Economy

ଜି.ଇ.ଏମ - ସ୍ୱଚ୍ଛତା ଓ ସମାବେଶିତାର ଡିଜିଟାଲ୍ ରତ୍ନ

Posted On: 12 AUG 2026 10:33AM

ଶ୍ରୀ ପୀୟୁଷ ଗୋୟଲ

 

ସରକାରୀ ଇ ମାର୍କେଟପ୍ଲେସ୍ (ଜି.ଇ.ଏମ) ସାର୍ବଜନୀନ କ୍ରୟ ନିମନ୍ତେ ଏକ ସ୍ୱଚ୍ଛ, ସମାବେଶୀ ଏବଂ ସକ୍ରିୟ ମଞ୍ଚ ପ୍ରଦାନ କରିବାରେ ଏକ ବିଶ୍ୱସ୍ତରୀୟ ଅଗ୍ରଣୀ ପ୍ଲାଟଫର୍ମ ଭାବରେ ଉଭା ହୋଇଛି, ଯାହା ୧.୩୭ ଲକ୍ଷ ସରକାରୀ କ୍ରେତାଙ୍କୁ ୨୫ ଲକ୍ଷ ବିକ୍ରେତା ଏବଂ ସେବା ପ୍ରଦାନକାରୀଙ୍କ ସହିତ ସଂଯୋଗ କରିଛି ।

ସରକାରୀ ଇ-ମାର୍କେଟପ୍ଲେସ୍ (ଜି.ଇ.ଏମ) ସମସ୍ତ ପ୍ରମୁଖ କ୍ରୟ କାର୍ଯ୍ୟକୁ ଏକକ ଏବଂ ବୃହତ ଡିଜିଟାଲ୍ ବଜାରରେ ସଂଯୋଜିତ କରିବାକୁ ସକ୍ଷମ । ଏହା ସମାବେଶୀ ବିକାଶ ଉପରେ ସରକାରଙ୍କ ଧ୍ୟାନ କେନ୍ଦ୍ରିତ କରିବା ସହିତ ବିଶ୍ୱସ୍ତରୀୟ ସର୍ବୋତ୍ତମ କାର୍ଯ୍ୟଧାରାଗୁଡ଼ିକୁ ଏକତ୍ର ମିଶ୍ରଣ କରେ, ଏହାକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିକଶିତ ଭାରତ ୨୦୪୭ର ଦୃଷ୍ଟିକୋଣର ଏକ ଇଞ୍ଜିନ୍ ଭାବରେ ଉପସ୍ଥାପନ କରିଥାଏ ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ୨୦୧୬ ମସିହାରେ ପଟ୍ଟ ପରିବର୍ତ୍ତନକାରୀ ଡିଜିଟାଲ୍ ପଦକ୍ଷେପ ଆରମ୍ଭ କରିବା ପରଠାରୁ ଏକ ଦଶନ୍ଧି ମଧ୍ୟରେ  ସରକାରୀ ଇ-ମାର୍କେଟପ୍ଲେସ୍ (ଜି.ଇ.ଏମ) ଦୁର୍ନୀତିକୁ ଦୂର କରି ଏବଂ ଛୋଟ ସହରଗୁଡ଼ିକରେ ଷ୍ଟାର୍ଟଅପ୍, ଅଣୁ କ୍ଷୁଦ୍ର ମଧ୍ୟମ ଉଦ୍ୟୋଗ (ଏମ.ଏସ.ଏମ.ଇ), ମହିଳା ଉଦ୍ୟୋଗୀ ଏବଂ ବ୍ୟବସାୟକୁ ପ୍ରୋତ୍ସାହିତ କରି ସାର୍ବଜନୀନ କ୍ରୟ କ୍ଷେତ୍ରରେ ଏକ ବିରାଟ ବିପ୍ଳବ ଆଣିଛି ।

ଏହି ସରଳ ଓ ଉପଭୋକ୍ତା-ଅନୁକୂଳ ପ୍ଲାଟଫର୍ମ ପ୍ରକୃତରେ ଏକ ‘ଜେମ୍’ ବା ରତ୍ନ ସଦୃଶ ଯାହା ଅପବାଦରେ ଡୁବି ରହିଥିବା ଯୋଗାଣ ଏବଂ ବିତରଣ ମହାନିର୍ଦ୍ଦେଶାଳୟକୁ ସମ୍ପୂର୍ଣ୍ଣ ରୂପେ ବଦଳାଇ ଦେଇଛି, ଯେଉଁଠାରେ ପୂର୍ବରୁ ଏକ ଅସ୍ୱଚ୍ଛ ଏବଂ ଅପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ବ୍ୟବସ୍ଥା ଥିଲା ଯାହା କ୍ରୟ ବ୍ୟବସ୍ଥାରେ ସ୍ଥାନୀତ କିଛି ସୁବିଧାପ୍ରାପ୍ତ ଲୋକଙ୍କୁ ଅନୁଚିତ ଲାଭ ପ୍ରଦାନ କରୁଥିଲା ।

ଯଥାର୍ଥ ଭାବେ, ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟର ନୂତନ, ଆଧୁନିକ କାର୍ଯ୍ୟାଳୟ, ବାଣିଜ୍ୟ ଭବନ, ସେହି ଭୂମିରେ ନିର୍ମିତ ହୋଇଛି ଯେଉଁଠାରେ ଏକ ପୁରୁଣା ସଂସ୍ଥା ଏକ ଅନ୍ଧକାରମୟ କୁଖ୍ୟାତି ଅର୍ଜନ କରିଥିଲା ।

ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ଭାବେ, ୯ ଅଗଷ୍ଟ ୨୦୧୬ରେ ଆରମ୍ଭ ହୋଇଥିବା (ଜି.ଇ.ଏମ) ତାହାର ଅଗ୍ରଣୀ ସେବାର ଦଶ ବର୍ଷ ପୂରଣ କରୁଥିବାରୁ ମୁଁ ଗର୍ବିତ। ଏହା କେବଳ ସଂଖ୍ୟାଗତ ସଫଳତାକୁ ପାଳନ କରିବାର ଏକ ମାଇଲଖୁଣ୍ଟ ନୁହେଁ; ବରଂ ସରକାରୀ କ୍ରୟ ବ୍ୟବସ୍ଥା କିପରି ରାଷ୍ଟ୍ର ନିର୍ମାଣକୁ ଗତି ପ୍ରଦାନ କରିପାରେ, ସେଥିରେ ଆସିଥିବା ଏକ ମୌଳିକ ଓ ସଫଳ ପରିବର୍ତ୍ତନର ପ୍ରତୀକ ।

ସ୍ୱଚ୍ଛତା ଏବଂ ବ୍ୟବସାୟ କରିବାର ସହଜତା

ଉତ୍ପାଦ ଆବିଷ୍କାର ଏବଂ ବିଡିଂ ଠାରୁ ଚୁକ୍ତି ପ୍ରଦାନ ଏବଂ ଦେୟ ପର୍ଯ୍ୟନ୍ତ ସମଗ୍ର କ୍ରୟ ଜୀବନଚକ୍ରକୁ ଡିଜିଟାଇଜ କରି, ସରକାରୀ ଇ-ମାର୍କେଟପ୍ଲେସ୍ (ଜି.ଇ.ଏମ) ବୈଷମ୍ୟକୁ ଦୂର କରିଛି, ନିରପେକ୍ଷ ପ୍ରତିଯୋଗିତାକୁ ପ୍ରୋତ୍ସାହିତ କରିଛି ଏବଂ ଜନସାଧାରଣଙ୍କ ବିଶ୍ୱାସକୁ ସୁଦୃଢ଼ କରିଛି । ପ୍ରତ୍ୟେକ କାରବାର ଏକ ଅଡିଟେବଲ୍ ଡିଜିଟାଲ୍ କାର୍ଯ୍ୟଧାରା ଛାଡିଥାଏ, ଯାହା ଦାୟିତ୍ୱ ବୃଦ୍ଧି କରିଥାଏ ଏବଂ ସାର୍ବଜନୀନ କ୍ରୟର ଅଖଣ୍ଡତାକୁ ମଜଭୁତ କରିଥାଏ ।

ସରକାରୀ ଇ-ମାର୍କେଟପ୍ଲେସ୍ (ଜି.ଇ.ଏମ)  ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହଜ ବ୍ୟବସାୟ କାରବାର କରିବା ମିଶନର ଏକ ଶକ୍ତ ମୂଳଦୁଆ । ଏକକ ଡିଜିଟାଲ୍ ୱିଣ୍ଡୋ, ସରଳୀକୃତ ପଞ୍ଜୀକରଣ, ମାନକୀକରଣ ପ୍ରକ୍ରିୟା ଏବଂ ସତର୍କତାମୂଳକ ଜମା ବ୍ୟବସ୍ଥାର ଉଚ୍ଛେଦ ଏବଂ କାରବାର ଚାର୍ଜକୁ ଯୁକ୍ତିଯୁକ୍ତ କରିବା ଭଳି ନିରନ୍ତର ନୀତିଗତ ସଂସ୍କାର ମାଧ୍ୟମରେ, ସରକାରୀ ଇ-ମାର୍କେଟପ୍ଲେସ୍ (ଜି.ଇ.ଏମ) ଅଂଶଗ୍ରହଣ ପାଇଁ ପ୍ରତିବନ୍ଧକଗୁଡ଼ିକୁ ଯଥେଷ୍ଟ ହ୍ରାସ କରିଛି ଏବଂ ସାର୍ବଜନୀନ କ୍ରୟ ନିମନ୍ତେ ଲୋକତାନ୍ତ୍ରିକ ପ୍ରବେଶକୁ ଶକ୍ତିଶାଳୀ କରିଛି ।

ଆତ୍ମନିର୍ଭର ଭାରତ

ସରକାରୀ ଇ-ମାର୍କେଟପ୍ଲେସ୍ (ଜି.ଇ.ଏମ)  ଆତ୍ମନିର୍ଭରଶୀଳତା ଏବଂ ସ୍ୱଦେଶୀ ଉଦ୍ୟୋଗଗୁଡ଼ିକର କାରଣକୁ ଶକ୍ତିଶାଳୀ ଭାବରେ ଆଗକୁ ବଢାଇଛି । ଘରୋଇ ନିର୍ମାତା ଏବଂ ସେବା ପ୍ରଦାନକାରୀଙ୍କୁ ପ୍ରାଥମିକତା ପ୍ରଦାନ ପୂର୍ବକ, ଏହା ସ୍ଥାନୀୟ ମୂଲ୍ୟ ଶୃଙ୍ଖଳାକୁ ମଜବୁତ କରିଛି ଏବଂ ସ୍ୱଦେଶୀ ଉତ୍ପାଦନକୁ ବୃଦ୍ଧି କରିଛି ।

ପୋର୍ଟାଲରେ ଦିଆଯାଇଥିବା ପ୍ରତ୍ୟେକ ଅର୍ଡର ଭାରତର ଉତ୍ପାଦନ ଦକ୍ଷତା ଏବଂ ଅର୍ଥନୈତିକ ସାର୍ବଭୌମତ୍ୱରେ ଏକ ନିବେଶ । ଉଲ୍ଲେଖନୀୟ ଯେ, ସୂକ୍ଷ୍ମ ଏବଂ କ୍ଷୁଦ୍ର ଉଦ୍ୟୋଗ ପରିମାଣ ଅନୁସାରେ ପ୍ରାୟ ୬୦ ପ୍ରତିଶତ ଅର୍ଡର ଏବଂ ସରକାରୀ ଇ-ମାର୍କେଟପ୍ଲେସ୍ (ଜି.ଇ.ଏମ) ରେ ମୋଟ ବାଣିଜ୍ୟ ମୂଲ୍ୟ (ଜିଏମଭି) ର ୪୫ ପ୍ରତିଶତରୁ ଅଧିକ ଅଟେ ।

ସମାବେଶୀ ସାର୍ବଜନୀନ କ୍ରୟ

ସରକାରୀ ଇ-ମାର୍କେଟପ୍ଲେସ୍ (ଜି.ଇ.ଏମ)  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସବକା ସାଥ, ସବକା ବିକାଶ ମିଶନ ସହିତ ସମାନ ଅଭିବୃଦ୍ଧିର ଏକ ଗୁରୁତ୍ୱପୂର୍ଣ୍ଣ ଇଞ୍ଜିନ୍ ଭାବରେ କାର୍ଯ୍ୟ କରେ । ଏହା ଷ୍ଟାର୍ଟ ଅପ୍, କ୍ଷୁଦ୍ର ବ୍ୟବସାୟ ଏବଂ ମହିଳା-ନେତୃତ୍ୱାଧୀନ ଉଦ୍ୟୋଗଗୁଡ଼ିକୁ କୌଣସି ବାଧା କିମ୍ୱା ମଧ୍ୟସ୍ଥି ବିନା ସରକାରୀ କ୍ରେତାମାନଙ୍କୁ ସେମାନଙ୍କର ଉତ୍ପାଦ ଏବଂ ସେବା ପ୍ରଦର୍ଶନ କରିବାର ଏକ ସହଜ ପଥ ପ୍ରଦାନ କରେ ।

ପ୍ରବେଶରେ ପ୍ରତିବନ୍ଧକଗୁଡ଼ିକୁ ଦୂର କରି ଏବଂ ସାର୍ବଜନୀନ କ୍ରୟ ସକାଶେ ଲୋକତାନ୍ତ୍ରିକୀକରଣ କରି, ସରକାରୀ ଇ-ମାର୍କେଟପ୍ଲେସ୍ (ଜି.ଇ.ଏମ)  ଦେଶବ୍ୟାପୀ ଛୋଟ ବ୍ୟବସାୟଗୁଡ଼ିକୁ ରାଷ୍ଟ୍ର ନିର୍ମାଣରେ ସକ୍ରିୟ ଅଂଶୀଦାର ହେବା ଏବଂ ପ୍ରତିଷ୍ଠିତ କମ୍ପାନୀଗୁଡ଼ିକ ଦ୍ୱାରା ପ୍ରାଧାନ୍ୟ ବିସ୍ତାରିତ ବ୍ୟବସାୟ କ୍ଷେତ୍ରରେ ପ୍ରବେଶ କରିବାକୁ ସଶକ୍ତ କରିଛି ।

ସରକାରୀ ଇ-ମାର୍କେଟପ୍ଲେସ୍ (ଜି.ଇ.ଏମ)  ମାଧ୍ୟମରେ ୧୨ ଲକ୍ଷରୁ ଅଧିକ ଅଣୁ ଏବଂ କ୍ଷୁଦ୍ର ଉଦ୍ୟୋଗ ୯ ଲକ୍ଷ କୋଟିରୁ ଅଧିକ ଟଙ୍କା ମୂଲ୍ୟର ସରକାରୀ ଆଦେଶ ପୂରଣ କରିଛନ୍ତି । ଏହା ଫଳରେ ଦେଶର ୨.୨୦ ଲକ୍ଷରୁ ଅଧିକ ମହିଳା ଉଦ୍ୟୋଗୀ ୯୯,୭୧୩ କୋଟିରୁ ଅଧିକ ଟଙ୍କା ମୂଲ୍ୟର ଅର୍ଡର ହାସଲ କରିଛନ୍ତି, ଯେତେବେଳେ ୪୨,୦୦୦ରୁ ଅଧିକ ଷ୍ଟାର୍ଟ ଅପ୍ ୬୫,୬୦୦ କୋଟିରୁ ଅଧିକ ଟଙ୍କା ମୂଲ୍ୟର ଅର୍ଡର ପୂରଣ କରିଛନ୍ତି । ସରକାରୀ ଇ-ମାର୍କେଟପ୍ଲେସ୍ (ଜି.ଇ.ଏମ)  ୨୩,୧୪୫ କୋଟିରୁ ଅଧିକ ଟଙ୍କା ମୂଲ୍ୟର ଅର୍ଡର ପୂରଣ କରି ୬୯,୦୦୦ରୁ ଅଧିକ ତଫସିଲଭୁକ୍ତ ଜାତି/ତଫସିଲଭୁକ୍ତ ଜନଜାତି ଉଦ୍ୟୋଗୀଙ୍କୁ ସରକାରୀ କ୍ରୟ ବ୍ୟବସ୍ଥାରେ ଅଂଶଗ୍ରହଣ କରିବାକୁ ସକ୍ଷମ କରିଛି ।

ଅଭିବୃଦ୍ଧିର ଉତ୍ପେରକ

ଏହି ସଫଳତାଗୁଡ଼ିକ ସରକାରୀ ଇ-ମାର୍କେଟପ୍ଲେସ୍ (ଜି.ଇ.ଏମ)ର ଭୂମିକାକୁ ଏକ ଡିଜିଟାଲ୍ କ୍ରୟ ପ୍ଲାଟଫର୍ମ ଅପେକ୍ଷା ଅଧିକ ଭାବରେ ପୁନଃନିର୍ଦ୍ଦିଷ୍ଟ କରେ । ଏହା ସମାବେଶୀ ଅଭିବୃଦ୍ଧି, ଉଦ୍ୟୋଗ ଏବଂ ଆର୍ଥିକ ସଶକ୍ତିକରଣ ପାଇଁ ଏକ ଉତ୍ପେରକ, ଏହା ସୁନିଶ୍ଚିତ କରେ ଯେ ପ୍ରତ୍ୟେକ ଯୋଗ୍ୟ ଉଦ୍ୟୋଗ ଭାରତର ବିକାଶରେ ଯୋଗଦାନ ଦେବା  ନିମନ୍ତେ ସମାନ ସୁଯୋଗ ଲାଭ କରେ ।

ଅନେକ ଦୃଷ୍ଟିରୁ, ସରକାରୀ ଇ-ମାର୍କେଟପ୍ଲେସ୍ (ଜି.ଇ.ଏମ)ର ଯାତ୍ରା ପ୍ରଧାନମନ୍ତ୍ରୀଙ୍କ ସ୍ୱଚ୍ଛ, ସମାବେଶୀ, ନବସୃଜନଶୀଳ ଏବଂ ଡିଜିଟାଲ୍ ଭାବରେ ସାର୍ବଭୌମ ଭାରତର ଏକ ବିକଶିତ ଭାରତ ଦୃଷ୍ଟିକୋଣ ସହିତ ବିକଶିତ ଭାରତ ୨୦୪୭ର ଆକାଂକ୍ଷାକୁ ପ୍ରତିଫଳିତ କରେ ।

ଯେତେବେଳେ ଆମେ ସରକାରୀ ଇ-ମାର୍କେଟପ୍ଲେସ୍ (ଜି.ଇ.ଏମ)ର ଦ୍ୱିତୀୟ ଦଶନ୍ଧିରେ ପଦାର୍ପଣ କରୁଛୁ, ଆମର ଦୃଷ୍ଟିକୋଣ ହେଉଛି ଏହାକୁ ଏକ ସ୍ମାର୍ଟ, ସବୁଜ ଏବଂ ବିଶ୍ୱସ୍ତରୀୟ ମାନଦଣ୍ଡପ୍ରାପ୍ତ ପ୍ଲାଟଫର୍ମରେ ବିକଶିତ କରିବା ଯାହା ଉଦୀୟମାନ ପ୍ରଯୁକ୍ତିବିଦ୍ୟାକୁ ବ୍ୟବହାର କରେ ଏବଂ ଅଂଶୀଦାରମାନଙ୍କ, ବିଶେଷକରି ଆମର ଉଦ୍ଭାବକ, ଷ୍ଟାର୍ଟ ଅପ୍, କ୍ଷୁଦ୍ର ବ୍ୟବସାୟ, ମହିଳା, ଯୁବପିଢ଼ି ଏବଂ ଛୋଟ ସହର ଏବଂ ଅବହେଳିତ ବର୍ଗର ଉଦ୍ୟୋଗୀଙ୍କ ଅଂଶଗ୍ରହଣକୁ ବ୍ୟାପକ କରିଥାଏ ।

ଭାରତର ସବୁଠାରୁ ସଫଳ ଡିଜିଟାଲ୍ କ୍ରୟ ଇକୋସିଷ୍ଟମ ମଧ୍ୟରୁ ଗୋଟିଏ ଭାବରେ, ସରକାରୀ ଇ-ମାର୍କେଟପ୍ଲେସ୍ (ଜି.ଇ.ଏମ)  ଉଦାହରଣ ଦିଏ ଯେ କିପରି ପ୍ରଯୁକ୍ତିବିଦ୍ୟା, ଡାଟା ବିଶ୍ଳେଷଣ, କୃତ୍ରିମ ବୁଦ୍ଧିମତ୍ତା ଏବଂ ବ୍ୟବହାରକାରୀ- କେନ୍ଦ୍ରିକ ଡିଜାଇନ୍ ସାଧାରଣ ଖର୍ଚ୍ଚରେ ଗତି, ଦକ୍ଷତା ଏବଂ ଅର୍ଥର ମୂଲ୍ୟ ପ୍ରଦାନ କରିପାରିବ । ଗତ ଦୁଇ ଆର୍ଥିକ ବର୍ଷ ମଧ୍ୟରେ, ପ୍ଲାଟଫର୍ମ ବାର୍ଷିକ  ସରକାରୀ ଇ-ମାର୍କେଟପ୍ଲେସ୍ (ଜି.ଇ.ଏମ.)ରେ ୫ ଲକ୍ଷ କୋଟି ଟଙ୍କାକୁ ଅତିକ୍ରମ କରିଛି, ଯାହା ସଞ୍ଚୟିତ ମୂଲ୍ୟକୁ ପ୍ରାୟ ୨୦ ଲକ୍ଷ କୋଟି ଟଙ୍କାକୁ ଛୁଇଁଛି । ଏହା ବର୍ତ୍ତମାନ ୧୦,୬୪୪ଟି ଉତ୍ପାଦ ବର୍ଗ ଏବଂ ୩୫୦ଟି ସେବା ବର୍ଗକୁ ନିଜ ପରିସରରେ ସାମିଲ କରିଛି।

ଜୀବନ ରକ୍ଷାକାରୀ ଔଷଧ ଏବଂ ଟୀକାଗୁଡ଼ିକ ହସ୍ପିଟାଲରେ ଶୀଘ୍ର ପହଞ୍ଚିବା, ପ୍ରତିରକ୍ଷା ସାମଗ୍ରୀ ଏବଂ ଡ୍ରୋନକୁ ଦକ୍ଷତାର ସହିତ ପହଞ୍ଚାଇବା, ଶ୍ରେଣୀଗୃହକୁ ପରିବର୍ତ୍ତନକାରୀ ଗୁଣାତ୍ମକ ଉପକରଣ, କିମ୍ୱା ଗ୍ରାମଗୁଡ଼ିକୁ ଶକ୍ତି ପ୍ରଦାନ କରୁଥିବା ନିର୍ଭରଯୋଗ୍ୟ ଭିତ୍ତିଭୂମି ହେଉ, ସ୍ୱଚ୍ଛ ଏବଂ ଦକ୍ଷ କ୍ରୟ ସାଧାରଣ ସେବାର ଉନ୍ନତ ବିତରଣ ଏବଂ ସମ୍ୱଳର ସର୍ବୋତ୍ତମ ବ୍ୟବହାରକୁ ଏହା ସୁନିଶ୍ଚିତ କରେ।

ଏହି ପରିବର୍ତ୍ତନର ବାସ୍ତବ ହିତାଧିକାରୀ ହେଉଛନ୍ତି ଭାରତର ନାଗରିକ । ଆଇ.ଆଇ.ଟି., ଦିଲ୍ଲୀ (ଜୁଲାଇ- ଅଗଷ୍ଟ ୨୦୨୬) ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ ସରକାରୀ ଇ-ମାର୍କେଟପ୍ଲେସ୍ (ଜି.ଇ.ଏମ)  ମାଧ୍ୟମରେ କ୍ରୟ ଫଳରେ ଗତ ତିନି ଆର୍ଥିକ ବର୍ଷ (ଆର୍ଥିକ ବର୍ଷ ୨୦୨୩-୨୪ ଠାରୁ ଆର୍ଥିକ ବର୍ଷ ୨୦୨୫-୨୬) ମଧ୍ୟରେ ୮୬,୫୭୧.୬୯ କୋଟି ଟଙ୍କାର ଆର୍ଥିକ ଲାଭ ହୋଇଛି, ଯେଉଁଥିରେ ମୂଲ୍ୟ ଏବଂ ପ୍ରକ୍ରିୟା ଦକ୍ଷତା ବୃଦ୍ଧି ଅନ୍ତର୍ଭୁକ୍ତ । ସେହିପରି, ଅଧ୍ୟୟନରେ ସରକାରୀ ଇ-ମାର୍କେଟପ୍ଲେସ୍ (ଜି.ଇ.ଏମ)ରେ ଥିବା ୧୦୧ ଉତ୍ପାଦଗୁଡ଼ିକୁ ଫ୍ଲିପକାର୍ଟ, ଆମାଜନ, ଇଣ୍ଡିଆମାର୍ଟ ଇତ୍ୟାଦି ପ୍ଲାଟଫର୍ମରେ ସମାନ ସାମଗ୍ରୀ ସହିତ ତୁଳନା କରାଯାଇଥିଲା । ଏହା ଜାଣିବାକୁ ମିଳିଥିଲା ଯେ ସରକାରୀ ଇ-ମାର୍କେଟପ୍ଲେସ୍ (ଜି.ଇ.ଏମ)ର ମୂଲ୍ୟ ୭୪.୩ ପ୍ରତିଶତ ସାମଗ୍ରୀରେ ଶସ୍ତା ଥିଲା, ଯାହା ଫଳରେ ମୋଟାମୋଟି ପ୍ରାୟ ୧୩.୬% ସଞ୍ଚୟ ହୋଇଛି ।

ସରକାରୀ ଇ-ମାର୍କେଟପ୍ଲେସ୍ (ଜି.ଇ.ଏମ) ପୋର୍ଟାଲ୍ ଭାରତର ଅର୍ଥନୈତିକ ଅଭିବୃଦ୍ଧି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକାଶ ଉଦ୍ଦେଶ୍ୟକୁ ଚଳାଇବାରେ ଏକ ପ୍ରମୁଖ ଇଞ୍ଜିନ୍ ଭାବରେ ଉଭା ହୋଇଛି । ଏହା ସମାଜର ଅବହେଳିତ ବର୍ଗକୁ ସଶକ୍ତ ଏବଂ ଉତ୍ଥାନ କରେ ଏବଂ ଉଦ୍ୟୋଗୀତାକୁ ପ୍ରୋତ୍ସାହିତ କରେ ଏବଂ ଏହା ସୁନିଶ୍ଚିତ କରେ ଯେ କରଦାତାଙ୍କ ଟଙ୍କା ପ୍ରତିଯୋଗିତାମୂଳକ ମୂଲ୍ୟରେ ଉଚ୍ଚମାନର ଉତ୍ପାଦ କ୍ରୟ ପାଇଁ ଦକ୍ଷତାର ସହିତ ବ୍ୟବହୃତ ହେଉଛି।

(ଲେଖକ କେନ୍ଦ୍ର ସରକାରରେ ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ଅଛନ୍ତି ।)

**********

(Features ID: 159526) आगंतुक पटल : 17
Provide suggestions / comments