ନୀତି ଆୟୋଗ

ଗ୍ଲୋବାଲ ଇନୋଭେସନ ଇଣ୍ଡେକ୍ସ ୨୦୨୧ରେ ଭାରତର ୪୬ତମ ସ୍ଥାନ ହାସଲ


ସେପ୍ଟେମ୍ବର ୨୧, ୨୨ରେ ସିଆଇଆଇ ଏବଂ ୱିପୋ ସହଯୋଗରେ ନୀତି ଆୟୋଗ ଗ୍ଲୋବାଲ ଇନୋଭେସନ ଇଣ୍ଡେକ୍ସ-୨୦୨୧କୁ ଭାରତରେ ଉନ୍ମୋଚନ କରିବ

ଭାରତରେ ଦୁଇଦିନିଆ ଗ୍ଲୋବାଲ ଇନୋଭେସନ କନ୍‌କ୍ଲେଭ ମଙ୍ଗଳବାରରୁ ଆରମ୍ଭ ହେବ

Posted On: 20 SEP 2021 6:16PM by PIB Bhubaneshwar

ବିଶ୍ୱ ବୌଦ୍ଧିକ ସମ୍ପତ୍ତି ପ୍ରତିଷ୍ଠାନ (ୱିପୋ)ରେ ଭାରତ ଆଉ ଦୁଇପାଦ ଉପରକୁ ଉଠି ଗ୍ଲୋବାଲ ଉନୋଭେସନ ଇଣ୍ଡେକ୍ସ (ବିଶ୍ୱ ସୃଜନ ସୂଚୀ) ୨୦୨୧ରେ ୪୬ ସ୍ଥାନରେ ପହଂଚିଛି । ଏହି ସୂଚୀରେ ଭାରତ କ୍ରମାଗତଭାବେ କେତେବର୍ଷ ଧରି ଉପରକୁ ଉଠିଚାଲିଛି । ୨୦୧୫ରେ ଭାରତ ଏହି ସୂଚୀରେ ୮୧ ସ୍ଥାନରେ ଥିଲା । ନବସୃଜନ ବା ଇନୋଭେସନକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଶେଷ ଗୁରୁ୍‌ତ୍ୱ ଦେଇ ଆସୁଛନ୍ତି । ସେ ଆତ୍ମନିର୍ଭର ଭାରତ ନିର୍ମାଣ ପାଇଁ ଯେଉଁ ଆହ୍ୱାନ ଜନସାଧାରଣଙ୍କୁ ଦେଇଥିଲେ ସେଥିରେ ଇନୋଭେସନ ଅଗ୍ରାଧିକାର ଲାଭ କରିଥିଲା । ପ୍ରଧାନମନ୍ତ୍ରୀ କହିଥିଲେ ଯେ କରୋନା ମହାମାରୀ ସମୟରେ ଦେଶରେ ଯେଉଁ ଅଦ୍ଭୂତପୂର୍ବ ସଙ୍କଟ ସୃଷ୍ଟି ହୋଇଛି ତାହାର ସଫଳ ମୁକାବିଲାରେ ଆମକୁ ନବସୃଜନ ସାହାଯ୍ୟ କରିବ ଏବଂ ଆମେ ଆତ୍ମନିର୍ଭର ହୋଇପାରିବା ।

ଜିଆଇଆଇ ରାଙ୍କିଙ୍ଗରେ ଭାରତ ନିରନ୍ତର ଉପରକୁ ଉଠିବା ପଛରେ ରହିଛି ଏହାର ଜ୍ଞାନପୁଞ୍ଜି, ସମୃଦ୍ଧ ଷ୍ଟାର୍ଟଅପ ପରିବେଶ ଏବଂ ଘରୋଇ ଏବଂ ସରକାରୀ ଗବେଷଣା ପ୍ରତିଷ୍ଠାନଗୁଡିକର ଆଶ୍ଟର୍ଯ୍ୟଜନକ କାର୍ଯ୍ୟ । ଆଣବିକଶକ୍ତି ବିଭାଗ, ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ, ଜୈବପ୍ରଯୁକ୍ତି ବିଭାଗ ଓ ମହାକାଶ ବିଜ୍ଞାନ ଭଳି ବିଜ୍ଞାନ ସମ୍ବନ୍ଧୀୟ ବିଭାଗ ସମୂହ ଭାରତୀୟ ନବସୃଜନ ପରିତନ୍ତ୍ରକୁ ସମୃଦ୍ଧ କରିବାରେ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି ।

ବିଦ୍ୟୁତଚାଳିତ ଯାନ, ବାୟୋଟେକ୍ନୋଲୋଜି, ନାନୋ ଟେକ୍ନୋଲୋଜି, ମହାକାଶ, ବିକଳ୍ପ ଊର୍ଜା ଉତ୍ସ ଭଳି ବିଭିନ୍ନ କ୍ଷେତ୍ରରେ ନୀତି ଭିତ୍ତିକ ନବସୃଜନ ଆଣିବା ପାଇଁ ଯେଉଁ ଜାତୀୟ ଉଦ୍ୟମ ହେଉଛି ତାହାକୁ ସମ୍ପୂର୍ଣ୍ଣ ସଫଳ କରିବା ନିମନ୍ତେ ନୀତି ଆୟୋଗ ଅବିଶ୍ରାନ୍ତ ଭାବେ କାର୍ଯ୍ୟ କରୁଛି । ଇଣ୍ଡିଆ ଇନୋଭେସନ ଇଣ୍ଡେକ୍ସର ସର୍ବଶେଷ ସଂସ୍କରଣ ଗତବର୍ଷ ନୀତି ଆୟୋଗ ଦ୍ୱାରା ଉନ୍ମୋଚିତ ହୋଇଥିଲା । ଭାରତରେ ସବୁ ପ୍ରଦେଶ  ମଧ୍ୟରେ ନବସୃଜନର ବିକେନ୍ଦ୍ରୀକରଣ କ୍ଷେତ୍ରରେ ଏହା ଏକ ବଳିଷ୍ଠ ପଦକ୍ଷେପ ଭାବରେ ଏହି ଇଣ୍ଡେକ୍ସ ସମସ୍ତଙ୍କ ଦ୍ୱାରା ଗ୍ରହଣୀୟ ହୋଇଥିଲା ।  ଇନୋଭେସନ କ୍ଷେତ୍ରରେ ଭାରତର ପ୍ରଗତି, ବିଶ୍ୱସ୍ତରରେ ଏହା ର ମୂଲ୍ୟାୟନ ଏବଂ ରାଙ୍କ ଆଦି ଉପରେ ନୀତି ଆୟୋଗ ଏବଂ ଜିଆଇଆଇ ନିରନ୍ତର ଦୃଷ୍ଟି ରଖି ଏଥିପାଇଁ ଆବଶ୍ୟକ ସାହାଯ୍ୟ ସହଯୋଗ ସୁନିଶ୍ଚିତ କରୁଛି ।

 ଜୀବନ ଓ ଜୀବିକାର ସୁରକ୍ଷା ସହିତ ଆମେ ଆମ ଜାତୀୟ ଅର୍ଥନୀତିର ଅଭିବୃଦ୍ଧି ହାରକୁ ବଢାଇବାକୁ ଚେଷ୍ଟିତ ଥିବାରୁ ଜିଆଇଆଇ-୨୦୨୧ ଅନ୍ୟାନ୍ୟ ଦେଶ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ରେଫରେନ୍ସ ପଏଣ୍ଟ ଭାବେ ବିବେଚିତ ହେବ । ସେମାନେ ଏହାକୁ ଏକ ମାନକଭାବେ ନେଇ ନିଜର ଇନୋଭେସନ ଦକ୍ଷତା ଓ ପ୍ରସ୍ତୁତି ଆଦିକୁ ମାପିବେ। ଏହା ସେମାନଙ୍କ ଅର୍ଥନୀତିର ପୁନରୁଦ୍ଧାର  ଓ ସମୃଦ୍ଧିରେ ବିଶେଷ ଅବଦାନ ରଖିବ । ବିଭିନ୍ନ ସରକାରଙ୍କ ପାଇଁ ଜିଆଇଆଇ ଇତିମଧ୍ୟରେ ଏକ ନୀତି ସାଧନ(ପଲିସ୍ ଟୁଲ) ପାଲଟିଛି । ଏହା ମଧ୍ୟ ସେମାନଙ୍କ ସ୍ଥିତିରେ ଉନ୍ନତି ଆଣିବାରେ ସହାୟକ ହେଉଛି ।

ବିଶ୍ୱବ୍ୟାପୀ ଜିଆଇଆଇ ସରକାରମାନଙ୍କର ମାପ ଆଧାରରେ ପରିଣତ ହୋଇଛି । ଏହା ମାଧ୍ୟମରେ ସେମାନେ ନିଜ ଦେଶର ସାମାଜିକ ଓ ଅର୍ଥନୈତିକ ପରିବର୍ତ୍ତନକୁ ମାପୁଛନ୍ତି । ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ) ଏ କ୍ଷେତ୍ରରେ ମଧ୍ୟ ନେତୃତ୍ୱ ନେଉଛି । ନବସୃଜନଭିତ୍ତିକ ଏକ ଅର୍ଥନୀତି ଗଢି ତୋଳିବାରେ ଏହା ଯଥାର୍ଥ ସହଯୋଗ ଯୋଗାଉଛି । ଚଳିତବର୍ଷ ନୀତି ଆୟୋଗ ସିଆଇଆଇଏ ଓ ବିଶ୍ୱ ବୌଦ୍ଧିକ ସମ୍ପତ୍ତି ପ୍ରତିଷ୍ଠାନ ୱିପୋ ସହିତ ମିଶି ଭର୍ଚୁଆଲ ବ୍ୟବସ୍ଥାରେ ସେପ୍ଟେମ୍ବର ୨୧, ୨୨ତାରିଖରେ ଗ୍ଲୋବାଲ ଇନୋଭେସନ କନ୍‌କ୍ଲେଭ ଆୟୋଜନ କରୁଛି । ଏଥିରେ ଜିଆଇଆଇର ଉନ୍ମୋଚନ ଭାରତ ପାଇଁ କରାଯିବ ।

ଏହି କାର୍ଯ୍ୟକ୍ରମରେ ବହୁ ବରିଷ୍ଠ ବିଶିଷ୍ଟ ବ୍ୟକ୍ତି ବିଶେଷ ଯୋଗ ଦେବେ । ସେମାନଙ୍କ ମଧ୍ୟରେ ଅଛନ୍ତି ନୀତି ଆୟୋଗର ସଦସ୍ୟ ଡକ୍ଟର ଭି.କେ ସାରସ୍ୱତ, ଭାରତ ସରକାରଙ୍କ ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତା ଡକ୍ଟର କେ ବିଜୟ ରାଘବନ, ନୀତି ଆୟୋଗର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅମିତାଭ କାନ୍ତ, ୱିପୋର ମହାନିର୍ଦ୍ଦେଶକ ଶ୍ରୀ ଡାରେନ୍ ଟ୍ୟାଙ୍ଗ୍‌, ଲେଖକ ତଥା କର୍ଣ୍ଣୱେଲ ୟୁନିଭରସିଟିର ପ୍ରଫେସର ସୌମିତ୍ର ମିତ୍ର, ସିଆଇଆଇ ନ୍ୟାସନାଲ କମିଟିର ଅଧ୍ୟକ୍ଷ ଶ୍ରୀ ବିପିନ ସୋନ୍ଧି ଓ ସିଆଇଆଇ ମହାନିର୍ଦ୍ଦେଶକ ଶ୍ରୀ ଚନ୍ଦ୍ରଜିତ ବାନାର୍ଜୀ ।

ଗ୍ଲୋବାଲ ଇନ୍‌ଭେସନ କନ୍‌କ୍ଲେଭ ଓ ତତ୍‌ସଂଲଗ୍ନ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଆଗ୍ରହୀ ବ୍ୟକ୍ତିବିଶେଷ ( https://www.ciihive.in/GLOBEINNO) ଲିଙ୍କରେ ନିଜନାମ ପଞ୍ଜୀକୃତ କରିପାରିବେ ।

*****

TM / SLP



(Release ID: 1756583) Visitor Counter : 201


Read this release in: English , Urdu , Hindi