ପୋଷ୍ଟ କରାଯିବା ଦିନାଙ୍କ:
16 NOV 2026 12:39PM by PIB Bhubaneswar
ଉପ ରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନ ଆଜି ଭୁବନେଶ୍ୱରରେ ସପ୍ତଦଶ ଓଡ଼ିଶା ବିଧାନସଭାର ସଦସ୍ୟମାନଙ୍କ ପାଇଁ ଆୟୋଜିତ ଦିଗଦର୍ଶନ କାର୍ଯ୍ୟକ୍ରମରେ ଉଦବୋଧନ ଦେଇଛନ୍ତି । ସେ ବିଧାୟକମାନଙ୍କୁ ଭାରତର ସମୃଦ୍ଧ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ବଜାୟ ରଖିବା ନିମନ୍ତେ ଆହ୍ୱାନ ଦେଇଥିଲେ । ଗଣତାନ୍ତ୍ରିକ ଅନୁଷ୍ଠାନଗୁଡ଼ିକୁ ମଜବୁତ କରିବା ଲାଗି ଗଠନମୂଳକ ବିତର୍କ, ସଚେତନ ଆଲୋଚନା, ବିଧାନପାଳିକାର ଦକ୍ଷତା ଏବଂ ଲୋକ-କୈନ୍ଦ୍ରିକ ପ୍ରଶାସନ ଉପରେ ଉପ ରାଷ୍ଟ୍ରପତି ବିଶେଷ ଭାବେ ଗୁରୁତ୍ୱାରୋପ କରିଥିଲେ ।




ଏଭଳି ଏକ ଦିଗଦର୍ଶନ କାର୍ଯ୍ୟକ୍ରମ ଆୟୋଜନ ଲାଗି ବାଚସ୍ପତି ସୁରମା ପାଢ଼ୀଙ୍କୁ ପ୍ରଶଂସା କରିଥିଲେ ଉପ ରାଷ୍ଟ୍ରପତି । ଏଭଳି କାର୍ଯ୍ୟକ୍ରମ ଗଣତାନ୍ତ୍ରିକ ଅନୁଷ୍ଠାନଗୁଡ଼ିକୁ ମଜବୁତ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିଥାଏ ଏବଂ ବିଧାୟକମାନଙ୍କୁ ସେମାନଙ୍କର ସାମ୍ବିଧାନିକ ଉତ୍ତରଦାୟିତ୍ୱ ଦକ୍ଷତାର ସହ ନିର୍ବାହ କରିବାକୁ ସକ୍ଷମ କରିଥାଏ ବୋଲି ଉପ ରାଷ୍ଟ୍ରପତି କହିଥିଲେ ।
ଭାରତର ପ୍ରାଚୀନ ଗଣତାନ୍ତ୍ରିକ ପରମ୍ପରା ସମ୍ପର୍କରେ ଉଲ୍ଲେଖ କରି ଉପ ରାଷ୍ଟ୍ରପତି ବୈଶାଳୀର ଗଣତାନ୍ତ୍ରିକ ପ୍ରତିଷ୍ଠାନ ଏବଂ ଚୋଳ ଯୁଗର କୁଡ଼ାଭୋଲଇ ବ୍ୟବସ୍ଥାର ଉଦାହରଣ ଦେଇଥିଲେ। ଭାରତର ସଭ୍ୟତାଗତ ଇତିହାସରେ ଗଣତନ୍ତ୍ରର ମୂଳଦୁଆ ଅତି ଗଭୀର ଭାବେ ବ୍ୟାପି ରହିଛି ବୋଲି ସେ କହିଥିଲେ । ଉପ ରାଷ୍ଟ୍ରପତି ଆହୁରି କହିଥିଲେ, ଭାରତ ଯଥାର୍ଥରେ ‘ଗଣତନ୍ତ୍ରର ଜନନୀ’ ହେବାର ଗୌରବ ହାସଲ କରିଛି । ଓଡ଼ିଶାର ବିଧାୟକମାନେ ଏହି ସମ୍ମାନଜନକ ପରମ୍ପରାକୁ ବଜାୟ ରଖିବା ନିମନ୍ତେ ସେ ଆହ୍ୱାନ କରିଥିଲେ ।
ନିର୍ବାଚନୀ ବିଜୟକୁ ଅର୍ଥପୂର୍ଣ୍ଣ ଜନସେବାରେ ପରିଣତ କରିବା ଉପରେ ଗୁରୁତ୍ୱାରୋପ କରି ଉପ-ରାଷ୍ଟ୍ରପତି କହିଥିଲେ, ‘‘ଭୋଟ୍ ମାଧ୍ୟମରେ ଆମେ ନିର୍ବାଚନରେ ଜିତିଥାଉ, କିନ୍ତୁ କେବଳ ନିଜର ସେବା ମାଧ୍ୟମରେ ହିଁ ଆମେ ଲୋକଙ୍କ ସମ୍ମାନ ଅର୍ଜନ କରିପାରିବା।’’ ବିଧାନସଭା କେବଳ ତର୍କ-ବିତର୍କର ଏକ ମଞ୍ଚ ନୁହେଁ; ଏଠାରେ ପ୍ରସ୍ତୁତ ପ୍ରତ୍ୟେକ ନୀତି, ଉପସ୍ଥାପିତ ପ୍ରଶ୍ନ ଏବଂ ପ୍ରଣୀତ ଆଇନରେ ଅଗଣିତ ନାଗରିକଙ୍କ ଜୀବନରେ ଉନ୍ନତି ଆଣିବାର କ୍ଷମତା ରହିଛି ବୋଲି ସେ କହିଥିଲେ ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ପରିକଳ୍ପିତ ‘ବିକଶିତ ଭାରତ ୨୦୪୭'ର ଲକ୍ଷ୍ୟ ସମ୍ପର୍କରେ ଉଲ୍ଲେଖ କରି ସେ କହିଥିଲେ, ଭାରତର ପ୍ରଗତିରେ ଓଡ଼ିଶାର ଉନ୍ନତି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ୨୦୩୬ ମସିହାରେ ଓଡ଼ିଶା ଏକ ସ୍ୱତନ୍ତ୍ର ପ୍ରଦେଶ ଭାବେ ଗଠିତ ହେବାର ଶତବାର୍ଷିକୀ ପାଳନ କରିବାକୁ ଯାଉଥିବା ବେଳେ ରାଜ୍ୟକୁ ଏକ ବିକଶିତ, ସମୃଦ୍ଧ ଏବଂ ସମାବେଶୀ ରାଜ୍ୟରେ ପରିଣତ କରିବା ଦିଗରେ 'ଭିଜନ୍ ଓଡ଼ିଶା ୨୦୩୬' ସଂକଳ୍ପକୁ ସାକାର କରିବାର ଆବଶ୍ୟକତା ରହିଛି । ଯୁବବର୍ଗଙ୍କ ପାଇଁ ସୁଯୋଗ ସୃଷ୍ଟି କରିବା ଏବଂ ପ୍ରତ୍ୟେକ ଗାଁ ଓ ପରିବାର ନିକଟରେ ବିକାଶ ପହଞ୍ଚାଇବାରେ ଜନପ୍ରତିନିଧିମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇବେ ବୋଲି ଉପ ରାଷ୍ଟ୍ରପତି ଦୃଢ଼ ଭାବେ ଆଶା ପ୍ରକଟ କରିଥିଲେ ।
ବୈଧାନିକ କାର୍ଯ୍ୟରେ ବ୍ୟାଘାତ ସୃଷ୍ଟି ହେବା ପ୍ରସଙ୍ଗ ଉପରେ ଆଲୋକପାତ କରି ଉପ ରାଷ୍ଟ୍ରପତି କହିଥିଲେ, ଜନସାଧାରଣ ଓ ସମ୍ବିଧାନ ପ୍ରତି ରହିଥିବା ବୃହତ୍ତର ପ୍ରତିବଦ୍ଧତାର ମାର୍ଗରେ ମତଭେଦ କୌଣସି ବାଧା ସୃଷ୍ଟି କରିବା ଉଚିତ୍ ନୁହେଁ । ଗଣତନ୍ତ୍ରରେ ଭିନ୍ନ ମତ ରହିବା ସ୍ୱାଭାବିକ, କିନ୍ତୁ ଆମ ସମସ୍ତଙ୍କର ଗୋଟିଏ ବିଷୟରେ ସହମତି ରହିବା ଉଚିତ୍ – ତାହା ହେଲା ଜନସାଧାରଣ ଓ ସମ୍ବିଧାନ ପ୍ରତି ଆମର ପ୍ରତିବଦ୍ଧତା। ବିତର୍କ, ଆଲୋଚନା କିମ୍ବା ବେଳେବେଳେ ସୃଷ୍ଟି ହେଉଥିବା ବ୍ୟାଘାତ ମଧ୍ୟ ଗୋଟିଏ ନିଷ୍ପତ୍ତିରେ ପହଞ୍ଚିବାରେ ସହାୟକ ହେବା ଉଚିତ୍ ବୋଲି ସେ କହିଥିଲେ । ଗଣତନ୍ତ୍ରକୁ ସୁଦୃଢ଼ କରିବା ଏବଂ ଜାତୀୟ ବିକାଶକୁ ଆଗକୁ ବଢ଼ାଇବା ପାଇଁ ସୁସ୍ଥ ବିତର୍କ ଓ ଗଠନମୂଳକ ସହଯୋଗ ଉପରେ ଉପ ରାଷ୍ଟ୍ରପତି ଗୁରୁତ୍ୱ ଦେଇଥିଲେ।
ନିରନ୍ତର ପ୍ରଶିକ୍ଷଣ ଏବଂ ପ୍ରସ୍ତୁତିର ଆବଶ୍ୟକତା ଉପରେ ଆଲୋକପାତ କରି, ଉପରାଷ୍ଟ୍ରପତି ସଦସ୍ୟମାନଙ୍କୁ ବୈଧାନିକ ନିୟମ ଓ ପ୍ରକ୍ରିୟା, ବଜେଟ୍ ପ୍ରକ୍ରିୟା, କମିଟି ବ୍ୟବସ୍ଥା, ସଂସଦୀୟ ପରମ୍ପରା ଏବଂ ନୈତିକତା ସମ୍ପର୍କରେ ପ୍ରାଞ୍ଜଳ ଭାବେ ଅବଗତ ହେବାକୁ ପରାମର୍ଶ ଦେଇଥିଲେ।
ଉପ ରାଷ୍ଟ୍ରପତି ପ୍ରଶ୍ନକାଳ ଓ ଶୂନ୍ୟକାଳର ଗୁରୁତ୍ୱ ଉପରେ ବିଶେଷ ଭାବରେ ଆଲୋକପାତ କରିଥିଲେ । ପ୍ରତ୍ୟେକ ସଦସ୍ୟମାନଙ୍କ ପାଇଁ ନିଜ ନିର୍ବାଚନମଣ୍ଡଳୀର ସମସ୍ୟା ଏବଂ ଗୁରୁତ୍ୱପୂର୍ଣ୍ଣ ନୀତିଗତ ପ୍ରସଙ୍ଗ ଉଠାଇବା ଲାଗି ଏଗୁଡ଼ିକୁ ମହତ୍ୱପୂର୍ଣ୍ଣ ସୁଯୋଗ ଭାବରେ ସେ ବର୍ଣ୍ଣନା କରିଥିଲେ। ଏହି ଗୁରୁତ୍ୱପୂର୍ଣ୍ଣ ସଂସଦୀୟ ଉପାଦାନଗୁଡ଼ିକ ଯେପରି ବିନା ବାଧାରେ କାର୍ଯ୍ୟ କରିବ ତାହା ନିଶ୍ଚିତ କରିବା ପାଇଁ ବାଚସ୍ପତିଙ୍କ ସହିତ ସହଯୋଗ କରିବାକୁ ସେ ସଦସ୍ୟମାନଙ୍କୁ ଅନୁରୋଧ କରିଥିଲେ।
ଉପ ରାଷ୍ଟ୍ରପତି ସଦନର କାର୍ଯ୍ୟକ୍ରମ ସମ୍ବନ୍ଧରେ ସହମତି ଗଠନ କରିବାରେ କାର୍ଯ୍ୟ ପରିଚାଳନା ପରାମର୍ଶଦାତା କମିଟି (ବିଏସି)ର ଭୂମିକା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ। ସେ ମତ ଦେଇଥିଲେ ଯେ, କମିଟି ମଧ୍ୟରେ ଅଧିକ ସହମତି ରହିଲେ ତାହା ବିଧାନ ସମ୍ବନ୍ଧୀୟ କାର୍ଯ୍ୟକ୍ରମକୁ ଅଧିକ ସୁଗମ ଏବଂ ଫଳପ୍ରଦ କରିବାରେ ସହାୟକ ହେବ ।
ବିଧାନସଭା କାର୍ଯ୍ୟରେ ପ୍ରଯୁକ୍ତିବିଦ୍ୟାର ବର୍ଦ୍ଧିତ ଭୂମିକା ଉପରେ ଆଲୋକପାତ କରି, ଉପ ରାଷ୍ଟ୍ରପତି ଜାତୀୟ ଇ-ବିଧାନ ଆପ୍ଲିକେସନ୍ ଅଧୀନରେ ଓଡ଼ିଶା ବିଧାନସଭାରେ ଡିଜିଟାଲ୍ ହାଉସ୍ ଉଦଘାଟନକୁ ସ୍ୱାଗତ କରିଥିଲେ। ସେହିପରି ରାଜ୍ୟସଭାରେ ଡିଜିଟାଲ୍ ପ୍ଲାଟଫର୍ମର ବର୍ଦ୍ଧିତ ବ୍ୟବହାର ବିଷୟରେ ଉଲ୍ଲେଖ କରି ସେ କହିଥିଲେ, ପ୍ରଯୁକ୍ତିବିଦ୍ୟା ସହାୟତାରେ ସଂସଦୀୟ କାଗଜପତ୍ର, ପ୍ରଶ୍ନ ଓ ବିତର୍କ ଏବେ ବହୁ ଭାଷାରେ ଉପଲବ୍ଧ। ସେ ବିଧାୟକମାନଙ୍କୁ ଭବିଷ୍ୟତ ଲାଗି ପ୍ରସ୍ତୁତି କରିବା ନିମନ୍ତେ ଏଆଇ ଏବଂ ନେଚୁରାଲ ଲାଙ୍ଗୁଏଜ୍ ପ୍ରୋସେସିଂ ସମେତ ଆଧୁନିକ ପ୍ରଯୁକ୍ତିବିଦ୍ୟାକୁ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ ।
ଅଭିଭାଷଣ ଶେଷରେ ଉପ ରାଷ୍ଟ୍ରପତି ବିଧାୟକମାନଙ୍କୁ ସେମାନଙ୍କର ଦାୟିତ୍ୱ ଏବଂ ପରିବର୍ତ୍ତନକାରୀ ସମ୍ଭାବନା ବିଷୟରେ ସ୍ମରଣ କରାଇ ଦେଇଥିଲେ। ସେ କହିଥିଲେ, ଏକ ସୁଚିନ୍ତିତ ହସ୍ତକ୍ଷେପ ନୀତିରେ ପରିବର୍ତ୍ତନ ଆଣିପାରେ, ଅନ୍ୟପଟେ ଏକ ସମ୍ବେଦନଶୀଳ ନିଷ୍ପତ୍ତି ଅଗଣିତ ନାଗରିକଙ୍କ ଜୀବନରେ ଆଶା ଫେରାଇ ଆଣିପାରେ। ସପ୍ତଦଶ ଓଡ଼ିଶା ବିଧାନସଭାର ସମସ୍ତ ସଦସ୍ୟଙ୍କୁ ଏକ ଫଳପ୍ରଦ ଦିଗଦର୍ଶନ କାର୍ଯ୍ୟକ୍ରମ ଏବଂ ବିଧାନସଭାରେ ସେମାନଙ୍କର ଭବିଷ୍ୟତର କାର୍ଯ୍ୟକାଳ ପାଇଁ ଶୁଭକାମନା ଜଣାଇଥିଲେ ।
ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ରାଜ୍ୟପାଳ ବ୍ରଜ ମୋହନ ରାମ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଧାନସଭା ବାଚସ୍ପତି ସୁରମା ପାଢ଼ୀ, ଉପ-ବାଚସ୍ପତି ଭବାନୀ ଶଙ୍କର ଭୋଇ ଏବଂ ବିଧାୟକମାନଙ୍କ ସମେତ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ।
********
PS/Swadhin Shakti Prasad/Manoj Kumar Jali