ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ

ପ୍ରାକ୍‌ ମୌସୁମୀ/ମୌସୁମୀ ପରିସ୍ଥିତିର ପ୍ରସ୍ତୁତି ସମୀକ୍ଷା ପାଇଁ ଜାତୀୟ ବିପର୍ଯ୍ୟୟ ପ୍ରଶମନ ପ୍ରାଧିକରଣର ବୈଠକ

Posted On: 13 MAY 2022 8:24PM by PIB Bhubaneshwar

ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗମନ ପୂର୍ବରୁ ପ୍ରାକ୍‌ ମୌସୁମୀ/ମୌସୁମୀ ପରିସ୍ଥିତିର ସମୀକ୍ଷା ଲାଗି ଜାତୀୟ ବିପର୍ଯ୍ୟୟ ପ୍ରଶମନ ପ୍ରାଧିକରଣ (ଏନଡିଏମଏ)ର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଗତ ମେ ୫ ତାରିଖରେ ଗ୍ରୀଷ୍ମ ପ୍ରବାହ ଓ ମୌସୁମୀ ପରିସ୍ଥିତିର ସମୀକ୍ଷା ପାଇଁ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଏହାର ପରବର୍ତ୍ତୀ ପଦକ୍ଷେପ ସ୍ବରୂପ ଏନଡିଏମଏ ପକ୍ଷରୁ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି), ଜାତୀୟ ରିମୋଟ ସେନ୍ସିଂ ସେଣ୍ଟର (ଏନଆରଏସସି), କେନ୍ଦ୍ରୀୟ ଜଳ ଆୟୋଗ (ସିଡବ୍ଲୁସି), ସମନ୍ବିତ ପ୍ରତିରକ୍ଷା କର୍ମଚାରୀ, ଜାତୀୟ ବିପର୍ଯ୍ୟୟ ମୁକାବିଲା ବାହିନୀ (ଏନଡିଆରଏଫ), ଭାରତୀୟ ତଟରକ୍ଷୀ ବାହିନୀ, ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ, ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ଓ ବୈଜ୍ଞାନିକଙ୍କ ସମେତ ୧୯ଟି ବନ୍ୟା ପ୍ରବଣ ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶର ଅବାସିକ କମିଶନରମାନେ ଉପସ୍ଥିତ ଥିଲେ ।

ଏହି ବୈଠକରେ ୧୯ଟି ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶର ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ଯୋଜନା (ଏସଡିଏମପି)ର ସମୀକ୍ଷା କରାଯାଇଥିଲା । ରାଜ୍ୟ ଜରୁରିକାଳୀନ କାର୍ଯ୍ୟାନୁଷ୍ଠାନ କେନ୍ଦ୍ର ଓ ଜିଲ୍ଲା ଜରୁରିକାଳୀନ କାର୍ଯ୍ୟାନୁଷ୍ଠାନ କେନ୍ଦ୍ର (ଡିଇଓସିଏସ)ଗୁଡ଼ିକୁ ବର୍ଷସାରା ୨୪ ଘଣ୍ଟା କାର୍ଯ୍ୟକ୍ଷମ କରିବା ନେଇ ବୈଠକରେ ଗୁରୁତ୍ବାରୋପ କରାଯାଇଥିଲା। ଆଇଏମଡି ପକ୍ଷରୁ ସୂଚନା ଦିଆଯାଇଥିଲା ଯେ ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସ୍ବଭାବିକ ରହିବାର ସମ୍ଭାବନା ରହିଛି । ବନ୍ୟା ମୁକାବିଲା ପାଇଁ ବିଭିନ୍ନ ବନ୍ୟା ପ୍ରବଣ କ୍ଷେତ୍ରରେ ପ୍ରାକ-ମୌସୁମୀ ପ୍ରସ୍ତୁତି ସ୍ବରୂପ ଏନଡିଆରଏଫ ବାହିନୀକୁ ମୁତୟନ କରାଯିବ । ଏଥିପାଇଁ ଏନଡିଆରଏଫ ପକ୍ଷରୁ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ସହିତ ବିଚାର ବିମର୍ଶ କରାଯାଇଛି ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସୁପାରିସକୁ ଆଧାର କରି, ଆଗୁଆ ସମନ୍ବିତ ବନ୍ୟା ସତର୍କତା ପ୍ରଣାଳୀକୁ କାର୍ଯ୍ୟକାରୀ କରିବା ନେଇ ବୈଠକରେ ଆଲୋଚନା କରାଯାଇଥିଲା । ଏହି ପ୍ରଣାଳୀକୁ କାର୍ଯ୍ୟକାରୀ କରାଗଲେ ସହରାଞ୍ଚଳରେ ବନ୍ୟା ନିୟନ୍ତ୍ରଣରେ ସହାୟତା ମିଳିପାରିବ । ବିଶେଷ କରି ବିଭିନ୍ନ ରାଜ୍ୟର ନଗର ନିଗମ ସଂସ୍ଥାଗୁଡ଼ିକ ଦ୍ବାରା ଏହି ପ୍ରଣାଳୀକୁ କାର୍ଯ୍ୟକାରୀ କରିବା ନେଇ ବୈଠକରେ ଗୁରୁତ୍ବାରୋପ କରାଯାଇଥିଲା । ବୈଠକରେ ନଦୀବନ୍ଧ ଓ ଜଳଭଣ୍ଡାରଗୁଡ଼ିକର ବିପଦ ଓ ସତର୍କତା ସ୍ତର ସମୀକ୍ଷା କରାଯାଇଥିଲା ଏବଂ ନିର୍ଦ୍ଧାରିତ ସମୟରେ ଏସବୁର ଯାଞ୍ଚ ଉପରେ ଗୁରୁତ୍ବାରୋପ କରାଯାଇଥିଲା ।

ବାଲି ଖଣି ଓ କୋଇଲା ଖଣିରେ ନୂଆ କରି ଦେଖା ଦେଉଥିବା ବନ୍ୟା ବିପଦ ନେଇ ଆଲୋଚନା ହୋଇଥିଲା । ଜିଲ୍ଲା ଓ ରାଜ୍ୟମାନଙ୍କରେ ବିଭିନ୍ନ ସ୍ତରରେ ବନ୍ୟା ନିୟନ୍ତ୍ରଣ ଲାଗି ଆପଦା ମିତ୍ରମାନଙ୍କୁ ନିୟୋଜିତ କରିବା ନେଇ ବୈଠକରେ ଗୁରୁତ୍ବାରୋପ କରାଯାଇଥିଲା। ଆଗୁଆ ଉଦ୍ଧାର ସାମଗ୍ରୀ ଓ ଉପକରଣ କିଣିବା ସହ ମହଜୁଦ କରି ରଖିବା ନେଇ ବୈଠକରେ ଆଲୋଚନା ହୋଇଥିଲା। ସହରାଞ୍ଚଳ ବନ୍ୟା ପ୍ରଭାବର ପୂର୍ବାନୁମାନ ଓ ଅଚାନକ ବନ୍ୟା ପ୍ରବଣ କ୍ଷେତ୍ର ସମ୍ପର୍କରେ ମଧ୍ୟ ଆଲୋକପାତ କରାଯାଇଥିଲା । ବିଭିନ୍ନ ରାଜ୍ୟର ‘‘ବନ୍ୟା ବିପତ୍ତି ଜୋନେସନ୍ ଆଟଲାସ୍’’ ପ୍ରସ୍ତୁତିରେ ଏନଆରଏସସିର ପ୍ରୟାସ ପ୍ରସଙ୍ଗରେ ବିଚାରବିମର୍ଶ କରାଯାଇଥିଲା। ଆସନ୍ତା ମୌସୁମୀ ଋତୁରେ ଶୂନ୍ୟ ମୃତ୍ୟୁହାର ସୁନିଶ୍ଚିତ କରିବା ଲକ୍ଷ୍ୟ ହାସଲ ନିମନ୍ତେ, ଆଗୁଆ ସତର୍କତା ବାର୍ତ୍ତା ପ୍ରସାର ପାଇଁ ଦାମିନୀ ଆପ୍‌, ନାଓକାଷ୍ଟ, ବିଭିନ୍ନ ଗୁଗଲ ଆଲର୍ଟ ଆଦିର ବ୍ୟବହାର ଉପରେ ବୈଠକରେ ଗୁରୁତ୍ବାରୋପ କରାଯାଇଥିଲା ।

 

*********

P.S.



(Release ID: 1825235) Visitor Counter : 171


Read this release in: English , Urdu , Hindi , Manipuri