କ୍ୟାବିନେଟ

ଆହୁରି ତିନିମାସ ବଢ଼ିଲା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (ପିଏମଜିକେଏୱାଇ)ର ଅବଧି


ଅକ୍ଟୋବର ୨୦୨୨ ଠାରୁ ଡିସେମ୍ବର ୨୦୨୨ ପର୍ଯ୍ୟନ୍ତ ପିଏମଜିକେଏୱାଇ ଯୋଜନାର ଅବଧି ବଢ଼ାଇଲେ କେନ୍ଦ୍ର ସରକାର

ଡିସେମ୍ବର ୨୦୨୨ ପର୍ଯ୍ୟନ୍ତ ସବୁ ଏନଏଫଏସଏ ହିତାଧିକାରୀଙ୍କୁ ମାଗଣାରେ ମିଳିବ ମୁଣ୍ଡପିଛା ୫ କିଲୋଗ୍ରାମ ଲେଖାଏଁ ଖାଦ୍ୟଶସ୍ୟ

ବର୍ତ୍ତମାନ ସୁଦ୍ଧା ଛଅଟି ପର୍ଯ୍ୟାୟରେ ପିଏମଜିକେଏୱାଇ ମାଧ୍ୟମରେ ଯୋଗାଇ ଦିଆଯାଇଛି ଆନୁମାନିକ ୩.୪୫ ଲକ୍ଷ କୋଟି ଟଙ୍କାର ସବସିଡି

ଅକ୍ଟୋବରରୁ ଡିସେମ୍ବର ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବାକୁ ଥିବା ପିଏମଜିକେଏୱାଇର ସପ୍ତମ ପର୍ଯ୍ୟାୟରେ ଆନୁମାନିକ ୪୪,୭୬୨ କୋଟି ଟଙ୍କାର ଖାଦ୍ୟ ସବସିଡି ଯୋଗାଇ ଦିଆଯିବ

ସପ୍ତମ ପର୍ଯ୍ୟାୟରେ ମୋଟ୍‌ ୧୨୨ ଲକ୍ଷ ମେଟ୍ରିକ ଟନ୍‌ ଖାଦ୍ୟଶସ୍ୟ ବଣ୍ଟନ କରାଯିବ

ଏହି ନିଷ୍ପତ୍ତି ଫଳରେ ସମାଜର ଗରିବ ଏବଂ ବଞ୍ଚିତ ବର୍ଗଙ୍କୁ ଆଗାମୀ ପାର୍ବଣ ଋତୁରେ ମିଳିବ ଅତି ଜରୁରି ସହାୟତା

Posted On: 28 SEP 2022 4:02PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (ପିଏମଜିକେଏୱାଇ)ର ଅବଧିକୁ ଆହୁରି ତିନି ମାସ ପର୍ଯ୍ୟନ୍ତ ବଢ଼ାଇବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଆଜି ଏ ସଂକ୍ରାନ୍ତରେ ଏକ ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ମଞ୍ଜୁରି ମିଳିଛି। ପିଏମଜିକେଏୱାଇ ଯୋଜନାର ସପ୍ତମ ପର୍ଯ୍ୟାୟ ଚଳିତ ଅକ୍ଟୋବର ମାସରୁ ଆସନ୍ତା ଡିସେମ୍ବର, ୨୦୨୨ ପର୍ଯ୍ୟନ୍ତ ଅତିରିକ୍ତ ତିନି ମାସ ଲାଗି କାର୍ଯ୍ୟକାରୀ ହେବ। ଗତ ବର୍ଷ ଅର୍ଥାତ୍‌ ୨୦୨୧ରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କେତେକ ଜନକଲ୍ୟାଣକାରୀ ଯୋଜନାର ଘୋଷଣା କରିଥିଲେ । ଏହି ଘୋଷଣା ଅନୁରୂପ ଦେଶରେ ପିଏମଜିକେଏୱାଇ ଯୋଜନାକୁ ସଫଳତା ପୂର୍ବକ କାର୍ଯ୍ୟକାରୀ କରାଯାଇଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଯୋଜନାକୁ ଆହୁରି ତିନି ମାସ ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି ।

କୋଭିଡ ମହାମାରୀ ପ୍ରକୋପ ହ୍ରାସ ପାଉଥିଲେ ମଧ୍ୟ ସାରା ବିଶ୍ବ ଏବେ ଏହାର ପ୍ରଭାବକୁ ନେଇ ସଂଘର୍ଷ କରୁଛି । ଏହା ବ୍ୟତୀତ ଅନ୍ୟ କାରଣଗୁଡ଼ିକୁ ନେଇ ସାରା ଦୁନିଆରେ ଅସ୍ଥିରତା ଓ ଅସୁରକ୍ଷା ଭାବନା ଦେଖା ଦେଇଛି । ଏଭଳି ଏକ ସମୟରେ ଭାରତ ସଫଳତା ପୂର୍ବକ ସମାଜର ସବୁଠୁ ଦୁର୍ବଳ ବର୍ଗଙ୍କ ପାଇଁ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିବା ସହିତ ସାଧାରଣ ଲୋକଙ୍କ ପାଇଁ ଶସ୍ତା ଓ ସୁଲଭ ଦରରେ ଖାଦ୍ୟ ସାମଗ୍ରୀ ଯୋଗାଇ ଦେବା ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛି ।

ମହାମାରୀ କାରଣରୁ ଦେଶର ସାଧାରଣ ଲୋକଙ୍କୁ ଏକ କଷ୍ଟକର ସମୟ ଦେଇ ଗତି କରିବାକୁ ପଡ଼ିଛି । ସରକାର ଏହାକୁ ହୃଦୟଙ୍ଗମ କରି ପିଏମଜିକେଏୱାଇ ଯୋଜନାର ଅବଧିକୁ ଆଉ ତିନି ମାସ ବଢ଼ାଇବା ନିମନ୍ତେ ନିଷ୍ପତ୍ତି ନେଇଛନ୍ତି । ଯାହାଫଳରେ ସମାଜର ଦୁର୍ବଳ ବର୍ଗ ଓ ଗରିବ ଲୋକମାନଙ୍କୁ ଆଗାମୀ ନବରାତ୍ରୀ, ଦଶହରା, ମିଲାଦ-ଉନ୍‌ –ନବୀ, ଦୀପାବଳୀ, ଛଟ ପୂଜା, ଗୁରୁ ନାନକ ଦେବ ଜୟନ୍ତୀ, ବଡ଼ ଦିନ ଭଳି ପର୍ବ ସମୟରେ ଜରୁରି ସହାୟତା ମିଳିପାରିବ। ଏସବୁ ସାମୁଦାୟିକ ପର୍ବକୁ ଲୋକମାନେ ପ୍ରବଳ ଉତ୍ସାହ ଓ ଉଦ୍ଦିପନାର ସହିତ ପାଳନ କରିଥାନ୍ତି । ସରକାର ପିଏମଜିକେଏୱାଇ ଯୋଜନାର ଅବଧି ଆଉ ତିନି ମାସ ପାଇଁ ବଢ଼ାଇଥିବା କାରଣରୁ ଲୋକମାନଙ୍କ ପାଖରେ ବିନା ଆର୍ଥିକ ଚାପରେ ସହଜରେ ଖାଦ୍ୟଶସ୍ୟ ଉପଲବ୍ଧ ହୋଇପାରିବ ଯାହାଫଳରେ ସେମାନେ ହର୍ଷଉଲ୍ଲାସର ସହିତ ପାର୍ବଣ ଋତୁକୁ ଉପଭୋଗ କରିପାରିବେ।

ଏହି କଲ୍ୟାଣମୂଳକ ଯୋଜନା ଅଧୀନରେ ମାସିକ ମୁଣ୍ଡପିଛା ୫ କିଲୋଗ୍ରାମ ଲେଖାଏଁ ଖାଦ୍ୟଶସ୍ୟ ମାଗଣାରେ ଯୋଗାଇ ଦିଆଯାଇଥାଏ। ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନଏଫଏସଏ), ଅନ୍ତ୍ୟୋଦୟ ଅନ୍ନ ଯୋଜନା ଏବଂ ପ୍ରାଥମିକ ପରିବାର ସମେତ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (ଡିବିଟି) ଯୋଜନାରେ ଲାଭ ପାଉଥିବା ହିତାଧିକାରୀମାନେ ଏହି ଯୋଜନାର ଲାଭ ପାଇପାରିବେ।

ଏବେ ସୁଦ୍ଧା ପିଏମଜିକେଏୱାଇର ଛଅଟି ପର୍ଯ୍ୟାୟ କାର୍ଯ୍ୟକାରୀ ହୋଇଛି ଏବଂ କେନ୍ଦ୍ର ସରକାର ଏ ବାବଦରେ ମୋଟ ୩.୪୫ ଲକ୍ଷ କୋଟି ଟଙ୍କାର ସବସିଡି ଯୋଗାଇ ଦେଇଛନ୍ତି । ଏହି ଯୋଜନାର ସପ୍ତମ ପର୍ଯ୍ୟାୟ କାର୍ଯ୍ୟକାରୀ କରିବା ଲାଗି ସରକାରଙ୍କୁ ଅତିରିକ୍ତ ୪୪ ହଜାର ୭୬୨ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ । ଫଳରେ ପିଏମଜିକେଏୱାଇ ଯୋଜନାର ସବୁ ପର୍ଯ୍ୟାୟ ପାଇଁ ମୋଟ୍‌ ଖର୍ଚ୍ଚ ପରିମାଣ ୩.୯୧ ଲକ୍ଷ କୋଟି ଟଙ୍କାରେ ପହଞ୍ଚିବ ।

ପିଏମଜିକେଏୱାଇର ସପ୍ତମ ପର୍ଯ୍ୟାୟରେ ମୋଟ ୧୨୨ ଲକ୍ଷ ମେଟ୍ରିକ ଟନ୍‌ ଖାଦ୍ୟ ଶସ୍ୟ ବଣ୍ଟନ କରାଯିବ । ଫଳରେ ପ୍ରଥମରୁ ସପ୍ତମ ପର୍ଯ୍ୟାୟ ପର୍ଯ୍ୟନ୍ତ ମୋଟ୍‌ ବିତରିତ ଖାଦ୍ୟଶସ୍ୟ ପରିମାଣ ୧୧୨୧ ଲକ୍ଷ ମେଟ୍ରିକ ଟନ୍‌ରେ ପହଞ୍ଚିବ ।

ଏବେ ସୁଦ୍ଧା, ଗତ ୨୫ ମାସ ଧରି ପିଏମଜିକେଏୱାଇ ଯୋଜନା କାର୍ଯ୍ୟକାରୀ ହୋଇ ଆସୁଛି

ପ୍ରଥମ ଏବଂ ଦ୍ବିତୀୟ ପର୍ଯ୍ୟୟ (୮ ମାସ) : ଏପ୍ରିଲ ୨୦୨୦ ରୁ ନଭେମ୍ବର ୨୦୨୦

ତୃତୀୟରୁ ପଞ୍ଚମ ପର୍ଯ୍ୟାୟ (୧୧ ମାସ): ମେ ୨୦୨୧ରୁ ମାର୍ଚ୍ଚ ୨୦୨୨

ଷଷ୍ଠ ପର୍ଯ୍ୟାୟ (୬ ମାସ) : ଏପ୍ରିଲ ୨୦୨୨ରୁ ସେପ୍ଟେମ୍ବର ୨୦୨୨

 

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନ (ପିଏମଜିକେଏୱାଇ) କୋଭିଡ-୧୯ ସଙ୍କଟ ଭଳି କଷ୍ଟକର ସମୟରେ ଆରମ୍ଭ ହୋଇଥିଲା, ଯାହାଫଳରେ ଯଥେଷ୍ଟ ଖାଦ୍ୟ ଶସ୍ୟ ଅଭାବ କାରଣରୁ ସମାଜର ଗରିବ, ବଞ୍ଚିତ ଓ ଦୁର୍ବଳ ପରିବାର/ହିତାଧିକାରୀମାନଙ୍କୁ ଖାଦ୍ୟାଭାବ ସମସ୍ୟାର ସମ୍ମୁଖିନ ହେବାକୁ ପଡ଼ିବ ନାହିଁ । ଏହି ଯୋଜନାର ଆଉ ଏକ ଲାଭ ହେଉଛି ଏହା ହିତାଧିକାରୀଙ୍କୁ ସାଧାରଣତଃ ମିଳୁଥିବା ମାସିକ ଖାଦ୍ୟଶସ୍ୟର ପରିମାଣକୁ ଦ୍ବିଗୁଣିତ କରି ଦେଇଥିଲା।

ପୂର୍ବ ପର୍ଯ୍ୟାୟଗୁଡ଼ିକର ଅଭିଜ୍ଞତାକୁ ଦୃଷ୍ଟିରେ ରଖି ପିଏମଜିକେଏୱାଇର ସପ୍ତମ ପର୍ଯ୍ୟାୟରେ ମଧ୍ୟ ଆହୁରି ଅଧିକ ସଫଳତା ମିଳିବ ବୋଲି ଆଶା କରାଯାଉଛି ।

 

**********

P.S.



(Release ID: 1863052) Visitor Counter : 191