ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ
azadi ka amrit mahotsav

ନୂଆଦିଲ୍ଲୀରେ ୩୩ ଜଣ ଭିନ୍ନକ୍ଷମଙ୍କୁ ଜାତୀୟ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି

Posted On: 03 DEC 2024 4:31PM by PIB Bhubaneshwar

ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳନ ଅବସରରେ ନୂଆଦିଲ୍ଲୀଠାରେ ରାଷ୍ଟ୍ରପତି ଶ୍ରୀମତି ଦ୍ରୌପଦୀ ମୁର୍ମୁ ୩୩ ଜଣଙ୍କୁ ଜାତୀୟ ପୁରସ୍କାର ପ୍ରଦାନ କରିଛନ୍ତି । ଏହି ପୁରସ୍କାର ବିତରଣ ଉତ୍ସବରେ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ଡ. ବୀରେନ୍ଦ୍ର କୁମାର ଓ ବିଭାଗୀୟ ସଚିବ ଶ୍ରୀ ରାଜେଶ ଅଗ୍ରୱାଲ
ଉପସ୍ଥିତ ରହିଥିଲେ । 
ଭିନ୍ନକ୍ଷମମାନଙ୍କର ସାହାସ ଓ ମନୋବଳକୁ ଭୂୟସୀ ପ୍ରଶଂସା କରି ସେମାନେ ସମାଜର ପ୍ରେରଣାର ସ୍ରୋତ ବୋଲି ରାଷ୍ଟ୍ରପତି ଶ୍ରୀମତି ଦ୍ରୌପଦୀ ମୁର୍ମୁ ଏହି ଅବସରରେ କହିଥିଲେ । ଭିନ୍ନକ୍ଷମମାନଙ୍କ ଭିତରେ ଦକ୍ଷତା ବୃଦ୍ଧି, ଉଦ୍ୟୋଗ ପ୍ରବଣତା, ନେତୃତ୍ୱ ସୃଷ୍ଟି କରିବାକୁ ରାଷ୍ଟ୍ରପତି ଆହ୍ୱାନ ଦେଇଥିଲେ । 
ପାରା ଅଲିମ୍ପିକ୍ସ ୨୦୨୪କୁ ପ୍ରଶଂସା କରି ରାଷ୍ଟ୍ରପତି ଭାରତର ଉଲ୍ଲେଖନୀୟ କୃତିତ୍ୱ କଥା କହିଥିଲେ । ପାରା ଅଲିମ୍ପିକ୍ସ ୨୦୧୨ରେ ଭାରତ ମାତ୍ର ଗୋଟିଏ ପଦକ ଜିଣିଥିବା ବେଳେ ପ୍ୟାରିସ ପାରା ଅଲିମ୍ପିକ୍ସରେ ଭାରତ ମୋଟ ୨୯ଟି ପଦକ ହାତେଇଥିବା ସେ କହିଥିଲେ । ଏଭଳି ସଫଳତା ପଛରେ ଭିନ୍ନକ୍ଷମମାନଙ୍କ ସଚେତନତା ଓ ସାହସ ରହିଥିବା କଥା ସେ କହିଥିବା ବେଳେ ସେମାନଙ୍କୁ ସାମାନୁପାତିକ ସୁବିଧା ସୁଯୋଗ ପ୍ରଦାନ କରିବାକୁ ପରାମର୍ଶ ଦେଇଥିଲେ ।
ଭିନ୍ନକ୍ଷମାନଙ୍କ ଲାଗି ଆକ୍ସେସିବଲ ଇଣ୍ଡିଆ କ୍ୟାମ୍ପେନର ପ୍ରଚେଷ୍ଟା ଓ ବିଭିନ୍ନ ମନ୍ତ୍ରାଳୟର ଉଦ୍ୟମ କଥା ରାଷ୍ଟ୍ରପତି କହିଥିଲେ । ରାଷ୍ଟ୍ରପତି ଭବନର ୱେବସାଇଟରେ ଦୃଷ୍ଟିବାଧିତଙ୍କ ଲାଗି ସୁବିଧା ରହିଥିବା ତଥା ଏହା ଜିଆଇଜିଡବ୍ଲୁ ଥ୍ରୀ ମାନ୍ୟତା ପାଇଥିବା ସେ ସୂଚନା ଦେଇଥିଲେ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାର ଭିନ୍ନକ୍ଷମାନଙ୍କର ଅର୍ଥନୈତିକ, ସାମାଜିକ ଓ ଶିକ୍ଷାଗତ ଦକ୍ଷତା ବୃଦ୍ଧି ଲାଗି କାମ କରୁଛି ବୋଲି କେନ୍ଦ୍ରମନ୍ତ୍ରୀ ଡ. ବୀରେନ୍ଦ୍ର କୁମାର କହିଥିଲେ । ଭାରତୀୟ ସାଂକେତିକ ଭାଷାର ବିକାଶ ଲାଗି କରାଯାଇଥିବା ଉଦ୍ୟମ ସହ ଅନ୍ୟାନ୍ୟ ସହଯୋଗୀ ଯନ୍ତ୍ରାଂଶ ବିତରଣ ଲାଗି ଭିନ୍ନକ୍ଷମମାନଙ୍କ ଜୀବନଧାରଣର ମାନରେ ପରିବର୍ତନ ଦେଖାଯାଇଥିବା କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଥିଲେ ।
ପୁରସ୍କୃତ ବ୍ୟକ୍ତିତ୍ୱମାନଙ୍କୁ ପ୍ରଶଂସା କରି ନିଜ ନିଜ କ୍ଷେତ୍ରରେ ସେମାନଙ୍କର ଉଲ୍ଲେଖନୀୟ ଅବଦାନ ରହିଥିବା ମନ୍ତ୍ରୀ ପ୍ରକାଶ କରିଥିଲେ । ୨୦୪୭ ସୁଦ୍ଧା ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ୱପ୍ନର ବିକଶିତ ଓ ଆତ୍ମନିର୍ଭରଶୀଳ ଭାରତବର୍ଷ ଗଠନ କରିବାରେ ଏହି ଭିନ୍ନକ୍ଷମମାନଙ୍କର ଗୁରୁତ୍ୱପୂର୍ଣ ଭୂମିକା ରହିଥିବା ମନ୍ତ୍ରୀ ଉଲ୍ଲେଖ କରିଥିଲେ । ଭିନ୍ନକ୍ଷମମାନଙ୍କୁ ସଶକ୍ତିକରଣକରିବା ଲାଗି ବିଭାଗର ଉଦ୍ୟମ ଅବ୍ୟାହତ ରହିଥିବା ବିଭାଗୀୟ ସଚିବ ଶ୍ରୀ ରାଜେଶ ଅଗ୍ରବାଲ ସୁନିଶ୍ଚିତ କରିଥିଲେ ।
ଜାତୀୟ ପୁରସ୍କାର ପାଇଥିବା ୩୩ ଜଣଙ୍କୁ ଭିତରୁ ୧୩ ବର୍ଷିୟ ପ୍ରଥମେଶ ଓ ଜାହ୍ନବୀ ଏବଂ ୭୫ ବର୍ଷିୟ ସରୋଜ ଆର୍ଯ୍ୟ ଭିନ୍ନକ୍ଷମମାନଙ୍କ ମେଧା ଓ ସମର୍ପଣ ଭାବକୁ ସୂଚାଉଥିବା ବିଭାଗୀୟ ସଚିବ ରାଜେଶ ଅଗ୍ରବାଲ କହିଥିଲେ । ଭିନ୍ନକ୍ଷମମାନଙ୍କ ସାହାସ ଓ ସ୍ୱୀକୃତିକୁ ସମ୍ମାନ ଜଣାଇ ସେମାନଙ୍କ ତ୍ୟାଗ ଓ ସ୍ୱାବଲମ୍ବନଶୀଳତାର ପ୍ରତୀକ ଭାବେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା କୁହାଯାଇଛି । ଏଥିରେ ଭିନ୍ନକ୍ଷମ ଛାତ୍ରଛାତ୍ରୀ, ପୁରସ୍କୃତ ବ୍ୟକ୍ତିଙ୍କ ପରିବାରବର୍ଗ, ବରିଷ୍ଠ କୂଟନୀତିଜ୍ଞ, ଶିଳ୍ପ ସହଯୋଗୀ, ବିଭାଗୀୟ କର୍ମକର୍ତାଙ୍କ ସମେତ ବହୁ ପଦାଧିକାରୀ ଯୋଗ ଦେଇଥିଲେ ।
     
PBD


(Release ID: 2080909) Visitor Counter : 25