ଯୋଗାଯୋଗ ମନ୍ତ୍ରଣାଳୟ

ଆଜାଦୀ କା ଅମୃତ ମହୋତ୍ସବ


କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଦ୍ୱାରା ଓଡ଼ିଶାର ଛଅ ଜଣ ଅନାଲୋଚିତ ନାୟକମାନଙ୍କ ଉପରେ ସ୍ୱତନ୍ତ୍ର ଲଫାପା ଉନ୍ମୋଚିତ

Posted On: 13 OCT 2021 6:53PM by PIB Bhubaneshwar

ଆଜାଦୀ କା ଅମୃତ ମହୋତ୍ସବ ଏବଂ ଡାକ ଟିକଟ ଦିବସ ସମାରୋହ ଉପଲକ୍ଷେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର ସଞ୍ଚାର, ରେଳବାଇ ଓ ଆଇଟି ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଦ୍ୱାରା ଓଡ଼ିଶାର ୬ ଜଣ ଅନାଲୋଚିତ ସ୍ୱାଧୀନତା ସଂଗ୍ରାମୀଙ୍କ ଉପରେ ସ୍ୱତନ୍ତ୍ର ଲଫାପା ଉନ୍ମୋଚିତ ହୋଇଯାଇଛି। ଏହି ଅନାଲୋଚିତ ନାୟକମାନେ ଦେଶର ସ୍ୱାଧୀନତା ସଂଗ୍ରାମରେ ବିଶେଷ ଯୋଗଦାନ ଦେଇଥିଲେ। ଏହି ଅନାଲୋଚିତ ନାୟକମାନେ ହେଲେ - ମହାନ ସ୍ୱାଧୀନତା ସଂଗ୍ରାମୀ ବକ୍ସି ଜଗବନ୍ଧୁ, ସହିଦ ବାଜି ରାଉତ, ସହିଦ ଜୟୀ ରାଜଗୁରୁ, ଚାଖି ଖୁଂଟିଆ, ଚକରା ବିଷୋୟୀ ଏବଂ ପାର୍ବତୀ ଗିରି ।  ଡାକ ବିଭାଗ ସଚିବ ଶ୍ରୀ ବିନୀତ ପାଣ୍ଡେ, ଡାକ ବିଭାଗ ମହାନିର୍ଦ୍ଦେଶକ ଶ୍ରୀ ଆଲୋକ ଶର୍ମାଙ୍କ ସମେତ ଡାକ ବିଭାଗ ଏବଂ ସଞ୍ଚାର ମନ୍ତ୍ରଣାଳୟ ବହୁ ବରିଷ୍ଠ ଅଧିକାରୀମାନେ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଓଡ଼ିଶାରୁ ଭର୍ଚୁଆଲ ମାଧ୍ୟମରେ ମୁଖ୍ୟ ମହାଡାକପାଳ ଶ୍ରୀ ଶୁଭେନ୍ଦୁ ସ୍ୱାଇଁ ଅଂଶଗ୍ରହଣ କରିଥିଲେ ।


ଡାକ ବିଭାଗ ପକ୍ଷରୁ ୧୧.୧୦.୨୦୨୧ରୁ ୧୭.୧୦.୨୦୨୧ ପର୍ଯ୍ୟନ୍ତ ଜାତୀୟ ଡାକ ସପ୍ତାହ ସମାରୋହ ପାଳନ କରାଯାଉଛି । ପ୍ରତିଦିନ ଭିନ୍ନ ଭିନ୍ନ ବିଷୟବସ୍ତୁ ଯଥା: ଆର୍ଥିକ ଅନ୍ତର୍ଭୂକ୍ତିକରଣ, ଡାକ ଟିକେଟ ସଂଗ୍ରହ, ଚିଠି ଓ ପାର୍ସଲ ଆଦି ଉପରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଦେଶର କୋଣଅନୁକୋଣରେ ବରିଷ୍ଠ ନାଗରିକମାନଙ୍କୁ ସାମିଲ କରି ଜନ ସଚେତନତା ଅଭିଯାନ ଆୟୋଜନ କରାଯାଉଛି ଏବଂ ଦେଶ ସ୍ୱାଧୀନତାର ୭୫ତମ ବର୍ଷକୁ ପାଳନ କରାଯାଉଛି ।
ମନ୍ତ୍ରୀ ଓ ଅତିଥିମାନଙ୍କୁ ସ୍ୱାଗତ କରି ଶ୍ରୀ ବିନୀତ ପାଣ୍ଡେ କହିଥିଲେ ଯେ ଡାକ ବିଭାଗ ପକ୍ଷରୁ ଆମ ସ୍ୱାଧୀନତା ସଂଗ୍ରାମର ଅନାଲୋଚିତ ନାୟକମାନଙ୍କ ପ୍ରେରଣାଦାୟୀ କାହାଣୀ ବିଶ୍ୱ ସମ୍ମୁଖରେ ଉପସ୍ଥାପନ କରିବା ଲାଗି ଡାକ ବିଭାଗ ପକ୍ଷରୁ ପ୍ରୟାସ କରାଯାଉଛି । ସେମାନଙ୍କ ସମ୍ପର୍କରେ ସ୍ୱତନ୍ତ୍ର ଡାକ ଟିକଟ ଏବଂ ଲଫାପା ଉନ୍ମୋଚନ କରାଯାଉଛି । ୧୩ ଅକ୍ଟୋବର ୨୦୨୧ରେ ଆମ ସ୍ୱାଧୀନତା ସଂଗ୍ରାମ ଉପରେ ବିଭାଗ ପକ୍ଷରୁ ୧୦୩ଟି ସ୍ୱତନ୍ତ୍ର ଲଫାପା ଉନ୍ମୋଚନ କରାଯାଇଥିବା ଶ୍ରୀ ପାଣ୍ଡେ ସୂଚନା ଦେଇଥିଲେ ।


ନୂଆଦିଲ୍ଲୀର ଡାକ ଭବନ ଠାରେ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଦ୍ୱାରା ସ୍ୱତନ୍ତ୍ର ଲଫାପା ଉନ୍ମୋଚନ କରାଯାଇଥିଲା । ଦୁଇ ମନ୍ତ୍ରୀ ମଧ୍ୟ ଭିଡିଓ ଲିଙ୍କ ଜରିଆରେ ଓଡ଼ିଶାରେ ଉପସ୍ଥିତ ଥିବା ୬ ଜଣ ଅନାଲୋଚିତ ନାୟକମାନଙ୍କ ପରିବାର ସଦସ୍ୟମାନଙ୍କ ସହିତ ଆଲୋଚନା କରିଥିଲେ। ନିଜର ଅଭିଭାଷଣରେ ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନ ଏସବୁ ମହାନ ପୁରୁଷ ଓ ମହିଳାମାନଙ୍କ ସଂଗ୍ରାମର ସ୍ମୃତିଚାରଣ କରିଥିଲେ । ଏହି ବିଶିଷ୍ଟ ବ୍ୟକ୍ତିମାନଙ୍କ ପ୍ରଦର୍ଶିତ ମାର୍ଗ ଏବଂ ଆଦର୍ଶରେ ଅନୁପ୍ରାଣିତ ହୋଇ ଯୁବପିଢ଼ି ସେମାନଙ୍କର କର୍ତ୍ତବ୍ୟ ସମ୍ପାଦନ କରିବା ଆବଶ୍ୟକ ବୋଲି ଶ୍ରୀ ପ୍ରଧାନ ପରାମର୍ଶ ଦେଇଥିଲେ ।
ସଞ୍ଚାର ମନ୍ତ୍ରୀ ଶ୍ରୀ ବୈଷ୍ଣବ ଏହି ୬ ଜଣ ଅବିଦିତ ନାୟକମାନଙ୍କର ଦେଶ ମାତୃକା ପ୍ରତି ମୂଲ୍ୟବାନ ଯୋଗଦାନର ସ୍ମୃତିଚାରଣ କରିବା ସହିତ ସେମାନେ କିଭଳି ଭାବେ ଓଡ଼ିଶାବାସୀ ଏବଂ ସ୍ଥାନୀୟ ଲୋକକଳାରେ ଉଜ୍ଜୀବିତ ହୋଇ ରହିଛନ୍ତି ସେଥିପ୍ରତି ଆଲୋକପାତ କରିଥିଲେ । ଏହି ଛଅଜଣ ମହାନ ସଂଗ୍ରାମୀଙ୍କ ଉପରେ ସ୍ୱତନ୍ତ୍ର ଲଫାପା ଉନ୍ମୋଚନ କରିଥିବାରୁ ମାନନୀୟ ମନ୍ତ୍ରୀ ଡାକ ବିଭାଗକୁ ଅଭିନନ୍ଦନ ଜଣାଇଥିଲେ ।


ଏହି କାର୍ଯ୍ୟକ୍ରମରେ ଛଅ ଜଣ ସ୍ୱାଧୀନତା ସଂଗ୍ରାମୀମାନଙ୍କର ପରିବାର ସଦସ୍ୟମାନେ ଭର୍ଚୁଆଲ ମାଧ୍ୟମରେ ଅଂଶଗ୍ରହଣ କରିଥିଲେ । ନିଜ ସହରର ଡାକ ଘରେ ସେମାନେ ଉପସ୍ଥିତ ରହିଥିବା ବେଳେ ଡାକ ବିଭାଗ ପକ୍ଷରୁ ସେମାନଙ୍କୁ ଏହି ସ୍ୱତନ୍ତ୍ର ଲଫାପା ପ୍ରଦାନ କରାଯାଇଥିଲା । ଉଭୟ ମନ୍ତ୍ରୀମାନେ ସଂଗ୍ରାମୀଙ୍କ ପରିବାର ସଦସ୍ୟଙ୍କ ସହ ଆଲୋଚନା କରିଥିଲେ । ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ କମିଶନର ତଥା ସଚିବ ଡ. ସୁରେଶ ଚନ୍ଦ୍ର ଦଳାଇ, ଭୁବନେଶ୍ୱରସ୍ଥିତ ଓଡ଼ିଶା ଡାକ ପରିମଣ୍ଡଳର ମୁଖ୍ୟ ମହାଡାକପାଳ ଶ୍ରୀ ଶୁଭେନ୍ଦୁ ସ୍ୱାଇଁଙ୍କ ସମେତ ଡାକ ବିଭାଗର ବହୁ ଅଧିକାରୀ ଓ କର୍ମଚାରୀଗଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।


********
P.S



(Release ID: 1763763) Visitor Counter : 297


Read this release in: English , Urdu , Hindi