ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ
azadi ka amrit mahotsav

ଜଟିଳ ଆହ୍ୱାନର ମୁକାବିଲା କରିବା ଲାଗି ଏଆଇର ସମ୍ଭାବନା ଅନୁସନ୍ଧାନ କରିବା ନିମନ୍ତେ ଭାରତୀୟ ଶିକ୍ଷା, ଗବେଷଣା ଓ ବିକାଶ ଅନୁଷ୍ଠାନ, ଷ୍ଟାର୍ଟଅପ୍ ଏବଂ କମ୍ପାନୀଗୁଡିକ ପାଇଁ ସୁଯୋଗ


ନୈତିକ ଏବଂ ଦାୟିତ୍ୱବାନ ଏଆଇ ଉଦ୍ଭାବନକୁ ପ୍ରୋତ୍ସାହିତ କରିବା ପାଇଁ ଇଓଆଇର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରସ୍ତାବ ମାଗିଲା ଇଣ୍ଡିଆ ଏଆଇ ମିଶନ; ଆବେଦନ କରିବାର ଶେଷ ତାରିଖ ୯ ଜାନୁଆରୀ ୨୦୨୫

Posted On: 20 DEC 2024 7:24PM by PIB Bhubaneshwar

 

ଏଆଇ କ୍ଷେତ୍ରରେ ଭାରତର ବିଶ୍ୱସ୍ତରୀୟ ନେତୃତ୍ୱକୁ ସୁଦୃଢ଼ କରିବା ଏବଂ ସମାଜର ସବୁ ବର୍ଗଙ୍କ ମଧ୍ୟରେ ଏଆଇର ଲାଭକୁ ସାର୍ବଜନୀନ କରିବା ଉଦ୍ଦେଶ୍ୟରେ ଭାରତ ସରକାର ୭ ମାର୍ଚ୍ଚ ୨୦୨୪ରେ ଇଣ୍ଡିଆ ଏଆଇ ମିଶନ ଆରମ୍ଭ କରିଛନ୍ତି । ଏହି ସ୍ୱପ୍ନକୁ ସାକାର କରିବା ପାଇଁ ଇଣ୍ଡିଆ ଏଆଇ ମିଶନ ଘରୋଇ ଏଆଇ ଇକୋସିଷ୍ଟମକୁ ସୁଦୃଢ଼ କରିବା ପାଇଁ ୭ଟି ପ୍ରମୁଖ ସ୍ତମ୍ଭ ଆରମ୍ଭ କରିଛି ।

ଏହି ପଦକ୍ଷେପ ଅଧୀନରେ ସୁରକ୍ଷିତ ଏବଂ ବିଶ୍ୱସ୍ତ ଏଆଇସ୍ତମ୍ଭ ଏଆଇ ପ୍ରଶାସନ ପାଇଁ ଏକ ସନ୍ତୁଳିତ, ପ୍ରଯୁକ୍ତି ଦୃଷ୍ଟିରୁ ସକ୍ଷମ ଏବଂ ଭାରତ ଆଧାରିତ ଆଭିମୁଖ୍ୟର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରେ । ଏଥିରେ ସ୍ୱଦେଶୀ ବୈଷୟିକ ଉପକରଣ, ମାର୍ଗଦର୍ଶିକା, ଢାଞ୍ଚା ଏବଂ ମାନଦଣ୍ଡର ବିକାଶ ଅନ୍ତର୍ଭୁକ୍ତ ଯାହା ଭାରତର ଅସାଧାରଣ ଆହ୍ୱାନ ଏବଂ ସୁଯୋଗ ସହିତ ଆମର ସାମାଜିକ, ସାଂସ୍କୃତିକ, ଭାଷାଗତ ଏବଂ ଆର୍ଥିକ ବିବିଧତା ପରିପ୍ରେକ୍ଷୀରେ ପ୍ରାସଙ୍ଗିକ ।

ଇଓଆଇର ପ୍ରଥମ ପର୍ଯ୍ୟାୟ

ଏହି ଦୃଷ୍ଟିକୋଣକୁ ଆଗକୁ ନେବା ପାଇଁ ଇଣ୍ଡିଆଏଆଇ ଇଣ୍ଡିପେଣ୍ଡେଣ୍ଟ ବିଜନେସ୍ ଡିଭିଜନ (ଆଇବିଡି) ଆଗ୍ରହ ପ୍ରକାଶ (ଇଓଆଇ) ପ୍ରଥମ ପର୍ଯ୍ୟାୟ ଆରମ୍ଭ କରିଛି ଏବଂ ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟବସ୍ତୁରେ ଦାୟିତ୍ୱସମ୍ପନ୍ନ ଏଆଇକୁ ପ୍ରୋତ୍ସାହିତ କରିବା ପାଇଁ ଆଠଟି ପ୍ରକଳ୍ପ ଚୟନ କରିଛି। ଏଥିରେ ମେସିନ୍ ଅନଲର୍ଣ୍ଣିଂ, ସିନ୍ଥେଟିକ୍ ଡାଟା ଜେନେରେସନ୍, ଏଆଇ ବାୟସ୍ ମିଟିଗେସନ୍‌, ଗୋପନୀୟତା ବୃଦ୍ଧି ଉପକରଣ, ଏକ୍ସପ୍ଲେନେବଲ୍‌ ଏଆଇ, ଏଆଇ ଗଭର୍ଣ୍ଣାନ୍ସ ଟେଷ୍ଟିଂ, ଏଆଇ ଏଥିକାଲ୍‌ ସାର୍ଟିଫିକେସନ୍ ଏବଂ ଆଲଗୋରିମିକ ଅଡିଟିଂ ଟୁଲ୍ ଅନ୍ତର୍ଭୁକ୍ତ।

ଇଓଆଇର ଦ୍ୱିତୀୟ ରାଉଣ୍ଡ

ଗୁରୁତ୍ୱପୂର୍ଣ୍ଣ ଆହ୍ୱାନର ମୁକାବିଲାରେ ଏଆଇର କ୍ଷମତା ଅନୁସନ୍ଧାନ କରିବାର ସୁଯୋଗ ପ୍ରଦାନ କରିବା ପାଇଁ, ଇଣ୍ଡିଆଏଆଇ ଆଗ୍ରହ ଅଭିବ୍ୟକ୍ତି (ଇଓଆଇ) ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ କରିଛି, ଯାହା ଭାରତୀୟ ଶିକ୍ଷାନୁଷ୍ଠାନ / ସଂଗଠନ, ସ୍ୱୟଂଶାସିତ ସଂସ୍ଥା, ଗବେଷଣା ବିକାଶ ଅନୁଷ୍ଠାନ / ସଂଗଠନ, ଷ୍ଟାର୍ଟଅପ୍ ଏବଂ କମ୍ପାନୀଗୁଡିକ ପାଇଁ ଖୋଲା ଅଛି । ଆବେଦନ କରିବାର ଶେଷ ତାରିଖ ୯ ଜାନୁଆରୀ ୨୦୨୫ ରହିଛି।

ଚିହ୍ନଟ କରାଯାଇଥିବା ବିଷୟ

ନିମ୍ନଲିଖିତ ବିଷୟବସ୍ତୁଗୁଡିକ ଚିହ୍ନଟ କରାଯାଇଛି ଯେଉଁଥିରେ ସଂଗଠନଗୁଡିକ ଅନ୍ୟ ଅଂଶୀଦାରମାନଙ୍କ ସହଯୋଗରେ ବ୍ୟବହାରିକ ଉପକରଣ ଏବଂ ଢାଞ୍ଚା ବିକଶିତ କରିବାକୁ ପ୍ରସ୍ତାବ ଦେଇପାରିବେ:

1.ୱାଟରମାର୍କିଂ ଏବଂ ଲେବଲିଂ: ଏଆଇ-ଉତ୍ପାଦିତ ବିଷୟବସ୍ତୁକୁ ପ୍ରମାଣିତ କରିବା ପାଇଁ ଉପକରଣ ବିକଶିତ କରିବା ଯାହାଦ୍ୱାରା ଏହା ଚିହ୍ନଟଯୋଗ୍ୟ, ସୁରକ୍ଷିତ ଏବଂ ବିପଜ୍ଜନକ ବିଷୟବସ୍ତୁ ଠାରୁ ମୁକ୍ତ ହୋଇଥିବ।

2. ନୈତିକ ଏଆଇ ଫ୍ରେମୱାର୍କ: ଏପରି ଏଆଇ ସମ୍ବନ୍ଧୀୟ ଢାଞ୍ଚା ବିକଶିତ କରିବା, ଯାହା ବିଶ୍ୱସ୍ତରୀୟ ମାନଦଣ୍ଡ ଅନୁରୂପ ହୋଇଥିବ ଏବଂ ଏଆଇ ମାନବୀୟ ମୂଲ୍ୟବୋଧର ସମ୍ମାନ କରିବା ସହିତ ନିରପେକ୍ଷତାକୁ ପ୍ରୋତ୍ସାହନ ଦେଉଥିବ।

3.ଏଆଇ ବିପଦ ଆକଳନ ଏବଂ ପରିଚାଳନା: ସାର୍ବଜନୀନ ସେବାଗୁଡିକରେ ଏଆଇର ସୁରକ୍ଷିତ ନିୟୋଜନକୁ ବୃଦ୍ଧି କରିବା ପାଇଁ ବିପଦ ପରିଚାଳନା ଉପକରଣ ଏବଂ ଢାଞ୍ଚା ସୃଷ୍ଟି କରିବା।

4.ଷ୍ଟ୍ରେସ୍ ଟେଷ୍ଟିଂ ଟୁଲ୍ସ: ଏଆଇ ମଡେଲଗୁଡ଼ିକ କିପରି ଚରମ ପରିସ୍ଥିତିରେ ପ୍ରଦର୍ଶନ କରନ୍ତି ତାହାର ମୂଲ୍ୟାଙ୍କନ କରିବାକୁ, ଦୁର୍ବଳତା ଚିହ୍ନଟ କରିବା ଏବଂ ଗୁରୁତ୍ୱପୂର୍ଣ୍ଣ ଆପ୍ଲିକେସନଗୁଡିକ ପାଇଁ ଏଆଇ ଉପରେ ବିଶ୍ୱାସ ସୃଷ୍ଟି କରିବା ପାଇଁ ଷ୍ଟ୍ରେସ୍ ଟେଷ୍ଟିଂ ଟୁଲ୍ସ ସୃଷ୍ଟି କରିବା।

 

5. ଡିପ୍ ଫେକ୍ ଚିହ୍ନଟ ଉପକରଣ: ଡିପ୍ ଫେର ରିୟଲ-ଟାଇମ୍ ଚିହ୍ନଟ ଏବଂ ପ୍ରଶମନକୁ ସକ୍ଷମ କରିବା ପାଇଁ ଡିପ୍ ଫେକ୍ ବା ଅବିକଳ ନକଲ ଚିହ୍ନଟ ଉପକରଣ ସୃଷ୍ଟି କରିବା, ଏକ ସୁରକ୍ଷିତ ଏବଂ ବିଶ୍ୱସନୀୟ ଡିଜିଟାଲ୍ ଇକୋସିଷ୍ଟମ୍ ପାଇଁ ଭୁଲ ସୂଚନା କ୍ଷତିକୁ ରୋକିବା।

ଏହି ପଦକ୍ଷେପ ଭାରତ ସରକାରଙ୍କ ସାମଗ୍ରିକ ଅଭିବୃଦ୍ଧି ପାଇଁ ଏଆଇର ଉପଯୋଗ କରିବାର ଦୃଷ୍ଟିକୋଣ ସହିତ ସମାନ ।

ବିସ୍ତୃତ ସୂଚନା ଓ ଆବେଦନ କରିବା ଲାଗି https://indiaai.gov.in/article/expression-of-interest-for-safe-trusted-ai-projects-under-indiaai-mission ପରିଦର୍ଶନ କରନ୍ତୁ

ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରଣାଳୟର ଡିଜିଟାଲ ଇଣ୍ଡିଆ କର୍ପୋରେସନ୍ (ଡିଆଇସି) ଅଧୀନରେ ଥିବା ଇଣ୍ଡିଆଏଆଇ ହେଉଛି ଇଣ୍ଡିଆଏଆଇ ମିଶନର କାର୍ଯ୍ୟକାରୀ ଏଜେନ୍ସି, ଯାହାର ଉଦ୍ଦେଶ୍ୟ ସମାଜର ସବୁ ବର୍ଗ ମଧ୍ୟରେ ଏଆଇର ଲାଭକୁ ସାର୍ବଜନୀନ କରିବା, ଏଆଇରେ ଭାରତର ବିଶ୍ୱସ୍ତରୀୟ ନେତୃତ୍ୱକୁ ସୁଦୃଢ଼ କରିବା, ବୈଷୟିକ ଆତ୍ମନିର୍ଭରଶୀଳତାକୁ ପ୍ରୋତ୍ସାହିତ କରିବା ଏବଂ ଏଆଇର ନୈତିକ ଏବଂ ଦାୟିତ୍ୱପୂର୍ଣ୍ଣ ବ୍ୟବହାର ସୁନିଶ୍ଚିତ କରିବା ।

********

P.S.

 

 


(Release ID: 2086678) Visitor Counter : 7


Read this release in: English , Urdu , Hindi