ଗୃହ ନିର୍ମାଣ ଓ ସହରାଞ୍ଚଳ ଦାରିଦ୍ର୍ୟ ଦୂରୀକରଣ ମନ୍ତ୍ରଣାଳୟ
ପୋଷ୍ଟ କରାଯିବା ଦିନାଙ୍କ:
24 OCT 2026 7:17PM by PIB Bhubaneswar
ଭୁବନେଶ୍ୱରରେ ଆଜି ଜାତୀୟ ସହରାଞ୍ଚଳ ସମ୍ମିଳନୀର ଦ୍ୱିତୀୟ ସଂସ୍କରଣ ଉଦଘାଟିତ ହୋଇଛି । କେନ୍ଦ୍ର ଆବାସ ଏବଂ ସହରାଞ୍ଚଳ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ତୋଖନ ସାହୁ ଏହାକୁ ଉଦଘାଟନ କରିଥିଲେ। ୨୪ ଓ ୨୫ ତାରିଖରେ ଅନୁଷ୍ଠିତ ହେଉଥିବା ଏହି ସମ୍ମିଳନୀ ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ହେଉଛି ଏବଂ ଓଡ଼ିଶା ସରକାର ଏଥିରେ ସହଯୋଗ ଯୋଗାଇ ଦେଉଛନ୍ତି । ଜାତୀୟ ସହରାଞ୍ଚଳ ବ୍ୟାପାର ପ୍ରତିଷ୍ଠାନ କାର୍ଯ୍ୟକ୍ରମର ଜ୍ଞାନ ଅଂଶୀଦାର ହୋଇଥିବା ବେଳେ ମୁଖ୍ୟ ପ୍ରାୟୋଜକ ଭାବେ ଆବାସ ଓ ନଗର ଉନ୍ନୟନ ନିଗମ ଲିମିଟେଡ୍, ଜାତୀୟ କୋଠା ନିର୍ମାଣ ନିଗମ ଲିମିଟେଡ୍ ଯୋଗ ଦେଇଛନ୍ତି ।
‘ସହରୀ ଅଭ୍ୟୁଦୟ - ସହରାଞ୍ଚଳ ବ୍ୟବସ୍ଥା, ସମାଧାନ ଏବଂ ବିତରଣର ପୁନଃଚିନ୍ତନ’ ବିଷୟବସ୍ତୁ ଉପରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୧୨ ଶହରୁ ଅଧିକ ଅଂଶୀଦାର ଭାଗ ନେଇଛନ୍ତି । ଏଥିରେ ସହରାଞ୍ଚଳ ବିକାଶ ମନ୍ତ୍ରୀ, ମେୟର, ସହରୀ ସ୍ଥାନୀୟ ପ୍ରଶାସନ, ସହରୀ ବିକାଶ ପ୍ରାଧିକରଣ, ଶିକ୍ଷା ଜଗତ, ଉଦ୍ୟୋଗ, ନାଗରିକ ସମାଜ ଏବଂ ବ୍ୟାପକ ବିକାଶ କ୍ଷେତ୍ରର ପ୍ରତିନିଧିମାନେ ଏଥିରେ ସାମିଲ ହୋଇଛନ୍ତି । ଏହି ସମ୍ମିଳନୀରେ ସେହି ପ୍ରଣାଳୀ, ପ୍ରତିଷ୍ଠାନ ଏବଂ କାର୍ଯ୍ୟକାରୀ ବ୍ୟବସ୍ଥା ଉପରେ ନୂତନ ଭାବେ ବିଚାରବିମର୍ଶ କରାଯାଉଛି ଯାହା ସହରର ପରିଚାଳନା ପଦ୍ଧତି ନିର୍ଦ୍ଧାରଣ କରିଥାଏ ।
ଉଦ୍ଘାଟନୀ ଅଧିବେଶନରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ସାହୁ ଭାରତରେ ଚାଲିଥିବା ସହରୀ ରୂପାନ୍ତର ଉପରେ ଗୁରୁତ୍ୱାରୋପ କରିଥିଲେ। ସେ କହିଥିଲେ, ଭାରତର ସହରୀ ଜନସଂଖ୍ୟା ୨୦୧୧ ମସିହାରେ ପ୍ରାୟ ୩୭.୭ କୋଟି ଥିବାବେଳେ ବର୍ତ୍ତମାନ ତାହା ପ୍ରାୟ ୫୦ କୋଟିକୁ ବୃଦ୍ଧି ପାଇଛି ଏବଂ ୨୦୩୬ ସୁଦ୍ଧା ଏହା ୬୦ କୋଟିରେ ପହଞ୍ଚିବ ବୋଲି ଆଶା କରାଯାଉଛି। ଭାରତର ସ୍ୱାଧୀନତାର ଶତବାର୍ଷିକୀ ବେଳକୁ ପ୍ରତି ଦୁଇ ଜଣ ଭାରତୀୟଙ୍କ ମଧ୍ୟରୁ ଜଣେ ସହରରେ ରହୁଥିବେ। ସେ କହିଥିଲେ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଅମୃତ, ସ୍ୱଚ୍ଛ ଭାରତ ମିଶନ, ପ୍ରଧାନମନ୍ତ୍ରୀ ସ୍ୱନିଧି, ଡିଏୱାଇ-ଏନ୍ୟୁଏଲ୍ଏମ୍ ଏବଂ ସ୍ମାର୍ଟ ସିଟି ମିଶନ ଭଳି ଜାତୀୟ କାର୍ଯ୍ୟକ୍ରମଗୁଡ଼ିକ ସହରୀ ବିକାଶର ପରବର୍ତ୍ତୀ ପର୍ଯ୍ୟାୟ ପାଇଁ ଏକ ସୁଦୃଢ଼ ଭିତ୍ତିଭୂମି ପ୍ରସ୍ତୁତ କରିଛନ୍ତି ।

କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, 'ବିକଶିତ ଭାରତ ୨୦୪୭' ଦିଗରେ ଦେଶର ଯାତ୍ରାରେ ଓଡ଼ିଶା ଏକ ପ୍ରମୁଖ ବିକାଶ ଇଞ୍ଜିନ୍ ହେବାର ଲକ୍ଷ୍ୟ ରଖିଥିବା କଥା ପ୍ରକାଶ କରିଛନ୍ତି। ସେ କହିଥିଲେ, "‘ସମୃଦ୍ଧ ଓଡ଼ିଶା’ ଏବଂ ‘ବିକଶିତ ଭାରତ ୨୦୪୭’ର ଦୂରଦୃଷ୍ଟି ଦ୍ୱାରା ଅନୁପ୍ରାଣିତ ହୋଇ, ଓଡ଼ିଶା ଏବେ ସୁନିୟୋଜିତ ସହରୀକରଣ, ଆଧୁନିକ ଭିତ୍ତିଭୂମି ଏବଂ ଦୀର୍ଘସ୍ଥାୟୀ ପରିବହନ ବ୍ୟବସ୍ଥାର ଏକ ନୂତନ ଯୁଗ ଆଡ଼କୁ ଅଗ୍ରସର ହେଉଛି। ୨୦୩୬ ସୁଦ୍ଧା ୫୦୦ ବିଲିୟନ ଡଲାରର ଅର୍ଥବ୍ୟବସ୍ଥା ଲକ୍ଷ୍ୟ ହାସଲ ଦିଗରେ ଅଗ୍ରସର ହେଉଥିବା ବେଳେ, ଆମର ମୁଖ୍ୟ ଲକ୍ଷ୍ୟ ହେଉଛି ସମାବେଶୀ, ପ୍ରଯୁକ୍ତିବିଦ୍ୟା-ଭିତ୍ତିକ ଏବଂ ଜନକୈନ୍ଦ୍ରିକ ସହର ଗଢ଼ି ତୋଳିବା। 'ଆମ ବସ୍' ସେବାର ସମ୍ପ୍ରସାରଣ, ଇଲେକ୍ଟ୍ରିକ୍ ବସ୍ର ପ୍ରଚଳନ ଏବଂ ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ଆର୍ଥିକ କ୍ଷେତ୍ରର ବିକାଶ, ସ୍ୱଚ୍ଛ ପରିବହନ ବ୍ୟବସ୍ଥା, ଉନ୍ନତ ସହରୀ ଭିତ୍ତିଭୂମି ଏବଂ ନାଗରିକମାନଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିବା ପାଇଁ ଆମର ପ୍ରତିବଦ୍ଧତାକୁ ଦର୍ଶାଉଛି। ଆମେ ଏପରି ସହର ଗଢ଼ୁଛୁ ଯାହା କେବଳ ଆର୍ଥିକ ବିକାଶର ଇଞ୍ଜିନ୍ ହେବ ନାହିଁ, ବରଂ ସମସ୍ତଙ୍କ ପାଇଁ ଅଧିକ ସୁରକ୍ଷିତ, ସୁଗମ ଓ ବାସଯୋଗ୍ୟ ମଧ୍ୟ ହେବ ।
କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଅନୁଗର୍ଗ କହିଥିଲେ, ଓଡ଼ିଶା ସହରାଞ୍ଚଳ ପରିବହନ ବ୍ୟବସ୍ଥାକୁ ପରିବର୍ତ୍ତନ କରିବା ଦିଗରେ ଅନେକ ପଦକ୍ଷେପ ନେଇଛି । କ୍ରୁଟ୍ ଜରିଆରେ ୮ଟି ସହରରେ ପ୍ରାୟ ୮୦୦ ବସ୍ ଚାଲୁଛି । ଡିଜିଟାଲ ଟିକେଟ, ମହିଳା ଚାଳକଙ୍କ ଅଂଶଗ୍ରହଣ ଏବଂ ଯାତ୍ରୀଙ୍କ ସୁବିଧା ଜରିଆରେ କ୍ରୁଟ୍ ସାର୍ବଜନୀନ ପରିବହନକୁ ମଜବୁତ କରୁଛି ।
କେନ୍ଦ୍ର ସହରାଞ୍ଚଳ ବିକାଶ ବିଭାଗ ସଚିବ ସତ୍ୟେନ୍ଦ୍ର ସିଂ କହିଥିଲେ, ସ୍ୱଚ୍ଛ ଭାରତ ମିଶନ, ଅମୃତ, ସମସ୍ତଙ୍କ ପାଇଁ ଗୃହ, ମେଟ୍ରୋ ରେଳ, ପ୍ରଧାନମନ୍ତ୍ରୀ-ଇବସ୍ ସେବା ଏବଂ ପ୍ରଧାନମନ୍ତ୍ରୀ ସ୍ୱନିଧି ସମେତ ପ୍ରମୁଖ ପଦକ୍ଷେପ, ସେବା ପ୍ରଦାନରେ ଉନ୍ନତି ଆଣିବା, ନାଗରିକ ଅଂଶଗ୍ରହଣକୁ ଉତ୍ସାହିତ କରିବା ଏବଂ ସହରାଞ୍ଚଳ ସ୍ଥିତି ସୁଦୃଢ଼ କରିବା ଦିଗରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛନ୍ତି । ସେ ୧ ଲକ୍ଷ କୋଟି ଟଙ୍କାର ସହରାଞ୍ଚଳ ଚ୍ୟାଲେଞ୍ଜ ପାଣ୍ଠି, ଷୋଡ଼ଶ ଅର୍ଥ କମିଶନ ଦ୍ୱାରା ସୁପାରିଶ କରାଯାଇଥିବା ୧୦ ହଜାର କୋଟି ଟଙ୍କାର ସହରୀକରଣ ପ୍ରିମିୟମ୍ ଅନୁଦାନ ଭଳି ପଦକ୍ଷେପ ବିଷୟରେ ମଧ୍ୟ ସୂଚନା ଦେଇଥିଲେ ।

ନୀତି ଆୟୋଗର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅନୁରାଗ ଜୈନ କାର୍ଯ୍ୟକ୍ରମରେ ଦୀକ୍ଷାନ୍ତ ଭାଷ ଦେଇ, ବିକଶିତ ଭାତର ୨୦୪୭ର ଲକ୍ଷ୍ୟ ହାସଲ କରିବା ଲାଗି ସାମାଜିକ ଓ ଆର୍ଥିକ ବିକାଶକୁ ଆଗେଇ ନେବାରେ ସହରଗୁଡ଼ିକ ପ୍ରମୁଖ ଭୂମିକା ଗ୍ରହଣ କରିବେ । ୨୦୪୭ ସୁଦ୍ଧା ଦେଶର ପ୍ରାୟ ୫୦ ପ୍ରତିଶତ ଜନସଂଖ୍ୟା ସହରାଞ୍ଚଳରେ ରହୁଥିବେ । ଏହା ଜିଡିପିରେ ୭୫ ପ୍ରତିଶତ ଯୋଗଦାନ ଦେବ । ନିବେଶ, ସଂସ୍ଥାଗତ ପ୍ରତିକ୍ରିୟା ଏବଂ କ୍ଷମତା ନିର୍ମାଣ ଜରିଆରେ ସୁଚିନ୍ତିତ ଓ ସମନ୍ୱିତ ସହରୀକରଣ ଉପରେ ସେ ଗୁରୁତ୍ୱ ଦେଇଥିଲେ ।
ଓଡ଼ିଶା ସରକାରଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ କହିଥିଲେ, ଜାତୀୟ ସହରାଞ୍ଚଳ ସମ୍ମିଳନୀ ଆୟୋଜନ ଜରିଆରେ ସହରୀ ବିକାଶ କ୍ଷେତ୍ରରେ ନିଜର ଯୋଜନା ଏବଂ ଅନୁଭୂତିଗୁଡ଼ିକ ପ୍ରଦର୍ଶନ କରିବା ଲାଗି ଓଡ଼ିଶା ସୁଯୋଗ ପାଇଛି । ଏଥିପାଇଁ ସେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଥିଲେ ।
କାର୍ଯ୍ୟକ୍ରମ ଅବସରରେ ହୁଡ଼କୋର ସହରାଞ୍ଚଳ ନିବେଶ ୱିଣ୍ଡୋ, ସିପିଏଚଇଇଓ ପାଇଁ ସାମର୍ଥ୍ୟ ପ୍ଲାଟଫର୍ମ, ଅଙ୍କୁର ପୁସ୍ତିକା, ଓଡ଼ିଶା ସହରାଞ୍ଚଳ ଯୋଜନା ପ୍ରସ୍ତୁତି ପୁସ୍ତିକା, ଓଡ଼ିଶା ପାଇଁ ସରକାରୀ ଓ ଘରୋଇ ମାଲିକାନାରେ ଥିବା ସାର୍ବଜନୀନ ସ୍ଥାନ ଫ୍ରେମୱାର୍କ, ମେରା ଘର ମେରା ଅଭିମାନ ପୁସ୍ତିକାର ଉନ୍ମୋଚନ କରାଯାଇଥିଲା। ସେହିପରି ପ୍ରଧାନମନ୍ତ୍ରୀ ସହରାଞ୍ଚଳ ଆବାସ ଯୋଜନା ମୋବାଇଲ ଆପ୍ଲିକେସନର ଇ-ଶୁଭାରମ୍ଭ କରାଯାଇଥିଲା। ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା -ସହରାଞ୍ଚଳ ୨୦୨୭ ପାଇଁ ମାନକ ପରିଚାଳନା ପ୍ରକ୍ରିୟାର ଉନ୍ମୋଚନ କରାଯାଇଥିଲା। ସେହିପରି ନିର୍ମାଣ ଓ ଭଗ୍ନାବଶେଷ ବର୍ଜ୍ୟବସ୍ତୁ ପରିଚାଳନା ମାର୍ଗଦର୍ଶିକା, ସମସ୍ତଙ୍କ ପାଇଁ ଯଥେଷ୍ଟ ବାସଗୃହ ଉପରେ ଫଳାଫଳ ରିପୋର୍ଟ ମଧ୍ୟ ଉନ୍ମୋଚନ କରାଯାଇଥିଲା।

ସମ୍ମିଳନୀର ପ୍ରଥମ ଦିନରେ ରାଇଟ୍ ଟୁ ୱାକ୍ ବା ଚାଲିବାର ଅଧିକାର; ଜଳ, ବର୍ଜ୍ୟବସ୍ତୁ ଓ ସମ୍ବଳ ଦକ୍ଷତା; ସୁଲଭ ଆବାସ; ସମନ୍ୱିତ ସହରାଞ୍ଚଳ ବିକାଶ ଓ ଭିତ୍ତିଭୂମି ବିତରଣ; ‘ସହରୀ ସେବା ପ୍ରଦାନ ପାଇଁ ନୂତନ ଧାରା’, ମଡେଲ ବିଲ୍ଡିଂ ବାଇ ଲ’ ଏବଂ ମଡେଲ ପୌର ସଂସ୍ଥା ଆଇନ ଆଦି ସାତଟି ପ୍ରମୁଖ ବିଷୟ ଉପରେ ଆଲୋଚନା ହୋଇଥିଲା ।
********
PS