ପ୍ରତିରକ୍ଷା ମନ୍ତ୍ରଣାଳୟ

ଡିଆରଡିଓ ଦ୍ବାରା ଓଡ଼ିଶା ଉପକୂଳରୁ ବାଲିଷ୍ଟିକ କ୍ଷେପଣାସ୍ତ୍ର ଇଣ୍ଟରସେପ୍ଟର ପର୍ଯ୍ୟାୟ-୨ର ପ୍ରଥମ ପରୀକ୍ଷଣ ସଫଳ

Posted On: 02 NOV 2022 6:20PM by PIB Bhubaneshwar

ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ ପକ୍ଷରୁ ପ୍ରତିରକ୍ଷା ବାଲିଷ୍ଟିକ କ୍ଷେପଣାସ୍ତ୍ର (ବିଏମଡି) ଇଣ୍ଟରସେପ୍ଟର ପର୍ଯ୍ୟାୟ-୨ର ପ୍ରଥମ ସଫଳ ପରୀକ୍ଷଣ ହୋଇଛି । ୨ ନଭେମ୍ବର, ୨୦୨୨ରେ ଉପକୂଳସ୍ଥିତ ଏପିଜେ ଅବଦୁଲ କାଲାମ ଦ୍ବୀପରୁ ଅଧିକ ମାରକ ଉଚ୍ଚତା ପରିଧି ସହିତ ଏହି ଇଣ୍ଟରସେପ୍ଟର ଏଡି-୧ କ୍ଷେପଣାସ୍ତ୍ରର ପରୀକ୍ଷଣ କରାଯାଇଥିଲା । ବିଭିନ୍ନ ଭୌଗଳିକ ସ୍ଥାନରେ ରହିଥିବା ସବୁ ବିଏମଡି ଅସ୍ତ୍ର ପ୍ରଣାଳୀ ଉପକରଣକୁ ସାମିଲ କରାଯାଇ ଏହି ଫ୍ଲାଇଟ୍‌ ଟେଷ୍ଟ ସମ୍ପାଦନ କରାଯାଇଥିଲା ।

ଏଡି-୧ ହେଉଛି ଏକ ଦୀର୍ଘ ଦୂରଗାମୀ ଇଣ୍ଟରସେପ୍ଟର ବା ପ୍ରତିରୋଧୀ କ୍ଷେପଣାସ୍ତ୍ର । ଏହାକୁ ଉଭୟ ନିମ୍ନ ବାହ୍ୟବାୟୁମଣ୍ଡଳୀୟ (ଏକ୍ସୋ-ଏଟମୋସଫିୟରିକ) ଏବଂ ଆଭ୍ୟନ୍ତରୀଣ (ଏଣ୍ଡୋ-ଏଟମୋସଫିୟରିକ) ଇଣ୍ଟରସେପ୍ସନ ବା ପ୍ରତିରୋଧ ପାଇଁ ଡିଜାଇନ କରାଯାଇଛି । ଏହା ଦୀର୍ଘ ଦୂରଗାମୀ ବାଲିଷ୍ଟିକ କ୍ଷେପଣାସ୍ତ୍ର ସହିତ ବିମାନର ଇଣ୍ଟରସେପ୍ସନ ବା ବିଧ୍ବଂସ କରିବାକୁ ସକ୍ଷମ । ଏହି ପ୍ରଣାଳୀ ଦୁଇଟି-ପର୍ଯ୍ୟାୟ ବିଶିଷ୍ଟ ଦୃଢ଼ ମୋଟର ଦ୍ବାରା ପରିଚାଳିତ ହୋଇଥାଏ । ବାହନକୁ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ପର୍ଯ୍ୟନ୍ତ ସଠିକ ଭାବେ ମାର୍ଗଦର୍ଶନ କରିବା ଲାଗି ଏଥିରେ ସ୍ବଦେଶୀ ଭାବେ ବିକଶିତ ଉନ୍ନତ ନିୟନ୍ତ୍ରଣ ପ୍ରଣାଳୀ, ନାଭିଗେସନ ବା ଦିଗ ନିର୍ଣ୍ଣୟ ବ୍ୟବସ୍ଥା ଏବଂ ମାର୍ଗଦର୍ଶୀ ଆଲଗୋରିଦିମ ଏଥିରେ ଖଞ୍ଜା ଯାଇଛି ।

ଫ୍ଲାଇଟ୍‌ ଟେଷ୍ଟ ସମୟରେ, ସବୁ ଉପପ୍ରଣାଳୀଗୁଡ଼ିକ ଆଶାନୁରୂପ ପ୍ରଦର୍ଶନ କରିଥିଲା । ଫ୍ଲାଇଟର ତଥ୍ୟ ସଂଗ୍ରହ କରିବା ଲାଗି ମୁତୟନ ରାଡାର, ଟେଲିମେଟ୍ରୀ ଓ ଇଲେକ୍ଟ୍ରୋ ଅପ୍ଟିକାଲ ଟ୍ରାକିଂ ଷ୍ଟେସନ ସମେତ ସଂଖ୍ୟାଧିକ ରେଞ୍ଜ ସେନ୍ସର ଦ୍ବାରା ସଂଗୃହିତ ତଥ୍ୟ, କ୍ଷେପଣାସ୍ତ୍ର ପ୍ରଣାଳୀର ପ୍ରଦର୍ଶନକୁ ପ୍ରମାଣିତ କରିଥିଲା ।

ଡିଆରଡିଓ ଏବଂ ଏଡି-୧ର ସଫଳ ଫ୍ଲାଇଟ୍‌ ପରୀକ୍ଷଣ ସହ ଜଡ଼ିତ ସବୁ ସହଯୋଗୀମାନଙ୍କୁ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂ ଅଭିନନ୍ଦନ ଜଣାଇଛନ୍ତି । ସେ ଏହାକୁ ଏକ ଅଭିନବ ଇଣ୍ଟରସେପ୍ଟର ଭାବେ ଅଭିହିତ କରିବା ସହିତ ବିଶ୍ବର ମାତ୍ର ଅଳ୍ପ କେତୋଟି ରାଷ୍ଟ୍ର ନିକଟରେ ଏହା ଉପଲବ୍ଧ ଥିବା କହିଛନ୍ତି । ଏହା ଦେଶର ବାଲିଷ୍ଟିକ କ୍ଷେପଣାସ୍ତ୍ର ପ୍ରତିରକ୍ଷା କ୍ଷମତାକୁ ଆହୁରି ସୁଦୃଢ଼ କରିବ ବୋଲି ପ୍ରତିରକ୍ଷା ମନ୍ତ୍ରୀ ବିଶ୍ବାସ ପ୍ରକଟ କରିଛନ୍ତି ।

ଏହି ସଫଳ ପରୀକ୍ଷଣ ପାଇଁ ପ୍ରତିରକ୍ଷା ଗବେଷଣା ଓ ବିକାଶ ବିଭାଗର ସଚିବ ଏବଂ ଡିଆରଡିଓର ଅଧ୍ୟକ୍ଷ ଡକ୍ଟର ସମୀର ଭି କାମାତ ନିଜର ସହଯୋଗୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେ କହିଛନ୍ତି ଯେ, ଏହି ଇଣ୍ଟରସେପ୍ଟର ପ୍ରଣାଳୀ ବ୍ୟବହାରକାରୀଙ୍କୁ ଅଧିକ ପରିଚାଳନାଗତ ନମନୀୟତା ପ୍ରଦାନ କରିବ । ବିଭିନ୍ନ ପ୍ରକାରର ଲକ୍ଷ୍ୟ ବା ଟାର୍ଗେଟକୁ ବିଧ୍ବଂସ କରିବାର କ୍ଷମତା ଏହି କ୍ଷେପଣାସ୍ତ୍ର ପ୍ରଣାଳୀ ନିକଟରେ ରହିଛି ।

 

*********

P.S.



(Release ID: 1873236) Visitor Counter : 243


Read this release in: English , Urdu , Hindi