କୌଶଳ ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ

‘ଇଣ୍ଡିଆ ସ୍କିଲ୍ ୨୦୨୩-୨୪’ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ


ସ୍କିଲ୍ ପ୍ରତିଯୋଗିତାରେ ୨୫ ଲକ୍ଷ ଲୋକଙ୍କୁ ଯୋଡିବା ପାଇଁ ଆହ୍ୱାନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଦୁନିଆର ଆବଶ୍ୟକତାକୁ ବୁଝିଲେ ଆମେ ସ୍କିଲ୍ ଗ୍ୟାପକୁ ହ୍ରାସ କରିପାରିବା

କମ୍ପିଟାନ୍ସିକୁ ଜନଆନ୍ଦୋଳନରେ ପରିଣତ କରିବା ପାଇଁ ଆହ୍ୱାନ କଲେ କେନ୍ଦ୍ରମନ୍ତ୍ରୀ

ଓ୍ୱାର୍ଲଡ୍ ସ୍କିଲ୍ସ ୨୦୨୨ର ବିଜେତାଙ୍କୁ ସମ୍ବର୍ଦ୍ଧିତ କରିବା ସହ ଅଭିନନ୍ଦନ ଜଣାଇଲେ

ଭାରତ ହେଉଛି ଯୁବଶକ୍ତିର ଦେଶ, ଯୁବବର୍ଗଙ୍କୁ ସ୍କିଲଡ୍ ନ କଲେ ବିକଶିତ ଭାରତର ଲକ୍ଷ୍ୟ ପୂରଣ ହୋଇପାରିବ ନାହିଁ

ପିଲାଙ୍କ ରୁଚି ଅନୁସାରେ ପାଠ ପଢାଇବା ଉପରେ ଜାତୀୟ ଶିକ୍ଷା ନୀତିରେ ପ୍ରାଧାନ୍ୟ ଦିଆଯାଇଛି

ଡିଗ୍ରୀ ଅପେକ୍ଷା ଅଧିକ ସାମର୍ଥ୍ୟ ଉପରେ ଗୁରୁତ୍ୱ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି

ଭାରତରେ ୨୦୧୭ରେ ବେରୋଜଗାର ହାର ୬ ପ୍ରତିଶତ ଥିବା ବେଳେ ୨୦୨୨-୨୩ରେ ଏହା ୩.୨ ପ୍ରତିଶତରେ ପହଞ୍ଚିଛି

Posted On: 17 OCT 2023 5:34PM by PIB Bhubaneshwar

ବଜାରର ଆବଶ୍ୟକତା ଏବଂ ଭିତ୍ତିଭୂମିର ବିକାଶ ପାଇଁ ଦରକାର ଥିବା ଦକ୍ଷତା ଉପରେ ମ୍ୟାପିଂ ହେବା ଦରକାର । ଦୁନିଆର ଆବଶ୍ୟକତାକୁ ବୁଝିଲେ ହିଁ ଆମେ ସ୍କିଲ୍ ଦୂରତାକୁ ହ୍ରାସ କରିପାରିବା ବୋଲି ମଙ୍ଗଳବାର ନୂଆଦିଲ୍ଲୀ ଠାରେ ‘ଇଣ୍ଡିଆ ସ୍କିଲ୍ ୨୦୨୩-୨୪’ର ଶୁଭାରମ୍ଭ କରିବା ଅବସରରେ ଆହ୍ୱାନ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି ସ୍କିଲ୍ ପ୍ରତିଯୋଗିତାରେ ୨୫ ଲକ୍ଷ ଲୋକଙ୍କୁ ଯୋଡିବା ପାଇଁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି ।



ଶ୍ରୀ ପ୍ରଧାନ କହିଛନ୍ତି ଯେ ୨୦୨୪ ସୁଦ୍ଧା ବିକଶିତ ଭାରତ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ୱାନ କରିଛନ୍ତି । ଭାରତକୁ ବିକଶିତ କରିବାକୁ ହେଲେ ସମସ୍ତଙ୍କୁ ସ୍କିଲ୍ କରିବାକୁ ହେବ । ଭାରତ ହେଉଛି ଯୁବଶକ୍ତିର ଦେଶ । ଯୁବବର୍ଗଙ୍କୁ ସ୍କିଲଡ୍ ନ କଲେ ବିକଶିତ ଭାରତର ଲକ୍ଷ୍ୟ ପୂରଣ ହୋଇପାରିବ ନାହିଁ । ତେଣୁ ଶିଳ୍ପ, ଶିକ୍ଷାନୁଷ୍ଠାନ ସହ ମିଳିତ ଭାବରେ ସମସ୍ତଙ୍କ କମ୍ପିଟାନ୍ସିଂ ବା ସାମର୍ଥ୍ୟକୁ ଜନଆନ୍ଦୋଳନରେ ପରିଣତ କରିବାକୁ ହେବ ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଆମ ଦେଶରେ ବେରୋଜଗାରୀ ହ୍ରାସ ପାଇଛି । ଭାରତରେ ୨୦୧୭ରେ ବେରୋଜଗାର ହାର ୬ ପ୍ରତିଶତ ଥିବା ବେଳେ ୨୦୨୨-୨୩ରେ ଏହା ୩.୨ ପ୍ରତିଶତରେ ପହଞ୍ଚିଛି । କ୍ରମାଗତ ଭାବରେ କର୍ମ କ୍ଷେତ୍ରରେ ମହିଳାଙ୍କ ଅଂଶଗ୍ରହଣ ବଢୁଛି । ସମସ୍ତଙ୍କୁ ବିଶେଷ ଭାବରେ କର୍ମ କ୍ଷେତ୍ରରେ ଥିବା ସବୁ ଗ୍ରୁପର ଲୋକମାନଙ୍କୁ ସ୍କିଲିଂ, ରି-ସ୍କିଲିଂ ଏବଂ ଅପ୍ ସ୍କିଲିଂ କରାଇବାକୁ ପଡିବ । ଭାରତର ହସ୍ତତନ୍ତ, ବୟନ ଶିଳ୍ପ ଦୁନିଆର କେଉଁ ସ୍ଥାନରେ ମିଳେନାହିଁ । ଏହା ହିଁ ଆମ ଭାରତର ଦକ୍ଷତା । ବିଶ୍ୱ ଏବେ ଭାରତକୁ ଅନୁସରଣ କରୁଛି ।



ଆମ ଦେଶରେ ପୁସ୍ତକର ମହତ୍ୱ ଅଧିକ । ତେବେ ଡିଗ୍ରୀ ଅପେକ୍ଷା ଅଧିକ ସାମର୍ଥ୍ୟ ଉପରେ ଗୁରୁତ୍ୱ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ଆମ ଦେଶର ଛାତ୍ରଛାତ୍ରୀମାନେ ବିଶେଷ ପାଠ୍ୟକ୍ରମକୁ ଆପଣାଇବାରେ ଆଗକୁ ବଢୁଛନ୍ତି । ଛାତ୍ରଛାତ୍ରୀଙ୍କ ଆଲୋଚନା କରିବା ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ସମସ୍ତଙ୍କ ମଧ୍ୟରେ କିଛି ନା କିଛି ରୁଚି ଅଛି । ପିଲାଙ୍କ ରୁଚି ଅନୁସାରେ ପାଠ ପଢାଇବା ଉପରେ ଜାତୀୟ ଶିକ୍ଷା ନୀତିରେ ପ୍ରାଧାନ୍ୟ ଦିଆଯାଇଛି । ଛାତ୍ରଛାତ୍ରୀଙ୍କ ପସନ୍ଦ ଅନୁସାରେ ସେମାନଙ୍କର ପାଠପଢା ହେବା ଉଚିତ୍ । ପାଠପଢା ଏବଂ କର୍ମକ୍ଷେତ୍ରରେ ଉଭୟ କ୍ଷେତ୍ରରେ ଦକ୍ଷତା ବିକାଶ ହେବା ଦରକାର ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ଉଲ୍ଲେଖନୀୟ ଯେ, ଏହି ଅବସରରେ ଶ୍ରୀ ପ୍ରଧାନ ଓ୍ୱାର୍ଲଡ୍ ସ୍କିଲ୍ସ ୨୦୨୨ର ବିଜେତାଙ୍କୁ ସମ୍ବର୍ଦ୍ଧିତ କରିବା ସହ ଅଭିନନ୍ଦନ ଜଣାଇଥିଲେ ।

RoM



(Release ID: 1968521) Visitor Counter : 102


Read this release in: English , Urdu , Marathi , Hindi