କୋଇଲା ମନ୍ତ୍ରଣାଳୟ
azadi ka amrit mahotsav

ଚତୁର୍ଥ ପର୍ଯ୍ୟାୟ କୋଇଲା ଖଣି ନିଲାମର ଶୁଭାରମ୍ଭ କଲେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରହଲ୍ଲାଦ ଯୋଶୀ


24 ଟି ନୂଆ ଖଣିକୁ ମିଶାଇ ସମୁଦାୟ 99 ଟି କୋଇଲା ଖଣି ଅଫରରେ ରହିଛି

ଏହ ଖଣିଗୁଡ଼ିକ ଓଡ଼ିଶା ସମେତ ଆଠଟି ଖଣି ସମୃଦ୍ଧ ରାଜ୍ୟରେ ରହିଛି

ସ୍ଥାୟୀତ୍ବ ଉପରେ ନିର୍ଭର କରି କୋଇଲା ମନ୍ତ୍ରଣାଳୟ ପୁନଶ୍ଚ ପ୍ରୋତ୍ସାହନ ଦେବା ଉପରେ ଚିନ୍ତା କରୁଛି

ପୋଷ୍ଟ କରାଯିବା ଦିନାଙ୍କ: 16 DEC 2021 7:07PM by PIB Bhubaneshwar

କେନ୍ଦ୍ର କୋଇଲା, ଖଣି ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ପ୍ରହଲ୍ଲାଦ ଯୋଶୀ ଆଜି 24 ଟି ନୂତନ ଖଣି ସମେତ 99 ଟି କୋଇଲା ଖଣି ନିଲାମର ଚତୁର୍ଥ ପର୍ଯ୍ୟାୟର ଶୁଭାରମ୍ଭ କରିଛନ୍ତି। ସଦ୍ୟତମ ପର୍ଯ୍ୟାୟର ଶୁଭାରମ୍ଭ କରି କୋଇଲା ଖଣିର ସଫଳ ନିଲାମଧାରୀ ନିବେଶକମାନଙ୍କୁ ତୁରନ୍ତ ଉତ୍ପାଦନ ଆରମ୍ଭ କରିବା ପାଇଁ ମନ୍ତ୍ରୀ ଆହ୍ବାନ କରିଛନ୍ତି ଯଦ୍ବାରା ଏହି କ୍ଷେତ୍ରରେ ଅଧିକ ଆତ୍ମନିର୍ଭରଶୀଳତାକୁ ସୁନିଶ୍ଚିତ କରାଯାଇପାରିବ। କୋଇଲା ମନ୍ତ୍ରଣାଳୟ ଦ୍ୱାରା ବିକଶିତ ହୋଇଥିବା ସମ୍ପୂର୍ଣ୍ଣ ସ୍ବଚ୍ଛ ନିଲାମ ପ୍ରକ୍ରିୟାରେ ଅଂଶଗ୍ରହଣ କରିବାକୁ ମନ୍ତ୍ରୀ ନିବେଶକମାନଙ୍କୁ ଅନୁରୋଧ କରିଛନ୍ତି।

ପ୍ରଥମ ଦୁଇଟି ପର୍ଯ୍ୟାୟରେ 28 ଟି କୋଇଲା ଖଣିର ସଫଳ ନିଲାମ ପରେ ଏବଂ ସିଏମ୍ (ଏସପି) ଅଧିନିୟମର ପର୍ଯ୍ୟାୟ 13 ଅନ୍ତର୍ଗତ ଏବଂ ଏମଏମଡିଆର ଅଧିନିୟମର ପର୍ଯ୍ୟାୟ 3 ଅନୁଯାୟୀ 20 ଟି କୋଇଲା ଖଣି ପାଇଁ 53 ଟି ବିଡ୍ ପାଇବା ପରେ କୋଇଲା ମନ୍ତ୍ରଣାଳୟ ବର୍ତ୍ତମାନ 24 ଟି ନୂତନ ନିଲାମ ପ୍ରକ୍ରିୟା ଆରମ୍ଭ କରିଛି (ସିଏମ (ଏସପି) ଆକ୍ଟର ପର୍ଯ୍ୟାୟ 14 ଅନୁଯାୟୀ 9 ଟି ନୂଆ ଖଣି ଓ ଏମଏମଡିଆର ଅଧିନିୟମର ପର୍ଯ୍ୟାୟ 4 ଅଧୀନରେ 15 ଟି ନୂତନ ଖଣି)।  କୋଇଲା ଖଣି ଗୁଡ଼ିକ ତୃତୀୟ ରାଉଣ୍ଡର ବାଣିଜ୍ୟିକ ନିଲାମ ଓ ବାଣିଜ୍ୟିକ ନିଲାମର ଦ୍ବିତୀୟ ପର୍ଯ୍ୟାୟର 2ୟ ପ୍ରଚେଷ୍ଟାକୁ ରୋଲ୍ ଓଭର କରିବା ସହିତ, ସମୁଦାୟ 99 ଟି କୋଇଲା ଖଣି ଅଫରରେ ରହିବ।

ଅଫରରେ ଥିବା ଏହି 99 ଟି ଖଣି ମଧ୍ୟରୁ, 59 ଟି ହେଉଛି ସମ୍ପୂର୍ଣ୍ଣ ଉତ୍ତୋଳିତ ଖଣି ଓ 40 ଟି ଆଂଶିକ ଉତ୍ତୋଳିତ ଖଣି। ଏହି ଖଣି ଗୁଡ଼ିକ ଆଠଟି ରାଜ୍ୟରେ ରହିଛି ଯଥା ଝାଡ଼ଖଣ୍ଡ, ଛତିଶଗଡ଼, ଓଡ଼ିଶା, ମଧ୍ୟ ପ୍ରଦେଶ, ମହାରାଷ୍ଟ୍ର, ପଶ୍ଚିମ ବଙ୍ଗ, ଆନ୍ଧ୍ରପ୍ରଦେଶ ଓ ତେଲଙ୍ଗାନା।

ଖଣି ଗୁଡ଼ିକୁ ସବିଶେଷ ଅନୁଧ୍ୟାନ ପରେ ଚୂଡ଼ାନ୍ତ କରାଯାଇଛି। ଏହା ସହିତ ସଂରକ୍ଷିତ ଅଞ୍ଚଳ, ବନ୍ୟଜନ୍ତୁ ଅଭୟାରଣ୍ୟ , ଗୁରୁତ୍ବପୂର୍ଣ୍ଣ  ବାସସ୍ଥାନ, 40% ରୁ ଅଧିକ ଜଙ୍ଗଲ ଆବରଣ, ବହୁଳ ଭାବରେ ନିର୍ମିତ ଅଞ୍ଚଳ ଥିବା ଖଣିଗୁଡ଼ିକୁ ବାଦ ଦିଆଯାଇଛି।

 

ନିଲାମ ପ୍ରକ୍ରିୟାର ମୁଖ୍ୟ ବୈଶିଷ୍ଟ୍ୟଗୁଡିକ ହେଉଛି ଜାତୀୟ କୋଇଲା ସୂଚକାଙ୍କ ପ୍ରବର୍ତ୍ତନ, କୋଇଲା ଖଣି ଅଭିଜ୍ଞତା ପାଇଁ କୌଣସି ପ୍ରତିବନ୍ଧକ ବିନା ଅଂଶଗ୍ରହଣରେ ସହଜତା, କୋଇଲା ବ୍ୟବହାରରେ ସମ୍ପୂର୍ଣ୍ଣ ନମନୀୟତା, ଅପ୍ଟିମାଇଜ୍ ପେମେଣ୍ଟ ସଂରଚନା, ଶୀଘ୍ର ଉତ୍ପାଦନ ଏବଂ ସ୍ୱଚ୍ଛ କୋଇଲା ପ୍ରଯୁକ୍ତିର ପ୍ରୋତ୍ସାହନ ମାଧ୍ୟମରେ ଦକ୍ଷତା ବୃଦ୍ଧି।  ସ୍ଥାୟୀତ୍ବ ଉପରେ ଧ୍ୟାନ ଦେଇ କୋଇଲା ମନ୍ତ୍ରଣାଳୟ ଦ୍ୱାରା ଅଧିକ ପ୍ରୋତ୍ସାହନ ପ୍ରଦାନ ଉପରେ ବିଚାର କରାଯାଉଛି।

ଟେଣ୍ଡର କାଗଜାତ ବିକ୍ରୟ ପ୍ରକ୍ରିୟା 16 ଡିସେମ୍ବର 2021 ରୁ ଆରମ୍ଭ ହେବ। ଖଣି, ନିଲାମ ସର୍ତ୍ତାବଳୀ, ସମୟସୀମା ଇତ୍ୟାଦିର ବିବରଣୀ ଏମଏସଟିସି ନିଲାମ ପ୍ଲାଟଫର୍ମରେ ଦେଖାଯାଇ ପାରିବ। ଶତକଡ଼ା ରାଜସ୍ୱ ଅଂଶଧନ ଆଧାରରେ ଏକ ସ୍ୱଚ୍ଛ 2 ପର୍ଯ୍ୟାୟ ପ୍ରକ୍ରିୟା ମାଧ୍ୟମରେ ନିଲାମ ଅନଲାଇନ ମାଧ୍ୟମରେ ସମ୍ପାଦନ ହେବ। ଏହି ନିଲାମ ରାଉଣ୍ଡ ଟି ସିଏମଏସପି ଅଧିନିୟମ ଅନ୍ତର୍ଗତ 14 ତମ ପର୍ଯ୍ୟାୟ ଏବଂ ଏମଏମଡିଆର ଅଧିନିୟମ ଅନୁଯାୟୀ ନିଲାମର ଚତୁର୍ଥ ପର୍ଯ୍ୟାୟ ହେବ।

ବାଣିଜ୍ୟିକ କୋଇଲା ଖଣି ନିଲାମ ପାଇଁ କୋଇଲା ମନ୍ତ୍ରଣାଳୟର ଏକମାତ୍ର କାରବାର ପରାମର୍ଶଦାତା ଏସବିଆଇ କ୍ୟାପିଟାଲ ମାର୍କେଟସ୍ ଲିମିଟେଡ୍ ଏହି ପଦ୍ଧତି ପ୍ରସ୍ତୁତ କରିଛି ଏବଂ ନିଲାମ ପରିଚାଳନାରେ କୋଇଲା ମନ୍ତ୍ରଣାଳୟକୁ ସାହାଯ୍ୟ କରୁଛି।

ସମୁଦାୟ 99 ଟି କୋଇଲା ଖଣି ମଧ୍ୟରୁ 35 ଟି କୋଇଲା ଖଣି ସିଏମଏସପି ଅଧିନିୟମ ଅନୁଯାୟୀ ନିଲାମର 14 ତମ ପର୍ଯ୍ୟାୟ ଅଧୀନରେ ଅଛି ଏବଂ 64 ଟି କୋଇଲା ଖଣି ଏମଏମଡିଆର ଅଧିନିୟମ ଅନୁଯାୟୀ ନିଲାମର ଚତୁର୍ଥ ପର୍ଯ୍ୟାୟରେ ଅଛି । ଏହି 99 ଟି କୋଇଲା ଖଣି ମଧ୍ୟରୁ 24 ଟି ନୂତନ କୋଇଲା ଖଣି ହୋଇଥିବା ବେଳେ ଅବଶିଷ୍ଟ 75 ଟି କୋଇଲା ଖଣି ପୂର୍ବ ରାଉଣ୍ଡର ରୋଲ୍ ଓଭର ଖଣି ଅଟେ। 

ଏହି କାର୍ଯ୍ୟକ୍ରମରେ କୋଇଲା ମନ୍ତ୍ରଣାଳୟର ସଚିବ, ଅତିରିକ୍ତ ସଚିବ ଶ୍ରୀ ବିନୋଦ କୁମାର ତିୱାରୀ, ଶ୍ରୀ ଏମ ନାଗରାଜୁ ଓ ମନ୍ତ୍ରଣାଳୟର ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

 

BS


(ରିଲିଜ ଆଡି: 1782480) ପରିଦର୍ଶକ କାଉଣ୍ଟର : 234
ଏହି ରିଲିଜ ପଢନ୍ତୁ : English , Urdu , हिन्दी , Marathi