ଅର୍ଥ ମନ୍ତ୍ରଣାଳୟ
କୋଭିଡ୍ ମହାମାରୀ ପାଇଁ ଏମ୍ଏସ୍ଏମ୍ଇକୁ ସରକାରଙ୍କ ବଡ ସହାୟତା ପ୍ରଦାନ; ଏ ସଂକ୍ରାନ୍ତ ପୂର୍ବ ଘୋଷଣାକୁ କେନ୍ଦ୍ର ବଜେଟ୍ ୨୦୨୩-୨୪ରେ ପୂରଣ କରାଯାଇଛି
ଚୁକ୍ତି କାର୍ଯ୍ୟକାରୀ କରିବାରେ ବିଫଳତା ଯୋଗୁଁ ବାଜ୍ୟାପ୍ତ ହୋଇଥିବା ଅମାନତର ୯୫ ଶତାଂଶ ଫେରସ୍ତ ହେବ; ଫେରସ୍ତ ହେବାକୁ ଥିବା ଏହି ଅର୍ଥ ଉପରେ କୌଣସି ସୁଧ ପ୍ରଦାନ କରାଯିବ ନାହିଁ
ଦ୍ରବ୍ୟ ସେବା ପାଇଁ ଏମ୍ଏସ୍ଏସ୍ଇ ସହିତ ଚୁକ୍ତି କରିଥିବା ସବୁ ମନ୍ତ୍ରଣାଳୟ, ବିଭାଗ, କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଆଦି ନିମନ୍ତେ ଏହି ସହାୟତା ପ୍ରଦାନ ବ୍ୟବସ୍ଥା ପ୍ରଯୁଜ୍ୟ ହେବ ଏବଂ ସେମାନେ ବାଜ୍ୟାପ୍ତ ହୋଇଥିବା ଅମାନତ ଅର୍ଥର ୯୫% ଫେରାଇବ
Posted On:
06 FEB 2023 4:18PM by PIB Bhubaneshwar
ଅର୍ଥ ମନ୍ତ୍ରଣାଳୟ ଆଜି ଦେଶର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବା ଏମ୍ଏସ୍ଏମଇ ପାଇଁ କୋଭିଡ ମହାମାରୀ ସମୟ ନିମନ୍ତେ ବଡ ସହାୟତା ଯୋଗାଇଛି । ଏହି ମର୍ମରେ କେନ୍ଦ୍ର ଅର୍ଥ ବ୍ୟୟ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ।
କୋଭିଡ ମହାମାରୀ କାଳରେ ଏମ୍ଏସ୍ଏମଇ କ୍ଷେତ୍ର ପ୍ରଭାବିତ ହେବାରୁ କେନ୍ଦ୍ରର ବିଭିନ୍ନ ମନ୍ତ୍ରଣାଳୟ, ବିଭାଗ ଏବଂ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ସହିତ ସାମଗ୍ରୀ ତଥା ସେବା ଯେଗାଣ ପାଇଁ ଯେଉଁ ଚୁକ୍ତି ହୋଇଥିଲା ତାହାକୁ ସମ୍ପୃକ୍ତ ସଂସ୍ଥା ଓ ଉଦ୍ୟୋଗ ପୂରଣ କରି ପାରି ନ ଥିଲେ । ତେଣୁ ନିୟମ ଅନୁସାରେ ଏମ୍ଏସ୍ଏମଇ କ୍ଷେତ୍ରରେ ଯୋଗାଣକାରୀ ଯେଉଁ ଅମାନତ ଟଙ୍କା ଜମା କରିଥିଲେ ସର୍ତ୍ତ ରକ୍ଷା କରି ନ ପାରିବାରୁ ତାହା ବାଜ୍ୟାପ୍ତ ହୋଇଥିଲା । ତେବେ କରୋନା ମହାମାରୀ ଭଳି ଏକ ଅପ୍ରତ୍ୟାଶିତ ସ୍ଥିତି ଯୋଗୁଁ ନିଲାମ ଜବତ ହେବାରୁ ଏମ୍ଏସ୍ଏମଇ ଉଦ୍ୟୋଗ କ୍ଷତିଗ୍ରସ୍ତ ହୋଇଥିଲା । ଏ ସମ୍ପର୍କରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ହସ୍ତକ୍ଷେପ ଲୋଡାଯିବା ପରେ କେନ୍ଦ୍ର ସରକାର ଜବତ ହୋଇଥିବା ଅର୍ଥରାଶିକୁ ଫେରାଇବାକୁ ପ୍ରତିଶ୍ରୁତି ଦେଇଥିଲେ ।
ସରକାରଙ୍କ ଏହି ପ୍ରତିଶ୍ରୁତି ଓ ଘୋଷଣା ଶେଷରେ କାର୍ଯ୍ୟକାରୀ ହୋଇଛି ଏବଂ ୨୦୨୩-୨୪ ବଜେଟ୍ରେ ଜବତ ହୋଇଥିବା ଏହି ଅମାନତ ରାଶିର ୯୫% ଅର୍ଥ ସମ୍ପୃକ୍ତ ନିଲାମଧାରୀଙ୍କୁ ଫେରସ୍ତ କରିବାକୁ ଅର୍ଥମନ୍ତ୍ରୀ ଘୋଷଣା କରିଥିଲେ । ଆଜି ଏ ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଏମ୍ଏସ୍ଏମ୍ଇର ନିଲାମଧାରୀମାନେ ଏହି ଅର୍ଥ ଫେରିପାଇବେ । ଫେରସ୍ତ ଅମାନତ ଅର୍ଥ ଉପରେ ବିଡରମାନଙ୍କୁ ସୁଧ ଦିଆଯିବ ନାହିଁ । ପ୍ରଶାସନିକ ଖର୍ଚ୍ଚ ବାବଦରେ ଜବତ ଅମାନତରୁ ୫% ଅର୍ଥ କେବେଳ କଟାଯିବ । ଏଥର ବଜେଟ୍ରେ ଥିବା ‘ବିବାଦ ସେ ବିଶ୍ୱାସ-୧’ଯୋଜନାରେ ଏହି ଅର୍ଥ ଫେରାଯିବାର ବ୍ୟବସ୍ଥା କରାଯାଇଛି ।
କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରାମନ ତାଙ୍କ ବଜେଟ୍ ଭାଷଣରେ କହିଥିଲେ ଯେ କୋଭିଡ ମହାମାରୀ କାରଣରୁ ଏମ୍ଏସ୍ଏମଇର କୌଣସି ଉଦ୍ୟୋଗୀ ସରକାରଙ୍କୁ ସେବା ବା ସାମଗ୍ରୀ ଯୋଗାଇବାକୁ କରିଥିବା ଚୁକ୍ତିକୁ ଯଦି ପୂରଣ କରି ନ ଥିବେ, ସେଭଳି କ୍ଷେତ୍ରରେ ଜବତ ହୋଇଥିବା ସେମାନଙ୍କ ଅମାନତ ରାଶିର ୯୫% ବିନା ସୁଧରେ ଫେରସ୍ତ ଦିଆଯିବ । ସେ ଆହୁରି ମଧ୍ୟ କହିଥିଲେ ଯେ ମହାମାରୀ କାଳରେ ଏମ୍ଏସ୍ଏମ୍ଇ ଉଦ୍ୟୋଗ ବିଫଳ ହୋଇ ଯଦି ପୁନର୍ବାର ଏଭଳି ଚୁକ୍ତିରୁ ବଂଚିତ ହୋଇଥାଏ ସମ୍ପୃକ୍ତ ଉଦ୍ୟୋଗକୁ ମଧ୍ୟ ସେ ଦଣ୍ଡରୁ ମୁକ୍ତି ଦିଆଯିବ ।
ତେବେ ଯେଉଁ ଠିକାଦାର ଓ ଯୋଗାଣକାରୀ ଏମ୍ଏସ୍ଏମ୍ଇ ମନ୍ତ୍ରଣାଳୟ ସହିତ ୨୦୨୨ ମାର୍ଚ୍ଚ ୩୧ ସୁଦ୍ଧା ପଞ୍ଜୀକୃତ ହୋଇଥିବେ ସେମାନଙ୍କୁ କେବଳ ଏହି ସୁବିଧା ମିଳିବ । ସେହିଭଳି ଏ କ୍ଷେତ୍ରରେ ସେବା ଓ ସାମଗ୍ରୀ ଯୋଗାଣର ମୂଳ ସମୟ ଯାହା ୨୦୨୦ ଫେବୃୟାରୀ ୧୯ରୁ ୨୦୨୨ ଫେବୃୟାରୀ ମାର୍ଚ୍ଚ ୩୧ ତାରିଖ ରଖାଯାଇଥିଲା ସେହି ସମୟର ଚୁକ୍ତି ପାଇଁ ଏହି ସୁବିଧା ମିଳିବ ।
ସରକାରୀ ଇ-ମାର୍କେଟ ପ୍ଲେସ ଜେମ୍ ମାଧ୍ୟମରେ ସମ୍ପୃକ୍ତ ଠିକାଦାର ଓ ଯୋଗାଣକାରୀଙ୍କୁ ଅମାନତ ଅର୍ଥ ଫେରାଇ ଦିଆଯିବ । ସେମାନଙ୍କୁ ଜେମ୍ ପୋର୍ଟାଲରେ ପଞ୍ଜୀକୃତ କରିବାକୁ ହେବ । ଏହି ଆବେଦନ ପାଇଁ ତାରିଖ ଘୋଷଣା ଓ ବିଜ୍ଞପ୍ତି ସ୍ୱତନ୍ତ୍ର ଭାବେ ପ୍ରକାଶ କରାଯିବ ।
*****
TKM/SLP
(Release ID: 1896801)
Visitor Counter : 152