ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ TV9 ଶିଖର ସମ୍ମିଳନୀ 2025କୁ ସମ୍ବୋଧିତ କରୁଛନ୍ତି
प्रविष्टि तिथि:
28 MAR 2025 6:53PM by PIB Bhubaneshwar
- ଆଜି ବିଶ୍ୱର ନଜର ଭାରତ ଉପରେ : ପ୍ରଧାନମନ୍ତ୍ରୀ
- ଭାରତର ଯୁବପିଢ଼ି ଦ୍ରୁତ ଗତିରେ ଦକ୍ଷ ହେଉଛନ୍ତି ଏବଂ ନବସୃଜନକୁ ଆଗକୁ ନେଉଛନ୍ତି : ପ୍ରଧାନମନ୍ତ୍ରୀ
- "ଭାରତ ପ୍ରଥମ" ଦେଶର ବୈଦେଶିକ ନୀତିର ମନ୍ତ୍ର ପାଲଟିଛି : ପ୍ରଧାନମନ୍ତ୍ରୀ
- ଆଜି, ଭାରତ କେବଳ ବିଶ୍ୱ କ୍ରମରେ ଅଂଶଗ୍ରହଣ କରୁନାହିଁ ବରଂ ଭବିଷ୍ୟତକୁ ଗଠନ ଏବଂ ସୁରକ୍ଷିତ କରିବାରେ ମଧ୍ୟ ଯୋଗଦାନ ଦେଉଛି : ପ୍ରଧାନମନ୍ତ୍ରୀ
- ଭାରତ ଏକାଧିକାର ଅପେକ୍ଷା ମାନବତାକୁ ପ୍ରାଥମିକତା ଦେଇଛି : ପ୍ରଧାନମନ୍ତ୍ରୀ
- ଆଜି, ଭାରତ କେବଳ ସ୍ୱପ୍ନର ଦେଶ ନୁହେଁ ବରଂ ଏକ ପ୍ରଦାନକାରୀ ରାଷ୍ଟ୍ର ମଧ୍ୟ : ପ୍ରଧାନମନ୍ତ୍ରୀ
୨୮ ମାର୍ଚ୍ଚ ୨୦୨୫ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମରେ TV9 ଶିଖର ସମ୍ମିଳନୀ ୨୦୨୫ରେ ଅଂଶଗ୍ରହଣ କରିଥିଲେ। ସମାବେଶକୁ ସମ୍ବୋଧିତ କରି ସେ TV9 ର ସମଗ୍ର ଦଳ ଏବଂ ଏହାର ଦର୍ଶକଙ୍କୁ ତାଙ୍କର ଶୁଭେଚ୍ଛା ଜଣାଇଥିଲେ। ସେ କହିଥିଲେ ଯେ , TV9 ର ଏକ ବ୍ୟାପକ ଆଞ୍ଚଳିକ ଦର୍ଶକ ଅଛନ୍ତି ଏବଂ ଏବେ ବିଶ୍ୱବ୍ୟାପୀ ଦର୍ଶକ ମଧ୍ୟ ଏହା ଦେଖିବାକୁ ପ୍ରସ୍ତୁତ ହେଉଛନ୍ତି। ସେ ଏହି କାର୍ଯ୍ୟକ୍ରମରେ ଟେଲିକନଫରେନ୍ସ ମାଧ୍ୟମରେ ଯୋଡ଼ି ହୋଇଥିବା ପ୍ରବାସୀ ଭାରତୀୟଙ୍କୁ ସ୍ୱାଗତ ଏବଂ ଶୁଭେଚ୍ଛା ଜଣାଇଥିଲେ।
"ଆଜି ସାରା ବିଶ୍ୱର ନଜର ଭାରତ ଉପରେ ରହିଛି", ବୋଲି ପ୍ରଧାନମନ୍ତ୍ରୀ କହିବା ସହିତ ଏହା ଊଲ୍ଲେଖ କରିଥିଲେ ଯେ , ସାରା ବିଶ୍ୱର ଲୋକମାନେ ଭାରତ ପ୍ରତି ନିଜର ଆଗ୍ରହ ପ୍ରକାଶ କରୁଛନ୍ତି । ସେ ଉଲ୍ଲେଖ କରିଥିଲେ ଯେ, ସ୍ୱାଧୀନତାର 70 ବର୍ଷ ପରେ ବିଶ୍ୱର 11ତମ ବୃହତ୍ତମ ଅର୍ଥନୀତି ଥିବା ଭାରତ 7 - 8 ବର୍ଷ ମଧ୍ୟରେ 5ମ ବୃହତ୍ତମ ଅର୍ଥନୀତିରେ ପରିଣତ ହୋଇଛି । ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠିର ଏକ ରିପୋର୍ଟକୁ ଉଦ୍ଧୃତ କରି ଶ୍ରୀ ମୋଦୀ କହିଛନ୍ତି ଯେ, ଭାରତ ବିଶ୍ୱର ଏକମାତ୍ର ପ୍ରମୁଖ ଅର୍ଥନୀତି ଯାହା ଗତ 10 ବର୍ଷ ମଧ୍ୟରେ ଏହାର ସମୁଦାୟ ଘରୋଇ ଉତ୍ପାଦକୁ ଦ୍ୱିଗୁଣିତ କରିଛି। ଗତ ଦଶନ୍ଧିରେ ଭାରତ ଏହାର ଅର୍ଥନୀତିରେ ଦୁଇ ଲକ୍ଷ କୋଟି ଡଲାର ଯୋଡ଼ିଛି ବୋଲି ଗୁରୁତ୍ୱାରୋପ କରି କହିଛନ୍ତି ଯେ GDP ଦ୍ୱିଗୁଣିତ କରିବା କେବଳ ସଂଖ୍ୟା ନୁହେଁ ବରଂ 25 କୋଟି ଲୋକଙ୍କୁ ଦାରିଦ୍ର୍ୟରୁ ବାହାର କରି 'ନୂତନ - ମଧ୍ୟମ ବର୍ଗ' ଗଠନ କରିବା ଭଳି ପ୍ରମୁଖ ପ୍ରଭାବ ପକାଇଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ନବ - ମଧ୍ୟମ ବର୍ଗ ସ୍ୱପ୍ନ ଏବଂ ଆକାଂକ୍ଷା ସହିତ ଏକ ନୂତନ ଜୀବନ ଆରମ୍ଭ କରୁଛନ୍ତି ଏବଂ ଅର୍ଥନୀତିରେ ଅବଦାନ ଦେଉଛନ୍ତି ଏବଂ ଏହାକୁ ସ୍ପନ୍ଦନଶୀଳ କରୁଛନ୍ତି। ପ୍ରଧାନମନ୍ତ୍ରୀ ଉଦବୋଧନ ଦେଇ କହିଥିଲେ ଯେ, "ଭାରତରେ ବିଶ୍ୱର ସର୍ବାଧିକ ଯୁବ ଜନସଂଖ୍ୟା ଅଛି"। ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ, ଯୁବପିଢ଼ି ଦ୍ରୁତ ଗତିରେ ଦକ୍ଷ ହେଉଛନ୍ତି, ଯାହା ଦ୍ୱାରା ନବସୃଜନ ତ୍ୱରାନ୍ୱିତ ହେଉଛି। " ଦେଶ ପ୍ରଥମ ଭାରତର ବୈଦେଶିକ ନୀତିର ମନ୍ତ୍ର ପାଲଟିଛି" ବୋଲି ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ। ସେ ମନ୍ତବ୍ୟ ଦେଇଥିଲେ ଯେ, ଭାରତ ପୂର୍ବରୁ ସମସ୍ତ ରାଷ୍ଟ୍ରଠାରୁ ସମାନ ଦୂରତା ବଜାୟ ରଖିବା ନୀତି ଅନୁସରଣ କରୁଥିବା ବେଳେ, ବର୍ତ୍ତମାନର ଆଭିମୁଖ୍ୟ ସମସ୍ତଙ୍କ ସହିତ ସମାନ ଭାବରେ ନିକଟତର ହେବା ଉପରେ ଗୁରୁତ୍ୱ ଦିଏ, ଯାହା ହେଉଛି ଏକ "ସମାନତା - ନିକଟତା" ନୀତି । ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ, ବିଶ୍ୱ ସମ୍ପ୍ରଦାୟ ଏବେ ଭାରତର ମତାମତ, ନବସୃଜନ ଏବଂ ପ୍ରୟାସକୁ ପୂର୍ବ ସମୟ ତୁଳନାରେ ଅଧିକ ମୂଲ୍ୟ ଦେଉଛି । ସେ ଗୁରୁତ୍ୱାରୋପ କରିଥିଲେ ଯେ, ବିଶ୍ୱ ଆଜି ଭାରତକୁ ଗଭୀର ଭାବେ ନିରୀକ୍ଷଣ କରୁଛି ଏବଂ "ଭାରତ ଆଜି କ'ଣ ଚିନ୍ତା କରୁଛି" ତାହା ବୁଝିବା ପାଇଁ ଆଗ୍ରହୀ।
ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ ଯେ, ଭାରତ କେବଳ ବିଶ୍ୱ ବ୍ୟବସ୍ଥାରେ ଅଂଶଗ୍ରହଣ କରୁନାହିଁ ବରଂ ଭବିଷ୍ୟତକୁ ଗଠନ ଏବଂ ସୁରକ୍ଷିତ କରିବାରେ ସକ୍ରିୟ ଭାବରେ ଯୋଗଦାନ ଦେଉଛି। ସେ ବିଶ୍ୱ ସୁରକ୍ଷାରେ, ବିଶେଷ କରି କୋଭିଡ - 19 ମହାମାରୀ ସମୟରେ, ଭାରତର ଗୁରୁତ୍ୱପୂର୍ଣ୍ଣ ଭୂମିକା ବିଷୟରେ ମତ ଦେଇଥିଲେ । ସନ୍ଦେହକୁ ଖାତିର ନକରି, ଭାରତ ନିଜର ଟୀକା ବିକଶିତ କରିଛି, ଦ୍ରୁତ ଟୀକାକରଣ ସୁନିଶ୍ଚିତ କରିଛି ଏବଂ 150 ରୁ ଅଧିକ ଦେଶକୁ ଔଷଧ ଯୋଗାଇଛି ବୋଲି ସେ ଗୁରୁତ୍ୱାରୋପ କରିଥିଲେ। ସେ ଉଲ୍ଲେଖ କରିଥିଲେ ଯେ ବିଶ୍ୱ ସଙ୍କଟ ସମୟରେ, ଭାରତର ସେବା ଏବଂ କରୁଣାର ମୂଲ୍ୟବୋଧ ବିଶ୍ୱବ୍ୟାପୀ ପ୍ରତିଧ୍ୱନିତ ହୋଇଥିଲା, ଯାହା ଏହାର ସଂସ୍କୃତି ଏବଂ ପରମ୍ପରାର ସାରକୁ ପ୍ରଦର୍ଶନ କରିଥିଲା।
ଦ୍ୱିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ବିଶ୍ୱ ସନ୍ଦର୍ଭ ଉପରେ ପ୍ରତିଫଳିତ କରି, ଅଧିକାଂଶ ଅନ୍ତର୍ଜାତୀୟ ସଂଗଠନ କିପରି କିଛି ରାଷ୍ଟ୍ର ଦ୍ୱାରା ପ୍ରାଧାନ୍ୟ ପାଇଥିଲେ ତାହା ଉଲ୍ଲେଖ କରି, ଶ୍ରୀ ମୋଦୀ ମନ୍ତବ୍ୟ ଦେଇଥିଲେ ଯେ, ଭାରତର ଆଭିମୁଖ୍ୟ ସର୍ବଦା ଏକାଧିକାର ଅପେକ୍ଷା ମାନବତାକୁ ପ୍ରାଥମିକତା ଦେଇଆସିଛି, ଏକ ଅନ୍ତର୍ଭୁକ୍ତିମୂଳକ ଏବଂ ଅଂଶଗ୍ରହଣକାରୀ ବିଶ୍ୱ କ୍ରମ ପାଇଁ ପ୍ରୟାସ କରୁଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ , ଏହି ଦୃଷ୍ଟିକୋଣ ସହିତ, ଭାରତ ଏକବିଂଶ ଶତାବ୍ଦୀ ପାଇଁ ବିଶ୍ୱସ୍ତରୀୟ ପ୍ରତିଷ୍ଠାନ ଗଠନ କରିବା କ୍ଷେତ୍ରରେ ନେତୃତ୍ୱ ନେଇଛି, ସାମୂହିକ ଅବଦାନ ଏବଂ ସହଯୋଗ ସୁନିଶ୍ଚିତ କରୁଛି। ଶ୍ରୀ ମୋଦୀ ମନ୍ତବ୍ୟ ଦେଇଥିଲେ ଯେ, ବିଶ୍ୱବ୍ୟାପୀ ଭିତ୍ତିଭୂମିକୁ ପ୍ରଚୁର କ୍ଷତି ପହଞ୍ଚାଉଥିବା ପ୍ରାକୃତିକ ବିପର୍ଯ୍ୟୟର ଚ୍ୟାଲେଞ୍ଜକୁ ମୁକାବିଲା କରି ଭାରତ ବିପର୍ଯ୍ୟୟ ପ୍ରତିରୋଧୀ ଭିତ୍ତିଭୂମି (CDRI) ପ୍ରତିଷ୍ଠା ପାଇଁ ପଦକ୍ଷେପ ନେଇଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ CDRI ବିପର୍ଯ୍ୟୟ ପ୍ରସ୍ତୁତି ଏବଂ ସ୍ଥିରତାକୁ ସୁଦୃଢ଼ କରିବା ପାଇଁ ଏକ ବିଶ୍ୱବ୍ୟାପୀ ପ୍ରତିବଦ୍ଧତାକୁ ପ୍ରତିନିଧିତ୍ୱ କରେ। ପ୍ରଧାନମନ୍ତ୍ରୀ ସେତୁ, ରାସ୍ତା, କୋଠା ଏବଂ ବିଦ୍ୟୁତ ଗ୍ରୀଡ୍ ସମେତ ବିପର୍ଯ୍ୟୟ ପ୍ରତିରୋଧୀ ଭିତ୍ତିଭୂମି ନିର୍ମାଣକୁ ପ୍ରୋତ୍ସାହିତ କରିବା ପାଇଁ ଭାରତର ପ୍ରୟାସ ଉପରେ ମଧ୍ୟ ଆଲୋକପାତ କରିଥିଲେ, ଯାହା ନିଶ୍ଚିତ କରିବ ଯେ, ସେମାନେ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିପାରିବେ ଏବଂ ବିଶ୍ୱବ୍ୟାପୀ ସମ୍ପ୍ରଦାୟଗୁଡ଼ିକୁ ସୁରକ୍ଷା ଦେଇପାରିବେ।
ଭବିଷ୍ୟତର ଆହ୍ଵାନଗୁଡିକ, ବିଶେଷ କରି ଶକ୍ତି ସମ୍ପଦ କ୍ଷେତ୍ରରେ, ମୁକାବିଲା କରିବା ପାଇଁ ବିଶ୍ୱସ୍ତରୀୟ ସହଯୋଗର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି ଶ୍ରୀ ମୋଦୀ ଭାରତର ଆନ୍ତର୍ଜାତୀୟ ସୌର ମେଣ୍ଟ (ଆଇଏସଏ) ପଦକ୍ଷେପକୁ କ୍ଷୁଦ୍ରତମ ରାଷ୍ଟ୍ରଗୁଡ଼ିକ ପାଇଁ ସ୍ଥାୟୀ ଶକ୍ତି ଉପଲବ୍ଧତା ସୁନିଶ୍ଚିତ କରିବା ଲାଗି ଏକ ସମାଧାନ ଭାବରେ ଉଲ୍ଲେଖ କରିଥିଲେ। ସେ ମନ୍ତବ୍ୟ ଦେଇଥିଲେ ଯେ, ଏହି ପ୍ରୟାସ କେବଳ ଜଳବାୟୁ ଉପରେ ସକାରାତ୍ମକ ପ୍ରଭାବ ପକାଇଥାଏ ତାହା ନୁହେଁ , ବରଂ ବିଶ୍ୱ ଦକ୍ଷିଣ ଦେଶଗୁଡ଼ିକର ଶକ୍ତି ଆବଶ୍ୟକତାକୁ ମଧ୍ୟ ସୁରକ୍ଷିତ କରିଥାଏ। ସେ ଗର୍ବର ସହିତ ଉଲ୍ଲେଖ କରିଥିଲେ ଯେ 100 ରୁ ଅଧିକ ଦେଶ ଏହି ପ୍ରୟାସରେ ଯୋଗ ଦେଇଛନ୍ତି। ବାଣିଜ୍ୟ ଅସନ୍ତୁଳନ ଏବଂ ଲଜିଷ୍ଟିକ୍ସ ସମସ୍ୟାର ବିଶ୍ୱସ୍ତରୀୟ ଆହ୍ଵାନ ବିଷୟରେ ଆଲୋଚନା କରି ଶ୍ରୀ ମୋଦୀ ଭାରତ – ମଧ୍ୟପ୍ରାଚ୍ୟ - ୟୁରୋପ ଅର୍ଥନୈତିକ କରିଡର (ଆଇଏମଇସି) ସମେତ ନୂତନ ପଦକ୍ଷେପ ଆରମ୍ଭ କରିବା ପାଇଁ ବିଶ୍ୱ ସହିତ ଭାରତର ସହଯୋଗ ପ୍ରୟାସ ଉପରେ ଆଲୋକପାତ କରିଥିଲେ। ସେ ମନ୍ତବ୍ୟ ଦେଇଥିଲେ ଯେ ଏହି ପ୍ରକଳ୍ପ ବାଣିଜ୍ୟ ଏବଂ ସଂଯୋଗୀକରଣ ମାଧ୍ୟମରେ ଏସିଆ, ୟୁରୋପ ଏବଂ ମଧ୍ୟପ୍ରାଚ୍ୟକୁ ସଂଯୋଗ କରିବ, ଆର୍ଥିକ ସୁଯୋଗ ବୃଦ୍ଧି କରିବ ଏବଂ ବିକଳ୍ପ ବାଣିଜ୍ୟ ମାର୍ଗ ପ୍ରଦାନ କରିବ। ସେ ଗୁରୁତ୍ୱାରୋପ କରିଥିଲେ ଯେ ଏହି ପଦକ୍ଷେପ ବିଶ୍ୱ ଯୋଗାଣ ଶୃଙ୍ଖଳକୁ ମଜବୁତ କରିବ।
ବିଶ୍ୱ ବ୍ୟବସ୍ଥାକୁ ଅଧିକ ସହଭାଗୀ ଏବଂ ଗଣତାନ୍ତ୍ରିକ କରିବା ପାଇଁ ଭାରତର ପ୍ରୟାସ ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ ଭାରତ ମଣ୍ଡପମରେ ଅନୁଷ୍ଠିତ G -20 ଶିଖର ସମ୍ମିଳନୀରେ ନିଆଯାଇଥିବା ଐତିହାସିକ ପଦକ୍ଷେପ ଉପରେ ମତବ୍ୟକ୍ତ କରିଥିଲେ, ଯେଉଁଠାରେ ଆଫ୍ରିକୀୟ ସଂଘକୁ G -20ର ସ୍ଥାୟୀ ସଦସ୍ୟ କରାଯାଇଥିଲା। ସେ ଗୁରୁତ୍ୱାରୋପ କରିଥିଲେ ଯେ ଏହି ଦୀର୍ଘକାଳୀନ ଦାବି ଭାରତର ଅଧ୍ୟକ୍ଷତାରେ ପୂରଣ ହୋଇଛି। ଶ୍ରୀ ମୋଦୀ ବିଶ୍ୱ ନିଷ୍ପତ୍ତି ଗ୍ରହଣକାରୀ ପ୍ରତିଷ୍ଠାନରେ ବିଶ୍ୱ ଦକ୍ଷିଣ ଦେଶଗୁଡ଼ିକର ସ୍ୱର ଭାବରେ ଭାରତର ଭୂମିକାକୁ ଗୁରୁତ୍ୱାରୋପ କରିଥିଲେ, ଅନ୍ତର୍ଜାତୀୟ ଯୋଗ ଦିବସ, WHO ଗ୍ଲୋବାଲ୍ ସେଣ୍ଟର ଫର ପାରମ୍ପରିକ ମେଡିସିନ୍ ଏବଂ କୃତ୍ରିମ ବୁଦ୍ଧିମତ୍ତା ପାଇଁ ଏକ ବିଶ୍ୱ ଢାଞ୍ଚାର ବିକାଶ ସମେତ ବିଭିନ୍ନ କ୍ଷେତ୍ରରେ ଭାରତର ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ଉଲ୍ଲେଖ କରିଥିଲେ। ସେ କହିଥିଲେ ଯେ ଏହି ପ୍ରୟାସଗୁଡ଼ିକ ନୂତନ ବିଶ୍ୱ କ୍ରମରେ ଭାରତର ଦୃଢ଼ ଉପସ୍ଥିତିକୁ ପ୍ରତିଷ୍ଠିତ କରିଛି। "ଏହା କେବଳ ଆରମ୍ଭ, କାରଣ ବିଶ୍ୱ ପ୍ଲାଟଫର୍ମରେ ଭାରତର କ୍ଷମତା ନୂତନ ଉଚ୍ଚତାରେ ପହଞ୍ଚିବାରେ ଲାଗିଛି", ବୋଲି ସେ ଆହୁରି ମଧ୍ୟ କହିଛନ୍ତି।
ଏକବିଂଶ ଶତାବ୍ଦୀର 25 ବର୍ଷ ବିତିଯାଇଛି, ଯେଉଁଥିରୁ 11 ବର୍ଷ ତାଙ୍କ ସରକାର ଦେଶ ସେବା ପାଇଁ ଉତ୍ସର୍ଗୀକୃତ ହୋଇଛି ବୋଲି ଉଲ୍ଲେଖ କରି, ଶ୍ରୀ ମୋଦୀ କହିଛନ୍ତି ଯେ "ଆଜି ଭାରତ କ'ଣ ଚିନ୍ତା କରେ" ବୁଝିବା ପାଇଁ ଅତୀତର ପ୍ରଶ୍ନ ଏବଂ ଉତ୍ତର ଉପରେ ଚିନ୍ତନ କରିବାର ମହତ୍ୱ ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ସେ ନିର୍ଭରଶୀଳତାରୁ ଆତ୍ମନିର୍ଭରଶୀଳତା, ସଫଳତାର ଆକାଂକ୍ଷା ଏବଂ ବିକାଶର ନିରାଶା ଉପରେ ଆଲୋକପାତ କରିଥିଲେ। ସେ ମନେ ପକାଇଥିଲେ ଯେ, ଏକ ଦଶନ୍ଧି ପୂର୍ବେ, ଗାଁରେ ଶୌଚାଳୟ ସମସ୍ୟା କାରଣରୁ ମହିଳାମାନଙ୍କ ପାଖରେ ସୀମିତ ବିକଳ୍ପ ରହିଥିଲା, କିନ୍ତୁ ଆଜି, ସ୍ୱଚ୍ଛ ଭାରତ ମିଶନ ଏକ ସମାଧାନ ପ୍ରଦାନ କରିଛି। ସେ ଉଲ୍ଲେଖ କରିଛନ୍ତି ଯେ 2013 ରେ, ସ୍ୱାସ୍ଥ୍ୟସେବା ବିଷୟରେ ଆଲୋଚନା ହେବା ବେଳେ ମହଙ୍ଗା ଚିକିତ୍ସା ଉପରେ ହିଁ ଆଲୋଚନା ହେଉଥିଲା, କିନ୍ତୁ ଆଜି, ଆୟୁଷ୍ମାନ ଭାରତ ଏକ ସମାଧାନ ପ୍ରଦାନ କରେ। ସେହିପରି, ସେ ଉଲ୍ଲେଖ କରିଛନ୍ତି ଯେ ଗରିବ ଲୋକଙ୍କ ରୋଷେଇ ଘର, ଯେଉଁଠାରେ ପୂର୍ବରୁ ଧୂଆଁ ଭଳି ସମସ୍ୟା ରହିଥିଲା, ଏବେ ଉଜ୍ଜ୍ୱଳା ଯୋଜନାରୁ ଉପକୃତ ହେଉଛି। ପ୍ରଧାନମନ୍ତ୍ରୀ ଦର୍ଶାଇଥିଲେ ଯେ 2013 ମସିହାରେ, ବ୍ୟାଙ୍କ ଆକାଉଣ୍ଟ ବିଷୟରେ ଯେତେବେଳେ ମହିଳାମାନଙ୍କୁ ପଚରାଯାଉଥିଲା, ପ୍ରାୟତଃ ନୀରବ ରହୁଥିଲେ, କିନ୍ତୁ ଆଜି, ଜନଧନ ଯୋଜନା ଯୋଗୁଁ 30 କୋଟିରୁ ଅଧିକ ମହିଳାଙ୍କ ନିଜସ୍ୱ ଆକାଉଣ୍ଟ ଅଛି। ସେ ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ , ପାନୀୟ ଜଳ ପାଇଁ ସଂଘର୍ଷ, ଯାହା ପୂର୍ବରୁ କୂପ ଏବଂ ପୋଖରୀ ଉପରେ ନିର୍ଭରଶୀଳ ଥିଲା, ତାହାକୁ ହର ଘର ନଳ ସେ ଜଳ ଯୋଜନା ମାଧ୍ୟମରେ ସମାଧାନ କରାଯାଇଛି। ସେ ଗୁରୁତ୍ୱାରୋପ କରିଥିଲେ ଯେ କେବଳ ଦଶନ୍ଧି ପରିବର୍ତିତ ହୋଇନାହିଁ, ବରଂ ଲୋକଙ୍କ ଜୀବନ ମଧ୍ୟ ପରିବର୍ତ୍ତନ ହୋଇଛି । ସେ ମନ୍ତବ୍ୟ ଦେଇଥିଲେ ଯେ ବିଶ୍ୱ ଭାରତର ବିକାଶ ମଡେଲକୁ ଜାଣିଛି ଏବଂ ଗ୍ରହଣ କରୁଛି। "ଭାରତ ଆଉ କେବଳ 'ସ୍ୱପ୍ନର ରାଷ୍ଟ୍ର' ନୁହେଁ ବରଂ 'ଉଦ୍ଧାରକାରୀ ରାଷ୍ଟ୍ର'" ବୋଲି ସେ ଆହୁରି ମଧ୍ୟ କହିଛନ୍ତି।
ଶ୍ରୀ ମୋଦୀ କହିଥିଲେ ଯେ, ଯେତେବେଳେ ଏକ ଦେଶ ତାର ନାଗରିକଙ୍କ ସୁବିଧା ଏବଂ ସମୟକୁ ମୂଲ୍ୟ ଦିଏ, ତାହା ଦେଶର ଗତିପଥକୁ ପରିବର୍ତ୍ତନ କରିଥାଏ। ସେ ଏହା ଉପରେ ଆଲୋକପାତ କରିଥିଲେ ଯେ, ଆଜି ଭାରତ ଏହା ଅନୁଭବ କରୁଛି। ସେ ପାସପୋର୍ଟ ଆବେଦନ ପ୍ରକ୍ରିୟାରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନର ଏକ ଉଦାହରଣ ପ୍ରଦାନ କରିଥିଲେ। ସେ ଉଲ୍ଲେଖ କରିଥିଲେ ଯେ ପୂର୍ବରୁ, ପାସପୋର୍ଟ ପାଇବା ଏକ କଷ୍ଟକର କାର୍ଯ୍ୟ ଥିଲା, ଯେଉଁଥିରେ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡୁଥିଲା, ଜଟିଳ ଡକ୍ୟୁମେଣ୍ଟେସନ୍ ଏବଂ ସୀମିତ ପାସପୋର୍ଟ କେନ୍ଦ୍ର ଅନ୍ତର୍ଭୁକ୍ତ ଥିଲା , ଯାହା ମୁଖ୍ୟତଃ ରାଜ୍ୟ ରାଜଧାନୀରେ ଅବସ୍ଥିତ। ସେ ଗୁରୁତ୍ୱାରୋପ କରିଥିଲେ ଯେ, ଛୋଟ ସହରରୁ ଲୋକମାନେ ପ୍ରାୟତଃ ଏହି ପ୍ରକ୍ରିୟା ସମାପ୍ତ କରିବା ପାଇଁ ରାତ୍ରୀଯାପନ ବ୍ୟବସ୍ଥା କରିବାକୁ ପଡୁଥିଲା। ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ ଯେ, ଏହି ଆହ୍ଵାନଗୁଡ଼ିକ ବର୍ତ୍ତମାନ ସମ୍ପୂର୍ଣ୍ଣ ରୂପାନ୍ତରିତ ହୋଇଛି। ସେ କହିଛନ୍ତି ଯେ ଦେଶରେ ପାସପୋର୍ଟ ସେବା କେନ୍ଦ୍ର ସଂଖ୍ୟା ମାତ୍ର 77 ରୁ ବୃଦ୍ଧି ପାଇ 550 ରୁ ଅଧିକ ହୋଇଛି। ଏହା ସହିତ, ସେ ମନ୍ତବ୍ୟ ଦେଇଥିଲେ ଯେ , ପାସପୋର୍ଟ ପାଇବା ପାଇଁ ଅପେକ୍ଷା ସମୟ, ଯାହା ପୂର୍ବରୁ 50 ଦିନ ଥିଲା, ଏବେ ମାତ୍ର 5 - 6 ଦିନକୁ ହ୍ରାସ ପାଇଛି।
ଭାରତର ବ୍ୟାଙ୍କିଙ୍ଗ ଭିତ୍ତିଭୂମିରେ ଦେଖାଯାଇଥିବା ପରିବର୍ତ୍ତନ ବିଷୟରେ ମତ ଦେଇ ଶ୍ରୀ ମୋଦୀ ଆଲୋକପାତ କରିଥିଲେ ଯେ 50 - 60 ବର୍ଷ ପୂର୍ବେ ବ୍ୟାଙ୍କଗୁଡ଼ିକୁ ସୁଗମ ବ୍ୟାଙ୍କିଙ୍ଗ ସେବା ପ୍ରଦାନ କରିବାର ପ୍ରତିଶ୍ରୁତି ସହିତ ଜାତୀୟକରଣ କରାଯାଇଥିଲା, ତଥାପି ଲକ୍ଷ ଲକ୍ଷ ଗାଁରେ ଏହି ସୁବିଧାର ଅଭାବ ଥିଲା। ସେ ଜୋର ଦେଇ କହିଥିଲେ ଯେ , ଏହି ପରିସ୍ଥିତିରେ ଏବେ ପରିବର୍ତ୍ତନ ହୋଇଛି। ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ, ଅନଲାଇନ୍ ବ୍ୟାଙ୍କିଙ୍ଗ ପ୍ରତ୍ୟେକ ଘରେ ପହଞ୍ଚିଛି ଏବଂ ଆଜି ଦେଶର ପ୍ରତ୍ୟେକ ୫ କିଲୋମିଟର ପରିଧି ମଧ୍ୟରେ ଏକ ବ୍ୟାଙ୍କିଙ୍ଗ ଯୋଗାଯୋଗ ପଏଂଟ ରହିଛି। ସେ କହିଥିଲେ ଯେ, ସରକାର କେବଳ ବ୍ୟାଙ୍କିଙ୍ଗ ଭିତ୍ତିଭୂମିକୁ ବିସ୍ତାର କରିନାହାଁନ୍ତି ବରଂ ବ୍ୟାଙ୍କିଙ୍ଗ ବ୍ୟବସ୍ଥାକୁ ମଧ୍ୟ ମଜବୁତ କରିଛନ୍ତି । ସେ ଉଲ୍ଲେଖ କରିଥିଲେ ଯେ ବ୍ୟାଙ୍କଗୁଡ଼ିକର ଅଣକାର୍ଯ୍ୟକ୍ଷମ ସମ୍ପତ୍ତି (NPA) ବହୁ ପରିମାଣରେ ହ୍ରାସ ପାଇଛି ଏବଂ ସେମାନଙ୍କର ଲାଭ 1.4 ଲକ୍ଷ କୋଟି ଟଙ୍କାର ରେକର୍ଡ ସ୍ତରରେ ପହଞ୍ଚିଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଯେଉଁମାନେ ସାଧାରଣ ଟଙ୍କା ଲୁଟ କରିଥିଲେ ସେମାନଙ୍କୁ ଏବେ ଧରାଯାଉଛି, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) 22,000 କୋଟି ଟଙ୍କାରୁ ଅଧିକ ଟଙ୍କା ଆଦାୟ କରିଛି, ଯାହା ଆଇନଗତ ଭାବରେ ପୀଡିତମାନଙ୍କୁ ଫେରସ୍ତ କରାଯାଉଛି ଯେଉଁମାନଙ୍କ ଠାରୁ ଏହା ନିଆଯାଇଥିଲା।
ଦକ୍ଷତା ପ୍ରଭାବଶାଳୀ ଶାସନ ଦିଗରେ ଆଗେଇ ନେଇଥାଏ ବୋଲି ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କମ ସମୟରେ ଅଧିକ ହାସଲ କରିବା, କମ ସମ୍ବଳ ବ୍ୟବହାର କରିବା ଏବଂ ଅନାବଶ୍ୟକ ଖର୍ଚ୍ଚ ଏଡାଇବାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ସେ ମନ୍ତବ୍ୟ ଦେଇଥିଲେ ଯେ "ଲାଲ ଫିତା ଉପରେ ଲାଲ କାର୍ପେଟ"କୁ ପ୍ରାଥମିକତା ଦେବା ଏକ ରାଷ୍ଟ୍ରର ସମ୍ବଳ ପ୍ରତି ସମ୍ମାନକୁ ପ୍ରତିଫଳିତ କରେ। ସେ ଉଲ୍ଲେଖ କରିଥିଲେ ଯେ ଗତ 11 ବର୍ଷ ଧରି ଏହା ତାଙ୍କ ସରକାରଙ୍କର ଏକ ପ୍ରମୁଖ ପ୍ରାଥମିକତା ହୋଇଆସିଛି।
ମନ୍ତ୍ରଣାଳୟମାନଙ୍କରେ ଅଧିକ ବ୍ୟକ୍ତିଙ୍କୁ ସ୍ଥାନ ଦେବାର ପୂର୍ବ ଅଭ୍ୟାସ ବିଷୟରେ ଉଲ୍ଲେଖ କରି ଶ୍ରୀ ମୋଦୀ ଆଲୋକପାତ କରିଥିଲେ, ଯାହା ପ୍ରାୟତଃ ଅଦକ୍ଷତା ସୃଷ୍ଟି କରିଥିଲା। ତାଙ୍କ ସରକାର ତାଙ୍କ ପ୍ରଥମ କାର୍ଯ୍ୟକାଳରେ ରାଜନୈତିକ ବାଧ୍ୟବାଧକତା ଅପେକ୍ଷା ଦେଶର ସମ୍ବଳ ଏବଂ ଆବଶ୍ୟକତାକୁ ପ୍ରାଥମିକତା ଦେବା ପାଇଁ ଅନେକ ମନ୍ତ୍ରଣାଳୟକୁ ମିଶ୍ରଣ କରିଥିଲେ। ସେ ଉଦାହରଣ ପ୍ରଦାନ କରି ଉଲ୍ଲେଖ କରିଥିଲେ ଯେ ନଗର ଉନ୍ନୟନ ମନ୍ତ୍ରଣାଳୟ ଏବଂ ଗୃହ ଏବଂ ନଗର ଦାରିଦ୍ର୍ୟ ଦୂରୀକରଣ ମନ୍ତ୍ରଣାଳୟକୁ ମିଶ୍ରଣ କରି ଗୃହ ଏବଂ ନଗର ବ୍ୟାପାର ମନ୍ତ୍ରଣାଳୟ ଗଠନ କରାଯାଇଥିଲା। ସେହିପରି, ପ୍ରବାସୀ ବ୍ୟାପାର ମନ୍ତ୍ରଣାଳୟକୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସହିତ ସମନ୍ୱିତ କରାଯାଇଥିଲା। ଜଳ ଶକ୍ତି ମନ୍ତ୍ରଣାଳୟ ସୃଷ୍ଟି କରିବା ପାଇଁ ଜଳ ସମ୍ପଦ ଏବଂ ନଦୀ ବିକାଶ ମନ୍ତ୍ରଣାଳୟକୁ ପାନୀୟ ଜଳ ମନ୍ତ୍ରଣାଳୟ ସହିତ ମିଶ୍ରଣ କରାଯିବା ବିଷୟରେ ମଧ୍ୟ ସେ ଉଲ୍ଲେଖ କରିଥିଲେ। ସେ ଗୁରୁତ୍ୱାରୋପ କରିଥିଲେ ଯେ ଏହି ନିଷ୍ପତ୍ତିଗୁଡ଼ିକ ଦେଶର ପ୍ରାଥମିକତା ଏବଂ ସମ୍ବଳର ଦକ୍ଷ ବ୍ୟବହାର ଦ୍ୱାରା ଚାଳିତ ହୋଇଥିଲା।
ନିୟମ ଏବଂ ନିୟମାବଳୀକୁ ସରଳ ଏବଂ ହ୍ରାସ କରିବା ପାଇଁ ସରକାରଙ୍କ ପ୍ରୟାସ ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ସମୟ ସହିତ ପ୍ରାସଙ୍ଗିକତା ହରାଇଥିବା ପ୍ରାୟ 1,500 ପୁରୁଣା ଆଇନକୁ ତାଙ୍କ ସରକାର ଉଚ୍ଛେଦ କରିଛନ୍ତି। ଏହା ସହିତ, ପ୍ରାୟ 40,000 ଅନୁପାଳନକୁ ହଟାଇ ଦିଆଯାଇଛି। ସେ ଗୁରୁତ୍ୱାରୋପ କରିଥିଲେ ଯେ, ଏହି ପଦକ୍ଷେପଗୁଡ଼ିକ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଫଳାଫଳ ହାସଲ କରିଛି, ଯଥ : ଜନସାଧାରଣଙ୍କୁ ହଇରାଣରୁ ମୁକ୍ତି କରିବା ଏବଂ ସରକାରୀ ତନ୍ତ୍ର ମଧ୍ୟରେ ଶକ୍ତି ସଂରକ୍ଷଣ। ପ୍ରଧାନମନ୍ତ୍ରୀ ଜିଏସଟି ପ୍ରଚଳନ ମାଧ୍ୟମରେ ସଂସ୍କାରର ଆଉ ଏକ ଉଦାହରଣ ପ୍ରଦାନ କରିଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ , 30ରୁ ଅଧିକ ଟିକସକୁ ଗୋଟିଏ ଟିକସରେ ସଂକଳନ କରାଯାଇଛି, ଯାହା ଫଳରେ ପ୍ରକ୍ରିୟା ଏବଂ ନଥୀକରଣ ଦୃଷ୍ଟିରୁ ଯଥେଷ୍ଟ ସଞ୍ଚୟ ହୋଇଛି।
ଅତୀତରେ ସରକାରୀ କ୍ରୟରେ ଲାଗି ରହିଥିବା ଅଦକ୍ଷତା ଏବଂ ଦୁର୍ନୀତିକୁ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ତାଙ୍କ ସରକାର ଏହି ସମସ୍ୟାଗୁଡ଼ିକର ସମାଧାନ ପାଇଁ ସରକାରୀ ଇ -ମାର୍କେଟ୍ ପ୍ଲେସ୍ ( GeM ) ପ୍ଲାଟଫର୍ମ ପ୍ରଚଳନ କରିଛନ୍ତି, ଯାହା ସମ୍ପର୍କରେ ପ୍ରାୟତଃ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ କରାଯାଇଥାଏ। ସେ ବ୍ୟାଖ୍ୟା କରିଥିଲେ ଯେ, ସରକାରୀ ବିଭାଗଗୁଡ଼ିକ ଏବେ ଏହି ପ୍ଲାଟଫର୍ମରେ ସେମାନଙ୍କର ଆବଶ୍ୟକତା ତାଲିକାଭୁକ୍ତ କରନ୍ତି, ବିକ୍ରେତାମାନେ ବିଡ୍ ଦିଅନ୍ତି ଏବଂ ଅର୍ଡରଗୁଡ଼ିକୁ ସ୍ୱଚ୍ଛ ଭାବରେ ଚୂଡ଼ାନ୍ତ କରାଯାଏ। ଏହି ପଦକ୍ଷେପ ଦୁର୍ନୀତିକୁ ଯଥେଷ୍ଟ ହ୍ରାସ କରିଛି ଏବଂ ସରକାରଙ୍କର ₹1 ଲକ୍ଷ କୋଟିରୁ ଅଧିକ ଟଙ୍କା ସଞ୍ଚୟ କରିଛି। ପ୍ରଧାନମନ୍ତ୍ରୀ ଭାରତର ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (DBT) ବ୍ୟବସ୍ଥାର ବିଶ୍ୱସ୍ତରୀୟ ସ୍ୱୀକୃତି ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ। ସେ ଉଲ୍ଲେଖ କରିଥିଲେ ଯେ DBT କରଦାତାଙ୍କ ₹3 ଲକ୍ଷ କୋଟିରୁ ଅଧିକ ଟଙ୍କା ଭୁଲ ହାତରେ ପଡ଼ିବାରୁ ରୋକିଛି। ସେ ଆହୁରି ମଧ୍ୟ ଉଲ୍ଲେଖ କରିଥିଲେ ଯେ , ସରକାରୀ ଯୋଜନାର ଶୋଷଣ କରୁଥିବା ଅଣ - ଅସ୍ତିତ୍ୱବାନ ବ୍ୟକ୍ତି ସମେତ 10 କୋଟିରୁ ଅଧିକ ନକଲି ହିତାଧିକାରୀଙ୍କୁ ସରକାରୀ ରେକର୍ଡରୁ ହଟାଇ ଦିଆଯାଇଛି।
ପ୍ରତ୍ୟେକ କରଦାତାଙ୍କ ଅବଦାନର ସଚ୍ଚୋଟ ବ୍ୟବହାର ଏବଂ କରଦାତାଙ୍କ ପ୍ରତି ସମ୍ମାନ ପ୍ରତି ସରକାରଙ୍କ ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରି ଶ୍ରୀ ମୋଦୀ ଆଲୋକପାତ କରିଥିଲେ ଯେ, କର ବ୍ୟବସ୍ଥାକୁ ଅଧିକ କରଦାତା - ଅନୁକୂଳ କରାଯାଇଛି। ସେ ଉଲ୍ଲେଖ କରିଥିଲେ ଯେ , ଆୟକର ରିଟର୍ଣ୍ଣ (ITR) ଫାଇଲ କରିବାର ପ୍ରକ୍ରିୟା ପୂର୍ବ ସମୟ ତୁଳନାରେ ବର୍ତ୍ତମାନ ବହୁତ ସରଳ ଏବଂ ଦ୍ରୁତ ହୋଇଛି। ସେ ଉଲ୍ଲେଖ କରିଥିଲେ ଯେ ପୂର୍ବରୁ, ଚାଟାର୍ଡ ଆକାଉଣ୍ଟାଣ୍ଟଙ୍କ ସାହାଯ୍ୟ ବିନା ITR ଫାଇଲ କରିବା ଆହ୍ଵାନପୂର୍ଣ ଥିଲା। ଆଜି, ବ୍ୟକ୍ତିମାନେ ଅଳ୍ପ ସମୟ ମଧ୍ୟରେ ଅନଲାଇନରେ ସେମାନଙ୍କର ITR ଫାଇଲ କରିପାରିବେ ଏବଂ ଫାଇଲିଂର କିଛି ଦିନ ମଧ୍ୟରେ ସେମାନଙ୍କ ଆକାଉଣ୍ଟରେ ରିଫଣ୍ଡ ଜମା ହୋଇଯାଏ। ପ୍ରଧାନମନ୍ତ୍ରୀ ଫେସଲେସ୍ ଆସେସମେଣ୍ଟ ଯୋଜନା ପ୍ରଚଳନ ଉପରେ ମଧ୍ୟ ଆଲୋକପାତ କରିଥିଲେ, ଯାହା କରଦାତାଙ୍କ ଦ୍ୱାରା ସମ୍ମୁଖୀନ ହେଉଥିବା ଅସୁବିଧାକୁ ଯଥେଷ୍ଟ ହ୍ରାସ କରିଛି। ସେ ମନ୍ତବ୍ୟ ଦେଇଥିଲେ ଯେ ଏପରି ଦକ୍ଷତା-ଚାଳିତ ଶାସନ ସଂସ୍କାର ବିଶ୍ୱକୁ ଏକ ନୂତନ ଶାସନ ମଡେଲ ପ୍ରଦାନ କରିଛି।
ଗତ ୧୦ - ୧୧ ବର୍ଷ ମଧ୍ୟରେ ପ୍ରତ୍ୟେକ କ୍ଷେତ୍ର ଏବଂ ଅଂଚଳରେ ଭାରତରେ ଘଟିଥିବା ପରିବର୍ତ୍ତନ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ମାନସିକତାରେ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଉପରେ ଗୁରୁତ୍ୱାରୋପ କରିଥିଲେ। ସେ କହିଥିଲେ ଯେ ସ୍ୱାଧୀନତା ପରେ ଅନେକ ଦଶନ୍ଧି ଧରି ଭାରତରେ ଏକ ମାନସିକତା ପ୍ରୋତ୍ସାହିତ ହୋଇଥିଲା, ଯେଉଁଥିରେ ବିଦେଶୀ ସାମଗ୍ରୀକୁ ଶ୍ରେଷ୍ଠ ମନେ କରାଯାଉଥିଲା। ସେ ଉଲ୍ଲେଖ କରିଥିଲେ ଯେ , ଦୋକାନୀମାନେ ଉତ୍ପାଦ ବିକ୍ରୟ କରିବା ସମୟରେ ପ୍ରାୟତଃ "ଏହା ଆମଦାନୀ ହୋଇଛି!" କହି ଆରମ୍ଭ କରୁଥିଲେ। ସେ ଗୁରୁତ୍ୱାରୋପ କରିଥିଲେ ଯେ ଏହି ପରିସ୍ଥିତି ଏବେ ବଦଳି ଯାଇଛି ଏବଂ ଆଜି ଲୋକମାନେ ସକ୍ରିୟ ଭାବରେ "ଏହା ଭାରତରେ ନିର୍ମିତ?" କି ନାହିଁ ପଚାରୁଛନ୍ତି।
ଉତ୍ପାଦନ ଉତ୍କର୍ଷତାରେ ଭାରତର ଉଲ୍ଲେଖନୀୟ ଅଗ୍ରଗତିକୁ ଗୁରୁତ୍ୱ ଦେଇ, ଦେଶର ପ୍ରଥମ ସ୍ୱଦେଶୀ MRI ମେସିନ୍ ବିକଶିତ କରିବାର ସାମ୍ପ୍ରତିକ ସଫଳତା ଉପରେ ଗୁରୁତ୍ୱାରୋପ କରି ଶ୍ରୀ ମୋଦୀ କହିଛନ୍ତି ଯେ ଏହି ମାଇଲଖୁଣ୍ଟ ଭାରତରେ ଚିକିତ୍ସା ନିଦାନର ଖର୍ଚ୍ଚକୁ ଯଥେଷ୍ଟ ହ୍ରାସ କରିବ। ସେ ' ଆତ୍ମନିର୍ଭର ଭାରତ' ଏବଂ 'ମେକ୍ ଇନ୍ ଇଣ୍ଡିଆ' ପଦକ୍ଷେପର ପରିବର୍ତ୍ତନକାରୀ ପ୍ରଭାବ ଉପରେ ଗୁରୁତ୍ୱାରୋପ କରିଥିଲେ, ଯାହା ଉତ୍ପାଦନ କ୍ଷେତ୍ରରେ ନୂତନ ଶକ୍ତି ସଞ୍ଚୟ କରିଛି। ସେ ଉଲ୍ଲେଖ କରିଛନ୍ତି ଯେ, ବିଶ୍ୱ ଏକଦା ଭାରତକୁ ଏକ ବିଶ୍ୱ ବଜାର ଭାବରେ ଦେଖୁଥିଲା, କିନ୍ତୁ ଏବେ ଏହା ଦେଶକୁ ଏକ ପ୍ରମୁଖ ଉତ୍ପାଦନ କେନ୍ଦ୍ର ଭାବରେ ସ୍ୱୀକୃତି ଦିଏ। ପ୍ରଧାନମନ୍ତ୍ରୀ ଭାରତର ମୋବାଇଲ୍ ଫୋନ୍ ଶିଳ୍ପର ସଫଳତାକୁ ଉଲ୍ଲେଖ କରି କହିଛନ୍ତି ଯେ 2014 - 15 ରେ ରପ୍ତାନି ଏକ ବିଲିୟନ ଡଲାରରୁ କମ୍ ହୋଇ ଦଶ ବର୍ଷ ମଧ୍ୟରେ କୋଡ଼ିଏ ବିଲିୟନ ଡଲାରରୁ ଅଧିକ ହୋଇଛି। ସେ ବିଶ୍ୱ ଟେଲିକମ୍ ଏବଂ ନେଟୱାର୍କିଂ ଶିଳ୍ପରେ ଏକ ଶକ୍ତି କେନ୍ଦ୍ର ଭାବରେ ଭାରତର ଉଦୟ ଉପରେ ଆଲୋକପାତ କରିଥିଲେ । ଅଟୋମୋଟିଭ୍ କ୍ଷେତ୍ର ବିଷୟରେ ଆଲୋଚନା କରି ପ୍ରଧାନମନ୍ତ୍ରୀ ଉପାଦାନ ରପ୍ତାନିରେ ଭାରତର ବୃଦ୍ଧି ପାଉଥିବା ଖ୍ୟାତି ଉପରେ ମନ୍ତବ୍ୟ ଦେଇଥିଲେ। ସେ ଉଲ୍ଲେଖ କରିଛନ୍ତି ଯେ ଭାରତ ପୂର୍ବରୁ ବହୁ ପରିମାଣରେ ମୋଟରସାଇକେଲ୍ ଉପକରଣ ଆମଦାନୀ କରୁଥିବା ବେଳେ ଆଜି, ଭାରତରେ ଉତ୍ପାଦିତ ପାର୍ଟସ୍ ୟୁଏଇ ଏବଂ ଜର୍ମାନୀ ଭଳି ଦେଶମାନଙ୍କରେ ପହଞ୍ଚୁଛି। ଶ୍ରୀ ମୋଦୀ ସୌର ଶକ୍ତି କ୍ଷେତ୍ରରେ ଉପଲବ୍ଧି ଉପରେ ମଧ୍ୟ ଆଲୋକପାତ କରି କହିଥିଲେ ଯେ, ସୌର ସେଲ୍ ଏବଂ ମଡ୍ୟୁଲର ଆମଦାନୀ ହ୍ରାସ ପାଇଥିବାବେଳେ ରପ୍ତାନି 23 ଗୁଣ ବୃଦ୍ଧି ପାଇଛି। ସେ ପ୍ରତିରକ୍ଷା ରପ୍ତାନିରେ ଅଭିବୃଦ୍ଧି ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ, ଯାହା ଗତ ଦଶନ୍ଧି ମଧ୍ୟରେ 21 ଗୁଣ ବୃଦ୍ଧି ପାଇଛି। ସେ କହିଥିଲେ ଯେ , ଏହି ଉପଲବ୍ଧିଗୁଡ଼ିକ ଭାରତର ଉତ୍ପାଦନ ଅର୍ଥନୀତିର ଶକ୍ତି ଏବଂ ବିଭିନ୍ନ କ୍ଷେତ୍ରରେ ନୂତନ ନିଯୁକ୍ତି ସୃଷ୍ଟି କରିବାର କ୍ଷମତାକୁ ପ୍ରଦର୍ଶନ କରେ।
ପ୍ରଧାନମନ୍ତ୍ରୀ TV9 ଶିଖର ସମ୍ମିଳନୀର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରି ବିଭିନ୍ନ ବିଷୟ ଉପରେ ବିସ୍ତୃତ ଆଲୋଚନା ଏବଂ ବିଚାରବିମର୍ଶ ଉପରେ ଗୁରୁତ୍ୱାରୋପ କରିଥିଲେ। ସେ ଆଲୋକପାତ କରିଥିଲେ ଯେ ଶିଖର ସମ୍ମିଳନୀରେ ଆଲୋଚନା ହୋଇଥିବା ଚିନ୍ତାଧାରା ଏବଂ ଦୃଷ୍ଟିକୋଣ ଦେଶର ଭବିଷ୍ୟତକୁ ପରିଭାଷିତ କରିବ। ସେ ଗତ ଶତାବ୍ଦୀର ସେହି ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତକୁ ମନେ ପକାଇଥିଲେ , ଯେତେବେଳେ ଭାରତ ନୂତନ ଶକ୍ତି ସହିତ ସ୍ୱାଧୀନତା ଆଡ଼କୁ ଏକ ନୂତନ ଯାତ୍ରା ଆରମ୍ଭ କରିଥିଲା। ସେ 1947 ମସିହାରେ ସ୍ୱାଧୀନତା ହାସଲ କରିବାରେ ଭାରତର ସଫଳତାକୁ ଉଲ୍ଲେଖ କରିଥିଲେ ଏବଂ କହିଥିଲେ ଯେ, ଏହି ଦଶନ୍ଧିରେ, ଦେଶ ଏକ ବିକଶିତ ଭାରତର ଲକ୍ଷ୍ୟ ହାସଲ କରିବାକୁ ପ୍ରୟାସ କରୁଛି। ସେ 2047 ସୁଦ୍ଧା ଏକ ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବାର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ଲାଲକିଲ୍ଲାରୁ ତାଙ୍କ ବକ୍ତବ୍ୟକୁ ପୁଣି ଥରେ ଦୋହରାଇ ଥିଲେ ଯେ ଏହି ଦୃଷ୍ଟିକୋଣ ହାସଲ କରିବା ପାଇଁ ସାମୂହିକ ପ୍ରୟାସ ଜରୁରୀ। ପ୍ରଧାନମନ୍ତ୍ରୀ ଏହି ଶିଖର ସମ୍ମିଳନୀ ଆୟୋଜନ କରିବା ପାଇଁ TV9 କୁ ପ୍ରଶଂସା କରିଥିଲେ, ସେମାନଙ୍କର ସକାରାତ୍ମକ ପଦକ୍ଷେପକୁ ସ୍ୱୀକାର କରିଥିଲେ ଏବଂ ଶିଖର ସମ୍ମିଳନୀର ସଫଳତା ପାଇଁ ଶୁଭକାମନା ଜଣାଇଥିଲେ। ମିଶନ ମୋଡରେ ବିଭିନ୍ନ ପାରସ୍ପରିକ କ୍ରିୟାରେ 50 ହଜାରରୁ ଅଧିକ ଯୁବକଙ୍କୁ ସାମିଲ କରିବା ଏବଂ ମନୋନୀତ ଯୁବକମାନଙ୍କୁ ତାଲିମ ଦେବା ପାଇଁ ସେ TV9 ନେଟୱାର୍କକୁ ପ୍ରଶଂସା କରିଥିଲେ। ସେ ବିଶ୍ୱାସ ପ୍ରକାଶ କରି ଶେଷ କରିଥିଲେ ଯେ ଯୁବପିଢ଼ି 2047 ମସିହାରେ ବିକଶିତ ଭାରତର ସବୁଠାରୁ ବଡ଼ ଲାଭାର୍ଥୀ ହେବେ।
***
SSP
(रिलीज़ आईडी: 2160304)
आगंतुक पटल : 11
इस विज्ञप्ति को इन भाषाओं में पढ़ें:
English
,
Bengali
,
Urdu
,
Marathi
,
हिन्दी
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam