ଅର୍ଥ ମନ୍ତ୍ରଣାଳୟ

ଆଇଡିବିଆଇ ବ୍ୟାଙ୍କ ଲିମିଟେଡରୁ ରଣନୈତିକ ପୁଞ୍ଜି ପ୍ରତ୍ୟାହାର ଏବଂ ପରିଚାଳନା ନିୟନ୍ତ୍ରଣ ହସ୍ତାନ୍ତରକୁ କ୍ୟାବିନେଟ ମଞ୍ଜୁରି

Posted On: 05 MAY 2021 4:04PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ ସମିତି ଆଇଡିବିଆଇ ବ୍ୟାଙ୍କ ଲିମିଟେଡରୁ ରଣନୈତିକ ପୁଞ୍ଜି ପ୍ରତ୍ୟାହାର ସହିତ ପରିଚାଳନା ନିୟନ୍ତ୍ରଣ ହସ୍ତାନ୍ତରକୁ ନୀତିଗତ ମଞ୍ଜୁରି ଦେଇଛନ୍ତି। କାରବାରକୁ ଚୂଡ଼ାନ୍ତ ରୂପ ଦେବା ସମୟରେ ଆରବିଆଇର ପରାମର୍ଶକ୍ରମେ ଭାରତ ସରକାର ଓ ଏଲଆଇସି ପକ୍ଷରୁ ବିକ୍ରି କରାଯିବାକୁ ଥିବା ନିଜ ନିଜ ଅଂଶଧନର ସୀମା ନିର୍ଦ୍ଧାରଣ କରାଯିବ।

ଭାରତ ସରକାର ଓ ଏଲଆଇସି ନିକଟରେ ଆଇଡିବିଆଇ ବ୍ୟାଙ୍କର 94%ରୁ ଅଧିକ ଇକ୍ୟୁଟି (ଭାରତ ସରକାରଙ୍କ ନିକଟରେ 45.48% ଓ ଏଲଆଇସି ନିକଟରେ 49.24%) ରହିଛି। ଏଲଆଇସି ବର୍ତ୍ତମାନ ଆଇଡିବିଆଇର ପରିଚାଳନା ନିୟନ୍ତ୍ରଣ କରିବା ସହିତ ପ୍ରମୋଟର ଭାବେ କାର୍ଯ୍ୟ କରୁଛି ଏବଂ ଭାରତ ସରକାର ସହ-ପ୍ରମୋଟର ଅଛନ୍ତି।

ଭାରତ ସରକାରଙ୍କ ଦ୍ବାରା ପରିକଳ୍ପିତ ରଣନୈତିକ ଅଂଶଧନ ବିକ୍ରି ସହିତ ନିଜ ଅଂଶଧନ ବିକ୍ରି ଜରିଆରେ ଆଇଡିବିଆଇ ବ୍ୟାଙ୍କ ଲିମିଟେଡରେ ନିଜର ଅଂଶଧନକୁ ହ୍ରାସ କରିବାକୁ ଏଲଆଇସି ନିଷ୍ପତ୍ତି ନେଇଛି ଯାହାଫଳରେ ଏହା ପରିଚାଳନା ନିୟନ୍ତ୍ରଣ ଛାଡ଼ିପାରିବ ଓ ହସ୍ତାନ୍ତର କରିପାରିବ। ଏ ସଂକ୍ରାନ୍ତ ପ୍ରସ୍ତାବ ଏଲଆଇସିର ବୋର୍ଡ ବୈଠକରେ ପାରିତ ହୋଇଛି। ଏଥିସହିତ ଏଲଆଇସିକୁ ଏହି ଅବସରରେ ମୂଲ୍ୟ, ବଜାର ଆଉଟଲୁକ, ବୈଧାନିକ ସର୍ତ୍ତ ଓ ପଲିସି ଧାରକମାନଙ୍କ ହିତ ପ୍ରତି ମଧ୍ୟ ଧ୍ୟାନ ରଖିବାକୁ ହେବ।

ଏଲଆଇସି ବୋର୍ଡର ଏହି ନିଷ୍ପତ୍ତି ନିୟାମକୀୟ ଆଦେଶନାମା ଅନୁରୂପ ଅଟେ, ଯାହାର ଅନ୍ତର୍ଗତ ବ୍ୟାଙ୍କରୁ ଏହା ନିଜର ଅଂଶଧନକୁ ହ୍ରାସ କରିପାରିବ।

ରଣନୈତିକ କ୍ରେତା ଆଇଡିବିଆଇ ବ୍ୟାଙ୍କ ଲିମିଟେଡର କାରବାର କ୍ଷମତାକୁ ସର୍ବୋତ୍ତମ ବିକାଶ ସହିତ ବ୍ୟାଙ୍କର ବିକାଶ ଲାଗି ସେଥିରେ ଆବଶ୍ୟକ ଅର୍ଥରାଶି ବିନିଯୋଗ କରିବେ ଏବଂ ନୂତନ ପ୍ରଯୁକ୍ତିର ପ୍ରୟୋଗ ଆରମ୍ଭ କରିବେ। ଏହାସହିତ ବ୍ୟାଙ୍କର ପରିଚାଳନା ସହ ଜଡ଼ିତ ସର୍ବୋତ୍ତମ ପ୍ରଚଳନକୁ କାର୍ଯ୍ୟକାରୀ କରିବେ ବୋଲି ଆଶା କରାଯାଉଛି। ଏହା ମଧ୍ୟ ଆଶା କରାଯାଉଛି ଯେ ଏଲଆଇସି ଓ ସରକାରଙ୍କ କୌଣସି ସହାୟତା/ଆର୍ଥିକ ନିର୍ଭରଶୀଳତା ବିନା ରଣନୈତିକ କ୍ରେତା ଏଥିରେ ଅଧିକରୁ ଅଧିକ କାରବାର ସୃଷ୍ଟି କରିବେ। ଏହି ଚୁକ୍ତି ଅନ୍ତର୍ଗତ ସରକାରଙ୍କ ଇକ୍ୟୁଟିର ରଣନୈତିକ ପୁଞ୍ଜି ପ୍ରତ୍ୟାହାରରୁ ପ୍ରାପ୍ତ ସମ୍ବଳ ସରକାରଙ୍କ ବିଭିନ୍ନ କଲ୍ୟାଣମୂଳକ କାର୍ଯ୍ୟରେ ଅର୍ଥ ବିନିଯୋଗ ଲାଗି ଉପଯୋଗ କରାଯିବ, ଯାହାର ଲାଭ ଦେଶର ନାଗରିକମାନଙ୍କୁ ମିଳିପାରିବ।

 

*********

P.S



(Release ID: 1716354) Visitor Counter : 196