ପୋଷ୍ଟ କରାଯିବା ଦିନାଙ୍କ:
15 NOV 2026 2:59PM by PIB Bhubaneswar
ଜନଜାତୀୟ ଗୌରବ ଦିବସ ଭାରତର ଜନଜାତି ସମ୍ପ୍ରଦାୟର ସମୃଦ୍ଧ ଐତିହ୍ୟ, ସଂସ୍କୃତି ଓ ଅବଦାନକୁ ପାଳନ କରେ : ପ୍ରଧାନମନ୍ତ୍ରୀ
୨୦୨୧ ନଭେମ୍ବର ୧୫ରୁ ଆରମ୍ଭ ହୋଇଥିବା ଜନଜାତୀୟ ଗୌରବ ଦିବସ ପାଳନ ପରମ୍ପରା ଆଜି ଏକ ଜାତୀୟ ଉତ୍ସବରେ ପରିଣତ ହୋଇଛି : ପ୍ରଧାନମନ୍ତ୍ରୀ
ଗୋଟିଏ ସମୟରେ ଆମ ଦେଶର ଅନେକ ଦିବସ ଓ ଉତ୍ସବ ବିଦେଶୀ ଦୃଷ୍ଟିକୋଣରୁ ନିର୍ଦ୍ଧାରିତ ହେଉଥିଲା; କିନ୍ତୁ ଆଜି ଭାରତ ନିଜର ଐତିହ୍ୟ, ଇତିହାସ ଓ ମହାନ ବୀରମାନଙ୍କୁ ସ୍ୱଦେଶୀ ଗର୍ବର ସହ ସ୍ମରଣ କରୁଛି; ଏହା ଆମ ଜାତୀୟ ଚେତନାରେ ଆସିଥିବା ଏକ ବଡ଼ ପରିବର୍ତ୍ତନର ପ୍ରତୀକ : ପ୍ରଧାନମନ୍ତ୍ରୀ
ଦେଶର ଦୁଇଟି ବଡ଼ ସଫଳତା ଏବେ ସବୁଠି ଚର୍ଚ୍ଚାର ବିଷୟ ହୋଇଛି; ପ୍ରଥମଟି ହେଉଛି ପ୍ରାୟ ୫୦ କୋଟି ନାଗରିକଙ୍କୁ ଅତ୍ୟନ୍ତ ଦାରିଦ୍ର୍ୟରୁ ମୁକ୍ତ କରିବାର ଐତିହାସିକ ସଫଳତା, ଦ୍ୱିତୀୟଟି ହେଉଛି ନକ୍ସଲବାଦ ଓ ମାଓବାଦୀ ଆତଙ୍କରୁ ଦେଶର ସମ୍ପୂର୍ଣ୍ଣ ମୁକ୍ତି : ପ୍ରଧାନମନ୍ତ୍ରୀ
ଦୀର୍ଘ ସମୟ ଧରି ବିକାଶରୁ ବଞ୍ଚିତ ରହିଥିବା ଅଞ୍ଚଳଗୁଡ଼ିକ ଉପରେ ଆମେ ବିଶେଷ ଧ୍ୟାନ ଦେଇଛୁ; ଦେଶର ୧୦୦ରୁ ଅଧିକ ଆକାଂକ୍ଷୀ ଜିଲ୍ଲା ଏବଂ ୫୦୦ରୁ ଅଧିକ ଆକାଂକ୍ଷୀ ବ୍ଲକ୍ରେ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଥିଲା; ଏଥିରେ ବହୁ ସଂଖ୍ୟକ ଜନଜାତି ବହୁଳ ଅଞ୍ଚଳ ସାମିଲ ରହିଛି; ଏବେ ପିଏମ୍ କୃଷି ଧନଧାନ୍ୟ ଯୋଜନା ଅଧୀନରେ ୧୦୦ଟି କୃଷି କ୍ଷେତ୍ରରେ ପଛୁଆ ଜିଲ୍ଲା ଉପରେ ମଧ୍ୟ ବିଶେଷ ଧ୍ୟାନ ଦିଆଯାଉଛି : ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ମହାରାଷ୍ଟ୍ରର ଗଡ଼ଚିରୋଲିଠାରେ ଆୟୋଜିତ ଜନଜାତୀୟ ଗୌରବ ଦିବସ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଏହି ଅବସରରେ ସେ ପ୍ରାୟ ୩,୦୦୦ କୋଟି ଟଙ୍କା ବ୍ୟୟରେ ୨୪୬ଟି ବିକାଶ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଥିଲେ। ଧରତୀ ଆବା ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୧ତମ ଜୟନ୍ତୀ ଅବସରରେ ସମବେତ ଜନତାଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ‘ଜୋହାର’ ଜଣାଇଥିଲେ। ଭଗବାନ ବିର୍ସା ମୁଣ୍ଡାଙ୍କ ପ୍ରତି ଶ୍ରଦ୍ଧାପୂର୍ବକ ପ୍ରଣାମ ଜଣାଇ ସେ କହିଥିଲେ ଯେ, ଦେଶବ୍ୟାପୀ ଏହି ଉତ୍ସବ ଆଦିବାସୀ ସମ୍ପ୍ରଦାୟର ଗର୍ବ ଓ ତାଙ୍କର ଅମର ପ୍ରେରଣାକୁ ପ୍ରତିଫଳିତ କରୁଛି। ଦେଶ ନିଜର ଆଦିବାସୀ ବୀର ଓ ବୀରାଙ୍ଗନାମାନଙ୍କୁ ସ୍ମରଣ କରୁଛି। ମହାରାଷ୍ଟ୍ରର ଗଡ଼ଚିରୋଲିରେ ଏହି ଭବ୍ୟ ଉତ୍ସବ ଆୟୋଜନ ହୋଇଥିବାରୁ ପ୍ରଧାନମନ୍ତ୍ରୀ ଖୁସି ପ୍ରକାଶ କରିଥିଲେ। ଆଦିବାସୀ ସଂସ୍କୃତିରେ ସମୃଦ୍ଧ ଏହି ଭୂମି ରାଘୋଜୀ ଭାଙ୍ଗରେ, ଭାଗୋଜୀ ନାଏକ ଓ ବୀର ବାବୁରାଓ ସେଡମାକେଙ୍କ ବୀରତ୍ୱର ଗାଥା ସହ ଜଡ଼ିତ ବୋଲି ସେ କହିଥିଲେ। ସେ ଏହି ଅଞ୍ଚଳର ସମସ୍ତ ଆଦିବାସୀ ଯୋଦ୍ଧାଙ୍କୁ ପ୍ରଣାମ ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ସ୍ଥାନରୁ ଯୋଗଦେଇଥିବା ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଓ ସମସ୍ତ ଜନପ୍ରତିନିଧିଙ୍କୁ ମଧ୍ୟ ଶ୍ରୀ ମୋଦୀ ଅଭିନନ୍ଦନ ଜଣାଇଥିଲେ।
୨୦୨୧ ନଭେମ୍ବର ୧୫ରେ ଆରମ୍ଭ ହୋଇଥିବା ଜନଜାତୀୟ ଗୌରବ ଦିବସ ପାଳନ ଆଜି ଏକ ଜାତୀୟ ଉତ୍ସବରେ ପରିଣତ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଗତବର୍ଷ ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ ଅବସରରେ ଦେଶବ୍ୟାପୀ ୨ ଲକ୍ଷରୁ ଅଧିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ଏବଂ କୋଟି କୋଟି ନାଗରିକ ଏଥିରେ ଭାଗ ନେଇଥିଲେ। ଆଜି ଭାରତ ନିଜର ଐତିହ୍ୟ, ଇତିହାସ ଓ ମହାନ ବୀରମାନଙ୍କୁ ସ୍ୱଦେଶୀ ଆତ୍ମସମ୍ମାନର ସହ ସ୍ମରଣ କରୁଛି। ଏହା ଆମ ଜାତୀୟ ଚେତନାରେ ଆସିଥିବା ଏକ ବଡ଼ ପରିବର୍ତ୍ତନର ପ୍ରତୀକ ବୋଲି ଶ୍ରୀ ମୋଦୀ କହିଥିଲେ।
ଔପନିବେଶିକ ଅନ୍ୟାୟ ବିରୋଧରେ ଆଦିବାସୀ ସମ୍ପ୍ରଦାୟ କିପରି ନିରନ୍ତର ସ୍ୱର ଉତ୍ତୋଳନ କରିଥିଲେ, ତାହା ସ୍ମରଣ କରି ପ୍ରଧାନମନ୍ତ୍ରୀ ଖାସି ପାହାଡ଼ରେ ତିରୋତ ସିଂଙ୍କ ସଂଗ୍ରାମ, ଛୋଟନାଗପୁରର କୋହ୍ଲ ଆନ୍ଦୋଳନ, ସିଦୋ-କାନ୍ହୁଙ୍କ ନେତୃତ୍ୱରେ ସାନ୍ତାଳ ବିପ୍ଳବ, ମାଙ୍ଗର୍ହରେ ଗୋବିନ୍ଦ ଗୁରୁଙ୍କ ଅନୁଗାମୀଙ୍କ ବଳିଦାନ ଏବଂ ରାଣୀ ଗାଇଦିନଲ୍ୟୁ, ତନ୍ତ୍ୟା ଭିଲ୍, ଆଲ୍ଲୁରି ସୀତାରାମ ରାଜୁ ଓ ରାଣୀ ଦୁର୍ଗାବତୀଙ୍କ ସାହସିକତାର ଉଲ୍ଲେଖ କରିଥିଲେ। ଏହି ସମସ୍ତ ସ୍ୱାଧୀନତା ସଂଗ୍ରାମର ମହାନ ପରମ୍ପରା ଉପରେ ଆଲୋକପାତ କରି ସେ କହିଥିଲେ, “ଏହି ସମସ୍ତ ବୀରତ୍ୱର ଗାଥା ସହ ଭଗବାନ ବିର୍ସା ମୁଣ୍ଡାଙ୍କ ଉଲ୍ଗୁଲାନ୍ ଏବଂ ଅଳ୍ପ ବୟସରେ ତାଙ୍କର ସଂଗ୍ରାମ ଆଜି ମଧ୍ୟ କୋଟି କୋଟି ଦେଶବାସୀଙ୍କ ପାଇଁ ଏକ ବଡ଼ ପ୍ରେରଣା ହୋଇ ରହିଛି।”
ଜନଜାତୀୟ ଗୌରବ ଦିବସ ଅବସରରେ ବିଭିନ୍ନ ରାଜ୍ୟରେ ୩,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ୧୭୦ରୁ ଊର୍ଦ୍ଧ୍ୱ ଜନଜାତି ବିକାଶ ପ୍ରକଳ୍ପର ଉଦ୍ଘାଟନ ଏବଂ ୭୦ରୁ ଅଧିକ ପ୍ରକଳ୍ପର ଶିଳାନ୍ୟାସ କରାଯାଇଥିବା ପ୍ରଧାନମନ୍ତ୍ରୀ ଉଲ୍ଲେଖ କହିଥିଲେ। ସେ କହିଥିଲେ ମିଜୋରାମରେ ସ୍ୱାଧୀନତା ସଂଗ୍ରାମୀ ରୋପୁଇଲିଆନିଙ୍କ ନାମରେ ଏକ ସଂଗ୍ରହାଳୟ ଏବଂ ଅରୁଣାଚଳ ପ୍ରଦେଶରେ ନୂତନ ଜନଜାତୀୟ ଗବେଷଣା ପ୍ରତିଷ୍ଠାନର କୋଠା ଉଦ୍ଘାଟିତ ହୋଇଛି। ଏଥିସହ ଶିକ୍ଷାନୁଷ୍ଠାନ, ସ୍ୱାସ୍ଥ୍ୟସେବା, ଜନଜାତି ଉତ୍ପାଦ ବିପଣନ କେନ୍ଦ୍ର ଏବଂ ଗ୍ରାମୀଣ ଭିତ୍ତିଭୂମି ସମ୍ପର୍କିତ କାର୍ଯ୍ୟ ମଧ୍ୟ ସାମିଲ ରହିଛି। ଏହି ସମସ୍ତ ପ୍ରକଳ୍ପ ପାଇଁ ସେ ଦେଶବାସୀଙ୍କୁ ହୃଦୟରୁ ଅଭିନନ୍ଦନ ଜଣାଇଥିଲେ।
ଚଳିତ ବର୍ଷର ଜନଜାତୀୟ ଗୌରବ ଦିବସ ଦେଶର ଦୁଇଟି ଐତିହାସିକ ସଫଳତାର ବ୍ୟାପକ ଚର୍ଚ୍ଚା ମଧ୍ୟରେ ପାଳନ ହେଉଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ପ୍ରାୟ ୫୦ କୋଟି ନାଗରିକ ଅତ୍ୟନ୍ତ ଦାରିଦ୍ର୍ୟରୁ ମୁକ୍ତ ହେବା ଏବଂ ଭାରତ ନକ୍ସଲବାଦ ଓ ମାଓବାଦୀ ଆତଙ୍କରୁ ମୁକ୍ତି ପାଇବା ଏହି ଦୁଇଟି ଐତିହାସିକ ଉପଲବ୍ଧି। ଏହି ଉଭୟ ସଫଳତା ଜନଜାତି ଅଞ୍ଚଳ ଓ ଜନଜାତି ଭାଇଭଉଣୀଙ୍କ ଜୀବନ ସହ ଗଭୀର ଭାବେ ଜଡ଼ିତ ବୋଲି ଶ୍ରୀ ମୋଦୀ କହିଥିଲେ।
ଗତ ୧୨ରୁ ୧୩ ବର୍ଷ ମଧ୍ୟରେ ପ୍ରାୟ ୫୦ କୋଟି ଭାରତୀୟ ଅତ୍ୟନ୍ତ ଦାରିଦ୍ର୍ୟରୁ ମୁକ୍ତ ହୋଇଥିବା ନେଇ ବିଶ୍ୱବ୍ୟାଙ୍କର ସଦ୍ୟତମ ରିପୋର୍ଟର ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଏହାକୁ ସ୍ୱାଧୀନତା ପରବର୍ତ୍ତୀ ଭାରତର ଅନ୍ୟତମ ଶ୍ରେଷ୍ଠ ସଫଳତା ବୋଲି ବର୍ଣ୍ଣନା କରିଥିଲେ। ଏହି ସଫଳତା କୌଣସି ଗୋଟିଏ ସରକାରଙ୍କ ଦ୍ୱାରା ନୁହେଁ, ବରଂ ସମାଜର ସାମୂହିକ ଶକ୍ତି, ପ୍ରତ୍ୟେକ ନାଗରିକଙ୍କ ପରିଶ୍ରମ ଏବଂ ଆଦିବାସୀଙ୍କ କଲ୍ୟାଣ ପାଇଁ କେନ୍ଦ୍ର ସରକାରଙ୍କ ଲକ୍ଷ୍ୟଭିତ୍ତିକ ଯୋଜନା ଓ ନିଷ୍ପତ୍ତିର ଫଳ ବୋଲି ସେ କହିଥିଲେ। ଏହି ସଫଳତା ପାଇଁ ସମସ୍ତ ଦେଶବାସୀ, ବିଶେଷକରି ଆଦିବାସୀ ଭାଇଭଉଣୀଙ୍କୁ ସେ ହୃଦୟରୁ ଅଭିନନ୍ଦନ ଜଣାଇଥିଲେ।
ଲକ୍ଷ ଲକ୍ଷ ଲୋକଙ୍କ ଦାରିଦ୍ର୍ୟରୁ ମୁକ୍ତିକୁ ଦଶନ୍ଧି ଦଶନ୍ଧି ଧରି ବିକାଶରୁ ବଞ୍ଚିତ ଲୋକଙ୍କୁ ପ୍ରାଥମିକତା ଦେବାର ଦୃଢ଼ ସଂକଳ୍ପ ପୂରଣ ହେବାର ପ୍ରତୀକ ଭାବେ ପ୍ରଧାନମନ୍ତ୍ରୀ ବର୍ଣ୍ଣନା କରିଥିଲେ। ମୌଳିକ ସୁବିଧାରୁ ବଞ୍ଚିତ ଅତ୍ୟନ୍ତ ପଛୁଆ ଆଦିବାସୀ ଅଞ୍ଚଳଗୁଡ଼ିକରେ ସରକାର ସମସ୍ତ ଶକ୍ତି ନିୟୋଜିତ କରିଥିଲେ। ପିଏମ୍-ଜନମନ ଯୋଜନା ଏବଂ ଧରତୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ ପାଇଁ ଏକ ଲକ୍ଷ କୋଟି ଟଙ୍କାରୁ ଅଧିକ ଅର୍ଥ ବ୍ୟୟବରାଦ କରାଯାଇଛି। ସ୍ୱାଧୀନତା ପରେ ଯେଉଁ ପରିବାରଗୁଡ଼ିକ ନିକଟରେ ସବୁଠାରୁ ଶେଷରେ ସୁବିଧା ପହଞ୍ଚିଥିଲା, ସେମାନଙ୍କ ନିକଟରେ ଏବେ ସବୁଠାରୁ ଶୀଘ୍ର ସୁବିଧା ପହଞ୍ଚାଇବା ଆମର ପ୍ରୟାସ ଥିଲା ବୋଲି ଶ୍ରୀ ମୋଦୀ କହିଥିଲେ।
ଗରିବ ଓ ବଞ୍ଚିତ ବର୍ଗଙ୍କୁ ପ୍ରାଥମିକତା ଦେବା ପାଇଁ ସରକାରଙ୍କ ପ୍ରତିବଦ୍ଧତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଗରିବଙ୍କ ପାଇଁ ୪ କୋଟିରୁ ଅଧିକ ପକ୍କା ଘର ନିର୍ମାଣ କରାଯାଇଛି। ସ୍ୱାଧୀନତା ପରେ ଦଶନ୍ଧି ଦଶନ୍ଧି ଧରି ଅନ୍ଧକାରରେ ରହିଥିବା ୧୮ ହଜାର ଗାଁକୁ ବିଦ୍ୟୁତ୍ ସଂଯୋଗ ଦିଆଯାଇଛି। ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା ଏବଂ ୧.୭୫ ଲକ୍ଷରୁ ଅଧିକ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପ୍ରତିଷ୍ଠା ଦ୍ୱାରା ଦୁର୍ଗମ ଆଦିବାସୀ ଅଞ୍ଚଳରେ ସ୍ୱାସ୍ଥ୍ୟସେବା ପହଞ୍ଚିଛି। ଗ୍ରାମୀଣ ସ୍ୱଚ୍ଛତାର ପ୍ରଭାବ ଉପରେ ମଧ୍ୟ ସେ ଆଲୋକପାତ କରିଥିଲେ। “ଗରିବ ପରିବାରଗୁଡ଼ିକ ଶୌଚାଳୟ ପାଇବା ସହ ସ୍ୱଚ୍ଛତା ସୁବିଧା ବୃଦ୍ଧି ପାଇଲା ଏବଂ ଅନେକ ରୋଗର ଆଶଙ୍କା ମଧ୍ୟ ହ୍ରାସ ପାଇଲା,” ପ୍ରଧାନମନ୍ତ୍ରୀ କହିଥିଲେ।
ଦାରିଦ୍ର୍ୟ ଦୂରୀକରଣ ପାଇଁ ଗରିବ ପରିବାରଗୁଡ଼ିକର ଆୟ ସୁଯୋଗ ବୃଦ୍ଧି କରିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ମୁଦ୍ରା ଯୋଜନା ଅଧୀନରେ ବିନା ବନ୍ଧକରେ ଲକ୍ଷ ଲକ୍ଷ କୋଟି ଟଙ୍କାର ଋଣ ପ୍ରଦାନ କରାଯାଇଛି। ଏହାଦ୍ୱାରା ଗରିବ, ଦଳିତ, ପଛୁଆ ବର୍ଗ ଓ ଆଦିବାସୀ ସମ୍ପ୍ରଦାୟର ଲୋକମାନେ ଉପକୃତ ହୋଇଛନ୍ତି। “ଏହା ଦ୍ୱାରା ସେମାନଙ୍କ ମଧ୍ୟରେ ଆଗକୁ ବଢ଼ିବା ପାଇଁ ଏକ ନୂତନ ଆତ୍ମବିଶ୍ୱାସ ସୃଷ୍ଟି ହୋଇଛି,” ବୋଲି ଶ୍ରୀ ମୋଦୀ କହିଥିଲେ।
ଦୀର୍ଘଦିନ ଧରି ବିକାଶରେ ପଛୁଆ ରହିଥିବା ଅଞ୍ଚଳଗୁଡ଼ିକରେ ଲକ୍ଷ୍ୟଭିତ୍ତିକ ପଦକ୍ଷେପ ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଜନଜାତି ଜନସଂଖ୍ୟା ଅଧିକ ଥିବା ୧୦୦ରୁ ଅଧିକ ଆକାଂକ୍ଷୀ ଜିଲ୍ଲା ଏବଂ ୫୦୦ରୁ ଅଧିକ ଆକାଂକ୍ଷୀ ବ୍ଲକ୍ରେ ସ୍ୱତନ୍ତ୍ର ଅଭିଯାନ ଚାଲିଛି। ସେହିପରି ପିଏମ୍ କୃଷି ଧନଧାନ୍ୟ ଯୋଜନା ଅଧୀନରେ ୧୦୦ଟି କୃଷି କ୍ଷେତ୍ରରେ ପଛୁଆ ଜିଲ୍ଲାରେ କୃଷକ, ଗରିବ ପରିବାର ଓ ଜନଜାତି ସମ୍ପ୍ରଦାୟଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି କରିବା ଲକ୍ଷ୍ୟରେ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି। ସାମୂହିକ ପ୍ରୟାସର ପରିବର୍ତ୍ତନକାରୀ ଶକ୍ତି ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କହିଥିଲେ, “ଏହି ସାମୂହିକ ପ୍ରୟାସ ଏବଂ ‘ସବ୍କା ସାଥ୍, ସବ୍କା ବିକାଶ’ ମନ୍ତ୍ର ଦେଶର ଗରିବଙ୍କୁ ନୂତନ ଆତ୍ମବିଶ୍ୱାସ ଦେଇଛି। କୋଟି କୋଟି ଗରିବ ଲୋକ ଦାରିଦ୍ର୍ୟକୁ ପରାସ୍ତ କରି ଏହା ପ୍ରମାଣ କରିଛନ୍ତି।”
ଦେଶର ଦ୍ୱିତୀୟ ପ୍ରମୁଖ ସଫଳତା ନକ୍ସଲବାଦରୁ ମୁକ୍ତି ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଗଡ଼ଚିରୋଲି ସମେତ ଅନ୍ୟ ଆଦିବାସୀ ଅଞ୍ଚଳଗୁଡ଼ିକରେ ନକ୍ସଲବାଦ ଜନଜାତି ସମ୍ପ୍ରଦାୟର ସବୁଠାରୁ ଅଧିକ କ୍ଷତି କରିଥିଲା। ଏକ ସମୟରେ ଦେଶର ପ୍ରାୟ ୧୨୫ଟି ଜିଲ୍ଲା ନକ୍ସଲବାଦ ଦ୍ୱାରା ପ୍ରଭାବିତ ଥିଲା। ପ୍ରତିବର୍ଷ ଶହ ଶହ ହିଂସାକାଣ୍ଡ ଘଟୁଥିଲା ଏବଂ ହଜାର ହଜାର ନିରୀହ ଲୋକଙ୍କ ଜୀବନ ଯାଉଥିଲା। ଏଥିରେ ଅଧିକାଂଶ ଆଦିବାସୀ ଭାଇଭଉଣୀ ଥିଲେ। ଆଜି ନକ୍ସଲବାଦର ଅନ୍ତ ଘଟିବା ପରେ ମାଆମାନେ ଓ ନିରାପତ୍ତା ଫେରିପାଇଥିବା ଭଉଣୀମାନେ ସରକାରଙ୍କୁ ଆଶୀର୍ବାଦ ଦେଉଛନ୍ତି। ଯେଉଁ ଯୁବକମାନଙ୍କ ଶୈଶବ ଦିନେ ଛଡ଼ାଇ ନିଆଯାଇଥିଲା, ସେମାନେ ଆଜି ଶିକ୍ଷା ଓ ରୋଜଗାରର ସୁଯୋଗ ପାଉଛନ୍ତି। କିଛି ଦିନ ପୂର୍ବରୁ ଛତିଶଗଡ଼ର ବସ୍ତରରେ ସୁରକ୍ଷା ବାହିନୀଙ୍କ ସହ ଦୀପାବଳି ପାଳନ କରିଥିବା କଥା ମଧ୍ୟ ପ୍ରଧାନମନ୍ତ୍ରୀ ସ୍ମରଣ କରିଥିଲେ। ଏକ ସମୟରେ ଯେଉଁ ଅଞ୍ଚଳକୁ ଲୋକମାନେ ଯିବାକୁ ଭୟ କରୁଥିଲେ, ଆଜି ସେଠାରେ ଉତ୍ସବର ମାହୋଲ ରହିଛି। “ଗଡ଼ଚିରୋଲି ସମେତ ପୂର୍ବରୁ ନକ୍ସଲ ପ୍ରଭାବିତ ସମସ୍ତ ଅଞ୍ଚଳରେ ଏଥର ଦୀପାବଳିରେ ମାଟିଦୀପ ସହ ଆଶାର ଆଲୋକ ମଧ୍ୟ ଲୋକଙ୍କ ନିକଟରେ ପହଞ୍ଚିଛି,” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।
ଭାରତର ପ୍ରଗତିରେ ଜନଜାତି ସମ୍ପ୍ରଦାୟର ଉତ୍ସାହପୂର୍ଣ୍ଣ ଅବଦାନ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଦେଶର ସର୍ବୋଚ୍ଚ ପଦବୀରେ ଜଣେ ଆଦିବାସୀ କନ୍ୟା ଅଧିଷ୍ଠିତ ଅଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ଦେଶର ସାମୂହିକ ଗର୍ବ ପ୍ରକାଶ କରି ଶ୍ରୀ ମୋଦୀ କହିଥିଲେ, “ଆମେ ସମସ୍ତେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଜୀଙ୍କ ପାଇଁ ଗର୍ବିତ।”
ଜନଜାତୀୟ ଗୌରବ ଦିବସର ଶୁଭେଚ୍ଛା ଜଣାଇ ନିଜ ଅଭିଭାଷଣ ଶେଷ କରିବା ସମୟରେ ପ୍ରଧାନମନ୍ତ୍ରୀ ଭଗବାନ ବିର୍ସା ମୁଣ୍ଡାଙ୍କ ଜୀବନରୁ ପ୍ରେରଣା ନେବାକୁ ଦେଶବାସୀଙ୍କୁ ଆହ୍ୱାନ କରିଥିଲେ। “ଆଜି ଭଗବାନ ବିର୍ସା ମୁଣ୍ଡାଙ୍କଠାରୁ ପ୍ରେରଣା ନେଇ ବିକଶିତ ଭାରତର ସ୍ୱପ୍ନ ପୂରଣ ପାଇଁ ଆମକୁ ଆହୁରି ଅଧିକ ଶକ୍ତି ଓ ସମୟ ନିୟୋଜିତ କରିବାର ଅବସର ଉପନୀତ,” ପ୍ରଧାନମନ୍ତ୍ରୀ କହିଥିଲେ।
***
TKM