ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରଣାଳୟ
azadi ka amrit mahotsav

'ସ୍ୱଚ୍ଛ ସାଗର ସୁରକ୍ଷିତ ସାଗର ୫.୦ ରେ ବ୍ୟାପକ ଜନ-ଅଂଶଗ୍ରହଣକୁ ପ୍ରଶଂସା କଲେ ଡ. ଜିତେନ୍ଦ୍ର ସିଂହ


ସମୁଦ୍ର ସଂରକ୍ଷଣ ପାଇଁ ଶପଥ ନେଲେ ୧୫ ଲକ୍ଷ ଲୋକ

୧୩ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ୨୩୧ଟି ସ୍ଥାନରେ ଅନୁଷ୍ଠିତ ହେଲା ଉପକୂଳ ସଫେଇ କାର୍ଯ୍ୟକ୍ରମ

ସହର-ଭିତ୍ତିକ ବୈଜ୍ଞାନିକ କ୍ଲଷ୍ଟର ଗଠନ, ଉନ୍ନତ ସମନ୍ୱୟ ଏବଂ ଭାରତର ବୈଜ୍ଞାନିକ ସଫଳତାଗୁଡ଼ିକୁ ବ୍ୟାପକ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ଉପରେ ଗୁରୁତ୍ୱାରୋପ କଲେ କେନ୍ଦ୍ର ମନ୍ତ୍ରୀ ଡ. ଜିତେନ୍ଦ୍ର ସିଂହ

ପୋଷ୍ଟ କରାଯିବା ଦିନାଙ୍କ: 21 SEP 2026 5:55PM by PIB Bhubaneswar

କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ତଥା ଭୂ-ବିଜ୍ଞାନ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଏବଂ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, କର୍ମଚାରୀ, ଜନ ଅଭିଯୋଗ ଓ ପେନ୍‌ସନ୍, ପରମାଣୁ ଶକ୍ତି ଓ ମହାକାଶ ବିଭାଗର ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ଆଜି ସ୍ୱଚ୍ଛ ସାଗର ସୁରକ୍ଷିତ ସାଗର ୫.୦ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି । ଏହି ଅଭିଯାନରେ ବ୍ୟାପକ ଜନଭାଗିଦାରୀକୁ ସେ ପ୍ରଶଂସା କରିଛନ୍ତି । ସେପ୍ଟେମ୍ବର ୧୨ରୁ ୧୯ ତାରିଖ ପର୍ଯ୍ୟନ୍ତ ୧୩ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ୨୩୧ଟି ସ୍ଥାନରେ ଉପକୂଳ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।

କେନ୍ଦ୍ର ମନ୍ତ୍ରୀ ଡକ୍ଟର ସିଂ ଏହି ଅବସରରେ ବିଜ୍ଞାନ ସହ ଜଡ଼ିତ ମନ୍ତ୍ରଣାଳୟ ଓ ବିଭାଗଗୁଡ଼ିକ ମଧ୍ୟରେ ଅଧିକ ଦୃଢ଼ ସମନ୍ୱୟ ଉପରେ ଗୁରୁତ୍ୱାରୋପ କରିଛନ୍ତି । ଏହା ସହିତ ସେ ସହର-ଭିତ୍ତିକ ବୈଜ୍ଞାନିକ କ୍ଲଷ୍ଟରର ବିକାଶ ଏବଂ ଭାରତର ବୈଜ୍ଞାନିକ ସଫଳତାଗୁଡ଼ିକର ବ୍ୟାପକ ପ୍ରଚାର-ପ୍ରସାର ଉପରେ ଜୋର୍‌ ଦେଇଛନ୍ତି ।

ବିଜ୍ଞାନ ସହ ଜଡ଼ିତ ବିଭିନ୍ନ ମନ୍ତ୍ରଣାଳୟ/ବିଭାଗଗୁଡ଼ିକର ମାସିକ ସମୀକ୍ଷା ବୈଠକରେ ଡକ୍ଟର ଜିତେନ୍ଦ୍ର ସିଂହଙ୍କ ଅଧ୍ୟକ୍ଷତା କରିଥିଲେ । ବୈଠକରେ ଭାରତ ସରକାରଙ୍କ ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତା ପ୍ରଫେସର ଅଜୟ କୁମାର ସୁଦ୍; ଜୈବ-ପ୍ରଯୁକ୍ତିବିଦ୍ୟା ବିଭାଗର ସଚିବ ଡକ୍ଟର ରାଜେଶ ଗୋଖଲେ; ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗର ସଚିବ ପ୍ରଫେସର ଉମେଶ ଭି. ୱାଘମାରେ; ବୈଜ୍ଞାନିକ ଓ ଶିଳ୍ପ ଗବେଷଣା ବିଭାଗର ସଚିବ ପ୍ରଫେସର ଏନ୍. କଲାଇସେଲଭି; ପୃଥିବୀ ବିଜ୍ଞାନ ମନ୍ତ୍ରଣାଳୟର ସଚିବ ଡକ୍ଟର ଟି. ଶ୍ରୀନିବାସ କୁମାର ଏବଂ ଅନୁସନ୍ଧାନ ନ୍ୟାସନାଲ ରିସର୍ଚ୍ଚ ଫାଉଣ୍ଡେସନ୍ (ଏନଏନଆରଏଫ)ର ସିଇଓ ଡକ୍ଟର ଶିବକୁମାର କଲ୍ୟାଣାରମଣ ପ୍ରମୁଖ ଯୋଗ ଦେଇଥିଲେ; ଏହା ସହିତ ସମ୍ପୃକ୍ତ ମନ୍ତ୍ରଣାଳୟ, ବିଭାଗ ଓ ବୈଜ୍ଞାନିକ ପ୍ରତିଷ୍ଠାନଗୁଡ଼ିକର ବରିଷ୍ଠ ଅଧିକାରୀମାନେ ମଧ୍ୟ ଏଥିରେ ଉପସ୍ଥିତ ଥିଲେ ।

ଭାରତର ବୈଜ୍ଞାନିକ ପ୍ରତିଷ୍ଠାନଗୁଡ଼ିକ ଅଧିକ ସମନ୍ୱୟ ଓ ସ୍ପଷ୍ଟତା ସହିତ କାମ କରିବା ଉଚିତ ବୋଲି ଡକ୍ଟର ଜିତେନ୍ଦ୍ର ସିଂହ କହିଥିଲେ । ସେ କହିଥିଲେ, ସହର-ଭିତ୍ତିକ ବୈଜ୍ଞାନିକ କ୍ଲଷ୍ଟରଗୁଡ଼ିକ ସମ୍ପୃକ୍ତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ପ୍ରତିଷ୍ଠାନ ଏବଂ ଅଂଶୀଦାରମାନଙ୍କୁ ଏକାଠି କରିବାରେ ସାହାଯ୍ୟ କରିବା ଆବଶ୍ୟକ । ନୂତନ ଓ ପ୍ରଭାବଶାଳୀ ବୈଜ୍ଞାନିକ ସଫଳତାର ନିରନ୍ତର ଚିହ୍ନଟ ଏବଂ ପ୍ରଦର୍ଶନ କରାଯିବା ଉଚିତ୍‌ ହା ଦ୍ଵାରା ପରୀକ୍ଷାଗାର ଓ ପ୍ରତିଷ୍ଠାନଗୁଡ଼ିକରୁ ବାହାରୁଥିବା ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମାଜର ଏକ ବ୍ୟାପକ ବର୍ଗ ପାଖରେ ପହଞ୍ଚିପାରିବ ।

ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ସଫଳତାଗୁଡ଼ିକୁ ସମୟସାପେକ୍ଷ, ସୁଗମ ଏବଂ ଆକର୍ଷଣୀୟ ଭାବରେ ପ୍ରଚାରପ୍ରସାର କରିବା ପାଇଁ ବିଜ୍ଞାନ ମନ୍ତ୍ରଣାଳୟ ଓ ବିଭାଗଗୁଡ଼ିକ ମଧ୍ୟରେ ଯୋଗାଯୋଗ ଇକୋସିଷ୍ଟମକୁ ମଜବୁତ କରିବା ପାଇଁ ମନ୍ତ୍ରୀ ଆହ୍ୱାନ କରିଥିଲେ। ବୈଜ୍ଞାନିକ ସଫଳତାଗୁଡ଼ିକୁ ସାଂସ୍ଥାଗତ ସୀମା ବାହାରକୁ ନେଇଯିବା ଏବଂ ଭାରତର ବୈଜ୍ଞାନିକ ଇକୋସିଷ୍ଟମ ଓ ନାଗରିକଙ୍କ ମଧ୍ୟରେ ଏକ ଦୃଢ଼ ସମ୍ପର୍କ ସୃଷ୍ଟି କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।

ବୈଠକରେ ଭାରତର ବୈଜ୍ଞାନିକ ଉପଲବ୍ଧିଗୁଡ଼ିକର ପ୍ରସ୍ତାବିତ ଡିଜିଟାଲ ଲାଇବ୍ରେରୀ ପ୍ରଗତି ସମୀକ୍ଷା କରାଯାଇଥିଲା। ଏହାଦ୍ୱାରା ଭାରତର ବୈଜ୍ଞାନିକ ପ୍ରତିଷ୍ଠାନଗୁଡ଼ିକର କାମକୁ ଦେଖାଉଥିବା ଭିଡ଼ିଓ ଏବଂ ଅନ୍ୟାନ୍ୟ ଯୋଗାଯୋଗ ଉତ୍ପାଦଗୁଡ଼ିକୁ ନେଇ ଏକ କମନ୍‌ ରିପୋଜିଟ୍‌ ପ୍ରସ୍ତୁତ କରାଯାଇପାରିବ । ଏହି ଡିଜିଟାଲ ଲାଇବ୍ରେରୀ ପାଇଁ ସଂସ୍ଥାଗତ ବ୍ୟବସ୍ଥା ଏବଂ କାର୍ଯ୍ୟକାରିତା ଢାଞ୍ଚା ବିକାଶ ପାଇଁ ନୋଡାଲ ପ୍ରତିଷ୍ଠାନ ଭାବରେ ସିଏସଆଇଆର-ଏନଆଇଏସସିପିଆର କାର୍ଯ୍ୟ କରୁଛି । ଅନ୍ୟପଟେ ସମ୍ପୃକ୍ତ ମନ୍ତ୍ରଣାଳୟ ଏବଂ ବିଭାଗଗୁଡ଼ିକ ମଧ୍ୟରେ ଅଂଶଗ୍ରହଣ ଏବଂ ସମ୍ବଳ ସଂଗ୍ରହ ପାଇଁ ପଦ୍ଧତି ପ୍ରସ୍ତୁତ କରାଯାଉଛି ।

ଏହି ସମୀକ୍ଷା ବୈଠକରେ ଡିଏସଟି, ଡିବିଟି, ଡିଏସଆଇଆର/ସିଏସଆଇଆର ଏବଂ ଏମଓଇଏସ ଦ୍ୱାରା ଚାଲିଥିବା ଡିଜିଟାଲ୍ ପ୍ରଚାର-ପ୍ରସାର କାର୍ଯ୍ୟକ୍ରମର ପ୍ରଗତିର ସମୀକ୍ଷା କରାଯାଇଥିଲା । ଏଥିରେ ଗୁରୁତ୍ୱପୂର୍ଣ୍ଣ ବୈଜ୍ଞାନିକ ଓ ବୈଷୟିକ ସଫଳତାକୁ ଦର୍ଶାଉଥିବା ସଂକ୍ଷିପ୍ତ ବିଷୟବସ୍ତୁ ପ୍ରସ୍ତୁତି ଓ ପ୍ରସାର ମଧ୍ୟ ଅନ୍ତର୍ଭୁକ୍ତ ଥିଲା। ଏହି ସମନ୍ୱିତ କାର୍ଯ୍ୟକ୍ରମର ଲକ୍ଷ୍ୟ ହେଉଛି ବୈଜ୍ଞାନିକ ଅନୁଷ୍ଠାନଗୁଡ଼ିକର କାର୍ଯ୍ୟକୁ ବ୍ୟାପକ ଭାବେ ଲୋକଲୋଚନକୁ ଆଣିବା ଏବଂ ଗୁରୁତ୍ୱପୂର୍ଣ୍ଣ ବିକାଶଗୁଡ଼ିକୁ କେବଳ ବୈଜ୍ଞାନିକ ସମ୍ପ୍ରଦାୟ ମଧ୍ୟରେ ସୀମିତ ନ ରଖି ସାଧାରଣ ଜନତାଙ୍କ ନିକଟରେ ପହଞ୍ଚାଇବା।

କେନ୍ଦ୍ର ମନ୍ତ୍ରୀ ଜନସାଧାରଣଙ୍କ ଅଂଶଗ୍ରହଣର ଏହି ଧାରାକୁ ବଜାୟ ରଖିବା ଏବଂ ବୈଜ୍ଞାନିକ ସଚେତନତା, ପରିବେଶଗତ ଦାୟିତ୍ୱବୋଧ ଓ ନାଗରିକ କାର୍ଯ୍ୟକଳାପ ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ଅଭିଯାନ ସ୍ୱଚ୍ଛ ଉପକୂଳ ଓ ସୁରକ୍ଷିତ ସମୁଦ୍ର ପାଇଁ ଏକ ଦେଶବ୍ୟାପୀ ପ୍ରୟାସରେ ନାଗରିକ, ଛାତ୍ରଛାତ୍ରୀ, ଉପକୂଳବର୍ତ୍ତୀ ଅଞ୍ଚଳର ଲୋକ, ସରକାରୀ ସଂସ୍ଥା, ବୈଜ୍ଞାନିକ ଅନୁଷ୍ଠାନ ଏବଂ ସ୍ୱେଚ୍ଛାସେବୀମାନଙ୍କୁ ଏକତ୍ରିତ କରିଥିଲା।

 

ବୈଠକରେ 'ବିଜ୍ଞାନ କି ବାତ୍'ର ଅଗ୍ରଗତି ମଧ୍ୟ ସମୀକ୍ଷା କରାଯାଇଥିଲା। ଏହା ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ଦ୍ୱାରା ଆରମ୍ଭ କରାଯାଇଥିବା ଏକ ମାସିକ ବକ୍ତୃତାମାଳା, ଯାହାର ଲକ୍ଷ୍ୟ ହେଉଛି ଭାରତର ସ୍ୱୟଂଶାସିତ ବୈଜ୍ଞାନିକ ଅନୁଷ୍ଠାନଗୁଡ଼ିକର କାର୍ଯ୍ୟକୁ ପ୍ରଦର୍ଶନ କରିବା ଏବଂ ସେମାନଙ୍କ ସଫଳତାକୁ ବ୍ୟାପକ ଦର୍ଶକଙ୍କ ନିକଟରେ ପହଞ୍ଚାଇବା। ଏହାର ଦ୍ୱିତୀୟ ସଂସ୍କରଣ ୨୬ ସେପ୍ଟେମ୍ବର ୨୦୨୬ରେ ଆୟୋଜନ କରାଯିବାକୁ ସ୍ଥିର କରାଯାଇଛି, ଯେଉଁଥିରେ 'ଏସ୍.ଏନ୍. ବୋଷ ନେସନାଲ୍ ସେଣ୍ଟର ଫର୍ ବେସିକ୍ ସାଇନ୍ସେସ୍'ର ନିର୍ଦ୍ଦେଶକ ଅଂଶଗ୍ରହଣ କରିବେ । ଏହି ଅଧିବେଶନ ମୌଳିକ ଭୌତିକ ବିଜ୍ଞାନ ଓ କ୍ୱାଣ୍ଟମ୍ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ହୋଇଥିବା ଅଗ୍ରଗତି ଉପରେ କେନ୍ଦ୍ରିତ ରହିବ।

ଡକ୍ଟର ଜିତେନ୍ଦ୍ର ସିଂହ କହିଥିଲେ, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନ କ୍ଷେତ୍ରରେ ଭାରତର ଅଗ୍ରଗତି ସମାଜ ପାଇଁ ସ୍ପଷ୍ଟ, ସୁଲଭ ଏବଂ ଉପଯୋଗୀ ହେବା ଆବଶ୍ୟକ । ଏଥିସହିତ ଦୃଢ଼ ସଂସ୍ଥାଗତ ସହଯୋଗ, ସମନ୍ୱିତ ଯୋଗାଯୋଗ ଏବଂ ନିରନ୍ତର ଜନ ଭାଗିଦାରୀ ବୈଜ୍ଞାନିକ ଇକୋସିଷ୍ଟମର ଏକ ଅବିଚ୍ଛେଦ୍ୟ ଅଙ୍ଗ ହେବା ଉଚିତ୍ । ଏହି ପଦକ୍ଷେପଗୁଡ଼ିକୁ ସମନ୍ୱିତ ଭାବେ ଆଗକୁ ବଢ଼ାଇବା, ବୈଜ୍ଞାନିକ ଅନୁଷ୍ଠାନ ଓ ଜନସାଧାରଣଙ୍କ ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିବା ଏବଂ ଭାରତର ବୈଜ୍ଞାନିକ ସଫଳତା ଓ ନବସୃଜନକୁ ବ୍ୟାପକ ଭାବେ ଲୋକଲୋଚନକୁ ଆଣିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା ।

******

PS

 

 


(ରିଲିଜ ଆଡି: 2313262) ପରିଦର୍ଶକ କାଉଣ୍ଟର : 7
ଏହି ରିଲିଜ ପଢନ୍ତୁ : English , Urdu , हिन्दी , Telugu