ଜାହାଜ ଚଳାଚଳ ମନ୍ତ୍ରଣାଳୟ

ଭାରତୀୟ ଉପକୂଳରେ ରୋ-ରୋ ଏବଂ ରୋ-ପ୍ୟାକ୍ସ ଫେରୀ ସେବା ପରିଚାଳନା ପାଇଁ ଜାରି ହେଲା ଚିଠା ମାର୍ଗଦର୍ଶିକା


ଓଡ଼ିଶା ସମେତ ଦେଶର ବିଭିନ୍ନ ସ୍ଥାନରେ ରୋ-ରୋ ଫେରୀ ଏବଂ ଜଳମାର୍ଗ ପରିବହନକୁ ମିଳିବ ପ୍ରୋତ୍ସାହନ

ଓଡ଼ିଶାର ଦୁଇଟି ସ୍ଥାନ ସମେତ ଦେଶର ୪୫ଟି ରୋ-ରୋ ଫେରୀ ପ୍ରକଳ୍ପ କାର୍ଯ୍ୟକାରୀ ପାଇଁ ସହାୟତା ଯୋଗାଇ ଦେଉଛନ୍ତି କେନ୍ଦ୍ର ସରକାର

Posted On: 16 JUN 2022 12:20PM by PIB Bhubaneshwar

ଭାରତ ସରକାରଙ୍କ ବନ୍ଦର, ଜାହାଜ ଚଳାଚଳ ଏବଂ ଜଳମାର୍ଗ ମନ୍ତ୍ରଣାଳୟ (ଏମଓପିଏସଡବ୍ଲୁ) ପକ୍ଷରୁ ସାଗରମାଳା କାର୍ଯ୍ୟକ୍ରମ ଅଧୀନରେ ଦେଶରେ ରୋ-ରୋ (ରୋଲ୍‌ – ଅନ୍‌, ରୋଲ୍‌ ଅଫ୍‌) ଫେରୀ ଏବଂ ଜଳମାର୍ଗ ପରିବହନକୁ ପ୍ରୋତ୍ସାହନ ଦେବା ଲାଗି ଏକ ଇକୋସିଷ୍ଟମ ବିକଶିତ କରିବା ଲାଗି ନିଷ୍ପତ୍ତି ନେଇଛି । ଏହି ପରିବହନ ସାଧନର ଅନେକ ଲାଭ ରହିଛି । ଉଦାହରଣ ସ୍ବରୂପ, ଏହାଦ୍ବାରା ଯାତ୍ରା ସମୟ ହ୍ରାସ ପାଇବ, ଲଜିଷ୍ଟିକ୍‌ ଖର୍ଚ୍ଚ କମିବ ଏବଂ ପରିବହନର ପାରମ୍ପରିକ ସାଧନ ତୁଳନାରେ ପ୍ରଦୂଷଣ ମଧ୍ୟ ହ୍ରାସ ପାଇବ ।

ଫେରୀ ସେବା କ୍ଷେତ୍ରରେ ଅପାର ସମ୍ଭାବନା ଏବଂ ବିଶେଷ ଲାଭକୁ ଦୃଷ୍ଟିରେ ରଖି ମନ୍ତ୍ରଣାଳୟ ୪୫ଟି ପ୍ରକଳ୍ପକୁ ଆର୍ଥିକ ସହାୟତା ଯୋଗାଇ ଦେଉଛି । ଏସବୁର ମୋଟ୍‌ ପ୍ରକଳ୍ପରେ ୧୯୦୦ କୋଟି ଟଙ୍କା ବ୍ୟୟ କରାଯିବ । ସାଗରମାଳା କାର୍ଯ୍ୟକ୍ରମର ପ୍ରାରମ୍ଭିକ ପର୍ଯ୍ୟାୟରେ ଗୁଜରାଟର ଘୋଘା-ହାଜିରା ଏବଂ ମହାରାଷ୍ଟ୍ରର ମୁମ୍ବାଇ-ମଣ୍ଡୱା ମଧ୍ୟରେ ରୋ ପ୍ୟାକ୍ସ ସେବା ଆରମ୍ଭ କରାଯାଇଛି । ଏ ଦୁଇଟି ସ୍ଥାନରେ ୭ ଲକ୍ଷରୁ ଅଧିକ ଯାତ୍ରୀ ଏବଂ ୧.୫ ଲକ୍ଷ ବାହନ ପରିବହନ ସମ୍ଭବ ହୋଇପାରୁଛି । ଫଳରେ ସ୍ବଚ୍ଛ ପରିବେଶ ଏବଂ ଲୋକ କଲ୍ୟାଣ ଦିଗରେ ଯୋଗଦାନ ହୋଇପାରୁଛି ।

ଏସବୁ ପ୍ରକଳ୍ପର ସଫଳତା ଏବଂ ଅଧିକ ଚାହିଦା ଓ କ୍ଷମତାକୁ ଦେଖି ଗୁଜରାଟରେ ପିପାବାଓ ଓ ମୂଳଦ୍ବାରକା, ମହାରାଷ୍ଟ୍ରର ଘୋଡ଼ବନ୍ଦର, ୱେଲଦୁର, ୱସଇ, କାଶୀଦ, ରେୱାସ, ମନୋରୀ ଏବଂ ଜେଏନ୍‌ ପୋର୍ଟ ଆଦିରେ ଅତିରିକ୍ତ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ଯୋଜନା କରାଯାଇଛି । ଏହାଛଡ଼ା ଆନ୍ଧ୍ର ପ୍ରଦେଶରେ ୪ଟି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ । ଓଡ଼ିଶାରେ ଦୁଇଟି ପ୍ରକଳ୍ପ ଏବଂ ତାମିଲନାଡ଼ୁ ଓ ଗୋଆରେ ଗୋଟିଏ ଲେଖାଏଁ ପ୍ରକଳ୍ପ ପାଇଁ ମନ୍ତ୍ରଣାଳୟ ପକ୍ଷରୁ ସହାୟତା ଯୋଗାଇ ଦିଆଯାଉଛି।

ଅଂଶୀଦାରମାନଙ୍କ ଠାରୁ ପ୍ରାରମ୍ଭିକ ଇନପୁଟ୍‌ ବା ପରାମର୍ଶ ସାମିଲ କରିବା ପରେ ‘‘ଭାରତୀୟ ଉପକୂଳରେ ରୋ-ରୋ ଏବଂ ରୋ-ପ୍ୟାକ୍ସ ଫେରୀ ସେବାର ପରିଚାଳନା ପାଇଁ ମାର୍ଗଦର୍ଶିକା’’ର ଚିଠା ପ୍ରସ୍ତୁତ କରାଯାଇଛି । ଏହି ମାର୍ଗଦର୍ଶିକାରେ ଫେରୀ ପରିଚାଳନାର ଦୁଇଟି ଦିଗକୁ ସାମିଲ କରାଯାଇଛି – ଟର୍ମିନାଲ ପରିଚାଳନା ଲାଗି ରିହାତି ଏବଂ ରୋ-ପ୍ୟାକ୍ସ ଜାହାଜ ପରିଚାଳନା ପାଇଁ ଲାଇସେନ୍ସ ।

ଏହି ମାର୍ଗଦର୍ଶିକା ଫେରୀ ସେବାର ବିକାଶ ଏବଂ ପରିଚାଳନାକୁ ଏକସମାନ ଏବଂ ସୁବ୍ୟବସ୍ଥିତ କରିବ । ଏଥିସହିତ, ଅନାବଶ୍ୟକ ବିଳମ୍ବ ଏବଂ ଅସହମତି ଦୂର ହେବ । ଗ୍ରାହକ ଇଣ୍ଟରଫେସରେ ଡିଜିଟାଲ ହସ୍ତକ୍ଷେପ ଆରମ୍ଭ କରାଯାଇ ବ୍ୟବସାୟିକ ସୁଗମତା ପାଇଁ ମାର୍ଗ ପ୍ରଶସ୍ତ ହେବ । ଏହାବ୍ୟତୀତ ଏହି ମାର୍ଗଦର୍ଶିକା ପ୍ରକ୍ରିୟାର ମାନକୀକରଣ କରିବା ସହିତ ପ୍ରକଳ୍ପ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ସରକାର ଏବଂ ବନ୍ଦର କର୍ତ୍ତୃପକ୍ଷଙ୍କୁ ସହାୟକ ହେବ । ଅନୁରୂପ ଭାବେ ଘରୋଇ କମ୍ପାନୀଗୁଡ଼ିକ ମଧ୍ୟରେ ବିଶ୍ବାସ ବଢ଼ାଇବାର ସହାୟତା କରିବ, ଯାହାଫଳରେ ସେମାନଙ୍କର ଭାଗିଦାରୀ ବଢ଼ିବ ଏବଂ ଏପରି ପ୍ରକଳ୍ପରେ ସୁସ୍ଥ ପ୍ରତିଯୋଗିତାକୁ ପ୍ରୋତ୍ସାହନ ମିଳିବ ।

ଏବେ ମନ୍ତ୍ରଣାଳୟ ପକ୍ଷରୁ ‘‘ଭାରତୀୟ ଉପକୂଳରେ ରୋ-ରୋ ଏବଂ ରୋ-ପ୍ୟାକ୍ସ ଫେରୀ ସେବା ପରିଚାଳନା ନିମନ୍ତେ ଚିଠା ମାର୍ଗଦର୍ଶିକା’’ ଉପରେ ପ୍ରତିକ୍ରିୟା ଓ ପରାମର୍ଶ ଆହ୍ବାନ କରାଯାଇଛି । ଏଥିପାଇଁ ଆବଶ୍ୟକ ଦସ୍ତାବିଜ ମନ୍ତ୍ରଣାଳୟ ଏବଂ ସାଗରମାଳାର ୱେବସାଇଟ https://shipmin.gov.in/ ଏବଂ https://sagarmala.gov.in/ ରେ ଉପଲବ୍ଧ ରହିଛି । ପ୍ରକାଶନର ୨୧ ଦିନ ମଧ୍ୟରେ ମାର୍ଗଦର୍ଶିକାର ସଂଲଗ୍ନକ (ଆନେକ୍ସଚର) ୧ ରୂପରେ ସଂଲଗ୍ନ ପ୍ରୋଫର୍ମା ମାଧ୍ୟମରେ ଆବଶ୍ୟକ ପରାମର୍ଶ sagar.mala[at]gov[dot]in କୁ ପଠାଇ ହେବ ।

 

******

P.S. 



(Release ID: 1834622) Visitor Counter : 206