ରେଳ ମନ୍ତ୍ରଣାଳୟ
ଉଦଘାଟନ ପୂର୍ବରୁ ବୈରବି-ସୈରାଙ୍ଗ ରେଳ ଲାଇନର କ୍ଷେତ୍ରୀୟ ନିରୀକ୍ଷଣ କଲେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ
Posted On:
12 SEP 2025 8:51PM by PIB Bhubaneshwar
- ମିଜୋରାମ ରାଜ୍ୟ ରାଜଧାନୀରୁ ଜାତୀୟ ରାଜଧାନୀକୁ ପ୍ରଥମ ଟ୍ରେନ୍ ଚଳାଚଳ କରିବ
- ପ୍ରଧାନମନ୍ତ୍ରୀ ଆସନ୍ତାକାଲି ବୈରବି-ସୈରାଙ୍ଗ ରେଳ ଲାଇନ ଏବଂ ତିନୋଟି ନୂତନ ଟ୍ରେନକୁ କରିବେ ଉଦଘାଟନ
- ସୈରାଙ୍ଗରୁ ନୂଆଦିଲ୍ଲୀକୁ ସାପ୍ତାହିକ ରାଜଧାନୀ ଏକ୍ସପ୍ରେସ, ସୈରାଙ୍ଗରୁ କୋଲକାତାକୁ ତିନି ସପ୍ତାହକୁ ଥରେ ମିଜୋରାମ ଏକ୍ସପ୍ରେସ ଏବଂ ସୈରଙ୍ଗରୁ ଗୌହାଟିକୁ ଦୈନିକ ଆଇଜଲ ଇଣ୍ଟରସିଟି
- ଆସନ୍ତାକାଲି ପରଦିନ ମାଲବାହୀ ଟ୍ରେନ ସେବା ଆରମ୍ଭ ହେବ, ମିଜୋରାମ ଲୋକଙ୍କ ପାଇଁ ସୁଲଭ ହେବ ବିଭିନ୍ନ ସାମଗ୍ରୀ
କେନ୍ଦ୍ର ରେଳ, ସୂଚନା ଓ ପ୍ରସାରଣ ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ମିଜୋରାମର ସୈରାଙ୍ଗ ରେଳ ଷ୍ଟେସନ ପରିଦର୍ଶନ କରିଛନ୍ତି। ସେ ଉଦଘାଟନ ପୂର୍ବରୁ ବୈରବି-ସୈରାଙ୍ଗ ରେଳ ଲାଇନର ଗୁରୁତ୍ୱ ବିଷୟରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ହିମାଳୟର ଏହି ଅଞ୍ଚଳରେ ଜଟିଳ ଭୌଗଳିକ ସ୍ଥିତି ସମ୍ପର୍କରେ ଉଲ୍ଲେଖ କରି ଶ୍ରୀ ବୈଷ୍ଣବ ନିର୍ମାଣ ସମୟରେ ଦେଖା ଦେଇଥିବା ଅସାଧାରଣ ଆହ୍ୱାନ ବିଷୟରେ ବିସ୍ତୃତ ଭାବରେ ସୂଚନା ଦେଇଥିଲେ। ମନ୍ତ୍ରୀ କହିଥିଲେ, ଜୈବିକ ପଦାର୍ଥ ଏବଂ ବାଲିଆ ମାଟି ଯୋଗୁଁ ନୂଆ ପର୍ବତଗୁଡ଼ିକ ଅସୁବିଧା ସୃଷ୍ଟି କରୁଥିଲେ। ଫଳରେ ଅଭିନବ ସୁଡ଼ଙ୍ଗ ନିର୍ମାଣ ପଦ୍ଧତି ଆବଶ୍ୟକ ହେଉଥିଲା। ତେଣୁ ନିର୍ମାଣକାରୀ ଦଳକୁ ସୁଡ଼ଙ୍ଗ ଏବଂ ସେତୁ ନିର୍ମାଣ କରିବା ପୂର୍ବରୁ ପ୍ରଥମେ ବାଲିକୁ ପଥର ଭଳି ଢାଞ୍ଚାଗତ ଆକାର ଦେବା ବା ଦୃଢ଼ କରିବାକୁ ପଡିଥିଲା।
ବୈରବିରୁ ସୈରାଙ୍ଗ ପର୍ଯ୍ୟନ୍ତ ୫୧ କିଲୋମିଟର ଲମ୍ବ ଅଞ୍ଚଳରେ, ୪୫ଟି ସୁଡ଼ଙ୍ଗ ଏବଂ ୫୫ଟି ପ୍ରମୁଖ ସେତୁ ନିର୍ମାଣ କରାଯାଇଛି । ଯେଉଁଥିରେ କୁତୁବ ମୀନାର ଠାରୁ ଉଚ୍ଚ ଏକ ସେତୁ ଅନ୍ତର୍ଭୁକ୍ତ, ଯାହା ଭାରତର ଇଞ୍ଜିନିୟରିଂ ଦକ୍ଷତାର ପ୍ରତୀକ।
ଏହି ରେଳ ମାର୍ଗର ବ୍ୟାପକ ବିକାଶ ପ୍ରଭାବ ଉପରେ ଆଲୋକପାତ କରି କେନ୍ଦ୍ରମନ୍ତ୍ରୀ ଘୋଷଣା କରିଥିଲେ, ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ବୈରବି-ସୈରାଙ୍ଗ ପ୍ରକଳ୍ପର ଉଦଘାଟନ କରିବେ। ରାଜଧାନୀ ଏକ୍ସପ୍ରେସ ମାଧ୍ୟମରେ ରାଜ୍ୟ ରାଜଧାନୀକୁ ଜାତୀୟ ରାଜଧାନୀ ସହିତ ସଂଯୋଗ କରୁଥିବା ପ୍ରଥମ ଟ୍ରେନ ସେବାକୁ ମଧ୍ୟ ସେ ଶୁଭାରମ୍ଭ କରିବେ। ପ୍ରଧାନମନ୍ତ୍ରୀ ତିନୋଟି ନୂତନ ଟ୍ରେନ ସେବା ମଧ୍ୟ ଆରମ୍ଭ କରିବେ। ସେଗୁଡ଼ିକ ହେଲା : ସୈରାଙ୍ଗରୁ ନୂଆଦିଲ୍ଲୀକୁ ସାପ୍ତାହିକ ରାଜଧାନୀ ଏକ୍ସପ୍ରେସ, ସୈରାଙ୍ଗରୁ କୋଲକାତାକୁ ତିନି ସପ୍ତାହକୁ ଥରେ ମିଜୋରାମ ଏକ୍ସପ୍ରେସ ଏବଂ ସୈରଙ୍ଗରୁ ଗୌହାଟିକୁ ଦୈନିକ ଆଇଜଲ ଇଣ୍ଟରସିଟି ଟ୍ରେନ୍।
କେନ୍ଦ୍ର ମନ୍ତ୍ରୀ ଆହୁରି କହିଥିଲେ, ଆସନ୍ତା ୧୪ ତାରିଖ ଠାରୁ ମାଲବାହୀ ଟ୍ରେନ ଚଳାଚଳ ଆରମ୍ଭ କରିବ। ସେ କହିଛନ୍ତି, ଏହି ଅଞ୍ଚଳର ଲୋକମାନେ ନୂତନ ରେଳ ଲାଇନ ମାଧ୍ୟମରେ ସିମେଣ୍ଟ, ଷ୍ଟିଲ୍ ଏବଂ ଘରୋଇ ସାମଗ୍ରୀ ପରିବହନରୁ ଉପକୃତ ହେବେ, ଯାହା ଏହି ଉତ୍ପାଦଗୁଡ଼ିକୁ ଅଧିକ ସୁଲଭ କରିବ। ମନ୍ତ୍ରୀ ରେଳ ନେଟୱାର୍କ ମାଧ୍ୟମରେ ମିଜୋରାମରୁ ଦେଶର ଅନ୍ୟାନ୍ୟ ସ୍ଥାନକୁ ଜୈବିକ, ତାଜା ପନିପରିବା, ସୁନ୍ଦର ଫୁଲ ଏବଂ ଡ୍ରାଗନ୍ ଫଳ ଭଳି ବିଦେଶୀ ଫଳ ପରିବହନର ସମ୍ଭାବନା ବିଷୟରେ ଆଲୋଚନା କରିଛନ୍ତି। ଏହି ମଡେଲ୍ କାଶ୍ମୀରରୁ ଦିଲ୍ଲୀ ପର୍ଯ୍ୟନ୍ତ ସଫଳ ଆପଲ୍ ପରିବହନ ସେବା ଦ୍ୱାରା ଅନୁପ୍ରାଣିତ, ଯାହାର ଲକ୍ଷ୍ୟ ସ୍ଥାନୀୟ ବ୍ୟବସାୟକୁ ପ୍ରୋତ୍ସାହିତ କରିବା ଏବଂ ଆର୍ଥିକ ସୁଯୋଗ ବୃଦ୍ଧି କରିବା। ମନ୍ତ୍ରୀ କହିଛନ୍ତି ଯେ ଉନ୍ନତ ସଂଯୋଗୀକରଣ ପର୍ଯ୍ୟଟକମାନଙ୍କୁ ଏହି ଅଞ୍ଚଳ ପରିଦର୍ଶନ କରିବାକୁ ସହଜ କରିବ ଏବଂ ଏହା ପୂର୍ବରୁ ବ୍ୟାପକ ପ୍ରଶଂସା ପାଇଛି।
ଶ୍ରୀ ବୈଷ୍ଣବ ଉତ୍ତର-ପୂର୍ବର ରେଳ ବିକାଶ ପାଇଁ ବଜେଟ୍ ଆବଣ୍ଟନରେ ଉଲ୍ଲେଖନୀୟ ବୃଦ୍ଧି ଉପରେ ସମ୍ପର୍କରେ ମଧ୍ୟ ସୂଚନା ଦେଇଥିଲେ ଯାହା ୨୦୧୪ ପୂର୍ବରୁ ବାର୍ଷିକ ପ୍ରାୟ ୨୦୦୦ କୋଟି ଟଙ୍କାରୁ ବୃଦ୍ଧି ପାଇ ବର୍ତ୍ତମାନ ପ୍ରାୟ ୧୦,୦୦୦ କୋଟି ଟଙ୍କା ହୋଇଛି। ସେ ଉଲ୍ଲେଖ କହିଥିଲେ ଯେ, ଏହା ସ୍ଥାନୀୟ ଅଞ୍ଚଳରେ ଭିତ୍ତିଭୂମି ଏବଂ ସଂଯୋଗୀକରଣକୁ ଉନ୍ନତ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୃଢ଼ ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ।
ସମଗ୍ର ପ୍ରକଳ୍ପ ଦଳକୁ ଅଭିନନ୍ଦନ ଜଣାଇ ଶ୍ରୀ ବୈଷ୍ଣବ ରେଳବାଇ ବୋର୍ଡର ଅଧ୍ୟକ୍ଷ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ସତୀଶ କୁମାର; ଉତ୍ତର ପୂର୍ବ ସୀମାନ୍ତ ରେଳବାଇର ମହାପ୍ରବନ୍ଧକ ଶ୍ରୀ ଚେତନ କୁମାର ଶ୍ରୀବାସ୍ତବ ଏବଂ ମହାପ୍ରବନ୍ଧକ (ନିର୍ମାଣ) ଶ୍ରୀ ଅରୁଣ କୁମାର ଚୌଧୁରୀଙ୍କୁ ସେମାନଙ୍କ ସୂକ୍ଷ୍ମ ପ୍ରୟାସ ପାଇଁ ଉଲ୍ଲେଖ କରିଥିଲେ। ଲୋକସଭା ସାଂସଦ ଶ୍ରୀ ରିଚାର୍ଡ ୱନଲାହମଙ୍ଗୈୟା ଏବଂ ରାଜ୍ୟ ସଭା ସାଂସଦ ଶ୍ରୀ କେ. ୱନଲାଲୱେନା ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ।
*****
PS
(Release ID: 2166177)
Visitor Counter : 2