ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରଣାଳୟ

କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ସ୍ମୃତି ଜୁବିନ ଇରାନୀ ଆସନ୍ତାକାଲି (୦୪.୦୬.୨୦୨୨) ଛତିଶଗଡର ରାୟପୁରଠାରେ ଉପଆଞ୍ଚଳିକ ବୈଠକରେ ଅଧ୍ୟକ୍ଷତା କରିବେ


ଏଥିରେ ଯୋଗଦେବେ ଛତିଶଗଡ, ପଶ୍ଚିମବଙ୍ଗ ଏବଂ ଓଡିଶାର ପ୍ରତିନିଧିଗଣ

Posted On: 03 JUN 2022 6:36PM by PIB Bhubaneshwar

ସ୍ୱାଧୀନତାର ୭୫ବର୍ଷରେ ଦେଶ ଆଗାମୀ ୨୫ବର୍ଷ ନିମନ୍ତେ ନିଜର ଲକ୍ଷ୍ୟ ସ୍ଥିର କରୁଛି । ସମ୍ପୂର୍ଣ୍ଣ ଉତ୍ସାହ ଓ ଅଙ୍ଗୀକାରବଦ୍ଧତା ସହ ଏକ ଉଜ୍ଜ୍ୱଳ ଭବିଷ୍ୟତକୁ ଦେଖୁଥିବା ବେଳେ ବର୍ତ୍ତମାନ ସଫଳତା ଉପରେ ଆଲୋକପାତ କରି ବିପୁଳ ଉତ୍ସାହର ସହ ଏହାକୁ ପାଳନ କରିବାର ସମୟ ଉପନୀତ ହୋଇଛି । ଏହି ଲକ୍ଷ୍ୟରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଧାରାବାହିକ ଭାବେ ଆଞ୍ଚଳିକ ଓ ଉପ ଆଞ୍ଚଳିକ ବୈଠକ ଦେଶବ୍ୟାପୀ ଜୁନ ୪, ୨୦୨୨ ଠାରୁ ଆୟୋଜନ କରୁଛି । ଏହି ପରିପ୍ରେକ୍ଷୀରେ ପ୍ରଥମ ଉପ ଆଞ୍ଚଳିକ ବୈଠକ ଆସନ୍ତାକାଲି (୦୪.୦୬.୨୦୨୨) ଛତିଶଗଡର ରାୟପୁରଠାରେ ଆୟୋଜିତ ହେଉଛି । ଏଥିରେ ଛତିଶଗଡ, ପଶ୍ଚିମବଙ୍ଗ ଓ ଓଡିଶା ରାଜ୍ୟ ଅଂଶ ଗ୍ରହଣ କରିବେ ।

କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ସ୍ମୃତି ଜୁବିନ ଇରାନୀ ଏଥିରେ ଅଧ୍ୟକ୍ଷତା କରିବେ । କେନ୍ଦ୍ର ମହିଳା ଓ ଶିଶୁ ବିକାଶ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ମଞ୍ଜପାରା ମହେନ୍ଦ୍ରଭାଇ ମଧ୍ୟ ଏଥିରେ ଯୋଗଦେବେ । ବୈଠକରେ ସଂସଦ ସଦସ୍ୟ, ଅଂଶଗ୍ରହଣକାରୀ ରାଜ୍ୟଗୁଡିକର ସମାଜ କଲ୍ୟାଣ, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ମାନେ ମଧ୍ୟ ଯୋଗଦେବେ । ରାଜ୍ୟ ବିଧାନସଭାରେ ରାୟପୁର ଜିଲ୍ଲାର ବିଧାୟକମାନେ ମଧ୍ୟ ଏହି ବୈଠକରେ ଅଂଶଗ୍ରହଣ କରିବେ । ପ୍ରଧାନ ଶାସନ ସଚିବ ମହିଳା ଓ ଶିଶୁ ବିକାଶ ଏବଂ ସମାଜ ମଙ୍ଗଳ ବିଭାଗ ସଚିବ ଓ ରାଜ୍ୟର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଗଣ ମଧ୍ୟ ଏଥିରେ ଯୋଗଦେବେ । ଏଥିରେ ଜିଲ୍ଳା ପରିଷଦ ଓ ପଞ୍ଚାୟତ ମୁଖ୍ୟମାନେ ମଧ୍ୟ ଯୋଗଦେବେ । ଏନସିଡବ୍ଲ୍ୟୁ, ଏସସିଡବ୍ଲୁ, ଏନସିପିଆରି, ଏସସିପିଆର ଓ ଆନ୍ତର୍ଜାତିକ ସଂସ୍ଥା ଯେପରିକି ବିଶ୍ୱବ୍ୟାଙ୍କ, ୟୁନିସେଫ, ଜାତିସଂଘ ମହିଳା ଓ ବେସାମରିକ ସମାଜ ସଂଗଠନଗୁଡିକ ମଧ୍ୟ ଏଥିରେ ଯୋଗ ଦେବେ । 

ଦେଶର ମହିଳା ଓ ଶିଶୁମାନଙ୍କୁ ସଶକ୍ତ କରିବା ନିମନ୍ତେ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ତିନୋଟି ନୂତନ ଅଭିଯାନ ଆରମ୍ଭ କରିଛି । ମିଶନ ସକ୍ଷମ, ଅଙ୍ଗନବାଡି ଓ ପୋଷଣ ୨.୦, ମିଶନ ଶକ୍ତି, ମିଶନ ବାତ୍ସଲ୍ୟ । ମିଶମ ସକ୍ଷମ ଅଙ୍ଗନବାଡି ଓ ପୋଷଣ ୨.୦ ମହିଳା ଓ ଶିଶୁଙ୍କ ସମ୍ପୂର୍ଣ୍ଣ ପୋଷ୍ଟିକତା ସୁନିଶ୍ଚିତ କରିବାକୁ ଥିବାବେଳେ ମିଶନ ଶକ୍ତି, ମହିଳା ସୁରକ୍ଷା, ଥଇଥାନ ଓ ସଶକ୍ତିକରଣ ଉପରେ ବ୍ୟାପକ ସମାଧାନର ପନ୍ଥା ବାହାର କରିବ । ମିଶନ ବାତ୍ସଲ୍ୟ ଶିଶୁ କଲ୍ୟାଣ ଓ ବିକାଶ ସହ ସେମାନଙ୍କ ନିରାପତ୍ତା ମଧ୍ୟ ସୁନିଶ୍ଚିତ କରିବ ।

ବୈଠକ କାର୍ଯ୍ୟକ୍ରମ କେବଳ ହାସଲ ହୋଇଥିବା ସଫଳତାକୁ ନେଇ ଉତ୍ସବ ମୁଖର ନ ହୋଇ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଦ୍ୱାରା ମହିଳା ଓ ଶିଶୁ ବିକାଶ ଓ ସଶକ୍ତିକରଣ ଉପରେ ନିଆଯାଉଥିବା ନିରବଚ୍ଛିନ୍ନ ପ୍ରୟାସ ଓ ଅଙ୍ଗୀକାରବଦ୍ଧତା କାର୍ଯ୍ୟକ୍ରମ ଉପରେ ମଧ୍ୟ ଆଲୋକପାତ କରାଯିବ ।

 

****

 

SM/SLP



(Release ID: 1830976) Visitor Counter : 137


Read this release in: English , Urdu , Hindi