ଗୃହ ନିର୍ମାଣ ଓ ସହରାଞ୍ଚଳ ଦାରିଦ୍ର୍ୟ ଦୂରୀକରଣ ମନ୍ତ୍ରଣାଳୟ
azadi ka amrit mahotsav

ଭୁବନେଶ୍ବରଠାରେ ଜାତୀୟ ସହରାଞ୍ଚଳ ସମ୍ମିଳନୀ ୨୦୨୬ ଉଦ୍‌ଯାପିତ


ବିକଶିତ ଭାରତ-୨୦୪୭ ପାଇଁ ସହରାଞ୍ଚଳ ବିକାଶ ଉପରେ ଗୁରୁତ୍ୱ

“ଆମ ସହରର ଭବିଷ୍ୟତ ଆହ୍ୱାନଗୁଡ଼ିକ ଉପରେ ଆଲୋଚନା କରିବା ସମ୍ମିଳନୀର ଉଦ୍ଦେଶ୍ୟ”: କେନ୍ଦ୍ରମନ୍ତ୍ରୀ ମନୋହର ଲାଲ

ପୋଷ୍ଟ କରାଯିବା ଦିନାଙ୍କ: 25 OCT 2026 3:42PM by PIB Bhubaneswar

 

ବିକଶିତ ଭାରତ-୨୦୪୭ ଲକ୍ଷ୍ୟ ହାସଲ ଦିଗରେ ସହରାଞ୍ଚଳ ପ୍ରଶାସନ, ନଗର ଯୋଜନା ଓ ଜନସେବା ପ୍ରଦାନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଲାଗି ବିଭିନ୍ନ କାର୍ଯ୍ୟକାରୀ ପରାମର୍ଶ ସହ ଜାତୀୟ ସହରାଞ୍ଚଳ ସମ୍ମିଳନୀ-୨୦୨୬ ଆଜି ଭୁବନେଶ୍ୱରଠାରେ ଉଦ୍‌ଯାପିତ ହୋଇଯାଇଛି।

ଉଦ୍‌ଯାପନୀ ଅଭିଭାଷଣରେ କେନ୍ଦ୍ର ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ମନୋହର ଲାଲ ଭାରତର ସହରୀକରଣର ଐତିହାସିକ ବିକାଶଧାରା ଏବଂ ସହରାଞ୍ଚଳ ଭିତ୍ତିଭୂମି ଓ ସେବାର ଉନ୍ନତି ପାଇଁ କେନ୍ଦ୍ର ସରକାରଙ୍କ ନିରନ୍ତର ପ୍ରୟାସ ସମ୍ପର୍କରେ ଆଲୋକପାତ କରିଥିଲେ। ସେ କହିଥିଲେ, “ଆମ ସହରଗୁଡ଼ିକ ଭବିଷ୍ୟତରେ ସାମ୍ନା କରିବାକୁ ଥିବା ଆହ୍ୱାନଗୁଡ଼ିକ ଉପରେ ଆଲୋଚନା କରିବା ହିଁ ଏହି ସମ୍ମିଳନୀର ଉଦ୍ଦେଶ୍ୟ।” ଏହି ଅବସରରେ ସେ ଅମୃତ ଯୋଜନା, ସ୍ୱଚ୍ଛ ଭାରତ ମିଶନ୍-ସହରାଞ୍ଚଳ ଏବଂ ପିଏମ୍ ସ୍ୱନିଧି ଭଳି ଜାତୀୟ ଅଭିଯାନ ମାଧ୍ୟମରେ ପାନୀୟ ଜଳ ଓ ପରିମଳ ସେବାର ସମ୍ପ୍ରସାରଣ, ଆବର୍ଜନା ପରିଚାଳନାରେ ଉନ୍ନତି, ସହରାଞ୍ଚଳ ଯାତାୟାତ ବ୍ୟବସ୍ଥାର ସୁଦୃଢ଼ୀକରଣ ଏବଂ ଆର୍ଥିକ ଅନ୍ତର୍ଭୁକ୍ତୀକରଣ କ୍ଷେତ୍ରରେ ହୋଇଥିବା ଅଗ୍ରଗତିକୁ ଉଲ୍ଲେଖ କରିଥିଲେ। ନିଯୁକ୍ତି କେନ୍ଦ୍ର ଓ ସାର୍ବଜନୀନ ପରିବହନ ବ୍ୟବସ୍ଥା ନିକଟରେ ସୁଲଭ ମୂଲ୍ୟରେ ଗୃହ ଉପଲବ୍ଧ କରାଇବା, ନିର୍ମାଣ କ୍ଷେତ୍ରରେ ପୁନଃଚକ୍ରଣ ବ୍ୟବସ୍ଥାର ପ୍ରେତ୍ସାହନ ଏବଂ ପୁରୁଣା ଆବର୍ଜନାକୁ ବୈଜ୍ଞାନିକ ପଦ୍ଧତିରେ ନିଷ୍କାସନ କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ। ଦେଶର ଅଧାରୁ ଅଧିକ ପୁରୁଣା ଆବର୍ଜନାର ବୈଜ୍ଞାନିକ ନିଷ୍କାସନ ହୋଇସାରିଥିବା ଉଲ୍ଲେଖ କରିବା ସହ ଏହି ପ୍ରୟାସକୁ ଜାରି ରଖିବା ଏବଂ ନୂଆ ଆବର୍ଜନା ଜମା ହେବାକୁ ରୋକିବା ଆବଶ୍ୟକ ବୋଲି ସେ କହିଥିଲେ।

ଉଦ୍‌ଯାପନୀ ଅଧିବେଶନରେ ସ୍ୱାଗତ ଭାଷଣ ଦେଇ ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟର ସହରାଞ୍ଚଳ ବିକାଶ ସଚିବ ସତେନ୍ଦ୍ର ସିଂହ ସାତଟି ବୈଷୟିକ ଅଧିବେଶନର ମୁଖ୍ୟ ନିଷ୍କର୍ଷ ଉପରେ ଆଲୋକପାତ କରିଥିଲେ। ନୀତିଗତ ଆଲୋଚନାକୁ କାର୍ଯ୍ୟକାରୀଯୋଗ୍ୟ ସହରାଞ୍ଚଳ ସମାଧାନରେ ପରିଣତ କରିବା ଉପରେ ସେ ଜୋର୍ ଦେଇଥିଲେ। ସେ କହିଥିଲେ, “କେବଳ ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ନୁହେଁ, ବରଂ ସେବାର ଗୁଣବତ୍ତା ଆଧାରରେ ସଫଳତା ମପାଯିବା ଉଚିତ।” ଜନସେବାର ଉନ୍ନତି ପାଇଁ ଅନୁଷ୍ଠାନଗୁଡ଼ିକର କ୍ଷମତା ବୃଦ୍ଧି, ବିଭିନ୍ନ ସଂସ୍ଥା ମଧ୍ୟରେ ସମନ୍ୱୟ, ପୌରସଂସ୍ଥାଗୁଡ଼ିକର ଆର୍ଥିକ ସ୍ଥିତି ସୁଦୃଢ଼ କରିବା ଏବଂ ଉତ୍ତରଦାୟିତ୍ୱ ବୃଦ୍ଧି ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ସହଯୋଗମୂଳକ ସଂଘୀୟ ବ୍ୟବସ୍ଥାର ଭାବନାକୁ ଦୋହରାଇ ସେ କହିଥିଲେ ଯେ, ସମ୍ମିଳନୀର ପରାମର୍ଶଗୁଡ଼ିକୁ କାର୍ଯ୍ୟକାରୀ କରିବା ଏବଂ ବିକଶିତ ଭାରତ-୨୦୪୭ର ଲକ୍ଷ୍ୟକୁ ଆଗେଇ ନେବା ପାଇଁ ମନ୍ତ୍ରଣାଳୟ ରାଜ୍ୟ, ସହର ଓ ସହଯୋଗୀ ଅନୁଷ୍ଠାନଗୁଡ଼ିକ ସହ ମିଶି କାମ କରିବ।

ଏହି ଅବସରରେ ନୀତି ଆୟୋଗର ସଦସ୍ୟ ରାଜୀବ ଗୌବା ଦେଶରେ ଦ୍ରୁତ ସହରୀକରଣକୁ ସଠିକ୍ ଭାବେ ପରିଚାଳନା କରିବା ପାଇଁ ସହରାଞ୍ଚଳ ଶାସନ, ନଗର ଯୋଜନା ଓ ପୌର ଆର୍ଥିକ ବ୍ୟବସ୍ଥାରେ ବ୍ୟାପକ ସଂସ୍କାର ଆବଶ୍ୟକ ବୋଲି କହିଥିଲେ। ସେ କହିଥିଲେ, “ଆମେ ରାଜ୍ୟ ରାଜଧାନୀରୁ ସହରଗୁଡ଼ିକୁ ପରିଚାଳନା କରିପାରିବା ନାହିଁ। ଛୋଟ ସହରଗୁଡ଼ିକୁ ଅଧିକ କ୍ଷମତା ଦେବା ଆବଶ୍ୟକ।” ସହରାଞ୍ଚଳ ସ୍ଥାନୀୟ ସଂସ୍ଥାଗୁଡ଼ିକୁ ଅଧିକ କ୍ଷମତା ଓ ଆର୍ଥିକ ସ୍ୱାଧୀନତା ପ୍ରଦାନ, ସହର ନେତୃତ୍ୱକୁ ସଶକ୍ତ କରିବା ଏବଂ ପୌରସଂସ୍ଥାଗୁଡ଼ିକର ଉତ୍ତରଦାୟିତ୍ୱ ବୃଦ୍ଧି ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ନିଜସ୍ୱ ରାଜସ୍ୱ ଉତ୍ସକୁ ସୁଦୃଢ଼ କରିବା, ପାରମ୍ପରିକ ଜମି ବ୍ୟବହାର ଯୋଜନାରେ ସଂସ୍କାର ଆଣିବା, ଅଧିକ ଜନଘନତା ବିଶିଷ୍ଟ ଆବାସିକ କ୍ଷେତ୍ର, ମିଶ୍ରିତ ଜମି ବ୍ୟବହାର ଏବଂ ପରିବହନକୈନ୍ଦ୍ରିକ ବିକାଶକୁ ପ୍ରୋତ୍ସାହନ ଦେବା ଦ୍ୱାରା ଗୃହ ମୂଲ୍ୟକୁ ସୁଲଭ କରିବା ସହ ଆର୍ଥିକ ଉତ୍ପାଦକତା ବଢ଼ାଯାଇପାରିବ ବୋଲି ସେ ମତ ଦେଇଥିଲେ। ସହରାଞ୍ଚଳ ଆହ୍ୱାନ ପାଣ୍ଠି ଏବଂ ସହର ଆର୍ଥିକ ଅଞ୍ଚଳ ଭଳି ପଦକ୍ଷେପଗୁଡ଼ିକର ଉଲ୍ଲେଖ କରି ଶ୍ରୀ ଗୌବା ରାଜ୍ୟଗୁଡ଼ିକୁ ମୌଳିକ ସଂସ୍କାର ଗ୍ରହଣ କରିବାକୁ ଆହ୍ୱାନ ଦେଇଥିଲେ। ଜାତୀୟ ସହରାଞ୍ଚଳ ଅଭିଯାନ ଅଧୀନରେ ମିଳୁଥିବା ଅର୍ଥକୁ ଏହି ସଂସ୍କାରର କାର୍ଯ୍ୟକାରିତା ସହ ଯୋଡ଼ିବା ଦ୍ୱାରା ସହରଗୁଡ଼ିକୁ ଅଭିବୃଦ୍ଧିର ପ୍ରମୁଖ ଚାଳକ ଭାବେ ବିକଶିତ କରାଯାଇପାରିବ ଏବଂ ବିକଶିତ ଭାରତ-୨୦୪୭ର ସ୍ୱପ୍ନ ପୂରଣ ଦିଗରେ ଅଗ୍ରସର ହୋଇହେବ ବୋଲି ସେ କହିଥିଲେ।

ସାତଟି ବୈଷୟିକ ଅଧିବେଶନ

ଏହି ସମ୍ମିଳନୀର ଦ୍ୱିତୀୟ ତଥା ଶେଷ ଦିନରେ ସହରାଞ୍ଚଳ ଶାସନ, ନଗର ଯୋଜନା, ଭିତ୍ତିଭୂମି ଏବଂ ଜନସେବା ପ୍ରଦାନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଲାଗି ନୀତିଗତ ଆଲୋଚନାରୁ ମିଳିଥିବା ପରାମର୍ଶଗୁଡ଼ିକୁ କାର୍ଯ୍ୟକାରୀ ରୂପ ଦେବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ସାତଟି ବୈଷୟିକ ଅଧିବେଶନରେ ହୋଇଥିବା ଆଲୋଚନାକୁ ଆଧାର କରି ଏହି ସମ୍ମିଳନୀରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରତିନିଧି, ସହରାଞ୍ଚଳ ସ୍ଥାନୀୟ ସଂସ୍ଥା, ଶିଳ୍ପ ଜଗତ, ଶିକ୍ଷାବିତ୍ ଏବଂ ବିଭିନ୍ନ ଗବେଷଣା ଓ ଜ୍ଞାନଭିତ୍ତିକ ଅନୁଷ୍ଠାନର ପ୍ରତିନିଧିମାନେ ଏକାଠି ହୋଇଥିଲେ। ଦେଶରେ ପରିବର୍ତ୍ତିତ ସହରାଞ୍ଚଳ ଆହ୍ୱାନଗୁଡ଼ିକର ବ୍ୟବହାରିକ ସମାଧାନ ଚିହ୍ନଟ କରିବା ସହ ବିକଶିତ ଭାରତ-୨୦୪୭ର ଲକ୍ଷ୍ୟକୁ ଆଗେଇ ନେବା ଏହି ଆଲୋଚନାର ମୁଖ୍ୟ ଉଦ୍ଦେଶ୍ୟ ଥିଲା।

ବୈଷୟିକ ଆଲୋଚନାରୁ ମିଳିଥିବା ପ୍ରମୁଖ ପରାମର୍ଶ

ଚାଲିବା ଅଧିକାର: ‘ଚାଲିବାର ଅଧିକାର’ ଶୀର୍ଷକ ଅଧିବେଶନରେ ପଦଚାରୀଙ୍କ ପାଇଁ ବିଖଣ୍ଡିତ ବ୍ୟବସ୍ଥା, ଯାତାୟାତରେ ଅସୁବିଧା, ଯୋଜନା ପ୍ରସ୍ତୁତିରେ ସମନ୍ୱୟର ଅଭାବ, ବିଭିନ୍ନ ସଂସ୍ଥାର ଦାୟିତ୍ୱ ଅସ୍ପଷ୍ଟ ରହିବା ଏବଂ ପାଣ୍ଠିର ଅଭାବ ଭଳି ସମସ୍ୟା ଉପରେ ଆଲୋଚନା ହୋଇଥିଲା। ଏହି ଅଧିବେଶନରେ ଆଇନଗତ ନଗର ଯୋଜନାରେ ‘ଚାଲିବାର ଅଧିକାର’କୁ ସାମିଲ କରିବା, ପଦଚାରୀଙ୍କ ପାଇଁ ନିର୍ଦ୍ଦିଷ୍ଟ ରାସ୍ତା ସୁନିଶ୍ଚିତ କରିବା, ସହରାଞ୍ଚଳ ସ୍ଥାନୀୟ ସଂସ୍ଥାଗୁଡ଼ିକର କ୍ଷମତା ଓ ଉତ୍ତରଦାୟିତ୍ୱ ବୃଦ୍ଧି କରିବା ଏବଂ ଭିତ୍ତିଭୂମିର ଗୁଣବତ୍ତା ଓ ରକ୍ଷଣାବେକ୍ଷଣକୁ ପ୍ରାଥମିକତା ଦେବାକୁ ପରାମର୍ଶ ଦିଆଯାଇଥିଲା। ଏଥିସହ ସମସ୍ତ ବର୍ଗର ଲୋକଙ୍କ ଆବଶ୍ୟକତାକୁ ଗୁରୁତ୍ୱ ଦେଇ ସମ୍ପ୍ରଦାୟର ସହଭାଗିତାରେ ରାସ୍ତାର ନକ୍ସା ପ୍ରସ୍ତୁତ କରିବା, ସମସ୍ତ ସଡ଼କ ପ୍ରକଳ୍ପରେ ପଦଚାରୀଙ୍କ ସୁବିଧା ସାମିଲ କରିବା ଏବଂ ଏଥିପାଇଁ ସ୍ୱତନ୍ତ୍ର ଅର୍ଥ ଯୋଗାଣ ବ୍ୟବସ୍ଥା କରିବା ଉପରେ ଜୋର୍ ଦିଆଯାଇଥିଲା।

ଜଳ, ଆବର୍ଜନା ଓ ସମ୍ବଳର ଦକ୍ଷ ଉପଯୋଗ: ‘ଜଳ, ଆବର୍ଜନା ଓ ସମ୍ବଳର ଦକ୍ଷ ଉପଯୋଗ’ ଶୀର୍ଷକ ଅଧିବେଶନରେ ଜଳ ଯୋଗାଣ, ବର୍ଜ୍ୟଜଳ ଏବଂ କଠିନ ଆବର୍ଜନା ପରିଚାଳନା ପାଇଁ ସମନ୍ୱିତ ଯୋଜନା ପ୍ରସ୍ତୁତ କରିବାକୁ ପରାମର୍ଶ ଦିଆଯାଇଥିଲା। ସେବା ପ୍ରଦାନରେ କେବଳ କାର୍ଯ୍ୟ ସମ୍ପନ୍ନ କରିବା ପରିବର୍ତ୍ତେ ଫଳାଫଳକୁ ଗୁରୁତ୍ୱ ଦେବା, କାର୍ଯ୍ୟଦକ୍ଷତାର ନିୟମିତ ମୂଲ୍ୟାୟନ ଏବଂ ଭିତ୍ତିଭୂମିର ଦୀର୍ଘକାଳୀନ ରକ୍ଷଣାବେକ୍ଷଣକୁ ସୁଦୃଢ଼ କରିବା ଉପରେ ମଧ୍ୟ ଜୋର୍ ଦିଆଯାଇଥିଲା। ଏଥିସହ ବ୍ୟବହୃତ ଜଳର ପୁନଃବ୍ୟବହାର, ଆବର୍ଜନାରୁ ଉପଯୋଗୀ ସମ୍ବଳ ପୁନରୁଦ୍ଧାର ଏବଂ ଏଥିରୁ ମିଳୁଥିବା ସାମଗ୍ରୀ ପାଇଁ ବଜାର ସୃଷ୍ଟି କରିବାକୁ ସୁପାରିସ କରାଯାଇଥିଲା।

‘ସୁଲଭ ଗୃହ: ଚାହିଦା ଓ ଯୋଗାଣର ଗତିଶୀଳତା’ ଶୀର୍ଷକ ଅଧିବେଶନରେ ସୁଲଭ ମୂଲ୍ୟରେ ଘର ଯୋଗାଇବା ପାଇଁ ଜମି ସଂରକ୍ଷଣ, ଗୃହ ନିର୍ମାଣକୁ ଯାତାୟାତ ବ୍ୟବସ୍ଥା ଓ ନିଯୁକ୍ତି କେନ୍ଦ୍ର ସହ ଯୋଡ଼ିବା ଏବଂ ଭଡ଼ା ଘର ଓ ଯାତାୟାତ ସୁବିଧା ନିକଟରେ ଆବାସ ପାଇଁ କାର୍ଯ୍ୟକ୍ଷମ ମଡେଲ୍ ବିକଶିତ କରିବାକୁ ପରାମର୍ଶ ଦିଆଯାଇଥିଲା। ଏଥିସହ ସିଙ୍ଗଲ ଓ୍ବିଣ୍ଡୋ ବ୍ୟବସ୍ଥାରେ ଅନୁମୋଦନ ପ୍ରଦାନ, ଅତିରିକ୍ତ ନିର୍ମାଣ ଅନୁପାତ (ଏଫ୍ଏଆର୍) ଓ ବିକାଶ ଅଧିକାର ହସ୍ତାନ୍ତର (ଟିଡିଆର୍) ଭଳି ପ୍ରୋତ୍ସାହନ ମାଧ୍ୟମରେ ଅର୍ଥ ସହାୟତାର ବ୍ୟବସ୍ଥା, ଗୃହ ନିର୍ମାଣ ବୋର୍ଡ ଓ ସରକାରୀ-ଘରୋଇ ସହଭାଗିତା (ପିପିପି) ମାଧ୍ୟମରେ ସରକାରଙ୍କ ଭାଗିଦାରି ବୃଦ୍ଧି ଏବଂ ଉନ୍ନତ ନିର୍ମାଣ ଓ ରକ୍ଷଣାବେକ୍ଷଣ ଜରିଆରେ ଦୀର୍ଘକାଳୀନ ସୁଲଭତା ସୁନିଶ୍ଚିତ କରିବାକୁ ସୁପାରିସ କରାଯାଇଥିଲା।

‘ସମନ୍ୱିତ ସହର ବିକାଶ ଓ ଭିତ୍ତିଭୂମି ଯୋଗାଣ’ ଅଧିବେଶନରେ ଭୌଗୋଳିକ ସୂଚନା ପ୍ରଣାଳୀ (ଜିଆଇଏସ୍) ଆଧାରିତ ସମନ୍ୱିତ ତଥ୍ୟଭଣ୍ଡାର ମାଧ୍ୟମରେ ସହରର ସ୍ଥାନିକ ଯୋଜନା ଓ ଭିତ୍ତିଭୂମି ଯୋଜନାକୁ ଏକାଠି କରିବାକୁ ପରାମର୍ଶ ଦିଆଯାଇଥିଲା। ଏଥିସହ ନିର୍ଦ୍ଦିଷ୍ଟ କରିଡର୍ ଓ ପରିବହନକୈନ୍ଦ୍ରିକ ବିକାଶକୁ ପ୍ରୋତ୍ସାହନ, ବିଭିନ୍ନ କ୍ଷେତ୍ର ଓ ସଂସ୍ଥାର ପୁଞ୍ଜିନିବେଶ ମଧ୍ୟରେ ସମନ୍ୱୟ, ନାଗରିକଙ୍କ ମତାମତ ଆଧାରରେ ଲକ୍ଷ୍ୟଭିତ୍ତିକ ସହରାଞ୍ଚଳ ପଦକ୍ଷେପ ଗ୍ରହଣ ଏବଂ ଜମିଭିତ୍ତିକ ଅର୍ଥ ଯୋଗାଣ ବ୍ୟବସ୍ଥାର ଉପଯୋଗ କରିବାକୁ ସୁପାରିସ କରାଯାଇଥିଲା। ପୌରସଂସ୍ଥାଗୁଡ଼ିକର ଋଣ ପରିଶୋଧ କ୍ଷମତା ଓ ଆର୍ଥିକ ବିଶ୍ୱସନୀୟତା ବୃଦ୍ଧି ସହ ବିଭିନ୍ନ ଅନୁଷ୍ଠାନ ମଧ୍ୟରେ ସମନ୍ୱୟକୁ ଉନ୍ନତ କରିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା।

‘ସହରାଞ୍ଚଳ ସେବା ପ୍ରଦାନର ନୂତନ ଦିଗ’ ଶୀର୍ଷକ ଅଧିବେଶନରେ କେବଳ ଭିତ୍ତିଭୂମି ନିର୍ମାଣ ପରିବର୍ତ୍ତେ ଫଳାଫଳଭିତ୍ତିକ ସେବା ପ୍ରଦାନ ବ୍ୟବସ୍ଥା ଆପଣାଇବାକୁ ପରାମର୍ଶ ଦିଆଯାଇଥିଲା। ବିଭିନ୍ନ ପୌର ସଂସ୍ଥାର ଦାୟିତ୍ୱ ସ୍ପଷ୍ଟ କରି ସେମାନଙ୍କ ମଧ୍ୟରେ ସମନ୍ୱୟ, ଡିଜିଟାଲ୍ ମାଧ୍ୟମରେ ସେବାର ତଦାରଖ ଓ ନାଗରିକଙ୍କ ମତାମତ ସଂଗ୍ରହ ବ୍ୟବସ୍ଥାକୁ ସୁଦୃଢ଼ କରିବା ଉପରେ ଜୋର୍ ଦିଆଯାଇଥିଲା। କାର୍ଯ୍ୟଦକ୍ଷତା ଆଧାରିତ ଚୁକ୍ତି ବ୍ୟବସ୍ଥା ଲାଗୁ କରିବା, ସ୍ୱତନ୍ତ୍ର ଦକ୍ଷତାସମ୍ପନ୍ନ ପୌର କର୍ମଚାରୀ ବର୍ଗ ଗଠନ, ନିଜସ୍ୱ ରାଜସ୍ୱ ସଂଗ୍ରହ ବୃଦ୍ଧି ଏବଂ ଉତ୍ତରଦାୟିତ୍ୱପୂର୍ଣ୍ଣ ଓ ନାଗରିକକୈନ୍ଦ୍ରିକ ସହରାଞ୍ଚଳ ସେବା ପାଇଁ ଜାତୀୟ ଢାଞ୍ଚା ପ୍ରସ୍ତୁତ କରିବାକୁ ସୁପାରିସ କରାଯାଇଥିଲା।

‘ଆଦର୍ଶ ନିର୍ମାଣ ନିୟମାବଳୀ’ ଶୀର୍ଷକ ଅଧିବେଶନରେ ନିର୍ମାଣ ନିୟମ ଓ ଅନୁମୋଦନ ପ୍ରକ୍ରିୟାକୁ ସରଳ କରିବା ପାଇଁ ସମନ୍ୱିତ ଡିଜିଟାଲ୍ ମଞ୍ଚର ବ୍ୟବହାର, ବିପଦ ଆଧାରରେ ଯାଞ୍ଚ ଏବଂ ସ୍ୱଘୋଷଣା ବ୍ୟବସ୍ଥା ପ୍ରଚଳନ କରିବାକୁ ପରାମର୍ଶ ଦିଆଯାଇଥିଲା। ନିର୍ମାଣ ଅନୁପାତ (ଏଫ୍ଏଆର୍), ଜନଘନତା ଓ ପାର୍କିଂ ନିୟମର ଯୁକ୍ତିସଙ୍ଗତ ପୁନର୍ବିନ୍ୟାସ, ମିଶ୍ରିତ ଜମି ବ୍ୟବହାର ଏବଂ ପରିବହନକୈନ୍ଦ୍ରିକ ବିକାଶକୁ ସୁଗମ କରିବା ଉପରେ ମଧ୍ୟ ଜୋର୍ ଦିଆଯାଇଥିଲା। ଏଥିସହ ଜଳବାୟୁ ସହନଶୀଳତା ଓ ବିପର୍ଯ୍ୟୟ ସୁରକ୍ଷା ମାନଦଣ୍ଡକୁ ସାମିଲ କରିବା, ପରିବେଶ ଅନୁକୂଳ ନିର୍ମାଣକୁ ପ୍ରୋତ୍ସାହନ ଏବଂ ନିୟାମକ ବ୍ୟବସ୍ଥାରେ ସ୍ୱଚ୍ଛତା ଓ ବ୍ୟବସାୟିକ ସୁଗମତା ବୃଦ୍ଧି କରିବାକୁ ସୁପାରିସ କରାଯାଇଥିଲା।

‘ଆଦର୍ଶ ପୌର ଆଇନ’ ଅଧିବେଶନରେ ମେୟରମାନଙ୍କ କାର୍ଯ୍ୟକାଳ ପାଞ୍ଚ ବର୍ଷ ରଖିବା ସହ ସେମାନଙ୍କୁ ସ୍ପଷ୍ଟ କାର୍ଯ୍ୟନିର୍ବାହୀ କ୍ଷମତା ପ୍ରଦାନ କରିବାକୁ ପରାମର୍ଶ ଦିଆଯାଇଥିଲା। ପୌରସଂସ୍ଥାଗୁଡ଼ିକୁ ଅଧିକ ଦାୟିତ୍ୱ ଓ କ୍ଷମତା ହସ୍ତାନ୍ତର, ଅନ୍ୟ ସହରାଞ୍ଚଳ ସଂସ୍ଥାଗୁଡ଼ିକ ସହ ସମନ୍ୱୟ, ଆର୍ଥିକ ସ୍ୱାୟତ୍ତତା ଓ ନିଜସ୍ୱ ରାଜସ୍ୱ ବୃଦ୍ଧି, ପର୍ଯ୍ୟାପ୍ତ ବୈଷୟିକ କର୍ମଚାରୀ ନିଯୁକ୍ତି ଏବଂ ୱାର୍ଡ ଓ ଜୋନାଲ୍ କମିଟିଗୁଡ଼ିକୁ ସଶକ୍ତ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏଥିସହ ରାଜ୍ୟସ୍ତରୀୟ ପରାମର୍ଶ ଓ କାର୍ଯ୍ୟକାରିତା ଢାଞ୍ଚା ମାଧ୍ୟମରେ ୨୦୦୩ର ଆଦର୍ଶ ପୌର ଆଇନର ସଂଶୋଧନ କରିବାକୁ ସୁପାରିସ କରାଯାଇଥିଲା।

ସମ୍ମିଳନୀର ଦ୍ବିତୀୟ ଦିନରେ ବିଭିନ୍ନ ପଦକ୍ଷେପ ଓ ପୁସ୍ତିକା ଉନ୍ମୋଚନ ହୋଇଥିଲା। ସେଗୁଡ଼ିକ ମଧ୍ୟରେ ରହିଛି ଅମୃତ ୨.୦ ଅଧିନରେ ୟୁଜ୍‌ଡ୍‌ ଓ୍ବାଟର ମାର୍କେଟପ୍ଲେସ ନାମକ ଡିଜିଟାଲ ପ୍ଲାଟଫର୍ମ, ୟୁସିଏଫ ପୋର୍ଟାଲ, ପୌର ଆର୍ଥିକ ବ୍ୟବସ୍ଥା ସମ୍ପର୍କିତ ଅନଲାଇନ୍ ଇଣ୍ଟର୍ଆକ୍ଟିଭ୍ ଡାଟାସେଣ୍ଟର, ପିଏମ୍ ସ୍ୱନିଧି ଯୋଜନା ଅଧୀନରେ ରାସ୍ତାକଡ଼ ଖାଦ୍ୟ ବିକ୍ରୟ କେନ୍ଦ୍ର ପଦକ୍ଷେପ, ସ୍ୱଚ୍ଛତାର ସୁପରହିରୋ (ଶିଶୁ ପୁସ୍ତିକା), ସିପିଡବ୍ଲୁଡି ନିର୍ମାଣ (ଓ୍ବେବ ଓ ମୋବାଇଲ ଆପ୍ଲିକେସନ), ସିପିଡବ୍ଲୁଡିଓ୍ବେ (ଡିଜିଟାଲ କ୍ଷମତା ନିର୍ମାଣ ପ୍ଲାଟଫର୍ମ), ଜାତୀୟ ଇଣ୍ଟର୍ନସିପ୍ ପୋର୍ଟାଲ୍ ମାଧ୍ୟମରେ ଇଣ୍ଟର୍ନସିପ୍ ଯୋଜନା ।

ଏହି ସମ୍ମିଳନୀର ଦ୍ବିତୀୟ ଦିନରେ ବିଶୋଧିତ ବ୍ୟବହୃତ ଜଳର ପୁନଃଚକ୍ରଣ ଓ ପୁନଃବ୍ୟବହାରକୁ ପ୍ରୋତ୍ସାହନ ଦେବା ଲାଗି ବୈଷୟିକ ସହଯୋଗ ସୁଦୃଢ଼ କରିବା ନିମନ୍ତେ ଜାପାନ ଆନ୍ତର୍ଜାତିକ ସହଯୋଗ ସଂସ୍ଥା (JICA) ଏବଂ କେନ୍ଦ୍ରୀୟ ଜନସ୍ୱାସ୍ଥ୍ୟ ଓ ପରିବେଶ ଯାନ୍ତ୍ରିକ ସଂଗଠନ (CPHEEO) ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି।

ସମ୍ମିଳନୀର ସମାପନ

ଦୁଇଦିନିଆ ଜାତୀୟ ସହରାଞ୍ଚଳ ସମ୍ମିଳନୀ-୨୦୨୬ରୁ ମିଳିଥିବା ପରାମର୍ଶଗୁଡ଼ିକ ଆଗାମୀ ପର୍ଯ୍ୟାୟର ସହରାଞ୍ଚଳ ସଂସ୍କାର ପାଇଁ ମାର୍ଗଦର୍ଶନ କରିବ। ଏଥିରେ ଅନୁଷ୍ଠାନଗୁଡ଼ିକର କାର୍ଯ୍ୟଦକ୍ଷତା ବୃଦ୍ଧି, ସମନ୍ୱିତ ନଗର ଯୋଜନା, ସ୍ଥାୟୀ ଅର୍ଥ ଯୋଗାଣ ବ୍ୟବସ୍ଥା ଏବଂ ଉତ୍ତରଦାୟିତ୍ୱ ଭିତ୍ତିକ ଜନସେବା ପ୍ରଦାନ ଉପରେ ବିଶେଷ ଗୁରୁତ୍ୱ ଦିଆଯିବ।

***

TKM
 

(ରିଲିଜ ଆଡି: 2328275) ପରିଦର୍ଶକ କାଉଣ୍ଟର : 10
ଏହି ରିଲିଜ ପଢନ୍ତୁ : हिन्दी , English , Urdu , Tamil