ରସାୟନ ଓ ପେଟ୍ରୋକେମିକାଲ୍ସ ବିଭାଗ
azadi ka amrit mahotsav

ମୁମ୍ବାଇରେ ଅକ୍ଟୋବର ୨୨ରୁ ଆରମ୍ଭ ହେବ ୧୪ତମ ‘ଇଣ୍ଡିଆ କେମ୍ ୨୦୨୬’


ଆସନ୍ତାକାଲି ମୁମ୍ବାଇରେ ୧୪ତମ ଇଣ୍ଡିଆ କେମ୍ ୨୦୨୬ ର ଉଦ୍‌ଘାଟନ କରିବେ ଶ୍ରୀ ଜେ.ପି. ନଡ୍ଡା

ପ୍ରଦର୍ଶିତ ହେବ ଦେଶର ଶିଳ୍ପ ଦକ୍ଷତା ଓ ନିବେଶ ସୁଯୋଗ

୧୪ତମ ଇଣ୍ଡିଆ କେମ୍ ୨୦୨୬ରେ ସହଭାଗୀ ଦେଶ ଭାବେ ଯୋଗଦେବ ଜାପାନ

ପୋଷ୍ଟ କରାଯିବା ଦିନାଙ୍କ: 21 OCT 2026 2:40PM by PIB Bhubaneswar

ଭାରତ ସରକାରଙ୍କ ରସାୟନ ଓ ସାର ମନ୍ତ୍ରଣାଳୟ ଅଧୀନସ୍ଥ ରାସାୟନିକ ଓ ପେଟ୍ରୋକେମିକାଲ୍ସ ବିଭାଗ ପକ୍ଷରୁ ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଚାମ୍ବର୍ସ ଅଫ୍ କମର୍ସ ଆଣ୍ଡ୍ ଇଣ୍ଡଷ୍ଟ୍ରି (FICCI)ର ସହଯୋଗରେ ୧୪ତମ ‘ଇଣ୍ଡିଆ କେମ୍ ୨୦୨୬’ ଅକ୍ଟୋବର ୨୨ରୁ ୨୪ ପର୍ଯ୍ୟନ୍ତ ମୁମ୍ବାଇର ନେସ୍କୋସ୍ଥିତ ବମ୍ବେ ଏକ୍ସିବିସନ୍ ସେଣ୍ଟରଠାରେ ଆୟୋଜିତ ହେବ।

ଏହି ପ୍ରମୁଖ ଦ୍ୱିବାର୍ଷିକ କାର୍ଯ୍ୟକ୍ରମରେ ନୀତି ନିର୍ଦ୍ଧାରକ, ବିଶ୍ୱସ୍ତରୀୟ ଶିଳ୍ପ ନେତୃତ୍ୱ, ନିବେଶକ, ପ୍ରଯୁକ୍ତି ଯୋଗାଣକାରୀ, ଗବେଷକ ଏବଂ ଅନ୍ୟାନ୍ୟ ଅଂଶୀଦାରମାନେ ଏକତ୍ରିତ ହେବେ। ଏହା ମାଧ୍ୟମରେ ଭାରତର ରାସାୟନିକ ଓ ପେଟ୍ରୋକେମିକାଲ୍ସ କ୍ଷେତ୍ରରେ ସହଯୋଗ, ବାଣିଜ୍ୟ ଏବଂ ନିବେଶର ସମ୍ଭାବନା ଅନ୍ୱେଷଣ କରାଯିବ।

ଏହି ଆୟୋଜନର ୧୪ତମ ସଂସ୍କରଣର ବିଷୟବସ୍ତୁ ରହିଛି “ଆଡଭାଣ୍ଟେଜ୍ ଭାରତ: ଏକ ଉଦୀୟମାନ ବିଶ୍ୱସ୍ତରୀୟ ରାସାୟନିକ ହବ୍”। ‘ଇଣ୍ଡିଆ କେମ୍ ୨୦୨୬’ରେ ଏକ ଅନ୍ତର୍ଜାତୀୟ ପ୍ରଦର୍ଶନୀ ଓ ସମ୍ମିଳନୀ ଆୟୋଜିତ ହେବ। ଏହା ଭାରତର ଶିଳ୍ପ କ୍ଷମତା, ବୈଷୟିକ ଅଗ୍ରଗତି ତଥା ବିଶ୍ୱସ୍ତରୀୟ ଉତ୍ପାଦନ ଓ ସୋର୍ସିଂ କେନ୍ଦ୍ର ଭାବେ ଦେଶର ସମ୍ଭାବନାକୁ ପ୍ରଦର୍ଶିତ କରିବା ପାଇଁ ଏକ ପ୍ରମୁଖ ମଞ୍ଚ ଭାବେ କାର୍ଯ୍ୟ କରିବ।

କେନ୍ଦ୍ର ରାସାୟନିକ ଏବଂ ସାର, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ଜେ. ପି. ନଡ୍ଡା ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବେ। କେନ୍ଦ୍ର ରାସାୟନିକ ଏବଂ ସାର, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ଅନୁପ୍ରିୟା ପଟେଲ ଏହି ଅବସରରେ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି। ଏହାସହ ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ସମେତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେବେ।

ଉଲ୍ଲେଖନୀୟ ଅଭିବୃଦ୍ଧି ପାଇଁ ପ୍ରସ୍ତୁତ ଭାରତୀୟ ରାସାୟନିକ ଶିଳ୍ପ

ଭାରତ ବିଶ୍ୱର ଷଷ୍ଠ ବୃହତ୍ତମ ଏବଂ ଏସିଆର ଚତୁର୍ଥ ବୃହତ ରାସାୟନିକ ଉତ୍ପାଦକ ଦେଶ. ଏହି ସ୍ଥିତିକୁ ଦୃଷ୍ଟିରେ ରଖି ୧୪ତମ ଇଣ୍ଡିଆ କେମ୍ ୨୦୨୬ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ଭାରତୀୟ ରାସାୟନିକ ଶିଳ୍ପ ୨୦୩୦ ସୁଦ୍ଧା ୩୦୦ ବିଲିୟନ୍ ଆମେରିକୀୟ ଡଲାର ଏବଂ ୨୦୪୦ ସୁଦ୍ଧା ୧ ଟ୍ରିଲିୟନ୍ ଆମେରିକୀୟ ଡଲାରରେ ପହଞ୍ଚିବାର ଆକଳନ କରାଯାଇଛି, ଯାହା ଏକ ଉଲ୍ଲେଖନୀୟ ଅଭିବୃଦ୍ଧିକୁ ଦର୍ଶାଉଛି। ବୃଦ୍ଧି ପାଉଥିବା ଚାହିଦା, ରପ୍ତାନି ସୁଯୋଗ, ଜନସାଂଖ୍ୟିକ ଲାଭ, ତୁଳନାତ୍ମକ ଭାବେ କମ୍ ମୁଣ୍ଡପିଛା ବ୍ୟବହାର ଏବଂ ସରକାରଙ୍କ ସହାୟକ ପଦକ୍ଷେପଗୁଡ଼ିକ ଏହି କ୍ଷେତ୍ରର ଅଭିବୃଦ୍ଧି ସମ୍ଭାବନାକୁ ସମର୍ଥନ କରୁଛି।

ଶାସନ ସଂସ୍କାର, ବିଶ୍ୱସ୍ତରୀୟ ଭିତ୍ତିଭୂମି, ମଜବୁତ ବାଣିଜ୍ୟ ଓ ନିବେଶ ନୀତି, ଶକ୍ତ ନିୟାମକ ଢାଞ୍ଚା ଏବଂ ପ୍ରତିଯୋଗିତାମୂଳକ ମୂଲ୍ୟରେ କୁଶଳୀ ଶ୍ରମିକଙ୍କ ଉପଲବ୍ଧତା ଯୋଗୁଁ ଭାରତ ଏକ ପସନ୍ଦଯୋଗ୍ୟ ବିଶ୍ୱ ଗନ୍ତବ୍ୟସ୍ଥଳ ଭାବରେ ଗଢ଼ିଉଠୁଛି। ଘରୋଇ ଉତ୍ପାଦନକୁ ସୁଦୃଢ଼ କରିବା, ବିଶ୍ୱ ମୂଲ୍ୟ-ଶୃଙ୍ଖଳାରେ ଭାଗିଦାରୀ ବୃଦ୍ଧି ଏବଂ ଭାରତର ଦୀର୍ଘକାଳୀନ ଅର୍ଥନୈତିକ ଆକାଂକ୍ଷାକୁ ସମର୍ଥନ କରିବାରେ ରାସାୟନିକ ଏବଂ ପେଟ୍ରୋକେମିକାଲ୍ସ କ୍ଷେତ୍ର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଆଶା କରାଯାଉଛି।

ବ୍ୟାପକ ଅନ୍ତର୍ଜାତୀୟ ଅଂଶଗ୍ରହଣ ସମ୍ଭାବନା

ଜାପାନ, ଆମେରିକା, କାନାଡା, ଇଂଲଣ୍ଡ , ୟୁରୋପୀୟ ୟୁନିଅନ୍‌, ଲାଟିନ୍ ଆମେରିକା, ଭିଏତନାମ, କୋରିଆ ଏବଂ ଆସିଆନ୍ ଦେଶଗୁଡ଼ିକ ସମେତ ୧୦୦ ରୁ ଅଧିକ ଦେଶରୁ ଇଣ୍ଡିଆ କେମ୍ ୨୦୨୬ ରେ ଅଂଶଗ୍ରହଣ କରାଯିବାର ଆଶା କରାଯାଉଛି।

୧୪ତମ ଇଣ୍ଡିଆ କେମ୍ ୨୦୨୬ ରେ ଜାପାନ ଏକ ଅଂଶୀଦାର ଦେଶ ଭାବରେ ଯୋଗ ଦେବ। ଭାରତ-ଜାପାନ ଅର୍ଥନୈତିକ ସହଯୋଗକୁ ସୁଦୃଢ଼ କରିବା ପାଇଁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଗ୍ରହଣ କରାଯାଉଛି।

୨୦୦ରୁ ଅଧିକ ଭାରତୀୟ ଓ ଅନ୍ତର୍ଜାତୀୟ ପ୍ରଦର୍ଶକ, ଭାରତ ଏବଂ ବିଦେଶରୁ ୮,୦୦୦ ରୁ ଅଧିକ ବ୍ୟବସାୟିକ ପରିଦର୍ଶକ, ଏବଂ ଗ୍ଲୋବାଲ୍ ସିଇଓ ଫୋରମ‌ରେ ଭାରତ ଓ ବିଦେଶର ୫୦ ରୁ ଅଧିକ ପ୍ରମୁଖ ସିଇଓ ଯୋଗଦେବେ। ଦକ୍ଷିଣ ଆମେରିକା, ଆମେରିକା, ୟୁରୋପୀୟ ୟୁନିଅନ୍, ସ୍ୱାଧୀନ ରାଜ୍ୟରାଷ୍ଟ୍ରଗୋଷ୍ଠୀ ଦେଶ, ପଶ୍ଚିମ ୟୁରୋପ, ମଧ୍ୟପ୍ରାଚ୍ୟ, ଏବଂ ଦକ୍ଷିଣ ଓ ଦକ୍ଷିଣ-ପୂର୍ବ ଏସିଆରୁ କ୍ରେତା ପ୍ରତିନିଧିମଣ୍ଡଳୀ ମଧ୍ୟ ଯୋଗଦେବା ସମ୍ଭାବନା ରହିଛି।

ପେଟ୍ରୋଲିୟମ୍, କେମିକାଲ୍ସ ଏବଂ ପେଟ୍ରୋକେମିକାଲ୍ସ ଇନଭେଷ୍ଟମେଣ୍ଟ ରିଜିଅନ୍ ଏବଂ କେମିକାଲ୍ ହବ୍ ଥିବା ରାଜ୍ୟଗୁଡ଼ିକ-ଯେପରିକି ଗୁଜରାଟ, ଓଡ଼ିଶା, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ମହାରାଷ୍ଟ୍ର ପ୍ରଭୃତି ରାଜ୍ୟ ନିଜନିଜର ଦକ୍ଷତା ଏବଂ ନିବେଶ ସୁଯୋଗକୁ ପ୍ରଦର୍ଶନ କରିବେ।

ରାସାୟନିକ ମୂଲ୍ୟ-ଶୃଙ୍ଖଳାରେ ପ୍ରଯୁକ୍ତିବିଦ୍ୟାର ପ୍ରଦର୍ଶନ

ଏହି ପ୍ରଦର୍ଶନୀରେ ରାସାୟନିକ, ପେଟ୍ରୋକେମିକାଲ୍ସ, ପ୍ରକ୍ରିୟାକରଣ ପ୍ଲାଣ୍ଟ ଯନ୍ତ୍ରପାତି ଏବଂ ଉପକରଣ କ୍ଷେତ୍ରର ବ୍ୟାପକ ସାମଗ୍ରୀ, ପ୍ରଯୁକ୍ତିବିଦ୍ୟା ଏବଂ ସେବାଗୁଡ଼ିକୁ ସାମିଲ କରାଯିବ।

ରାସାୟନିକ ବିଭାଗରେ ଫାଇନ୍ ଏବଂ ସ୍ପେଶାଲ୍ଟି କେମିକାଲ୍ସ, କୃଷି-ରାସାୟନିକ ଏବଂ ସାର, ମୌଳିକ ରାସାୟନିକ, ରଙ୍ଗ ଏବଂ ପିଗମେଣ୍ଟ, ସବୁଜ ଏବଂ ସ୍ଥାୟୀ ରାସାୟନିକ, ଫାର୍ମାସ୍ୟୁଟିକାଲ୍ସ ଉପାଦାନ, ଜଳ-ବିଶୋଧନ ରାସାୟନିକ, ନିର୍ମାଣ ରାସାୟନିକ ଏବଂ ଶିଳ୍ପ ଗବେଷଣା ଓ ଉଦ୍ଭାବନ ଅନ୍ତର୍ଭୁକ୍ତ ରହିବ।

ପେଟ୍ରୋକେମିକାଲ୍ସ ବିଭାଗରେ ପଲିମର ଏବଂ ଇଞ୍ଜିନିୟରିଂ ପ୍ଲାଷ୍ଟିକ୍, ଓଲେଫିନ୍, ସିନ୍ଥେଟିକ୍ ଫାଇବର, ଏଲାଷ୍ଟୋମର, ଆରୋମାଟିକ୍ସ ଏବଂ ଡେରିଭେଟିଭ୍ସ, ଜୈବ-ଆଧାରିତ ଏବଂ ପୁନରୁଦ୍ଧାର କରାଯାଇଥିବା ପେଟ୍ରୋକେମିକାଲ୍ସ, ପରଫର୍ମାନ୍ସ ପ୍ଲାଷ୍ଟିକ୍, କମ୍ପୋଜିଟ୍ ଗଠନ ଏବଂ ଅଟୋମୋବାଇଲ୍, ଏରୋସ୍ପେସ୍ ଓ ଇଲେକ୍ଟ୍ରୋନିକ୍ସ କ୍ଷେତ୍ର ପାଇଁ ସ୍ପେଶାଲ୍ଟି ପଲିମର ପ୍ରଦର୍ଶିତ ହେବ।

ପ୍ରସେସ୍ ପ୍ଲାଣ୍ଟ ଯନ୍ତ୍ରପାତି ଏବଂ ଉପକରଣ ବିଭାଗରେ ଆଧୁନିକ ଯନ୍ତ୍ରପାତି, ପ୍ରସେସ୍ ପ୍ରଯୁକ୍ତିବିଦ୍ୟା, ଇଞ୍ଜିନିୟରିଂ ଏବଂ ପ୍ରକଳ୍ପ ସେବା, ଡିଜିଟାଲାଇଜେସନ୍, ଅଟୋମେସନ୍, ସ୍ମାର୍ଟ ମାନୁଫାକ୍ଚରିଂ, ପରିବେଶ ଓ ପ୍ରଦୂଷଣ-ନିୟନ୍ତ୍ରଣ ବ୍ୟବସ୍ଥା, ଫିଲ୍ଟରେସନ୍ ଏବଂ ସେପାରେସନ୍ ପ୍ରଯୁକ୍ତିବିଦ୍ୟା, ପରୀକ୍ଷାଗାର ଉପକରଣ, ଆନାଲିଟିକାଲ୍ ଇନ୍‌ଷ୍ଟ୍ରୁମେଣ୍ଟ, ରୋବୋଟିକ୍ସ ଏବଂ କେମିକାଲ୍ ପ୍ଲାଣ୍ଟ ପାଇଁ ଏଆଇ ଆଧାରିତ ସମାଧାନ ପ୍ରଦର୍ଶିତ ହେବ।

୧୪ତମ ଇଣ୍ଡିଆ କେମ୍ ୨୦୨୬: ବିବିଧ ବ୍ୟବସାୟିକ ସୁଯୋଗ

୧୪ତମ ଇଣ୍ଡିଆ କେମ୍ ୨୦୨୬ ପ୍ରଯୁକ୍ତିବିଦ୍ୟା ହସ୍ତାନ୍ତର, ଯୌଥ ଉଦ୍ୟୋଗ, ଚୁକ୍ତିଭିତ୍ତିକ ଗବେଷଣା ଏବଂ ଉତ୍ପାଦନ, କଷ୍ଟମ୍ ସିନ୍ଥେସିସ୍ ଏବଂ କେମିକାଲ୍ ପାର୍କଗୁଡ଼ିକରେ ନିବେଶ, ଏବଂ ଭାରତରୁ ବିଶ୍ୱସ୍ତରୀୟ ସୋର୍ସିଂ ପାଇଁ ନୂତନ ପଥ ଖୋଲିବ। ଏହା ସ୍ପେଶାଲ୍ଟି ଏବଂ ହାଇ-ପରଫର୍ମାନ୍ସ ସାମଗ୍ରୀ, ଯେପରିକି ନାନୋମ୍ୟାଟେରିଆଲ୍ସ, ସେମିକଣ୍ଡକ୍ଟର, କମ୍ପୋଜିଟ୍ସ ଏବଂ ବାୟୋଡିଗ୍ରେଡେବଲ୍ ପଲିମର କ୍ଷେତ୍ରରେ ମଧ୍ୟ ସହଯୋଗକୁ ସୁଗମ କରିବ।

ସୁଯୋଗର ଅନ୍ୟାନ୍ୟ କ୍ଷେତ୍ରଗୁଡ଼ିକ ମଧ୍ୟରେ ସବୁଜ ଏବଂ ସ୍ଥାୟୀ ପ୍ରଯୁକ୍ତିବିଦ୍ୟା, ଜୈବ-ଆଧାରିତ ରାସାୟନିକ, ପୁନରୁଦ୍ଧାର ଏବଂ ବୃତ୍ତାକାର ଅର୍ଥନୀତି, ପରିବେଶ, ସାମାଜିକ ଏବଂ ଶାସନ ସମାଧାନ, ସୁରକ୍ଷା ଓ ଅନୁପାଳନ, ଷ୍ଟାର୍ଟ-ଅପ ଇନକ୍ୟୁବେସନ୍, ଦକ୍ଷତା ବିକାଶ, ଯୋଗାଣ-ଶୃଙ୍ଖଳା ଓ ଲଜିଷ୍ଟିକ୍ସ ସେବା, ଏବଂ ବିଜନେସ୍-ଟୁ-ବିଜନେସ୍ ବାଣିଜ୍ୟ ପାଇଁ ଡିଜିଟାଲ୍ ମଞ୍ଚ ସାମିଲ ଅଛି।

ଶିଳ୍ପ, ସରକାର, ନିବେଶକ, ଶିକ୍ଷାବିତ୍ ଏବଂ ପ୍ରଯୁକ୍ତିବିଦ୍ୟା ଯୋଗାଣକାରୀମାନଙ୍କୁ ଏକାଠି କରି, ଇଣ୍ଡିଆ କେମ୍ ୨୦୨୬ ବ୍ୟବସାୟିକ ସମ୍ପର୍କକୁ ସୁଦୃଢ଼ କରିବା, ଉଦ୍ଭାବନକୁ ପ୍ରୋତ୍ସାହିତ କରିବା ଏବଂ ଭାରତର ଉତ୍ପାଦନ ପରିସଂସ୍ଥାର କେନ୍ଦ୍ରବିନ୍ଦୁ ସାଜିଥିବା ଏହି କ୍ଷେତ୍ରରେ ନିବେଶକୁ ପ୍ରୋତ୍ସାହିତ କରିବାକୁ ଲକ୍ଷ୍ୟ ରଖିଛି।

ଇଣ୍ଡିଆ କେମ୍‌ର ପରମ୍ପରାର ନିର୍ମାଣ

ଏହାର ପୂର୍ବବର୍ତ୍ତୀ ସଂସ୍କରଣ, ଇଣ୍ଡିଆ କେମ୍ ୨୦୨୪ ରେ ୭୨ ଟି ଦେଶ ଅଂଶଗ୍ରହଣକରିଥିଲେ, ଯେଉଁଥିରେ ୧୭୨ ଜଣ ପ୍ରଦର୍ଶକ, ୭୮ ଜଣ ବିଶ୍ୱ ସ୍ତରୀୟ ସିଇଓ,୧୩୫ ଜଣ ବିଶିଷ୍ଟ ବକ୍ତା, ୬୮୯ ଜଣ ବିଦେଶୀ ପ୍ରତିନିଧି, ୧,୧୧୫ ଜଣ ଭାରତୀୟ ପ୍ରତିନିଧି ଏବଂ ୮,୭୨୦ ଜଣ ବ୍ୟବସାୟିକ ପରିଦର୍ଶକ ସାମିଲ ଥିଲେ। ଇଣ୍ଡିଆ କେମ୍‌ର ୧୩ଶ ସଂସ୍କରଣରେ ଏହି ପ୍ରତିଷ୍ଠିତ ବି ଟୁ ବି କାର୍ଯ୍ୟକ୍ରମରେ ୧୫,୦୦୦ ରୁ ଅଧିକ ପରିଦର୍ଶକଙ୍କ ସମାଗମ ହୋଇଥିଲା। ଏଥିରେ ନିବେଶ ସୁଯୋଗ ପ୍ରଦର୍ଶନ କରୁଥିବା ୨୦ଟି ରାଜ୍ୟର ପ୍ରତିନିଧିମଣ୍ଡଳୀ ମଧ୍ୟ ଅଂଶଗ୍ରହଣ କରିଥିଲେ।

ଏହି ସଫଳତାକୁ ଆଧାର କରି, ୧୪ତମ ସଂସ୍କରଣ ଅନ୍ତର୍ଜାତୀୟ ନିବିଡ଼ତାକୁ ଆହୁରି ଗଭୀର କରିବା, ବ୍ୟବସାୟିକ ସହଯୋଗ ବୃଦ୍ଧି କରିବା ଏବଂ ବିଶ୍ୱ ରାସାୟନିକ ଓ ପେଟ୍ରୋକେମିକାଲ୍ସ ଶିଳ୍ପରେ ଭାରତର ବୃଦ୍ଧି ପାଉଥିବା ଭୂମିକାକୁ ଆଲୋକପାତ କରିବାକୁ ଲକ୍ଷ୍ୟ ରଖିଛି।

ଗ୍ଲୋବାଲ୍ ଜ୍ଞାନକୌଶଳକୁ ଭାରତର ଉତ୍ପାଦନ ଶକ୍ତି, ନିବେଶ ସମ୍ଭାବନା ଏବଂ ସ୍ଥାୟୀ ଶିଳ୍ପ ବିକାଶ ପ୍ରତି ପ୍ରତିବଦ୍ଧତା ସହିତ ଯୋଡ଼ି, ଇଣ୍ଡିଆ କେମ୍ ୨୦୨୬ “ଆଡଭାଣ୍ଟେଜ୍ ଭାରତ: ଆନ୍ ଏମର୍ଜିଂ ଗ୍ଲୋବାଲ୍ କେମିକାଲ୍ସ ହବ୍”ର ଦୃଷ୍ଟିକୋଣକୁ ଆଗେଇ ନେବା ପାଇଁ ଏକ ମୁଖ୍ୟ ମଞ୍ଚ ଭାବରେ କାର୍ଯ୍ୟ କରିବ।

******

HP/Swadhin/Manoj

 


(ରିଲିଜ ଆଡି: 2326169) ପରିଦର୍ଶକ କାଉଣ୍ଟର : 13
ଏହି ରିଲିଜ ପଢନ୍ତୁ : English , हिन्दी , Urdu , Marathi , Gujarati