ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟ
azadi ka amrit mahotsav

ଦିଲ୍ଲୀ-ଏନ୍‌ସିଆର୍‌ରେ ବାୟୁ ପ୍ରଦୂଷଣ ରୋକିବାକୁ ପଦକ୍ଷେପର ସମୀକ୍ଷା କଲେ କେନ୍ଦ୍ର ପରିବେଶ ମନ୍ତ୍ରୀ


କେବଳ ଯୋଜନାରେ ସୀମିତ ନ ରହି ଦୃଢ଼, ସମୟବଦ୍ଧ ଓ ସମନ୍ୱିତ ଭାବେ ତୃଣମୂଳ ସ୍ତରରେ କାର୍ଯ୍ୟାନୁଷ୍ଠାନ ଉପରେ ଗୁରୁତ୍ବ

ପୋଷ୍ଟ କରାଯିବା ଦିନାଙ୍କ: 14 NOV 2026 1:52PM by PIB Bhubaneswar

କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଯାଦବ ଆଜି ଦିଲ୍ଲୀ-ରାଷ୍ଟ୍ରୀୟ ରାଜଧାନୀ କ୍ଷେତ୍ର (ଦିଲ୍ଲୀ-ଏନ୍‌ସିଆର)ରେ ବାୟୁ ପ୍ରଦୂଷଣ ହ୍ରାସ ପାଇଁ ଦିଲ୍ଲୀ, ହରିୟାଣା, ଉତ୍ତରପ୍ରଦେଶ ଓ ରାଜସ୍ଥାନ ସରକାରଙ୍କ ପକ୍ଷରୁ ନିଆଯାଇଥିବା ପଦକ୍ଷେପର ସମୀକ୍ଷା କରିଛନ୍ତି। ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ପ୍ରସ୍ତୁତ ବିସ୍ତୃତ କାର୍ଯ୍ୟଯୋଜନାର ପ୍ରଭାବଶାଳୀ କାର୍ଯ୍ୟକାରିତା ଏବଂ ପ୍ରସ୍ତୁତିକୁ ସୁଦୃଢ଼ କରିବା ଲାଗି ଗତ ଏକ ବର୍ଷ ମଧ୍ୟରେ ଶ୍ରୀ ଯାଦବ ଏନ୍‌ସିଆର୍‌ରେ ଆସୁଥିବା ରାଜ୍ୟ ସରକାର ଓ ପୌରସଂସ୍ଥାଗୁଡ଼ିକ ସହ ୩୦ରୁ ଅଧିକ ସମୀକ୍ଷା ବୈଠକ କରିଛନ୍ତି।

ବୈଠକରେ ଦିଲ୍ଲୀର ପରିବେଶ ମନ୍ତ୍ରୀ ସର୍ଦ୍ଦାର ମନଜିନ୍ଦର ସିଂହ ସିର୍ସା, ହରିୟାଣାର ମନ୍ତ୍ରୀ ରାଓ ନରବୀର ସିଂହ ଏବଂ ଉତ୍ତରପ୍ରଦେଶର ମନ୍ତ୍ରୀ ଅରୁଣ କୁମାର ସକ୍ସେନା ଭର୍ଚୁଆଲ୍ ମାଧ୍ୟମରେ ଯୋଗ ଦେଇଥିଲେ। ମନ୍ତ୍ରଣାଳୟର ସଚିବ ନରେନ୍ଦ୍ର ଭୂଷଣ, ଅତିରିକ୍ତ ସଚିବ ଡ. ଅମନଦୀପ ଗର୍ଗ ଏବଂ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି)ର ଅଧ୍ୟକ୍ଷ ତୁର୍କୀର ଅନ୍ତାଲ୍ୟାରୁ ଭର୍ଚୁଆଲ୍ ମାଧ୍ୟମରେ ବୈଠକରେ ସାମିଲ ହୋଇଥିଲେ। ଏନ୍‌ସିଆର୍‌ ରାଜ୍ୟଗୁଡ଼ିକର ଅଗ୍ରଗତି ସମ୍ପର୍କରେ ସିଏକ୍ୟୁଏମ୍‌ର ସଦସ୍ୟ ସଚିବ ତରୁଣ ପିଥୋଡେ ଏକ ଉପସ୍ଥାପନା ପ୍ରଦାନ କରିଥିବାବେଳେ, ଅଧ୍ୟକ୍ଷ ରାଜେଶ ବର୍ମା ବିଭିନ୍ନ ରାଜ୍ୟର କାର୍ଯ୍ୟଯୋଜନାର କ୍ଷେତ୍ରସ୍ତରୀୟ କାର୍ଯ୍ୟକାରିତା ଏବଂ ଅବଶିଷ୍ଟ ପଦକ୍ଷେପଗୁଡ଼ିକ ସମ୍ପର୍କରେ ସୂଚନା ଦେଇଥିଲେ।

ଶୀତଦିନେ ବାୟୁ ପ୍ରଦୂଷଣ ବଢ଼ୁଥିବାରୁ କେନ୍ଦ୍ରମନ୍ତ୍ରୀ ସମସ୍ତ ସଂସ୍ଥାକୁ ଯୋଜନା ପ୍ରସ୍ତୁତିରେ ସୀମିତ ନ ରହି କ୍ଷେତ୍ରସ୍ତରରେ କଠୋର, ସମୟବଦ୍ଧ ଓ ସମନ୍ୱିତ କାର୍ଯ୍ୟାନୁଷ୍ଠାନ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ବାୟୁ ପ୍ରଦୂଷଣ ରାଜ୍ୟ ସୀମା ମାନେ ନାହିଁ ବୋଲି ଉଲ୍ଲେଖ କରି ସେ ଏନ୍‌ସିଆର୍‌ର ସମସ୍ତ ଅଞ୍ଚଳରେ ସମାନ ଧରଣର ପ୍ରଦୂଷଣ ନିୟନ୍ତ୍ରଣ ପଦକ୍ଷେପର ସମନ୍ୱିତ କାର୍ଯ୍ୟକାରିତା ଉପରେ ଗୁରୁତ୍ୱ ଦେଇଥିଲେ। ଏଥିସହ ଇଣ୍ଟିଗ୍ରେଟେଡ୍ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ୍ ସେଣ୍ଟର (ଆଇସିସିସି) ମାଧ୍ୟମରେ ବାସ୍ତବ ସମୟରେ ନିରୀକ୍ଷଣ ଏବଂ ନିୟମ ଉଲ୍ଲଂଘନ ପାଇଁ କ୍ଷେତ୍ରସ୍ତରୀୟ ଅଧିକାରୀଙ୍କ ସିଧାସଳଖ ଉତ୍ତରଦାୟିତ୍ୱ ନିର୍ଦ୍ଧାରଣ ଉପରେ ସେ ଜୋର୍ ଦେଇଥିଲେ। ହରିୟାଣାର ୭ଟି, ଉତ୍ତରପ୍ରଦେଶର ୪ଟି ଏବଂ ରାଜସ୍ଥାନର ୪ଟି ସହରରେ ପ୍ରଦୂଷଣ ନିୟନ୍ତ୍ରଣ ପଦକ୍ଷେପର କାର୍ଯ୍ୟକାରିତା ତଦାରଖ କରିବା ପାଇଁ ସଚିବ ସ୍ତରର ଅଧିକାରୀଙ୍କୁ ନିଯୁକ୍ତ କରିବାକୁ ରାଜ୍ୟ ସରକାରଙ୍କୁ କୁହାଯାଇଛି। ଏହି ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ କରିବା ସହ ସାପ୍ତାହିକ ଭିତ୍ତିରେ ସିଏକ୍ୟୁଏମ୍‌କୁ ରିପୋର୍ଟ ଦେବେ। କାର୍ଯ୍ୟରେ ଅବହେଳା କରୁଥିବା ଅଧିକାରୀଙ୍କୁ ନୋଟିସ୍ ଜାରି କରିବାକୁ ସିଏକ୍ୟୁଏମ୍‌କୁ ଅନୁରୋଧ କରାଯାଇଛି।

ସମସ୍ତ ସମ୍ପୃକ୍ତ ରାଜ୍ୟରେ ଏଏନ୍‌ପିଆର୍‌ କ୍ୟାମେରା ସ୍ଥାପନ କରିବାକୁ ଶ୍ରୀ ଯାଦବ ଗୁରୁତ୍ୱ ଦେଇଥିଲେ। ଏହା କରା ନ ଗଲେ ୩୦ ନଭେମ୍ବର ୨୦୨୬ ପରେ ଦାୟିତ୍ୱରେ ଅବହେଳା କରୁଥିବା ପରିବହନ ବିଭାଗର ଅଧିକାରୀଙ୍କ ବିରୋଧରେ ସିଏକ୍ୟୁଏମ୍‌ ଅପରାଧିକ ମାମଲା ଆରମ୍ଭ କରିବ। ବାରମ୍ବାର ନିର୍ଦ୍ଦେଶ ସତ୍ତ୍ୱେ ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ଉପକରଣ (ଏପିସିଡି) ସ୍ଥାପନ ପାଇଁ ଅର୍ଡର ମଧ୍ୟ ଦେଇ ନ ଥିବା ୧୯୧ଟି ଚିହ୍ନଟ ପ୍ରଦୂଷଣକାରୀ ଶିଳ୍ପକୁ ତୁରନ୍ତ ସିଲ୍ କରିବାକୁ ସିପିସିବିକୁ ନିର୍ଦ୍ଦେଶ ଦିଆଯାଇଛି। ତ୍ୱରିତ ସଂଶୋଧନମୂଳକ ପଦକ୍ଷେପ ସୁନିଶ୍ଚିତ କରିବା ପାଇଁ ପ୍ରତ୍ୟେକ ରାଜ୍ୟର ହଟ୍‌ସ୍ପଟ୍ କାର୍ଯ୍ୟଯୋଜନାର ନିୟମିତ ସମୀକ୍ଷା ପରିବେଶ ମନ୍ତ୍ରଣାଳୟର ସଚିବ, ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟର ସଚିବ, ସିପିସିବି ଅଧ୍ୟକ୍ଷ, ସିଏକ୍ୟୁଏମ୍‌ ଅଧ୍ୟକ୍ଷ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ କରିବେ। କେନ୍ଦ୍ର ପରିବେଶ ମନ୍ତ୍ରୀ ନିଜେ ମଧ୍ୟ ସମ୍ପୃକ୍ତ ରାଜ୍ୟ ମନ୍ତ୍ରୀମାନଙ୍କ ସହ ନିୟମିତ କ୍ଷେତ୍ର ପରିଦର୍ଶନ କରିବେ ବୋଲି ଶ୍ରୀ ଯାଦବ କହିଥିଲେ।

ବିଭିନ୍ନ କାର୍ଯ୍ୟକାରୀ ପ୍ରସଙ୍ଗ ଉପରେ ନିମ୍ନଲିଖିତ ବିଷୟଭିତ୍ତିକ ବିସ୍ତୃତ ନିର୍ଦ୍ଦେଶ ଦିଆଯାଇଛି:

୧. ଜିଆରଏପି ଓ ଶୀତକାଳୀନ କାର୍ଯ୍ୟଯୋଜନାର କଠୋର କାର୍ଯ୍ୟାନ୍ବୟନ: କେନ୍ଦ୍ରମନ୍ତ୍ରୀ ସମସ୍ତ ସଂସ୍ଥାକୁ ଜିଆର୍‌ଏପିର କଠୋର କାର୍ଯ୍ୟନ୍ବୟନ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେବା ସହ ଏନ୍‌ସିଆର୍‌ ରାଜ୍ୟଗୁଡ଼ିକୁ ଦିଲ୍ଲୀର ପ୍ରଦୂଷଣ ହଟ୍‌ସ୍ପଟ୍‌-କୈନ୍ଦ୍ରୀକ ଶୀତକାଳୀନ କାର୍ଯ୍ୟଯୋଜନା ଗ୍ରହଣ କରିବାକୁ କହିଥିଲେ। ଏଥିରେ ଟ୍ରାଫିକ୍ ପରିଚାଳନା, ଘରୁ କାର୍ଯ୍ୟ (ୱାର୍କ ଫ୍ରମ୍ ହୋମ୍), ନିର୍ମାଣ କାର୍ଯ୍ୟ ଉପରେ କଟକଣା ଏବଂ ଖୋଲା ସ୍ଥାନରେ ଆବର୍ଜନା ଜାଳିବାକୁ ରୋକିବା ଆଦି ସାମିଲ ରହିଛି। ସିଏକ୍ୟୁଏମ୍‌ର ଅକ୍ଟୋବର ୩୦ ନିର୍ଦ୍ଦେଶ ଅନୁଯାୟୀ, ନଭେମ୍ବର ୫ରୁ ୨୦ ତାରିଖ ପର୍ଯ୍ୟନ୍ତ ଏନ୍‌ସିଆର୍‌ରେ ଧୂଳି ସୃଷ୍ଟି କରୁଥିବା ନିର୍ମାଣ ଓ ଭଙ୍ଗାଭଙ୍ଗି (ସିଆଣ୍ଡଡି) କାର୍ଯ୍ୟକଳାପ ଉପରେ କଟକଣା ଲଗାଯାଇଛି।

୨. ସଡ଼କ ଧୂଳି ନିୟନ୍ତ୍ରଣ ଓ ଟ୍ରାଫିକ୍ ପରିଚାଳନା: ସଡ଼କ ଧୂଳି ନିୟନ୍ତ୍ରଣର ସମୀକ୍ଷା କରି ଶ୍ରୀ ଯାଦବ କହିଥିଲେ ଯେ, ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ୫,୪୮୦ କିଲୋମିଟର ସଡ଼କ ମଧ୍ୟରୁ ମାତ୍ର ୩,୨୨୧ କିଲୋମିଟରର ପୁନର୍ନିର୍ମାଣ କାର୍ଯ୍ୟ ସମ୍ପନ୍ନ ହୋଇଛି। ସିଏକ୍ୟୁଏମ୍‌ର ନିର୍ଦ୍ଦିଷ୍ଟ ଢାଞ୍ଚା ଅନୁଯାୟୀ ରାସ୍ତାର ଖାଲଖମା ମରାମତି, ନଷ୍ଟ ହୋଇଥିବା ଫୁଟ୍‌ପାଥ୍‌, ମଧ୍ୟଭାଗର ଡିଭାଇଡର୍‌ ଓ ରାସ୍ତାର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପକ୍କା କରିବା ସହ ଏଆଇ ଆଧାରିତ ଭିଡିଓ ସର୍ଭେକୁ ପ୍ରାଥମିକତା ଦେବାକୁ ସେ ସଡ଼କ ରକ୍ଷଣାବେକ୍ଷଣ ସଂସ୍ଥାଗୁଡ଼ିକୁ ନିର୍ଦ୍ଦେଶ ଦେଇଥିଲେ। ସଡ଼କ ସଫେଇ ମେସିନ୍‌ଗୁଡ଼ିକର ସମ୍ପୂର୍ଣ୍ଣ ଉପଯୋଗ ସହ ଦୁଇଟି ସିଫ୍ଟରେ ସେଗୁଡ଼ିକ ଚଳାଇବା, ଡିଜିଟାଲ୍ ଟ୍ରାକିଂ ଏବଂ ଆଇସିସିସି ମାଧ୍ୟମରେ ଏଆଇ ଆଧାରିତ ନିରୀକ୍ଷଣ କରିବାକୁ କୁହାଯାଇଛି। ଏଥିସହ ଗଭୀର ସଫେଇ ଅଭିଯାନକୁ ତୀବ୍ର କରିବା ଏବଂ ରାସ୍ତାରୁ ଜମିଥିବା ବାଲି, ନିର୍ମାଣ ଓ ଭଙ୍ଗାଭଙ୍ଗି ଆବର୍ଜନା (ସି ଆଣ୍ଡ ଡି ୱେଷ୍ଟ) ଏବଂ ପୌର ଆବର୍ଜନା ହଟାଇବାକୁ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ଟ୍ରାଫିକ୍ ଭିଡ଼ ହ୍ରାସ ପାଇଁ ଏନ୍‌ସିଆର୍‌ରେ ଚିହ୍ନଟ ୨୩୩ଟି ଗହଳି ସ୍ଥାନରେ ତୁରନ୍ତ ପଦକ୍ଷେପ ନେବା ସହ ସମ୍ପୃକ୍ତ ରାଜ୍ୟଗୁଡ଼ିକୁ ନୂତନ ଭାବେ ମୂଲ୍ୟାୟନ କରିବାକୁ କେନ୍ଦ୍ରମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଦିଲ୍ଲୀର ୧୫୪ଟି ସୀମା ପ୍ରବେଶ ପଥରେ ମଲ୍ଟି-ଲେନ୍ ଫ୍ରି ଫ୍ଲୋ (ଏମ୍‌ଏଲ୍‌ଏଫ୍‌ଏଫ୍‌) ବ୍ୟବସ୍ଥା ସ୍ଥାପନ କାର୍ଯ୍ୟ ୩୧ ଡିସେମ୍ବର ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ଏମ୍‌ସିଡିକୁ କୁହାଯାଇଛି।

୩. ଯାନବାହନ ଓ ଶିଳ୍ପ ପ୍ରଦୂଷଣ: ଶ୍ରୀ ଯାଦବ ୨୦୨୮ ସୁଦ୍ଧା ପୁରୁଣା ବିଏସ୍‌-୬ ପୂର୍ବବର୍ତ୍ତୀ ଟ୍ରକ୍ ଓ ବସ୍‌ଗୁଡ଼ିକୁ ବିଏସ୍‌-୬, ସିଏନ୍‌ଜି ଏବଂ ବୈଦ୍ୟୁତିକ ଯାନରେ ପରିବର୍ତ୍ତନ କରିବା ପାଇଁ ‘ପରିବର୍ତ୍ତନ’ ଯୋଜନାକୁ ତ୍ୱରାନ୍ୱିତ କରିବାକୁ କହିଥିଲେ। ବିଶେଷକରି ଉତ୍ତରପ୍ରଦେଶ, ରାଜସ୍ଥାନ ଓ ହରିୟାଣାରେ ହିତାଧିକାରୀଙ୍କ ପଞ୍ଜୀକରଣ ତ୍ୱରାନ୍ୱିତ କରିବା ଲାଗି ତୁରନ୍ତ ରାଜ୍ୟସ୍ତରରେ ‘ପରିବର୍ତ୍ତନ ମେଳା’ ଆୟୋଜନ କରିବାକୁ ସେ ଆହ୍ୱାନ ଦେଇଥିଲେ। ପୁରୁଣା ଓ ପ୍ରଦୂଷଣକାରୀ ଯାନବାହନ ବିରୋଧରେ ଅଧିକ କଠୋର ପଦକ୍ଷେପ ନେବା ପାଇଁ ଇନ୍ଧନ ବିକ୍ରୟ କେନ୍ଦ୍ରଗୁଡ଼ିକରେ ଏଏନ୍‌ପିଆର୍‌ (ANPR) ଆଧାରିତ ନିରୀକ୍ଷଣ ବ୍ୟବସ୍ଥା ସ୍ଥାପନକୁ ତ୍ୱରାନ୍ୱିତ କରିବା ସହ ଏହାକୁ ଯାନ (VAHAN) ଏବଂ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (PUCC) ଡାଟାବେସ୍‌ ସହ ସଂଯୋଗ କରିବାକୁ ରାଜ୍ୟଗୁଡ଼ିକୁ କୁହାଯାଇଥିଲା। ଶିଳ୍ପଜନିତ ନିର୍ଗମନ ସମ୍ପର୍କରେ ମନ୍ତ୍ରୀ କହିଥିଲେ ଯେ, ଲକ୍ଷ୍ୟ ଧାର୍ଯ୍ୟ ୨,୩୪୫ଟି ଶିଳ୍ପ ମଧ୍ୟରୁ ୨,୨୯୮ଟି (୯୮ ପ୍ରତିଶତ) ଓସିଇଏମ୍‌ଏସ୍‌ (OCEMS) ସହ ସଂଯୋଗ ହୋଇଛି। ଅବଶିଷ୍ଟ ୪୭ଟି ଶିଳ୍ପକୁ ବନ୍ଦ କିମ୍ବା ସିଲ୍ କରାଯାଇଛି। ପାର୍ଟିକୁଲେଟ ମ୍ୟାଟର ନିର୍ଗମନ ପାଇଁ ୫୦ ମିଲିଗ୍ରାମ୍‌/ଏନ୍‌ଏମ୍‌³ ମାନଦଣ୍ଡର କଠୋର ଅନୁପାଳନ ସୁନିଶ୍ଚିତ କରିବାକୁ ସେ କହିଥିଲେ। ଏହି ମାନଦଣ୍ଡ ପାଳନ କରୁ ନ ଥିବା ଶିଳ୍ପଗୁଡ଼ିକ ବିରୋଧରେ ଆବଶ୍ୟକ ସ୍ଥଳେ ବନ୍ଦ, ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ ଏବଂ ସିଲ୍ କରିବା ଭଳି ପଦକ୍ଷେପ ନିଆଯିବ। ୨୦୨୬ ଅକ୍ଟୋବର ୧ରୁ ୨୦୨୭ ଫେବ୍ରୁଆରୀ ୨୮ ପର୍ଯ୍ୟନ୍ତ କାର୍ଯ୍ୟକାରୀ ଥିବା ସିପିସିବିର ଶୀତକାଳୀନ ଅନୁପାଳନ ମାନକ କାର୍ଯ୍ୟପଦ୍ଧତି (SOP) ଅନୁଯାୟୀ ଏନ୍‌ସିଆର୍‌ରେ ଓସିଇଏମ୍‌ଏସ୍‌ ଆଧାରିତ ସତର୍କ ସୂଚନା ଓ ନିରୀକ୍ଷଣ କେନ୍ଦ୍ରଗୁଡ଼ିକ କାର୍ଯ୍ୟକ୍ଷମ କରାଯାଇଛି ବୋଲି ସେ ଉଲ୍ଲେଖ କରିଥିଲେ। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡଗୁଡ଼ିକୁ ‘ସ୍ୱଚ୍ଛ ପବନ ନୀଳ ଗଗନ, ସ୍ୱସ୍ଥ ଏନ୍‌ସିଆର୍‌’ (SPNG-NCR) ଯୋଜନା ଅଧୀନରେ ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ଉପକରଣ (APCDs) ସ୍ଥାପନ ପାଇଁ କ୍ଷୁଦ୍ର, ଲଘୁ ଓ ମଧ୍ୟମ ଉଦ୍ୟୋଗଗୁଡ଼ିକୁ ଆର୍ଥିକ ସହାୟତା ଉପଲବ୍ଧ କରାଇବା ସହ ନିୟମ ଅନୁପାଳନ କରୁ ନ ଥିବା ପ୍ରଦୂଷଣକାରୀ ଶିଳ୍ପଗୁଡ଼ିକ ବିରୋଧରେ ଅଣ-ଅନୁମୋଦିତ ଅଞ୍ଚଳରେ କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଥିଲା।

୪. ଆବର୍ଜନା ପରିଚାଳନା ଓ ଖୋଲା ସ୍ଥାନରେ ଆବର୍ଜନା ଜାଳିବାକୁ ରୋକିବା: ପୌର କଠିନ ଆବର୍ଜନା ପ୍ରକ୍ରିୟାକରଣ କ୍ଷମତାରେ ଥିବା ୬,୭୪୭ ଟନ୍‌ ପ୍ରତିଦିନ (ଟିପିଡି) ଅଭାବକୁ ପୂରଣ କରିବା, ଖୋଲା ସ୍ଥାନରେ ଆବର୍ଜନା ପକାଇବା ଓ ଜାଳିବା ଉପରେ କଠୋର ରୋକ୍‌ ଲଗାଇବା ସହ ଓଖଲା, ଗାଜିପୁର, ଭାଲସ୍ୱା ଓ ବନ୍ଧୱାରୀରେ ଦୀର୍ଘଦିନ ଧରି ଜମି ରହିଥିବା ଆବର୍ଜନାର ଶୀଘ୍ର ନିଷ୍କାସନ ଓ ବିଶୋଧନ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ କେନ୍ଦ୍ରମନ୍ତ୍ରୀ ରାଜ୍ୟଗୁଡ଼ିକୁ କହିଥିଲେ। ୩,୦୦୦ରୁ ଅଧିକ ସକ୍ରିୟ ନିର୍ମାଣ ଓ ଭଙ୍ଗାଭଙ୍ଗି କାର୍ଯ୍ୟସ୍ଥଳ (ସିଆଣ୍ଡଡି ସାଇଟ୍‌)ର ଭୌତିକ ଯାଞ୍ଚ, ଦ୍ୱିତୀୟ ପର୍ଯ୍ୟାୟ ଆବର୍ଜନା ସଂଗ୍ରହ କେନ୍ଦ୍ରରୁ ଠିକ୍ ସମୟରେ ଆବର୍ଜନା ଉଠାଇବା, ପୁନଃଚକ୍ରଣ କେନ୍ଦ୍ରଗୁଡ଼ିକୁ କାର୍ଯ୍ୟକ୍ଷମ ରଖିବା ଏବଂ ଆବର୍ଜନା ସଂଗ୍ରହଠାରୁ ଆରମ୍ଭ କରି ପ୍ରକ୍ରିୟାକରଣ ପର୍ଯ୍ୟନ୍ତ ଆଇସିସିସି ମାଧ୍ୟମରେ ଡିଜିଟାଲ୍ ଟ୍ରାକିଂ ସୁନିଶ୍ଚିତ କରିବାକୁ ସେ ଆହ୍ୱାନ ଦେଇଥିଲେ। ସୁରକ୍ଷା ଓ ପରିମଳ କର୍ମଚାରୀଙ୍କ ପାଇଁ ପ୍ରଦୂଷଣମୁକ୍ତ ତାପ ଉତ୍ପାଦନ ବିକଳ୍ପ ଯୋଗାଇଦେବାକୁ ପୌରସଂସ୍ଥା, ଆବାସିକ କଲ୍ୟାଣ ସଂଘ (ଆର୍‌ଡବ୍ଲ୍ୟୁଏ) ଏବଂ ଘରୋଇ ପ୍ରତିଷ୍ଠାନଗୁଡ଼ିକୁ କୁହାଯାଇଥିଲା। ୱାର୍ଡସ୍ତରୀୟ ଅଧିକାରୀ ଓ ପରିମଳ ନିରୀକ୍ଷକଙ୍କୁ ତଦାରଖ ଏବଂ ଖୋଲା ସ୍ଥାନରେ ଆବର୍ଜନା ଜାଳିବା ରୋକିବା ପାଇଁ ଉତ୍ତରଦାୟୀ କରାଯିବ।

୫. ପ୍ରଦୂଷଣ ହଟ୍‌ସ୍ପଟ୍‌ ପରିଚାଳନା: ନିର୍ଦ୍ଦିଷ୍ଟ ଅଞ୍ଚଳକୁ ଆଧାର କରି ପଦକ୍ଷେପ ନେବାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇ ଶ୍ରୀ ଯାଦବ କହିଥିଲେ ଯେ, ଏନ୍‌ସିଆର୍‌ର ସମସ୍ତ ରାଜ୍ୟ ପ୍ରମୁଖ ସହରଗୁଡ଼ିକରେ ପ୍ରଦୂଷଣ ହଟ୍‌ସ୍ପଟ୍‌ ଚିହ୍ନଟ କରିବା ସହ ଏଥିପାଇଁ ସ୍ୱତନ୍ତ୍ର କାର୍ଯ୍ୟଯୋଜନା ପ୍ରସ୍ତୁତ କରିବା ଆବଶ୍ୟକ। ଏହି ଯୋଜନାରେ ବିଶେଷକରି ବଜାର, ସ୍କୁଲ, ହସ୍ପିଟାଲ, ରେଳଷ୍ଟେସନ ଓ ବସ୍‌ ଟର୍ମିନାଲ୍‌ଗୁଡ଼ିକୁ ସାମିଲ କରିବାକୁ ସେ କହିଥିଲେ।

୬. ପ୍ରଯୁକ୍ତିଭିତ୍ତିକ ନିରୀକ୍ଷଣ ଓ ଜନସହଭାଗିତା: ପ୍ରଯୁକ୍ତି ଆଧାରିତ ନିୟମ କାର୍ଯ୍ୟକାରିତା ଉପରେ ଗୁରୁତ୍ୱ ଦେଇ ମନ୍ତ୍ରୀ ଅକ୍ଟୋବର ୫ରେ ଆରମ୍ଭ ହୋଇଥିବା ଦିଲ୍ଲୀର ଇଣ୍ଟିଗ୍ରେଟେଡ୍ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ୍ ସେଣ୍ଟର (ଆଇସିସିସି) ଏବଂ ସିଏକ୍ୟୁଏମ୍‌ର ‘ପବନ’ (PAVAN) ବ୍ୟବସ୍ଥା ସମ୍ପର୍କରେ ଉଲ୍ଲେଖ କରିଥିଲେ। ଏନ୍‌ସିଆର୍‌ ପାଇଁ ବାୟୁ ଗୁଣବତ୍ତା ନିରୀକ୍ଷଣ ଓ ବିଶ୍ଳେଷଣ ନିମନ୍ତେ ଉଦ୍ଦିଷ୍ଟ ଏହି ପ୍ଲାଟଫର୍ମରେ ବାୟୁର ଗୁଣବତ୍ତା, ନିର୍ଗମନ, ପାଣିପାଗ, ଉପଗ୍ରହ ଏବଂ ନିୟମ ଅନୁପାଳନ ସମ୍ପର୍କିତ ତଥ୍ୟକୁ ଗୋଟିଏ ମଞ୍ଚରେ ସମନ୍ୱିତ କରାଯାଇଛି। ଉଲ୍ଲଂଘନ ଚିହ୍ନଟ ଏବଂ ତ୍ୱରିତ କାର୍ଯ୍ୟାନୁଷ୍ଠାନ ପାଇଁ ସେନ୍ସର, କ୍ୟାମେରା ଓ ଉପଗ୍ରହରୁ ମିଳୁଥିବା ବାସ୍ତବ ସମୟର ତଥ୍ୟକୁ କ୍ଷେତ୍ରସ୍ତରୀୟ ଯାଞ୍ଚ ସହ ବ୍ୟବହାର କରିବା ଉପରେ ଶ୍ରୀ ଯାଦବ ଗୁରୁତ୍ୱାରୋପ କରିଥିଲେ। ଏଥିସହ ଏନ୍‌ସିଆର୍‌ର ସମସ୍ତ ରାଜ୍ୟ ଓ ସମ୍ପୃକ୍ତ ସଂସ୍ଥାଗୁଡ଼ିକୁ ବକେୟା କାର୍ଯ୍ୟଗୁଡ଼ିକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶେଷ କରିବାକୁ ସେ ଆହ୍ୱାନ ଦେଇଥିଲେ। ଏହା ବ୍ୟତିତ ନାଗରିକ, ଆବାସିକ କଲ୍ୟାଣ ସଂଘ (ଆର୍‌ଡବ୍ଲ୍ୟୁଏ), ପରିବହନ ସଂଘ ଏବଂ ନିର୍ମାଣ ଶିଳ୍ପକୁ ସାମିଲ କରି ବ୍ୟାପକ ସୂଚନା, ଶିକ୍ଷା ଓ ଯୋଗାଯୋଗ (IEC) ଅଭିଯାନ ଆରମ୍ଭ କରିବାକୁ କୁହାଯାଇଥିଲା।

ସମୀକ୍ଷା ବୈଠକର ଶେଷରେ କେନ୍ଦ୍ର ପରିବେଶ ମନ୍ତ୍ରୀ କହିଥିଲେ ଯେ, ଦିଲ୍ଲୀ-ଏନ୍‌ସିଆର୍‌ରେ ବାୟୁ ପ୍ରଦୂଷଣ ସମସ୍ୟାର ପ୍ରଭାବଶାଳୀ ମୁକାବିଲା ପାଇଁ ସମନ୍ୱିତ ପ୍ରୟାସ, କ୍ଷେତ୍ରସ୍ତରରେ ଅଧିକାରୀଙ୍କ ଉତ୍ତରଦାୟିତ୍ୱ ଏବଂ ଦୃଶ୍ୟମାନ କାର୍ଯ୍ୟାନୁଷ୍ଠାନ ଅତ୍ୟନ୍ତ ଜରୁରୀ।

***

TKM


(ରିଲିଜ ଆଡି: 2336420) ପରିଦର୍ଶକ କାଉଣ୍ଟର : 6
ଏହି ରିଲିଜ ପଢନ୍ତୁ : English , Urdu , हिन्दी , Tamil , Kannada