ପୋଷ୍ଟ କରାଯିବା ଦିନାଙ୍କ:
02 NOV 2026 8:16PM by PIB Bhubaneswar
ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧୀନସ୍ଥ 'ଯୁବ ବ୍ୟାପାର ବିଭାଗ'ର 'ମେରା ଯୁବ ଭାରତ' (ମାଇଁ ଭାରତ) ଦ୍ୱାରା ଆଜି ୨୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ 'ବିକଶିତ ଭାରତ ଯୁବ ସମ୍ବାଦ : ଆପଣଙ୍କ ମତଦାନ ଜାଣନ୍ତୁ' କାର୍ଯ୍ୟକ୍ରମର ୬୦ଟି ସଂସ୍କରଣ ଆୟୋଜିତ ହୋଇଥିଲା, ଯେଉଁଥିରେ ୧୧,୮୦୦ରୁ ଅଧିକ ଯୁବକଯୁବତୀ ଅଂଶଗ୍ରହଣ କରିଥିଲେ। ଏହି ସଦ୍ୟତମ ପର୍ଯ୍ୟାୟ କାର୍ଯ୍ୟକ୍ରମ ସହିତ, ବର୍ତ୍ତମାନ ସୁଦ୍ଧା ୨୯ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ମୋଟ ୨୨୦ଟି 'ଯୁବ ସମ୍ବାଦ' ଆୟୋଜିତ ହୋଇସାରିଛି, ଯେଉଁଥିରେ ୪୩,୯୯୫ ଜଣ ଯୁବକଯୁବତୀ ଏବଂ ୨୨୦ ଜଣ 'ଯୁବ ଆଇକନ୍' ସାମିଲ ହୋଇଛନ୍ତି।

ଏହି ଜାତୀୟ ଅଭିଯାନ ୨୬ ଅକ୍ଟୋବର ୨୦୨୬ରୁ ୫ ନଭେମ୍ବର ୨୦୨୬ ପର୍ଯ୍ୟନ୍ତ ଚାଲିବ। ଏହା ଅଧୀନରେ ଦେଶର ୫୦୦ଟି ବିଶ୍ୱବିଦ୍ୟାଳୟ, କଲେଜ ଓ ଶିକ୍ଷାନୁଷ୍ଠାନକୁ ସାମିଲ କରିବାର ଲକ୍ଷ୍ୟ ରଖାଯାଇଛି। ଯୁବପିଢ଼ି, ବିଶେଷକରି ପ୍ରଥମ ଥର ପାଇଁ ମତଦାନ କରିବାକୁ ଥିବା ଯୁବ ଭୋଟରଙ୍କ ମଧ୍ୟରେ ନିର୍ବାଚନ ସମ୍ପର୍କିତ ସଚେତନତା ବୃଦ୍ଧି କରିବା ଏବଂ ଗଣତାନ୍ତ୍ରିକ ପ୍ରକ୍ରିୟାରେ ସେମାନଙ୍କର ସଚେତନ ଅଂଶଗ୍ରହଣକୁ ଉତ୍ସାହିତ କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ। ଏହା ମାଧ୍ୟମରେ ଯୁବପିଢ଼ିଙ୍କୁ ମତଦାନ ଅଧିକାର, ନିର୍ବାଚନ ପ୍ରକ୍ରିୟା ଓ ନାଗରିକ ଦାୟିତ୍ୱ ସମ୍ପର୍କରେ ଅବଗତ କରାଯିବା ସହ ନିର୍ବାଚିତ ପ୍ରତିନିଧି, ଯୁବ ଆଇକନ୍ ଏବଂ ଅନ୍ୟ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କ ସହ ଭାବ ବିନିମୟର ସୁଯୋଗ ପ୍ରଦାନ କରାଯାଉଛି।
ନୂଆଦିଲ୍ଲୀରେ, କର୍ପୋରେଟ୍ ବ୍ୟାପାର ତଥା ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟର କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ହର୍ଷ ମାଲହୋତ୍ରା ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସେ ଭୋଟ୍ ଦେବାର ଅଧିକାର, ନିର୍ବାଚନ ପ୍ରକ୍ରିୟାରେ ଅଂଶଗ୍ରହଣର ଗୁରୁତ୍ୱ ଏବଂ ଗଣତନ୍ତ୍ରକୁ ସୁଦୃଢ଼ କରିବାରେ ଦାୟିତ୍ୱବାନ ନାଗରିକ ଭାବରେ ଯୁବବର୍ଗଙ୍କ ଭୂମିକା ସମ୍ପର୍କରେ ନିଜର ମତାମତ ଓ ବିଚାରଧାରା ଉପସ୍ଥାପନ କରିଥିଲେ।
ପଶ୍ଚିମବଙ୍ଗର ନଦିଆଠାରେ ଆୟୋଜିତ କାର୍ଯ୍ୟକ୍ରମରେ ରାଣାଘାଟ (ଏସ୍ସି) ଲୋକସଭା ନିର୍ବାଚନ ମଣ୍ଡଳୀର ସାଂସଦ ଶ୍ରୀ ଜଗନ୍ନାଥ ସରକାର ଯୋଗଦେଇ ଛାତ୍ରଛାତ୍ରୀଙ୍କ ସହ ଭାବ ବିନିମୟ କରିଥିଲେ। ସେହିପରି ଆସାମର ନଗାଓଁଠାରେ ସାଂସଦ ଶ୍ରୀ ଦେବାଶିଷ ଶର୍ମା ଯୁବପିଢ଼ିଙ୍କ ସହ ଆଲୋଚନା କରିଥିଲେ।
ବିହାରର ପୂର୍ବ ଚମ୍ପାରଣ (ମୋତିହାରୀ) ଓ ସିୱାନଠାରେ ଆୟୋଜିତ କାର୍ଯ୍ୟକ୍ରମରେ ସାମୂହିକ ଭାବେ ‘ଗଣତାନ୍ତ୍ରିକ ଶପଥ’ ପାଠ କରାଯାଇଥିଲା। ଏଥିରେ ଅଂଶଗ୍ରହଣକାରୀମାନେ ଦାୟିତ୍ୱସମ୍ପନ୍ନ ନାଗରିକତା ଓ ଗଣତନ୍ତ୍ରରେ ସକ୍ରିୟ ଅଂଶଗ୍ରହଣ ପ୍ରତି ନିଜର ପ୍ରତିବଦ୍ଧତା ଦୋହରାଇଥିଲେ। ସେହିପରି, କଟିହାର ସଦର ବିଧାନସଭା ଆସନର ବିଧାୟକ ତଥା ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଶ୍ରୀ ତାରକିଶୋର ପ୍ରସାଦ କଟିହାରଠାରେ ଆୟୋଜିତ ଯୁବ ସମ୍ବାଦ କାର୍ଯ୍ୟକ୍ରମରେ ଯୁବପିଢ଼ିଙ୍କ ସହ ଆଲୋଚନା କରିଥିଲେ। ନିଜର ମତଦାନର ମହତ୍ତ୍ୱ ବୁଝିବା ସହ ଗଣତନ୍ତ୍ରକୁ ସୁଦୃଢ଼ କରିବାରେ ସକ୍ରିୟ ଯୋଗଦାନ ଦେବାକୁ ସେ ଯୁବପିଢ଼ିଙ୍କୁ ଉତ୍ସାହିତ କରିଥିଲେ।
ହରିୟାଣାର ପାନିପତଠାରେ ଉଷୁ ଖେଳାଳି ତଥା ଯୁବ ଆଇକନ୍ ଆର୍ଯ୍ୟନ ସୁଦ ଯୁବ ଅଂଶଗ୍ରହଣକାରୀଙ୍କ ସହ ଭାବ ବିନିମୟ କରିଥିଲେ। ଏହି ଆଲୋଚନାରେ ରାଜନୀତିରେ ଯୁବପିଢ଼ିଙ୍କ ଭୂମିକା, ମତଦାନ ସଚେତନତା ଏବଂ କ୍ରୀଡ଼ା କ୍ଷେତ୍ରରେ କ୍ୟାରିୟର ସୁଯୋଗ ଉପରେ ଗୁରୁତ୍ୱ ଦିଆଯାଇଥିଲା। ସେହିପରି, ପଞ୍ଜାବର ମାନସାଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୁବ ଆଇକନ୍ ଓ ଅଂଶଗ୍ରହଣକାରୀଙ୍କ ମଧ୍ୟରେ ଏକ ଆଲୋଚନାତ୍ମକ ଅଧିବେଶନ ଅନୁଷ୍ଠିତ ହେବା ସହ ସାମୂହିକ ଭାବେ ‘ଗଣତାନ୍ତ୍ରିକ ଶପଥ’ ପାଠ କରାଯାଇଥିଲା।
ମଧ୍ୟପ୍ରଦେଶର ବରୱାନୀ, ବାଲାଘାଟ, ଭିଣ୍ଡ, ଛିନ୍ଦୱାଡ଼ା, ଡିଣ୍ଡୋରୀ, ଗୁନା, ପନ୍ନା, ରତଲାମ ଓ ସାଗରଠାରେ ଆୟୋଜିତ କାର୍ଯ୍ୟକ୍ରମଗୁଡ଼ିକରେ ଯୁବ ଆଇକନ୍, କ୍ରୀଡ଼ାବିତ୍ ଓ ଜନପ୍ରତିନିଧିଙ୍କ ସହ ଯୁବପିଢ଼ିଙ୍କ ଭାବ ବିନିମୟ ହୋଇଥିଲା। ଏହି ଅବସରରେ ସାମୂହିକ ଭାବେ ‘ଗଣତାନ୍ତ୍ରିକ ଶପଥ’ ପାଠ କରାଯାଇଥିଲା। ଏଥିସହ ଯୁବପିଢ଼ିଙ୍କୁ ‘ମାଇଁ ଭାରତ’ର ବିଭିନ୍ନ ସୁଯୋଗ ଓ ଏହାର ଡିଜିଟାଲ୍ ପ୍ଲାଟଫର୍ମ ସମ୍ପର୍କରେ ଅବଗତ କରାଯାଇଥିଲା।
ଉତ୍ତରପ୍ରଦେଶର ଆମେଥି (ସୁଲତାନପୁର)ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଜଣେ ଯୁବ ଆଇକନ୍ ଉପସ୍ଥାପନା ଦେବା ପରେ ପ୍ରଶ୍ନୋତ୍ତର ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଇନ୍ଫ୍ଲୁଏନ୍ସର ଋଷଭ ମିଶ୍ର ଉପସ୍ଥିତ ଅଂଶଗ୍ରହଣକାରୀଙ୍କୁ ସମ୍ବୋଧିତ କରିବା ସହ କବିତା ପାଠ କରିଥିଲେ। ଡ. ଧନଞ୍ଜୟ ସିଂହ ଓ ଶ୍ରୀ ବିଷୁଭ ମିଶ୍ର ପ୍ରେରଣାଦାୟୀ ଅଭିଭାଷଣ ଦେବା ସହ ଯୁବପିଢ଼ିଙ୍କ ସହ ଭାବ ବିନିମୟ କରିଥିଲେ।
ଏହି କାର୍ଯ୍ୟକ୍ରମଗୁଡ଼ିକ ମାଧ୍ୟମରେ, ମାଇଁ ଭାରତ ଯୁବପିଢ଼ିଙ୍କୁ ଜନପ୍ରତିନିଧି ଏବଂ ଯୁବ ଆଇକନମାନଙ୍କ ସହିତ ଭାବ ବିନିମୟ କରିବା, ନିର୍ବାଚନ ପ୍ରକ୍ରିୟା ବୁଝିବା ଏବଂ ଗଣତାନ୍ତ୍ରିକ ଅଂଶଗ୍ରହଣ ଏବଂ ନାଗରିକ ଦାୟିତ୍ୱ ଉପରେ ଆଲୋଚନାରେ ସାମିଲ ହେବାର ସୁଯୋଗ ପ୍ରଦାନ କରିଆସୁଛି।
*****
SSP