ମତ୍ସ୍ୟ, ପଶୁ ସମ୍ପଦ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରଣାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ଅଧିନରେ ଓଡ଼ିଶାର ନୀଳ ଅର୍ଥନୀତି

प्रविष्टि तिथि: 22 JUL 2026 1:36PM by PIB Bhubaneswar

କେନ୍ଦ୍ର ମତ୍ସ୍ୟପାଳନ, ପଶୁପାଳନ ଏବଂ ଦୁଗ୍ଧ ଉତ୍ପାଦନ ମନ୍ତ୍ରଣାଳୟ ଅନ୍ତର୍ଗତ ମତ୍ସ୍ୟପାଳନ ବିଭାଗ ୨୦୨୦–୨୧ ଆର୍ଥିକ ବର୍ଷରୁ ଓଡ଼ିଶା ସମେତ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା (ପିଏମଏମଏସଓ୍ବାଇ) କାର୍ଯ୍ୟକାରୀ କରିଆସୁଛନ୍ତି। ଏହି ସମୟ ମଧ୍ୟରେ, ମତ୍ସ୍ୟପାଳନ ଏବଂ ଜଳକୃଷିର ମୂଲ୍ୟ ଶୃଙ୍ଖଳାକୁ ସୁଦୃଢ଼ କରିବା ପାଇଁ ବିଭିନ୍ନ ପଦକ୍ଷେପ ସ୍ବରୂପ ଓଡ଼ିଶା ସରକାରଙ୍କ ଦ୍ୱାରା ଦାଖଲ କରାଯାଇଥିବା ୧,୩୦୧.୧୮ କୋଟି ଟଙ୍କାର ମତ୍ସ୍ୟ ବିକାଶ ପ୍ରସ୍ତାବକୁ ବିଭାଗ ଅନୁମୋଦନ କରିଛନ୍ତି, ଯେଉଁଥିରେ ୪୮୪.୬୪ କୋଟି ଟଙ୍କାର କେନ୍ଦ୍ରୀୟ ଭାଗ ସାମିଲ ଅଛି। ପିଏମଏମଏସଓ୍ବାଇ ଅଧୀନରେ, ଭାରତ ସରକାରଙ୍କ ମତ୍ସ୍ୟପାଳନ ବିଭାଗ ଜାନୁଆରୀ ୨୦୨୫ରେ ସମ୍ବଲପୁରର ବସନ୍ତପୁରଠାରେ ୧୦୦ କୋଟି ଟଙ୍କାର ବ୍ୟୟ ଅଟକଳରେ ଏକ ସମନ୍ୱିତ ଆକ୍ୱା ପାର୍କ ପ୍ରତିଷ୍ଠା ପାଇଁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ରାଜ୍ୟ ସରକାରଙ୍କ ରିପୋର୍ଟ ଅନୁଯାୟୀ, ଜମି ଅଧିଗ୍ରହଣ, କାର୍ଯ୍ୟକାରୀ ସଂସ୍ଥାକୁ ସମ୍ମତି ପତ୍ର ଜାରି, ଏବଂ ସଂଯୋଗୀକରଣ ସଡ଼କ ଓ ସୀମା ପ୍ରାଚୀର ନିର୍ମାଣ ଭଳି ମୁଖ୍ୟ ପ୍ରାରମ୍ଭିକ କାର୍ଯ୍ୟଗୁଡ଼ିକ ସମ୍ପୂର୍ଣ୍ଣ ହୋଇସାରିଛି। ଏହାସହ ଆଭ୍ୟନ୍ତରୀଣ ହ୍ୟାଚେରୀ ସୁବିଧା, ଗ୍ରୋ-ଆଉଟ୍ ପୋଖରୀ , ପ୍ରସେସିଂ ୟୁନିଟ୍, ଗବେଷଣା ସୁବିଧା ଏବଂ ବର୍ଜ୍ୟଜଳ ବିଶୋଧନାଗାର ନିର୍ମାଣ କାର୍ଯ୍ୟ ବିଭିନ୍ନ ପର୍ଯ୍ୟାୟରେ ଜାରି ରହିଛି।

(ଖ) ଭାରତ ସରକାରଙ୍କ ମତ୍ସ୍ୟପାଳନ ବିଭାଗ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ଅଧୀନରେ ଭୁବନେଶ୍ୱରର ପାଣ୍ଡରାଠାରେ ୫୯.୧୩ କୋଟି ଟଙ୍କା ବ୍ୟୟ ଅଟକଳରେ ଏକ ଅତ୍ୟାଧୁନିକ ହୋଲସେଲ ମାଛ ବଜାର ନିର୍ମାଣ ପାଇଁ ମଧ୍ୟ ଅନୁମୋଦନ କରିଛନ୍ତି, ଯେଉଁଥିରେ ୪୪ଟି ହୋଲସେଲ ବିକ୍ରୟ କେନ୍ଦ୍ର ଏବଂ ୯୯ଟି ଖୁଚୁରା ବିକ୍ରୟ କେନ୍ଦ୍ର ସାମିଲ ଅଛି। ପାରମ୍ପରିକ ଶକ୍ତି ଉତ୍ସ ଉପରେ ନିର୍ଭରଶୀଳତା ହ୍ରାସ କରିବା ଏବଂ ସମ୍ବଳର ଦକ୍ଷତା ବୃଦ୍ଧି କରିବା ଲକ୍ଷ୍ୟରେ ଏହି ବଜାରକୁ ଅକ୍ଷୟ ଶକ୍ତି-ଆଧାରିତ ବିଦ୍ୟୁତ୍ ବ୍ୟବସ୍ଥା ଏବଂ ବର୍ଷା ଜଳ ଅମଳ ଭିତ୍ତିଭୂମି ଭଳି ଆଧୁନିକ ସ୍ଥାୟୀ ବ୍ୟବସ୍ଥା ସହିତ ଡିଜାଇନ୍ କରାଯାଇଛି। ଓଡ଼ିଶା ସରକାରଙ୍କ ରିପୋର୍ଟ ଅନୁଯାୟୀ, ଜମି ପୁନରୁଦ୍ଧାର କାର୍ଯ୍ୟ ଶେଷ ହୋଇଛି।

(ଗ) ଏବଂ (ଘ) ଭାରତ ସରକାର ୨୦୧୮-୧୯ ଆର୍ଥିକ ବର୍ଷରୁ ମତ୍ସ୍ୟଜୀବୀ ଏବଂ ମାଛ ଚାଷୀଙ୍କ ପାଇଁ କିଷାନ କ୍ରେଡିଟ୍ କାର୍ଡ (କେସିସି) ସୁବିଧା ପ୍ରଦାନ କରୁଛନ୍ତି, ଯାହାଦ୍ୱାରା ମତ୍ସ୍ୟପାଳନ ସମ୍ବନ୍ଧୀୟ କାର୍ଯ୍ୟକଳାପ ପାଇଁ ଠିକ ସମୟରେ ଓ ସୁଲଭ ମୂଲ୍ୟରେ ଚଳନ୍ତି ପୁଞ୍ଜି ମିଳିପାରୁଛି। ମତ୍ସ୍ୟପାଳନ, ପଶୁପାଳନ ଏବଂ ଦୁଗ୍ଧ ଉତ୍ପାଦନ ମନ୍ତ୍ରଣାଳୟର ମତ୍ସ୍ୟପାଳନ ବିଭାଗ, ଅର୍ଥ ମନ୍ତ୍ରଣାଳୟର ଆର୍ଥିକ ସେବା ବିଭାଗ ସହଯୋଗରେ, ମତ୍ସ୍ୟଜୀବୀ ଏବଂ ମାଛ ଚାଷୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏବଂ କେସିସି ଲାଭ ପାଇବା ପାଇଁ ସୂଚନା ପ୍ରସାର କରିବା ଉଦ୍ଦେଶ୍ୟରେ ସମସ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଏବଂ ରାଜ୍ୟ ସ୍ତରୀୟ ବ୍ୟାଙ୍କର୍ସ କମିଟି ସହିତ ସକ୍ରିୟ ଭାବରେ କାର୍ଯ୍ୟ କରୁଛି।

ଓଡ଼ିଶା ସରକାରଙ୍କ ସୂଚନା ଅନୁଯାୟୀ, ଏହି ଯୋଜନାର ପ୍ରସାର ଓ ଆଦୃତି ବୃଦ୍ଧି ପାଇଁ ରାଜ୍ୟ ସରକାର ଜିଲ୍ଲା, ବ୍ଲକ୍ ଏବଂ ପଞ୍ଚାୟତ/ଗ୍ରାମ ସ୍ତରରେ 'ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା' ଏବଂ ମତ୍ସ୍ୟଜୀବୀ ସଭା ମାଧ୍ୟମରେ ନିୟମିତ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି। ଏହାସହିତ, ରାଜ୍ୟ ସରକାର ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଉପରେ ୪% ଏବଂ ୧ ଲକ୍ଷ ଟଙ୍କାରୁ ଅଧିକ ଓ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଉପରେ ୨% ର ଅତିରିକ୍ତ ସୁଧ ରିହାତି ପ୍ରଦାନ କରୁଛନ୍ତି। ଏହାଦ୍ୱାରା କେସିସି ଋଣ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସୁଧ-ମୁକ୍ତ ହୋଇଥାଏ ଏବଂ ୧ ରୁ ୩ ଲକ୍ଷ ଟଙ୍କା ମଧ୍ୟରେ ଥିବା ଋଣ ପାଇଁ ପ୍ରକୃତ ସୁଧ ହାର ୨% କୁ ହ୍ରାସ ପାଇଥାଏ, ଯାହା ହିତାଧିକାରୀଙ୍କ ପାଇଁ ଋଣ ସୁବିଧାକୁ ଯଥେଷ୍ଟ ସୁଲଭ କରିଥାଏ।

ରାଜ୍ୟସଭାରେ ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ମତ୍ସ୍ୟପାଳନ, ପଶୁପାଳନ ଏବଂ ଦୁଗ୍ଧ ବ୍ୟବସାୟ ମନ୍ତ୍ରୀ ଶ୍ରୀ ରାଜୀବ ରଞ୍ଜନ ସିଂହ ଓରଫ ଲଲନ ସିଂହ ଏହି ସୂଚନା ପ୍ରଦାନ କରିଛନ୍ତି।

 

TKM


(रिलीज़ आईडी: 2288111) आगंतुक पटल : 12
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Tamil