ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ
ଆଗ୍ରିଭୋଲ୍ଟାଇକ୍ସ ବିଶ୍ବ ସମ୍ମିଳନୀ ୨୦୨୬’ ଆୟୋଜନ କଲା ଭାରତ
ନବସୃଜନଭିତ୍ତିକ କୃଷି-ସୌରଶକ୍ତି ମାଧ୍ୟମରେ ଅନ୍ନଦାତାଙ୍କୁ ଶକ୍ତିଦାତାରେ ପରିଣତ କରିବାକୁ ଆହ୍ୱାନ
ପୋଷ୍ଟ କରାଯିବା ଦିନାଙ୍କ:
21 OCT 2026 6:08PM by PIB Bhubaneswar
ଆଗ୍ରିଭୋଲ୍ଟାଇକ୍ସ ବିଶ୍ୱ ସମ୍ମିଳନୀ (ଏଡବ୍ଲ୍ୟୁସି) ୨୦୨୬ର ସପ୍ତମ ସଂସ୍କରଣ ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଆରମ୍ଭ ହୋଇଛି। ଏହା କୃଷି ଓ ଅକ୍ଷୟ ଶକ୍ତିର ସମନ୍ୱୟ ଦିଗରେ ଭାରତର ପ୍ରୟାସକୁ ଏକ ନୂତନ ମାଇଲଖୁଣ୍ଟ ପ୍ରଦାନ କରିଛି। ପ୍ରଥମ ଥର ପାଇଁ ଗ୍ଲୋବାଲ୍ ସାଉଥ୍ରେ ଭାରତ ଏହି ପ୍ରମୁଖ ବିଶ୍ୱସ୍ତରୀୟ ସମ୍ମିଳନୀର ଆୟୋଜନ କରୁଛି। ଏହା ବିଶ୍ୱ ଖାଦ୍ୟ ସୁରକ୍ଷା, ଶକ୍ତି କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ଏବଂ ସ୍ଥାୟୀ ବିକାଶକୁ ଏକକାଳୀନ ଆଗେଇ ନେବା ଦିଗରେ ଭାରତର ବର୍ଦ୍ଧିତ ନେତୃତ୍ୱକୁ ଦୃଢ଼ ଭାବେ ପ୍ରତିପାଦିତ କରୁଛି।
ଏହି ତିନିଦିନିଆ ଗୁରୁତ୍ୱପୂର୍ଣ୍ଣ ସମ୍ମିଳନୀକୁ ନୂତନ ଓ ନବୀକରଣୀୟ ଶକ୍ତି ମନ୍ତ୍ରଣାଳୟ (ଏମ୍ଏନ୍ଆର୍ଇ) ଆୟୋଜନ କରୁଛି। ଜର୍ମାନୀର ପରିବେଶ, ଜଳବାୟୁ କାର୍ଯ୍ୟାନୁଷ୍ଠାନ, ପ୍ରକୃତି ସଂରକ୍ଷଣ ଓ ଆଣବିକ ସୁରକ୍ଷା ମନ୍ତ୍ରଣାଳୟ (ବିଏମ୍ୟୁଭି) ଏଥିରେ ସହଯୋଗ କରୁଥିବା ବେଳେ କନେକ୍ସିଓ-ପିଏସ୍ଇ ସହଭାଗିତାରେ ଏହା ଆୟୋଜିତ ହେଉଛି। ‘ବିଶ୍ୱ ଦକ୍ଷିଣକୁ ଶକ୍ତି ଯୋଗାଣ’ ବିଷୟବସ୍ତୁକୁ ନେଇ ଏହି ସମ୍ମିଳନୀ ଅନୁଷ୍ଠିତ ହେଉଛି।
ଏହି ସମ୍ମିଳନୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଶକ୍ତିରୁ ସଶକ୍ତୀକରଣ’ ମୌଳିକ ଦୃଷ୍ଟିକୋଣକୁ ପ୍ରତିଫଳିତ କରୁଛି। ସେ କହିଥିଲେ ଯେ, ଭାରତର ସ୍ୱଚ୍ଛ ଶକ୍ତି ପରିବର୍ତ୍ତନ କୃଷି କ୍ଷେତ୍ରର ପାରମ୍ପରିକ ଧାରାକୁ ନୂଆ ରୂପ ଦେଉଛି। ଏହାଦ୍ୱାରା କୃଷକମାନେ କେବଳ ଖାଦ୍ୟ ଉତ୍ପାଦକ ‘ଅନ୍ନଦାତା’ ଭାବେ ସୀମିତ ନରହି ସ୍ୱଚ୍ଛ ଶକ୍ତି ଉତ୍ପାଦନକାରୀ ‘ଉର୍ଜାଦାତା’ ଭାବେ ଉଭା ହେବାର ସୁଯୋଗ ପାଉଛନ୍ତି। ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ଯେ, ଭାରତର ସ୍ୱଚ୍ଛ ଶକ୍ତି ପରିବର୍ତ୍ତନ ଗ୍ରାମାଞ୍ଚଳରେ ଉଦ୍ୟୋଗୀ ପରିବେଶର ସମ୍ପ୍ରସାରଣ, ଆର୍ଥିକ ମଡେଲ୍ଗୁଡ଼ିକର ଉନ୍ନତିକରଣ ଏବଂ ସମଗ୍ର ଦେଶରେ ଦୀର୍ଘକାଳୀନ ଆର୍ଥିକ ସ୍ଥିରତା ସୃଷ୍ଟି କରିବାର ଅଭୂତପୂର୍ବ ସୁଯୋଗ ଖୋଲିଛି। ଏଥିସହ କୃଷକଙ୍କ ଆୟ ବୃଦ୍ଧି କରିବା ସହ ସ୍ୱଚ୍ଛ ଶକ୍ତି ଆଡ଼କୁ ପରିବର୍ତ୍ତନକୁ ତ୍ୱରାନ୍ୱିତ କରିବା ପାଇଁ ସଠିକ୍ ଓ ଉନ୍ନତ ଆଗ୍ରିଭୋଲ୍ଟାଇକ୍ ବା କୃଷି-ସୌରଶକ୍ତି ସମାଧାନର ବ୍ୟାପକ ପ୍ରସାର ନିମନ୍ତେ ଅନ୍ତର୍ଜାତୀୟ ଅଂଶୀଦାର, ବୈଜ୍ଞାନିକ ଓ ଶିଳ୍ପ ଜଗତର ନେତାମାନଙ୍କୁ ମିଳିତ ଭାବେ କାର୍ଯ୍ୟ କରିବାକୁ ସେ ଆହ୍ୱାନ ଦେଇଛନ୍ତି।
ପ୍ରଥମ ଦିନର ଉଦ୍ଘାଟନୀ ସମାରୋହରେ ଅତିଥିମାନଙ୍କୁ ସ୍ୱାଗତ କରାଯିବା ସହ ପାରମ୍ପରିକ ଭାବେ ଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା। ଏହାପରେ ନୂତନ ଓ ନବୀକରଣୀୟ ଶକ୍ତି ମନ୍ତ୍ରଣାଳୟ (ଏମ୍ଏନ୍ଆର୍ଇ)ର ସଚିବ ଶ୍ରୀ ସନ୍ତୋଷ କୁମାର ଷଡ଼ଙ୍ଗୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଏହି ଅବସରରେ ଏକ ସମ୍ମିଳନୀ ଭିଡିଓ ପ୍ରଦର୍ଶିତ ହୋଇଥିଲା, ଯାହାକି ଏହି ତିନିଦିନିଆ ସମ୍ମିଳନୀର ବିଷୟବସ୍ତୁ ‘ବିଶ୍ୱ ଦକ୍ଷିଣକୁ ଶକ୍ତି ଯୋଗାଣ’ ଉପରେ ଆଲୋକପାତ କରିଥିଲା।
ଉଦ୍ଘାଟନୀ ସମାରୋହରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ ଏବଂ କେନ୍ଦ୍ର ନୂତନ ଓ ନବୀକରଣୀୟ ଶକ୍ତି, ଶିକ୍ଷା ଏବଂ ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ଶ୍ରୀ ପ୍ରହଲ୍ଲାଦ ଯୋଶୀ ଅଭିଭାଷଣ ପ୍ରଦାନ କରିଥିଲେ। ଏହାପରେ ଜର୍ମାନୀର ପରିବେଶ, ଜଳବାୟୁ କାର୍ଯ୍ୟାନୁଷ୍ଠାନ, ପ୍ରକୃତି ସଂରକ୍ଷଣ ଓ ଆଣବିକ ସୁରକ୍ଷା ମନ୍ତ୍ରୀ ଶ୍ରୀ କାର୍ଷ୍ଟେନ୍ ସ୍ନାଇଡର୍ଙ୍କ ଭିଡିଓ ବାର୍ତ୍ତା ପ୍ରଦର୍ଶିତ ହୋଇଥିଲା। ଭାରତ ଓ ଭୁଟାନରେ ଜର୍ମାନୀର ରାଷ୍ଟ୍ରଦୂତ ଡ. ଜାସ୍ପର ୱିକ୍ ସମାପନୀ ଅଭିଭାଷଣ ପ୍ରଦାନ କରିଥିଲେ। ଏହି ଅବସରରେ କେନ୍ଦ୍ର ନୂତନ ଓ ନବୀକରଣୀୟ ଶକ୍ତି ଏବଂ ବିଦ୍ୟୁତ୍ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଶ୍ରୀପଦ ୟେସୋ ନାଏକ ଉପସ୍ଥିତ ଥିଲେ।
ସମ୍ମିଳନୀର ଆନୁଷ୍ଠାନିକ ଶୁଭାରମ୍ଭ ଅବସରରେ ତିନୋଟି ଜ୍ଞାନଭିତ୍ତିକ ପୁସ୍ତିକା ଉନ୍ମୋଚନ କରାଯାଇଥିଲା। ସେଗୁଡ଼ିକ ହେଲା-ଇଣ୍ଡିଆ ଆଗ୍ରିଭୋଲ୍ଟାଇକ୍ସ ଆଲାଏନ୍ସ (ଆଇଏଏ) ପକ୍ଷରୁ ପ୍ରସ୍ତୁତ ନିଷ୍ପତ୍ତି ଗ୍ରହଣ ସହାୟକ ଉପକରଣ, ଅନ୍ତର୍ଜାତୀୟ ଜଳ ପରିଚାଳନା ପ୍ରତିଷ୍ଠାନ (ଆଇଡବ୍ଲ୍ୟୁଏମ୍ଆଇ) ପକ୍ଷରୁ ପ୍ରସ୍ତୁତ ‘ବୁକ ଅଫ ଆବଷ୍ଟ୍ରାକ୍ସ’ ଏବଂ ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ (ଏମ୍ଏନ୍ଆର୍ଇ) ପକ୍ଷରୁ ପ୍ରସ୍ତୁତ ‘ଏଗ୍ରିପିଭି’ ନୀତି ପୁସ୍ତିକା।
ଏହି ସମ୍ମିଳନୀରେ ୧୨୦୦ରୁ ଅଧିକ ପ୍ରତିନିଧି ଯୋଗ ଦେଇଛନ୍ତି। ସେମାନଙ୍କ ମଧ୍ୟରେ ୧୫୦ରୁ ଅଧିକ ବିଦେଶୀ ପ୍ରତିନିଧିଙ୍କ ସମେତ ଅନ୍ତର୍ଜାତୀୟ ବିଶେଷଜ୍ଞ, ନୀତି ନିର୍ଦ୍ଧାରକ, ଗବେଷକ, ଶିଳ୍ପ ଜଗତର ପ୍ରମୁଖ ବ୍ୟକ୍ତି, ନବସୃଜନକାରୀ, ନୂତନ ଉଦ୍ୟୋଗ ଏବଂ ବିକାଶ ସହଯୋଗୀମାନେ ସାମିଲ ଅଛନ୍ତି। ଏହି କାର୍ଯ୍ୟକ୍ରମ ଜ୍ଞାନ ଆଦାନପ୍ରଦାନ, ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସହଯୋଗ ଏବଂ ଦକ୍ଷିଣ-ଦକ୍ଷିଣ ସହଯୋଗ ପାଇଁ ଏକ ମଞ୍ଚ ପ୍ରଦାନ କରୁଛି। ଏଥିରେ ବିଭିନ୍ନ କ୍ଷେତ୍ରର ପ୍ରତିନିଧିଙ୍କ ଯୋଗଦାନ ଶକ୍ତି କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ଏବଂ କୃଷି ସୁରକ୍ଷା ମଧ୍ୟରେ ସମନ୍ୱୟ ରକ୍ଷା ପାଇଁ ଏକ ସମନ୍ୱିତ ଶାସନ ରଣନୀତିର ପରିଚୟ ଦେଉଛି।
ଏହି ସମ୍ମିଳନୀରେ ବିଜ୍ଞାନ, ନୀତି ନିର୍ଦ୍ଧାରଣ ଓ ନବସୃଜନ କ୍ଷେତ୍ରକୁ ଏକାଠି କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ଏହା ଅଧୀନରେ ଭାରତକୁ କେନ୍ଦ୍ର କରି ଏକ ସ୍ୱତନ୍ତ୍ର ଅଧିବେଶନ ସହିତ ଦୁଇଟି ସମାନ୍ତରାଳ ବୈଜ୍ଞାନିକ ଅଧିବେଶନ ଆୟୋଜନ କରାଯାଇଛି। ସମ୍ମିଳନୀର ବିଭିନ୍ନ ଆଲୋଚନାରେ ନବସୃଜନ, ରାଜ୍ୟଗୁଡ଼ିକର ନେତୃତ୍ୱ, ଫସଲ ଉତ୍ପାଦକତା, ନୀତିଗତ ଢାଞ୍ଚା, ଆର୍ଥିକ ସହାୟତା ମଡେଲ୍, ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ, ଜଳବାୟୁ ପରିବର୍ତ୍ତନର ମୁକାବିଲା କ୍ଷମତା ଏବଂ କୃଷକକୈନ୍ଦ୍ରିକ ବ୍ୟବସାୟ ମଡେଲ୍ ଭଳି ବିଷୟ ସ୍ଥାନ ପାଇବ।
ଏଥିସହ ନୂତନ ଉଦ୍ୟୋଗ ଓ ନବସୃଜନ ପାଇଁ ଏକ ସ୍ୱତନ୍ତ୍ର ମଞ୍ଚର ବ୍ୟବସ୍ଥା କରାଯାଇଛି। ଏହା ଅଧୀନରେ ଆୟୋଜିତ ‘ଆଗ୍ରିଭୋଲ୍ଟାଇକ୍ସ ପିଚ୍ ହବ୍’ ମାଧ୍ୟମରେ ଆଗାମୀ ପିଢ଼ିର ପ୍ରଯୁକ୍ତିଭିତ୍ତିକ ସମାଧାନଗୁଡ଼ିକ ପ୍ରଦର୍ଶିତ ହେଉଛି। ଏହା ସ୍ୱଚ୍ଛ ପ୍ରଯୁକ୍ତି ଉଦ୍ଭାବକ, ନୂତନ ଉଦ୍ୟୋଗ, ଉଦ୍ୟୋଗ ପୁଞ୍ଜି ନିବେଶକ ଏବଂ ବିଶ୍ୱସ୍ତରୀୟ ଶିଳ୍ପ ନେତୃତ୍ୱ ମଧ୍ୟରେ ସମନ୍ୱୟ ସ୍ଥାପନ କରିବା ସହ ନୂତନ ପ୍ରଯୁକ୍ତିର ବ୍ୟବହାରିକ ପ୍ରୟୋଗ ଓ ପ୍ରସାର ପାଇଁ ସୁଯୋଗ ସୃଷ୍ଟି କରୁଛି।
ଉଭୟ ଖାଦ୍ୟ ଉତ୍ପାଦନ ଓ ସ୍ୱଚ୍ଛ ଶକ୍ତି ଉତ୍ପାଦନ ପାଇଁ ଜମିର ଦ୍ୱୈତ ବ୍ୟବହାର ମାଧ୍ୟମରେ ଆଗ୍ରିଭୋଲ୍ଟାଇକ୍ସ ପଦ୍ଧତି ଗ୍ରାମାଞ୍ଚଳରେ ଅର୍ଦ୍ଧବେକାରୀ ସମସ୍ୟା ହ୍ରାସ, ସ୍ଥାନୀୟ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହନ, କୃଷକଙ୍କ ଆୟ ବୃଦ୍ଧି, ଫସଲ ପାଇଁ ଅନୁକୂଳ କ୍ଷୁଦ୍ର ଜଳବାୟୁର ସୁରକ୍ଷା ଏବଂ ଜଳବାୟୁ ପରିବର୍ତ୍ତନଜନିତ ବଢ଼ୁଥିବା ଅନିଶ୍ଚିତତା ମଧ୍ୟରେ ଜୀବିକାର ସ୍ଥାୟୀତ୍ୱ ସୁନିଶ୍ଚିତ କରିବାରେ ଏକ ବଡ଼ ସୁଯୋଗ ପ୍ରଦାନ କରୁଛି। ସମ୍ମିଳନୀରେ ଯୋଗଦେଇଥିବା ପ୍ରତିନିଧିମାନେ ଜଳବାୟୁ ପରିବର୍ତ୍ତନର ମୁକାବିଲା କରିପାରୁଥିବା କୃଷି ବ୍ୟବସ୍ଥା ଗଠନ ଏବଂ ଭାରତର ଗ୍ରାମାଞ୍ଚଳରେ ସ୍ଥାୟୀ ଜୀବିକା ସୃଷ୍ଟି କରିବାରେ ଏହି ପଦ୍ଧତିର ଭୂମିକା ଉପରେ ଗୁରୁତ୍ୱ ଦେଇଥିଲେ।
ସମ୍ମିଳନୀରେ ହୋଇଥିବା ବିଭିନ୍ନ ଆଲୋଚନାରୁ ସ୍ପଷ୍ଟ ହୋଇଛି ଯେ, କୃଷିର ଭବିଷ୍ୟତ ସ୍ୱଚ୍ଛ ଶକ୍ତି ଓ ଡିଜିଟାଲ୍ ପ୍ରଯୁକ୍ତିବିଦ୍ୟାର ସମନ୍ୱୟ ଉପରେ ନିର୍ଭର କରୁଛି। ଆଗ୍ରିଭୋଲ୍ଟାଇକ୍ସ ପଦ୍ଧତି ଭାରତରେ ପାରମ୍ପରିକ କୃଷିରୁ ପ୍ରଯୁକ୍ତିଭିତ୍ତିକ କୃଷି ଆଡ଼କୁ ଏକ ବଡ଼ ପରିବର୍ତ୍ତନର ପ୍ରତୀକ। ଏଥିରେ ସୌରଶକ୍ତି ସହିତ ସଠିକ୍ କୃଷି ପରିଚାଳନା, ସ୍ମାର୍ଟ ଜଳସେଚନ, ଡିଜିଟାଲ୍ ପ୍ରଯୁକ୍ତିବିଦ୍ୟା ଏବଂ ଅଭିନବ ବ୍ୟବସାୟ ମଡେଲ୍କୁ ସମନ୍ୱିତ କରାଯାଉଛି।
ସପ୍ତମ ଆଗ୍ରିଭୋଲ୍ଟାଇକ୍ସ ବିଶ୍ୱ ସମ୍ମିଳନୀ ଅନ୍ତର୍ଜାତୀୟ ସହଯୋଗକୁ ଆହୁରି ତ୍ୱରାନ୍ୱିତ କରିବ ବୋଲି ଆଶା କରାଯାଉଛି। ଏଥିସହ ବିଶ୍ୱର ଖାଦ୍ୟ ଓ ଶକ୍ତି ବ୍ୟବସ୍ଥା ପାଇଁ ଏକ ଅଧିକ ସହନଶୀଳ ଓ ସ୍ଥାୟୀ ଭବିଷ୍ୟତ ଗଠନ ଦିଗରେ ଅଗ୍ରଣୀ ଭୂମିକା ନିର୍ବାହ କରିବାରେ ଭାରତର ସ୍ଥିତି ଆହୁରି ସୁଦୃଢ଼ ହେବ।
***
TKM
(ରିଲିଜ ଆଡି: 2326287)
ପରିଦର୍ଶକ କାଉଣ୍ଟର : 6