ନୀତି ଆୟୋଗ

ନୀତି ଆୟୋଗ ଦ୍ୱାରା ଜାତୀୟ ଡାଟା ଓ ଆନାଲିଟିକ୍ସ୍ ଫ୍ଲାଟଫର୍ମର ଶୁଭାରମ୍ଭ

Posted On: 13 MAY 2022 5:48PM by PIB Bhubaneshwar

 ନୀତି ଆୟୋଗ ପକ୍ଷରୁ ଜାତୀୟ ଡାଟା ଓ ଅନାଲିଟିକ୍ସ ପ୍ଲାଟଫର୍ମ (ଏନ୍‌ଡିଏପି) ସର୍ବସାଧାରଣଙ୍କ ବ୍ୟବହାର ପାଇଁ ଆଜି ଆରମ୍ଭ କରାଯାଇଛି । ଏହି ପ୍ଲାଟଫର୍ମ ବା ମଂଚର ଉଦ୍ଦେଶ୍ୟ ହେଲା ସରକାରୀ ତଥ୍ୟାବଳୀକୁ ଲୋକଙ୍କୁ ସହଜରେ ଯୋଗାଇଦେବା । ଏହା ଫଳରେ ସରକାରୀ ଡାଟା ସଂଗ୍ରହ ସହଜ, ଆନ୍ତଃ ସଂଚାଳିତ, ଆନ୍ତଃକ୍ରିୟ ହେବ ଏବଂ ବ୍ୟବହାର ଅନୁକୂଳ ମଂଚରେ ସର୍ବସାଧାରଣ ଏହାକୁ ଅନାୟାସରେ ପାଇପାରିବେ ।

ଏହି ପ୍ଲାଟଫର୍ମ ବିଭିନ୍ନ ସରକାରୀ ସଂସ୍ଥାରୁ ତଥ୍ୟାବଳୀମାନ ସଂଗ୍ରହ କରି ଅତି ସୁସମନ୍ୱିତ ଭାବେ ପ୍ରଦାନ କରୁଛି। ଏହାଛଡା ଏହି ତଥ୍ୟାବଳୀକୁ ଦେଖିବା, ପଢିବା, ବିଶ୍ଲେଷଣ କରିବା ପାଇଁ ଏହି ପ୍ଳାଟଫର୍ମରେ ଆବଶ୍ୟକ ‘ଟୁଲ୍ସ’ର ବ୍ୟବସ୍ଥା ରହିଛି । ପୂର୍ବରୁ ଜନସାଧାରଣଙ୍କ ପାଇଁ ୨୦୨୧ ଅଗଷ୍ଟରେ ଏକ ‘ବେଟା ରିଲିଜ୍‌’ ବ୍ୟବସ୍ଥା କରାଯାଇଥିଲା ।ଏହାଫଳରେ ସୀମିତ ସଂଖ୍ୟକ ବ୍ୟବହାରକାରୀ ଏହାକୁ ଦେଖିବାର ସୁଯୋଗ ପାଇଥିଲେ । ଏହି କାମଟିକୁ ସେତେବେେଳେ ଏହି ବ୍ୟବସ୍ଥାର ପରୀକ୍ଷାମୂଳକ ପ୍ରୟୋଗ ଓ ମତାମତ ପାଇଁ କରାଯାଇଥିଲା । 

ଏହି ପ୍ଳାଟଫର୍ମରେ ଉପଲବ୍ଧ ଡାଟା ସରକାରୀ କ୍ଷେତ୍ର, ଶିକ୍ଷାନୁଷ୍ଠାନ, ଶିକ୍ଷାବିତ୍‌, ସାମ୍ବାଦିକତା, ନାଗରିକ ସମାଜ ଓ ଘରୋଇ ଉଦ୍ୟୋଗ ପାଇଁ ବିଶେଷ ଉପଯୋଗୀ ହେବ । ସମ୍ପୃକ୍ତ ସବୁ ବର୍ଗର ବ୍ୟବହାରକାରୀଙ୍କ ପାଇଁ ଏଥିରେ ତଥ୍ୟାବଳୀଗୁଡିକୁ ସୁସଂହତ ଭାବେ ରଖାଯାଇଛି । ସମସ୍ତ ଡାଟାସେଟ୍ କମନ ସ୍କିମ୍‌ରେ ମାନକୀକୃତ କରାଯାଇଛି । ଏହାଫଳରେ ତଥ୍ୟାବଳୀଗୁଡିକୁ ଏକାଠି କରି ବିଭିନ୍ନ କ୍ଷେତ୍ରର ତଥ୍ୟ ବିଶ୍ଳେଷଣ କରିବା ସହଜ ହେବ ।

ଏହି ପ୍ଳାଟଫର୍ମକୁ ନୀତି ଆୟୋଗର ଉପାଧ୍ୟକ୍ଷ ଶ୍ରୀ ସୁମନ ବେରୀ ଉନ୍ମୋଚନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଆୟୋଗର ମୁଖ୍ୟ କାର୍ଯ୍ୟନିର୍ବାହୀ ଶ୍ରୀ ଅମିତାଭ କାନ୍ତ, ଭାରତ ସରକାରଙ୍କ ମୁଖ୍ୟ ଅର୍ଥନୀତିକ ପରାମର୍ଶଦାତା ଡକ୍ଟର ଅନନ୍ତ ନାଗେଶ୍ୱରନ୍‌, ନୀତି ଆୟୋଗର ଅନେକ ବରିଷ୍ଠ ଅଧିକାରୀ, ବିଭିନ୍ନ ମନ୍ତ୍ରଣାଳୟ ଓ ରାଜ୍ୟ ସରକାରଙ୍କ ଅଧିକାରୀ, ଗବେଷକ ଓ ଶିକ୍ଷାବିତ୍ ଉପସ୍ଥିତ ଥିଲେ । 

ଶ୍ରୀ ସୁମନ ବେରୀ ଏହି ପ୍ଳାଟଫର୍ମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ସେ କହିଥିଲେ ଯେ ଏହା ସରକାରୀ ତଥ୍ୟାବଳୀ, ବିଶେଷକରି ଡାଟାକୁ ସର୍ବସାଧାରଣରେ ସହଜରେ ଉପଲବ୍ଧ କରିବାରେ ସହାୟକ ହେବ । ବ୍ୟବହାରକାରୀ ଏହାକୁ ସୁବିଧାରେ ଆକ୍‌ସେସ୍ କରିବା ସହିତ ବିଭିନ୍ନ ଡାଟାକୁ ସହଜରେ ବିଶ୍ଳେଷଣ ଓ ବ୍ୟବହାର କରିପାରିବେ । ଏହି ଅବସରରେ ଆୟୋଜିତ ଏକ କ୍ଷୁଦ୍ର ଆଲୋଚନାଚକ୍ରରେ ସରକାରୀ ଓ ବେସରକାରୀ କ୍ଷେତ୍ରର ବହୁ ବିଶେଷଜ୍ଞ, ବିଷୟବିତ୍‌, ଗବେଷକ, ଶିକ୍ଷାବିତ୍ ଭାଗ ନେଇଥିଲେ । ସେମାନେ ଆୟୋଗର ଏହି ଉଦ୍ୟମକୁ ପ୍ରଶଂସା କରିଥିଲେ ।

ଶ୍ରୀ ଅମିତାଭ କାନ୍ତ କହିଥିଲେ ଯେ ଏବେ ଡାଟା ଓ ଡିଜିଟାଲ ଟେକ୍ନୋଲୋଜି ଦେଶର ଅର୍ଥନୀତି ଓ ସମାଜରେ ଦ୍ରୁତ ପରିବର୍ତ୍ତନ ଆଣୁଛି । ସରକାରଙ୍କ ଦୈନନ୍ଦିନ ବ୍ୟବହାରରେ ଏହାର ବ୍ୟାପକ ଆବଶ୍ୟକତା ରହିଛି । ଭାରତର ବିକାଶ ଯାତ୍ରାରେ ଏନଡିଏପି ଏକ ମାଇଲଖୁଣ୍ଟ । ଏହା ଭାରତର ବିକାଶରେ ସହାୟକ ହେବ ଏବଂ ଡାଟା ପରିଚାଳିତ ତଥ୍ୟ ପ୍ରଘଟ, ନିଷ୍ପତ୍ତି ଗ୍ରହଣ ଏବଂ ସମସ୍ତଙ୍କୁ ଡାଟା ଯୋଗାଣ ସୁନିଶ୍ଚିତ କରିବାରେ ବିଶେଷ ଅବଦାନ ରଖିବ । ଡାଟା ଶକ୍ତିକୁ କିପରି କାମରେ ଲଗାଯାଇପାରିବ ଏହା ତାହାର ଏକ ପ୍ରକୃଷ୍ଟ ଉଦାହରଣ ବୋଲି ସେ କହିଛନ୍ତି ।

ଆୟୋଗର ବରିଷ୍ଠ ପରାମର୍ଶଦାତା ସୁଶ୍ରୀ ଆନ୍ନା ରାୟ କହିଥିଲେ ଯେ ଭାରତରେ “ଡାଟା” ପରିତନ୍ତ୍ର ଅତ୍ୟନ୍ତ ସମୃଦ୍ଧ । ଏହି ବ୍ୟବସ୍ଥା ଯୋଗାଉଥିବା ତଥ୍ୟାବଳୀ ବା ଡାଟା ନିଷ୍ପତ୍ତିଗ୍ରହଣ ଏବଂ ଗବେଷଣା ପାଇଁ ଅତି ମୂଲ୍ୟବାନ । ଏହି ଡାଟା ସିଷ୍ଟମକୁ ଅଧିକ ସୁଦୃଢ କରିବାକୁ ଉଦ୍ୟମ କରାଯାଉଛି । ଏହାକୁ ଉପଯୋଗୀ କରି ରଖିବାକୁ ଆମେ ଏହି ପ୍ଳାଟଫର୍ମରେ ନିରନ୍ତର ଡାଟାକୁ ଅପଡେଟ କରିବା କାର୍ଯ୍ୟ ଜାରି ରଖିଛୁ ।

ଏନ୍‌ଡିଏପିକୁ http: //ndap.niti.gov.in ରେ ଆକ୍‌ସେସ୍ କରି ହେବ । ଏହି ପ୍ଲାଟଫର୍ମରୁ ସବୁ ଡାଟାସେଟ୍‌କୁ ଡାଉନଲୋଡ ଓ ମର୍ଜ କରାଯାଇପାରିବ ।

 

*****

TKM /SLP



(Release ID: 1825204) Visitor Counter : 198


Read this release in: Hindi , English , Urdu , Tamil