ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ମେଡିକାଲ ଶିକ୍ଷାରେ ଭାରତ ସରକାରଙ୍କ ଐତିହାସିକ ନିଷ୍ପତ୍ତି

ଅନ୍ୟାନ୍ୟ ଅନଗ୍ରସର ଶ୍ରେଣୀ(ଓବିସି)ଙ୍କ ନିମନ୍ତେ ଶତକଡା ୨୭ଭାଗ ଓ ଆର୍ଥିକ ଦୁର୍ବଳ ଶ୍ରେଣୀ(ଇଡବ୍ଲୁଏସ୍‌)ଙ୍କ ନିମନ୍ତେ ଶତକଡା ଦଶଭାଗ ସଂରକ୍ଷଣ

ସର୍ବଭାରତୀୟ କୋଟାରେ ଏହି ନିୟମ ଏମବିବିଏସ, ଏମ୍‌ଡି, ଡିପ୍ଲୋମା, ବିଡିଏସ୍ ଓ ଏମ୍‌ଡିଏସ୍ ପାଇଁ ଚଳିତ ଶିକ୍ଷାବର୍ଷ ୨୦୨୧-୨୨ଠାରୁ ଲାଗୁ

ପାଖାପାଖି ୫, ୫୦୦ ଛାତ୍ରଛାତ୍ରୀ ହେବେ ଉପକୃତ

ଉଭୟ ଅନଗ୍ରସର ଓ ଆର୍ଥିକ ଦୁର୍ବଳ ଶ୍ରେଣୀ ପାଇଁ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବାକୁ ସରକାର ଅଙ୍ଗୀକାରବଦ୍ଧ

Posted On: 29 JUL 2021 2:48PM by PIB Bhubaneshwar

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦର୍ଶୀ ମାର୍ଗଦର୍ଶନରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସର୍ବଭାରତୀୟ କୋଟା ଯୋଜନା(AIQ schme)ରେ ଶତକଡା ୨୭ଭାଗ ଅନ୍ୟାନ୍ୟ ଅନଗ୍ରସର ଓ ଶତକଡା ୧୦ଭାଗ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଛାତ୍ରଛାତ୍ରୀମାନଙ୍କୁ ମେଡିକାଲ ଶିକ୍ଷାରେ ସଂରକ୍ଷଣ ଦେବା ପାଇଁ ଏକ ଐତିହାସିକ ନିଷ୍ପତି ନେଇଛନ୍ତି । ଚଳିତ ଶିକ୍ଷାବର୍ଷ ୨୦୨୧-୨୨ଠାରୁ ଏହା ସ୍ନାତ୍ତକ ଓ ସ୍ନାତକୋତ୍ତର ମେଡିକାଲ / ଡେଣ୍ଟାଲ ପାଠ୍ୟକ୍ରମ ଯଥା ଏମବିବିଏସ, ଏମ.ଡି / ଏମ୍‌ଏସ / ଡିପ୍ଲୋମା / ବିଡିଏସ / ଏମଡିଏସ୍ ନିମନ୍ତେ ଲାଗୁ ହେବ ।

ସର୍ବ ଭାରତୀୟ କୋଟା(AIQ)ଯୋଜନା ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ନିଜ ରାଜ୍ୟ ବ୍ୟତୀତ ଅନ୍ୟାନ୍ୟ ରାଜ୍ୟର ଉନ୍ନତ ମେଡିକାଲ କଲେଜରେ ମେଧାବୀ ଛାତ୍ରଛାତ୍ରୀଙ୍କୁ ନାମ ଲେଖାଇବା ସୁଯୋଗ ଦେବା ପାଇଁ ୧୯୮୬ ମସିହାରେ ଲାଗୁ ହୋଇଥିଲା । ସର୍ବଭାରତୀୟ କୋଟାରେ ଶତକଡା ୧୫ଭାଗ ଅଣ୍ଡର ଗ୍ରାଜୁଏଟ ଓ ଶତକଡା ୫୦ଭାଗ ସ୍ନାତକୋତ୍ତର  ନିମନ୍ତେ ସଂରକ୍ଷଣ ସରକାରୀ ମେଡିକାଲ କଲେଜରେ ରହିଛି । ୨୦୦୭ ମସିହା ପର୍ଯ୍ୟନ୍ତ ଏଆଇକ୍ୟୁ ଯୋଜନା  ଅଧୀନରେ କୌଣସି ସଂରକ୍ଷଣ ବ୍ୟବସ୍ଥା ନ ଥିଲା । ଯୋଜନା ଅଧୀନରେ ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଶତକଡା ୧୫ଭାଗ ତଫସିଲଭୁକ୍ତ ଜାତି ଓ ୭.୫% ତଫସିଲଭୁକ୍ତ ଉପଜାତି ଛାତ୍ରଛାତ୍ରୀଙ୍କ ନିମନ୍ତେ ପ୍ରବର୍ତ୍ତିତ ହେଲା । ଯେତେବେଳେ କେନ୍ଦ୍ରୀୟ ଶିକ୍ଷାଅନୁଷ୍ଠାନ (ସଂରକ୍ଷଣ ଓ ନାମଲେଖା) ଆଇନ ୨୦୦୭ ମସିହାରେ ଲାଗୁ ହେଲା ପରେ ଅନ୍ୟାନ୍ୟ ଅନଗ୍ରସର ଶ୍ରେଣୀଙ୍କ ନିମନ୍ତେ ଶତକଡା ୨୭ଭାଗ ସଂରକ୍ଷଣ ବ୍ୟବସ୍ଥା ସମସ୍ତ କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନ ଯଥା ସଫଦରଜଙ୍ଗ ହସ୍‌ପିଟାଲ, ଲେଡିହାର୍ଡିଞ୍ଜି ମେଡିକାଲ କଲେଜ, ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟ ଓ ବନାରସ୍ ହିନ୍ଦୁ ବିଶ୍ୱବିଦ୍ୟାଳୟ ଇତ୍ୟାଦିରେ କାର୍ଯ୍ୟକାରୀ ହେଲା । ତେବେ ଏହା ରାଜ୍ୟ ମେଡିକାଲ ଓ ଡେଣ୍ଟାଲ କଲେଜ ପାଇଁ ଲାଗୁ ହୋଇ ନ ଥିଲା ।

ବର୍ତ୍ତମାନ ସରକାର ଉଭୟ ଅନ୍ୟାନ୍ୟ ଅନଗ୍ରସର ଓ ଆର୍ଥିକ ଦୁର୍ବଳ ଶ୍ରେଣୀଙ୍କୁ ସଂରକ୍ଷଣ ସୁବିଧା ଦେବା ପାଇଁ ଅଙ୍ଗୀକାରବଦ୍ଧ । କେନ୍ଦ୍ର ସରକାର ସେ ଦୃଷ୍ଟିରୁ  ଅନ୍ୟାନ୍ୟ ଅନଗ୍ରସର ଶ୍ରେଣୀକୁ ଶତକଡା ୨୭ଭାଗ ଓ ଆର୍ଥିକ ଦୁର୍ବଳ ଶ୍ରେଣୀକୁ ଶତକଡା ଦଶ ଭାଗ ସଂରକ୍ଷଣ AIQ ଯୋଜନା ଅଧୀନରେ ଦେବା ନିମନ୍ତେ ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି । ଯେକୌଣସି ରାଜ୍ୟର ମେଡିକାଲ କଲେଜ ପାଇଁ ପ୍ରତିଯୋଗିତା ଭିତ୍ତିରେ ଅନଗ୍ରସର ଶ୍ରେଣୀ ଛାତ୍ରଛାତ୍ରୀମାନେ ଏହାର ସୁବିଧା ନେଇପାରିବେ । ଏହି ସଂରକ୍ଷଣ ବ୍ୟବସ୍ଥା  ଫଳରେ ପାଖାପାଖି ୧୫ଶହ ଅନ୍ୟାନ୍ୟ ଅନଗ୍ରସର ଶ୍ରେଣୀ ଛାତ୍ରଛାତ୍ରୀ ଏମବିବିଏସ୍ ଓ ୨୫ଶହ ସ୍ନାତକୋତ୍ତର ପାଠ୍ୟକ୍ରମ ପାଇଁ ସୁବିଧା ପାଇପାରିବେ ।

ଆର୍ଥିକ ଦୃଷ୍ଟିରୁ ଦୁର୍ବଳ(EWS) ଛାତ୍ରଛାତ୍ରୀଙ୍କ ନିମନ୍ତେ ଉଚ୍ଚ ଶିକ୍ଷାନୁଷ୍ଠାନରେ ଶିକ୍ଷାଲାଭ ପାଇଁ ୨୦୧୯ ମସିହାରେ ଏକ ସାମ୍ବିଧାନିକ ସଂଶୋଧନ କରାଯାଇଥିଲା । ଫଳରେ  EWS ଶ୍ରେଣୀ ପାଇଁ ଶତକଡା ଦଶଭାଗ ସଂରକ୍ଷଣ ବ୍ୟବସ୍ଥା ହେଲା । ସେହି ଅନୁସାରେ ୨୦୧୯-୨୦ ଓ ୨୦୨୦-୨୧ ଶିକ୍ଷାବର୍ଷରେ ମେଡିକାଲ ଓ ଡେଣ୍ଟାଲ କଲେଜଗୁଡିକରେ ଶତକଡା ଦଶଭାଗ ଆର୍ଥିକ ଦୁର୍ବଳ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ନାମ ଲେଖା ପାଇଁ ସିଟ୍ ସଂଖ୍ୟା ବୃଦ୍ଧି କରାଗଲା । ଏହା ଫଳରେ ଅଣସଂରକ୍ଷିତ ସ୍ଥାନଗୁଡିକ ମଧ୍ୟ ହ୍ରାସ ପାଇଲା ନାହିଁ । ତେବେ ଏଆଇକ୍ୟୁ ଯୋଜନାର ସୁବିଧା ଏପର୍ଯ୍ୟନ୍ତ ସଂପ୍ରସାରିତ ହୋଇ ନ ଥିଲା । ଏହା ଚଳିତ ୨୦୨୧-୨୨ ଶିକ୍ଷାବର୍ଷରୁ ଶତକଡା ୨୭ଭାଗ ଅନ୍ୟାନ୍ୟ ଅନଗ୍ରସର ଶ୍ରେଣୀ ସହ ଶତକଡା ଦଶଭାଗ ଆର୍ଥିକ ଦୁର୍ବଳ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ନିମନ୍ତେ ଲାଗୁ ହୋଇଛି । ପ୍ରତିବର୍ଷ ଏମବିବିଏସ ୫୫୦, ପିଜି ମେଡିକାଲ ପାଠ୍ୟକ୍ରମରେ ୧୦୦୦ଇଡବ୍ଲ୍ୟୁଏସ ଛାତ୍ରଛାତ୍ରୀ ଉପକୃତ ହେବେ ।

            ୨୦୧୪ ମସିହାଠାରୁ ମେଡିକାଲ ଶିକ୍ଷାରେ ଅଣାଯାଇଥିବା ଉଲ୍ଲେଖନୀୟ ସଂସ୍କାର ଏବଂ ନିଷ୍ପତ୍ତି ଏକ ଅଂଶବିଶେଷ କହିଲେ ଅତ୍ୟୁକ୍ତି ହେବ ନାହିଁ । ଗତ ଛଅବର୍ଷ ମଧ୍ୟରେ ମେଡିକାଲ ସିଟ୍ ସଂଖ୍ୟା ଶତକଡା ୫୬ଭାଗ ବୃଦ୍ଧି ପାଇଛି । ୨୦୧୪ ମସିହାରେ ଦେଶରେ ୫୪, ୩୪୮ମେଡିକାଲ ସିଟ୍ ଥିବାବେଳେ ୨୦୨୦ ସୁଦ୍ଧା ଏହା ୮୪, ୬୪୯କୁ ବୃଦ୍ଧି ପାଇଛି । ସେହିପରି ପିଜି ସିଟ୍ ସଂଖ୍ୟା ଶତକଡା ୮୦ଭାଗ ବୃଦ୍ଧି ପାଇଛି । ୨୦୧୪ରେ ଏହା ୩୦, ୧୯୧ଥିବାବେଳେ ୨୦୨୦ରେ ଏହା ୫୪, ୨୭୫ରେ ପହଞ୍ଚିଛି । ଏହି ସମୟ ମଧ୍ୟରେ ଦେଶରେ ୧୭୯ଟି ନୂତନ ମେଡିକାଲ କଲେଜ ସ୍ଥାପିତ ହୋଇଛି । ଦେଶରେ ଏବେ ୨୮୯ଟି  ସରକାରୀ ଓ ୨୬୯ଟି ଘରୋଇ ଏହିପରି ମୋଟ ୫୫୮ମେଡିକାଲ କଲେଜ ରହିଛି ।

 

*****

 

SM / SLP

           



(Release ID: 1740457) Visitor Counter : 357