ରାଷ୍ଟ୍ରପତିଙ୍କ ସଚିବାଳୟ

'କେନ୍ଦୁଝରର ଜନଜାତି: ଲୋକ, ସଂସ୍କୃତି ଓ ଐତିହ୍ୟ' ଶୀର୍ଷକ ଜାତୀୟ ଆଲୋଚନାଚକ୍ରକୁ ଉଦଘାଟନ କଲେ ରାଷ୍ଟ୍ରପତି

Posted On: 29 FEB 2024 6:35PM by PIB Bhubaneshwar

ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଧରଣୀଧର ବିଶ୍ୱବିଦ୍ୟାଳୟ ପକ୍ଷରୁ କେନ୍ଦୁଝରର  ଗମ୍ଭରିଆ ଠାରେ ଆୟୋଜିତ 'କେନ୍ଦୁଝରର ଜନଜାତି: ଲୋକ, ସଂସ୍କୃତି ଓ ଐତିହ୍ୟ' ଶୀର୍ଷକ ଜାତୀୟ ଆଲୋଚନାଚକ୍ରକୁ ଆଜି (ଫେବୃଆରୀ ୨୯, ୨୦୨୪) ଉଦଘାଟନ କରିଛନ୍ତି। ସେ ମଧ୍ୟ ଏହି ଅବସରରେ ଆଦିବାସୀ ପୋଷାକ, ଗହଣା ଏବଂ ଖାଦ୍ୟକୁ ନେଇ ଆୟୋଜିତ ପ୍ରଦର୍ଶନୀକୁ ଉଦଘାଟନ କରିଥିଲେ ।

 

ଏହି ଅବସରରେ ରାଷ୍ଟ୍ରପତି କହିଥିଲେ ଯେ କେନ୍ଦୁଝର ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା। ଏଠାରେ ମୁଣ୍ଡା, କୋହ୍ଲ, ଭୂୟାଁ, ଜୁଆଙ୍ଗ, ବାଥୁଡି, ଗଣ୍ଡ, ସାନ୍ଥାଳ, ଓରାଙ୍ଗ ଓ କନ୍ଧ ଆଦି ସମ୍ପ୍ରଦାୟର ଲୋକ ରହୁଛନ୍ତି। ଆଲୋଚନାରେ ଭାଗ ନେଇଥିବା ଗବେଷକମାନେ ଆଦିବାସୀ ସଂସ୍କୃତିର ସଂରକ୍ଷଣର ବିଭିନ୍ନ ଦିଗ ଉପରେ ଆଲୋଚନା କରି ଠୋସ୍ ସିଦ୍ଧାନ୍ତରେ ପହଞ୍ଚିବେ ବୋଲି ସେ ବିଶ୍ୱାସ ବ୍ୟକ୍ତ କରିଥିଲେ।

 

ରାଷ୍ଟ୍ରପତି କହିଥିଲେ ଯେ ଯଦି କୌଣସି ସମ୍ପ୍ରଦାୟ କିମ୍ବା ଗୋଷ୍ଠୀ ଦେଶର ବିକାଶର ମୁଖ୍ୟ ସ୍ରୋତରୁ ବାଦ୍ ପଡ଼ନ୍ତି, ତେବେ ଆମେ ଏହାକୁ ସମାବେଶୀ ବିକାଶ କହିପାରିବୁ ନାହିଁ। ତେଣୁ ଆଦିବାସୀ ସମ୍ପ୍ରଦାୟର ଅଧିକ ପଛୁଆ ଲୋକଙ୍କ ବିକାଶ ଉପରେ ବିଶେଷ ଧ୍ୟାନ ଦେବାକୁ ପଡ଼ିବ। ବିଲୁପ୍ତ ପ୍ରାୟ ଆଦିବାସୀମାନଙ୍କୁ ସଶକ୍ତ କରିବା ପାଇଁ ଭାରତ ସରକାର ପିଏମ-ଜନମନ ଯୋଜନା ଆରମ୍ଭ କରିଛନ୍ତି । ଏହା ଦ୍ୱାରା ଜୀବିକା, ଦକ୍ଷତା ବିକାଶ, ଶିକ୍ଷା, ସ୍ୱାସ୍ଥ୍ୟ, ଗୃହ ନିର୍ମାଣ, ଟ୍ୟାପ୍ ଜଳ, ପରିମଳ ଓ ପୋଷଣ ମିଳିବ। ସମସ୍ତ ଆଦିବାସୀଙ୍କୁ ସଶକ୍ତ କରିବା ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯାଉଛି ବୋଲି ସେ କହିଛନ୍ତି। ଆଦିବାସୀ କଳା, ସଂସ୍କୃତି ଓ ହସ୍ତଶିଳ୍ପର ସଂରକ୍ଷଣ ଓ ପ୍ରୋତ୍ସାହନ ତଥା ଆଦିବାସୀ ସ୍ୱାଭିମାନର ସୁରକ୍ଷା ପାଇଁ ପ୍ରୟାସ କରାଯାଉଥିବା ନେଇ ସେ ଖୁସି ବ୍ୟକ୍ତ କରିଛନ୍ତି।

 

ରାଷ୍ଟ୍ରପତି କହିଥିଲେ ଯେ ଆଦିବାସୀ ଲୋକମାନେ ସମାନତା ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ସର୍ବାଧିକ ଗୁରୁତ୍ୱ ଦିଅନ୍ତି । 'ମୁଁ' ନୁହେଁ, 'ଆମେ' ଆଦିବାସୀ ସମାଜର ମୌଳିକ ମନ୍ତ୍ର। ଆଦିବାସୀ ସମାଜରେ ମହିଳା ଓ ପୁରୁଷଙ୍କ ମଧ୍ୟରେ କୌଣସି ଭେଦଭାବ ନାହିଁ। ଏହି ଆଭିମୁଖ୍ୟ ହିଁ ମହିଳା ସଶକ୍ତିକରଣର ଆଧାର। ଯଦି ଆମେ ସମସ୍ତେ ଏହି ମୂଲ୍ୟବୋଧକୁ ଗ୍ରହଣ କରିବା, ତେବେ ମହିଳା ସଶକ୍ତିକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇପାରିବ ।

 

ଶିକ୍ଷକମାନଙ୍କୁ ସମ୍ବୋଧିତ କରି ରାଷ୍ଟ୍ରପତି କହିଥିଲେ ଯେ ସେମାନେ ଶିକ୍ଷାଦାନ ସହିତ ଗବେଷଣା ଉପରେ ଧ୍ୟାନ ଦେବା ଉଚିତ୍ । ଆଦିବାସୀ ଗାଁକୁ ଯାଇ ଗ୍ରାମବାସୀଙ୍କ ଅବସ୍ଥା ବୁଝିବାକୁ ସେ ଅନୁରୋଧ କରିଛନ୍ତି। ସେ କହିଥିଲେ ଯେ ଆଦିବାସୀ ସମାଜରେ ପାରମ୍ପରିକ ଜ୍ଞାନର ଭଣ୍ଡାର ରହିଛି। ଅଭିଜ୍ଞ ଆଦିବାସୀ ଭାଇ ଭଉଣୀମାନେ ଗଛ, ଲତା ଓ ଔଷଧକୁ ଚିହ୍ନିବା, ବ୍ୟବହାର କରିବା ଏବଂ ଏହାର ବିଶେଷ ଔଷଧୀୟ ଗୁଣ ଚିହ୍ନଟ କରିବାର କଳା ଜାଣନ୍ତି । ସେ କହିଛନ୍ତି ଯେ ସେମାନେ ସେହି ବିଷୟ ଉପରେ ଗବେଷଣା କରିବା ଉଚିତ ଏବଂ ଆଗ୍ରହୀ ଛାତ୍ରଛାତ୍ରୀଙ୍କୁ ଗବେଷଣା କରିବାକୁ ପ୍ରେରଣା ଦେବା ଉଚିତ୍ । ମାନବ ସମାଜର ହିତ ପାଇଁ ପାରମ୍ପରିକ ଜ୍ଞାନର ପ୍ରୟୋଗ ପ୍ରତି ଧ୍ୟାନ ଦେବା ସହ ଏହାକୁ ବିଲୁପ୍ତ ହେବାରୁ ରକ୍ଷା କରିବା ପାଇଁ ପ୍ରୟାସ କରିବାକୁ ସେ ଅନୁରୋଧ କରିଥିଲେ।

 

ରାଷ୍ଟ୍ରପତି କହିଥିଲେ ଯେ ଛାତ୍ରଛାତ୍ରୀଙ୍କ ପାଖରେ ପ୍ରଚୁର ସମ୍ଭାବନା ଓ ସୁଯୋଗ ରହିଛି। ଶିକ୍ଷା ଓ ଦକ୍ଷତା ବଳରେ ସେମାନେ ଜୀବିକା ନିର୍ବାହ କରିବା ସହ ଆତ୍ମନିର୍ଭରଶୀଳ ହୋଇପାରିବେ। ଶିକ୍ଷା ମାଧ୍ୟମରେ ନୂତନ ଜ୍ଞାନକୌଶଳ ସହ ଯୋଡ଼ି ହେବା ସହିତ ନିଜର ମୂଳକୁ ନଭୁଲିବା ପାଇଁ ସେ ଅନୁରୋଧ କରିଥିଲେ ।

 

HS



(Release ID: 2010424) Visitor Counter : 54