କୋଇଲା ମନ୍ତ୍ରଣାଳୟ
୧୭,୦୦୦ କର୍ମଜୀବୀଙ୍କୁ ଭିଆର୍ - ଆଧାରିତ ସୁରକ୍ଷା ଏବଂ ପରିଚାଳନା ପ୍ରଶିକ୍ଷଣ ପ୍ରଦାନ କରିବ ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍
ଦକ୍ଷତା ବିକାଶ ପାଇଁ ୬.୫ କୋଟି ଟଙ୍କା ଖର୍ଚ୍ଚ ହେବ
ଏମ୍ସିଏଲ୍ ୨୦୨୨-୨୩ ରେ ୧୯୩ ମିଲିୟନ୍ ଟନ୍ କୋଇଲା ଉତ୍ପାଦନ କରିଛି
Posted On:
07 JUL 2023 5:51PM by PIB Bhubaneshwar
ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ (ଏମ୍ସିଏଲ୍) ୨୦୨୬ ସୁଦ୍ଧା ଏହାର ୧୭,୦୦୦ କର୍ମଜୀବୀଙ୍କୁ ସୁରକ୍ଷା ଏବଂ ପରିଚାଳନା ତାଲିମ ପ୍ରଦାନ କରିବା ପାଇଁ ଭର୍ଚୁଆଲ୍ ରିଅଲିଟି ଅର୍ଥାତ୍ (ଭିଆର୍) ଆଧାରିତ ସାମର୍ଥ୍ୟ ବିକାଶ କାର୍ଯ୍ୟକ୍ରମ ପ୍ରବର୍ତ୍ତନ କରିଛି । କମ୍ପାନୀ କୋଇଲା ଖଣି ମାଲିକଙ୍କ ଦକ୍ଷତା ବିକାଶ ପାଇଁ ୬.୫ କୋଟି ଟଙ୍କା ବଜେଟ୍ ଧାର୍ଯ୍ୟ କରିଛି ।
ନିରାପଦ ତଥା ଅଧିକ ଉତ୍ପାଦନକାରୀ ଖଣି ପରିଚାଳନାର ଅଂଶ ଭାବରେ କୁଶଳୀ କର୍ମଜୀବୀ ମାନଙ୍କ ଉପରେ ଗୁରୁତ୍ୱ ଦେଇ ଏମ୍ସିଏଲ୍ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଓମ୍ ପ୍ରକାଶ ସିଂହ କହିଛନ୍ତି ଯେ ଅଗ୍ରଗତି ଏବଂ ପ୍ରବର୍ତ୍ତନ ସହିତ ଅତ୍ୟାଧୁନିକ ଜ୍ଞାନ କୌଶଳ ଏବଂ ଖଣି କ୍ଷେତ୍ରରେ ନୂତନ ପ୍ରଯୁକ୍ତି ବିଦ୍ୟା ବ୍ୟବହାର କରି ଦକ୍ଷତା ବିକାଶ ପାଇଁ ନିୟମିତ ତାଲିମ ଆବଶ୍ୟକ ।
ଏମ୍ସିଏଲ୍ ୨୦୨୬ ସୁଦ୍ଧା ୩୦୦ ମିଲିୟନ୍ ଟନ୍ (ଏମ୍ଟି) କୋଇଲା ଉତ୍ପାଦନ ଲକ୍ଷ୍ୟ ହାସଲ କରିବା ନିମନ୍ତେ ଏବଂ କୋଲ୍ ଇଣ୍ଡିଆ ଲିମିଟେଡ୍ ଏକ ବିଲିୟନ ଟନ୍ ଉତ୍ପାଦନ ଲକ୍ଷ୍ୟ ହାସଲ କରିବା ନିମନ୍ତେ ପରିଚାଳନା କାର୍ଯ୍ୟକଳାପରେ ଜଡିତ ଶ୍ରମିକ ମାନଙ୍କର ବୈଷୟିକ ଦକ୍ଷତାକୁ ନବୀକରଣ କରିବାକୁ ଯୋଜନା କରିଛି । ଶ୍ରମିକ ମାନଙ୍କୁ ଭିଆର - ଆଧାରିତ ତାଲିମ ବ୍ୟବସ୍ଥା ଖର୍ଚ୍ଚ କମ୍ କରିବ ଏବଂ ସମୟ ସଞ୍ଚୟ କରିବ ।
ବ୍ୟବସାୟ ପ୍ରକ୍ରିୟାରେ ଡିଜିଟାଲୀକରଣ ଦିଗରେ ଏକ ପଦକ୍ଷେପ ଭାବରେ ଆରମ୍ଭ ହୋଇଥିବା ଏହି ବ୍ୟବସ୍ଥା ପ୍ରାୟ ୧୭,୦୦୦ ବିଭାଗୀୟ ତଥା ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ପାଇଁ ଆଭାଷୀ ବାସ୍ତବିକତା - ଆଧାରିତ ପ୍ରଶିକ୍ଷଣର ପ୍ରବର୍ତ୍ତନ ଏହି ଆଧୁନିକ ଜ୍ଞାନକୌଶଳର ୧୮ ଟି ତାଲିମ ମୋଡ୍ୟୁଲ୍ ପାଇଁ ଏକ ପ୍ରମୁଖ ପଦକ୍ଷେପ ଭାବରେ କାର୍ଯ୍ୟ କରିବ ।
ବ୍ୟବସାୟ ପ୍ରକ୍ରିୟାରେ ନୂତନ ଟେକ୍ନୋଲୋଜିର ପ୍ରବର୍ତ୍ତନ ପାଇଁ କୋଲ୍ ଇଣ୍ଡିଆ ଲିମିଟେଡର ଧ୍ୱଜା ବହନକାରୀ ଏମ୍ସିଏଲ୍ ଗବେଷଣା ଏବଂ ଅନୁସନ୍ଧାନ ଅନୁଷ୍ଠାନ ଗୁଡିକ ସହିତ ଏବଂ ଶିଳ୍ପ ବିଶେଷଜ୍ଞ ମାନଙ୍କ ସହ ସମନ୍ୱିତ ପ୍ରୟାସ ଏବଂ ଜ୍ଞାନ ବଣ୍ଟନ ମାଧ୍ୟମରେ ବ୍ୟବସାୟ କାର୍ଯ୍ୟକୁ ଆଧୁନିକୀକରଣ କରିବା ପ୍ରକ୍ରିୟାରେ ରହିଛି ।
ଏମ୍ସିଏଲ୍ର ଇନୋଭେସନ୍ ସେଲ୍, ସୁରକ୍ଷା ଏବଂ ଉଦ୍ଧାର, ବୈଦ୍ୟୁତିକ ଏବଂ ମେକାନିକାଲ୍, ଖନନ ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ଟେଲି ଯୋଗାଯୋଗ ବିଭାଗ ଦ୍ୱାରା ମିଳିତ ଭାବରେ ଆରମ୍ଭ ହୋଇଥିବା ଏହି ପଦକ୍ଷେପ, ୩ଜି ସିମୁଲେଟେଡ୍ ଆଭାଷୀ ବାସ୍ତବିକତା - ପ୍ଲାଟଫର୍ମରେ ନିରନ୍ତର ତାଲିମକୁ ଏକୀକୃତ କରିବା ପାଇଁ ଯୋଜନା କରାଯାଇଛି ।
ଏହା ଶ୍ରମିକ ମାନଙ୍କୁ କୋଇଲା ଖଣି କିମ୍ବା କର୍ମଶାଳାରେ ଚାକିରି କରିବା ପୂର୍ବରୁ ନିରାପଦ ତାଲିମ ପରିବେଶ ପ୍ରଦାନ କରିବ, ଏହା ସହିତ ପ୍ରାରମ୍ଭିକ ତାଲିମ ଏବଂ ଅନୁପ୍ରବେଶରେ ବିପଜ୍ଜନକ କାର୍ଯ୍ୟକଳାପର ପ୍ରତ୍ୟକ୍ଷ ବିପଦକୁ ହ୍ରାସ କରିଥାଏ ।
ହାଇଦ୍ରାବାଦର ଭର୍ଚୁଆଲ୍ ରିଅଲିଟି କମ୍ପାନୀ ମେସର୍ସ କନକଟ୍ ହ୍ୟୁମାନ ରିସୋର୍ସ ପ୍ରାକ୍ଟିସନର୍ସ (ସିଏଚ୍ଆର୍ପି – ଇଣ୍ଡିଆ) ପ୍ରାଇଭେଟ୍ ଲିମିଟେଡ୍କୁ ସିମୁଲେସନ୍ ବାତାବରଣର ବିକାଶ ଏବଂ ବ୍ଲାଷ୍ଟିଂ, ଖଣି ନିରୀକ୍ଷଣ, ବିଦ୍ୟୁତ୍ ସୁରକ୍ଷା କାର୍ଯ୍ୟ କରିବା, ଯାତାୟାତ ଅନୁକରଣ, ଇଞ୍ଜିନ୍ / ଟ୍ରାନ୍ସମିସନ୍ ରକ୍ଷଣାବେକ୍ଷଣ ଇତ୍ୟାଦି କ୍ଷେତ୍ର ଗୁଡିକରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଚାଲୁ ରଖିବା ପାଇଁ ସରକାରୀ ଇ – ମାର୍କେଟପ୍ଲେସ୍ (ଜିଇଏମ୍)ରେ ପ୍ରତିସ୍ପର୍ଦ୍ଧୀ ନିଲାମ ମାଧ୍ୟମରେ କାର୍ଯ୍ୟଭାର ଦିଆ ଯାଇଛି ।
କୋଲ୍ ଇଣ୍ଡିଆ ଲିମିଟେଡ୍ର ସର୍ବୋଚ୍ଚ କୋଇଲା ଉତ୍ପାଦନକାରୀ ସହାୟକ କମ୍ପାନୀ ଏମ୍ସିଏଲ୍, ଓଡ଼ିଶାର ସୁନ୍ଦରଗଡ, ଝାରସୁଗୁଡା ଏବଂ ଅନଗୁଳ ଜିଲ୍ଲାରେ ଖଣି ପରିଚାଳନା ସହିତ ଜଡିତ ରହିଛି ଏବଂ ଏହା ଗତ ଆର୍ôଥକ ବର୍ଷ ୨୦୨୨ - ୨୩ ମସିହାରେ ୧୯୩ ନିୟୁତ ଟନରୁ ଅଧିକ କୋଇଲା ଉତ୍ପାଦନ କରି ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର ଗୁଡିକୁ ରେକର୍ଡ ୧୪୮ ନିୟୁତ ଟନ୍ କୋଇଲା ଯୋଗାଣ କରିଥିଲା ।
********
SSP
(Release ID: 1938041)
Visitor Counter : 142