁ ଜାଗା ରଖାଯାଇଛି । ଚ୍ୟାଲେଞ୍ଜପୂର୍ଣ୍ଣ ସମୁଦ୍ରକୂଳିଆ ପରିସ୍ଥିତିକୁ ଦେଖି ଏହା ଏପରେ ଏକ ସ୍ୱତନ୍ତ୍ର ପ୍ରକାରର ପଲିସିଲୋକ୍ସନ୍ ପ୍ରଳେପ ଦିଆଯାଇଛି। ଫଳରେ ଏହି ସେତୁରେ କଳଙ୍କି ଲାଗିବ ନାହିଁ। ସମୁଦ୍ରକୂଳିଆ ପାଣିପାଗକୁ ଦେଖି ସୁରକ୍ଷାର ଏହି ଉପାୟ ଏକ ଜରୁରୀ ଆବଶ୍ୟକ ପଦକ୍ଷେପ ଥିଲା।

 

ଧୋଲା-ସାଦିଆ ସେତୁ

ଭୂପେନ ହଜାରିକା ସେତୁ ନାଁରେ ବେଶ୍ ପରିଚିତ ଧୋଲା ସାଦିଆ ସେତୁ ହେଉଛି ଆସାମ ଓ ଅରୁଣାଚଳ ପ୍ରଦେଶ ମଧ୍ୟରେ ଯୋଗାଯୋଗର ଏକ ବହୁତ ମହତ୍ତ୍ୱପୂର୍ଣ୍ଣ ମାଧ୍ୟମ। ଏହା ହେଉଛି ଉତ୍ତର ଆସାମ ଓ ପୂର୍ବ ଅରୁଣାଚଳ ମଧ୍ୟରେ ପ୍ରଥମ ପକ୍କା ସଡ଼କର ମାଧ୍ୟମ। ବିମ୍ ବ୍ରିଜ ଭାବେ  ନିର୍ମିତ ହୋଇଥିବା ଏହି ସେତୁ ବ୍ରହ୍ମପୁତ୍ର ନଦୀର ପ୍ରମୁଖ ଉପନଦୀ ଲୋହିତ ନଦୀ ଉପରେ ଯାଇଛି। ତିନ୍ ସୁକିଆ ଜିଲ୍ଲାର ଧୋଲା ସହିତ ଉତ୍ତରର ସୋଦିଆକୁ ଯୋଡ଼ିଥାଏ ଏହି ପୋଲ। ୯.୧୫ କିମି ଦୈର୍ଘ୍ୟର ଏହି ସେତୁ ୬୦ ଟନ୍ ର ମିଲିଟାରି ଟ୍ୟାଙ୍କ ର ଓଜନ ସମ୍ଭାଳି ପାରିବ ବୋଲି ନିର୍ମିତ କରାଯାଇଛି। ଏହି ପ୍ରକାରର ଟ୍ୟାଙ୍କ ମଧ୍ୟରେ ରହିଛି ଅର୍ଜୁନ ଓ ଟି – ୭୨ ମଡେଲ। ଭୂପେନ ହଜାରିକା ସେତୁର ଏହି ସ୍ୱତନ୍ତ୍ରତା ଭିତ୍ତିଭୂମି କ୍ଷେତ୍ରରେ ସାମରିକ ମହତ୍ତ୍ୱକୁ ମଧ୍ୟ ଯୋଡ଼ିଥାଏ।    

 

ଅଂଜି ଖଡ୍ଡ ସେତୁ

ଅଂଜି ଖଡ୍ଡ ସେତୁ ନିଜର ସୌନ୍ଦର୍ଯ୍ୟ ଓ ବିଶାଳ ଆକାର ସହିତ ହିମାଳୟର ଦୃଶ୍ୟପଟକୁ ବହୁଗୁଣିତ କରି ଦେଇଥାଏ। ଏହା ହେଉଛି ଭାରତର ପ୍ରଥମ କେବୁଲ-ଆଧାରିତ ରେଳ ସେତୁଉଦ୍ଧମପୁର-ଶ୍ରୀନଗର-ବାରାମୁଲା ରେଳ ଲାଇନର କଟାରା-ବନିହାଲ ସେକ୍ସନର ଏହା ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଜମ୍ମୁରୁ ପ୍ରାୟ ୮୦ କିଲୋମିଟର ଦୂର ଓ ବରଫରେ ଘୋଡ଼େଇ ହୋଇଥିବା ଗିରିଶୃଙ୍ଗ ମଧ୍ୟରେ ର୍ନିର୍ମିତ ହୋଇଥିବା ଏହି ସେତୁ ଅଂଜି ନଦୀଘାଟିର ୩୩୧ ମିଟର  ଉପରେ ଅଛି। ଏହାର ଦୈର୍ଘ୍ୟ ହେଉଛି ୭୨୫ ମିଟର। ଏହାର ସବୁଠୁ ଖାସ୍ କଥା ହେଉଛି ଏହାର ଓଲଟା ଓ୍ୱାଇ ପରି ସ୍ତମ୍ଭ। ନିଜର ମୂଳଦୁଆରୁ ଏହା ୧୯୩ ମିଟର ଉଚ୍ଚ ପର୍ଯ୍ୟନ୍ତ ଉଠିଛି। ଏଥିରେ ୯୬ଟି କେବୁଲ ରହିଛି। ୮୨୦୦ଟନରୁ ଅଧିକ ଓଜନର ଇସ୍ପାତ ଢାଞ୍ଚା ସେତୁକୁ ମଜଭୁତ କରି ରଖିଛି। ଫଳରେ ଏହା ଭୂମିକମ୍ପକୁ ମଧ୍ୟ ସମ୍ଭାଳି ପାରେ। ଅଂଜି ଖଡ୍ଡ ସେତୁ ହିମାଳୟର ବହୁତ କଠିନ ପରିସ୍ଥିତି ମଧ୍ୟରେ ନିର୍ମିତ କରାଯାଇଛି। ଏଠାକାର ଚୂନ ପଥରର ଚଟାଣ ଓ ବଡ଼ ବଡ଼ ଚୂନ ପଥରର ବୋଲଡର୍ ସହିତ ପାହାଡ଼ିଆ ଢାଲୁର ଅବଶିଷ୍ଟାଂଶ ଥିଲା। ପାହାଡ଼ର ପରିସ୍ଥିତିକୁ ରକ୍ଷା କରିବା ପାଇଁ ପୁରା ନିର୍ମାଣ ସମୟରେ ବ୍ୟାପକ ଭାବେ ଢାଲୁ ସ୍ଥିରତାର ଉପାୟ କରାଯାଇଥିଲା। ନିଜର ଟେକ୍ନୋଲଜି ସୂକ୍ଷ୍ମତା ସହିତ ଅଂଜି ଖଡ୍‌ଡ ସେତୁର ନିର୍ମାଣ ମାତ୍ର ୧୧ ମାସ ମଧ୍ୟରେ ଶେଷ କରାଯାଇଥିଲା ଯାହାକି ଅଧ୍ୟବସାୟ ଓ ନିଷ୍ଠାର ପ୍ରତୀକ ପାଲଟି ଯାଇଛି। କାଶ୍ମୀର ଉପତ୍ୟକାକୁ ଦେଶର ଅନ୍ୟ ଅଞ୍ଚଳ ସହିତ ଯୋଡ଼ିବାରେ ଏହା ହେଉଛି ସବୁଠୁ ବଡ଼ ରେଳ ନେଟଓ୍ୱର୍କ ଯାହାକି ଯାତ୍ରାକୁ ଆହୁରି ସହଜ କରି ଦେଇଛି, ଆଞ୍ଚଳିକ ଗମନାଗମନକୁ ପ୍ରୋତ୍ସାହିତ କରିବ ଓ ଆର୍ଥିକ କାରବାରର ନୂଆ ସୁଯୋଗ ସୃଷ୍ଟି କରିବ।       

 

ଶେଷ କଥା

ଭାରତର ଏହି ସବୁ ପ୍ରମୁଖ ପୋଲର ମହତ୍ତ୍ୱ କେବଳ ଭିତ୍ତିଭୂମି ଅପେକ୍ଷା କାହିଁ କେତେ ଅଧିକ। ଏସବୁ ସେତୁ କହିଥାନ୍ତି ସେହି ଉଦ୍ଦେଶ୍ୟର କାହାଣୀ ଯାହା ବିବିଧତାର ଏତେ ବଡ଼ ଦେଶକୁ ଯୋଡ଼ି କରି ରଖିଛି। ଏହା ପାହାଡ଼ ପର୍ବତ, ମୌସୁମୀର ମେଘମାଳା ଓ ଏହି ଉପମହାଦେଶର ସବୁଠୁ ଅଶାନ୍ତ  ପାଣିର ଲହରି ଦେଇ ଅତିକ୍ରମ କରିଥାଏ। ଏହି ବିଶାଳ ଭୂଖଣ୍ଡର ପ୍ରତ୍ୟେକ କୋଣ ଅନୁକୋଣର ଅଲଗା ଅଲଗା ସେତୁ ଭାରତର ଅଧ୍ୟବସାୟ ଓ ଦୃଢ଼ ସଂକଳ୍ପକୁ ପ୍ରଦର୍ଶିତ କରିଥାନ୍ତି। ଆସାମରେ ଶକ୍ତିଶାଳୀ ବ୍ରହ୍ମପୁତ୍ର ନଦୀ ଉପରେ ନିର୍ମିତ ବୋଗିବିଲ ସେତୁ ଓ ନୂଆ ସରାଇଘାଟସେତୁ ଗମନାଗମନ ବୃଦ୍ଧି କରିବା ପାଇଁ ସଡ଼କ ଓ ରେଳ – ଉଭୟର ସୁବିଧା ପ୍ରଦାନ କରିଥାଏ। ସେହିପରି ବିହାରରେ ଦୀଘା-ସୋନପୁର ସେତୁ ମଜଭୁତ ରେଳ ଓ ସଡ଼କ ଡିଜାଇନ ଜରିଆରେ ଗଙ୍ଗା ନଦୀ ଉପରେ ଗମନାଗମନକୁ ସହଜ କରିଛି। ଏଥିରେ ଲୁଚି ରହିଛି ନବପ୍ରବର୍ତ୍ତନ, ପରିଶ୍ରମ, ଅଧ୍ୟବସାୟ ଓ କଠିନ ସ୍ଥାନର କାହାଣୀ ଯାହାକୁ ଜିତିବା ପାଇଁ ସାହସ ଆସିଲା। ସେମାନେ ଅର୍ଥବ୍ୟବସ୍ଥାକୁ ନୂଆ ଆକାର ପ୍ରଦାନ କରିଛନ୍ତି, ସେମାନେ ନୂଆ ନକ୍ସା ପ୍ରସ୍ତୁତ କରିଛନ୍ତି ଓ ଲୋକଙ୍କର ଚଳିବାର, ରହିବାର ଓ ସ୍ୱପ୍ନ ଦେଖିବାର ଉପାୟକୁ ପରିବର୍ତ୍ତନ କରନ୍ତି। ପ୍ରତ୍ୟେକ ନୂଆ ପୋଲ କେବଳ ଇଂଜିନିୟରିଂର ପ୍ରଗତିକୁ ଦେଖାଇ ନ ଥାଏ ବରଂ ସଂପୃକ୍ତ ଅଞ୍ଚଳ, ସମୟ ଓ ଇତିହାସର ସୀମାକୁ ଆଗକୁ ନେବା ପାଇଁ ଦେଶର ଆଗ୍ରହକୁ ମଧ୍ୟ ପ୍ରଦର୍ଶିତ କରିଥାଏ। ଭାରତ ଯେତେ ଯେତେ ଆଗକୁ ବଢୁଛି, ନିଜର ରାସ୍ତା ତିଆରି କରି ଏକ ଗତିଶୀଳ ଦେଶ ଭାବେ ଯେମିତି ସ୍ପଷ୍ଟ ସବୁବେଳେ ଆଗକୁ ବଢ଼ି ଚାଲିଛି ତାର ପ୍ରତିଫଳନ ଦେଖିବାକୁ ମିଳିଥାଏ ଦେଶର ଏହି ସବୁ ପ୍ରମୁଖ ସେତୁରେ।  …

 

रेल मंत्रालय

https://www.pib.gov.in/PressReleasePage.aspx?PRID=2118895

https://www.pib.gov.in/PressReleasePage.aspx?PRID=2119836

https://www.pib.gov.in/PressReleasePage.aspx?PRID=2153252&reg=3&lang=2

 

सड़क परिवहन और राजमार्ग मंत्रालय

https://www.pib.gov.in/PressReleaseIframePage.aspx?PRID=1990763&reg=3&lang=2

 

प्रधानमंत्री कार्यालय

https://www.pib.gov.in/PressReleaseIframePage.aspx?PRID=1995649

https://www.pib.gov.in/PressReleasePage.aspx?PRID=2134513

https://www.pib.gov.in/PressReleasePage.aspx?PRID=2118700

 

पत्र सूचना कार्यालय

https://www.pib.gov.in/PressNoteDetails.aspx?NoteId=154553&ModuleId=3

 

अन्य लिंक

https://mmrda.maharashtra.gov.in/en/projects/transport/mumbai-trans-harbour-link/overview

https://tinsukia.assam.gov.in/tourist-place-detail/275

https://dibrugarh.assam.gov.in/tourist-place-detail/276

https://morth.nic.in/sites/default/files/PragatiKiNayiGati/assam/files/assets/common/downloads/MAKING%20ASSAM%20ACCESSIBLE.pdf

https://www.iricen.gov.in/iricen/ipwe_seminar/2017/Nov%202023%20Vol-2/Construction%20of%20Central%20Embankment.pdf

 

***************

 

(Features ID: 156640) आगंतुक पटल : 7
Provide suggestions / comments
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Bengali , Kannada , Malayalam
Link mygov.in
National Portal Of India
STQC Certificate