ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ
ଆଇଆରଇଡିଏ ସିଏସଆର କାର୍ଯ୍ୟକ୍ରମର ଅଂଶବିଶେଷ ଭାବେ ଶ୍ରୀଜଗନ୍ନାଥ ମନ୍ଦିର ଠାରେ ୧୦ଟି ବ୍ୟାଟେରୀ ଚାଳିତ ଗାଡ଼ିକୁ ପତାକା ଦେଖାଇ ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ
Posted On:
14 NOV 2024 4:06PM by PIB Bhubaneshwar
କେନ୍ଦ୍ର ନୂତନ ଓ ଅକ୍ଷୟ ଶକ୍ତି, ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀ ଆଜି ପୁରୀସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରରେ 10ଟି ବ୍ୟାଟେରୀ ଚାଳିତ ଯାନକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଭାରତୀୟ ଅକ୍ଷୟ ଶକ୍ତି ବିକାଶ ସଂସ୍ଥା ଲିଃ. (ଆଇଆରଇଡିଏ)ର ସିଏସଆର୍ କାର୍ଯ୍ୟକ୍ରମ ଅଧୀନରେ ଏହି ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ପରିବେଶ ଅନୁକୂଳ ଗମନାଗମନକୁ ପ୍ରୋତ୍ସାହିତ କରିବା ଏବଂ ପବିତ୍ର ତୀର୍ଥସ୍ଥାନକୁ ଆସୁଥିବା ଶ୍ରଦ୍ଧାଳୁମାନଙ୍କ ସୁଗମ୍ୟତାରେ ଉନ୍ନତି ଆଣିବା, ବିଶେଷ କରି ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗମାନଙ୍କୁ ସମ୍ମାନ ଓ ଐତିହ୍ୟ ସ୍ଥଳରେ ସହାୟତା ଯୋଗାଇଦେବା।
ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକଙ୍କୁ ବ୍ୟାଟେରୀ ଚାଳିତ ଯାନର ଚାବି ହସ୍ତାନ୍ତର କରିବା ସମୟରେ ସାଂସ୍କୃତିକ ସ୍ଥଳଗୁଡ଼ିକରେ ଦୀର୍ଘସ୍ଥାୟୀ ସମାଧାନ ଉପରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଯୋଶୀ ଗୁରୁତ୍ୱାରୋପ କରିଥିଲେ। ସେ କହିଥିଲେ, ଏହି ଐତିହାସିକ ମନ୍ଦିରରେ ବ୍ୟାଟେରୀ ଚାଳିତ ଯାନଗୁଡ଼ିକର ମୁତୟନ ସବୁଜ ଶକ୍ତି ପ୍ରତି ଆମର ପ୍ରତିବଦ୍ଧତାକୁ ଦର୍ଶାଉଛି । ଏଗୁଡ଼ିକ ପର୍ଯ୍ୟଟକମାନଙ୍କୁ ଏକ ସୁଲଭ ଏବଂ ପରିବେଶ ଅନୁକୂଳ ପରିବହନ ବିକଳ୍ପ ପ୍ରଦାନ କରିବ । ଏହିପରି ସ୍ଥାୟୀ ସିଏସଆର ପ୍ରକଳ୍ପଗୁଡ଼ିକୁ ସମର୍ଥନ କରିବାରେ ଆଇଆରଇଡିଏର ପ୍ରୟାସ ଦେଶର ସବୁଜ ମିଶନ ପ୍ରତି ସେମାନଙ୍କର ଅତୁଟ ସମର୍ପଣ ଏବଂ ଗୁରୁତ୍ୱପୂର୍ଣ୍ଣ ଐତିହ୍ୟ ସ୍ଥଳରେ ପର୍ଯ୍ୟଟକଙ୍କ ଅଭିଜ୍ଞତାରେ ସୁଧାର ଆଣିବାର ପ୍ରୟାସକୁ ପ୍ରତିଫଳିତ କରେ ବୋଲି ଶ୍ରୀ ଯୋଶୀ କହିଥିଲେ ।
ଆଇଆରଇଡିଏର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ପ୍ରଦୀପ କୁମାର ଦାସ ଦୀର୍ଘସ୍ଥାୟୀତ୍ୱ ପ୍ରତି କମ୍ପାନୀର ସମର୍ପଣ ଉପରେ ଆଲୋକପାତ କରି କହିଥିଲେ, ‘‘ଆମର ସିଏସଆର ପଦକ୍ଷେପ ମାଧ୍ୟମରେ ଐତିହ୍ୟ ସ୍ଥଳକୁ 10ଟି ପରିବେଶ ଅନୁକୂଳ ଯାନ ଯୋଗାଇ ଦେବା ଆଇଆରଇଡିଏ ପାଇଁ ସମ୍ମାନର ବିଷୟ। ଏହି ପ୍ରକଳ୍ପ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଦୀର୍ଘସ୍ଥାୟୀ ଓ ନବୀକରଣଯୋଗ୍ୟ ଶକ୍ତି ସମାଧାନ ଚଳାଇବା ପାଇଁ ଆମର ଲକ୍ଷ୍ୟ ସହିତ ମେଳ ଖାଉଛି ଏବଂ ପରିଦର୍ଶକମାନଙ୍କ ପାଇଁ ପରିବେଶ ଅନୁକୂଳ ପରିବହନ ସୁବିଧା ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି।’’
ଆଇଆରଇଡିଏ ନିର୍ଦ୍ଦେଶକ (ଅର୍ଥ) ଡ. ବି.କେ. ମହାନ୍ତିଙ୍କ ସମେତ ନୂତନ ଏବଂ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ (ଏମଏନଆରଇ), ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ଏବଂ ଆଇଆରଇଡିଏର ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଏହି ସମାରୋହରେ ଯୋଗ ଦେଇଥିଲେ। କେନ୍ଦ୍ର ମନ୍ତ୍ରୀ, ଆଇଆରଇଡିଏର ସିଏମଡି ଏବଂ ଏମଏନଆରଇ ଏବଂ ଆଇଆରଇଡିଏର ଅନ୍ୟ ଅଧିକାରୀମାନେ ଭଗବାନ ଜଗନ୍ନାଥ ମନ୍ଦିରରେ ଦର୍ଶନ କରିଥିଲେ।
*******
PIB Bhubaneswar| P.S/Swadhin/Manoj
(Release ID: 2073447)
Visitor Counter : 32