ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଭାରତ - ନ୍ୟୁଜିଲାଣ୍ଡ ବ୍ୟବସାୟ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

प्रविष्टि तिथि: 11 JUL 2026 8:52AM by PIB Bhubaneswar

ମହାମହିମ ପ୍ରଧାନମନ୍ତ୍ରୀ ଶ୍ରୀ କ୍ରିଷ୍ଟୋଫର ଲକ୍ସନ,

ଭାରତ ଏବଂ ନ୍ୟୁଜିଲାଣ୍ଡର ବ୍ୟବସାୟ ନେତୃତ୍ଵମଣ୍ଡଳୀ,

ନମସ୍କାର

କିଆ ଓରା

ଅକଲ୍ୟାଣ୍ଡରେ ଆପଣମାନଙ୍କ ମଧ୍ୟରେ ଉପସ୍ଥିତ ହୋଇ ମୁଁ ବହୁତ ଆନନ୍ଦିତ। ପ୍ରଧାନମନ୍ତ୍ରୀ ଶ୍ରୀ ଲକ୍ସନଙ୍କ ସକାରାତ୍ମକ ଚିନ୍ତାଧାରା ଏବଂ ଭାରତ ପ୍ରତି ତାଙ୍କର ଗଭୀର ପ୍ରତିବଦ୍ଧତା ପାଇଁ ମୁଁ ତାଙ୍କ ପ୍ରତି ବିଶେଷ କୃତଜ୍ଞତା ପ୍ରକାଶ କରୁଛି।

ଆପଣ ସମସ୍ତଙ୍କ ଉପସ୍ଥିତି ନ୍ୟୁଜିଲାଣ୍ଡର ନବସୃଜନ, ଉଦ୍ୟୋଗ ଏବଂ ଭବିଷ୍ୟତ-ମୁଖୀ ଚିନ୍ତାଧାରାର ପ୍ରତୀକ। ଭାରତ ପକ୍ଷରୁ, ମୁଁ ୧.୪ ବିଲିୟନ ଲୋକଙ୍କ ଆକାଂକ୍ଷା ଏବଂ ମହତ୍ୱାକାଂକ୍ଷାର ବାର୍ତ୍ତା ମୋ ସହିତ ଆଣି ଆସିଛି।

ବନ୍ଧୁଗଣ,

ଏହି ବୈଠକ ଏପରି ଏକ ସମୟରେ ହେଉଛି ଯେତେବେଳେ ଭାରତ - ନ୍ୟୁଜିଲାଣ୍ଡ ସମ୍ପର୍କ ଏକ ମୋଡ଼ରେ ଅଛି। ଆଜି, ଆମେ ଏକ ରଣନୈତିକ ସହଭାଗୀତାରେ ଆମର ସମ୍ପର୍କକୁ ସୁଦୃଢ଼ କରୁଛୁ। ଏହା କେବଳ ଏକ କୂଟନୈତିକ ମାଇଲଖୁଣ୍ଟ ନୁହେଁ। ଏହା ଆମର ସହଭାଗୀ ଭବିଷ୍ୟତ ପାଇଁ ଏକ ନୂତନ ସଂକଳ୍ପ।

ଏହି ବର୍ଷ, ନଅ ମାସର ରେକର୍ଡ ସମୟ ମଧ୍ୟରେ ଦୁଇ ଦେଶ ମଧ୍ୟରେ ଏକ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ଏହା ଆପଣ ସମସ୍ତଙ୍କ ପାଇଁ ବଜାର ପ୍ରବେଶ, ନିବେଶ, ସେବା, ପ୍ରଯୁକ୍ତି ବିଦ୍ୟା ଏବଂ ପ୍ରତିଭା ଗତିଶୀଳତା ପାଇଁ ନୂତନ ସୁଯୋଗ ଆଣିବ। ମୁଁ ନିଶ୍ଚିତ ଯେ ନୂତନ ଶକ୍ତି ଏବଂ ଉତ୍ସାହ ସହିତ କାମ କରି, ଆମେ ୨୦୩୦ ସୁଦ୍ଧା ଦ୍ୱିପାକ୍ଷିକ ବାଣିଜ୍ୟକୁ ଦ୍ୱିଗୁଣିତ କରିବୁ।

ଆଗାମୀ ପନ୍ଦର ବର୍ଷ ମଧ୍ୟରେ ନ୍ୟୁଜିଲାଣ୍ଡ ଭାରତରେ କୋଡ଼ିଏ ବିଲିୟନ ଡଲାର ନିବେଶ କରିବାକୁ ପ୍ରତିବଦ୍ଧତା ପ୍ରକାଶ କରିଛି। ଏହା କେବଳ ନିବେଶ ପାଇଁ ନୁହେଁ, ବରଂ ଭାରତର ବିକାଶ ଯାତ୍ରାରେ ଅଂଶୀଦାର ହେବା ପାଇଁ ଏକ ପ୍ରତିବଦ୍ଧତା।

ବନ୍ଧୁଗଣ,

ଆଜି, ଭାରତ ବିଶ୍ୱର ସବୁଠାରୁ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ପ୍ରମୁଖ ଅର୍ଥନୀତି। ଆମର ବୃଦ୍ଧି ପାଉଥିବା ମଧ୍ୟବିତ୍ତ ବର୍ଗ, ଅଧିକ ପରିମାଣରେ ଡିଜିଟାଲ ସେବାକୁ ଗ୍ରହଣ କରିବା ଏବଂ ଭିତ୍ତିଭୂମି ବିକାଶ ପାଇଁ ପ୍ରୋତ୍ସାହନ ଭାରତକୁ ଏକ ଅନନ୍ୟ ଅଭିବୃଦ୍ଧିର କାହାଣୀ କରି ଗଢି ତୋଳିଛି।

ଭାରତରେ, ଆମେ 'ସଂସ୍କାର, ପ୍ରଦର୍ଶନ ଏବଂ ରୂପାନ୍ତର' କୁ ଆମର ଶାସନର ମୂଳଦୁଆ କରିଛୁ। ଆଜି, ଭାରତ ନୀତି ସ୍ଥିରତା, ରାଜନୈତିକ ସ୍ଥିରତା ଏବଂ ଅଭିବୃଦ୍ଧିର ନିରନ୍ତରତା ପ୍ରଦାନ କରେ।

ତେଣୁ, ଆଜି ବିଶ୍ୱକୁ ଆମର ବାର୍ତ୍ତା ହେଉଛି : ଭାରତ କେବଳ ଏକ ବଜାର ନୁହେଁ; ଭାରତ ବିଶ୍ୱ ଅଭିବୃଦ୍ଧି ପାଇଁ ଏକ ଲଞ୍ଚପ୍ୟାଡ୍।

ଭାରତରେ ସୃଷ୍ଟି ହେଉଥିବା ସୁଯୋଗଗୁଡ଼ିକୁ ଆପଣ କିପରି ପୁଞ୍ଜି କରିପାରିବେ ତାହା ଦର୍ଶାଇବା ପାଇଁ ମୁଁ କିଛି ଉଦାହରଣ ବାଣ୍ଟିବାକୁ ଚାହେଁ। ଉତ୍ପାଦନକୁ ବୃଦ୍ଧି କରିବା ପାଇଁ, ଆମେ ଉତ୍ପାଦନ ସଂଯୁକ୍ତ ପ୍ରୋତ୍ସାହନ ଯୋଜନା (ପିଏଲଆଇ) ଆରମ୍ଭ କରିଛୁ। ଏହି ପଦକ୍ଷେପ ଅଧୀନରେ, ଖାଦ୍ୟ ପ୍ରକ୍ରିୟାକରଣ ଠାରୁ ଆରମ୍ଭ କରି ବୟନ ଶିଳ୍ପ ପର୍ଯ୍ୟନ୍ତ ୧୪ଟି କ୍ଷେତ୍ରରେ ପ୍ରାୟ କୋଡ଼ିଏ ବିଲିୟନ ଡଲାର ମୂଲ୍ୟର ସହାୟତା ଯୋଗାଇ ଦିଆଯାଉଛି। ଏହି ଉତ୍ପାଦନ ଗତିର ଏକ ଅଂଶ ହେବାକୁ ମୁଁ ଆପଣ ସମସ୍ତଙ୍କୁ ଆମନ୍ତ୍ରଣ କରୁଛି।

ଭାରତରେ ବିମାନ ବନ୍ଦର, ଆଞ୍ଚଳିକ ସଂଯୋଗୀକରଣ, ବିମାନ କାର୍ଗୋ ଏବଂ ପର୍ଯ୍ୟଟନ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଆଜି, ଭାରତ ବିଶ୍ୱର ତୃତୀୟ ସର୍ବବୃହତ ଘରୋଇ ବିମାନ ଚଳାଚଳ ବଜାର। ଏକାଠି, ଆମେ କାର୍ଗୋ କରିଡର ବିକଶିତ କରିପାରିବା, ବିମାନ ସଂଯୋଗୀକରଣକୁ ବୃଦ୍ଧି କରିପାରିବା ଏବଂ ମିଳିତ ପର୍ଯ୍ୟଟନ ପ୍ୟାକେଜ ସୃଷ୍ଟି କରିପାରିବା।

କିୱି, ସେଓ, ମହୁ ଏବଂ ସାମୁଦ୍ରିକ ଖାଦ୍ୟ ଭଳି ଉତ୍ପାଦ ପାଇଁ କ୍ଷୟଶୀଳ କାର୍ଗୋ ସମାଧାନ ବିକଶିତ କରାଯାଇପାରିବ। ନ୍ୟୁଜିଲ୍ୟାଣ୍ଡର ଉଦ୍ୟାନ କୃଷି, ଦୁଗ୍ଧ ବିଜ୍ଞାନ ଏବଂ ବନୀକରଣରେ ଅପାର ବିଶେଷଜ୍ଞତା ରହିଛି। ଭାରତରେ ଏକ ଗ୍ରାହକ ବଜାର, ଫୁଡ୍ ପାର୍କ ଏବଂ କୃଷି-ପ୍ରଯୁକ୍ତି ପ୍ରତିଭାର ଶକ୍ତି ରହିଛି। ଏକାଠି, ଆମେ କ୍ଷେତ – ରୁ -ବଜାର ମୂଲ୍ୟ ଶୃଙ୍ଖଳ ଏବଂ ବିଶ୍ୱ ରପ୍ତାନି ପ୍ଲାଟଫର୍ମ ନିର୍ମାଣ କରିପାରିବା।

ଆଜି ଭାରତ ଫିନଟେକରେ ବିଶ୍ୱସ୍ତରରେ ଏକ ନେତା। ବିଶ୍ୱର ପଚାଶ ପ୍ରତିଶତ ବାସ୍ତବ ସମୟ ଡିଜିଟାଲ୍ ଦେଣନେଣ ଭାରତରେ ହୁଏ। ଡିଜିଟାଲ୍ ଦେଣନେଣ ବ୍ୟତୀତ, ଆମେ ଗ୍ରୀନ୍ ବଣ୍ଡ ଏବଂ ମିଶ୍ରିତ ଆର୍ଥିକ କ୍ଷେତ୍ରରେ ମଧ୍ୟ ଆଗକୁ ବଢ଼ିପାରିବା।

ଆମେ ମହାକାଶ କ୍ଷେତ୍ରକୁ ଘରୋଇ ଅଂଶଗ୍ରହଣ ପାଇଁ ଖୋଲି ଦେଇଛୁ। ଆଜି, ଭାରତରେ ୪୦୦ ରୁ ଅଧିକ ମହାକାଶ ଷ୍ଟାର୍ଟ-ଅପ୍ ଅଛି, ଏବଂ ଗୋଟିଏ 'ୟୁନିକର୍ଣ୍ଣ' ସ୍ଥିତି ମଧ୍ୟ ହାସଲ କରିଛି। ଉଭୟ ଦେଶର କମ୍ପାନୀଗୁଡ଼ିକ ଭାରତର ମହାକାଶ ପାରିବେଶିକ ବ୍ୟବସ୍ଥା ମଧ୍ୟରେ ଛୋଟ ଉପଗ୍ରହ, ରିମୋଟ୍ ସେନ୍ସିଂ ଏବଂ ସମୁଦ୍ର ମନିଟରିଂ ସହିତ ଜଡିତ ପ୍ରକଳ୍ପରେ ସହଯୋଗ କରିପାରିବେ।

ଭାରତର ସ୍ମାର୍ଟ ସିଟି ମିଶନ ଅଧୀନରେ, ୧୦୦ ଟି ସହରରେ ୮,୦୦୦ ରୁ ଅଧିକ ପ୍ରକଳ୍ପ ଉପରେ କାର୍ଯ୍ୟ ଚାଲିଛି। ଆମେ ସହରାଞ୍ଚଳ ଗତିଶୀଳତା, ଜଳ ପରିଚାଳନା ଏବଂ ବର୍ଜ୍ୟବସ୍ତୁ ପରିଚାଳନା ଭଳି କ୍ଷେତ୍ରରେ ସହଯୋଗ କରିପାରିବା।

ବନ୍ଧୁଗଣ,

ମୁଁ ଏଠାରେ ଉପସ୍ଥିତ ମାଓରୀ ବ୍ୟବସାୟ ନେତାମାନଙ୍କୁ ବିଶେଷ ଭାବରେ ଅଭିନନ୍ଦନ ଜଣାଉଛି। ଉଭୟ ଭାରତୀୟ ସଭ୍ୟତା ଏବଂ ମାଓରୀ ପରମ୍ପରାର ପ୍ରକୃତି, ସମ୍ପ୍ରଦାୟ ଏବଂ ସ୍ଥାୟୀତ୍ୱ ପ୍ରତି ଗଭୀର ସମ୍ମାନ ରହିଛି। ଆମର ମୁକ୍ତ ବାଣିଜ୍ୟ ଚୁକ୍ତିନାମା (ଏଫଟିଏ) ମାଓରୀ ବ୍ୟବସାୟ ପାଇଁ ସୁଯୋଗ ଉପରେ ମଧ୍ୟ ବିଶେଷ ଗୁରୁତ୍ୱ ଦିଏ। ଏହି ସମାନ ମୂଲ୍ୟବୋଧଗୁଡ଼ିକୁ ବ୍ୟବହାର କରି, ଆମେ ଅନ୍ତର୍ଭୁକ୍ତ ଏବଂ ନିରନ୍ତର ବାଣିଜ୍ୟ ପାଇଁ ଏକ ନୂତନ ମଡେଲ୍ ସୃଷ୍ଟି କରିପାରିବା।

ବନ୍ଧୁଗଣ,

ଆମେ ମିଳିତ ଭାବରେ ଏକ ଅତ୍ୟନ୍ତ ମହତ୍ୱାକାଂକ୍ଷୀ ବ୍ୟବସାୟ ରୋଡମ୍ୟାପ୍ ପ୍ରସ୍ତୁତ କରିବା ପାଈଁ ମୁଁ ପ୍ରସ୍ତାବ ଦେଉଛି । ଆମର ନିଜ ନିଜ ଶକ୍ତିକୁ ମିଶ୍ରଣ କରି, ଆମେ ଅତି କମରେ ପାଞ୍ଚଟି ପ୍ରମୁଖ ପ୍ରକଳ୍ପ ଚିହ୍ନଟ କରିବା ଏବଂ ସେଗୁଡ଼ିକୁ ସମୟାନୁକ୍ରମେ ସମାପ୍ତ କରିବାକୁ ସୁନିଶ୍ଚିତ କରିବା ପାଇଁ ଏକ ସମୀକ୍ଷା ବ୍ୟବସ୍ଥା ଗଠନ କରିବା ଉଚିତ। କେବଳ ସେତେବେଳେ ହିଁ ଆମେ ଆମର ସମ୍ପର୍କର ପୂର୍ଣ୍ଣ ସମ୍ଭାବନାକୁ ଅନୁଭବ କରିପାରିବା ଏବଂ ଉଭୟ ରାଷ୍ଟ୍ରର ଲୋକଙ୍କ ଆକାଂକ୍ଷା ଏବଂ ଆଶା ପୂରଣ କରିପାରିବା।

ମୁଁ ଆପଣମାନଙ୍କୁ ଏହି ଯାତ୍ରାରେ ଆମ ସହିତ କାନ୍ଧକୁ କାନ୍ଧ ମିଶାଇ ଚାଲିବାକୁ ନିମନ୍ତ୍ରଣ କରୁଛି।

ଆସନ୍ତୁ ଆମେ ଆମର ସହଭାଗୀତାକୁ ସମୃଦ୍ଧି ପାଇଁ ଏକ ମଞ୍ଚ, ନବସୃଜନ ପାଇଁ ଏକ ସେତୁ ଏବଂ ବିଶ୍ୱ ମଙ୍ଗଳ ପାଇଁ ଏକ ଶକ୍ତି କରିବା।

ଏବଂ ମୁଁ ଚାହେଁ ଯେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ଏକାଠି ହୁଅନ୍ତୁ ଏବଂ ଏକ ନୂତନ ଶକ୍ତି ଭାବରେ ମୁଣ୍ଡ ଟେକନ୍ତୁ। 

ମୋର ଆଉ ଗୋଟିଏ ଅନୁରୋଧ ଅଛି। ଯେପରି ଆପଣ ବର୍ତ୍ତମାନ ଉଲ୍ଲେଖ କରିଛନ୍ତି, ଆମେ ଆମ ମଧ୍ୟରେ କ୍ରୀଡା ସମ୍ପର୍କର ଏକ ଶତାବ୍ଦୀ ପାଳନ କରୁଛୁ। ଏହା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ।

ଆମେ ଏହାକୁ ନିଶ୍ଚିତ ଭାବରେ ପାଳନ କରିବୁ। କିନ୍ତୁ ଆମେ କ’ଣ ଏପରି ଏକ ପରିସ୍ଥିତି କଳ୍ପନା କରିପାରିବା ଯେଉଁଠାରେ ୩୫ ବର୍ଷରୁ କମ୍ ବୟସର ବ୍ୟବସାୟୀଙ୍କ ଏକ ବଡ଼ ପ୍ରତିନିଧି ଦଳ ଭାରତ ଆସିବ, ଏବଂ ଭାରତରୁ ୩୫ ବର୍ଷରୁ କମ୍ ବୟସର ସମାନ ବ୍ୟବସାୟିକ ପ୍ରତିନିଧି ଦଳ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିବ?

ଏହା ଆମକୁ ଏକ ନୂତନ ପିଢ଼ିକୁ ପ୍ରସ୍ତୁତ କରିବାକୁ ଅନୁମତି ଦେବ। ଏହି ଆଶା ସହିତ, ମୁଁ ଆପଣ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ ଜଣାଉଛି।

***

SSP


(रिलीज़ आईडी: 2283647) आगंतुक पटल : 7
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Manipuri , Assamese , Gujarati