କୋଇଲା ମନ୍ତ୍ରଣାଳୟ

କୋଇଲା ମନ୍ତ୍ରଣାଳୟ ଦ୍ୱାରା ଖଣିଜ ପଦାର୍ଥ କନ୍‌ସେସନ୍ ନିୟମ ସଂଶୋଧିତ


୧୯୬୦ ଆଇନରେ ଅପରାଧିକ ବିବେଚିତ ହେଉଥିବା ୬୮ଟି ନିୟମକୁ ବଦଳାଇ ବୈଧିକରଣ କରାଯାଇଛି; ଏଣିକି ଏସସିବି ଅପରାଧ ଶ୍ରେଣୀଭୁକ୍ତ ହେବ ନାହିଁ

କାମକୁ ସହଜ ଓ ସରଳ କରିବାକୁ ଗ୍ରହଣ କରାଯାଇଛି ଏହି ପଦକ୍ଷେପ

Posted On: 08 SEP 2022 2:41PM by PIB Bhubaneshwar

କୋଇଲା ମନ୍ତ୍ରଣାଳୟ ୧୯୬୦ ଖଣିଜ ପଦାର୍ଥ କନସେସନ୍ ନିୟମ (ମିନେରାଲ କନ୍‌ସେସନ ରୁଲ)ରେ ବଡଧରଣର ସଂଶୋଧନ କରିଛି । ଏଥିରେ ପୁରୁଣା ଆଇନରେ ଅପରାଧିକ ବିବେଚିତ ୬୮ଟି ଆଇନକୁ ସରଳ ଓ ବୈଧିକରଣ କରାଯାଇଛି । ଏହା ଫଳରେ ଏସବୁ ନିୟମ ଆଉ ପୂର୍ବଭଳି ଅପରାଧିକ ବିବେଚିତ ହେବ ନାହିଁ । କୋଇଲା ମନ୍ତ୍ରଣାଳୟରେ କାମକୁ ସହଜ ଓ ସୁଗମ କରିବାକୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ।

ମିନେରାଲ କନ୍‌ସେସନ୍ ରୁଲ୍ ବା ଏମ୍‌ସିଆର ରିକନାଏସେନ୍ସ ପର୍ମିଟ, ପ୍ରସ୍ପେକ୍ଟିଙ୍ଗ ଲାଇସେନ୍ସ ଓ ଖଣି ଲିଜ୍ ଆଦି କାର୍ଯ୍ୟକୁ ନିୟନ୍ତ୍ରଣ କରିଥାଏ । ଖଣି ଲିଜ୍ ପାଇଁ ଆବେଦନ, ଲିଜ୍ ପ୍ରଦାନ ବ୍ୟବସ୍ଥା ଓ ଖଣିଜ ଖନନ ତଥା ଉତ୍ତୋଳନ ଆଦି କାମ ପାଇଁ ଏହି କନ୍‌ସେସନ ବା ଅନୁମୋଦିତ ଦରକାର ହୋଇଥାଏ । ବିନା ଅନୁମତିରେ ଏହିଭଳ କୌଣସି କାମ କଲେ ଏହା ଦଣ୍ଡନୀୟ ବିବେଚିତ ହୋଇଥାଏ । କୋଇଲା ଖଣିର ବିକାଶ, ଖନନ ଏବଂ ଏହାକୁ କାର୍ଯ୍ୟକ୍ଷମ କରିବା ପାଇଁ ପ୍ରାକ୍ ଅନୁମତି ଅପରିହାର୍ଯ୍ୟ । 

ପୂର୍ବରୁ ଏହି ଆଇନ ଅତ୍ୟନ୍ତ କଠୋର ଥିବାରୁ କୋଇଲା ଖଣିର ଲିଜ୍‌, ପରମିଟ୍‌, ଖନନ, କୋଇଲା ଉତ୍ତୋଳନ ଓ ପରିବହନ ଆଦି କ୍ଷେତ୍ରରେ ଅନେକ ଅସୁବିଧା ହେଉଥିଲା । ଫଳରେ ଏ କ୍ଷେତ୍ରରେ କାମ କରିବା କଷ୍ଟ ସାଧ୍ୟ ଥିଲା । ତେଣୁ କାର୍ଯ୍ୟ ପ୍ରଣାଳୀକୁ ସହଜ ଓ ସୁଗମ କରିବାକୁ ସରକାର ଏହି ପଦକ୍ଷେପ ନେଇଛନ୍ତି । ତେଣୁ ପୂର୍ବର ୬୮ଟି ଦଣ୍ଡବିଧାନକାରୀ କଠୋର ଆଇନକୁ ପ୍ରତ୍ୟାହାର କରି ନିଆଯାଇଛି । ତା ପରିବର୍ତ୍ତେ ଏମ୍‌ସିଆରରେ ମାତ୍ର ୧୦ଟି ବିଷୟରେ ନିୟମ ଉଲ୍ଳଂଘନ କଲେ ଜୋରିମାନା ବା ଦଣ୍ଡବିଧାନର ବ୍ୟବସ୍ଥା ହୋଇଛି । 

ଅତିରିକ୍ତ କିମ୍ବା ରାଜଭାଗ ଅଭାବ ଜନିତ ଟିକସ ଭରଣା କ୍ଷେତ୍ରରେ ଏକ୍ସପ୍ରେସ ପ୍ରୋଭିଜନ ନାମରେ ଏକ ନୂଆ ନିୟମ କରାଯାଇଛି । ସେହିଭଳି ଖଣି ରେଣ୍ଟ, ରୟାଲିଟ୍‌, ଫି ଓ ଅନ୍ୟାନ୍ୟ ଦେୟ ପୈଠ ବିଳମ୍ବରେ ସରକାର ଯେଉଁ ୨୪ ଶତାଂଶ ପେନାଲିଟ୍ ଟିକସ୍ ଆଦାୟ କରୁଥିଲେ ତାହାକୁ ୧୨ଶତାଂଶଙ୍କୁ ହ୍ରାସ କରାଯାଇଛି । ସରକାରଙ୍କର ଏସବୁ ସଂସ୍କାରବାଦୀ ପଦକ୍ଷେପ ଫଳରେ କୋଇଲା ଖଣି କ୍ଷେତ୍ରରେ ବେପାର ବଣିଜ କରିବା ସହଜ ହେବ ଏବଂ ଜଟିଳ ଆଇନଗତ ଓ ଦଣ୍ଡବିଧାନ ମୂଳକ ବ୍ୟବସ୍ଥାର ଅବସାନ ଘଟି ଅର୍ଥନୀତିକ ପ୍ରକ୍ରିୟା ତ୍ୱରାନ୍ୱିତ ହେବ ବୋଲି ଆଶା କରାଯାଉଛି ।

****

TKM/SLP



(Release ID: 1857888) Visitor Counter : 91