ଜାହାଜ ଚଳାଚଳ ମନ୍ତ୍ରଣାଳୟ

ଦେଶର ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକର ସାମଗ୍ରିକ ବିକାଶ ପାଇଁ ‘କନଭରଜେନ୍ସ ମୋଡ୍‌’ରେ ୫୬୭ଟି ପ୍ରକଳ୍ପ ଚିହ୍ନଟ ହୋଇଛି: ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ



“ଏହି ପ୍ରକଳ୍ପଗୁଡିକର ମୋଟ ଖର୍ଚ୍ଚ ଅଟକଳ ୫୮, ୭୦୦ କୋଟି ଟଙ୍କା”

ଜାତୀୟ ସାଗରମାଳା ଶୀର୍ଷ କମିଟି (ଏନ୍‌ଏସ୍‌ଏସି) ଦ୍ୱାରା ସାଗରମାଳା କାର୍ଯ୍ୟକ୍ରମର ଅଗ୍ରଗତି ସମୀକ୍ଷା ଏବଂ ବିଭିନ୍ନ ପ୍ରସଙ୍ଗ ଉପରେ ବିଚାର ଆଲୋଚନା

Posted On: 06 MAY 2022 4:49PM by PIB Bhubaneshwar

 ନୂଆଦିଲ୍ଳୀ, ୬ା୫(ପିଆଇବି)-କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନୋୱାଲ କହିଛନ୍ତି ଯେ ସାଗରମାଳା ପ୍ରକଳ୍ପର ସଫଳତା ଆଧାରରେ ତାଙ୍କ ମନ୍ତ୍ରଣାଳୟ ଦେଶର ସମୁଦ୍ର ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକର ସାମଗ୍ରିକ ବିକାଶ ପାଇଁ ଏକ ଯୋଜନା ପ୍ରସ୍ତୁତ କରିଛି । ଏହି କାର୍ଯ୍ୟକ୍ରମ ସାଗରମାଳା ଯୋଜନା ଅଧୀନରେ କାର୍ଯ୍ୟକାରୀ ହେବ ।

ଜାତୀୟ ସାଗରମାଳା ଶୀର୍ଷ କମିଟି (ଏନ୍‌ଏସ୍‌ଏସି)ର ଏକ ବୈଠକ ପରେ ମନ୍ତ୍ରୀ ଶ୍ରୀ ସୋନୋୱାଲ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ବିଭିନ୍ନ ସମ୍ପୃକ୍ତ ପକ୍ଷଙ୍କ ସହ ଏକାଧିବାର ଆଲୋଚନା ଓ ବିଚାର ବିମର୍ଶ ପରେ ଦେଶର ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକରେ ୫୬୭ଟି ବିକାଶମୂଳକ ପ୍ରକଳ୍ପ କାର୍ଯ୍ୟକାରୀ  କରିବାକୁ ନିଷ୍ପତ୍ତି ନିଆଯାଇଛି । ଚିହ୍ନଟ ହୋଇଥିବା ଏହି ପ୍ରକଳ୍ପଗୁଡିକ କନ୍‌ଭରଜେନ୍ସ ମୋଡ୍ (କେନ୍ଦ୍ରାଭିମୁଖୀ ବ୍ୟବସ୍ଥା)ରେ କାର୍ଯ୍ୟକାରୀ ହେବ ଏବଂ ଏଥିପାଇଁ ୫୮,୭୦୦ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି ।

ସେ କହିଛନ୍ତି ଯେ ସାଗରମାଳା ଯୋଜନାରେ ବନ୍ଦର ଓ ବନ୍ଦର ସଂଯୋଗକୁ ଗୁରୁତ୍ୱ ପ୍ରଦାନ କରାଯାଇ ପରିବହନ ଓ ରପ୍ତାନୀ ଆମଦାନୀ ଖର୍ଚ୍ଚ ଯଥେଷ୍ଟ କମାଇବାକୁ ଗୁରୁତ୍ୱ ଦିଆଯାଉଛି । ତେବେ ଉପକୂଳ ଜିଲ୍ଲାଗୁଡିକର ସାମଗ୍ରିକ ବିକାଶ ଯୋଜନାର ଲକ୍ଷ୍ୟ ହେଲା ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ମୌଳିକ ଭିତ୍ତିଭୂମିର ଯେଉଁ ଅଭାବ ରହିଛି  ତାହାକୁ ଦୂର କରିବା ଏବଂ ଏହା ମାଧ୍ୟମରେ ଅର୍ଥନୀତିକ ସୁବିଧା ସୁଯୋଗ ସୃଷ୍ଟି କରିବା । ଏଥିପାଇଁ ଚିହ୍ନଟ ହୋଇଥିବା ପ୍ରକଳ୍ପ ଏବଂ ସାଗରମାଳା କାର୍ଯ୍ୟକ୍ରମରେ ଆସୁଥିବା ପ୍ରକଳ୍ପର ମୋଟ ସଂଖ୍ୟା ୧୫୩୭ରେ ପହଞ୍ôଚିଛି । ଏ ସମସ୍ତ ପ୍ରକଳ୍ପର ବ୍ୟୟ ଅଟକଳ ୬. ୫ ଲକ୍ଷ  କୋଟି ଟଙ୍କା  ବୋଲି ମନ୍ତ୍ରୀ ଶ୍ରୀ ସୋନୋୱାଲ କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ କମିଟି ଦେଶରେ ଚାଲିଥିବା ସାଗରମାଳା କାର୍ଯ୍ୟକ୍ରମର ଅଗ୍ରଗତି ସମୀକ୍ଷା କରିବା ସହ ତତ୍‌ସଂକ୍ରାନ୍ତ ଅନ୍ୟାନ୍ୟ ବିଭିନ୍ନ ପ୍ରସଙ୍ଗରେ ବିଚାର ଆଲୋଚନା କରିଛି ।

ସେ କହିଛନ୍ତି ଯେ ସାଗରମାଳା ଯୋଜନା ଅଧୀନରେ ୫.୫ ଲକ୍ଷ କୋଟି ଟଙ୍କାର ୫୦୨ ଟି ପ୍ରକଳ୍ପକୁ ୨୦୩୫ ସୁଦ୍ଧା ସମ୍ପୂର୍ଣ୍ଣ କରିବାର ଲକ୍ଷ୍ୟ ରଖାଯାଇଛି । ସେଥିମଧ୍ୟରୁ ୯୯.୨୮୧ କୋଟି ଟଙ୍କାର ୨୦୨ଟି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ଆହୁରି ମଧ୍ୟ ଏହି ଯୋଜନାରେ ସରକାରୀ-ଘରୋଇ (ପିପିପି) ସହଭାଗିତାରେ ୪୫ହଜାର କୋଟି ଟଙ୍କାର ୨୯ଟି ପ୍ରକଳ୍ପକୁ ସଫଳତାର ସହିତ କାର୍ଯ୍ୟକାରୀ କରାଯାଇପାରିଛି । ଏହା ଫଳରେ ସରକାରୀ ତହବିଲ ଉପରୁ ଚାପ ହ୍ରାସ ପାଇଛି । ଅତିରିକ୍ତ ୩୨ଟି ପ୍ରକଳ୍ପ ପିପିପି ଢାଞ୍ଚାରେ ଏବେ କାର୍ଯ୍ୟକାରୀ ହେଉଛି ଏବଂ ଏହାର ମୋଟ ବ୍ୟୟ ପରିମାଣ ୫୧ହଜାର କୋଟି ଟଙ୍କା । ଏହା ବ୍ୟତୀତ ୨. ୧୨ଲକ୍ଷ କୋଟି ଟଙ୍କାରେ ଏବେ କାର୍ଯ୍ୟକାରୀ ହେଉଥିବା ୨୦୦ରୁ ଅଧିକ ପ୍ରକଳ୍ପ ଦୁଇବର୍ଷ ମଧ୍ୟରେ  ସମ୍ପୂର୍ଣ୍ଣ ହେବ ବୋଲି ଶ୍ରୀ ସୋନୋୱାଲ କହିଛନ୍ତି ।

ଜାତୀୟ ସାଗରମାଳା ଶୀଷ କମିଟିର ବୈଠକ ଆଜି ମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନୋୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ କେନ୍ଦ୍ର ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ଶ୍ରୀ ନୀତିନ ଗଡକରୀ, ବାଣିଜ୍ୟ, ଶିଳ୍ପ, ଖାଉଟି ବ୍ୟାପାର, ଖାଦ୍ୟ ଓ ଯୋଗାଣ ତଥା ବୟନ ମନ୍ତ୍ରୀ ଶ୍ରୀ ପୀୟୂଷ ଗୋୟଲ, କେନ୍ଦ୍ରଶିକ୍ଷା ତଥା ଉଦ୍ୟମିତା ଓ ଦକ୍ଷତା ବିକାଶ ମନ୍ତ୍ରୀ  ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଶ୍ରୀ ଜ୍ୟୋତିରାଦିତ୍ୟ ସିନ୍ଦିଆ, ରେଳବାଇ, ଯୋଗାଯୋଗ, ଇଲେକଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ, ଜଙ୍ଗଲ, ପରିବେଶ, ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ସଂସ୍କୃତି ପର୍ଯ୍ୟଟନ ତଥା ଉତ୍ତର ପୂର୍ବାଞ୍ଚଳ ବିକାଶମନ୍ତ୍ରୀ ଜି. କିଷନ ରେଡ୍ଡୀ, ଗୋଆର ମୁଖ୍ୟମନ୍ତ୍ରୀ ଶ୍ରୀ ପ୍ରମୋଦ ସାୱନ୍ତ ଏବଂ ଦେଶର ଅନ୍ୟାନ୍ୟ ସମୁଦ୍ର ତଟବର୍ତ୍ତୀର ରାଜ୍ୟର ମନ୍ତ୍ରୀମାନେ ଯୋଗଦେଇଥିଲେ ।

କେନ୍ଦ୍ର ବନ୍ଦର, ଜଳପଥ ଓ ଜାହାଜ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ   ଏପର୍ଯ୍ୟନ୍ତ ୧୪୦ଟି ପ୍ରକଳ୍ପକୁ ୮୭୪୮ କୋଟି ଟଙ୍କା ଯୋଗାଇ ଦିଆଯାଇଛି । ବିଭିିନ୍ନ ରାଜ୍ୟ ସରକାର ପ୍ରକଳ୍ପ ନିର୍ମାଣ ବାବଦରେ ଆଉ ଯେଉଁ ସବୁ ଅତିରିକ୍ତ ପ୍ରସ୍ତାବ ପଠାଇଛନ୍ତି ମନ୍ତ୍ରଣାଳୟ ସେସବୁର ସମୀକ୍ଷା କରୁଛି । ଭାସମାନ ଜେଟି ନିର୍ମାଣ ପାଇଁ ଦେଶର ୨୦୦ରୁ ଅଧିକ ସ୍ଥାନକୁ ଚିହ୍ନଟ କରାଯାଇଛି । ସେଥିରୁ ୫୦ଟି ସ୍ଥାନରେ ପ୍ରଥମ ପର୍ଯ୍ୟାୟରେ ଜେଟି ନିର୍ମାଣ ଓ ବିକାଶ କାମ ହାତକୁ ନିଆଯିବ । ବୈଠକରୁ ଆହୁରି ଜଣାପଡିଥିଲା ଯେ ଦେଶର ବିିଭିନ୍ନ ରାଜ୍ୟରେ ୩୩ଟି ମାଛଧରା ବନ୍ଦର ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ସେଥିରୁ ୨୨ଟି ପ୍ରକଳ୍ପ ପାଇଁ ୨୪୦୦କୋଟି ଟଙ୍କା ଅଂଶଭିତ୍ତିକ ସହାୟତା ଆକାରରେ ଯୋଗାଇ ଦେବାକୁ ମଞ୍ଜୁରୀ ପ୍ରଦାନ କରାଯାଇଛି ।

ଦେଶରେ ଚାଲିଥିବା ଜାତୀୟ ଧ୍ୱଜାଧାରୀ କାର୍ଯ୍ୟକ୍ରମ ସାଗରମାଳା ପ୍ରକଳ୍ପ ସଫତଳାର ସହିତ ସାତବର୍ଷ ପୂରଣ କରିଛି । ଏହା ଫଳରେ ଦେଶର ସାମୁଦ୍ରିକ ବାଣିଜ୍ୟ କାରବାରରେ ଉଲ୍ଲେଖନୀୟ ଅଗ୍ରଗତି ଘଟିବା ସହିତ ଦେଶରେ ଅର୍ଥନୀତିକ କାର୍ଯ୍ୟକଳାପ ବଢିଛି । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବୃହତ୍ ପ୍ରକଳ୍ପମାନ ନିର୍ମିତ ହେଉଛି  । ଏଥିରେ ବନ୍ଦରର ଆଧୁନିକୀକରଣ, ରେଳ, ସଡକ ଓ ଜଳସଂଯୋଗ ପଥର ଉନ୍ନତି, ନୂଆ ଶିଳ୍ପାଂଚଳ ପ୍ରତିଷ୍ଠା ସହ ବନ୍ଦରଭିତିକ ଶିଳ୍ପାଂଚଳର ବିକାଶ, ଗୋଷ୍ଠୀ ଉନ୍ନୟନ, ଉପକୂଳ ଜାହାଜ ଚଳାଚଳ ଓ ଅନ୍ତର୍ଦେଶୀୟ ଜଳପଥର ଉନ୍ନତି ଆଦି କାମ କରାଯାଇଛି । ସାମର୍ଥ୍ୟ ବିକାଶ ଘଟିଛି, କର୍ମନିଯୁକ୍ତି ସୃଷ୍ଟି ହେଉଛି, ଘରୋଇ ସହଯୋଗ ବଢୁଛି, ପରିବହନ ଓ ଗମନାଗମନ ସମୟ କମୁଛି । ସାମଗ୍ରୀ ବା ରସଦ ଯୋଗାଣ ବାବଦ ଖର୍ଚ୍ଚ ହ୍ରାସ ପାଉଛି, ବେପାର ବଣିଜ ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହେଉଛି ତଥା ସର୍ବୋପରି ଭାରତକୁ ଏହି ଯୋଜନା ବିଶ୍ୱ ସାମୁଦ୍ରିକ ରାଷ୍ଟ୍ରମାନଙ୍କ ମଧ୍ୟରେ ଅଗ୍ରଣୀ ସ୍ଥାନରେ ପହଂଚାଇବାରେ ସଫଳ ହୋଇଛି ।

ବନ୍ଦରଗୁଡିକର କାରବାରକୁ ସୁଗମ ଓ ଦକ୍ଷ କରିବାକୁ ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି । ସେଥିରେ ଆଧୁନିକୀକରଣ, ମେକାନାଇଜେସନ ଓ ଡିଜିଟାଇଜେସନଙ୍କୁ ଅଗ୍ରାଧିକାର ଭିତିରେ କାର୍ଯ୍ୟକାରୀ କରାଯାଉଛି । ଏହା ଫଳରେ  ଆନ୍ତର୍ଜାତିକ ବାଣିଜ୍ୟରେ ଖର୍ଚ୍ଚ ଓ ସମୟ ଯଥେଷ୍ଟ କମିଛି । ବନ୍ଦରଗୁଡିକରେ ଡାଇରେକ୍ଟ ପୋର୍ଟ ଡେଲିଭେରି, ଡାଇରେକ୍ଟ ପୋର୍ଟ ଏଣ୍ଟ୍ରି ବ୍ୟବସ୍ଥା ସହିତ କଣ୍ଟେନର ସ୍କାନର ଓ ରେଡିଓ ଫ୍ରିକ୍ୟୁଏନି୍ସ  ଆଇଡେଣ୍ଟିଫିକେସନ ସୁବିଧା କରାଯାଇଛି । ଏହାଛଡା ପୋର୍ଟ କମ୍ୟୁନିଟି ସିଷ୍ଟମ ମାଧ୍ୟମରେ ସିଧାସଳଖ ବାଣିଜ୍ୟ ସୁବିଧା ବିଭିନ୍ନ ରାଷ୍ଟ୍ରକୁ ଯୋଗାଇ ଦିଆଯାଉଛି ।

ଦେଶର ରପ୍ତାନୀ ଆମଦାନୀରେ ବନ୍ଦରଗୁଡିକରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବାରୁ ସରକାର ବନ୍ଦର ସମୂହର ବିକାଶ, ଆଧୁନିକୀକରଣ ଓ କ୍ଷମତା ବୃଦ୍ଧି ପାଇଁ ବିଭିନ୍ନ ଯୋଜନା ଅଗ୍ରାଧିକପାର ଭିତିରେ କାର୍ଯ୍ୟକାରୀ କରୁଛନ୍ତି। ଏହା ଫଳରେ ଦେଶର କ୍ରମବର୍ଦ୍ଧିଷ୍ଣୁ ବାଣିଜ୍ୟ ଚାହିଦା ପୂରଣ କରିବାକୁ ବନ୍ଦରଗୁଡିକ ସମର୍ଥ ହେଉଛନ୍ତି । ୨୦୧୪-୧୫ରେ ଦେଶର ବନ୍ଦର ସମୂହର ମୋଟ କାରବାର କ୍ଷମତା ଥିଲା ବାର୍ଷିକ ୧୫୩୧ମେଟ୍ରିକ ଟନ । ୨୦୨୦-୨୧ରେ ଏହି କ୍ଷମତା ୨୫୫୪.୬୧ ମେଟ୍ରିକ ଟନକୁ ବୃଦ୍ଧି ପାଇଥିଲା ।

ସେହିଭଳି ୨୦୨୧-୨୨ରେ ଦେଶର ପ୍ରମୁଖ ବନ୍ଦରଗୁଡିକରେ ଟ୍ରାଫିକ କାରବାର ପୂର୍ବ ବର୍ଷ ତୁଳନାରେ ୬.୯୪ ଶତାଂଶ ବଢିଥିଲା । କାମରାଜର, ଜେଏନପିଟି, ଦୀନଦୟାଲ, ମୁମ୍ବାଇ ଓ କୋଚିନ - ଏହି ପାଂଚଟି ପ୍ରମୁଖ ବନ୍ଦରର କାରବାର ଏହି ସମୟରେ ବେଶ ଉଲ୍ଲେଖନୀୟ ରହିଥିଲା ।

ବନ୍ଦରର  ଭିତ୍ତିଭୂମି ବୃଦ୍ଧି ପାଇଁ ସାଗରମାଳା ଯୋଜନାରେ ବିଭିନ୍ନ କାର୍ଯ୍ୟ କରାଯାଉଛି । ସେଥିରେ ବନ୍ଦରର ଗଭୀରତା ବୃଦ୍ଧି, ନୂଆ ବର୍ଥ ଓ ଟର୍ମିନାଲ ନିର୍ମାଣ, ଡ୍ରୋଜିଂ, ବୃହତ ଜାହାଜର ପ୍ରବେଶ ପାଇଁ ଚାନେଲର ଗଭୀରତା ଓ ପ୍ରଶସ୍ତତା ବୃଦ୍ଧି, ମାଲ୍‌ବୋଝେଇ ଓ ଖଲାସ ପାଇଁ ଆଧୁନିକ ଯାନ୍ତ୍ରିକ ବ୍ୟବସ୍ଥାର ପ୍ରୟୋଗ ଆଦି ଅନ୍ତର୍ଭୁକ୍ତ । ଏସବୁ ଫଳରେ ବନ୍ଦରରେ ଜାହାଜରେ ହାରାହାରି ବୋଝେଇ ଓ ଖଲାସ ସମୟ ୨୦୨୧-୨୨ ରେ ୫୨.୮୦ ଘଣ୍ଟା ଥିଲା । ୨୦୧୪-୧୫ରେ ଏହି ସମୟ ଥିଲା ୯୬ ଘଣ୍ଟା  । ସେହଭଳି କଣ୍ଟେନର ବୋଝେଇ ଓ ଖଲାସର ହାରାହାରି ସମୟ ୨୦୧୪-୧୬ରେ ୩୫.୨୧ ଘଣ୍ଟା ଥିବାବେଳେ ୨୦୨୧-୨୨ରେ ୨୭.୨୨ ଘଣ୍ଟାକୁ ହ୍ରାସ ପାଇଛି ।

ମନ୍ତ୍ରଣାଳୟରେ ମଧ୍ୟ ସାଗରମାଳା କାର୍ଯ୍ୟକ୍ରମରେ ମୁମ୍ବାଇ ଓ ମର୍ମୁଗାଁଓ   ବନ୍ଦରରେ ଦୁଇଟି ବୃହତ କ୍ରୁଜ ଟର୍ମିନାଲ ନିର୍ମାଣ କରୁଛି । ମୁମ୍ବାଇରେ ଏହା ୩୦୩ କୋଟି ଟଙ୍କା ବ୍ୟୟରେ ତିଆରି ହେଉଥିବାବେଳେ ଏହାର ନିର୍ମାଣ କାର୍ଯ୍ୟ ୭୦ ଶତାଂଶରେ ପହଞ୍ଚିଲାଣି । ମନ୍ତ୍ରଣାଳୟ ମଧ୍ୟ ଆର୍‌ଓଆରଓ ଏବଂ ରୋପାକ୍ସ ସୁବିଧା ଉପେରେ ଗୁରୁତ୍ୱ ଦେଉଛି ଏବଂ ଏହା ଫଳରେ ଯାତ୍ରା ସମୟ ଯଥେଷ୍ଟ ହାସ ପାଉଛି । ଉଭୟଯାତ୍ରୀ ଓ ମାଲପରିବହନରେ ଘରୋଇ ଉଦ୍ୟୋଗକୁ ସରକାର ମଧ୍ୟ ପ୍ରୋତ୍ସାହନ ଯୋଗାଉଛନ୍ତି । ଏବେ ମନ୍ତ୍ରଣାଳୟ ଜାଣିବାକୁ ପାଉଛିି ଯେ ବନ୍ଦରଗୁଡିକରେ ଡ୍ରେଜିଂ ବାବଦ ଖର୍ଚ୍ଚ ଅଧିକ ହେଉଛି  ଏବଂ ମିଳୁଥିବା ରାଜସ୍ୱ ତୁଳନାରେ ଏହା ଅତି ଅଧିକ । ତେଣୁ ଏ ସମ୍ପର୍କରେ ସବିଶେଷ ଅନୁଧ୍ୟାନ କରି ଏକ ପୂର୍ଣ୍ଣାଙ୍ଗ ରିପୋର୍ଟ ଦେବାକୁ ରାଜ୍ୟମାନଙ୍କୁ କୁହାଯାଇଛି ।

ପ୍ରଧାନମନ୍ତ୍ରୀ ଗତିଶକ୍ତି ଯୋଜନା ଆଧାରରେ ସାଗରମାଳା ଯୋଜନାରେ ଦେଶର ବନ୍ଦରଗୁଡିକର ସର୍ବାଙ୍ଗୀନ ଉନ୍ନତି ଉପରେ ଗୁରୁତ୍ୱ ଦିଆଯାଇ କାମ ହେଉଛି । ଏଥିରେ ମୌଳିକ ଭିତ୍ତିଭୂମି କ୍ଷେତ୍ରରେ ଥିବା ସବୁ ଅଭାବ ଦୂର କରାଯାଉଛି । ସେହିଭଳି ପ୍ରମୁଖ ବନ୍ଦରଗୁଡିକକୁ ଉତ୍ତମ ସଂଯୋଗ ଯୋଗାଇ ଦେବାକୁ ଅବଶିଷ୍ଟ ବାକି କାମ  ଶୀଘ୍ର  ଶେଷ କରିବାକୁ ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ସହ ପରାମର୍ଶ ଜାରି ରହିଛି ।

ଏହି ବୈଠକରେ ବିଭିନ୍ନ ରାଜ୍ୟର ମନ୍ତ୍ରୀମାନେ ସେମାନଙ୍କ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ସାଗରମାଳା କାର୍ଯ୍ୟକ୍ରମର ପ୍ରଗତି ସମ୍ପର୍କରେ ତଥ୍ୟ ପ୍ରକାଶ କରିଥିଲେ । କେବକ ରାଜ୍ୟ  ମଧ୍ୟ ଏଥିପାଇଁ ଅତିରିକ୍ତ ପ୍ରକଳ୍ପ ପ୍ରସ୍ତାବ ଦେଇ କେନ୍ଦ୍ରଠାରୁ ଆର୍ଥିକ ସହାୟତା ଲୋଡିଥିଲେ । ଜାତୀୟ ସାଗରମାଳା ଶୀର୍ଷ କମିଟି ୨୦୧୫ ମେ ୧୩ରେ ଗଠିତ ହୋଇଥିଲା । ସାଗରମାଳା ପ୍ରକଳ୍ପର ନିର୍ମାଣ, କାର୍ଯ୍ୟକାରିତା ଓ ନୀତି ନିର୍ଦ୍ଧାରଣ କରିବାରେ ଏହା ଶୀର୍ଷ ସଂସ୍ଥା । କେନ୍ଦ୍ର ଜାହାଜ ଚଳାଚଳ, ବନ୍ଦର ଓ ଜଳପଥ ମନ୍ତ୍ରୀ ଏହାର ଅଧ୍ୟକ୍ଷ । ଏଥିରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟର ମନ୍ତ୍ରୀ ସଦସ୍ୟ ଅଛନ୍ତି ।

 

*****

 TKM/ SLP

 

 



(Release ID: 1823384) Visitor Counter : 143


Read this release in: English , Urdu , Hindi , Telugu