PIB Headquarters
azadi ka amrit mahotsav

ସଞ୍ଚୟରୁ ଶକ୍ତି : ସୁକନ୍ୟା ସମୃଦ୍ଧି ଯୋଜନାରେ ଭାରତର ଝିଅଙ୍କ ସଶକ୍ତିକରଣ

प्रविष्टि तिथि: 21 JAN 2026 12:40PM by PIB Bhubaneshwar

ପ୍ରମୁଖ ବିନ୍ଦୁ 

  • ସରକାରଙ୍କ ‘ବେଟି ବଚାଓ ବେଟି ପଢ଼ାଓ’ ଅଭିଯାନରେ ୨୨ ଜାନୁଆରୀ ୨୦୨୫ରେ ଆରମ୍ଭ କରାଯାଇଥିଲା ସୁକନ୍ୟା ସମୃଦ୍ଧି ଯୋଜନା
  • ଏହା ହେଉଛି ଭାରତ ସରକାରଙ୍କର ଏକ କ୍ଷୁଦ୍ର ସଞ୍ଚୟ ଯୋଜନା। ଏହି ଯୋଜନା ଅଧୀନରେ ହିତାଧିକାରୀଙ୍କ ଜମା ରାଶି ଉପରେ କେନ୍ଦ୍ର ସରକାର ନିର୍ଦ୍ଧାରଣ କରୁଥିବା ନିର୍ଦ୍ଦିଷ୍ଟ ହାରରେ ସୁଧ ମିଳିଥାଏ ଏବଂ ଯୋଜନାର ନିୟମ ଅନୁସାରେ ହିତାଧିକାରୀଙ୍କୁ ତାହା ପ୍ରଦାନ କରାଯାଏ। ବର୍ତ୍ତମାନ ସୁକନ୍ୟା ସମୃଦ୍ଧି ଯୋଜନାର ସୁଧ ହାର ରହିଛି ୮.୨ ପ୍ରତିଶତ 
  • ଏହି ଯୋଜନା ଆରମ୍ଭ ହେବା ଦିନରୁ ଡିସେମ୍ୱର ୨୦୨୫ ସୁଦ୍ଧା ୪.୫୩ କୋଟି ଆକାଉଣ୍ଟ ଖୋଲା ଯାଇଛି ଏବଂ ସର୍ବମୋଟ ୩.୩୩ ଲକ୍ଷ କୋଟି ଟଙ୍କା ଜମା କରାଯାଇଛି     
  • ଝିଅମାନଙ୍କର ସଶକ୍ତିକରଣ:ସୁକନ୍ୟା ସମୃଦ୍ଧି ଯୋଜନାର ଲକ୍ଷ୍ୟ 


ସାରା ଦେଶର କୋଟି କୋଟି ଝିଅଙ୍କ ଆଶା ଓ ସଶକ୍ତିକରଣର ପ୍ରତୀକ ହେଉଛି ସୁକନ୍ୟା ସମୃଦ୍ଧି ଯୋଜନା। ଏହି ଯୋଜନା ଝିଅମାନଙ୍କ ସ୍ୱପ୍ନ ପୂରଣ ଓ ସେମାନଙ୍କ ଭବିଷ୍ୟତକୁ ସୁରକ୍ଷିତ ରଖିବାର ସରକାରଙ୍କ ପ୍ରତିଶ୍ରୁତିବଦ୍ଧତାକୁ ପ୍ରଦର୍ଶିତ କରିଥାଏ । ବେଟି ବଚାଓ, ବେଟି ପଢ଼ାଓ ଅଭିଯାନରେ ୨୨ ଜାନୁଆରୀ ୨୦୧୫ ମସିହାରେ ଏହି ଯୋଜନାର ଶୁଭାରମ୍ଭ କରାଯାଇଥିଲା। ଏହାକୁ କେବଳ ଏକ ସଞ୍ଚୟ ଯୋଜନା ଭାବେ ପ୍ରସ୍ତୁତ କରାଯାଇନାହିଁ। ଆର୍ଥିକ ସୁରକ୍ଷା ଓ ସାମାଜିକ ରୂପାନ୍ତର ମଧ୍ୟରେ ଏକ ସେତୁ ଭାବେ ଏହି ଯୋଜନାକୁ ଡିଜାଇନ କରାଯାଇଛି। ଆରମ୍ଭରୁ ଝିଅଙ୍କ ଶିକ୍ଷା ଓ ସମୃଦ୍ଧି ପାଇଁ ପରିବାରଗୁଡ଼ିକ ଯୋଜନା କରିବାର ପ୍ରୋତ୍ସାହନ ପ୍ରଦାନ କରି, ଏସ୍‌ଏସ୍‌ଓ୍ୱାଇ ତୃଣମୂଳସ୍ତରରେ ସୃଷ୍ଟି କରିଛି ଆତ୍ମବିଶ୍ୱାସ, ଅନ୍ତର୍ଭୁକ୍ତି ଓ ଦୀର୍ଘମିଆଦୀ ପ୍ରଗତି।   
୨୨ ଜାନୁଆରୀ ୨୦୨୬ରେ ଏସ୍‌ଏସ୍‌ଓ୍ୱାଇ ପୂରଣ କରିଛି ୧୧ ବର୍ଷ। ଝିଅମାନଙ୍କ ପ୍ରତି ଲକ୍ଷ ଲକ୍ଷ ପରିବାରର ଯେଉଁ ପ୍ରତିଶ୍ରୁତିବଦ୍ଧତା ଅଛି, ତାହା ପ୍ରଦର୍ଶିତ କରିଥାଏ ଏହି ଯୋଜନା। ଏସ୍‌ଏସ୍‌ଓ୍ୱାଇ ଆରମ୍ଭ ହେବା ଦିନରୁ ୪.୫୩ କୋଟି ଆକାଉଣ୍ଟ ଖୋଲା ଯାଇଛି। ଝିଅଙ୍କ କ୍ଷମତା ଉପରେ ଥିବା ଭରସାକୁ ପ୍ରଦର୍ଶିତ କରିଥାଏ ପ୍ରତ୍ୟେକ ଆକାଉଣ୍ଟ। ଗୋଟିଏ ଝିଅକୁ ସଶକ୍ତ କଲେ, ଗୋଟିଏ ପରିବାର ସଶକ୍ତ ହେବ, ସମୁଦାୟ ସଶକ୍ତ ହେବ ଓ ଏହିପରି ଭାବେ ଶେଷରେ ଦେଶ ମଧ୍ୟ ସଶକ୍ତ ହେବ। ଏହି କଥାକୁ ଦୋହରାଇଥାଏ, ସୁକନ୍ୟା ସମୃଦ୍ଧି ଯୋଜନା। ସମାନତା ଓ ସୁଯୋଗ ଦିଗରେ ସୁକନ୍ୟା ସମୃଦ୍ଧି ଯୋଜନା ହେଉଛି ଏକ ବଡ଼ ଅଭିଯାନ।    

ଝିଅମାନଙ୍କ ଭବିଷ୍ୟତର ସୁରକ୍ଷା: ସୁକନ୍ୟା ସମୃଦ୍ଧି ଯୋଜନା କେମିତି କାମ କରେ  

ଆପଣ ଜାଣନ୍ତି କି ?
ବର୍ତ୍ତମାନ ଏସ୍‌ଏସ୍‌ଓ୍ୱାଇର ବାର୍ଷିକ ସୁଧ ହାର ହେଉଛି ୮.୨ ପ୍ରତିଶତ। ବିଭିନ୍ନ କ୍ଷୁଦ୍ର ସଞ୍ଚୟ ଯୋଜନାରେ ପ୍ରଦାନ କରାଯାଉଥିବା ସୁଧ ମଧ୍ୟରୁ ଝିଅଙ୍କମାନଙ୍କ ପ୍ରତି ସମର୍ପିତ ଏହି ଯୋଜନାରେ ସର୍ବାଧିକ ସୁଧ ପ୍ରଦାନ କରାଯାଉଛି।  
ଏସ୍‌ଏସ୍‌ଓ୍ୱାଇ ହେଉଛି କମ୍ ରିସ୍କ ଥିବା ଏକ ଜମା ଯୋଜନା ଯେଉଁଠି ମୂଳ ଜମାରାଶି ଉପରେ ଓ ନିର୍ଦ୍ଧାରିତ ହାରରେ ସୁଧ ପ୍ରଦାନ ନେଇ କେନ୍ଦ୍ର ସରକାର ଗ୍ୟାରେଣ୍ଟି ପ୍ରଦାନ କରିଥାନ୍ତି। ପ୍ରତ୍ୟେକ ତିନି ମାସରେ ସୁଧ ନିର୍ଦ୍ଧାରିତ ହୋଇଥାଏ ଓ ବର୍ଷ ଶେଷରେ ତାହା ପ୍ରଦାନ କରାଯାଏ।  
ଏହି ଯୋଜନାର ଉଭୟ ଆର୍ଥିକ ଓ ସାମାଜିକ ଗୁରୁତ୍ୱ ରହିଛି। ଏହା କେବଳ ଏକ ଆର୍ଥିକ ନିବେଶ ନୁହେଁ। ଏହା ହେଉଛି ଝିଅମାନଙ୍କ ଉଜ୍ଜ୍ୱଳ ଓ ସମୃଦ୍ଧ ଭବିଷ୍ୟତ ପ୍ରଦାନ କରୁଥିବା ଏକ ଯୋଜନା। ଏହା ଝିଅର ଶିକ୍ଷା ଓ ବାହାଘର ଖର୍ଚ୍ଚ ତୁଳାଇବ। ଝିଅମାନଙ୍କୁ ଶିକ୍ଷା, ଆର୍ଥିକ ସୁରକ୍ଷା ପ୍ରଦାନ କରିବାରେ ଏହି ଯୋଜନା ସାହାଯ୍ୟ କରିଥାଏ ଯାହାକି ନାରୀ ସଶକ୍ତିକରଣକୁ ଆହୁରି ମଜଭୁତ କରୁଛି ଏବଂ ଏହା ଭବିଷ୍ୟତରେ ଆତ୍ମନିର୍ଭର ଭାରତର ଲକ୍ଷ୍ୟ ପୂରଣ କରିବା ଦିଗରେ ମଧ୍ୟ ସାହାଯ୍ୟ କରୁଛି।    





ଏସ୍‌ଏସ୍‌ଓ୍ୱାଇ ଆକାଉଣ୍ଟ କ’ଣ ଓ ଏହା କିଏ ଖୋଲି ପାରିବ ?
ଏକ ଏସ୍‌ଏସ୍‌ଓ୍ୱାଇ ଆକାଉଣ୍ଟ ହେଉଛି ଏକ ଆକାଉଣ୍ଟ ଯେଉଁଠାରେ ଏସ୍‌ଏସ୍‌ଓ୍ୱାଇ ଯୋଜନା ଅଧୀନରେ ଜମା ହୋଇଥିବା ପାଣ୍ଠି ରଖାଯାଇଥାଏ। ପିତାମାତା କିମ୍ବା ଆଇନଗତ ଅଭିଭାବକମାନେ ସେମାନଙ୍କର ଭାରତୀୟ କନ୍ୟା ସନ୍ତାନ ପାଇଁ ଯେକୌଣସି ଭାରତୀୟ ଡାକଘର କିମ୍ବା ଯେକୌଣସି ସରକାରୀ କ୍ଷେତ୍ର ବ୍ୟାଙ୍କ ଏବଂ ଅଧିକୃତ ଘରୋଇ କ୍ଷେତ୍ର ବ୍ୟାଙ୍କ (ଏଚ୍‌ଡିଏଫସି ବ୍ୟାଙ୍କ, ଆକ୍ସିସ୍ ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ ଏବଂ ଆଇଡିବିଆଇ ବ୍ୟାଙ୍କ)ର ଶାଖାରେ ଏକ ଆକାଉଣ୍ଟ ଖୋଲିପାରିବେ।
-ଝିଅ ଜନ୍ମ ହେବା ଦିନଠୁ ଆରମ୍ଭ କରି ତାକୁ ୧୦ ବର୍ଷ ବୟସ ହେବା ପର୍ଯ୍ୟନ୍ତ, ଯେକୌଣସି ଦିନ ସେହି ଝିଅ ନାଁରେ ଏସ୍‌ଏସ୍‌ଓ୍ୱାଇ ଆକାଉଣ୍ଟ ଖୋଲା ଯାଇପାରିବ। 
-ଜଣେ ଝିଅ ପାଇଁ କେବଳ ଗୋଟିଏ ଏସ୍‌ଏସ୍‌ଓ୍ୱାଇ ଆକାଉଣ୍ଟ ଖୋଲା ଯାଇ ପାରିବ। ପ୍ରତ୍ୟେକ ପରିବାର ସର୍ବାଧିକ ୨ ଜଣ ଝିଅଙ୍କ ପାଇଁ ଏହି ଆକାଉଣ୍ଟ ଖୋଲି ପାରିବେ। ତେବେ ଯାଆଁଳା ଝିଅ କ୍ଷେତ୍ରରେ ବା ଏକା ଥରେ ୩ଟି ଝିଅ ଜନ୍ମ ହେଲେ ସେମାନଙ୍କ ଜନ୍ମପ୍ରମାଣ ପତ୍ର ଓ ଆବଶ୍ୟକ ସତ୍ୟପାଠ ଦାଖଲ କରି ପରିବାର ପିଛା ଦୁଇରୁ ଅଧିକ ଏସ୍‌ଏସ୍‌ଓ୍ୱାଇ ଆକାଉଣ୍ଟ ମଧ୍ୟ ଖୋଲା ଯାଇ ପାରିବ। 
-ଦେଶର ଯେକୌଣସି ସ୍ଥାନକୁ ଏହି ଆକାଉଣ୍ଟ ନେଇ ହେବ।   

ଉଲ୍ଲେଖନୀୟ କଥା ହେଲା ଝିଅଟି ୧୮ ବର୍ଷ ହେବା ପର୍ଯ୍ୟନ୍ତ, ବାପା ମାଆ କିମ୍ୱା ଅଭିଭାବକ ଏହି ଆକାଉଣ୍ଟ ପରିଚାଳନା କରିପାରିବେ। ଏହା ଦ୍ୱାରା ଜମା ରାଶି ଉପରେ ବାପା ମାଆ ଓ ଅଭିଭାବକଙ୍କ ନଜର ରହିବ। ଝିଅର ଶିକ୍ଷା ତଥା ଭବିଷ୍ୟତ ପାଇଁ ଏହି ଟଙ୍କା ଠିକରେ ଉପଯୋଗ ହେଉଛି କି ନାହିଁ, ତାହା ସେମାନେ ଜାଣିପାରିବେ। ଝିଅକୁ ୧୮ ବର୍ଷ ହେବା ପରେ ଆବଶ୍ୟକ କାଗଜପତ୍ର ଦାଖଲ କରି ସେ ନିଜେ ଏହି ଆକାଉଣ୍ଟ ପରିଚାଳନା କରିପାରିବ। 

ଏସ୍‌ଏସ୍‌ଓ୍ୱାଇ ଆକାଉଣ୍ଟ ଖୋଲିବାକୁ କେଉଁ କାଗଜପତ୍ର ଦରକାର ?
ଏସ୍‌ଏସ୍‌ଓ୍ୱାଇ ଆକାଉଣ୍ଟ ଖୋଲିବାକୁ ନିମ୍ନଲିଖିତ କାଗଜପତ୍ର ଦରକାର 
ସୁକନ୍ୟା ସମୃଦ୍ଧି ଆକାଉଣ୍ଟ ଖୋଲିବାର ନିର୍ଦ୍ଦିଷ୍ଟ ଫର୍ମ। ଏହା ପୋଷ୍ଟ ଅଫିସ ଓ ବ୍ୟାଙ୍କ ଶାଖାରେ ମିଳିଥାଏ
ଝିଅର ଜନ୍ମ ପ୍ରମାଣପତ୍ର
ଆଧାର କାର୍ଡ
ପାନ୍ କାର୍ଡ ବା ଆୟକର ନିୟମର ଫର୍ମ ୬୦  

ଏସ୍‌ଏସ୍‌ଓ୍ୱାଇରେ କେତେ ଟଙ୍କା ଜମା କରିବାକୁ ପଡ଼ିବ ?
ଆପଣ ଜାଣନ୍ତି କି ?
ଡିସେମ୍ୱର ୨୦୨୫ ସୁଦ୍ଧା ଏସ୍‌ଏସ୍‌ଓ୍ୱାଇରେ ଜମା ରାଶି ୩,୩୩,୦୦୦କୋଟି ଟଙ୍କା ଟପିଲାଣି !

ବାପା ମାଆ କିମ୍ୱା ଅଭିଭାବକ ଏସ୍‌ଏସ୍‌ଓ୍ୱାଇ ଆକାଉଣ୍ଟରେ ଆରମ୍ଭରୁ ସର୍ବନିମ୍ନ ୨୫୦ ଟଙ୍କା ଜମା କରିପାରିବେ। ପରେ ଏହାକୁ ବୃଦ୍ଧି କରିହେବ। ୫୦, ୧୦୦, ୧୫୦ … ଏମିତି ବୃଦ୍ଧି କରିହେବ। ବର୍ଷକୁ ସର୍ବନିମ୍ନ ୨୫୦ ଟଙ୍କା ଜମା କରିବାକୁ ପଡ଼ିବ। ବର୍ଷକୁ ଗୋଟିଏ ଆକାଉଣ୍ଟରେ ସର୍ବାଧିକ ୧,୫୦,୦୦୦ ଟଙ୍କା ଜମା କରିହେବ। ଏହାଠାରୁ ଅଧିକ ଟଙ୍କା ଜମା କଲେ, ସେଥିରେ ସୁଧ ମିଳିବ ନାହିଁ। 
ଆକାଉଣ୍ଟ ଖୋଲିବା ଦିନରୁ ୧୫ ବର୍ଷ ପର୍ଯ୍ୟନ୍ତ ଟଙ୍କା ଜମା କରିହେବ। 

ଏସ୍‌ଏସ୍‌ଓ୍ୱାଇରେ କେମିତି ସୁଧ ହିସାବ କରାଯାଏ 

ପ୍ରତ୍ୟେକ ମାସରେ ସୁଧ ହିସାବ କରାଯାଏ। କିନ୍ତୁ ଆର୍ଥିକ ବର୍ଷ ଶେଷରେ ଆକାଉଣ୍ଟରେ ଏହି ସୁଧକୁ ଯୋଡ଼ା ଯାଏ। ଯଦି ବି ଆକାଉଣ୍ଟ ଅନ୍ୟ ବ୍ୟାଙ୍କ ବା ପୋଷ୍ଟ ଅଫିସ ଶାଖାକୁ ଟ୍ରାନ୍ସଫର୍ କରାଯାଏ, ତେବେ ଆର୍ଥିକ ବର୍ଷ ଶେଷରେ ହିଁ ସୁଧ ପ୍ରଦାନ କରାଯାଏ। ଏହା ଦ୍ୱାରା ଆର୍ଥିକ କାରବାର ଠିକ୍ ରହେ ଓ ସଞ୍ଚୟ ସୁରକ୍ଷିତ ରହିବା ସହିତ ତାର ଅଭିବୃଦ୍ଧି ଘଟିଥାଏ।  


ଜଣେ କେମିତି ଏସ୍‌ଏସ୍‌ଓ୍ୱାଇ ଆକାଉଣ୍ଟରୁ ଟଙ୍କା କାଢ଼ି ପାରିବ? 

ଝିଅର ପାଠପଢ଼ା ପାଇଁ ପୂର୍ବ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଯେତେ ଟଙ୍କା ଜମା ହୋଇଛି, ତାର ୫୦ ପ୍ରତିଶତ ଟଙ୍କା କାଢ଼ି ହେବ। ଝିଅକୁ ୧୮ ବର୍ଷ ହେବା ପରେ କିମ୍ୱା ସେ ଦଶମ ଶ୍ରେଣୀ ପାସ୍ କରିବା ପରେ ଏହି ସୁବିଧା ମିଳିବ। ଟଙ୍କା କାଢ଼ିବା ପାଇଁ ନିର୍ଦ୍ଦିଷ୍ଟ ଫର୍ମରେ ଆବେଦନ କରିବାକୁ ପଡ଼ିବ। ତା ସହିତ ଆବଶ୍ୟକ କାଗଜପତ୍ର ଦାଖଲ କରିବାକୁ ପଡ଼ିବ। ଯେମିତିକି ନାମଲେଖାର ନିଶ୍ଚିତ ପ୍ରମାଣପତ୍ର, ଫି ରସିଦ। କେତେ ଟଙ୍କା ଦରକାର, ତାହା ଲେଖି କରି ଦେବେ ସଂପୃକ୍ତ ଶିକ୍ଷାନୁଷ୍ଠାନ। 
ଥରକେ କିମ୍ୱା କିସ୍ତିରେ ଏହି ଟଙ୍କା ବାହାର କରିହେବ। ୫ ବର୍ଷ ପାଇଁ ବର୍ଷକୁ ଥରେ ଲେଖାଏଁ ଏହି ଟଙ୍କା ବାହାର କରିହେବ। ପ୍ରକୃତ ଫି ଅପେକ୍ଷା ଅଧିକ ଟଙ୍କା ଜଣେ କାଢ଼ି ପାରିବ ନାହିଁ।  

ଏସ୍‌ଏସ୍‌ଓ୍ୱାଇ ଆକାଉଣ୍ଟ କେତେବେଳେ ମ୍ୟାଚୁରିଟି ହୁଏ ? ଜଣେ ଏହାକୁ ଆଗୁଆ ବନ୍ଦ କରିପାରିବ କି ?
ଆକାଉଣ୍ଟ ଖୋଲିବାର ୨୧ ବର୍ଷ ହେଲେ ଏହା ମ୍ୟାଚୁରିଟି ହେବ। କେତେକ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ଏହାକୁ ଆଗୁଆ ବନ୍ଦ କରାଯାଇପାରିବ।  

ଆକାଉଣ୍ଟ ମ୍ୟାଚୁଅର୍ ହେବା ଆଗରୁ ହିତାଧିକାରୀ ବାହା ହେଲେ 
-ଏପରି କ୍ଷେତ୍ରରେ ଖାତାଧାରକଙ୍କୁ ଏକ ଆବେଦନପତ୍ର ସହିତ ଏକ ନନ୍-ଜୁଡିସିଆଲ୍ ଷ୍ଟାମ୍ପ ପେପରରେ ଏକ ଘୋଷଣାପତ୍ର, ନୋଟାରୀ ଦ୍ୱାରା ଯଥାର୍ଥ ଭାବରେ ପ୍ରମାଣିତ କରିବାକୁ ପଡ଼ିବ। ଏହା ସହ ବିବାହ ତାରିଖରେ ସେମାନଙ୍କର ବୟସ ଅତି କମରେ ଅଠର ବର୍ଷ ହେବ ବୋଲି ନିଶ୍ଚିତ କରୁଥିବା ବୟସର ପ୍ରମାଣପତ୍ର ଦାଖଲ କରିବାକୁ ପଡିବ। ବାହା ହେବାର ମାସେ ଆଗରୁ କିମ୍ୱା ବାହା ହେବାର ୩ ମାସ ଭିତରେ ଆକାଉଣ୍ଟ ବନ୍ଦ କରାଯାଇପାରିବ। ଅନୁମୋଦନ ପରେ ଜମା ରାଶି କାଢ଼ିବା ପାଇଁ ଆବେଦନ କରିବାକୁ ପଡ଼ିବ। 
ହିତାଧିକାରୀଙ୍କ ମୃତ୍ୟୁ ହେଲେ   
ଏପରି କ୍ଷେତ୍ରରେ ମୃତ୍ୟୁର ପ୍ରମାଣପତ୍ର ସହିତ ଆବେଦନ କଲେ ତୁରନ୍ତ ଆକାଉଣ୍ଟ ବନ୍ଦ କରି ଦିଆଯିବ। 
ଆକାଉଣ୍ଟରେ ଯେତେ ଟଙ୍କା ଜମା ଥିଲେ, ସମସ୍ତ ରାଶି ସୁଧ ସହିତ ଅଭିଭାବକଙ୍କୁ ପ୍ରଦାନ କରାଯିବ। 
ମୃତ୍ୟୁର ତାରିଖ ଓ ଆକାଉଣ୍ଟ ବନ୍ଦ ହେବା ଦିନ ମଧ୍ୟରେ ପୋଷ୍ଟ ଅଫିସ ସେଭିଂ ଆକାଉଣ୍ଟ ହାରରେ ସୁଧ ପ୍ରଦାନ କରାଯିବ। 
ତେବେ ଆକାଉଣ୍ଟ ଖୋଲିବାର ୫ ବର୍ଷ ଭିତରେ ଏହାକୁ ବନ୍ଦ କରାଯାଇପାରିବ ନାହିଁ ।

ଝିଅମାନଙ୍କ ପାଇଁ ସୁକନ୍ୟା ସମୃଦ୍ଧି ଯୋଜନା କାହିଁକି ଏକ ସ୍ମାର୍ଟ ପସନ୍ଦ ?
ସୁକନ୍ୟା ସମୃଦ୍ଧି ଯୋଜନା ହେଉଛି ଝିଅମାନଙ୍କ ପାଇଁ ସରକାରଙ୍କ ସମର୍ଥିତ ଆର୍ଥିକ ସୁରକ୍ଷାର ଏକ ଦୀର୍ଘମିଆଦୀ ସଞ୍ଚୟ ଯୋଜନା। ଏହା ଅଧିକ ରିଟର୍ଣ୍ଣ ଓ କର ରିହାତି ପ୍ରଦାନ କରିଥାଏ। ସୁବିଧାଜନକ ଟଙ୍କା କାଢ଼ିବାର ସୁବିଧା ଅଛି। ଏହି ଯୋଜନା ଝିଅମାନଙ୍କ ଶିକ୍ଷା ଓ ଭବିଷ୍ୟତର ଆବଶ୍ୟକତା ପୂରଣ କରିଥାଏ । ଜଣେ ଝିଅର ଆର୍ଥିକ ଭବିଷ୍ୟତକୁ ଏହା ସୁରକ୍ଷିତ କରିଥାଏ। 
ଏହି ଯୋଜନା ମଧ୍ୟ ଭଲ ସୁଧ ପ୍ରଦାନ କରିଥାଏ। ନିୟମିତ ଭାବେ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ଏହି ସୁଧ ହାର ସ୍ଥିର କରିଥାଏ। ଫଳରେ ଜମା ରାଶି ଲଗାତର ଭାବେ ବଢ଼ିଥାଏ।  
ଏହି ଯୋଜନାରେ ନିବେଶ ଉପରେ ଆୟକର ଆଇନ ୧୯୬୧ ସେକ୍ସନ ୮୦ସି ଅନୁସାରେ ରିହାତି ମିଳିଥାଏ ।
ଜମା ରାଶିରେ ରହିଛି ଅନେକ ସୁବିଧା। ଜଣେ ୨୫୦ ଟଙ୍କାରୁ ଆରମ୍ଭ କରି ଦେଢ଼ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜମା କରିପାରିବ। ଏହା ସହିତ ଆଂଶିକ ଉଠାଣର ବି ସୁବିଧା ଅଛି।  
ମ୍ୟାଚୁରିଟି ପରେ ବି ଯଦି ଆକାଉଣ୍ଟ ବନ୍ଦ ନ ହୁଏ, ତେବେ ପୋଷ୍ଟ ଅଫିସ ସଞ୍ଚୟ ଖାତା ଅନୁସାରେ ମିଳିବ ସୁଧ।


A Scheme That Grows with Her

ଭାରତର ଝିଅମାନଙ୍କର ସୁରକ୍ଷିତ ଓ ସଶକ୍ତ ଭବିଷ୍ୟତ ଦିଗରେ ସୁକନ୍ୟା ସମୃଦ୍ଧି ଯୋଜନା ଏକ ବହୁତ ବଡ଼ ପଦକ୍ଷେପ। ଏହା ଦୀର୍ଘମିଆଦୀ ସଞ୍ଚୟକୁ ପ୍ରୋତ୍ସାହିତ କରିଥାଏ ଯାହାକି ଶିକ୍ଷା ଓ ଆର୍ଥିକ ସ୍ୱାଧୀନତା ପ୍ରଦାନ କରିଥାଏ। ପରିବାର ଓ ବୃହତ ସାମାଜିକ ଉନ୍ନତିରେ ଏହି ଯୋଜନା ଆର୍ଥିକ ଦାୟିତ୍ୱ ପ୍ରଦାନ କରିଥାଏ। 
ଦିନକୁ ଦିନ ଲଗାତର ଭାବେ ଏସ୍‌ଏସ୍‌ଓ୍ୱାଇ ଆକାଉଣ୍ଟ ବଢୁଛି। ଏଥିରୁ ଜଣା ପଡୁଛି ଏହାର ବହୁତ ପ୍ରଭାବ ଲୋକଙ୍କ ଉପରେ ପଡୁଛି। ତା ସହିତ ଲୋକଙ୍କ ଭରସା ବି ବଢୁଛି। ଭାରତ ଲିଙ୍ଗଗତ ସମାନତା ଓ ଅନ୍ତର୍ଭୁକ୍ତି ଦିଗରେ ଆଗକୁ ବଢୁଥିବା ବେଳେ ଏଥିରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଛି ସୁକନ୍ୟା ସମୃଦ୍ଧି ଯୋଜନା। ଏହା ନିଶ୍ଚିତ କରୁଛି ଯେ, ପ୍ରତ୍ୟେକ ଝିଅର ବିକାଶରେ, ତାର ଉନ୍ନତି ପାଇଁ ସମ୍ବଳର ଅଭାବ ନାହିଁ। ଫଳରେ ନିଜର ପୂର୍ଣ୍ଣ ଶକ୍ତିର ଉପଯୋଗ କରି ଆତ୍ମବିଶ୍ୱାସର ସହିତ ସେ ଆଗକୁ ବଢ଼ି ପାରିବ।  …  
References
Ministry of Finance
https://www.pib.gov.in/PressReleasePage.aspx?PRID=2094807&reg=3&lang=2#:~:text=Maturity%20of%20the%20account,access%20to%20funds%20when%20needed.
https://www.pib.gov.in/PressReleaseIframePage.aspx?PRID=1778546&reg=3&lang=2
https://www.pib.gov.in/PressReleaseIframePage.aspx?PRID=1990745&reg=3&lang=2
https://static.pib.gov.in/WriteReadData/specificdocs/documents/2022/jan/doc20221207101.pdf
Prime Minister's Office
https://www.pib.gov.in/PressReleseDetail.aspx?PRID=2191605&reg=3&lang=1
Directorate of Small Savings, Govt. of Assam
https://smallsavings.assam.gov.in/portlets/take-care-with-sukanya-samriddhi-account
https://finance.assam.gov.in/portlets/sukanya-samriddhi-for-your-girl-child
Government of Uttar Pradesh, Moradabad Division
https://moradabaddivision.nic.in/scheme/sukanya-samriddhi-yojana/
Sansad.in
https://sansad.in/getFile/loksabhaquestions/annex/178/AU767.pdf?source=pqals
https://sansad.in/getFile/loksabhaquestions/annex/184/AU3747_MIzukL.pdf?source=pqals
mygov.in
https://transformingindia.mygov.in/scheme/sukanya-samriddhi-yojana/#intro
State Bank of India
https://www.sbisecurities.in/calculators/sukanya-samriddhi-yojana
https://sbi.bank.in/web/personal-banking/investments-deposits/govt-schemes/sukanya-samriddhi-yojana
Others
https://www.ibef.org/news/over-us-36-72-billion-deposited-in-banks-under-sukanya-samriddhi-scheme-prime-minister-mr-narendra-modi
Click here for pdf file. 
***
PIB Research

BSP 


(रिलीज़ आईडी: 2218110) आगंतुक पटल : 4
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Bengali , Bengali-TR , Gujarati , Tamil