ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ

ଦୁଇ ଦିନିଆ କାର୍ଯ୍ୟକ୍ରମ 'ଆଦି ବ୍ୟାଖ୍ୟାନ' କୁ ଉଦ୍‌ଘାଟନ କଲେ ଶ୍ରୀ ଅର୍ଜୁନ ମୁଣ୍ଡା


ଜନଜାତି ପରମ୍ପରା ଓ ସଂସ୍କୃତିର ଜଟିଳତାକୁ ଗଭୀର ଭାବରେ ବୁଝିବା ଏବଂ ସେମାନଙ୍କ ଅସ୍ତିତ୍ୱ ପ୍ରତି ଥିବା ଆହ୍ୱାନ ଗୁଡ଼ିକୁ ଖୋଜି ବାହାର କରିବା ପାଇଁ ଦୁଇ ଦିନିଆ ଜନଜାତି ଅଭିମୁଖୀକରଣ କାର୍ଯ୍ୟକ୍ରମ 'ଆଦି ବ୍ୟାଖ୍ୟାନ' କୁ ଶ୍ରୀ ଅର୍ଜୁନ ମୁଣ୍ଡା ଉଦ୍‌ଘାଟନ କରିଛନ୍ତି

ଜନଜାତି ପରିଚୟ ସଂରକ୍ଷଣ ପାଇଁ ଜନଜାତି ଭାଷା ଓ ସାହିତ୍ୟ ଗୁରୁତ୍ୱପୂର୍ଣ୍ଣ : ଶ୍ରୀ ଅର୍ଜୁନ ମୁଣ୍ଡା

ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ୫ଟି ରାଜ୍ୟ ଛତିଶଗଡ଼, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଓଡ଼ିଶା ଓ ଆସାମର ମୁଣ୍ଡା ସମ୍ପ୍ରଦାୟର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ

Posted On: 21 DEC 2023 6:05PM by PIB Bhubaneshwar

କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଶ୍ରୀ ଅର୍ଜୁନ ମୁଣ୍ଡା ଆଜି ନୂଆଦିଲ୍ଲୀରେ ଦୁଇ ଦିନିଆ ଜନଜାତି ଅଭିମୁଖୀ କାର୍ଯ୍ୟକ୍ରମ 'ଆଦି ବ୍ୟାଖ୍ୟାନ' କୁ ଉଦ୍‌ଘାଟନ କରିଛନ୍ତି । ଜାତୀୟ ଜନଜାତି ଗବେଷଣା ପ୍ରତିଷ୍ଠାନ (ଏନ୍‌ଟିଆରଆଇ) ପକ୍ଷରୁ ଜନଜାତି ପରମ୍ପରା ଓ ସଂସ୍କୃତିର ଜଟିଳତାକୁ ଗଭୀର ଭାବରେ ବୁଝିବା ଏବଂ ସେମାନଙ୍କ ଅସ୍ତିତ୍ୱ ପ୍ରତି ଥିବା ଆହ୍ୱାନ ଗୁଡ଼ିକୁ ଖୋଜି ବାହାର କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଜନଜାତି ମାନଙ୍କ ପରିଚୟ ଏବଂ ଦେଶର ସାଂସ୍କୃତିକ ବିବିଧତା କ୍ଷେତ୍ରରେ ଜନଜାତି ମାନଙ୍କ ଅବଦାନକୁ ଖୋଜି ବାହାର କରିବା ପାଇଁ ଏହା ଏକ ପଦକ୍ଷେପ । 

ପଞ୍ଚାୟତ (ଅନୁସୂଚିତ ଅଞ୍ଚଳ ସମ୍ପ୍ରସାରଣ) (ପିଇଏସ୍‌ଏ) ଆଇନ, ୧୯୯୬, ଜଙ୍ଗଲ ଅଧିକାର ଆଇନ (ଏଫ୍‌ଆର୍‌ଏ), ୨୦୦୬, ଅନୁସୂଚିତ ଜାତି / ଜନଜାତି ଅତ୍ୟାଚାର ନିବାରଣ ଆଇନ, ୧୯୮୯ର ସୂକ୍ଷ୍ମତାକୁ ଉନ୍ମୋଚନ କରିବା ପାଇଁ ଆଦି ବ୍ୟାଖ୍ୟାନ ଜନଜାତି ସମ୍ପ୍ରଦାୟ ମାନଙ୍କୁ ଭାରତର ପରିସଂଖ୍ୟାନ ସୂଚନା ଏବଂ ସାମ୍ବିଧାନିକ ସୁରକ୍ଷା ବ୍ୟବସ୍ଥା ସହିତ ପରିଚିତ କରାଇବ । ଏହା ଜନଜାତି ଶାସନ ଏବଂ ଜମି ଅଧିକାରକୁ ଆକାର ଦେଉଥିବା ଆଇନଗତ ଢାଞ୍ଚା ବିଷୟରେ ମୂଲ୍ୟବାନ ଜ୍ଞାନ ପ୍ରଦାନ କରିବ ଏବଂ ଜନଜାତି ଲୋକମାନେ ଏହାକୁ ଗଭୀର ଭାବେ ବୁଝିବା ପାଇଁ ମଞ୍ଚ ପ୍ରସ୍ତୁତ କରିବ ବୋଲି ଆଶା କରାଯାଉଛି । ଉଦଘାଟନୀ କାର୍ଯ୍ୟକ୍ରମରେ ୫ଟି ରାଜ୍ୟ (ଛତିଶଗଡ଼, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଓଡ଼ିଶା ଓ ଆସାମ) ର ମୁଣ୍ଡା ସମ୍ପ୍ରଦାୟର ପ୍ରତିନିଧିମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ । 

ଉଦ୍‌ଘାଟନୀ ଭାଷଣ ଦେଇ ଶ୍ରୀ ଅର୍ଜୁନ ମୁଣ୍ଡା ଜନଜାତି ମାନଙ୍କ ପରିଚୟ, ସେମାନଙ୍କ ମାନ୍ୟତା ଓ ସଂରକ୍ଷଣ ଉପରେ ଗୁରୁତ୍ୱାରୋପ କରିଥିଲେ । ଜନଜାତି ପରିଚୟ ବଜାୟ ରଖିବା ପାଇଁ ଜନଜାତି ଭାଷା ଓ ସାହିତ୍ୟ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଥିଲେ । ଜନଜାତି ମାନଙ୍କ ଉନ୍ନତି ପାଇଁ ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହା ଅଭିଯାନ (ପିଏମ - ଜନମନ) ସମେତ ବିଶେଷ ଭାବେ ଦୁର୍ବଳ ଜନଜାତି ଗୋଷ୍ଠୀ (ପିଭିଟିଜି) ପାଇଁ ସରକାରଙ୍କ ପ୍ରୟାସ ଉପରେ ମନ୍ତ୍ରୀ ଆଲୋକପାତ କରିଥିଲେ । ଏଫଆରଏ, ୨୦୦୬ ; ପିଇଏସ୍‌ଏ, ୧୯୯୬; ଅନୁସୂଚିତ ଜାତି / ଜନଜାତି ଅତ୍ୟାଚାର ନିବାରଣ ଆଇନ, ୧୯୮୯  ଉପରେ ଆଲୋଚନାକୁ ଆଗକୁ ବଢାଇବା ପାଇଁ ଶ୍ରୀ ମୁଣ୍ଡା ଆଦି ମନ୍ଥନକୁ ପ୍ରଶଂସା କରିଥିଲେ; ଏବଂ ଜନଜାତି ସମ୍ପ୍ରଦାୟ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ଏନ୍‌ଟିଆରଆଇ ଭଳି ଗବେଷଣା ଅନୁଷ୍ଠାନର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ । ଭାରତୀୟ ସମ୍ବିଧାନରେ ଜନଜାତି ମାନଙ୍କ ସମ୍ପର୍କିତ ବ୍ୟବସ୍ଥା ସମ୍ପର୍କରେ ଅବଗତ କରାଇବାର ଆବଶ୍ୟକତା ଉପରେ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ଜନଜାତି ସମ୍ପ୍ରଦାୟର କଲ୍ୟାଣ ପାଇଁ ଅତୀତ, ବର୍ତ୍ତମାନ ଏବଂ ଭବିଷ୍ୟତ ବିଷୟରେ ପୁନଃଦୃଷ୍ଟି ଦେବା ଓ ପୁନର୍ବିଚାର କରିବାର ଆବଶ୍ୟକତାକୁ ସେ ସ୍ୱୀକାର କରିଥିଲେ । 

ଏନ୍‌ଟିଆରଆଇର ସ୍ୱତନ୍ତ୍ର ନିର୍ଦ୍ଦେଶକ ପ୍ରଫେସର ନୁପୁର ତିୱାରୀ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମର ରୂପରେଖ ପ୍ରଦାନ କରି କହିଥିଲେ ଯେ ଭାରତରେ ଜନଜାତି ସମ୍ପ୍ରଦାୟ ମାନଙ୍କ ସହ ଆଲୋଚନା ଏବଂ ଯୋଗାଯୋଗକୁ ଉତ୍ସାହିତ କରିବା ପାଇଁ ଆଦି ବ୍ୟାଖ୍ୟାନ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଭାରତ ମୁଣ୍ଡା ସମାଜର ସଭାପତି ଏତୱା ମୁଣ୍ଡା କହିଛନ୍ତି ଯେ ଏଭଳି ଆଲୋଚନାଚକ୍ର ଆଦିବାସୀଙ୍କ ଭାଷା ଓ ସଂସ୍କୃତିର ସୁରକ୍ଷା ଓ ସଂରକ୍ଷଣରେ ସହାୟକ ହେବା ସହ ଭବିଷ୍ୟତ ପିଢ଼ିକୁ ମାର୍ଗଦର୍ଶନ କରିବାରେ ସହାୟକ ହେବ । ଭାରତ ମୁଣ୍ଡା ସମାଜର ଉପସଭାପତି ଶ୍ରୀମତୀ ରୂପଲକ୍ଷ୍ମୀ ମୁଣ୍ଡା ଜନଜାତି ସମାଜରେ ନାରୀ ପ୍ରଗତି ଓ ସେମାନଙ୍କ ଆହ୍ୱାନ ଉପରେ ଆଲୋକପାତ କରିଥିଲେ । ତାଙ୍କ ମତରେ ଆଦିବ୍ୟାଖ୍ୟାନ ଆଲୋଚନା ଜନଜାତି ମହିଳାଙ୍କ ମୁକ୍ତି ପାଇଁ ଏକ ମଞ୍ଚ ଭାବେ କାମ କରିପାରେ ।

ଓରିଏଣ୍ଟେସନ୍ କାର୍ଯ୍ୟକ୍ରମରେ ଜନଜାତି ବ୍ୟାପାର ମନ୍ତ୍ରଣାଳୟ (ଏମ୍‌ଓଟିଏ) ଅଧୀନରେ ଆଦିବାସୀ ବିକାଶର ସର୍ବୋତ୍ତମ ଅଭ୍ୟାସ ପ୍ରଦର୍ଶନ କରାଯିବ । ଏହାବ୍ୟତୀତ କଳା ନିଧି ଏବଂ ଏନ୍‌ଟିଆରଆଇ ନେତୃତ୍ୱାଧୀନ ଜନଜାତି ସଂଗ୍ରହାଳୟ ପରିଦର୍ଶନ ଆମ ଜନଜାତି ଐତିହ୍ୟର ସାଂସ୍କୃତିକ ସମୃଦ୍ଧିର ଏକ ମୂଲ୍ୟବାନ ଝଲକ ପ୍ରଦାନ କରିବ ।

*****

SSP



(Release ID: 1989411) Visitor Counter : 71


Read this release in: English , Urdu , Hindi