ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ
ପିଆଇବି, ଦୂରଦର୍ଶନ, ଆକାଶବାଣୀର ଆଞ୍ଚଳିକ ଅଧିକାରୀ ଏବଂ ଆଞ୍ଚଳିକ ଗଣମାଧ୍ୟମ ବ୍ୟକ୍ତିତ୍ୱଙ୍କ ସହିତ ଡକ୍ଟର ମନସୁଖ ମାଣ୍ଡବୀୟଙ୍କ କଥୋପକଥନ
କୋଭିଡ ମହାମାରୀ ସମୟରେ ସେମାନଙ୍କ ଭୂମିକାକୁ ପ୍ରଶଂସା କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ
“ଏକ ସମୃଦ୍ଧ ଭାରତ ନିର୍ମାଣ ପାଇଁ ଆମେ ଏକ ସୁସ୍ଥ ଭାରତ ଏବଂ ଏକ ସ୍ୱସ୍ଥ ଭାରତ ନିମନ୍ତେ, ସ୍ୱସ୍ଥ ନାଗରିକ ଆବଶ୍ୟକ କରୁ”
କୋଭିଡ ଟିକାଦାନ କାର୍ଯ୍ୟକ୍ରମ ‘ହର୍ ଘର୍ ଦସ୍ତକ ୨.୦ ଅଭିଯାନକୁ ସଫଳ କରିବା ପାଇଁ ସଚେତନତା ସୃଷ୍ଟି ପ୍ରକ୍ରିୟାକୁ ଅଧିକ ସୁଦୃଢ କରିବାକୁ ପଡିବ ଓ ଲୋକେ ଏହା ଦ୍ୱାରା ଟିକା ନେବାକୁ ଉତ୍ସାହିତ ହେବେ : ଡକ୍ଟର ମନସୁ୍ଖ ମାଣ୍ଡବୀୟ
ମେଡିକାଲ ପର୍ଯ୍ୟଟନ୍ ମାଧ୍ୟମରେ ଭାରତ କେବଳ ‘ହିଲ ଇନ୍ ଇଣ୍ଡିଆ’ କାର୍ଯ୍ୟକ୍ରମରେ ଏକ ନୂଆ ମୋଡରେ ପହଞ୍ଚିନାହିଁ, ଏହା ମଧ୍ୟ “ହିଲ ବାଏ ଇଣ୍ଡିଆ”କ୍ଷେତ୍ରରେ ଯଥେଷ୍ଟ ଆଗରେ ଅଛି: ଡକ୍ଟର ମାଣ୍ଡବୀୟ
“ଭାରତ ସ୍ୱାସ୍ଥ୍ୟକୁ ଏକ ସେବା ଭାବେ ବିଚାର କରେ ଏବଂ ଦେଶ ସ୍ୱାସ୍ଥ୍ୟସେବା ପ୍ରଦାନ କ୍ଷେତ୍ରରେ ବିଶ୍ୱର ନେତୃତ୍ୱ ନେବାକୁ ପ୍ରସ୍ତୁତ”
प्रविष्टि तिथि:
03 JUN 2022 6:59PM by PIB Bhubaneshwar
ଏକ ସମୃଦ୍ଧ ଭାରତ ପାଇଁ ଆମେ ଏକ ସୁସ୍ଥଭାରତ ଏବଂ ଏକ ସୁସ୍ଥ ଭାରତ ନିମନ୍ତେ ଆମେ ସ୍ୱସ୍ଥ ନାଗରିକ ଆବଶ୍ୟକ କରୁ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀ ସ୍ୱାସ୍ଥ୍ୟକୁ ନିଜ କାର୍ଯ୍ୟସୂଚୀର କେନ୍ଦ୍ରରେ ରଖିଛନ୍ତି ଏବଂ କେନ୍ଦ୍ର ସରକାର ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟସେବା ଯୋଜନା ଓ କାର୍ଯ୍ୟକ୍ରମ ଗ୍ରହଣ କରୁଛନ୍ତି । ଭାରତ ମଧ୍ୟ “ ହିଲ୍ ଇନ୍ ଇଣ୍ଡିଆ” ଓ “ହିଲ ବାଏ ଇଣ୍ଡିଆ” ପ୍ରୟାସ ମାଧ୍ୟମରେ ସ୍ୱାସ୍ଥ୍ୟ ସେବା ଯୋଗାଣରେ ବିଶ୍ୱରେ ନେତୃତ୍ୱ ଭୂମିକା ଗ୍ରହଣ କରିବାକୁ ପ୍ରସ୍ତୁତ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବୀୟ କହିଛନ୍ତି ।

ଶୁକ୍ରବାର ପିଆଇବି, ଦୂରଦର୍ଶନ ଓ ଆକାଶବାଣୀର ଆଞ୍ଚଳିକ ଅଧିକାରୀ ଏବଂ ଆଞ୍ଚଳିକ ଗଣମାଧ୍ୟମ ବ୍ୟକ୍ତିତ୍ୱମାନଙ୍କ ସହ କଥୋପକଥନ ସମୟରେ ସେ ଏହା କହିଛନ୍ତି । ଏହି କାର୍ଯ୍ୟକ୍ରମ ଅନ୍ଲାଇନ ବ୍ୟବସ୍ଥାରେ ଆୟୋଜିତ ହୋଇଥିଲା । ଏଥିରେ ୧୫୦ରୁ ଅଧିକ ଅଧିକାରୀ ଏବଂ ଆଞ୍ଚଳିକ ସ୍ୱାସ୍ଥ୍ୟ ବିଷୟକ ସାମ୍ବାଦିକ ସବୁ ରାଜ୍ୟରୁ ଭାଗ ନେଇଥିଲେ ।

ପ୍ରାରମ୍ଭରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ, କୋଭିଡ ମହାମାରୀ ସଂକ୍ରମଣ କାଳରେ ଗଣମାଧ୍ୟମ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବାରୁ, ସେଥିପାଇଁ ଧନ୍ୟବାଦ ଜଣାଇଥିଲେ । ସେ କହିଥିଲେ ଯେ ଏଭଳି ଏକ ପରୀକ୍ଷାର ଘଡିରେ ସାମ୍ବାଦିକମାନେ ଆଶାନୁରୁପ କାର୍ଯ୍ୟ କରି ପ୍ରକୃତ ତଥ୍ୟ ଓ ସୂଚନା ପ୍ରଦାନ କରିଥିଲେ । କରୋନା ଘେନି ଯେଉଁ ବିଭ୍ରାନ୍ତିକାର ଖବର ଓ ଭୁଲ ତଥ୍ୟ ପ୍ରଚାରିତ ହେଉଥିଲା ତାହାକୁ ନିର୍ଭୁଲ ତଥ୍ୟ ଭିତ୍ତିକ ଖବର ଦେଇ ସେମାନେ ଏହାର ପ୍ରତିହତ କରିଥିଲେ । ଏହା ଫଳରେ କରୋନା ଘେନି ରହିଥିôବା ଭ୍ରାନ୍ତି, କାଳ୍ପନିକ କଥା ଓ ଭୟ ଦୂର ହୋଇଥିଲା । ଫଳରେ ଲୋକଙ୍କ ମଧ୍ୟରେ ଟିକା ନେବା ପାଇଁ ଆଗ୍ରହ ବଢିଥିଲା ଏବଂ ଏଥିପ୍ରତି ଥିବା ବିରୋଧ ହ୍ରାସ ପାଇଥିଲା ।
ଏହି ମହାମାରୀ କାଳରେ ପିଆଇବି, ଦୂରଦର୍ଶନ ସମାଚାର, ଆକାଶବାଣୀ ସମାଚାରର ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧିମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ପ୍ରଶଂସା କରି ସେ ଆହୁରି କହିଥିଲେ ଯେ ଏହା କେବଳ ସରକାରୀ ଉଦ୍ୟମ ନ ଥିଲା, “ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ ଓ ସବ୍କା ପ୍ରୟାସ”ମାଧ୍ୟମରେ ଆମେ ବିଶ୍ୱର ସର୍ବବୃହତ ଟିକାଦାନ କାର୍ଯ୍ୟକ୍ରମକୁ ସଫଳତାର ସହ ଆରମ୍ଭ କରିପାରିଥିଲୁ । ଏହି ମହାମାରୀ କାଳରେ ଯେଉଁ ସାମ୍ବାଦିକମାନେ ପ୍ରାଣ ହରାଇଥିଲେ ସେମାନଙ୍କ ସ୍ମୃତି ପ୍ରତି ସେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।
ସେ ଆହୁରି କହିଥିଲେ ଯେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ -ଗଣମାଧ୍ୟମ ମହାମାରୀ କାଳରେ ନିଜର ସାମର୍ଥ୍ୟର ଏକ ଅତି ଉଚ୍ଚ ମାନ ପ୍ରଦର୍ଶନ କରିଥିଲା । ଏକ ସମୃଦ୍ଧ ଭାରତ ପାଇଁ ଆମେ ଏକ ସୁସ୍ଥ ଭାରତ ଆବଶ୍ୟକ କରୁ ଏବଂ ଏକ ସୁସ୍ଥ ଭାରତ ପାଇଁ ସ୍ୱସ୍ଥ ନାଗରିକଙ୍କ ଆବଶ୍ୟକତା ରହିଛି -ଏହି ବାର୍ତ୍ତାକୁ ଗଣମାଧ୍ୟମ ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚାଇବା ଉଚିତ । ଆମେ ଇତି ମଧ୍ୟରେ ହର୍ ଘର୍ ଦସ୍ତକ ଅଭିଯାନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ କରିଛୁ । ଲୋକଙ୍କୁ ଟିକାନେବାକୁ ଉତ୍ସାହିତ କରିବା ସହିତ ସମସ୍ତଙ୍କୁ ସମ୍ପୂର୍ଣ୍ଣ ଟିକା ଡୋଜ ଦେବା ଏହି ଅଭିଯାନର ଲକ୍ଷ୍ୟ । ଏହି ବାର୍ତ୍ତା ଜନସାଧାରଣଙ୍କ ପାଖରେ ଅଧିକରୁ ଅଧିକ ପହଂଚାଇବାରେ ମୁଁ ଆପଣମାନଙ୍କ ସହଯୋଗ ଲୋଡୁଛି ବୋଲି ସେ କହିଥିଲେ । ସେହିଭଳି ଟିବି ନିରାକରଣ, ଟେଲି ମେଡିସିନ, ମୋତିଆବିନ୍ଦୁ, ଇ-ସଂଜୀବନୀ ଭଳି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଅଧିକରୁ ଅଧିକ ଖବର ଆଞ୍ଚଳିକ ସ୍ତରରେ ଲୋକଙ୍କ ପାଖରେ ପହଞ୍ଚାଇବାକୁ ସେ ପରାମର୍ଶ ଦେଇଥିଲେ ।
ଡକ୍ଟର ମାଣ୍ଡବୀୟ କହିଥିଲେ ଯେ ଭାରତ ସ୍ୱାସ୍ଥ୍ୟକୁ ଏକ ସେବା ଭାବେ ବିବେଚନା କରେ । ନିଜର ତାଲିମପ୍ରାପ୍ତ ଓ ସମର୍ଥ ଲୋକଶକ୍ତି ମାଧ୍ୟମରେ ଭାରତ ସମଗ୍ର ବିଶ୍ୱକୁ ସ୍ୱାସ୍ଥ୍ୟସେବା ଯୋଗାଇ ପୃଥିବୀରେ ନେତୃତ୍ୱ ଭୂମିକା ଗ୍ରହଣ କରିବାକୁ ପ୍ରସ୍ତୁତ । ଭାରତ ଏବେ କେବଳ “ହିଲ୍ ଇନ୍ ଇଣ୍ଡିଆ” କାର୍ଯ୍ୟକ୍ରମର ଏକ ନୂଆ ମୋଡରେ ପହଞ୍ଚି ନାହିଁ, ‘ହିଲ ବାଏ ଇଣ୍ଡିଆ’ କାର୍ଯ୍ୟକ୍ରମ ମାଧ୍ୟମରେ ଆମର ସ୍ୱାସ୍ଥ୍ୟ ପେସାଦାର /ଚିକିତ୍ସକମାନେ ବିଶ୍ୱସ୍ତରରେ ଚିକିତ୍ସାସେବା ଓ ପରାମର୍ଶ ଦେବାକୁ ପ୍ରସ୍ତୁତ । ଆମର ଉନ୍ନତ ଚିକିତ୍ସା ବ୍ୟବସ୍ଥା ସ୍ୱାସ୍ଥ୍ୟ ପର୍ଯ୍ୟଟନ କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛି ।
ଏହି ଅବସରରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ କୋଭିଡ ପରିଚାଳନା, ଟିକାଦାନ, ହର୍ ଘର୍ ଦସ୍ତକ ଅଭିଯାନ, ବୈଶ୍ୱିକ ଟିକାଦାନ କ୍ଷେତ୍ରରେ ଭାରତର ଭ୍ୟାକ୍ସିନ ମୈତ୍ରୀର ଭୂମିକା, କୋ-ୱିନର ବିଶ୍ୱସ୍ତରୀୟ ଗୁରୁତ୍ୱ, କୋଭିଡ କାଳରେ ଗଣମାଧ୍ୟମର ଭୂମିକା ଆଦି ପ୍ରସଙ୍ଗରେ ସବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ ।
କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧିମାନେ ନିଜ ନିଜର ଅନୁଭୂତି, ସମ୍ମୁଖୀନ ହୋଇଥିବା ଆହ୍ୱାନ ଆଦି ସମ୍ପର୍କରେ କହିବା ସହିତ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଅନେକ ଅଭିନବ ପ୍ରସ୍ତାବ ଦେଇଥିଲେ।
****
TKM/SLP
(रिलीज़ आईडी: 1830988)
आगंतुक पटल : 189