ରସାୟନ ଓ ସାର ମନ୍ତ୍ରଣାଳୟ

ପ୍ରାୟ 9000 ରୁ ଅଧିକ ପ୍ରଧାନମନ୍ତ୍ରୀ କିସାନ ସମୃଦ୍ଧି କେନ୍ଦ୍ର (ପିଏମକେଏସକେ) ର କୃଷକ ଏବଂ ଖୁଚୁରା ବ୍ୟବସାୟୀଙ୍କ ସହ ଭର୍ଚୁଆଲ୍ ମାଧ୍ୟମରେ ଆଲୋଚନା କରିଛନ୍ତି କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟ


“ପିଏମକେଏସକେ ଗୁଡିକ ସମସ୍ତ ଚାଷ ସମ୍ବନ୍ଧୀୟ କାର୍ଯ୍ୟକ୍ରମ ପାଇଁ ଏକ ନୋଡାଲ୍ ପଏଣ୍ଟ ଭାବରେ କାର୍ଯ୍ୟ କରିବେ; କୃଷକମାନେ ସମ୍ମୁଖୀନ ହେଉଥିବା ଦୈନନ୍ଦିନ ସମସ୍ୟାକୁ ଦୂର କରିବାରେ ଏହା ଏକ ପ୍ରମୁଖ ପ୍ଲାଟଫର୍ମ ହୋଇପାରିବ ”

ବିଭିନ୍ନ ସରକାରୀ ଯୋଜନା ବିଷୟରେ କୃଷକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବ ଏବଂ ଖୁଚୁରା ବ୍ୟବସାୟୀଙ୍କ ନିୟମିତ ଦକ୍ଷତା ବୃଦ୍ଧି ନିଶ୍ଚିତ କରିବ: ଡକ୍ଟର ମନସୁଖ ମାଣ୍ଡଭିୟ

“ଆମ କୃଷକମାନଙ୍କୁ ଦକ୍ଷ କରିବା ପାଇଁ ସରକାର ସମସ୍ତ ପଦକ୍ଷେପ ଗ୍ରହଣ କରୁଛନ୍ତି; ବିଶ୍ୱସ୍ତରୀୟ ଆହ୍ବାନ ସତ୍ତ୍ୱେ ସରକାର ଅତ୍ୟଧିକ ରିହାତି ସହିତ ସାରର ଉପଲବ୍ଧତା ସୁନିଶ୍ଚିତ କରୁଛନ୍ତି ”

କୃଷି ସମ୍ବନ୍ଧୀୟ ସହାୟତା ପାଇଁ ବିଶେଷଜ୍ଞ ଏବଂ ଏକ୍ସପର୍ଟଙ୍କ ସହିତ ସମ୍ପର୍କ ନିମନ୍ତେ ପିଏମକେଏସକେ ରେ ଖୁବ୍ ଶୀଘ୍ର ଟେଲି-ପରାମର୍ଶ ଆରମ୍ଭ ହେବାକୁ ଯାଉଛି ”

Posted On: 29 DEC 2022 4:44PM by PIB Bhubaneshwar

“କୃଷକମାନଙ୍କ ସ୍ୱାର୍ଥରେ ଭାରତ ସରକାର ବୈପ୍ଳବିକ ପଦକ୍ଷେପ ନେଉଛନ୍ତି। ଏହିପରି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପରେ ସାର ଖୁଚୁରା ଦୋକାନଗୁଡିକ ପ୍ରଧାନ ମନ୍ତ୍ରୀ କିସାନ ସମୃଦ୍ଧି କେନ୍ଦ୍ର (ପିଏମକେଏସକେ) ରେ ରୂପାନ୍ତରିତ ହେଉଛି। ଏହି ପିଏମକେଏସକେ ଗୁଡିକ କୃଷି ସମ୍ବନ୍ଧୀୟ ସମସ୍ତ କାର୍ଯ୍ୟକଳାପ ପାଇଁ ଏକ ନୋଡାଲ୍ ପଏଣ୍ଟ କାର୍ଯ୍ୟ କରିବେ ଏବଂ ଅତ୍ୟାଧୁନିକ ଉଦ୍ଭାବନ, ସର୍ବୋତ୍ତମ ଅଭ୍ୟାସ, ଜ୍ଞାନ, କୌଶଳ ଏବଂ ପରୀକ୍ଷଣ ବିସ୍ତାର କରିବେ ଯାହା କୃଷକମାନଙ୍କୁ କେବଳ ଉତ୍ପାଦନ ବୃଦ୍ଧି କରିବାରେ ନୁହେଁ ବରଂ ଉତ୍ପାଦନ ମୂଲ୍ୟ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରିବ | ଆମର ଲକ୍ଷ୍ୟ ହେଉଛି କୃଷକମାନଙ୍କ ପାଇଁ ଏକ ଉତ୍କୃଷ୍ଟ ଇକୋସିଷ୍ଟମ୍ ସୃଷ୍ଟି କରିବା। ପିଏମକେଏସକେ ଗୁଡ଼ିକର ଏହି ପଦକ୍ଷେପ ସହିତ ଆମ କୃଷକମାନଙ୍କର ଆୟକୁ ଦ୍ୱିଗୁଣିତ କରିବାରେ ସକ୍ଷମ କରିବ ଏବଂ ଏହା ଭାରତର ଖାଦ୍ୟ ସୁରକ୍ଷା ଏବଂ ଅଭିବୃଦ୍ଧି କାହାଣୀରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବରେ କାର୍ଯ୍ୟ କରିବ ”। କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ଡକ୍ଟର ମାନସୁଖ ମାଣ୍ଡଭିୟ ଭର୍ଚୁଆଲ୍ ଭାବରେ ପ୍ରାୟ 9000 ପିଏମକେଏସକେ କୃଷକମାନଙ୍କୁ ସମ୍ବୋଧିତ କରି ଏହା କହିଛନ୍ତି। ସେ ରାମନଗର (ଉତ୍ତରପ୍ରଦେଶ), କୋଟା (ରାଜସ୍ଥାନ), ଦେୱାସ (ମଧ୍ୟପ୍ରଦେଶ), ଭଦୋଦରା (ଗୁଜୁରାଟ) ଏବଂ ଏଲୁରୁ (ଆନ୍ଧ୍ରପ୍ରଦେଶ) ଏବଂ ରାଜପୁରା (ପଞ୍ଜାବ) ର ଛଅ ଟି ରାଜ୍ୟର ପିଏମକେଏସକେ ର କୃଷକ ଏବଂ ଖୁଚୁରା ବ୍ୟବସାୟୀଙ୍କ ସହ ମଧ୍ୟ ଆଲୋଚନା କରିଥିଲେ।

ଡକ୍ଟର ମାନସୁଖ ମାଣ୍ଡଭିୟଙ୍କ ଦ୍ୱାରା ପୋଷ୍ଟ କରାଯାଇଥିବା ଏକ ଟ୍ୱିଟରୁ ଏହି ଆଲୋଚନାର କଥାବାର୍ତ୍ତାର ଝଲକ ଦେଖିବାକୁ ମିଳି ପାରିବ। 

ଏହି ଅବସରରେ ଡକ୍ଟର ମାଣ୍ଡଭିୟ କହିଛନ୍ତି ଯେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ ଭାରତ ସରକାର ଆମର କୃଷକମାନଙ୍କୁ ସମୃଦ୍ଧ କରିବା ପାଇଁ ସମସ୍ତ ପଦକ୍ଷେପ ନେବାକୁ ପ୍ରତିଶ୍ରୁତିବଦ୍ଧ ରହିଛନ୍ତି। ପିଏମ୍ କିସାନ୍ ସମ୍ମାନ ନିଧି ପରି କାର୍ଯ୍ୟକ୍ରମ ମାଧ୍ୟମରେ ହେଉ କିମ୍ବା ନାନୋ ୟୁରିଆର ନୂତନ ବୈଜ୍ଞାନିକ ଉଦ୍ଭାବନ ଏବଂ ବିକଳ୍ପ ସାର ହେଉ, ଏହି ଦିଗରେ ବ୍ୟାପକ ପଦକ୍ଷେପ ନିଆଯାଉଛି। ଚାଷରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ସାରର ଉପଲବ୍ଧତା ସରକାରଙ୍କ ପ୍ରାଥମିକତା ଅଟେ ଏବଂ ବିଶ୍ବର ଅଶାନ୍ତି ସତ୍ତ୍ବେ ସରକାର ସବସିଡିଯୁକ୍ତ ହାରରେ ସାର ଉପଲବ୍ଧତାକୁ ସୁନିଶ୍ଚିତ କରୁଛନ୍ତି। ଆମେ ନିଶ୍ଚିତ କରୁଛୁ ଯେ ଦେଶରେ ସାର ଉପଲବ୍ଧତାର ପ୍ରତ୍ୟେକ ପ୍ରକ୍ରିୟା ଚାଷୀଙ୍କ ପାଇଁ ଯେପରି ସରଳ ହୋଇପାରିବ। ”

ପିଏମକେଏସକେ ଗୁଡ଼ିକର ମହତ୍ତ୍ବକୁ ଆଲୋକିତ କରି ସେ କହିଛନ୍ତି ଯେ “ପିଏମକେଏସକେ ଆରମ୍ଭ କରିବା ହେଉଛି ଏକ ପ୍ରମୁଖ ପଦକ୍ଷେପ, ଯାହା କୃଷକଙ୍କ ବିଭିନ୍ନ ପ୍ରକାରର ଆବଶ୍ୟକତା ପୂରଣ କରିବାରେ ସହାୟକ ହେବ ଯେପରିକି କୃଷି-ଇନପୁଟ୍ (ସାର, ମଞ୍ଜି ଏବଂ କୀଟନାଶକ) ଏବଂ ମାଟି, ବିହନ ପାଇଁ ପରୀକ୍ଷଣ ସୁବିଧା ଏବଂ ସାର ଉପଲବ୍ଧତା। ଏହା କୃଷକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବ, ବିଭିନ୍ନ ସରକାରୀ ଯୋଜନା ସମ୍ବନ୍ଧରେ ସୂଚନା ପ୍ରଦାନ କରିବ ଏବଂ ବ୍ଲକ / ଜିଲ୍ଲା ସ୍ତରୀୟ ଆଉଟଲେଟରେ ଖୁଚୁରା ବ୍ୟବସାୟୀଙ୍କ ନିୟମିତ ଦକ୍ଷତା ବୃଦ୍ଧି ନିଶ୍ଚିତ କରିବ ବୋଲି ସେ କହିଛନ୍ତି। ଦେଶର ପ୍ରାୟ 2,62,559 ସକ୍ରିୟ ଖୁଚୁରା ଦୋକାନକୁ ପର୍ଯ୍ୟାୟକ୍ରମେ ପିଏମକେଏସକେ ରେ ପରିଣତ କରାଯିବ। ଡକ୍ଟର ମାଣ୍ଡଭିୟ କହିଛନ୍ତି ଯେ ଏହି ରୂପାନ୍ତର ପ୍ରକ୍ରିୟା ନିଶ୍ଚିତ କରିବ ଯେ ପିଏମକେଏସକେ ରେ ପ୍ରଦାନ କରାଯିବାକୁ ଥିବା ବିଭିନ୍ନ ଉତ୍ପାଦ ଏବଂ ସୁବିଧା ଦେଶର ସମସ୍ତ କୃଷକଙ୍କ ନିକଟରେ ଯେପରି ପହଞ୍ଚି ପାରିବ। ଏହା ସହିତ ପିଏମକେଏସକେ ଗୁଡିକ ଭବିଷ୍ୟତରେ କୃଷକମାନଙ୍କ ପାଇଁ ଏକ ପ୍ରମୁଖ ପ୍ଲାଟଫର୍ମ ହୋଇପାରିବ ଯାହା କୃଷକମାନଙ୍କ ସମ୍ମୁଖୀନ ହେଉଥିବା ଦୈନନ୍ଦିନ ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରିବ ଏବଂ ଅତି କମ୍ ସମୟ ମଧ୍ୟରେ ଏହି ସମସ୍ୟାକୁ ସମାଧାନ କରିବ ବୋଲି ସେ କହିଛନ୍ତି।

ବୈଜ୍ଞାନିକମାନଙ୍କର ଅବଦାନକୁ ପ୍ରଶଂସା କରି ଡକ୍ଟର ମାଣ୍ଡଭିୟ କହିଛନ୍ତି ଯେ ଭାରତ ଅନେକ ବିକଳ୍ପ ସମାଧାନର ବିକାଶ କରୁଛି ଯାହା କେବଳ ଚାଷୀଙ୍କ ପାଇଁ ସୁଲଭ ହେବ ନାହିଁ ବରଂ ଉତ୍ପାଦନ ସ୍ତର ତଥା ପରିବେଶ ଅନୁକୂଳ ଦୃଷ୍ଟିରୁ ମଧ୍ୟ ଉନ୍ନତ ହେବ। ସେ ନିଶ୍ଚିତ କରିଛନ୍ତି ଯେ ଆଗାମୀ ଦିନରେ ନାନୋ ଡିଏପି ର ଅନୁମୋଦନ ମଧ୍ୟ ଦିଆଯିବ ଯାହା ପାରମ୍ପାରିକ ଡିଏପି ଅପେକ୍ଷା ଏକ ଉତ୍ତମ ବିକଳ୍ପ ହେବ | କୃଷି କ୍ଷେତ୍ରରେ ଏହି ଉଦ୍ଭାବନ ପାଇଁ ସେ ବୈଜ୍ଞାନିକମାନଙ୍କୁ ଧନ୍ୟବାଦ ଜଣାଇବା ସହ କୃଷକମାନଙ୍କୁ ଏହି ଅଭିନବ ସାର ଏବଂ ପ୍ରଯୁକ୍ତିବିଦ୍ୟା ଗ୍ରହଣ କରିବାକୁ ଅନୁରୋଧ କରିଥିଲେ।

ସରକାରଙ୍କ ଦ୍ୱାରା ନିଆଯାଇଥିବା ଅଭିନବ ପଦକ୍ଷେପ ଉପରେ କୃଷକମାନେ କୃତଜ୍ଞତା ଜଣାଇଛନ୍ତି। ଅଧିକନ୍ତୁ, ସେମାନେ ଜଣାଇଛନ୍ତି ଯେ ଗୋଟିଏ ଛାତରେ ଏକାଧିକ ଏଗ୍ରି-ଇନପୁଟ୍ ଉପଲବ୍ଧ, ଯାହା କୃଷକଙ୍କ ସମୟ ସଞ୍ଚୟ କରୁଛି ଏବଂ କୃଷକମାନେ ବର୍ତ୍ତମାନ ନିଜ ଚାଷ ଜମିରେ ଅଧିକ ସମୟ ଦେବାରେ ସକ୍ଷମ ହେଉଛନ୍ତି। ପିଏମକେଏସକେ ରେ ଫସଲ ପୁସ୍ତିକାର ଉପଲବ୍ଧତା, ମୃତ୍ତିକା ପରୀକ୍ଷଣ ସୁବିଧା ଏବଂ ଅନ୍ୟାନ୍ୟ ସରକାରୀ ଯୋଜନା ବିଷୟରେ କୃଷକମାନେ ଆଲୋକପାତ କରିଥିଲେ। ଖୁଚୁରା ବ୍ୟବସାୟୀମାନେ ସୂଚନା ଦେଇଛନ୍ତି ଯେ ଅଧିକରୁ ଅଧିକ କୃଷକ ବର୍ତ୍ତମାନ ସାର ଏବଂ କୀଟନାଶକ ପ୍ରୟୋଗ କରିବା ଉଦ୍ଦେଶ୍ୟରେ ଡ୍ରୋନ୍ ବ୍ୟବହାର କରୁଛନ୍ତି, ଯାହା ସେମାନଙ୍କ ଟଙ୍କା ଏବଂ ମୂଲ୍ୟବାନ ସମୟ ସଞ୍ଚୟ କରୁଛି।

ଶ୍ରୀ ଅରୁଣ ସିଙ୍ଘଲ, ସାର ବିଭାଗର ସଚିବ, ଶ୍ରୀମତୀ ନୀରଜା ଆଦିଦାମ, ଅତିରିକ୍ତ ସଚିବ ଙ୍କ ସହିତ ଏହି କାର୍ଯ୍ୟକ୍ରମରେ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

BS



(Release ID: 1887400) Visitor Counter : 147