ଜଳ ଶକ୍ତି ମନ୍ତ୍ରଣାଳୟ
azadi ka amrit mahotsav

‘ଜଳ ସଞ୍ଚୟ, ଜନ ଭାଗିଦାରୀ' ଦ୍ୱାରା ରାଜ୍ୟରେ ରିଚାର୍ଜ ହେଉଛି ଭୂତଳ ଜଳ

प्रविष्टि तिथि: 11 JUN 2026 4:39PM by PIB Bhubaneswar

ରାଜ୍ୟକୁ ଏବେ ମୌସୁମୀ ଆସିବାର ସମୟ। ଏହି ସମୟରେ ବର୍ଷାଜଳ ଅମଳ କରି ଭୂତଳ ଜଳସ୍ତରକୁ ବଢ଼ାଇବା ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅଭିନବ ପ୍ରୟାସ ଆରମ୍ଭ ହୋଇଛି।ଯାଜପୁରରେ ସ୍କୁଲ ଛାତ ହେଉ ବା କଟକରେ ବିଭିନ୍ନ ଗାଁର ପୋଖରୀ ଏବଂ ଗଞ୍ଜାମରେ ଅନେକ ରିଚାର୍ଜ କୂଅ ମାଧ୍ୟମରେ ସାରା ରାଜ୍ୟରେ ଏଥିପାଇଁ ଯେମିତି ଏକ ନୀରବ ଭୂତଳ ଜଳ ବିପ୍ଳବ ଚାଲିଛି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି ଏବଂ 'ଜଳ ସଞ୍ଚୟ, ଜନ ଭାଗିଦାରୀ' ମଧ୍ୟରେ ପ୍ରତିଫଳିତ 'ସମଗ୍ର ସରକାର ଓ ସମଗ୍ର ସମାଜ' ର ଆଭିମୁଖ୍ୟ ଦ୍ୱାରା ଅନୁପ୍ରାଣିତ ହୋଇ ଓଡ଼ିଶା ଏହି ମୌସୁମୀ ବର୍ଷା ଜଳକୁ ଏକ ସ୍ଥାୟୀ ଜଳ ସୁରକ୍ଷାର ଉତ୍ସରେ ରୂପାନ୍ତରିତ କରିବାକୁ ଯାଉଛି। ବର୍ଷା ଜଳ ଯେଉଁଠି ପଡ଼ୁଛି ସେଠାରେ ତାକୁ ସଂରକ୍ଷିତ କରିବା ଏବଂ ଭୂତଳ ଜଳସ୍ତରର ପୁନଃଭରଣ ବା ରିଚାର୍ଜ ପ୍ରକ୍ରିୟାକୁ ସହଜ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ। ଏହାଦ୍ୱାରା ଓଡ଼ିଶା ପ୍ରତ୍ୟେକ ମୌସୁମୀ ବର୍ଷାକୁ ନିଜର ଭୂତଳ ଜଳ ସଂରକ୍ଷଣକୁ ସୁଦୃଢ଼ କରିବା ଏବଂ ଭବିଷ୍ୟତର ଜଳ ସଙ୍କଟର ସାମ୍ନା କରିବା ପାଇଁ ଏକ ବଡ଼ ସୁଯୋଗରେ ପରିଣତ କରୁଛି।

ଏହି ପ୍ରକ୍ରିୟାରେ ସାରା ରାଜ୍ୟରେ ସ୍କୁଲ, କଲେଜ, ସରକାରୀ ଅଫିସର ଛାତରୁ ବର୍ଷା ଜଳ ସଂଗ୍ରହ କରାଯାଇ, ତାକୁ ଫିଲ୍ଟର୍ କରାଯାଉଛି ଏବଂ ରିଚାର୍ଜ କୂଅଗୁଡ଼ିକ ମଧ୍ୟକୁ ଛଡ଼ାଯାଉଛି, ଯାହାଦ୍ୱାରା ହ୍ରାସ ପାଉଥିବା ଭୂତଳ ଜଳସ୍ତରର ପୁନଃଭରଣ ସମ୍ଭବ ହୋଇପାରୁଛି। ଏଥିସହିତ, ପୋଖରୀ, ପୋଖରୀ ସଦୃଶ ଜଳାଶୟ ଏବଂ ଅନ୍ୟାନ୍ୟ ଜଳାଶୟ ମଧ୍ୟରେ ତିଆରି ହୋଇଥିବା ରିଚାର୍ଜ କୂଅ ମୌସୁମୀ ବର୍ଷାର ବଳକା ଜଳକୁ ଭୂପୃଷ୍ଠରେ ବହିଯାଇ ନଷ୍ଟ ହେବାକୁ ନଦେଇ ମାଟିର ବହୁ ଗଭୀରକୁ ଭେଦିବାରେ ସାହାଯ୍ୟ କରୁଛି। ଏହି ପଦକ୍ଷେପଗୁଡ଼ିକ ଭୂତଳ ଜଳସ୍ତରକୁ ସୁଧାରିବାରେ, ଶୁଖିଲା ଦିନରେ ଜଳର ଉପଲବ୍ଧତା ବୃଦ୍ଧି କରିବାରେ ଏବଂ ଜଳ ସଂରକ୍ଷଣର ଏକ ସ୍ଥାୟୀ ମଡେଲ୍ ସୃଷ୍ଟି କରିବାରେ ସାହାଯ୍ୟ କରୁଛି, ଯାହା ସରକାରୀ କାର୍ଯ୍ୟାନୁଷ୍ଠାନ ସହିତ ସମୁଦାୟର ଅଂଶଗ୍ରହଣକୁ ଯୋଡ଼ିଥାଏ ଏବଂ ଏହା ହିଁ 'ଜଳ ସଞ୍ଚୟ, ଜନ ଭାଗିଦାରୀ'ର ମୂଳ ଆତ୍ମାକୁ ପ୍ରତିଫଳିତ କରେ।

ଯାଜପୁର: ଭୂତଳ ଜଳ ପୁନଃଭରଣର ବ୍ୟାପକ ସମ୍ପ୍ରସାରଣ 

'ଜଳ ସଞ୍ଚୟ, ଜନ ଭାଗିଦାରୀ' ଯୋଜନା ଅଧୀନରେ ବୈଜ୍ଞାନିକ ପଦ୍ଧତିରେ ଭୂତଳ ଜଳ ପରିଚାଳନା କ୍ଷେତ୍ରରେ ଯାଜପୁର ଜିଲ୍ଲା ଓଡ଼ିଶାର ଏକ ଗୁରୁତ୍ୱପୂର୍ଣ୍ଣ ଉଦାହରଣ ଭାବେ ଉଭା ହୋଇଛି।

୨୦୨୨-୨୩ ଏବଂ ୨୦୨୫-୨୬ ମଧ୍ୟରେ, ଯାଜପୁର ଜିଲ୍ଲାର କୋରେଇ, ବିଞ୍ଝାରପୁର, ବାରୀ, ରସୁଲପୁର, ଦଶରଥପୁର ଏବଂ ଯାଜପୁର ଭଳି ଉଚ୍ଚ ପ୍ରାଥମିକତା ବିଶିଷ୍ଟ ବ୍ଲକଗୁଡ଼ିକରେ ବର୍ଷାଜଳ ଅମଳ ପଦକ୍ଷେପଗୁଡ଼ିକୁ ରଣନୀତିକ ଭାବେ କାର୍ଯ୍ୟକାରୀ କରାଯାଇଥିଲା। 'ଅରୁଆ' (ARUA) ଯୋଜନା ଅଧୀନରେଏହି ଜିଲ୍ଲାରେ ୧୧୭ଟି ରିଚାର୍ଜ କୂଅ ନିର୍ମାଣ କରାଯାଇଛି ଏବଂ ବିଭିନ୍ନ ସରକାରୀ ଅନୁଷ୍ଠାନ ତଥା ଶିକ୍ଷାନୁଷ୍ଠାନ ପରିସରରେ 'ଛାତ' (CHHATA) ଯୋଜନା ଅଧୀନରେ ୧୧୪ଟି ରୁଫ୍‌ଟପ୍ ରେନ୍‌ୱାଟର୍ ହାର୍ଭେଷ୍ଟିଂ ସିଷ୍ଟମ୍ ମାଧ୍ୟମରେ ଛାତ ଉପର ବର୍ଷା ଜଳ ସଂଗ୍ରହ ପ୍ରକ୍ରିୟା ସ୍ଥାପନ କରାଯାଇଛି। 

ବୈଜ୍ଞାନିକ ଉପାୟରେ ଜଳସ୍ତରର ନିରୀକ୍ଷଣ ଏବଂ ଆକଳନ ସୁନିଶ୍ଚିତ କରିବା ପାଇଁ, ଜିଲ୍ଲା ପକ୍ଷରୁ ୪୭ଟି ଡିଜିଟାଲ୍ ୱାଟର୍ ଲେଭଲ୍ ରେକର୍ଡର୍ ଷ୍ଟେସନ ଏବଂ ୭୨ଟି ପର୍ଯ୍ୟବେକ୍ଷଣ କୂଅକୁ ନେଇ ଏକ ସୁଦୃଢ଼ ଭୂତଳ ଜଳ ନିରୀକ୍ଷଣ ନେଟୱର୍କ ପ୍ରତିଷ୍ଠା କରାଯାଇଛି। ଏହି ନିରୀକ୍ଷଣ ବ୍ୟବସ୍ଥା ମାଧ୍ୟମରେ ସଂଗୃହିତ ତଥ୍ୟରୁ ଜଣାପଡ଼ିଛି ଯେ, ଯେଉଁ ଅଞ୍ଚଳରେ ଏହି ପଦକ୍ଷେପ ନିଆଯାଇଛି ସେଠାରେ ଭୂତଳ ଜଳସ୍ତରର ସ୍ଥିତିରେ ସୁଧାର ଆସିଛି ଏବଂ ଆକ୍ୱିଫର୍ (ଜଳସ୍ତର) ରେ ଉନ୍ନତି ଆସିଛି। 

ଏହି ସୁଫଳ କେବଳ ଜଳ ସଂରକ୍ଷଣ ମଧ୍ୟରେ ସୀମିତ ନାହିଁ। ଭୂତଳ ଜଳର ଉନ୍ନତ ଉପଲବ୍ଧତା ପାନୀୟ ଜଳ ସୁରକ୍ଷାକୁ ସୁଦୃଢ଼ କରିଛି, କୃଷିର ସ୍ଥିତି ସ୍ଥାପକତାକୁ ସହଯୋଗ କରିଛି ଏବଂ ବିଶେଷ କରି ମହିଳାମାନଙ୍କ ଉପରୁ ଜଳ ସଂଗ୍ରହ କରିବାର ବୋଝକୁ ହ୍ରାସ କରିଛି। ସଚେତନତା ଅଭିଯାନ, ପ୍ରଦର୍ଶନୀ ଏବଂ ଜନସମ୍ପର୍କ କାର୍ଯ୍ୟକ୍ରମ ମାଧ୍ୟମରେ ସ୍ଥାନୀୟ ସମୁଦାୟ ଏବେ ଭୂତଳ ଜଳ ସଂରକ୍ଷଣର ଜଣେ ଜଣେ ସକ୍ରିୟ ଅଂଶୀଦାର ସାଜିଛନ୍ତି।

କଟକ: ପ୍ରଯୁକ୍ତିବିଦ୍ୟା ଓ ଜନ ଭାଗିଦାରୀର ସମନ୍ୱୟ 

ବୈଷୟିକ ପଦକ୍ଷେପ ସହିତ ଜନସାଧାରଣଙ୍କ ନିରନ୍ତର ସହଭାଗିତାକୁ ମିଶାଇ କିଭଳି ଭୂତଳ ଜଳ ସଂରକ୍ଷଣ ହାସଲ କରାଯାଇପାରିବ, ତାହା କଟକ ଜିଲ୍ଲା ପ୍ରଦର୍ଶନ କରିଛି।

'ଛାତ' ଯୋଜନା ଅଧୀନରେ ବିଭିନ୍ନ ସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ ଏବଂ ସର୍ବସାଧାରଣ ସୁବିଧା କେନ୍ଦ୍ରଗୁଡ଼ିକରେ ୫୭ଟି ଛାତ ଉପର ବର୍ଷାଜଳ ଅମଳ ପ୍ରକଳ୍ପ ପ୍ରତିଷ୍ଠା କରାଯାଇଛି। ଏଥିସହିତ, ଗଭୀର ଭୂତଳ ଜଳସ୍ତରର ପୁନଃଭରଣକୁ ସହଜ କରିବା ପାଇଁ 'ଅରୁଆ' ଯୋଜନା ଅଧୀନରେ ପୋଖରୀ ଏବଂ ଜଳାଶୟଗୁଡ଼ିକରେ ୩୫ଟି ରିଚାର୍ଜ କୂଅ ନିର୍ମାଣ କରାଯାଇଛି।

ଜଳ ସଂରକ୍ଷଣର ଦୀର୍ଘକାଳୀନ ସ୍ଥାୟୀତ୍ୱ ଜନସାଧାରଣଙ୍କ ନିଜସ୍ୱ ଦାୟିତ୍ୱବୋଧ ଉପରେ ନିର୍ଭର କରେ ବୋଲି ବୁଝି, ଜିଲ୍ଲା ପକ୍ଷରୁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଗ୍ରାମୀଣ ଏବଂ ସହରାଞ୍ଚଳରେ ପଥପ୍ରାନ୍ତ ନାଟକ, ସଚେତନତା ଅଭିଯାନ, ସେମିନାର ଏବଂ କର୍ମଶାଳା ଆୟୋଜନ କରାଯାଇ ଭୂତଳ ଜଳ ସଂରକ୍ଷଣ ପ୍ରୟାସରେ ସ୍ୱୟଂ ସହାୟକ ଗୋଷ୍ଠୀ, ଛାତ୍ରଛାତ୍ରୀ, ପଞ୍ଚାୟତରାଜ ଅନୁଷ୍ଠାନ ଏବଂ ସ୍ଥାନୀୟ ସମୁଦାୟକୁ ସାମିଲ କରାଯାଇଛି।

୬୬ଟି ସ୍ୱୟଂଚାଳିତ ନିରୀକ୍ଷଣ ଷ୍ଟେସନ ଏବଂ ୧୦୦ଟି ପର୍ଯ୍ୟବେକ୍ଷଣ କୂଅକୁ ନେଇ ଗଠିତ କଟକ ଜିଲ୍ଲାର ଭୂତଳ ଜଳ ନିରୀକ୍ଷଣ ବ୍ୟବସ୍ଥା, ଜଳଧାରକ ସ୍ଥିତିର ନିରନ୍ତର ଆକଳନ କରୁଛି। ଭୂତଳ ଜଳ ସମ୍ପଦ ଆକଳନର ତଥ୍ୟ ଅନୁଯାୟୀ, ଜିଲ୍ଲା ଏକ ସ୍ଥିର ଭୂତଳ ଜଳ ବ୍ୟବସ୍ଥା ବଜାୟ ରଖିବାରେ ସଫଳ ହୋଇଛି, ଯେଉଁଠି ୨୦୨୪ ଏବଂ ୨୦୨୫ ମଧ୍ୟରେ ଭୂତଳ ଜଳ ନିଷ୍କାସନର ସ୍ତର ପ୍ରାୟ ୪୭ ପ୍ରତିଶତ ମଧ୍ୟରେ ସୀମିତ ରହିଛି। ଏହା ବଢ଼ୁଥିବା ଜଳର ଚାହିଦାକୁ ସନ୍ତୁଳିତ କରିବାରେ ରିଚାର୍ଜ ପଦକ୍ଷେପଗୁଡ଼ିକର ସକାରାତ୍ମକ ପ୍ରଭାବକୁ ଦର୍ଶାଉଛି।

ଦିଗପହଣ୍ଡି: ସହରାଞ୍ଚଳ ଭୂତଳ ଜଳ ପୁନରୁଦ୍ଧାରର ଏକ ସ୍ଥାନୀୟ ମଡେଲ୍ 

ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ସହରାଞ୍ଚଳରେ ଭୂତଳ ଜଳ ଉପରେ କ୍ରମବର୍ଦ୍ଧିଷ୍ଣୁ ନିର୍ଭରଶୀଳତା, ହ୍ରାସ ପାଉଥିବା ବୃଷ୍ଟିପାତ ଏବଂ ସହରୀକରଣର ସମ୍ପ୍ରସାରଣ ଯୋଗୁଁ ଭୂତଳ ଜଳସ୍ତର ଉପରେ ଗୁରୁତର ଚାପ ପରିଲକ୍ଷିତ ହୋଇଥିଲା। ୨୦୨୦ ରୁ ୨୦୨୨ ମଧ୍ୟରେ ଅନେକ ସ୍ଥାନରେ ଭୂତଳ ଜଳସ୍ତର ଏକରୁ ତିନି ମିଟର ପର୍ଯ୍ୟନ୍ତ ହ୍ରାସ ପାଇଥିଲା।

ଏହି ଆହ୍ୱାନର ମୁକାବିଲା ପାଇଁ, 'ଛାତ' ଯୋଜନା ଅଧୀନରେ ବିଭିନ୍ନ ସରକାରୀ କାର୍ଯ୍ୟାଳୟ, ବିଦ୍ୟାଳୟ ଏବଂ ସର୍ବସାଧାରଣ ଅନୁଷ୍ଠାନଗୁଡ଼ିକରେ ରୁଫ୍‌ଟପ୍ ରେନ୍‌ୱାଟର୍ ହାର୍ଭେଷ୍ଟିଂ ସିଷ୍ଟମ୍ (ଛାତ ଉପର ବର୍ଷା ଜଳ ସଂଗ୍ରହ ପ୍ରକ୍ରିୟା) ସ୍ଥାପନ କରାଯାଇଥିଲା। ଏହି ସଂରଚନାଗୁଡ଼ିକ ଛାତରୁ ବହିଯାଉଥିବା ବର୍ଷା ଜଳକୁ ସଂଗ୍ରହ କରି, ତାକୁ ଫିଲ୍ଟର୍ କରନ୍ତି ଏବଂ ରିଚାର୍ଜ କୂଅ ମଧ୍ୟକୁ ପଠାଇଥାନ୍ତି, ଯାହାଦ୍ୱାରା ବର୍ଷା ଜଳ ସହଜରେ ଭୂତଳ ଜଳଧାରକ ସ୍ତରକୁ ଭେଦିପାରେ।

ଏହି ପଦକ୍ଷେପ ଯୋଗୁଁ ଆଖିଦୃଶିଆ ସୁଫଳ ମିଳିଛି। ତୁଳନାତ୍ମକ ଭୂତଳ ଜଳ ଆକଳନରୁ ଜଣାପଡ଼ିଛି ଯେ, ମୌସୁମୀ ପରବର୍ତ୍ତୀ ସମୟରେ ଜଳସ୍ତରରେ ଉନ୍ନତ ସୁଧାର ଆସିଛି, ଋତୁଗତ ପରିବର୍ତ୍ତନ ହ୍ରାସ ପାଇଛି ଏବଂ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିବା ଅଞ୍ଚଳ ଚାରିପାଖରେ ସ୍ଥାନୀୟ ରିଚାର୍ଜ ଜୋନ୍‌ ସୃଷ୍ଟି ହୋଇଛି। ରିଚାର୍ଜ ସଂରଚନା ନିକଟରେ ଥିବା ପର୍ଯ୍ୟବେକ୍ଷଣ କୂଅଗୁଡ଼ିକରେ ଭୂତଳ ଜଳର ସ୍ଥିତି ଅଧିକ ସୁଦୃଢ଼ ହୋଇଥିବା ରେକର୍ଡ କରାଯାଇଛି, ଯାହା ଏକ ସ୍ଥାୟୀ ସହରାଞ୍ଚଳ ଜଳ ପୁନଃଭରଣ ସମାଧାନ ଭାବେ ରୁଫ୍‌ଟପ୍ ରେନ୍‌ୱାଟର୍ ହାର୍ଭେଷ୍ଟିଂର ପ୍ରଭାବଶାଳୀତାକୁ ପ୍ରମାଣିତ କରୁଛି।

ଏହି ଅଭିଯାନରେ ଜନସାଧାରଣଙ୍କ ସହଭାଗିତା ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି। ସଚେତନତା ଅଭିଯାନ, ପଥପ୍ରାନ୍ତ ନାଟକ, ବିଦ୍ୟାଳୟ କର୍ମଶାଳା ଏବଂ ଜନସମ୍ପର୍କ କାର୍ଯ୍ୟକ୍ରମ ମାଧ୍ୟମରେ ସ୍ଥାନୀୟ ବାସିନ୍ଦା, ମହିଳା, ଯୁବ ଗୋଷ୍ଠୀ ଏବଂ ସ୍ଥାନୀୟ ପ୍ରତିନିଧିମାନଙ୍କୁ ଭୂତଳ ଜଳ ସଂରକ୍ଷଣରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବା ପାଇଁ ପ୍ରୋତ୍ସାହିତ କରାଯାଇଥିଲା, ଯାହା ସ୍ଥାନୀୟ ଜଳ ସମ୍ପଦ ପ୍ରତି ସେମାନଙ୍କ ମଧ୍ୟରେ ଏକ ଦାୟିତ୍ୱବୋଧ ଏବଂ ମାଲିକାନା ମନୋଭାବ ସୃଷ୍ଟି କରିପାରିଛି।

ଜଳ ସଂରକ୍ଷଣ ପାଲଟିଛି ଜନ ଆନ୍ଦୋଳନ 

ଓଡ଼ିଶାର ଭୂତଳ ଜଳ ପୁନଃଭରଣ ପଦକ୍ଷେପଗୁଡ଼ିକର ଏକ ସ୍ପଷ୍ଟ ବୈଶିଷ୍ଟ୍ୟ ହେଉଛି ଜନ ଭାଗିଦାରୀ ଉପରେ ଦିଆଯାଇଥିବା ଗୁରୁତ୍ୱ। ବିଭିନ୍ନ ଜିଲ୍ଲାରେ ସଚେତନତା ଶୋଭାଯାତ୍ରା, କର୍ମଶାଳା, ପ୍ରଦର୍ଶନୀ ଏବଂ ଜନସାଧାରଣଙ୍କ ସହଭାଗିତା କାର୍ଯ୍ୟକ୍ରମ ଭୂତଳ ଜଳ ସଂରକ୍ଷଣକୁ ଏକ କେବଳ ବୈଷୟିକ ପଦକ୍ଷେପ ମଧ୍ୟରେ ସୀମିତ ନରଖି ଏକ ସାମୂହିକ ସାମାଜିକ ପ୍ରୟାସରେ ରୂପାନ୍ତରିତ କରିଛି।

ବର୍ଷା ଜଳ ସଂଗ୍ରହକୁ ପ୍ରୋତ୍ସାହିତ କରିବା, ରିଚାର୍ଜ ସଂରଚନାଗୁଡ଼ିକର ରକ୍ଷଣାବେକ୍ଷଣ କରିବା ଏବଂ ଜଳର ସ୍ଥାୟୀ ବ୍ୟବହାର ବିଷୟରେ ସଚେତନତା ପ୍ରସାର କରିବାରେ ସରକାରୀ ଅନୁଷ୍ଠାନ, ଶିକ୍ଷାନୁଷ୍ଠାନ ପରିସର, ସ୍ୱୟଂ ସହାୟକ ଗୋଷ୍ଠୀ, ସ୍ଥାନୀୟ ସଂସ୍ଥା ଏବଂ ସାମୁଦାୟିକ ସଂଗଠନଗୁଡ଼ିକ ଏକ ସକ୍ରିୟ ଭୂମିକା ଗ୍ରହଣ କରିଛନ୍ତି। ବୈଜ୍ଞାନିକ ଯୋଜନା ଏବଂ ଜନସାଧାରଣଙ୍କ ସହଭାଗିତାର ଏହି ସମନ୍ୱୟ ହିଁ 'ଜଳ ସଞ୍ଚୟ, ଜନ ଭାଗିଦାରୀ'ର ପ୍ରକୃତ ଆତ୍ମାକୁ ପ୍ରତିଫଳିତ କରେ।

ଏକ ଜଳ-ସୁରକ୍ଷିତ ଭବିଷ୍ୟତର ନିର୍ମାଣ 

ଯାଜପୁର, କଟକ ଏବଂ ଦିଗପହଣ୍ଡିର ଅନୁଭୂତି ପ୍ରମାଣିତ କରେ ଯେ, ଭୂତଳ ଜଳର ସ୍ଥାୟୀ ପରିଚାଳନା ସେତେବେଳେ ସବୁଠାରୁ ଅଧିକ ପ୍ରଭାବଶାଳୀ ହୋଇଥାଏ, ଯେତେବେଳେ ଭିତ୍ତିଭୂମି ବିକାଶ ସହିତ ଜନସାଧାରଣଙ୍କ ଦାୟିତ୍ୱବୋଧର ସମନ୍ୱୟ ଘଟିଥାଏ। ଛାତରୁ ବର୍ଷା ଜଳ ସଂଗ୍ରହ କରୁଥିବା 'ଛାତ' ଯୋଜନା ଏବଂ ପୋଖରୀ ତଥା ଜଳାଶୟରୁ ବଳକା ଜଳକୁ ଭୂତଳ ଜଳଧାରକ ସ୍ତରକୁ ପଠାଉଥିବା 'ଅରୁଆ' (ARUA) ଯୋଜନା କାର୍ଯ୍ୟକାରୀ କରି ଓଡ଼ିଶା ଭୂତଳ ଜଳ ସଂରକ୍ଷଣ ପାଇଁ ଏକ ବ୍ୟାପକ ଏବଂ ଅନୁକରଣୀୟ ମଡେଲ୍ ସୃଷ୍ଟି କରିଛି।

ପ୍ରତିବର୍ଷ ମୌସୁମୀ ଆଗମନ ସହିତ ବର୍ଷା ଜଳକୁ କେବଳ ଏକ ସାମୟିକ ଜଳପ୍ରବାହ ଭାବେ ନଦେଖି ଆଗାମୀ ପିଢ଼ି ପାଇଁ ଏକ ମୂଲ୍ୟବାନ ସମ୍ପଦ ଭାବେ ଗ୍ରହଣ କରୁଛି ଓଡ଼ିଶା। ଏହି ଆଭିମୁଖ୍ୟରେ ଭୂତଳ ଜଳସ୍ତରର ପୁନଃଭରଣ କରି, ଜଳ ସୁରକ୍ଷାକୁ ସୁଦୃଢ଼ କରି ଏବଂ ସଂରକ୍ଷଣ ପ୍ରୟାସରେ ସମୁଦାୟକୁ ଏକାଠି କରି 'ଜଳ ସଞ୍ଚୟ, ଜନ ଭାଗିଦାରୀ' ଏକ ଅଧିକ ସୁଦୃଢ଼ ଏବଂ ଜଳ-ସୁରକ୍ଷିତ ଭବିଷ୍ୟତ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରୁଛି।

 


(रिलीज़ आईडी: 2271870) आगंतुक पटल : 11
इस विज्ञप्ति को इन भाषाओं में पढ़ें: Tamil , English , Urdu , हिन्दी