ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଭାରତୀ ପ୍ରବୀଣ ପାୱାରଙ୍କ ଉପସ୍ଥିତିରେ ଭୁବନେଶ୍ୱର ଏମ୍‍ସର ଚତୁର୍ଥ ସମାବର୍ତ୍ତନ ଉତ୍ସବରେ ଛାତ୍ରଛାତ୍ରୀମାନଙ୍କୁ ସମ୍ବୋଧନ କରିଛନ୍ତି ଡକ୍ଟର ମନସୁଖ ମାଣ୍ଡଭିୟ


ଏମ୍‍ସ ଭୁବନେଶ୍ୱର ପୂର୍ବ ଭାରତରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇବାରେ ଲୋକଙ୍କ ବିଶ୍ୱାସ ହାସଲ କରିଛି: ଡକ୍ଟର ମାଣ୍ଡଭିୟ

“ଦେଶରେ ଏମ୍‍ସ ସଂଖ୍ୟା 2014 ରେ 8 ରୁ ବର୍ତ୍ତମାନ 23 କୁ ବୃଦ୍ଧି ପାଇଛି”

ଏହା ଏକ ଗର୍ବର ବିଷୟ ଯେ ଏକ ଦଶନ୍ଧି ମଧ୍ୟରେ ଏମ୍‍ସ ଭୁବନେଶ୍ୱର ଦେଶର ଦ୍ୱିତୀୟ ଶ୍ରେଷ୍ଠ ଏମ୍‍ସ ଏବଂ ଦେଶର 26ତମ ଶ୍ରେଷ୍ଠ ଚିକିତ୍ସା ପ୍ରତିଷ୍ଠାନ ଭାବରେ ଉଭା ହୋଇଛି: ଶ୍ରୀ ପ୍ରଧାନ

ଡକ୍ଟର ମାଣ୍ଡଭିୟ ଏବଂ ଶ୍ରୀ ପ୍ରଧାନ ଏମ୍‍ସରେ ଅତ୍ୟାଧୁନିକ ବର୍ଣ୍ଣ ସେଣ୍ଟରକୁ ଉତ୍ସର୍ଗ କରିଛନ୍ତି, ଏହା ସହିତ କ୍ରିଟିକାଲ କେୟାର ହସ୍ପିଟାଲ ବିଲ୍‌ଡିଂର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ କୃତୀ ଛାତ୍ରଛାତ୍ରୀମାନଙ୍କୁ 40 ସ୍ୱର୍ଣ୍ଣ ପଦକ ପ୍ରଦାନ କରିଛନ୍ତି

Posted On: 07 JAN 2023 7:18PM by PIB Bhubaneshwar

ଏମ୍‍ସ ଭୁବନେଶ୍ୱର ଏକ ଦଶ ଦଶନ୍ଧି ମଧ୍ୟରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କେବଳ ଓଡିଶାରେ ଲୋକଙ୍କ ବିଶ୍ୱାସ ହାସଲ କରିନାହିଁ ବରଂ ସେବା ବିତରଣରେ ଆଞ୍ଚଳିକ ଅସନ୍ତୁଳନକୁ ଦୂର କରିବା କ୍ଷେତ୍ରରେ ପଡୋଶୀ ରାଜ୍ୟଗୁଡିକର ମଧ୍ୟ ବିଶ୍ୱାସ ହାସଲ କରିଛି । ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଏହା ଭାରତ ସରକାରଙ୍କ ପ୍ରତିବଦ୍ଧତାର ଏକ ପ୍ରଦର୍ଶନ, ଯେଉଁଠାରେ ଜାତୀୟ ସ୍ୱାସ୍ଥ୍ୟ ଏଜେଣ୍ଡାର ଏକ ଅଂଶ ଭାବରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଏବଂ ଚିକିତ୍ସା ଶିକ୍ଷାକୁ ପ୍ରାଧାନ୍ୟ ଦିଆଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟ ଆଜି ଏଠାରେ ଏମ୍‍ସର 4ର୍ଥ ସମାବର୍ତ୍ତନ ସମାରୋହରେ ଛାତ୍ରମାନଙ୍କୁ ସମ୍ବୋଧିତ କରିବାବେଳେ ଏହା କହିଛନ୍ତି । ଏହି ଅବସରରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଭାରତୀ ପ୍ରବୀଣ ପାୱାର ଉପସ୍ଥିତ ଥିଲେ । ସାଂସଦ ଅପରାଜିତା ଷଡଙ୍ଗୀ ମଧ୍ୟ ଉପସ୍ଥିତ ଥିଲେ । ମାନ୍ୟଗଣ୍ୟ ବ୍ୟକ୍ତିମାନେ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ସ୍ମରଣ କରିଥିଲେ ଯିଏ 2003 ରେ ଏହି ଅନୁଷ୍ଠାନର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ଏବଂ ତାଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।

 

ଏହି ଅବସରରେ ଅଭିଭାଷଣ ପ୍ରଦାନ କରି ଡକ୍ଟର ମାଣ୍ଡଭିୟ କହିଛନ୍ତି, ଶିକ୍ଷାଦାନ, ଗବେଷଣା ହେଉ କିମ୍ବା ସ୍ୱାସ୍ଥ୍ୟ ସେବା ହେଉ, ଏମ୍‍ସ ଭୁବନେଶ୍ୱର ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିଛି ।

ସମାବର୍ତ୍ତନ ଉତ୍ସବରେ ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ସେମାନଙ୍କୁ ଡାକ୍ତରୀ ବିଜ୍ଞାନ ଆଧାରରେ ହୃଦୟରୁ ସେବା ତଥା ଦାୟିତ୍ୱର ସୁଯୋଗ ନେବାକୁ ଅନୁରୋଧ କରିଛନ୍ତି । ସେ କହିଛନ୍ତି, ଆମର ଦାୟିତ୍ୱବୋଧର ଭାବନା ଆମର ମାନବିକତା ପାଇଁ ଆମର ସେବା ସହିତ ସମାନ ହେବା ଉଚିତ୍‍ । ସେ କହିଛନ୍ତି “ଭାରତରେ ଆରୋଗ୍ୟ ଲାଭ” ଏବଂ “ଭାରତ ଦ୍ୱାରା ଆରୋଗ୍ୟ ଲାଭ” ର ଭାବନା ଦେଶରେ ଚିକିତ୍ସା ବ୍ୟବସ୍ଥାକୁ ଗତି ପ୍ରଦାନ କରିବା ସହିତ ସମଗ୍ର ବିଶ୍ୱରେ କୁଶଳୀ ଏବଂ ଯୋଗ୍ୟ ଡାକ୍ତରୀ ଏବଂ ପାରା-ମେଡିକାଲ ମାନବ ସମ୍ବଳର ଚାହିଦାକୁ ପୂରଣ କରିପାରୁଛି । 

ସ୍ୱାସ୍ଥ୍ୟସେବାରେ ଉନ୍ନତି ଆଣିବା ପାଇଁ କେନ୍ଦ୍ର ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇ ଡକ୍ଟର ମାଣ୍ଡଭିୟ କହିଛନ୍ତି ଯେ ଦେଶରେ ଏମ୍‍ସ ସଂଖ୍ୟା 2014 ପୂର୍ବରୁ 8 ଥିବା ବେଳେ ବର୍ତ୍ତମାନ 23 କୁ ବୃଦ୍ଧି ପାଇଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଆୟୁଷ୍ମାନ ଭାରତ - ପିଏମଜେଏୱାଇ ଯୋଜନା ଅଧୀନରେ 50 କୋଟି ପରିବାରକୁ ସ୍ୱାସ୍ଥ୍ୟ ସୁରକ୍ଷା ଦିଆଯାଇଥିବାବେଳେ ସାରା ଦେଶରେ 9000 ରୁ ଅଧିକ ଜନ ଔଷଧି କେନ୍ଦ୍ର ଦ୍ୱାରା ସୁଲଭ ତଥା ଗୁଣାତ୍ମକ ଔଷଧ ଯୋଗାଇ ଦିଆଯାଉଛି । ଏବି-ପିଏମଜେଏୱାଇ ବିଷୟରେ ଉଲ୍ଲେଖକରି ସେ ଏହି ଯୋଜନାକୁ ରାଜ୍ୟରେ କାର୍ଯ୍ୟକାରୀ କରିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ଯାହା ଦ୍ୱାରା ଓଡିଶାର ଯୋଗ୍ୟ ହିତାଧିକାରୀମାନେ କେବଳ ରାଜ୍ୟ ନୁହେଁ ରାଜ୍ୟ ବାହାରେ ମଧ୍ୟ ଏହି ଯୋଜନାର ଲାଭ ପାଇପାରିବେ ।

ଡକ୍ଟର ମନସୁଖ ମାଣ୍ଡଭିୟ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଡକ୍ଟର ଭାରତୀ ପ୍ରବୀଣ ପାୱାରଙ୍କ ସହିତ ଜନସାଧାରଣଙ୍କ ପାଇଁ ବହୁ ପ୍ରତୀକ୍ଷିତ ଅତ୍ୟାଧୁନିକ ଏନଟିପିସି ବର୍ଣ୍ଣ ୟୁନିଟ୍‍ ସେଣ୍ଟରକୁ ଉଦଘାଟନ କରିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମଧ୍ୟ କ୍ରିଟିକାଲ କେୟାର ହସ୍ପିଟାଲ ବିଲ୍ଡିଂର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ମାନ୍ୟଗଣ୍ୟ ବ୍ୟକ୍ତିମାନେ ଅନ୍ତର୍ଜାତୀୟ ମିଲେଟସ୍ ବର୍ଷ (ଆଇଓୱାଇଏମ୍‍) 2023 ର ସ୍ମୃତି ଉଦ୍ଦେଶ୍ୟରେ ମିଲେଟର ଏକ ପୁସ୍ତିକାକୁ ମଧ୍ୟ ଉନ୍ମୋଚନ କରିଥିଲେ ।

ଡକ୍ଟର ମାଣ୍ଡଭିୟ ଏବଂ ଶ୍ରୀ ପ୍ରଧାନ ଏମସ ଭୁବନେଶ୍ୱରର ଛାତ୍ରଛାତ୍ରୀମାନଙ୍କୁ ଡିଏମ୍‍ / ଏମସିଏଚ୍‍ (4 ସ୍କଲାର), ଏମଡି / ଏମ୍‍ଏସ୍‍ (10), ଏମ୍‍ବିବିଏସ୍‍ (17), ବିଏସ୍‍ସି ନର୍ସିଂ (6) ଏବଂ ବିଏମ୍‍ସି ପାରାମେଡିକାଲ୍‌ରେ (3) ଭଳି ମୋଟ୍‍ 40 ଟି ସ୍ୱର୍ଣ୍ଣ ପଦକ ପ୍ରଦାନ କରିଥିଲେ ।

ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏମ୍‍ସ ଭୁବନେଶ୍ୱରର ଛାତ୍ରମାନଙ୍କୁ ସେମାନଙ୍କ ସଫଳତା ପାଇଁ ଅଭିନନ୍ଦନ ଜଣାଇବା ସହ ସେମାନଙ୍କୁ ଅଧିକ ଦାୟିତ୍ୱ ନେବାକୁ ଉତ୍ସାହିତ କରିଥିଲେ । ଅନୁଷ୍ଠାନ ଦ୍ୱାରା ଦ୍ରୁତ ଗତିରେ କରାଯାଇଥିବା କାର୍ଯ୍ୟକୁ ପ୍ରଶଂସା କରି ଶ୍ରୀ ପ୍ରଧାନ କହିଛନ୍ତି, ଏହା ଗର୍ବର ବିଷୟ ଯେ ଏନଆଇଆରଏଫ୍‍ ରାଙ୍କିଂ ଅନୁଯାୟୀ ଦଶ ବର୍ଷ ମଧ୍ୟରେ ଏମ୍‍ସ ଭୁବନେଶ୍ୱର ଦେଶର ଦ୍ୱିତୀୟ ଶ୍ରେଷ୍ଠ ଏମ୍‍ସ ଏବଂ ଦେଶର 26ତମ ଶ୍ରେଷ୍ଠ ଚିକିତ୍ସା ପ୍ରତିଷ୍ଠାନ ଭାବରେ ଉଭା ହୋଇଛି । 

କୋଭିଡ ମହାମାରୀ ପରିଚାଳନାରେ ଭାରତର ଅବଦାନକୁ ଆଲୋକପାତ କରି ଶ୍ରୀ ପ୍ରଧାନ କହିଛନ୍ତି ଯେ 140 ଦେଶକୁ ଭାରତ ମେଡ୍ ଇନ୍ ଇଣ୍ଡିଆ ଟିକା ପ୍ରଦାନ କରିଛି । ସେ ଏହା ମଧ୍ୟ ସୂଚନା ଦେଇଛନ୍ତି ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧୀନରେ ଛାତ୍ରଛାତ୍ରୀଙ୍କ ବୁଝିବା ଶକ୍ତିକୁ ବଢାଇବା ପାଇଁ ସ୍ଥାନୀୟ ଭାଷାରେ ଡାକ୍ତରୀ ପୁସ୍ତକ ପ୍ରସ୍ତୁତ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ । କ୍ୟାମ୍ପସକୁ ପରିଷ୍କାର ରଖିବା ସହ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ସ୍ୱଚ୍ଛ ଭାରତ ମିଶନକୁ ସମର୍ଥନ କରିବାକୁ ସେ ଛାତ୍ରଛାତ୍ରୀମାନଙ୍କୁ ଅନୁରୋଧ କରିଥିଲେ ।

ଡକ୍ଟର ଭାରତୀ ପ୍ରବୀଣ ପାୱାର ଉଲ୍ଲେଖ କରିଛନ୍ତି ଯେ ଏମ୍‍ସ ଭୁବନେଶ୍ୱର କିଡନୀ ପ୍ରତିରୋପଣ କାର୍ଯ୍ୟରେ ଏକ ନଜିର ସୃଷ୍ଟି କରିଛି ଏବଂ ଅନ୍ୟ ଅସ୍ତ୍ରୋପଚାରରେ ମଧ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି । ସେ କହିଥିଲେ ଯେ ଏମ୍‍ସ ଭୁବନେଶ୍ୱର ସର୍ବଦା ମନକୁ ଆସେ ଯେତେବେଳେ ଜଣେ ଦେଶର ସର୍ବୋଚ୍ଚ ଚିକିତ୍ସା ପ୍ରତିଷ୍ଠାନ ବିଷୟରେ ଭାବି ଥାଏ । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବିନିଯୋଗ ଦେଶର ପ୍ରଗତିକୁ ବଢାଇଥାଏ ବୋଲି ସେ ଗୁରୁତ୍ୱାରୋପ କରିଥିଲେ । ସେ ମଧ୍ୟ ଯୁବ ଡାକ୍ତରମାନଙ୍କୁ ମାନବିକତାର ଆବେଗରେ ଅଧିକ ଦାୟିତ୍ୱବାନ୍‍ ହେବାକୁ ଉତ୍ସାହିତ କରିଥିଲେ ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଶ୍ରୀ ମନୋହର ଅଗ୍ନାନୀ, ଏମ୍‍ସ ଭୁବନେଶ୍ୱରର ନିର୍ଦ୍ଦେଶକ ପ୍ରଫେସର ଡାକ୍ତର ଆଶୁତୋଷ ବିଶ୍ୱାସ, ଏମ୍‍ସ ଭୁବନେଶ୍ୱରର ସଭାପତି ପ୍ରଫେସର ଡାକ୍ତର ସୁବ୍ରତ କୁମାର ଆଚାର୍ଯ୍ୟ, ଭୁବନେଶ୍ୱର ଏମ୍‍ସର ଡିନ୍‍ ପ୍ରଫେସର ଡାକ୍ତର ପ୍ରସନ୍ନ ରଞ୍ଜନ ମହାପାତ୍ର ଏବଂ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଏହି ଅବସରରେ ଉପସ୍ଥିତ ଥିଲେ ।

HS/BS



(Release ID: 1889469) Visitor Counter : 115


Read this release in: English , Urdu , Marathi