ଜଳ ଶକ୍ତି ମନ୍ତ୍ରଣାଳୟ
azadi ka amrit mahotsav

୯ମ ଭାରତ ଅନ୍ତର୍ଜାତୀୟ ଜଳ ସପ୍ତାହ’ର ଶୁଭାରମ୍ଭ କଲେ ଶ୍ରୀ ସି.ଆର. ପାଟିଲ


ସୂଚନା ପୁସ୍ତିକା ଉନ୍ମୋଚିତ, ଓ୍ବେବସାଇଟ୍‌ କାର୍ଯ୍ୟକ୍ଷମ

ପୋଷ୍ଟ କରାଯିବା ଦିନାଙ୍କ: 22 APR 2026 5:49PM by PIB Bhubaneswar

 

 

ଜଳଶକ୍ତି ମନ୍ତ୍ରଣାଳୟ ୨୨ରୁ ୨୬ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ନୂଆଦିଲ୍ଲୀର ଭାରତ ମଣ୍ଡପମ୍‌ଠାରେ ଭାରତ ଅନ୍ତର୍ଜାତୀୟ ଜଳ ସପ୍ତାହର ୯ମ ସଂସ୍କରଣ (ଆଇଆଇଡବ୍ଲୁଡବ୍ଲୁ-୨୦୨୬) ପାଳନ କରିବ। ଏଥରର ବିଷୟ ରହିଛି ‘ଜଳବାୟୁ ସହନକ୍ଷମ ଜଳ ପରିଚାଳନା’। ଆଜି କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଶ୍ରୀ ସି.ଆର.ପାଟିଲ୍ ଶ୍ରମଶକ୍ତି ଭବନରେ ଆଇଆଇଡବ୍ଲୁଡବ୍ଲୁ-୨୦୨୬ ସୂଚନା ପୁସ୍ତିକା ଉନ୍ମୋଚନ କରିବା ସହ ଓ୍ବେବ୍‌ସାଇଟ୍‌କୁ ଚାଲୁ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ଜଳସମ୍ପଦ, ନଦୀ ବିକାଶ ଏବଂ ଗଙ୍ଗା ପୁନରୁଦ୍ଧାର ବିଭାଗର ସଚିବ ଶ୍ରୀଯୁକ୍ତ ଭି.ଏଲ୍. କଣ୍ଠା ରାଓ , ପାନୀୟ ଜଳ ଏବଂ ପରିମଳ ବିଭାଗ (DDWS) ସଚିବ ଶ୍ରୀଯୁକ୍ତ ଅଶୋକ କେ.କେ. ମୀନା; ଜାତୀୟ ଜଳ ବିକାଶ ସଂସ୍ଥାର ମହାନିର୍ଦ୍ଦେଶକ ଶ୍ରୀଯୁକ୍ତ ବାଲେଶ୍ୱର ଠାକୁର, କେନ୍ଦ୍ରୀୟ ଜଳ ଆୟୋଗର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅନୁପମ ପ୍ରସାଦ; ଜାତୀୟ ଜଳ ମିଶନର ଅତିରିକ୍ତ ସଚିବ ଏବଂ ମିଶନ ନିର୍ଦ୍ଦେଶକ ଶ୍ରୀମତୀ ଅର୍ଚ୍ଚନା ବର୍ମା ଏବଂ ମନ୍ତ୍ରଣାଳୟର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

କେନ୍ଦ୍ରମନ୍ତ୍ରୀ ତାଙ୍କ ଭାଷଣରେ ଏହି କାର୍ଯ୍ୟକ୍ରମର ମୁଖ୍ୟ ବୈଶିଷ୍ଟ୍ୟଗୁଡ଼ିକ ଉପରେ ଆଲୋକପାତ କରିଥିଲେ ଏବଂ ବିଶ୍ୱାସ ପ୍ରକାଶ କରିଥିଲେ ଯେ ଆଇଆଇଡବ୍ଲୁଡବ୍ଲୁ-୨୦୨୬ ବିଶ୍ୱର ବିଶେଷଜ୍ଞ, ଯୋଜନାକାରୀ, ଉଦ୍ଭାବକ ଏବଂ ଅଂଶୀଦାରମାନଙ୍କୁ ଜଳ ପରିଚାଳନାରେ ଜ୍ଞାନ, ଅଭିଜ୍ଞତା ଏବଂ ସର୍ବୋତ୍ତମ ଅଭ୍ୟାସ ଆଦାନପ୍ରଦାନ ପାଇଁ ଏକାଠି କରିବ।

ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ କେନ୍ଦ୍ରମନ୍ତ୍ରୀ ବିକଶିତ ଭାରତର ଦୃଷ୍ଟିକୋଣକୁ ସାକାର କରିବା ପାଇଁ ନିରନ୍ତର ଜଳ ସଂରକ୍ଷଣ ପ୍ରୟାସର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ। ସେପ୍ଟେମ୍ବର ୨୦୨୪ରେ 'ଜଳ ସଂଚୟ ଜନ ଭାଗୀଦାରୀ' (ଜନ ଅଂଶଗ୍ରହଣ ମାଧ୍ୟମରେ ଜଳ ସଂରକ୍ଷଣ) ପ୍ରୟାସର ଶୁଭାରମ୍ଭ ସମୟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନାଗରିକମାନଙ୍କୁ ଦେଇଥିବା ଆହ୍ୱାନ ବିଷୟରେ ଉଲ୍ଲେଖ କରି ସେ ଜଳ ସଂରକ୍ଷଣକୁ ଏକ ଗଣ ଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ କରିଥିଲେ। ସେ ସୂଚନା ଦେଇଥିଲେ ଯେ ଏହି ପଦକ୍ଷେପ ଅଧୀନରେ ୬୦ ଲକ୍ଷରୁ ଅଧିକ କୃତ୍ରିମ ଜଳ ପୁନଃଭରଣ ଏବଂ ସଂରକ୍ଷଣ ଢାଞ୍ଚା ନିର୍ମାଣ କରାଯାଇସାରିଛି। ମେ ୨୦୨୬ ସୁଦ୍ଧା ୧ କୋଟି ଢାଞ୍ଚାର ଲକ୍ଷ୍ୟ ହାସଲ କରାଯିବ ବୋଲି ବିଶ୍ୱାସ ପ୍ରକାଶ କରିଥିଲେ। 

 

 

ଶ୍ରୀ ପାଟିଲ କହିଥିଲେ ଯେ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ, ଏମଜିଏନଆରଇଜିଏସ ଅଧୀନରେ ଖର୍ଚ୍ଚର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ - ୬୫% ରୁ ୩୦% ପର୍ଯ୍ୟନ୍ତ - ଜଳ ସଂରକ୍ଷଣ କାର୍ଯ୍ୟକଳାପ ପାଇଁ ଆବଣ୍ଟିତ କରାଯାଇଛି।

ସେପ୍ଟେମ୍ବରରେ ଅନୁଷ୍ଠିତ ହେବାକୁ ଥିବା ଏହି ପାଞ୍ଚ ଦିନିଆ ସମ୍ମିଳନୀରେ ଦ୍ୱିପାକ୍ଷିକ ବୈଠକ ଏବଂ ବିଭିନ୍ନ ଅଧିବେଶନ ଅନୁଷ୍ଠିତ ହେବ, ଯେଉଁଥିରେ ଅନ୍ତର୍ଭୁକ୍ତ ରହିଛି ମନ୍ତ୍ରୀସ୍ତରୀୟ ପୂର୍ଣ୍ଣାଙ୍ଗ ଅଧିବେଶନ, ଏକ ବିଶ୍ୱ ଜଳ ନେତାଙ୍କ ପୂର୍ଣ୍ଣାଙ୍ଗ ସମ୍ମିଳନୀ, ଜଳ ନେତାଙ୍କ ମଞ୍ଚ (ଡବ୍ଲୁଏଲଏଫ), ଏକ ଅଭ୍ୟାସକାରୀ ମଞ୍ଚ, ରାଷ୍ଟ୍ରମଞ୍ଚ, ଏକ ବିଷୟବସ୍ତୁ ଫୋରମ୍, ଯୁବ ମଞ୍ଚ (ଓ୍ବାଇଏଫ), ଏବଂ ଷ୍ଟାର୍ଟଅପ୍ ଫୋରମ୍ । ଏହି ଅବସରରେ ବିଭିନ୍ନ ମନ୍ତ୍ରଣାଳୟ, ବିଭାଗ, ଆନ୍ତର୍ଜାତୀୟ ସଂଗଠନ, ଯୁବ ପେସାଦାର, ସ୍କୁଲ ପିଲା, ଏନଜିଓ ଏବଂ ସଫଳତାର କାହାଣୀଗୁଡ଼ିକୁ ନେଇ ଗଠିତ ସ୍ୱତନ୍ତ୍ର ଅଧିବେଶନ ଏବଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

 

 

ଏହି କାର୍ଯ୍ୟକ୍ରମରେ ଜଳ କ୍ଷେତ୍ର ସହିତ ଜଡିତ ବିଭିନ୍ନ ବିଷୟ ଉପରେ ୪୯ ଟି ଅଧିବେଶନ ରହିବ। ପ୍ରାୟ ୧୫୦ଟି ଦେଶକୁ ଅଂଶଗ୍ରହଣ କରିବାକୁ ନିମନ୍ତ୍ରଣ କରାଯାଇଛି, ସେମାନଙ୍କ ମଧ୍ୟରୁ ୧୧ଟି ଦେଶ ଅଂଶୀଦାର ଦେଶ ଭାବରେ ଯୋଗଦେବାର ଆଶା କରାଯାଉଛି। ଏହା ସହିତ, ସମସ୍ତ ୮୪ଟି କେନ୍ଦ୍ର ସରକାରଙ୍କ ମନ୍ତ୍ରଣାଳୟ / ବିଭାଗ ଏବଂ ୩୬ ଟି ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳକୁ ନିମନ୍ତ୍ରଣ କରାଯାଇଛି। ପ୍ରାୟ ଛ’ ଟି କେନ୍ଦ୍ରୀୟ ମନ୍ତ୍ରଣାଳୟ ଏବଂ ୧୬ଟି ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳ ଏହି କାର୍ଯ୍ୟକ୍ରମରେ ଅଂଶୀଦାର ହେବାର ସମ୍ଭାବନା ଅଛି।

ଦ୍ୱିତୀୟ ଭାରତ ଜଳ ସପ୍ତାହ ୨୦୨୬ର ଅଂଶ ଭାବରେ ଦ୍ୱିତୀୟ ଅନ୍ତର୍ଜାତୀୟ ଡବ୍ଲୁଏଏସଏଚ୍ ସମ୍ମିଳନୀ ୨୦୨୬ ମଧ୍ୟ ସେପ୍ଟେମ୍ବର ୨୨ ରୁ ୨୪, ୨୦୨୬ ପର୍ଯ୍ୟନ୍ତ ଆୟୋଜିତ ହେବ। ଏହି କାର୍ଯ୍ୟକ୍ରମ ଜଳ, ପରିମଳ ଏବଂ ସ୍ୱଚ୍ଛତା (ଡବ୍ଲୁଏଏସଏଚ୍) କ୍ଷେତ୍ରରେ ପ୍ରମୁଖ ଚ୍ୟାଲେଞ୍ଜଗୁଡ଼ିକୁ ସମାଧାନ କରିବା ପାଇଁ ବିଶେଷଜ୍ଞ, ଗବେଷକ ଏବଂ ଅଭ୍ୟାସକାରୀଙ୍କୁ ଏକତ୍ର କରିବ।

ଏହି କାର୍ଯ୍ୟକ୍ରମର ସଫଳତା ସୁନିଶ୍ଚିତ କରିବା ପାଇଁ, ମନ୍ତ୍ରଣାଳୟ ବିଦେଶୀ ରାଷ୍ଟ୍ର, ଅଂଶୀଦାର ଦେଶ, ଜାତୀୟ ଏବଂ ଆନ୍ତର୍ଜାତୀୟ ସଂଗଠନ, ମନ୍ତ୍ରଣାଳୟ, ବିଭାଗ, ରାଜ୍ୟ ସରକାର, ଅଣ-ସରକାରୀ ସଂଗଠନ (ଏନଜିଓ), ଶିଳ୍ପ, ପ୍ରଦର୍ଶକ ଏବଂ ଜଳ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସମସ୍ତ ଅଂଶୀଦାରଙ୍କୁ ଅଂଶଗ୍ରହଣ କରିବାକୁ ନିମନ୍ତ୍ରଣ କରିଛି।

ଆଇଆଇଡବ୍ଲୁଡବ୍ଲୁ-୨୦୨୬ ୱେବସାଇଟ୍ (https://www.indiawaterweek.in/) ଏବେ ଚାଲୁ ରହିଛି ଏବଂ ପ୍ରତିନିଧି ପଞ୍ଜିକରଣ ପାଇଁ ଖୋଲା ଅଛି।

***

TKM


(ରିଲିଜ ଆଡି: 2254721) ପରିଦର୍ଶକ କାଉଣ୍ଟର : 12
ଏହି ରିଲିଜ ପଢନ୍ତୁ : English , Urdu , हिन्दी , Gujarati