PIB Headquarters
ଜିଏସ୍ଟିର ଯୁକ୍ତିଯୁକ୍ତକରଣ:କଫି ବଗିଚାରୁ ଆରମ୍ଭ କରି ଟେକ୍ ହବ୍ ପର୍ଯ୍ୟନ୍ତ, କର୍ଣ୍ଣାଟକର ବିକାଶ ଗାଥାର ଅଭିବୃଦ୍ଧି
प्रविष्टि तिथि:
24 OCT 2025 9:59AM by PIB Bhubaneshwar
ପ୍ରମୁଖ ବିନ୍ଦୁ
ଭାରତର ମୋଟ କଫି ଉତ୍ପାଦନର ୭୧% ପ୍ରତିଶତ ଭାଗିଦାରୀ ସହିତ ପ୍ରୋତ୍ସାହନ:ଜିଏସ୍ଟିକୁ ୫ ପ୍ରତିଶତକୁ ହ୍ରାସ କରାଯିବା ଦ୍ୱାରା ଇନଷ୍ଟାଣ୍ଟ କଫି ୧୧-୧୨ ପ୍ରତିଶତ ଶସ୍ତା ହେବ । ଏହା ଦ୍ୱାରା କ୍ଷୁଦ୍ର ଉତ୍ପାଦନକାରୀ ଓ ରପ୍ତାନୀକାରୀ ଉପକୃତ ହେବେ।
କ୍ଷୀର ଓ ପନୀର କରମୁକ୍ତ ହେବାରୁ ଏବଂ ଘିଅ ଓ ଲହୁଣି ୫-୭ % ଶସ୍ତା ହେବାରୁ ୨୬ ଲକ୍ଷ ଦୁଗ୍ଧଚାଷୀଙ୍କୁ ମିଳିବ ଆଶ୍ୱସ୍ତି।
କାଜୁ, ନଡ଼ିଆ କତା ଓ ସାମୁଦ୍ରିକ ଉତ୍ପାଦ ଉପରେ ଜିଏସ୍ଟିକୁ ୫ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରାଯିବା ଦ୍ୱାରା ଉପକୂଳ ଅଞ୍ଚଳକୁ ମିଳିବ ପ୍ରୋତ୍ସାହନ। ଏହା ଦ୍ୱାରା ଉପକୃତ ହେବେ ମହିଳାଙ୍କ ଦ୍ୱାରା ପରିଚାଳିତ ଏମ୍ଏସ୍ଏମ୍ଇ ଓ ଉପକୂଳିଆ ଜୀବୀକା।
ଟ୍ରାକ୍ଟର, ବିଭିନ୍ନ ମେସିନ, ସିମେଣ୍ଟ ଓ ଗ୍ରାନାଇଟ ୬-୮ ପ୍ରତିଶତ ଶସ୍ତା ହେବାରୁ ଶିଳ୍ପ କ୍ଷେତ୍ରକୁ ମିଳିବ ପ୍ରୋତ୍ସାହନ। ଏହା ଦ୍ୱାରା ଗ୍ରାମାଞ୍ଚଳରେ ମେସିନ ବ୍ୟବହାର ବୃଦ୍ଧି ପାଇବା ସହିତ ନିର୍ମାଣ କ୍ଷେତ୍ରରେ ସୃଷ୍ଟି ହେବ ଅଧିକ ନିଯୁକ୍ତି।
ଇକ୍କଲ ଶାଢ଼ୀ, ବିଦରିଓ୍ୱେର, ରୋଜଉଡ୍ ଇନ୍ଲେ ଓ ଡ୍ରୋନ୍ ଉପରେ ଜିଏସ୍ଟି ୫ପ୍ରତିଶତକୁ ହ୍ରାସ ପାଇବା ଦ୍ୱାରା ଶିଳ୍ପକଳା ଓ ନବସୃଜନକୁ ମିଳିବ ପ୍ରୋତ୍ସାହନ। ଏହା କାରିଗର ଓ ଟେକ୍ ଷ୍ଟାର୍ଟଅଫ୍କୁ ସହାୟତା ପ୍ରଦାନ କରିବ।
ଉପକ୍ରମ
ପରମ୍ପରା ଓ ଟେକ୍ନୋଲଜିର ସଂଗମରେ ଛିଡ଼ା ହୋଇଥିବା କର୍ଣ୍ଣାଟକ ହେଉଛି ଏପରି ଏକ ରାଜ୍ୟ ଯେଉଁଠି କୁର୍ଗ କଫି ବଗିଚାର ସୁଗନ୍ଧ ପିନ୍ୟାରୁ ହୋସୁର ଯାଏ ବ୍ୟାପିଥିବା କଳ କାରଖାନାର ଗୁଞ୍ଜରଣ ସହିତ ମିଶିଥାଏ। ଦକ୍ଷିଣ କର୍ଣ୍ଣାଟକର ଉପକୂଳରେ ମାଛ ଚାଷଠୁ ଆରମ୍ଭ କରି ମହୀଶୂର ଓ ବିଦରର ହସ୍ତଶିଳ୍ପ କେନ୍ଦ୍ର ପର୍ଯ୍ୟନ୍ତ, ରାଜ୍ୟର ଅର୍ଥବ୍ୟବସ୍ଥାରେ ପ୍ରତିଫଳିତ ହୋଇଥାଏ ଭାରତର ବିବିଧତା, ଶକ୍ତି ଓ ଉଦ୍ୟୋଗୀ ମନୋଭାବ।
କିଛି ଦିନ ତଳେ ଜିଏସ୍ଟି ହାରକୁ ଯୁକ୍ତିସଂଗତ କରାଯିବା ହେଉଛି କର୍ଣ୍ଣାଟକର ଅର୍ଥନୀତି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ଯାହାକି କୃଷି, ମ୍ୟାନୁଫ୍ୟାକଚରିଂ ଓ ସେବା କ୍ଷେତ୍ରରେ ଆଣି ଦେଇଛି ବ୍ୟାପକ ଆଶ୍ୱସ୍ତି। କଫି, ଦୁଗ୍ଧଜାତ ସାମଗ୍ରୀ, ପୋଷାକ, ହସ୍ତଶିଳ୍ପ, ନଡ଼ିଆ କତା ସାମଗ୍ରୀ ଓ କଳକାରଖାନାର କଞ୍ଚାମାଲ ପରି ପ୍ରମୁଖ ସାମଗ୍ରୀ ଉପରେ ଜିଏସ୍ଟି ହ୍ରାସ କରାଯାଇଛି। ଏହି ସଂସ୍କାର ଯୋଗୁଁ ଏସବୁ ସାମଗ୍ରୀ ଅଧିକ ଶସ୍ତା ହେବ, ଘରୋଇ ଚାହିଦା ବୃଦ୍ଧି କରିବ ଏବଂ ଏମ୍ଏମ୍ଏମ୍ଇ ଓ ରପ୍ତାନୀ କ୍ଷେତ୍ରରେ ପ୍ରତିଯୋଗିତାକୁ ଆହୁରି ମଜଭୁତ କରିବ।

ଏହି ନୂଆ ଢାଞ୍ଚା ଯୋଗୁଁ କର୍ଣ୍ଣାଟକର ଚାଷୀ, କାରିଗର, ଉଦ୍ୟୋଗୀମାନେ ଉପକୃତ ହେବେ। କାରଣ ସେମାନଙ୍କ ଅନୁପାଳନ ନିବେଶ ଖର୍ଚ୍ଚ ହ୍ରାସ ପାଇବ, ମଜଭୁତ ମୂଲ୍ୟ ଶୃଙ୍ଖଳା ଓ ବ୍ୟାପକ ବଜାର ଉପଲବ୍ଧତା ମିଳିବ। ଜିଏସ୍ଟିର ଏହି ସମୀଚିନତା କର୍ଣ୍ଣାଟକର ସାମଗ୍ରିକ, ନବସୃଜନ ଆଧାରିତ ଓ ସ୍ଥାୟୀ ଅଭିବୃଦ୍ଧିର ଲକ୍ଷ୍ୟକୁ ସୁଦୃଢ଼ କରିବା ସହିତ ଭାରତର କରବ୍ୟବସ୍ଥାର ସରଳୀକରଣ ପରି ବୃହତ ଲକ୍ଷ୍ୟର ଅନୁରୂପ ଅଟେ।
କୃଷି ଓ ଗ୍ରାମାଞ୍ଚଳ ଜୀବୀକା
କଫି
ଭାରତର କଫି ଅର୍ଥନୀତିର କେନ୍ଦ୍ରସ୍ଥଳ ହେଉଛି କର୍ଣ୍ଣାଟକ। ଦେଶର ମୋଟ କଫି ଉତ୍ପାଦନର ୭୧ ପ୍ରତିଶତ କେବଳ କର୍ଣ୍ଣାଟକରୁ ହୋଇଥାଏ। ରାଜ୍ୟର ଅଧିକ କଫି ଚାଷ ହୋଇଥାଏ କୋଡଗୁ, ଚିକମଙ୍ଗଲୁରୁ ଓ ହାସନ ଅଞ୍ଚଳରେ। ଏହି କ୍ଷେତ୍ରରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ପ୍ରାଧାନ୍ୟ ରହିଛି। ଦେଶରେ କଫି ଚାଷ କରୁଥିବା ଓ ପ୍ରୋସେସିଂ କରୁଥିବା ୬.୭ ଲକ୍ଷ ଲୋକଙ୍କ ମଧ୍ୟରେ ଏମାନେ ରହିଛନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶ କଫି ଚାଷୀ ରହୁଛନ୍ତି କର୍ଣ୍ଣାଟକର ମାଲନାଡୁ ଅଞ୍ଚଳରେ।
ଏଇ ନିକଟରେ କଫିଜାତ ସାମଗ୍ରୀ, କଫି ଉପାଦାନ ଓ ଇନ୍ଷ୍ଟାଣ୍ଟ କଫି ଉପରେ ଜିଏସ୍ଟିକୁ ୧୮ ପ୍ରତିଶତରୁ ୫ ପ୍ରତିଶତ କରାଯିବା ଦ୍ୱାରା ରାଜକୋଷକୁ ପ୍ରୋତ୍ସାହନ ମିଳିଛି। ଏହା ଦ୍ୱାରା ଖୁଚୁରା ଦାମ୍ ୧୧-୧୨ ପ୍ରତିଶତ କମ୍ ହେବାର ଆଶା କରାଯାଉଛି। ଏହି ପରିବର୍ତ୍ତନ ଦ୍ୱାରା ଘରୋଇ ଚାହିଦା ବୃଦ୍ଧି ହେବ, କ୍ଷୁଦ୍ର ପ୍ରକ୍ରିୟାକର୍ତ୍ତା ଓ ସମବାୟ ସମିତିଗୁଡ଼ିକର ଅଧିକ ଲାଭ ହେବ। ଏହା ସହିତ ଭାରତ ଓ ବିଶ୍ୱର ମୁଣ୍ଡ ପିଛା କଫି ବ୍ୟବହାର ମଧ୍ୟରେ ବ୍ୟବଧାନ ହ୍ରାସ ପାଇବ।

କୁର୍ଗ ଅରେବିକା, ଚିକ୍ମଙ୍ଗଳୁର ଅରେବିକା ଓ ବାବାବୁଦ୍ଦିନଗିରିସ ଅରେବିକା ସହିତ କର୍ଣ୍ଣାଟକରେ ଛାଇରେ ଚାଷ ହେଉଥିବା ଅରେବିକା ଓ ରୋବଷ୍ଟା କିସମର କଫିର ବହୁତ ଚାହିଦା ଅଛି ଇଟାଲି, ଜର୍ମାନୀ ଓ ସ୍ୱିଜରଲାଣ୍ଡରେ । ଏହି ସମସ୍ତ କିସମର କଫି ହେଉଛି ଜିଆଇ ଟ୍ୟାଗ୍ଯୁକ୍ତ। ଜିଏସ୍ଟି କମିବା ଦ୍ୱାରା ଉଭୟ ଘରୋଇ ଓ ବୈଶ୍ୱିକ ବଜାରରେ କର୍ଣ୍ଣାଟକର ଉତ୍ପାଦକମାନେ ପ୍ରତିଯୋଗିତାମୂଳକ ଫାଇଦା ପାଇବେ।
ଡାଏରୀ
କର୍ଣ୍ଣାଟକ ଦୁଗ୍ଧ ମହାସଂଘ (କେଏମ୍ଏଫ୍) ଦ୍ୱାରା ପରିଚାଳିତ କର୍ଣ୍ଣାଟକର ଡାଏରୀ କ୍ଷେତ୍ର ହେଉଛି ରାଜ୍ୟର ଗ୍ରାମାଞ୍ଚଳ ଅର୍ଥନୀତିର ଆଧାର। ରାଜ୍ୟର ୨୬ ଲକ୍ଷରୁ ଅଧିକ ଦୁଗ୍ଧ ଚାଷୀଙ୍କୁ ଏହା ସହାୟତା ପ୍ରଦାନ କରିଥାଏ। ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି କ୍ଷୁଦ୍ର ଓ ନାମମାତ୍ର ଦୁଗ୍ଧଚାଷୀ। ବେଙ୍ଗଳୁରୁ, ମହୀଶୂର, ହାସନ ଓ ତୁମକୁରୁର ପ୍ରମୁଖ ପ୍ରୋସେସିଂ କେନ୍ଦ୍ର ସହିତ ସାରା ରାଜ୍ୟରେ ୧୫,୦୦୦ରୁ ଅଧିକ ପ୍ରାଥମିକ ଡାଏରୀ ସମବାୟ ସମିତି ରହିଛି। ଏହି କ୍ଷେତ୍ର ରାଜ୍ୟର ଗ୍ରାମାଞ୍ଚଳ ଓ ଅର୍ଦ୍ଧ-ସହରାଞ୍ଚଳର ପ୍ରାୟ ୨୨ ଲକ୍ଷ ଲୋକଙ୍କୁ ରୋଜଗାର ପ୍ରଦାନ କରିଥାଏ।
ଗ୍ରାମୀଣ ଉତ୍ପାଦକଙ୍କ ସହିତ ସହରାଞ୍ଚଳର ଖାଉଟିଙ୍କୁ ଯୋଡ଼ି ଥିବା କେଏମ୍ଏଫ୍ର ପ୍ରମୁଖ ବ୍ରାଣ୍ଡ ନନ୍ଦିନୀ ହେଉଛି ସମବାୟ ସଫଳତାର ଏକ ପ୍ରତୀକ। ଆର୍ଥିକ ବର୍ଷ ୨୦୨୪ରେ କର୍ଣ୍ଣାଟକ ୧୩.୪୬ ମିଲିୟନ ଟନ୍ ଦୁଗ୍ଧ ଉତ୍ପାଦନ କରିଥିଲା। କେଏମ୍ଏଫ୍ ଦିନକୁ ହାରାହାରି ୫୨.୭ ଲକ୍ଷ ଲିଟର କ୍ଷୀର ବିକ୍ରି କରିଥାଏ। ଏହା ହେଉଛି ଦେଶର ଦ୍ୱିତୀୟ ସର୍ବବୃହତ ଡାଏରୀ ସମବାୟ ସଂସ୍ଥା।
କିଛି ଦିନ ତଳେ ୟୁଏଚ୍ଟି କ୍ଷୀର ଓ ପନୀର ଉପରେ ଥିବା ୫ ପ୍ରତିଶତ ଜିଏସ୍ଟିକୁ ହ୍ରାସ କରାଯାଇ ତାକୁ ସଂପୂର୍ଣ୍ଣ ଜିଏସ୍ଟିମୁକ୍ତ କରାଯାଇଛି । ଏହା ସହିତ ଘିଅ ଓ ଲହୁଣୀରେ ଉପରେ ମଧ୍ୟରେ ଲାଗୁଥିବା ୧୨ ପ୍ରତିଶତ ଜିଏସ୍ଟିକୁ କମ୍ କରି ୫ ପ୍ରତିଶତ କରାଯାଇଛି । ଏହା ଦ୍ୱାରା ଖୁଚୁରା ଦର ୫-୭ ପ୍ରତିଶତ କମିବ। ଫଳରେ ଏସବୁ ମୂଲ୍ୟଯୁକ୍ତ ସାମଗ୍ରୀର ଚାହିଦା ବଢ଼ିବ ଓ ସମବାୟ ସମିତିଗୁଡ଼ିକର ଲାଭ ମଧ୍ୟ ବୃଦ୍ଧି ହେବ। ଏହି ଉଭୟ ଲାଭ ଯୋଗୁଁ ଦୁଗ୍ଧଜାତ ଦ୍ରବ୍ୟଗୁଡ଼ିକ ଅଧିକ ଶସ୍ତା ଓ ସୁଲଭ ହେବ। ଏହା ସହିତ କେଏମ୍ଏଫ୍ ନିଜର ସଦସ୍ୟଙ୍କୁ ଅଧିକ ଓ ଭଲ ମୂଲ୍ୟ ପ୍ରଦାନ କରିପାରିବ। ଫଳରେ କର୍ଣ୍ଣାଟକରେ ଡାଏରୀ କ୍ଷେତ୍ର ହୋଇପାରିବ ଗ୍ରାମାଞ୍ଚଳ ଆୟ ଓ ମହିଳା ସଶକ୍ତିକରଣର ପ୍ରମୁଖ କାରକ।
କାଜୁ
ଦକ୍ଷିଣ କନ୍ନଡ଼ର ଉପକୂଳବର୍ତ୍ତୀ ଜିଲ୍ଲା ଓ ଉଡୁପୀ ହେଉଛନ୍ତି କର୍ଣ୍ଣାଟକର କାଜୁ ପ୍ରୋସେସିଂର ପ୍ରମୁଖ କେନ୍ଦ୍ର। ଏହା ହେଉଛି ଏକ ଶ୍ରମ-ପ୍ରଧାନ ଉଦ୍ୟୋଗ ଯାହା ଗ୍ରାମୀଣ ଓ ସାମାଜିକ ଭାବେ ଦୁର୍ବଳ ଶ୍ରେଣୀର ହଜାର ହଜାର ମହିଳାଙ୍କୁ ରୋଜଗାର ପ୍ରଦାନ କରିଥାଏ। କେବଳ ଦକ୍ଷିଣ କନ୍ନଡରେ ୬୬ଟି ପ୍ରୋସେସିଂ ୟୁନିଟ ଅଛି ଯାହା ହେଉଛି ସ୍ଥାନୀୟ ଅର୍ଥନୀତିର ଏକ ପ୍ରମୁଖ ଅଙ୍ଗ।
ପ୍ରୋସେସିଂ କରାଯାଇଥିବା କାଜୁ ଉପରେ ଜିଏସ୍ଟିକୁ ୧୨ ପ୍ରତିଶତରୁ ହ୍ରାସ କରି ୫ ପ୍ରତିଶତ କରାଯିବା ଦ୍ୱାରା ଏହାର ଦାମ୍ ୬-୭ ପ୍ରତିଶତ ହ୍ରାସ ପାଇବାର ଆଶା କରାଯାଉଛି। ଏହା ଦ୍ୱାରା କ୍ଷୁଦ୍ର ପ୍ରକ୍ରିୟାକର୍ତ୍ତା ଓ ରପ୍ତାନୀକାରୀଙ୍କୁ ଅଧିକ ଲାଭ ମିଳିବ। କାଜୁର ବାଣିଜ୍ୟରେ ଭାରତ ହେଉଛି ବିଶ୍ୱର ଏକ ପ୍ରମୁଖ ଦେଶ। ୟୁଏଇ, ଜାପାନ ଓ ନେଦରଲାଣ୍ଡ ପରି ଅନେକ ଦେଶକୁ ଭାରତ କାଜୁ ରପ୍ତାନୀ କରିଥାଏ। ଜିଏସ୍ଟି ହ୍ରାସ କରାଯିବା ଦ୍ୱାରା ଘରୋଇ ଚାହିଦା ବୃଦ୍ଧି ହେବା ସହିତ କର୍ଣ୍ଣାଟକର ଉପକୂଳବର୍ତ୍ତୀ ମହିଳା ଶ୍ରମଶକ୍ତିର ଆୟ ମଧ୍ୟ ବଢ଼ିବ।
ନଡ଼ିଆ କତା
ତୁମକୁରୁ, ହାସନ, ଚିକମଙ୍ଗଳୁରୁ ଓ ଉପକୂଳ କର୍ଣ୍ଣାଟକରେ ବହୁଳ ଭାବେ ଦେଖାଯାଉଥିବା ନଡ଼ିଆ କତା ଶିଳ୍ପ ହେଉଛି ଏକ ପାରମ୍ପରିକ କୁଟୀରଶିଳ୍ପ। ଏହା ଅଣକୃଷି ଉଦ୍ୟୋଗ ଭାବେ ଗ୍ରାମାଞ୍ଚଳରେ ଅଧିକାଂଶ ମହିଳାଙ୍କୁ ରୋଜଗାର ପ୍ରଦାନ କରିଥାଏ। କର୍ଣ୍ଣାଟକ ରାଜ୍ୟ କତା ବିକାଶ ନିଗମ ଓ କେନ୍ଦ୍ରୀୟ କତା ବୋର୍ଡ ଦ୍ୱାରା ସମର୍ଥିତ ଏହି ଉଦ୍ୟୋଗ ମହିଳା ସଶକ୍ତିକରଣ ଓ ଗ୍ରାମାଞ୍ଚଳ ରୋଜଗାର ସୃଷ୍ଟି କରିବାରେ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।
ଜାତୀୟ ସ୍ତରରେ କତା ଉଦ୍ୟୋଗ ପ୍ରାୟ ୫.୫ ଲକ୍ଷ ଲୋକଙ୍କୁ ରୋଜଗାର ପ୍ରଦାନ କରିଥାଏ। କର୍ଣ୍ଣାଟକ ନଡ଼ିଆ ଉତ୍ପାଦନର ଏକ ପ୍ରମୁଖ ରାଜ୍ୟ ହୋଇଥିବାରୁ ଏହି ରାଜ୍ୟରେ କତା ଶିଳ୍ପ ବୃଦ୍ଧିର ବହୁତ ସମ୍ଭାବନା ରହିଛି। ଭାରତ ହେଉଛି ବିଶ୍ୱର ସର୍ବବୃହତ ନଡ଼ିଆ କତା ଉତ୍ପାଦନକାରୀ ଦେଶ ଓ ରପ୍ତାନୀକାରୀ ଦେଶ। ମୁଖ୍ୟତଃ ଆମେରିକା ଓ ଚୀନକୁ ଏହି କତା ସାମଗ୍ରୀ ରପ୍ତାନୀ କରାଯାଇଥାଏ। ଏସବୁ ସାମଗ୍ରୀ ଉପରେ ଜିଏସ୍ଟି ୧୨ ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ ପାଇବା ଦ୍ୱାରା କତା ମେଟ୍, ଗାଲିଚା ଓ ଜିଓଟେକ୍ସଟାଇଲ୍ ୬-୭ ପ୍ରତିଶତ ଶସ୍ତା ହେବ। ଏହା ଦ୍ୱାରା ସିନ୍ଥେଟିକ ସାମଗ୍ରୀ ମୁକାବିଲାରେ ଏସବୁ ସାମଗ୍ରୀର ପ୍ରତିଯୋଗିତା ଅଧିକ ବଢ଼ିବ ବା ଏସବୁ ସାମଗ୍ରୀ ଆହୁରି ଅଧିକ ଶସ୍ତା ହୋଇପାରିବ।
ଏହି ସଂସ୍କାର ସର୍କୁଲର ଓ ସବୁଜ ଅର୍ଥବ୍ୟବସ୍ଥାକୁ ସହାୟତା ପ୍ରଦାନ କରିଥାଏ। ନଡ଼ିଆ କତାରୁ ପ୍ରସ୍ତୁତ ହେଉଥିବା ପରିବେଶ ଅନୁକୂଳ ସାମଗ୍ରୀକୁ ପ୍ରୋତ୍ସାହନ ଦେଇ ଅଧିକ ଉତ୍ପାଦନ ପାଇଁ ଏମ୍ଏସ୍ଏମ୍ଇକୁ ପ୍ରୋତ୍ସାହିତ କରିଥାଏ। ପ୍ରଧାନମନ୍ତ୍ରୀ ରୋଜଗାର ସୃଜନ କାର୍ଯ୍ୟକ୍ରମ (ପିଏମ୍ଇଜିପି) ପରି ଜାତୀୟ ରୋଜଗାର ସୃଜନ କାର୍ଯ୍ୟକ୍ରମ ସହିତ ତାଳମେଳ ରକ୍ଷା କରି ଏହା ବିଶେଷ କରି ମହିଳାମାନଙ୍କ ପାଇଁ ମହତ୍ୱପୂର୍ଣ୍ଣ ଅତିରିକ୍ତ ଅଣକୃଷି ରୋଜଗାର ସୃଷ୍ଟି କରିବାର କ୍ଷମତା ମଧ୍ୟ ଅଛି।
ମାଛ ଚାଷ
ଦକ୍ଷିଣ କନ୍ନଡ଼, ଉଡୁପୀ ଓ ଉତ୍ତର କନ୍ନଡ ଯାଏ ବ୍ୟାପିଥିବା କର୍ଣ୍ଣାଟକର ୩୨୦ କିଲୋମିଟରର ଉପକୂଳ ହଜାର ହଜାର ପାରମ୍ପରିକ ମତ୍ସ୍ୟଜୀବୀ ପରିବାର ଓ ଏକ ମଜଭୁତ ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣକୁ ଶିଳ୍ପକୁ ଚଳାଇଥାଏ ଯାହାକି ବହୁ ଲୋକଙ୍କୁ ରୋଜଗାର ପ୍ରଦାନ କରିଥାଏ। ବିଶେଷ କରି ମହିଳାମାନଙ୍କୁ ଏହା ରୋଜଗାର ପ୍ରଦାନ କରିଥାଏ। ଲକ୍ଷ ଲକ୍ଷ ମତ୍ସ୍ୟଜୀବୀ ଓ ଉପକୂଳବର୍ତ୍ତୀ ଅଞ୍ଚଳରେ ଥିବା ପ୍ରକ୍ରିୟାକରଣ ଶିଳ୍ପ, ଶୀତଳ ଭଣ୍ଡାର ଓ ରପ୍ତାନୀରେ ନିୟୋଜିତ ଲୋକଙ୍କୁ ଏହା ରୋଜଗାର ପ୍ରଦାନ କରିଥାଏ।
ସମୁଦ୍ରରୁ ମାଛ ଉତ୍ପାଦନରେ କର୍ଣ୍ଣାଟକ ଭାରତରେ ପଞ୍ଚମ ସ୍ଥାନ ଅଧିକାର କରିଛି। ତେବେ ଧରା ହେଉଥିବା ମାଛର ଅଧିକାଂଶ ଭାଗ ଘରୋଇ ଚାହିଦା ପୂରଣ କରିଥାଏ। ପ୍ରୋସେସିଂ ହେଉଥିବା ମାଛ ଯେପରିକି ଡବାରେ ପ୍ୟାକିଂ, ଫ୍ରୋଜନ ଓ ରେଡି ଟୁ ଇଟ୍ ମାଛର ଚାହିଦା ଉଭୟ ବିଦେଶରେ ଓ ଦେଶରେ ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି।
ପ୍ରୋସେସିଂ ହେଉଥିବା ମାଛ ଓ ସାମୁଦ୍ରିକ ଉତ୍ପାଦ ଉପରେ ଜିଏସ୍ଟିକୁ ୧୨ ପ୍ରତିଶତରୁ ହ୍ରାସ କରି ୫ ପ୍ରତିଶତ କରାଯିବା ଦ୍ୱାରା ଡବାବନ୍ଦ ଟୁନା, ଫ୍ରୋଜେନ ଚିଙ୍ଗୁଡ଼ି ଓ ରେଡି ଟୁ ଇଟ୍ ମାଛ ତରକାରୀ ପରି ସାମଗ୍ରୀ ପ୍ରାୟ ୬ରୁ ୭ ପ୍ରତିଶତ ଶସ୍ତା ହେବାର ଆଶା କରାଯାଉଛି। ଏହା ଦ୍ୱାରା ମତ୍ସ୍ୟ ପାଳନ ସଂପର୍କିତ ମୂଲ୍ୟ ଶୃଙ୍ଖଳାର ମୂଲ୍ୟବର୍ଦ୍ଧନକୁ ପ୍ରୋତ୍ସାହନ ମିଳିବ। ଏହି ନୀତିଗତ ପରିବର୍ତ୍ତନ ସ୍ଥାନୀୟ ପ୍ରୋସେସିଂ ୟୁନିଟକୁ ପ୍ରୋତ୍ସାହିତ କରିଥାଏ ଓ ଅଧିକ ସ୍ଥିରତା ପ୍ରଦାନ କରୁଥିବା ରୋଜଗାର ସୃଷ୍ଟି କରିଥାଏ ଓ ଅସ୍ଥିର ରପ୍ତାନୀ ବଜାର ଉପରେ ନିର୍ଭରଶୀଳତା ହ୍ରାସ ପାଇଥାଏ।
ଏହି ସଂସ୍କାର ସାମୁଦ୍ରିକ ଖାଦ୍ୟ ସଂପର୍କିତ ଏମ୍ଏସ୍ଏମ୍ଇ ଓ ଏହା ସହିତ ଜଡ଼ିତ ଥିବା ସମବାୟ ସମିତି ମଧ୍ୟରେ ପ୍ରତିଯୋଗିତା ବୃଦ୍ଧି କରିବ ଯାହାକି ଉପକୂଳବର୍ତ୍ତୀ ଅଞ୍ଚଳର ରୋଜଗାରକୁ ପ୍ରତ୍ୟକ୍ଷ ଭାବେ ପ୍ରୋତ୍ସାହିତ କରିବ । ପଳରେ କର୍ଣ୍ଣାଟକର ମତ୍ସ୍ୟଜୀବୀ ସଂପ୍ରଦାୟକୁ ରାଜ୍ୟର ସବୁଠୁ ଗୁରୁତ୍ୱପୂର୍ଣ୍ଣ ପ୍ରାକୃତିକ ସମ୍ବଳ ମଧ୍ୟରୁ ଗୋଟିଏ ଅଧିକ ମୂଲ୍ୟପ୍ରାପ୍ତ ସମ୍ବଳ ପାଇବାରେ ସାହାଯ୍ୟ କରିବ।
କୃଷି ଯନ୍ତ୍ରପାତି ଓ ଉପକରଣ
ଟ୍ରାକ୍ଟର, ବିଭିନ୍ନ ପ୍ରକାର କୃଷି ଉପକରଣ ଓ ୟନ୍ତ୍ରପାତି ଉପରେ ଲାଗୁଥିବା ଜିଏସ୍ଟି ହ୍ରାସ ହେଉଛି କର୍ଣ୍ଣାଟକର ଗ୍ରାମାଞ୍ଚଳ ଉତ୍ପାଦନ ଓ ଶିଳ୍ପ ବିକାଶ ପ୍ରୋତ୍ସାହନ ଦିଗରେ ଏକ ବହୁତ ବଡ଼ ପଦକ୍ଷେପ। ଟ୍ରାକ୍ଟର ଓ ବିଭିନ୍ନ କୃଷି ଯନ୍ତ୍ରପାତି ଉପରେ ଜିଏସ୍ଟି ୧୨ ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ ପାଇବା ଓ ଟ୍ରାକ୍ଟର ଯନ୍ତ୍ରାଂଶ ଉପରୁ ଜିଏସ୍ଟି ୧୮ ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ ପାଇବା ଦ୍ୱାରା କର୍ଣ୍ଣାଟକର ୭୮ ଲକ୍ଷରୁ ଅଧିକ ଚାଷୀ ଯେଉଁମାନଙ୍କ ମଧ୍ୟରେ ଅଧିକାଂଶ ହେଉଛନ୍ତି କ୍ଷୁଦ୍ର ଓ ନାମମାତ୍ର ଚାଷୀ, ସେମାନେ ଉପକୃତ ହେବେ। କୃଷି ଉପକରଣ ସଂପର୍କିତ ଖର୍ଚ୍ଚ ନିଶ୍ଚିତ ଭାବେ ହ୍ରାସ ପାଇବ।
ଉଦାହରଣ ସ୍ୱରୂପ ୮ ଲକ୍ଷ ଟଙ୍କାର ଟ୍ରାକ୍ଟର ଉପରେ ଏବେ ଜିଏସ୍ଟି ୯୬,୦୦୦ ଟଙ୍କାରୁ ୪୦, ୦୦୦ ଟଙ୍କାକୁ ହ୍ରାସ ପାଇବ। ଅର୍ଥାତ ସିଧାସଳଖ ଭାବେ ଚାଷୀର ୫୬,୦୦୦ ଟଙ୍କା ସଂଚୟ ହେବ। ଏହା ଦ୍ୱାରା ଚାଷୀ, ଚାଷୀ ଉତ୍ପାଦକ ସଂଗଠନ (ଏଫ୍ପିଓ) ଓ କଷ୍ଟମ ହାୟରିଂ କେନ୍ଦ୍ରକୁ କୃଷି ଯନ୍ତ୍ରପାତି ଓ ଉପକରଣ ସହଜରେ ମିଳିପାରିବ। ଫଳରେ ଚାଷରେ ମେସିନ ଉପଯୋଗ ବୃଦ୍ଧି ପାଇବା ସହିତ ଉତ୍ପାଦନ ମଧ୍ୟ ବୃଦ୍ଧି ପାଇବ।
କର୍ଣ୍ଣାଟକର ହୁବଲି-ଧାରଓ୍ୱାଡ୍, ବେଳଗାଭି ଓ ବେଙ୍ଗଳୁରୁ ଅଟୋମୋଟିଭ କରିଡର ପରି ଶିଳ୍ପକେନ୍ଦ୍ର ସମୂହକୁ ମଧ୍ୟ ଲାଭ ମିଳିବ। କାରଣ ରାଜ୍ୟରେ ଟ୍ରାକ୍ଟର ପାର୍ଟସ୍ ଓ କୃଷି ଉପକରଣ ଯନ୍ତ୍ରପାତି ମ୍ୟାନୁଫ୍ୟାକଚରିଂ କରୁଥିବା ଅନେକ ଏମ୍ଏସ୍ଏମ୍ଇ ନେଟଓ୍ୱର୍କ ଅଛନ୍ତି। କର୍ଣ୍ଣାଟକରେ ବହୁତ ଅଟୋ ପାର୍ଟସ୍ ମ୍ୟାନୁଫ୍ୟାକଚରିଂ ଫ୍ୟାକ୍ଟ୍ରି ଅଛି। ସେମାନଙ୍କ ମଧ୍ୟରେ ଟୟୋଟା, ଟିଭିଏସ୍, ବସ୍ ଓ ଏ ସଂପର୍କିତ ଅନେକ ଶିଳ୍ପ ଅଛି।
କୃଷି ଉପକରଣର ଚାହିଦା ଗଭୀର ଭାବେ କୃଷି ଉତ୍ପାଦନ ସହିତ ଜଡ଼ିତ। ନୂଆ ଜିଏସ୍ଟି ଢାଞ୍ଚା ଯୋଗୁଁ ଏହି ସବୁ କୃଷି ଉପକରଣର ଚାହିଦା ବୃଦ୍ଧି ପାଇବାର ଆଶା କରାଯାଉଛି। ଏହା ଉଭୟ କଳକାରଖାନାରେ ନିଯୁକ୍ତି (୫୫୦୦୦ରୁ ଅଧିକ) ଓ ଗ୍ରାମାଞ୍ଚଳର ରୋଜଗାର ବୃଦ୍ଧି କରିବାରେ ସହାୟକ ହେବ। ଶସ୍ତା ମେସିନୀକରଣ ସହିତ ସଶକ୍ତ ମ୍ୟାନୁଫ୍ୟାକଚରିଂ ବ୍ୟବସ୍ଥାକୁ ଯୋଡ଼ି ଏହି ଜିଏସ୍ଟି ସଂସ୍କାର ସାରା କର୍ଣ୍ଣାଟକରେ ଗ୍ରାମାଞ୍ଚଳ ଓ ଶିଳ୍ପବିକାଶର ଏକ ସକରାତ୍ମକ ଚକ୍ର ତିଆରି କରିଛି।
ମ୍ୟାନୁଫ୍ୟାକଚରିଂ ଓ ଶିଳ୍ପ ଅଭିବୃଦ୍ଧି
ପୋଷାକ ଓ ପରିଧାନ
ରେଡିମେଡ୍ ପୋଷାକ (ଆର୍ଏମ୍ଜି) ଓ ଟେକ୍ସଟାଇଲ କ୍ଷେତ୍ର ହେଉଛି କର୍ଣ୍ଣାଟକର ସବୁଠୁ ଅଧିକ ନିଯୁକ୍ତି ପ୍ରଦାନ କରୁଥିବା କ୍ଷେତ୍ର ମଧ୍ୟରୁ ଅନ୍ୟତମ। ଏହା ପ୍ରମୁଖ କେନ୍ଦ୍ର ଅଛି ବେଙ୍ଗଳୁରୁ, ବେଲାରି, ହୁବଲି-ଧାରଓ୍ୱାଡ଼ ଓ ମାଣ୍ଡ୍ୟାରେ। ‘ଭାରତର ପୋଷାକ ରାଜଧାନୀ’ ନାଁରେ ପରିଚିତ ବେଙ୍ଗଳୁରୁରେ ୪୦୦ରୁ ଅଧିକ ପୋଷାକ ୟୁନିଟ ଅଛି। ଟମି ହିଲ୍ଫିଗର, ନାଇକି ଓ ଆଦିଦାସ୍ ପରି ବିଶ୍ୱସ୍ତରୀୟ ବ୍ରାଣ୍ଡର ମୂଳକେନ୍ଦ୍ର ଭାବେ କାମ କରିଥାଏ ବେଙ୍ଗଳୁରୁ।
ଏହି ଉଦ୍ୟୋଗ ପ୍ରାୟ ୬ ଲକ୍ଷ ଲୋକଙ୍କୁ ନିଯୁକ୍ତି ପ୍ରଦାନ କରିଥାଏ ଯାହା ହେଉଛି ଦେଶର ଦ୍ୱିତୀୟ ସର୍ବବୃହତ କପଡ଼ା ନିଯୁକ୍ତିପ୍ରଦାନକାରୀ। ଏଠାରେ କାମ କରୁଥିବା ଅଧିକାଂଶ ଶ୍ରମିକ ହେଉଛନ୍ତି ମହିଳା ଯେଉଁମାନେ କି ଗାଁ ଗହଳିରୁ ଆସିଥାନ୍ତି ଓ ଯାହାର ରୋଜଗାର ଅଧିକ ହୋଇନଥାଏ। ଭାରତର ମୋଟ କପଡ଼ା ଉତ୍ପାଦନର ୨୦ ପ୍ରତିଶତ କର୍ଣ୍ଣାଟକରୁ ହୋଇଥାଏ ଏବଂ ବିଦେଶକୁ ରପ୍ତାନୀ ହେଉଥିବା ମୋଟ କପଡ଼ା ମଧ୍ୟରୁ ୧୧ ପ୍ରତିଶତ କର୍ଣ୍ଣାଟକରୁ ହୋଇଥାଏ। ପ୍ରାୟ ୪ ହଜାର କୋଟି ଟଙ୍କାର ପୋଷାକ ରପ୍ତାନୀ କର୍ଣ୍ଣାଟକରୁ ହୋଇଥାଏ ଏବଂ ସେଥି ମଧ୍ୟରୁ ଅଧିକାଂଶ ଆମେରିକାକୁ ଯାଇଥାଏ।
ନୂଆ ଜିଏସ୍ଟି ବ୍ୟବସ୍ଥା ଅନୁସାରେ ୫ ପ୍ରତିଶତ ଜିଏସ୍ଟି ଲାଗୁଥିବା ଖଣ୍ଡେ ପୋଷାକର ଦାମ୍ ୧୦୦୦ ଟଙ୍କାରୁ ବୃଦ୍ଧି କରାଯାଇ ୨୫୦୦ ଟଙ୍କା କରାଯାଇଛି। ଏହା ଦ୍ୱାରା ଏମ୍ଏସ୍ଏମ୍ଇ ୟୁନିଟକୁ ବହୁତ ଆଶ୍ୱସ୍ତି ମିଳିଛି। ଏହି କର ସଂସ୍କାର ବ୍ୟାପକ ଭାବେ ବିଭିନ୍ନ ସାମଗ୍ରୀ ଉପରେ କର ବୋଝକୁ କମ୍ କରିଛି, ମୂଲ୍ୟ ପ୍ରତିଯୋଗିତାକୁ ବୃଦ୍ଧି କରିଛି ଓ ଘରୋଇ ଉତ୍ପାଦନକାରୀଙ୍କ ନିବେଶ ଖର୍ଚ୍ଚକୁ କମ୍ କରିଛି। ଏହା କର୍ଣ୍ଣାଟକର ରପ୍ତାନୀକାରୀ ପୋଷାକ କ୍ଲଷ୍ଟରକୁ ସୁଦୃଢ଼ କରିବା ସହିତ ମହିଳାଙ୍କ ନିଯୁକ୍ତି ବୃଦ୍ଧି କରିବାର ଆଶା ମଧ୍ୟ କରାଯାଉଛି। ତା ସହିତ ସାରା ରାଜ୍ୟରେ ପୋଷାକ ସଂପର୍କିତ ମୂଲ୍ୟଯୁକ୍ତ ଶୃଙ୍ଖଳାରେ ଚାହିଦା ବୃଦ୍ଧି କରିବ। ଦାବଣଗେରେ ଓ ବେଲଗାଭିର ସୂତାକଟାରୁ ଆରମ୍ଭ କରି ବେଙ୍ଗଳୁରୁ ଓ ବେଲାରିର ପୋଷାକ ଉତ୍ପାଦନରେ ଏହା ଚାହିଦା ବୃଦ୍ଧି କରିବାରେ ସହାୟକ ହେବ।
ଗ୍ରାନାଇଟ୍
କର୍ଣ୍ଣାଟକ ହେଉଛି ଭାରତର ଗ୍ରାନାଇଟ୍ ଉଦ୍ୟୋଗର ଏକ ପ୍ରମୁଖ କେନ୍ଦ୍ର। ରାମନଗର, ଚାମରାଜନଗର, ବେଲାରି, କୋପ୍ପଲ ଓ ରାୟଚୁର ଅଞ୍ଚଳରେ ରହିଛି ଗ୍ରାନାଇଟ ଖନନ ଓ ପ୍ରୋସେସିଂ କ୍ଲଷ୍ଟର। ଖାଦାନ ଶ୍ରମିକ, ମେସିନ ଅପରେଟେର ଓ ଲଜିଷ୍ଟିକ୍ ଶ୍ରମିକଙ୍କୁ ରୋଜଗାର ପ୍ରଦାନ କରିଥାଏ ଏହି କ୍ଷେତ୍ର। ଏଠାରେ କାମ କରୁଥିବା ଅଧିକାଂଶ ଲୋକ ହେଉଛନ୍ତି ଅବହେଳିତ ଓ ଜନଜାତି ସଂପ୍ରଦାୟର।
ସାରା ଭାରତରୁ ଯେତେ ଗ୍ରାନାଇଟ୍ ରପ୍ତାନୀ ହୋଇଥାଏ, ତାର ୩୨ ପ୍ରତିଶତ କେବଳ କର୍ଣ୍ଣାଟକରୁ ରପ୍ତାନୀ ହୋଇଥାଏ। ଅନ୍ତର୍ଜାତୀୟ ଗ୍ରାନାଇଟ ବଜାରରେ କର୍ଣ୍ଣାଟକ ହେଉଛି ଏକ ପ୍ରମୁଖ ପ୍ରତିଯୋଗୀ। କଞ୍ଚାମାଲ ଭାବେ ଭାରତରୁ ରପ୍ତାନୀ ହେଉଥିବା ଗ୍ରାନାଇଟ ମୁଖ୍ୟତଃ ଚୀନକୁ ରପ୍ତାନୀ ହୋଇଥାଏ। ଗ୍ରାନାଇଟ ବ୍ଲକ ଉପରେ ଲାଗୁ ହେଉଥିବା ଜିଏସ୍ଟିକୁ ୧୨ ପ୍ରତିଶତରୁ ୫ ପ୍ରତିଶତ କରାଯିବା ଦ୍ୱାରା ଏହାର ପ୍ରୋସେସିଂ ୟୁନିଟରେ ନିବେଶ ଖର୍ଚ୍ଚ ସିଧାସଳଖ ଭାବେ ୬ରୁ ୭ ପ୍ରତିଶତ କମିଯିବ। ଫଳରେ ଆପେ ଆପେ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗର ଲାଭ ବୃଦ୍ଧି ପାଇବ।
ନିବେଶରେ କମ୍ ଖର୍ଚ୍ଚ ହେବା ଯୋଗୁଁ ବ୍ରାଜିଲ ଓ ନରଓ୍ୱେ ପରି ବିଶ୍ୱର ପ୍ରମୁଖ ଗ୍ରାନାଇଟ ଉତ୍ପାଦନକାରୀ ଦେଶ ସହିତ ଭାରତର ଗ୍ରାନାଇଟ କଡ଼ା ପ୍ରତିଯୋଗିତା କରିପାରିବାର ଆଶା କରାଯାଉଛି। ଏହି ସହିତ କର୍ଣ୍ଣାଟକର ଗ୍ରାନାଇଟ ଖନନ ଅଞ୍ଚଳରେ ଆଧୁନିକ ଯନ୍ତ୍ରପାତି, ସୁରକ୍ଷା ଓ ପରିବେଶ ସୁରକ୍ଷାରେ ଅଧିକ ନିବେଶର ସମ୍ଭାବନା ସୃଷ୍ଟି ହେବାର ଆଶା କରାଯାଉଛି।
ସିମେଣ୍ଟ
କଲବୁର୍ଗି ଓ ବେଲାରି ଅଞ୍ଚଳରେ କେନ୍ଦ୍ରୀଭୂତ ଥିବା କର୍ଣ୍ଣାଟକର ସିମେଣ୍ଟ ଉଦ୍ୟୋଗ ହେଉଛି ଉତ୍ତର କର୍ଣ୍ଣାଟକର ଶିଳ୍ପ ବିକାଶର ଆଧାର। ଏହି ଅଞ୍ଚଳରେ ପ୍ରଚୁର ପରିମାଣରେ ଚୂନ ପଥର ମିଳୁଥିବାରୁ ଏହାର ଫାଇଦା ମିଳୁଛି। ଏହି କ୍ଷେତ୍ରରେ ନିୟୋଜିତ ହୋଇଛନ୍ତି ଇଂଜିନିୟର, ଟେକ୍ନିସିଆନ, ଲଜିଷ୍ଟିକ୍ସ କର୍ମଚାରୀଙ୍କ ପରି ହଜାର ହଜାର କୁଶଳୀ ଓ ଅର୍ଦ୍ଧକୁଶଳୀ କର୍ମଚାରୀ। ଏହା ସହିତ ସିମେଣ୍ଟ ଶିଳ୍ପରେ ଜଡ଼ିତ ଅନେକ ସେବା କ୍ଷେତ୍ରର ବିସ୍ତୃତି ନେଟଓ୍ୱର୍କକୁ ମଧ୍ୟ ଏହା ସହାୟତା ପ୍ରଦାନ କରିଥାଏ।
ଅଲ୍ଟ୍ରାଟେକ୍ ସିମେଣ୍ଟ ଓ ଏସିସି ପରି ପ୍ରମୁଖ କମ୍ପାନୀ ସହିତ କର୍ଣ୍ଣାଟକ ଦକ୍ଷିଣ ଭାରତରେ ନିର୍ମାଣ ଓ ଭିତ୍ତିଭୂମି କ୍ଷେତ୍ରରେ ଚାହିଦା ପୂରଣ କରିବାରେ ଏହା ହେଉଛି ଏକ ପ୍ରମୁଖ ରାଜ୍ୟ। ସିମେଣ୍ଟ ଉପରେ ଜିଏସ୍ଟିକୁ ୨୮ ପ୍ରତିଶତରୁ ୧୮ ପ୍ରତିଶତକୁ ହ୍ରାସ କରିବା ହେଉଛି ଗୁରୁତ୍ୱପୂର୍ଣ୍ଣ ନୀତିଗତ ନିଷ୍ପତ୍ତି ମଧ୍ୟରୁ ଅନ୍ୟତମ। ଏହା ଦ୍ୱାରା ଖୁଚୁରା ଦର ୭-୮ ପ୍ରତିଶତ ହ୍ରାସ ପାଇବାର ସମ୍ଭାବନା ଅଛି।
ସିମେଣ୍ଟ ଶସ୍ତା ହେବା ଦ୍ୱାରା ଆବାସ, ରିଏଲ ଇଷ୍ଟେଟ ଓ ସାର୍ବଜନୀନ ଭିତ୍ତିଭୂମି ଉପରେ ଖର୍ଚ୍ଚ କମିବ। ଫଳରେ ନିର୍ମାଣ ସାମଗ୍ରୀର ଚାହିଦା ବୃଦ୍ଧି ପାଇବ। ନିର୍ମାଣ କାମ ବୃଦ୍ଧି ପାଇବା ଦ୍ୱାରା ଉଭୟ କୁଶଳୀ ଓ ଅଣକୁଶଳୀ ଶ୍ରମିକଙ୍କ ନିଯୁକ୍ତି ବୃଦ୍ଧି ପାଇବାର ସମ୍ଭାବନା ସୃଷ୍ଟି ହୋଇଛି। ଏହା ସାରା କର୍ଣ୍ଣାଟକର ଶିଳ୍ପ ଓ ନିର୍ମାଣ କ୍ଷେତ୍ରରେ ଆର୍ଥିକ ଅଭିବୃଦ୍ଧିକୁ ବହୁଗୁଣିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଆଶା କରାଯାଉଛି।
ଚନ୍ଦନ ଓ ସାବୁନ
ଚନ୍ଦନ ସହିତ କର୍ଣ୍ଣାଟକର ପରମ୍ପରା କାଳକାଳର। କର୍ଣ୍ଣାଟକ ସରକାରଙ୍କ ଅଧୀନରେ ଥିବା କର୍ଣ୍ଣାଟକ ସୋପ୍ସ ଆଣ୍ଡ ଡିଟରଜେଣ୍ଟସ ଲିମିଟେଡ୍ (କେଏସ୍ଡିଏଲ୍) ଦ୍ୱାରା ପ୍ରସ୍ତୁତ ହେଉଥିବା ବିଶ୍ୱ ପ୍ରସିଦ୍ଧ ମହୀଶୂର ସେଣ୍ଡଲ୍ ସାବୁନରେ ନିହିତ ଅଛି ଏହି କାଳଜୟୀ ପରମ୍ପରା। କେବଳ କେଏସ୍ଡିଏଲ୍ର ଐତିହାସିକ ଅଧିକାର ଥିବା ଓ ସାରା କର୍ଣ୍ଣାଟକରେ ମିଳୁଥିବା ଚନ୍ଦନ କାଠର ତେଲରୁ ପ୍ରସ୍ତୁତ ହେଉଥିବା ଏହି ମହୀଶୂର ସେଣ୍ଡଲ୍ ସାବୁନ ବ୍ରାଣ୍ଡ ହେଉଛି କର୍ଣ୍ଣାଟକ କାରିଗରୀ ଓ ଐତିହ୍ୟର ପ୍ରତୀକ।
ଜିଆଇ ମାନ୍ୟତା ପାଇଥିବା ମହୀଶୂର ସେଣ୍ଡଲ୍ ସାବୁନ ହେଉଛି କେଏସ୍ଡିଏଲ୍ର ମୋଟ କାରବାରର ୭୫ ପ୍ରତିଶତ। ଏହା ଉପରେ ଲାଗୁ ହେଉଥିବା ଜିଏସ୍ଟିକୁ ୧୮ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ କରାଯିବା ଦ୍ୱାରା ଏହାର ଖୁଚୁରା ଦର ୧୧-୧୨ ପ୍ରତିଶତ କମିବାର ଆଶା କରାଯାଉଛି। ଏହା ଦ୍ୱାରା ବଡ଼ ବଡ଼ ଏଫ୍ଏମ୍ଜିସି କମ୍ପାନୀର ଦବଦବା ଥିବା ବଜାରରେ ପ୍ରତିଯୋଗିତା ବଢ଼ିବ। ଏହି ସଂସ୍କାର ବିକ୍ରି ବୃଦ୍ଧି କରିବା ସହିତ ଅଧିକ ଲାଭ ପ୍ରଦାନରେ ସହାୟକ ହେବ, ଆଧୁନିକୀକରଣକୁ ସହାୟତା ପ୍ରଦାନ କରିବ, ଉତ୍ପାଦ ବିବିଧକରଣକୁ ପ୍ରୋତ୍ସାହନ ଦେବ ଯାହା ଦ୍ୱାରା ଏହି ପ୍ରତିଷ୍ଠିତ ବ୍ରାଣ୍ଡ ବିଶ୍ୱସ୍ତରରେ କର୍ଣ୍ଣାଟକର ପ୍ରତିନିଧିତ୍ୱକୁ ଜାରି ରଖିବ।
ଡ୍ରୋନ
ବେଙ୍ଗଳୁରୁ ହେଉଛି ଡ୍ରୋନ ନିର୍ମାଣ, ଗବେଷଣା ଓ ବିକାଶ ଏବଂ ସେବା ବ୍ୟବସ୍ଥାରେ ଭାରତର କେନ୍ଦ୍ରସ୍ଥଳ। ଏଠାରେ ପ୍ରତିଷ୍ଠିତ ଏରୋସ୍ପେସ୍ କମ୍ପାନୀ ଓ ଟେକ୍ନୋଲଜି ଷ୍ଟାର୍ଟଅପ୍ର ବହୁତ ବଢ଼ିଆ ନେଟଓ୍ୱର୍କ ଅଛି। ଏହି କ୍ଷେତ୍ର କୁଶଳୀ ଇଂଜିନିୟର, ସପ୍ଟଓ୍ୱେର ଡଭଲପର୍ସ ଓ ଟେକ୍ନିସିଆନକୁ ନିଯୁକ୍ତି ଦେଇ ଉଚ୍ଚମୂଲ୍ୟଯୁକ୍ତ ନବସୃଜନ ଓ ଉଦ୍ୟୋଗିକୀ ବିବିଧକରଣରେ ଯୋଗଦାନ କରିଥାଏ।
କର୍ଣ୍ଣାଟକ ହେଉଛି ଦେଶର ପ୍ରଥମ ରାଜ୍ୟ ଯିଏ କି ଏହି କ୍ଷେତ୍ରରେ ଅଧିକ ନିବେଶର ସମ୍ଭାବନାକୁ ଦେଖି ଏରୋସ୍ପେସ୍ ନୀତି ପ୍ରସ୍ତୁତ କରିଥିଲା। ହିନ୍ଦୁସ୍ତାନ ଏରୋନୋଟିକ୍ସ ଲିମିଟେଡ୍ (ଏଚ୍ଏଏଲ୍) ଓ ଇସ୍ରୋ ପରି ପ୍ରମୁଖ ଗବେଷଣା ଓ ବିକାଶ ଏବଂ ନିର୍ମାଣ ସଂସ୍ଥାନର ଉପସ୍ଥିତି ଡ୍ରୋନ ନବସୃଜନକୁ ସହାୟତା ପ୍ରଦାନ କରିଛି।
ମାନବବିହୀନ ବିମାନ (ଡ୍ରୋନ) ଉପରେ ଜିଏସ୍ଟି ହାର ୧୮/୨୮ ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ କରିବା ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ପ୍ରୋତ୍ସାହନ। ଏହା ଦ୍ୱାରା ଘରୋଇ ସ୍ତରରେ ନିର୍ମତ ହେଉଥିବା ଡ୍ରୋନ ଉପରେ ନିବେଶ ଖର୍ଚ୍ଚ ୧୧-୨୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇବ। ଏହି ପଦକ୍ଷେପ ଦ୍ୱାରା ଆମଦାନୀ କ୍ଷେତ୍ରରେ ହେଉଥିବା ପ୍ରତିଯୋଗିତା ବୃଦ୍ଧି ପାଇବ ଏବଂ କୃଷି, ଲଜିଷ୍ଟିକ୍ସ, ଭିତ୍ତିଭୂମି ତଦାରଖ ଓ ପ୍ରତିରକ୍ଷା ପରି ପ୍ରମୁଖ କ୍ଷେତ୍ରରେ ଏହାକୁ ଦ୍ରୁତ ଗତିରେ ଆପଣେଇବାର ଆଶା କରାଯାଉଛି।
ଏହି ସଂସ୍କାର ଡ୍ରୋନ୍ର ନବସୃଜନ ଓ ମ୍ୟାନୁଫ୍ୟାକଚରିଂର ଏକ ଅଗ୍ରଣୀ କେନ୍ଦ୍ର ଭାବେ କର୍ଣ୍ଣାଟକକୁ ସ୍ଥିତିକୁ ଆହୁରି ମଜଭୁତ କରିଥାଏ। ଏହା ସହିତ ମେକ୍ ଇନ୍ ଇଣ୍ଡିଆ ପରି ଯୋଜନା ସହିତ ତାଳ ଦେଇ ଅଧିକ ନିଯୁକ୍ତି, ଟେକ୍ନୋଲଜିର ବିକାଶକୁ ପ୍ରୋତ୍ସାହନ ଦେଇଥାଏ।
ହସ୍ତଶିଳ୍ପ ଓ ସାଂସ୍କୃତିକ ଅର୍ଥନୀତି
ଇକ୍କଳ ଓ ଉଡୁପୀ ହସ୍ତତନ୍ତ ଶାଢ଼ି
କର୍ଣ୍ଣାଟକର ଲୁଗାବୁଣାର ଐତିହ୍ୟକୁ ସବୁଠୁ ଭଲ ଭାବେ ପ୍ରତିନିଧିତ୍ୱ କରିଥାଏ ଇକ୍କଳ (ବାଗଲକୋଟ) ଓ ଉଡୁପୀର ବିଭିନ୍ନ ସମୂହ ଯେଉଁଠି ପୀଢ଼ି ପରେ ପୀଢ଼ି ହସ୍ତତନ୍ତରେ ଲୁଗା ବୁଣି ଆସୁଛନ୍ତି ପାରମ୍ପରିକ ଲୁଗାବୁଣା କାରିଗର ସମୁଦାୟ। ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ପ୍ରାୟ ୫୫,୦୦୦ ପରିବାର ଏହି କ୍ଷେତ୍ର ଉପରେ ନିର୍ଭର କରନ୍ତି। ସେମାନଙ୍କ ମଧ୍ୟରୁ ଅନେକ ଘରେ ଥିବା ତନ୍ତରେ କିମ୍ୱା ସମବାୟ ସମିତିରେ କାମ କରନ୍ତି। ସେମାନେ ଅନେକ ସମୟରେ ସୂତାର ଦାମ୍ ତଳ ଉପର ହେବା ଓ ପାଓ୍ୱାରଲୁମ୍ର ପ୍ରତିଯୋଗିତା ପରି ଚ୍ୟାଲେଞ୍ଜର ସମ୍ମୁଖୀନ ହୁଅନ୍ତି।
ଉଭୟ ଇକ୍କଳ ଓ ଉଡୁପୀ ଶାଢ଼ୀକୁ ମିଳିଛି ଜିଆଇ ମାନ୍ୟତା । ନିଜର ସ୍ୱତନ୍ତ୍ର ଟୋପେ ଟେନି ଶୈଳୀର ବୁଣା ପାଇଁ ପ୍ରସିଦ୍ଧ ଇକ୍କଳ ଶାଢ଼ି ଯାହାକି ବିଶିଷ୍ଟ ଲାଲ ରେଶମୀ କାନି ସହିତ ଶାଢ଼ିର ଶରୀରକୁ ସଂଯୋଗ କରିଥାଏ। ଆର ପଟେ ଉଡୁପୀ ଶାଢ଼ି ନିଜର ଉତ୍କୃଷ୍ଟ ସୂତା କପଡ଼ା ଓ ପାରମ୍ପରିକ ରୂପାଙ୍କନ ପାଇଁ ବେଶ୍ ପରିଚିତ।
ହସ୍ତତନ୍ତ ଶାଢ଼ି ଉପରେ ଜିଏସ୍ଟିକୁ ୧୨ ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ କରାଯିବା ଦ୍ୱାରା ଏହାର ଦାମ୍ ୬-୭ ପ୍ରତିଶତ କମିବାର ଆଶା କରାଯାଉଛି। ଏହା ଦ୍ୱାରା ମେସିନ ଦ୍ୱାରା ବହୁଳ ଭାବେ ପ୍ରସ୍ତୁତ ହେଉଥିବା ଶାଢ଼ି ସହିତ ପ୍ରତିଯୋଗିତା ବୃଦ୍ଧି ପାଇବ। ଏହି ସଂସ୍କାର ସମବାୟ ସମିତି, ସରକାରୀ ଦୋକାନ, ଘରୋଇ ଖୁଚୁରା ବିକ୍ରେତା ଓ ଅନଲାଇନ୍ ପ୍ଲାଟଫର୍ମ ଜରିଆରେ ବିକ୍ରି ବୃଦ୍ଧି କରିବାରେ ସହାୟକ ହେବ। ଏହା ବୁଣାକାରଙ୍କ ଆୟ ବୃଦ୍ଧି କରିବାରେ ସହାୟକ ହେବ ଓ କର୍ଣ୍ଣାଟକର ଶହ ଶହ ବର୍ଷର ହସ୍ତତନ୍ତ ପରମ୍ପରାକୁ ଜୀବୀତ ରଖିବାର ସାହାଯ୍ୟ କରିବ।
ବିଦରିଓ୍ୱେର
କେବଳ ବିଦର ଅଞ୍ଚଳରେ ଉତ୍ପାଦିତ ହେଉଥିବା ବିଦରିଓ୍ୱେର ହେଉଛି ଭାରତର ଉତ୍କୃଷ୍ଟ ଧାତୁ ହସ୍ତଶିଳ୍ପ ମଧ୍ୟରୁ ଅନ୍ୟତମ। ବିଦର ଦୁର୍ଗର ସ୍ୱତନ୍ତ୍ର ମାଟିର ଦସ୍ତା ଓ ତମ୍ୱାର ମିଶ୍ରଧାତୁରେ ନିର୍ମିତ କଳା ସାମଗ୍ରୀ ଉପରେ ଖାଣ୍ଟି ରୂପା ତାରର ଆକର୍ଷଣୀୟ ଆଚ୍ଛାଦନ କରାଯାଇଥାଏ। ନିଜର ସ୍ୱତନ୍ତ୍ରତା ପାଇଁ ଜିଆଇ ଟ୍ୟାଗ ମିଳିଥିବା ବିଦରଓ୍ୱେର ପାରମ୍ପରିକ କାରିଗର ପରିବାରରେ ପୀଢ଼ି ପୀଢ଼ି ପରେ ଚଳି ଆସିଥିବାର ହସ୍ତଶିଳ୍ପ କଳାର ଜୀବନ୍ତ ପରମ୍ପରାକୁ ପ୍ରଦର୍ଶିତ କରିଥାଏ।
ବିଦର ଅଞ୍ଚଳରେ କୁଶଳୀ ରୋଜଗାର ପ୍ରଦାନରେ ଏହି ଉଦ୍ୟୋଗର ଏକ ପ୍ରମୁଖ ଭୂମିକା ରହିଛି। କିନ୍ତୁ କମ୍ ମଜୁରୀ ମିଳୁଥିବାରୁ ଓ ମେସିନ ଦ୍ୱାରା ନିର୍ମିତ ସାମଗ୍ରୀ ସହିତ ପ୍ରତିଯୋଗିତାର ସମ୍ମୁଖୀନ ହେଉଥିବାରୁ କାରିଗରମାନେ ଆର୍ଥିକ ଭାବେ ଚାପର ସମ୍ମୁଖୀନ ହେଉଛନ୍ତି। ଏସବୁ ସାମଗ୍ରୀ ଉପରେ ଲାଗୁଥିବା ଜିଏସ୍ଟିକୁ ୧୨ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ କରାଯିବା ଦ୍ୱାରା ଦାମରେ ଏହାକୁ ୬-୭ ପ୍ରତିଶତର ଲାଭ ମିଳିବ। ଫଳରେ ଏହି କଳାକୃତି ଉଭୟ ଘରୋଇ ଓ ପର୍ଯ୍ୟଟନ ଆଧାରିତ ରପ୍ତାନୀ ବଜାରରେ ଏହା ଅଧିକ ଶସ୍ତା ଓ ସୁଲଭ ହେବା ସହିତ ପ୍ରତିଯୋଗିତାମୂଳକ ମଧ୍ୟ ହୋଇପାରିବ।
୯୦ରୁ ଅଧିକ ଦେଶକୁ ବିଦରଓ୍ୱେର ସାମଗ୍ରୀ ରପ୍ତାନୀ ହେଉଛି। ତେଣୁ ଏହି ସଂସ୍କାର ଦ୍ୱାରା କାରିଗରମାନେ ଅଧିକ ଉପକୃତ ହେବେ ବୋଲି ଆଶା କରାଯାଉଛି। ଏହା ସହିତ ଏହି ପାରମ୍ପରିକ ହସ୍ତଶିଳ୍ପ ପ୍ରତି ପୁଣି ଥରେ ଲୋକଙ୍କ ଆଗ୍ରହ ସୃଷ୍ଟି ହେବ ଯାହାକି ଶହ ଶହ ବର୍ଷର କର୍ଣ୍ଣାଟକର ପ୍ରାଚୀନ ଧାତୁ କଳାକୌଶଳକୁ ସଂରକ୍ଷିତ ରଖି ରୋଜଗାର ପ୍ରଦାନରେ ସହାୟକ ହେବ।

ମହୀଶୂର ରୋଜ୍ଉଡ୍ ଇନ୍ଲେ
ମହୀଶୂର ଓ ଏହାର ଆଖପାଖ ଅଞ୍ଚଳରେ କୁଶଳୀ ପରିବାର ଆଧାରିତ କାରିଗର ଗୋଷ୍ଠୀ ଦ୍ୱାରା ପ୍ରଚଳିତ ମହୀଶୂର ରୋଜଉଡ୍ ଇନ୍ଲେ ହେଉଛି କର୍ଣ୍ଣାଟକର ରାଜକୀୟ ପରମ୍ପରାର ପରିଚୟ। ୱେଡେୟାର ରାଜବଂଶ ଓ ଟିପୁ ସୁଲତାନ ଦ୍ୱାରା ସଂରକ୍ଷିତ ଏହା ଉତ୍କୃଷ୍ଟ କଳା ରୂପରେ ରଙ୍ଗବେରଙ୍ଗର କାଠ, ମୋତି ଓ ଅନ୍ୟ ପରିବେଶ ଅନୁକୂଳ ସାମଗ୍ରୀ ବ୍ୟବହାର କରି ଶିଶୁ କାଠରେ କାରୁକାର୍ଯ୍ୟପୂର୍ଣ୍ଣ ଆସବାବପତ୍ର ଓ ଉତ୍କୃଷ୍ଟ କଳାକୃତି ପ୍ରସ୍ତୁତ କରିଥାଏ। ଐତିହାସିକ ଭାବେ ଏଥିରେ ଆଗରୁ ହାତୀଦାନ୍ତର ଉପଯୋଗ କରାଯାଉଥିଲା। କିନ୍ତୁ ବର୍ତ୍ତମାନ ଅନ୍ୟ ସ୍ଥାୟୀ ସାମଗ୍ରୀ ବିକଳ୍ପ ଭାବେ ବ୍ୟବହାର ବ୍ୟବହାର କରାଯାଉଛି।
୨୦୦୫ରେ ଜିଆଇ ମାନ୍ୟତା ପାଇଥିବା ଏହି ଶିଳ୍ପ ଆଜି ମଧ୍ୟ ମହୀଶୂରର ସାଂସ୍କୃତିକ ପରିବେଶର ଅଭିନ୍ନ ଅଙ୍ଗ ହୋଇ ରହିଛି। ଏହାର ବିକ୍ରି କାବେରୀ ହସ୍ତଶିଳ୍ପ ଏମ୍ପୋରିୟମ, ଘରୋଇ ଗ୍ୟାଲେରି ଜରିଆରେ ହୋଇଥାଏ। ଆମେରିକା ତଥା ବ୍ରିଟେନକୁ ରପ୍ତାନୀ ହେଉଥିବା ଏହି ସାମଗ୍ରୀ ଅନଲାଇନ୍ ପ୍ଲାଟଫର୍ମ ଜରିଆରେ ମଧ୍ୟ ବିକ୍ରି ହୋଇଥାଏ ଯାହାର ଅନ୍ତର୍ଜାତୀୟ ସ୍ତରରେ ଚାହିଦା ବଢ଼ିବାରେ ଲାଗିଛି।
ଜିଏସ୍ଟି ୧୨ ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ କରାଯିବା ଦ୍ୱାରା ଏସବୁ ସାମଗ୍ରୀର ଦାମ୍ ୬-୭ ପ୍ରତିଶତ କମିବାର ଆଶା କରାଯାଉଛି। ଏହା ଦ୍ୱାରା ଏସବୁ ସାମଗ୍ରୀର ଅଧିକ ଶସ୍ତା ହେବ ଓ ପ୍ରତିଯୋଗିତାରେ ସୁଧାର ଆସିବ। ଉଦାହରଣସ୍ୱରୂପ ୪୦୦୦ ଡଲାରର ରୋଜଉଡ୍ ଡାଇନିଂ ସେଟ୍ ରେ ଏବେ ୨୫୦ ଡଲାର ସଂଚୟ ହେବ। ଏହା ଦ୍ୱାରା କ୍ଷୁଦ୍ର, ଘରୋଇ ଉଦ୍ୟୋଗୀଙ୍କ ଲାଭ ବଢ଼ିବ। ଫଳରେ ଦାମୀ କାଠର କଳାକୃତିର ଅନ୍ତର୍ଜାତୀୟ ମାର୍କେଟରେ ମହୀଶୂରର ସ୍ଥିତି ଆହୁରି ସୁଦୃଢ଼ ହେବ।
ଉପସଂହାର
ଜିଏସ୍ଟି ସଂସ୍କାର ଯୋଗୁଁ ମୋଟାମୋଟି ଭାବେ କର୍ଣ୍ଣାଟକର ବିବିଧ ଅର୍ଥନୀତି ଲାଭାନ୍ୱିତ ହେବ। କଫି ଚାଷୀଙ୍କଠାରୁ ଆରମ୍ଭ କରି ଡାଏରୀ, କାଜୁ ଚାଷୀ, ହସ୍ତଶିଳ୍ପ, ହସ୍ତତନ୍ତର କାରିଗର ଏବଂ ଉଦ୍ୟୋଗ ଓ ଟେକ୍ନୋଲଜିର ବିକାଶକୁ ଗତି ପ୍ରଦାନ କରୁଥିବା ଉଦ୍ୟୋଗୀ ପର୍ଯ୍ୟନ୍ତ ସମସ୍ତେ ଲାଭାନ୍ୱିତ ହେବେ। ନିମ୍ନ କର ହାର ଯୋଗୁଁ ନିବେଶ ଖର୍ଚ୍ଚ କମିବ, ବଜାରରେ ପ୍ରତିଯୋଗିତା ବଢ଼ିବ ଓ ପ୍ରମୁଖ କ୍ଷେତ୍ରରେ ଅଧିକ ମୂଲ୍ୟବର୍ଦ୍ଧକକୁ ପ୍ରୋତ୍ସାହନ ମିଳିବ ଯାହା ଦ୍ୱାରା ଗ୍ରାମାଞ୍ଚଳ ଓ ସହରାଞ୍ଚଳର ଉଭୟ ସମୁଦାୟଙ୍କୁ ଆୟର ସୁଯୋଗ ମିଳିବ।
ପାରମ୍ପରିକ ରୋଜଗାର ସହିତ ଆଧୁନିକ ଶିଳ୍ପ ମଧ୍ୟରେ ସଂପର୍କକୁ ମଜଭୁତ କରି ଏହି ଯୁକ୍ତିଯୁକ୍ତ କର ବ୍ୟବସ୍ଥା ସାମଗ୍ରିକ, ରୋଜଗାର ଅଭିମୁଖୀ ଓ ସ୍ଥାୟୀ ବିକାଶକୁ ପ୍ରୋତ୍ସାହିତ କରିଥାଏ। ଏହି ସଂସ୍କାର ଯୋଗୁଁ ଉତ୍ପାଦନରେ ବୃଦ୍ଧି, ଘରୋଇ ଚାହିଦାକୁ ପ୍ରୋତ୍ସାହନ ମିଳିବା ସହିତ ଭାରତର ସବୁଠୁ ଗତିଶୀଳ ଓ ନବସୃଜନ ପରିଚାଳିତ ରାଜ୍ୟ ଅର୍ଥବ୍ୟବସ୍ଥା ମଧ୍ୟରେ କର୍ଣ୍ଣାଟକର ସ୍ଥିତି ଆହୁରି ମଜଭୁତ ହେବାର ଆଶା କରାଯାଉଛି। …
BSP
(रिलीज़ आईडी: 2182622)
आगंतुक पटल : 13