ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ
ଉଚ୍ଚ ଶିକ୍ଷାନୁଷ୍ଠାନର ମୂଲ୍ୟାଙ୍କନ ଓ ମାନ୍ୟତା ପ୍ରଦାନ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଲାଗି କମିଟି ଗଠନ କଲେ କେନ୍ଦ୍ର ସରକାର
ପୋଷ୍ଟ କରାଯିବା ଦିନାଙ୍କ:
04 NOV 2022 4:39PM by PIB Bhubaneswar
ଦେଶର ବିଭିନ୍ନ ଉଚ୍ଚ ଶିକ୍ଷାନୁଷ୍ଠାନର ମୂଲ୍ୟାଙ୍କନ ଏବଂ ମାନ୍ୟତା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଲାଗି ଭାରତ ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି । ଆଇଆଇଟି କାନପୁରର ପରିଚାଳନା ପରିଷଦ ଅଧ୍ୟକ୍ଷ ତଥା ଆଇଆଇଟି ପରିଷଦ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଡକ୍ଟର କେ. ରାଧାକ୍ରିଷ୍ଣନଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ କରାଯାଇଛି । ଏହି କମିଟି ମୂଲ୍ୟାଙ୍କନ ଏବଂ ମାନ୍ୟତା ପ୍ରକ୍ରିୟାକୁ ସୁଦୃଢ଼ କରିବା ଦିଗରେ କାର୍ଯ୍ୟ କରିବ । ଏଥିସହିତ ଜାତୀୟ ଶିକ୍ଷା ନୀତି ୨୦୨୦ର ପରିକଳ୍ପନା ଅନୁଯାୟୀ ଜାତୀୟ ମାନ୍ୟତା ପରିଷଦ ପାଇଁ ଏକ ରୋଡମ୍ୟାପ ପ୍ରସ୍ତୁତ କରିବ ।
କେନ୍ଦ୍ର ସରକାରଙ୍କ ଦ୍ବାରା ଗଠିତ ଏହି ଉଚ୍ଚସ୍ତରୀୟ କମିଟିରେ ଆସାମର ମହାପୁରୁଷ ଶ୍ରୀମନ୍ତ ଶଙ୍କରଦେବ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ମୃଦୁଳ ହଜାରିକା, ଆଇଆଇଏମ ଲକ୍ଷ୍ନୌର ପ୍ରାଧ୍ୟାପକ ପ୍ରଫେସର ଭାରତ ଭାସ୍କାର ଏବଂ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଅଧୀନ ଉଚ୍ଚ ଶିକ୍ଷା ବିଭାଗର ଯୁଗ୍ମ ସଚିବ ସଦସ୍ୟ ରହିଛନ୍ତି ।
ଭାରତରେ ବିଶ୍ବର ଅନ୍ୟତମ ସର୍ବବୃହତ ଏବଂ ବିବିଧ ଶିକ୍ଷା ବ୍ୟବସ୍ଥା ରହିଛି । ନିର୍ଦ୍ଦିଷ୍ଟ ଲକ୍ଷ୍ୟ ଆଧାରିତ ପ୍ରୟାସ ଦ୍ବାରା କେନ୍ଦ୍ର ସରକାର ଉଚ୍ଚ ଶିକ୍ଷା କ୍ଷେତ୍ରର ବ୍ୟାପକ ବିସ୍ତାର ପାଇଁ ପଦକ୍ଷେପ ଗ୍ରହଣ କରି ଆସୁଛନ୍ତି।
ଗୁଣବତ୍ତା ଆଶ୍ବାସନ ଏକ ଉଚ୍ଚ ଶିକ୍ଷାନୁଷ୍ଠାନ ପରିଚାଳନାର ଗୁରୁତ୍ବପୂର୍ଣ୍ଣ ଅଙ୍ଗ । ମୂଲ୍ୟାଙ୍କନ ଓ ମାନ୍ୟତା ଏହି କ୍ଷେତ୍ରରେ ପ୍ରମୁଖ ଭୂମିକା ନିର୍ବାହ କରିଥାଏ । ଏକ ସୂଚୀତ ସମୀକ୍ଷା ପ୍ରଣାଳୀ ମାଧ୍ୟମରେ ମାନ୍ୟତା ବା ଆକ୍ରିଡିଏସନ ପ୍ରଦାନ କରାଯିବା ଦ୍ବାରା ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକ ସେମାନଙ୍କର ସାମର୍ଥ୍ୟ ଓ ଦୁର୍ବଳତା ସମ୍ପର୍କରେ ଅବଗତ ହୋଇପାରିଥାନ୍ତି । ଫଳରେ ସେମାନେ ଅନ୍ତରୀଣ ଦିଗଗୁଡ଼ିକ ବିଷୟରେ ପରିଚିତ ହୋଇଥାନ୍ତି ଏବଂ ଏହା ଯୋଜନା ପ୍ରସ୍ତୁତି ଓ ସମ୍ବଳ ଆବଣ୍ଟନରେ ସହାୟକ ହୋଇଥାଏ। ଉଚ୍ଚ ଶିକ୍ଷାନୁଷ୍ଠାନର ମାନ୍ୟତା ସ୍ଥିତି ଛାତ୍ରଛାତ୍ରୀ, କର୍ମଚାରୀ ଏବଂ ସମାଜକୁ ସମ୍ପୃକ୍ତ ଶିକ୍ଷାନୁଷ୍ଠାନର ଗୁଣବତ୍ତା ସମ୍ପର୍କରେ ବିଶ୍ବସନୀୟ ସୂଚନା ପ୍ରଦାନ କରିଥାଏ।
*******
P.S.
(ରିଲିଜ ଆଡି: 1873829)
ପରିଦର୍ଶକ କାଉଣ୍ଟର : 291