ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ
azadi ka amrit mahotsav

୩୪ତମ ରାଜ୍ୟ ଭାବେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଲାଗୁ କଲା ଓଡ଼ିଶା


କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ ଏବଂ ଓଡ଼ିଶା ରାଜ୍ୟ ସ୍ୱାସ୍ଥ୍ୟ ଏଜେନ୍ସି ଏବି ପିଏମ-ଜେଏୱାଇ ଯୋଜନା ଅଧୀନରେ ଓଡ଼ିଶାକୁ ସାମିଲ କରିବା ପାଇଁ ସ୍ୱାକ୍ଷର କଲେ ଏକ ବୁଝାମଣାପତ୍ର

ଓଡ଼ିଶାରେ ବର୍ତ୍ତମାନର ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ସହିତ ସମନ୍ୱୟ ରକ୍ଷା କରି ଏବି ପିଏମ୍-ଜେଏୱାଇ କାର୍ଯ୍ୟକାରୀ କରାଯିବ; ଏହା ପରିବାର ପିଛା ବାର୍ଷିକ ୫ ଲକ୍ଷ ଟଙ୍କା ଏବଂ ମହିଳା ସଦସ୍ୟଙ୍କ ପାଇଁ ଅତିରିକ୍ତ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମା ପ୍ରଦାନ କରିବ

ଆଜି ଓଡ଼ିଶା ପାଇଁ ଏକ ଐତିହାସିକ ଦିନ। ଏବି ପିଏମ୍-ଜେଏୱାଇ କେବଳ ବିଶ୍ୱର ସର୍ବବୃହତ ସ୍ୱାସ୍ଥ୍ୟ କଭରେଜ୍ ଯୋଜନା ନୁହେଁ ବରଂ ଏହା ଆରମ୍ଭ ପରଠାରୁ କାର୍ଯ୍ୟକାରୀ ହେଉଥିବା ଦ୍ରୁତତମ ଯୋଜନା ମଧ୍ୟ; ଏହି ଯୋଜନାକୁ ସମ୍ପୂର୍ଣ୍ଣ ଭାବେ ଡିଜିଟାଇଜେସନ୍ କରାଯାଇଛି ଏବଂ ଏହା ଭାରତର ପାଖାପାଖି ୪୫ ପ୍ରତିଶତ ଜନସଂଖ୍ୟାକୁ ସାମିଲ କରିଛି: ଶ୍ରୀ ଜେ. ପି. ନଡ୍ଡା

ଏହି ଯୋଜନା ଆରମ୍ଭ ହେବା ପରଠାରୁ, ୮୧୯ କୋଟି ଡାକ୍ତରଖାନାରେ ଭର୍ତ୍ତି ରେକର୍ଡ ହୋଇଛି, ଯେଉଁଥିରେ ସମାଜର ଅବହେଳିତ ବର୍ଗଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ୧.୧୩ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି : କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ

‘‘ଏପରିକି ଦୁର୍ଗମ, ଦୂରବର୍ତ୍ତୀ ଏବଂ ଅଶାନ୍ତ ଅଞ୍ଚଳରେ, ଡାକ୍ତରଖାନାରେ ଭର୍ତ୍ତି ହେବାର ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଛି’’

‘‘ଏବି

Posted On: 13 JAN 2025 5:40PM by PIB Bhubaneshwar

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ (ଏନ୍.ଏଚ୍.ଏ.) ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସହିତ ଏକ ବୁଝାମଣା ପତ୍ର (ଏମ୍.ଓ.ୟୁ.) ସ୍ୱାକ୍ଷର କରିବା ପରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ଏବି ପିଏମ୍-ଜେଏୱାଇ) ଲାଗୁ କରିବାରେ ଓଡ଼ିଶା ୩୪ତମ ରାଜ୍ୟ ହୋଇପାରିଛି। ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆଜି ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ତଥା ଏନଏଚଏ କାର୍ଯ୍ୟନିର୍ବାହୀ ଅଧିକାରୀ ଏଲଏସ ଚାଙ୍ଗସାନ ଏବଂ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସଚିବ ଅଶ୍ୱତ୍ଥୀ ଏସ ଏମଓୟୁରେ ସ୍ୱାକ୍ଷର କରିଥିଲେ।

ସ୍ୱାକ୍ଷର ସମାରୋହରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ତଥା ରସାୟନ ଓ ସାର ମନ୍ତ୍ରୀ ଶ୍ରୀ ଜଗତ ପ୍ରକାଶ ନଡ୍ଡା ଅଧ୍ୟକ୍ଷତା କରିଥିବା ବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ, କେନ୍ଦ୍ର ରେଳ, ସୂଚନା ଓ ପ୍ରସାରଣ, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ, ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ପ୍ରମୁଖ ଉପସ୍ଥିତ ଥିଲେ ।

ଓଡ଼ିଶାରେ ବର୍ତ୍ତମାନର ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା (ଜିଜେଏୱାଇ) ସହିତ ମିଶି ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ଏବି ପିଏମ୍-ଜେଏୱାଇ) କାର୍ଯ୍ୟକାରୀ କରାଯିବ। ଏହା ପରିବାର ପିଛା ବାର୍ଷିକ ୫ ଲକ୍ଷ ଟଙ୍କା ଏବଂ ମହିଳା ସଦସ୍ୟଙ୍କ ପାଇଁ ଅତିରିକ୍ତ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମା ପ୍ରଦାନ କରିବ। କେନ୍ଦ୍ର ସରକାରଙ୍କ ସହାୟତାରେ ୬୭.୮ ଲକ୍ଷ ପରିବାର ସହିତ ମୋଟ ପାଖାପାଖି ୧ କୋଟି ୩ ଲକ୍ଷ ପରିବାର ଏହି ସମ୍ମିଳିତ ଯୋଜନା ଅଧୀନରେ ଆସିବେ।

 

ସମାବେଶକୁ ସମ୍ବୋଧିତ କରି ଶ୍ରୀ ଜେ.ପି. ନଡ୍ଡା କହିଥିଲେ, ‘‘ଆଜି ଓଡ଼ିଶା ପାଇଁ ଏକ ଐତିହାସିକ ଦିନ। ଏବି ପିଏମ-ଜେଏୱାଇ କେବଳ ବିଶ୍ୱର ସର୍ବବୃହତ ସ୍ୱାସ୍ଥ୍ୟ କଭରେଜ୍ ଯୋଜନା ନୁହେଁ ବରଂ ଏହି ଯୋଜନା ଆରମ୍ଭ ପରଠାରୁ କାର୍ଯ୍ୟକାରୀ ହେଉଥିବା ଦ୍ରୁତତମ ମଧ୍ୟ। ଏହି ଯୋଜନା ସମ୍ପୂର୍ଣ୍ଣ ଭାବେ ଡିଜିଟାଲ୍ ହୋଇଛି ଏବଂ ଭାରତର ପାଖାପାଖି ୪୫ ପ୍ରତିଶତ ଜନସଂଖ୍ୟାକୁ ଏଥିରେ ସାମିଲ କରାଯାଇଛି ବୋଲି ସେ କହିଥିଲେ। ସେ ଏହା ମଧ୍ୟ କହିଥିଲେ ଯେ ମାନ୍ୟବର ପ୍ରଧାନମନ୍ତ୍ରୀ ଅକ୍ଟୋବର ୨୦୨୪ରେ ଆୟୁଷ୍ମାନ ବୟ ବନ୍ଦନା କାର୍ଡର ଶୁଭାରମ୍ଭ କରିଥିଲେ ଯାହା ୭୦ବର୍ଷ ଏବଂ ତତୋଧିକ ବୟସର ପ୍ରାୟ ୬ କୋଟି ଲୋକଙ୍କୁ ଉପକୃତ କରିବ।

ଏବି ପିଏମ-ଜେଏୱାଇର ପ୍ରଭାବ ଉପରେ ଆଲୋକପାତ କରି ଶ୍ରୀ ନଡ୍ଡା କହିଥିଲେ, ଏହି ଯୋଜନା ଆରମ୍ଭ ହେବା ପରଠାରୁ ୮ କୋଟି ୧୯ ଲକ୍ଷ ରୋଗୀ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି, ଯେଉଁଥିରେ ସମାଜର ଅବହେଳିତ ବର୍ଗଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ୧ ଲକ୍ଷ ୧୩ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ସେ ଆହୁରି କହିଥିଲେ, ରୋଗ ବୃଦ୍ଧି କାରଣରୁ ନୁହେଁ, ବରଂ ସୁଲଭ ସ୍ୱାସ୍ଥ୍ୟସେବାର ଉପଲବ୍ଧତା ବୃଦ୍ଧି କାରଣରୁ ଡାକ୍ତରଖାନାରେ ଭର୍ତ୍ତି ହେବାର ଏହି ସଂଖ୍ୟା ବଢ଼ିଛି ।

ସେ ଏହା ମଧ୍ୟ ଦର୍ଶାଇଥିଲେ ଯେ ଏବି ପିଏମ-ଜେଏୱାଇ କାରଣରୁ ଦୁର୍ଗମ, ଉପାନ୍ତ ଏବଂ ଅଶାନ୍ତ ଅଞ୍ଚଳରେ ମଧ୍ୟ ଡାକ୍ତରଖାନାରେ ଭର୍ତ୍ତି ସଂଖ୍ୟା ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଛି। ସେ ବିଶେଷ ଭାବେ ଗୁରୁତ୍ୱାରୋପ କରିଥିଲେ ଯେ ବସ୍ତର ଏବଂ ବିଜାପୁର ଭଳି ନକ୍ସଲ ପ୍ରଭାବିତ ଜିଲ୍ଲାରେ ମଧ୍ୟ ଡାକ୍ତରଖାନାରେ ଭର୍ତ୍ତି ହେବା ସଂଖ୍ୟା ୪.୩ ପ୍ରତିଶତ ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ମଧ୍ୟପ୍ରଦେଶରେ ଏବି ପିଏମ-ଜେଏୱାଇ ଯୋଜନାର ଫଳସ୍ୱରୂପ ଡାକ୍ତରଖାନାରେ ଭର୍ତ୍ତି ସଂଖ୍ୟା ୩୦ ଗୁଣ ବୃଦ୍ଧି ପାଇଛି।

ଦକ୍ଷିଣ ପୂର୍ବ ଏସିଆ ଉପରେ ନିକଟରେ ହୋଇଥିବା ଲାନସେଟ୍ ଅଧ୍ୟୟନକୁ ଉଦ୍ଧୃତ କରି ଶ୍ରୀ ନଡ୍ଡା କହିଛନ୍ତି ଯେ ଏବି ପିଏମ-ଜେଏୱାଇ କର୍କଟ ରୋଗୀଙ୍କ ପାଇଁ ସ୍ୱାସ୍ଥ୍ୟସେବାର ଉପଲବ୍ଧତା ୩୩ ପ୍ରତିଶତ ବୃଦ୍ଧି ପାଇଛି। ପ୍ରାରମ୍ଭିକ ଅବସ୍ଥାରୁ କର୍କଟ ଚିହ୍ନଟରେ ଉନ୍ନତି ଆଣିବା ଏବଂ ବିଶେଷ କରି ମହିଳାମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ-ସଚେତନ ଆଚରଣକୁ ପ୍ରୋତ୍ସାହିତ କରିବାରେ ଏହି ଯୋଜନାର ଭୂମିକା ଉପରେ ମଧ୍ୟ ସେ ଆଲୋକପାତ କରିଥିଲେ।

କେନ୍ଦ୍ର ମନ୍ତ୍ରୀ ଏହା ମଧ୍ୟ କହିଥିଲେ ଯେ ଏବି ପିଏମ-ଜେଏୱାଇ ଅଧୀନରେ ୨୭ଟି ବିଶେଷଜ୍ଞତା ବିଶିଷ୍ଟ କ୍ଷେତ୍ରରେ ପାଖାପାଖି ୨ ହଜାର ଚିକିତ୍ସା ପଦ୍ଧତି ଅନ୍ତର୍ଭୁକ୍ତ କରାଯାଇଛି, ଯେଉଁଥିରେ ବାଇପାସ୍ ସର୍ଜରୀ ଏବଂ ଆଣ୍ଠୁ ପ୍ରତିରୋପଣ ଭଳି ପ୍ରମୁଖ ଅସ୍ତ୍ରୋପଚାର ସାମିଲ ରହିଛି।

ଏହି ଅବସରରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଥିଲେ, ‘‘ଆମ ରାଜ୍ୟର ଲୋକମାନେ, ଯେଉଁମାନେ ପୂର୍ବରୁ ପ୍ରାୟ ୯୦୦ ପାନେଲଭୁକ୍ତ ଡାକ୍ତରଖାନାରେ ଚିକିତ୍ସା ପାଉଥିଲେ, ବର୍ତ୍ତମାନ ୨୯ ହଜାର ରୁ ଅଧିକ ସରକାରୀ ଏବଂ ବେସରକାରୀ ପାନେଲଭୁକ୍ତ ଡାକ୍ତରଖାନାରେ ନଗଦବିହୀନ ଏବଂ ଗୁଣାତ୍ମକ ଚିକିତ୍ସା ସୁବିଧା ପାଇପାରିବେ।’’ ସେ କହିଥିଲେ ଯେ ଏହି ସମନ୍ୱିତ ଯୋଜନାଗୁଡ଼ିକ ଦ୍ୱାରା ଗୋଟିଏ କାର୍ଡ ଜରିଆରେ ଓଡ଼ିଶାର ପାଖାପାଖି ସାଢ଼େ ଚାରି କୋଟି ଲୋକ ଉପକୃତ ହେବେ।

ସେ ଆହୁରି ମଧ୍ୟ କହିଥିଲେ, ଏହା ଏକ ଗୁରୁତ୍ୱପୂର୍ଣ୍ଣ ଅବସର କାରଣ ଏହା ଓଡ଼ିଶାର ୮୬ ପ୍ରତିଶତ ଜନସଂଖ୍ୟାର ସ୍ୱାସ୍ଥ୍ୟ ସ୍ଥିତିରେ ପରିବର୍ତ୍ତନ ଆଣିବ। ଏହି ଯୋଜନା ଓଡ଼ିଶାର ସ୍ୱାସ୍ଥ୍ୟସେବା କ୍ଷେତ୍ରର ପ୍ରଗତିଶୀଳ ବିକାଶକୁ ଆହୁରି ଡିଜିଟାଲ୍ କରିବ।

ଶ୍ରୀ ଅଶ୍ୱିନୀ ବୈଷ୍ଣବ କହିଥିଲେ ଯେ ଏହି ସମନ୍ୱିତ ଯୋଜନା ଓଡ଼ିଶାରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ସୁଧାର ଆଣିବ। ଏହା ବିକଶିତ ଭାରତ ଏବଂ ଉତ୍କର୍ଷ ଓଡ଼ିଶା ଲକ୍ଷ୍ୟ ହାସଲ ଦିଗରେ ଆଉ ଏକ ପ୍ରଗତିଶୀଳ ପଦକ୍ଷେପ ବୋଲି ସେ କହିଥିଲେ।

ଓଡ଼ିଶାର ବିକାଶକୁ ନେଇ କେନ୍ଦ୍ର ସରକାର ଗ୍ରହଣ କରିଥିବା ଅନ୍ୟାନ୍ୟ ପଦକ୍ଷେପ ବିଷୟରେ ମତ ରଖି ଶ୍ରୀ ବୈଷ୍ଣବ କହିଥିଲେ, ଓଡ଼ିଶାର ଚାରୋଟି ବିଶ୍ୱବିଦ୍ୟାଳୟ ସେମି-କଣ୍ଡକ୍ଟର ଶିକ୍ଷା ପାଠ୍ୟକ୍ରମ ପ୍ରଦାନ କରୁଛନ୍ତି। ସେଠାରେ ସେମି କଣ୍ଡକ୍ଟର ଶିକ୍ଷା ଅତି ଭଲ ଭାବେ ପ୍ରଦାନ କରାଯାଉଛି। ସେମି-କଣ୍ଡକ୍ଟର ଶିକ୍ଷା କାର୍ଯ୍ୟକ୍ରମରେ ଆଉ ପାଞ୍ଚଟି ଶିକ୍ଷାନୁଷ୍ଠାନ ଯୋଡିବାକୁ ବିଚାର କରିବାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ସେ ଆହୁରି କହିଥିଲେ, ଏହାପରେ ଓଡ଼ିଶାରେ ଏକ ସେମି କଣ୍ଡକ୍ଟର ୟୁନିଟ୍ ପ୍ରତିଷ୍ଠା କରିବା ମୁଖ୍ୟ ଲକ୍ଷ୍ୟ ହେବ। ଏହା ଆମ ସମସ୍ତଙ୍କ ପାଇଁ ଏକ ସ୍ୱପ୍ନର ପ୍ରକଳ୍ପ ହେବ। ଏହାକୁ ହାସଲ କରିବା ପାଇଁ, ଆମେ ସମସ୍ତେ ବହୁତ ଉତ୍ସାହ ଏବଂ ପ୍ରୟାସ ସହିତ ମିଳିତ ଭାବେ କାର୍ଯ୍ୟ କରିବା ଆବଶ୍ୟକ। ଆଗାମୀ ଦୁଇ ତିନି ବର୍ଷ ମଧ୍ୟରେ ଆମେ ଏହି ସ୍ୱପ୍ନକୁ ପୂରଣ କରିବାର ଲକ୍ଷ୍ୟ ରଖିଛୁ।

ସେ ପୁଣି କହିଥିଲେ, ମାନ୍ୟବର ମୁଖ୍ୟମନ୍ତ୍ରୀ ରେଳବାଇ କ୍ଷେତ୍ରରେ ମଧ୍ୟ ବହୁତ ସହଯୋଗ କରୁଛନ୍ତି। ଜମି ଅଧିଗ୍ରହଣକୁ ନେଇ କିଛି ସମସ୍ୟା ରହିଥିବା ବେଳେ ଏହାକୁ ନେଇ ଆଲୋଚନା ହୋଇଛି ଏବଂ ସେ ସମସ୍ତ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ରେଳ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ବ୍ୟତୀତ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବର୍ତ୍ତମାନ ଚାଲୁଥିବା ରେଳ ପ୍ରକଳ୍ପ ପାଇଁ ଓଡ଼ିଶାରେ ମୋଟ ୭୩ ହଜାର କୋଟି ଟଙ୍କା ନିବେଶ କରିଛନ୍ତି। ଭଗବାନ ଜଗନ୍ନାଥଙ୍କ ଆଶୀର୍ବାଦରେ ରାଜ୍ୟର ବିକାଶ ଜାରି ରହିବ ବୋଲି ସେ ଆଶା ବ୍ୟକ୍ତ କରିଥିଲେ।

 

ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ, ଏହି ଏମଓୟୁ ଓଡ଼ିଶାର ସ୍ୱାସ୍ଥ୍ୟସେବା କ୍ଷେତ୍ରର ବିକାଶ କାହାଣୀରେ ଏକ ନୂତନ ଆରମ୍ଭ କାରଣ ଏହା ରାଜ୍ୟର ସାଢ଼େ ୪ କୋଟି ପରିବାରକୁ ଲାଭାନ୍ୱିତ କରିବ। ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ହୃଦୟରୁ କୃତଜ୍ଞତା ଜଣାଇ ସେ କହିଥିଲେ ଯେ ଦୁଇଟି ସ୍ୱାସ୍ଥ୍ୟସେବା ଯୋଜନାର ସମନ୍ୱୟ ସହିତ ରାଜ୍ୟ ସ୍ୱାସ୍ଥ୍ୟ ସୂଚକାଙ୍କରେ ଉଲ୍ଲେଖନୀୟ ବୃଦ୍ଧି ହେବ। ରାଜ୍ୟର ସମସ୍ତ ଜିଲ୍ଲାରେ ଡିଜିଟାଲ ସ୍ୱାସ୍ଥ୍ୟସେବାର ସମ୍ପ୍ରସାରଣ ଉପରେ ମଧ୍ୟ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ।

ଏବି ପିଏମ୍ - ଜେଏୱାଇ ଦ୍ୱାରା ରାଜ୍ୟର ଜନସାଧାରଣ, ବିଶେଷ କରି ଆଦିବାସୀ, ଅବହେଳିତ ଏବଂ ପ୍ରବାସୀ ଲୋକଙ୍କ ଉପରେ ସକାରାତ୍ମକ ପ୍ରଭାବ ପଡ଼ିବ ବୋଲି କେନ୍ଦ୍ର ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ କହିଥିଲେ।

ଶ୍ରୀ କନକ ବର୍ଦ୍ଧନ ସିଂହ କହିଥିଲେ ଯେ, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାକୁ ଏବି ପିଏମ୍ - ଜେଏୱାଇ ସହିତ ଯୋଡ଼ିବା ଦ୍ୱାରା ଓଡ଼ିଶା ଏବେ ସ୍ୱାସ୍ଥ୍ୟଗତ ଅସମାନତା ଦୂର କରିବା, ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବର୍ଗଙ୍କୁ ପ୍ରାଥମିକତା ଦେବା ଏବଂ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ମଧ୍ୟରେ ଥିବା ସ୍ୱାସ୍ଥ୍ୟସେବା ବ୍ୟବଧାନକୁ ଦୂର କରିବାରେ ସକ୍ଷମ ହୋଇପାରିବ।

ଓଡ଼ିଶା ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଉଲ୍ଲେଖ କରିଥିଲେ ଯେ ଏହି ଏମଓୟୁ ଓଡ଼ିଶାର ବାସିନ୍ଦା ଏବଂ ପ୍ରବାସୀ ଶ୍ରମିକମାନଙ୍କ ପାଇଁ ସାରା ଦେଶରେ ସୁଲଭ ଓ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପାଇବାର ମାର୍ଗ ପ୍ରଶସ୍ତ କରିବ।

ଏହି ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଶ୍ରୀମତୀ ପୁଣ୍ୟ ସଲିଳା ଶ୍ରୀବାସ୍ତବ, ଓଡ଼ିଶା ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ଏବଂ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତଥା ଓଡ଼ିଶା ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

***

P.S.


(Release ID: 2092625) Visitor Counter : 75


Read this release in: English , Urdu , Hindi , Tamil